ଏହି ଶିରୋନାମା ପଛର ପ୍ରସଙ୍ଗଟି ଏଇଆ: “ସେ ଯାଉଅଛି’, “ସେ ଯାଉଛି”, “ସେ ଯାଉଚି’, – ଏହି ତିନୋଟିକୁ ‘ଯିବା’ କ୍ରିୟାର କ୍ରମବିବର୍ତ୍ତନ ବୋଲି ଆପଣ ମନେକରନ୍ତି କି? ପୂର୍ବକାଳୀନ ସାହିତ୍ୟରେ ଏହି କ୍ରିୟାପଦଟି “ଯାଉଅଛି’ ଭାବରେ ବ୍ୟବହୃତ ହୋଇଥିବାର ଅନେକ ଦୃଷ୍ଟାନ୍ତ ରହିଛି, ଯାହାକି ପରବର୍ତ୍ତୀ କାଳରେ ‘ଯାଉଛି’ରେ ପରିଣତ ହେଲା। ଗୋଟିଏ ସମୟରେ ମିଶନାରୀମାନଙ୍କ ଜରିଆରେ ଯେତେବେଳେ ଆମ ଭାଷାରେ ଗଦ୍ୟଲିଖନ ପରମ୍ପରାର ସୂତ୍ରପାତ ହେଲା ସେତେବେଳେ ‘ଯାଉଛି’, ‘କରୁଛି’ ଓ ‘ଦେଖିଛି’ ଇତ୍ୟାଦି ରୂପରେ କ୍ରିୟାପଦଗୁଡ଼ିକ ଆମ ଲିଖିତ ସାହିତ୍ୟରେ ସ୍ଥାନ ପାଇଲା, ଯାହା ଅଦ୍ୟାବଧି ଚାଲିଆସିଛି।
ତେବେ କଥା ହେଲା, ଏବେ ଆମ ଗଦ୍ୟ ସାହିତ୍ୟରେ ଏହି ‘ଛି’ର ଏକ ବିକଳ୍ପ ଭାବରେ ‘ଚି’ ମଧ୍ୟ ମୁଣ୍ଡ ଟେକିବାକୁ ଆରମ୍ଭ କଲାଣି କି? ଏହାର ଏକ ନିର୍ଦ୍ଦିଷ୍ଟ ଆଭାସ ଆମକୁ ମିଳିଲା, ଯେତେବେଳେ ପ୍ରାୟ ଦୁଇ ମାସ ତଳେ ବିଶିଷ୍ଟ ଭାଷାବିତ୍ ପ୍ରଫେସର ପଞ୍ଚାନନ ମହାନ୍ତିଙ୍କ ଦ୍ୱାରା ଲିଖିତ ଏକ ପ୍ରବନ୍ଧ ମଧ୍ୟରେ ଥିବା ‘ରଖିଚି’, ‘ହୋଇସାରିଚି’ ଭଳି କେତୋଟି ଶବ୍ଦକୁ ଟାଇପିଙ୍ଗ୍ ପ୍ରମାଦ ବୋଲି ମନେକରି ଆମେ ପ୍ରୁଫ୍-ସଂଶୋଧନ କାଳରେ ଏଥିରେ ଥିବା ‘ଚି’ଗୁଡ଼ିକୁ ‘ଛି’ରେ ପରିଣତ କରିଦେଲୁ। କିନ୍ତୁ ପରେ ଯେତେବେଳେ ଏହା ପ୍ରଫେସର ମହାନ୍ତିଙ୍କ ଦୃଷ୍ଟିକୁ ଆସିଲା, ସେ ଆମକୁ ଫୋନ୍ରେ ଜଣାଇଲେ ଯେ ସେ ନିଜର ପ୍ରବନ୍ଧରେ କ୍ରିୟାପଦଗୁଡ଼ିକର ଏଭଳି କଥିତ ରୂପ ଜାଣିଶୁଣି ପ୍ରୟୋଗ କରିଛନ୍ତି; ଏଣୁ ଏହାକୁ ବଦଳା ନ ଯାଉ। ଏହାର କିଛିଦିନ ପୂର୍ବେ ବାଣୀବିହାର, ଓଡ଼ିଆ ବିଭାଗର ଅଧ୍ୟାପକ ଡ. ରମେଶଚନ୍ଦ୍ର ମଲ୍ଲିକ ମଧ୍ୟ ଆମ ପତ୍ରିକାରେ ପ୍ରକାଶିତ ଏକ ପ୍ରବନ୍ଧରେ ଅନୁରୂପ ଭାବରେ ‘କରୁଚି’ ଓ ‘ହୋଇଚି’ ଭଳି ଶବ୍ଦମାନଙ୍କର ପ୍ରୟୋଗ କରିଥିଲେ। ଏଥିରୁ ଆମେ ଏକ ନିଷ୍କର୍ଷରେ ପହଞ୍ଚିଲୁ ଯେ ଏବେ ଓଡ଼ିଆରେ ଲିଖିତ ଭାଷାକୁ କଥିତ ଭାଷାର ନିକଟତର କରିବାପାଇଁ ଗୋଟିଏ ନିରବ ଆନ୍ଦୋଳନ ଚାଲିଛି।
ତେବେ ଏହି ଆନ୍ଦୋଳନର ଲକ୍ଷ୍ୟ କ’ଣ? ପ୍ରତ୍ୟେକ ଭାଷାର ଦୁଇଟି ରକମ ଅଛି – କଥିତ ଓ ଲିଖିତ। ଏହି ଉଭୟ ପ୍ରକାର ଭାଷାର ନିର୍ଦ୍ଦିଷ୍ଟ ମାନକ ରୂପ ଥାଏ। କଥିତ ଭାଷାର ମାନକ ରୂପଟିକୁ ଆମର ଲିଖିତ ଭାଷାରେ ପ୍ରୟୋଗକୁ ଆଣିବା ହେଉଛି ଏହି ଆନ୍ଦୋଳନର ଲକ୍ଷ୍ୟ। ଉଦାହରଣ ସ୍ୱରୂପ, ଯିବା ଜନିତ କ୍ରିୟାଟିକୁ ଓଡ଼ିଶାର ବିଭିନ୍ନ ଜିଲ୍ଲାର କଥିତ ଭାଷାରେ ଭିନ୍ନ ଭିନ୍ନ ପ୍ରକାରେ କୁହାଯାଏ। ଏହି ଶବ୍ଦଗୁଡ଼ିକୁ ଲିଖିତ ସାହିତ୍ୟରେ ଏଭଳି ବିବିଧ ପ୍ରକାର ରୂପରେ ପ୍ରୟୋଗକୁ ଅଣାଗଲେ ଦ୍ୱନ୍ଦ୍ୱ ଉପୁଜିବାର ସମ୍ଭାବନା ରହିଛି। ତେଣୁ ସେହି ବହୁବିଧ ଭାବରେ କଥିତ ଶବ୍ଦଗୁଡ଼ିକର ଏକ ସର୍ବଗ୍ରାହ୍ୟ ମାନକ ରୂପ ହିଁ ଏବେ ସାହିତ୍ୟରେ ପ୍ରୟୋଗ ହେବା ଆରମ୍ଭ ହୋଇଛି। ‘ଯାଉଚି’, ‘କରୁଚି’ ‘ହେଉଚି’ ଇତ୍ୟାଦି ହେଉଛି ଏହାର ଦୃଷ୍ଟାନ୍ତ। ଅପର ପକ୍ଷରେ, ‘ଯାଉଛି’, ‘କରୁଛି’ ‘ହେଉଛି’ ଇତ୍ୟାଦି ଆମ ଲିଖିତ ଭାଷାର ମାନକ ରୂପ।
ତେବେ କଥିତ ଭାଷାକୁ ଲିଖିତ ଭାଷା ଭିତରକୁ ଫେରାଇଆଣିବାର ପ୍ରଥମ ଶ୍ରେୟ ପଣ୍ଡିତ ନୀଳକଣ୍ଠଙ୍କୁ ଦିଆଯାଇପାରେ, ଯିଏ ତତ୍କାଳୀନ ‘ସତ୍ୟବାଦୀ’ ପତ୍ରିକାରେ କ୍ରିୟାପଦଗୁଡ଼ିକୁ ବ୍ୟବହାର କରିବାବେଳେ ‘ଛି’ ପରିବର୍ତ୍ତେ ‘ଚି’ ବୋଲି ଲେଖୁଥିଲେ। ତା’ଙ୍କ ପରେ ଏହି ଧାରା କିଛିବର୍ଷ ପାଇଁ ଥମିଯାଇଥିବା ବେଳେ, ଏବେ କିଛିଜଣ ଲେଖକ ଏହାକୁ ଗୁରୁତ୍ୱର ସହ ପୁଣି ଅନୁସରଣ କରିବା ଆରମ୍ଭ କରିଛନ୍ତି। ଏହା ଯେ ନିକଟ ଭବିଷ୍ୟତରେ ଆମର ଲିଖିତ ଭାଷାକୁ ଏକ ନୂଆ ମୋଡ଼ ଦେବ ଏଥିରେ ସନ୍ଦେହ ନାହିଁ।
ନିହାର ଶତପଥୀ
(‘ସାହିତ୍ୟ ଚର୍ଚ୍ଚା’ ପତ୍ରିକାର ଜାନୁଆରୀ, ୨୦୨୫ ସଂଖ୍ୟାରେ ପ୍ରକାଶିତ ସମ୍ପାଦକୀୟ। )