ମିଛବଜାରରେ ନୂଆ ବର୍ଷ

ନୂଆବର୍ଷର ମିଛ ବଜାର ସରଗରମ ହୋଇଉଠେ ହାପି ନିଉଇୟର୍ ମେସେଜ୍‌ରେ।

ଡା. ଅଭୟ ଦାଶ

ଏଇ ଯେଉଁ ବର୍ଷ ହିସାବ ହୁଏ, ପାଞ୍ଜି ବା କ୍ୟାଲେଣ୍ଡର୍‌ର ପୃଷ୍ଠା ଯେଉଁଠି ସରିଯାଏ, ସେଇଠି ସରିଯାଏ ବର୍ଷଟିଏ। ଆଉ ଗୋଟିଏ ନୂଆ ବହି କିଣାହୁଏ। ସେଇ ନୂଆ ବହିର ପ୍ରଥମ ପୃଷ୍ଠାରୁ ଆରମ୍ଭ ହୁଏ ଆଉ ଗୋଟିଏ ବର୍ଷ। ଏ ବର୍ଷ ମାପିବାର ଅନେକ ଫର୍ମୁଲା ମାପ ବା ମାନକ ଅଛି। ଯଥା ସୁନିଆଁ, ସଂକ୍ରାନ୍ତି ତାରିଖରେ ମୁଣ୍ଡି ମରେ ଗୋଟିଏ ବର୍ଷ; ଏବଂ ଆରମ୍ଭ ହୁଏ ଆଉ ଗୋଟିଏ। ବିକ୍ରମୀ ସମ୍ବତ୍, ହିନ୍ଦୁ ନବ ବର୍ଷ, ଓଡିଆ ନବବର୍ଷ, ପଣାସଂକ୍ରାନ୍ତି ଦିନ ନବବର୍ଷ ଏଇ ଖେଚେଡ଼ି, ଡାଲମା, ଚକୁଳିପିଠା, ଜାଉ, ଛତୁଆ ଆଦି ଖାଦ୍ୟ ଖାଇ ପାଳନ କରିବା ବିଧି। କିଏ କରୁଛି କଣ, କିଏ ଜାଣେ? ସେଥିଯୋଗୁଁ ସେ ବର୍ଷଗୁଡାକ ଏତେ ଓଜନଦାର ମନେହୁଅନ୍ତି ନାହିଁ। ସେଇ ଗାଁ କନିଆଁ ହିସାବ। ସେଇ ଷ୍ଟାଟସ୍। ମାନେ, ଗୋଟାଏ ବେଖାତିର ଭାବ।
ଇଂରେଜ ଆସିଲେ, ଶାସନ କଲେ, ଆମେ ତାଙ୍କରି ଢଙ୍ଗରେ ନିଜକୁ ରଙ୍ଗାଇ ନେଲୁ। ସିଏ ସିନା ଚାଲିଗଲେ, ଆମେ ତାଙ୍କୁ ଝୁରିହେଉଛୁ। ଶ୍ରୀ ସ୍ଥାନରେ ମିଷ୍ଟର, ଶ୍ରୀମତୀ ସ୍ଥାନରେ ମିସେସ୍ ଲେଖି ନିଜର ମାନ ବଢ଼ାଇଲୁ ବୋଲି ଭାବିଲୁ। ସେଥିପାଇଁ ଏ ବଡ଼ଦିନ ଖ୍ରୀଷ୍ଟମାସ ନବବର୍ଷର ଆବିର୍ଭାବ ହେଲା ଆମ ସମାଜରେ। ଆରମ୍ଭ ହେଲା ଅଭିନନ୍ଦନ, ଶୁଭେଚ୍ଛା, ଗ୍ରିଟିଂର ପର୍ବ। ବଜାରକୁ ଡେଇଁପଡ଼ିଲେ ନାନା ଜାତିର କମ୍ପାନୀ, ଗଦା ଗଦା କାଗଜରେ ଡ଼ିଜାଇନ କରି କାର୍ଡ୍ ଗଦାଇଦେଲେ ମିଛର ବଜାର ଉପରେ। ମିଛ ବୋଲି କାହିଁକି କହୁଛି କି, ଆନ୍ତରିକତା ଶୁନ୍ୟ ଶୁଭେଚ୍ଛା। ଯାହା ପାଖରେ କାମ ଅଛି, ତା’ପାଖକୁ ସେ କାର୍ଡ୍‌ରୁ ଗୋଟାଏ ନ ପଠେଇଲେ କେମିତି ହେବ?


ଆଉ ଗୋଟାଏ ପ୍ରକାରେ ପ୍ରେମିକ ଗୋଷ୍ଠୀ ଅଛନ୍ତି। ନୂଆ ନୂଆ କଲେଜରେ ପ୍ରବେଶ, ଝିଅମାନଙ୍କୁ ପ୍ରେମ ଫାଶରେ ବାନ୍ଧିବାକୁ ଅକ୍ଷୟ ମହାନ୍ତିଙ୍କ ଗୀତ ସାଙ୍ଗକୁ କାର୍ଡ୍ ଖଣ୍ଡେ ନ ପଠାଇଲେ କ’ଣ ହୁଏ? ନୂଆବର୍ଷ ନଥିଲେ କି, କାର୍ଡ୍ ଥାଆନ୍ତା? ନୂଆବର୍ଷର ଆଗମନରେ ପ୍ରେମ ବଜାର ତେଜିଉଠେ। ମିଛ କହୁନି ଆଜ୍ଞା, ଅଙ୍ଗେ ଲିଭାଇବା କଥା ଇଏ। ନୂଆ ବର୍ଷ ନାଁ’ରେ ଭୋଜି ପିକ୍‌ନିକ୍ କଥା ଆଉ ନ କହ। ରାମଚଣ୍ଡୀଠାରୁ ଚିଲିକା ଚନ୍ଦ୍ରଭାଗା ସାତକୋଶିଆ ଟିକରପଡ଼ା ଶିମିଳିପାଳ, କେଉଁଠି ଇଞ୍ଚେ ଜାଗା ନାହିଁ।
ସମୟ କ୍ରମେ କାର୍ଡ୍‌ରୁ ହ୍ବାଟସ୍‌ଆପ୍ ଯାଏ, ଖଞ୍ଜଣୀ ଭଜନରୁ ଡିଜେ ଯାଏ ମାଡ଼ିଆସିଲାଣି ନୂଆବର୍ଷ ବଜାର। ପାର୍କ୍‌ରେ ପୁଲିସ ଜଗିଛି; କୁଆଡ଼େ ଯିବା? ହଁ ମ ଚାଲୁନା! ଆମକୁ ସେ କାଇଦା ଜଣା ଅଛି ମ! କେଡ଼େ କେଡ଼େ ପୁଲିସଙ୍କୁ ଥଣ୍ଡା କରିଦେବା ମନ୍ତ୍ର ଅଛି ଆମ ପାଖରେ। ଆସୁନା! ଇଏ ପରା ମିଛ ବଜାରରେ ନୂଆବର୍ଷ।
‘ନିଉ ଇୟର୍ସ ଡେ଼’ ବା ନୂଆବର୍ଷ ପାଳନକୁ ନେଇ କେତେକଥା ଆଗକୁ ଆସେ। କିଏ କହେ, ଏଇଟା କ’ଣ ଆମ ସଂସ୍କୃତି? କିଏ, ”ଚଟୁ ଆଇଁଷ, ବେଣ୍ଟ ନିରାମିଷ” ନ୍ୟାୟରେ କଣ ନାହିଁ କଣ କହିଯାଇ ପାଣ୍ଡିତ୍ୟ ବଖାଣେ। ଆମର ସୁନିଆ, ଆମର ପଣାସଂକ୍ରାନ୍ତି, ଆମର ବିକ୍ରମୀ ସମ୍ବତ୍। ମାତ୍ର ଆମେ ଜଣଙ୍କ କଥାରେ ରାଜି ହେଉନାହିଁ। ଏଇ ଇ଼ଂରେଜି ନବବର୍ଷ କୁ ଗାରକାଟି ତଳେ ଥୋଇ ଆଗକୁ ବଢ଼ିବାକୁ ହୁଏ, ଭିନ୍ନ ଭିନ୍ନ ତାରିଖ ରୁପରେ।
ସେହି ତାରିଖ ଜୀବନର ସମସ୍ତ ଭାଇଟାଲ୍ ଇଭେଣ୍ଟ୍ ବା କାର୍ଯ୍ୟସୂଚିକୁ ନିୟନ୍ତ୍ରଣ କରେ। ଜନ୍ମରୁ ମୃତ୍ୟୁ ପର୍ଯ୍ୟନ୍ତ ସମସ୍ତ ଘଟଣାର ସାକ୍ଷୀ ଏଇ ତାରିଖ। କେହି ତ କୁମ୍ଭ ଏତେ ଦିନ, କି ଅମୁକ ତିଥି ଅମୁକ ନକ୍ଷତ୍ର ଲେଖି କୌଣସି ଘଟଣାର ବର୍ଣନା କରିବା ଦେଖାଯାଏ ନାହିଁ। ଦିନବାଚକ ଏହି ତାରିଖ ଶବ୍ଦଟି ସାରା ବିଶ୍ୱର ଏକ ମାନକ ରୂପେ ନିଜର ସ୍ଥିତି ଉପସ୍ଥାପନ କରିଥାଏ। ସେହି ତାରିଖ ଡିସେମ୍ବର ଏକତିରିଶ ମଧ୍ୟ ରାତିରୁ ଏକ ଜାନୁଆରୀ ନୂଆ ବର୍ଷ ପର୍ଯ୍ୟନ୍ତ ଭିଡ଼ି ଓଟାରି ଜଗନ୍ନାଥ, ଲିଙ୍ଗରାଜ, ମା ତାରିଣୀ, ମା ମଙ୍ଗଳା, ମା ଶାରଳା, ବାବା ସତ୍ୟସାଇ, ସିରିଡିସାଇ ଆଦିଙ୍କୁ ଜବରଦସ୍ତି ଗୀତ, ପ୍ରାର୍ଥନା, ଭଜନ ଶୁଣାଇ ଠେଲାପେଲା କରି ବେଦମ କରି ପକାଉଛନ୍ତି। “ଦିନେ ନାହିଁ କାଳେ ନାହିଁ, ଗହ୍ମା ପୁର୍ଣମୀ ଦିନ ମାଇଁ ମାଇଁ।” ବାକି ଦିନ ମନ୍ଦିର ଫାଙ୍କା । ଜଗନ୍ନାଥଙ୍କୁ ନେଇ ଭଜନ ଲେଖିଚାଲୁ , ”ମୋର କିଛି ଲୋଡ଼ା ନାହିଁ, ଖାଲି ତୁମ ଦରଶନ ଟିକିଏ।” ମିଛ କଥା ନୁହେଁ ତ ଆଉ କଣ? ଦରମା ଦୁଇଦିନ ଡେରି ହୋଇଗଲେ ପରା ଧର୍ମଘଟରୁ ଘେରାଉ ଯାଏ ନ କରି ଛାଡ଼ିଦେବ ନାହିଁ! ଯଦି ତୁମର କିଛି ଦରକାର ନାହିଁ, ସେଠି ଭିଡ଼ କରୁଛ କାହିଁକି? କାହିଁକି ଏ ମିଛ ବଜାରକୁ ଭିଡ଼ିଆଣୁଛ ଜଗନ୍ନାଥଙ୍କୁ ନୂଆବର୍ଷ ବାହାନାରେ?
ନୂଆବର୍ଷର ମିଛ ବଜାର ସରଗରମ ହୋଇଉଠେ ହାପି ନିଉଇୟର୍ ମେସେଜରେ। ଯେଉଁ ଭାଇ ଏଇ ସହରରେ ରହି ବି ଦିନେ ପଚାରିନି ଯେ କେମିତି ଅଛ, ସିଏ ବି ପଠାଏ ହାପି ନିଉ ଇୟର ମେସେଜ୍‌ଟିଏ, ସାଙ୍ଗରେ କେଉଁ କ୍ୟାଲେଣ୍ଡରରୁ ଆଣି ଜଗନ୍ନାଥ ଫଟୋଟିଏ। ସେଇଠି ସରିଯାଏ ତାର ଡ୍ୟୁଟି ବର୍ଷକ ପାଇଁ। ଅଧରାତି ବେଳକୁ ସବୁ ଲାଇନ୍ ବନ୍ଦ ହୋଇଯାଏ। ଟେଲିଭିଜନର ମୁଣ୍ଡବିନ୍ଧା ପ୍ରୋଗ୍ରାମ, ନା ଶୁଆଇଦିଏ ନା ବସାଇଦିଏ। ଏଇତ ନିଉ ଇୟର୍ ବଜାର।
ନିଉ ଇୟର ଆସିନାହିଁ ଯେ ନିରିହ ଛେଳି କୁକୁଡ଼ା ଙ୍କ କପାଳ ଫାଟିଲା। ଭୋଜିଭାତ, ମଦ, ମାଂସ ଛାଡ଼ିଦେଲେ ନିଉ ଇୟର ସେଲିବ୍ରେସନ୍ ନୂଆବର୍ଷ ଉତ୍ସବ ଆଉ କ’ଣ କି? ତା ଭିତରକୁ ଜୋର ଜବରଦସ୍ତି ଦେବତାଠାକୁରଙ୍କୁ ଭିଡିଆଣି ଠିଆ କରାଇ ଦେବା ମିଛ ବାହାନା ନୁହେଁ ତ ଆଉ କଣ ? ଏ ମିଛର ବଜାର ଏତେ ବିଶାଳ ଯେ ନୂଆ ବର୍ଷ ଉତ୍ସବ ପାଳନ ତା’ର ଏକ କ୍ଷଣସ୍ଥାୟୀ ଅଂଶ ବିଶେଷ ହୋଇପାରେ, ଯାହା ଉତ୍ସୃଙ୍ଖଳତା ଓ ଦୂର୍ଘଟଣାର ସୂତ୍ରପାତ କରିଥାଏ। ଆମେ ପେଟ ପୁରା ମଦ ପିଉ,ଆକାଶ ବେଗରେ ମୋଟର ଚଳାଉ , ଅବାଟରେ ଯାଉ। ମନ୍ଦିରରେ ବି ନିର୍ଦ୍ଧାରିତ ରାସ୍ତାରେ ନ ଯାଇ ଧୁଳିଆ ଗୁମାସ୍ତାଙ୍କୁ ଦୁଇ ପଇସା ଦେଇ ଓଲଟା ରାସ୍ତାରେ ଯାଇ ଗହଳି ସୃଷ୍ଟି କରୁ। ନୂଆ ବର୍ଷ ଆସିଛି ପରା।
ମୁଖ୍ୟମନ୍ତ୍ରୀ ମହୋଦୟ ବି ସେଇ ଦିନ ଜଗନ୍ନାଥଙ୍କୁ ମନେପକାଇ ଥାଟ ବାଟ ସହ ଦର୍ଶନ ଦିଅନ୍ତି! ଠାକୁରଙ୍କୁ ଦର୍ଶନ କରିବେ କଣ ମନେ ମନେ ଖୋଜିହୁଅନ୍ତି ପତ୍ରକାର, ଫଟୋଗ୍ରାଫର, ଜେଜେକାର କରୁଥିବା ଅନୁଗତମାନଙ୍କୁ। ଏଇତ ନୂଆ ବର୍ଷ। ଦିନେ ବିଦେଶୀଙ୍କ ସଂସ୍କୃତି ଥିଲା, ଆଜି ସତ କହ କି ମିଛ କହ, ତା’ଙ୍କ ସଂସ୍କୃତି, ଆମ ସମସ୍ତଙ୍କ ସଂସ୍କୃତି ହୋଇଯାଇଛି।

2 thoughts on “ମିଛବଜାରରେ ନୂଆ ବର୍ଷ

  1. ବର୍ତ୍ତମାନର ମିଛ ଉପରେ ପ୍ରତିଷ୍ଠିତ ମିଛ ଦୁନିଆରେ ଆମ ପରମ୍ପରା ଛାଡ଼ି ଆମେ ମିଛ ନୂଆବର୍ଷର ମିଛ ନୂଆ ଦିନ ପାଳନ ଗୋଟେ ପ୍ରବଞ୍ଚନା ନୁହେଁ ତ ଆଉ କଣ ହୋଇପାରେ!ଡକ୍ଟର ଅଭୟ ଦାଶ ମହାଶୟ ଯାହା ଲେଖିଛନ୍ତି ତାହା ବେଶ୍ ପ୍ରାସଙ୍ଗିକ,ତାତ୍ପର୍ଯ୍ୟ ପୁର୍ଣ୍ଣ ଓ ପ୍ରଣିଧାନ ଯୋଗ୍ୟ ଏଥିରେ ସନ୍ଦେହ ନାହିଁ।କିନ୍ତୁ ଆମେ ବି ମିଛ ଜୀବନ ବିତାଉ ଥିବାରୁ ଏହା କେତେଜଣଙ୍କୁ ବୁଝା ପଡିବ ତାହା ଭଗବାନଙ୍କୁ ହିଁ ଜଣା।

Leave a Reply

Your email address will not be published. Required fields are marked *