ଆମର ସବୁ କଥା, ସବୁ ସାହିତ୍ୟ, ସବୁ ସଂସ୍କୃତିର ମୁଣ୍ଡି ମରାହେବ କାଳିଆପାଖରେ । କି ଭାବରେ ମାଧବ!
ପିଲାଦିନ ମନେ ଅଛି ନା? ଥିବ ତ ନିଶ୍ଚୟ। ସବୁ ନ ହେଲେ ବି କିଛି କିଛି ଥିବ। ନଡ଼ିଆ ଗୋଟମା ଗୋଟେଇ ଜେଜିମା ତୁମ ପାଇଁ ଖଡ଼ିକାକୁ ଗୁନ୍ଥି ରଥ ବନେଇ ଦେଉଥବ। କାନରେ କନିଅର ଫୁଲ ଖୋସି ଦଉଥବ। ପିଠିରେ ନାଉ କରି ଅପା ନାଉ ନାଉ ପଚାନାଉ କରି ବୁଲାଉଥିବେ। ଦାଦା ଦି’ଡେଣା ଯତୁନେ ଧରି ଘିଡ଼ିଘିଡ଼ି କରି ଚତୁର୍ଘେରା ଘୂରେଇ ଦଉଥେବେ। ଜେଜେବାପା କାନ୍ଧରେ ବସେଇ ଡାଏଁ ଡିଡାଏଁ କରି ପାଟୁଆନାଟ କରଉଥବ। ଏମିତି କେତେ ନାହିଁ କେତେ ଗମାତ। ସବୁଠୁ ବଡ଼ ଗମାତଟା ବୋଧେ ଥିବ ‘ଗୁଗୁପାଞ୍ଚି’।
ଗୁଗୁପାଞ୍ଚି -ଗୁଗୁପାଇଁଚି ଶବ୍ଦଟାର ମତଲବ ମୁଁ ଦିନାକେତେ ଠଉରେଇ ପାରି ନ ଥିଲି। ପରେ ଗୀତରୁ ବୁଝିନେଲି। ଖେଳଟା ମନେ ଥିବ ତ? ଥବ ନା! ତଥାପି ଆଉ ଟିକେ ନଖେଇ ଦଉଚି। ଥ’ ଧରନ୍ତୁ।
ମାଆ ଉତ୍ତାନଶାୟୀ ହୋଇ ପେଟରେ ଦୁଇଜାନୁକୁ ସମକୋଣରେ ଜାକି, ଦୁଇପାଦର ଯୋଡ଼ି ହଳ ଆଣ୍ଠୁ ଜାକି ପିଚାଯାକେ ଲଗେଇ ତୁମକୁ ପେଟେଇ ଶୋଇ ଦେଇଥବ। ତୁମ ଥୋମଣି ଲାଗିଥବ ଆଣ୍ଠୁ ଯୁଗଳର ମେଲଣ ଥାନରେ।
ମାଆ ପଚାରୁଥେବେ ଚାକୁଳେଇ ପାକୁଳେଇ: ଧନରେ କୋଉଁ ପୋଖରୀକୁ ଯିବୁ ?
ସୁନାପୋଖରୀ ନା ଗୁହପୋଖରୀ?
ତୁମେ ଲୋଭରେ ଲାଟୁପାଟୁ ହେଇ କହୁଥବ: ସୁନାପୋଖରୀକୁ?
ମାଆ ହସିହସି ଗୀତ ଦୁଆ ଧରିଥେବେ:
ସୁନାପୋଖରୀକୁ ଯାଆ
ଗୁହପୋଖରୀରେ ଧୋଇଧାଇ ହେଇ ଘରକୁ ଯାଆ।
ହାହା।
ତା’ପରେ କରୁଣ ରାଗିଣୀ ଲହରେଇ ଯିବ। ଦେହ ସାରା ଚନ୍ଦନ ବୋଳି ହେଇ ଯାଇଥବ। ମହମହ ମହକୁ ଥବ।
ତମେ କାନ୍ଦୁଥବ: ଇଁଇଁଇଁଇଁ।
ପୁଣି ଗେଲ କରି ମାଆ କହୁଥବେ: ନାଇଁ ଧନ ନାଇଁ। ଆଉ ଥରେ!
ପୁନଶ୍ଚ ଆରୋହଣ। ପରିଗ୍ରହଣ। ଗାୟନ:
ଧନରେ କୋଉଁ ପୋଖରୀକୁ ଯିବୁ?
ଦ୍ୱିତୀୟ ପାଦ ଶୁଣିବା ଆଗରୁ ଚତୁର ବନି ତୁମେ ଟାଉକିନା କହି ଦେଉଥବ: ଗୁହପୋଖରୀକୁ।
ମାଆ ଗାଉଥବ: ଗୁହପୋଖରୀକୁ ଯାଆ।
ସୁନାପୋଖରୀରେ ଧୋଇ ଧାଇ ହେଇ ଘରକୁ ଯାଆ।
ଏଥର ମୁଗାମ୍ବୋ ଖୁସ୍ ହୁଆ। ତୁମ ମନ ଖୁସ୍। ମାଆ ମନ ଖୁସ୍।
ସତରେ କ’ଣ ସୁନାପୋଖରୀ ଥାଏ ନା ଗୁହପୋଖରୀ?
ସବୁ ତ କଳ୍ପନାରେ ଥାଏ।
ଆମ ଲୋକଗୀତ
ଏ ଲୋକଗୀତ ପା ଆମ ଓଡ଼ିଆଙ୍କ ଦିହର ମଳି ହେଇଗଲାଣି। ଏକଦମ ଟିଙ୍କ ପରି ନାଖି ଯାଇଚି। ଛଡ଼େଇବ ମାନେ କୁର୍ଛତ୍ର ଲହୁଲୁହାଣ।
ଆମ ସଂସ୍କୃତି ସହିତ ବିଭିନ୍ନ ପ୍ରବାଦର ଏପରି ଜଡ଼ାତେଲ ମେଣ୍ଢାବାଳ ସମ୍ପର୍କ ଅଛି ଦେଖିଲେ ନା। ଏମିତି ଅରୂପରୁ ରୂପାରୋହଣ, ଅଶିବରୁ ଶିବାନୁଗମନ, ଜଣେଇ ଦିଏ ଯେ ଆମେ ପହିଲେ କଷଣ ସହିଲେ ପରେ କୃଷଣ ଆସିବେ।
କଷ୍ଟ କଲେ କୃଷ୍ଣ ମିଳେ।
ଆମର ପରୀକ୍ଷା ଯେତେ ଭଲ ହେଲେ ବି କାହା ଆଗରେ କହୁନା: ବହୁତ ବଢ଼ିଆ ହୋଇଚି। ମାଆ ଶିଖେଇ ଥେବେ: ହସୁଥାଆ ଯେ, ବହେ କାନ୍ଦିବୁ ପଛରେ।
ପୁଣି ଶିଖେଇ ଥବ: ପାଠପଢ଼ା ବଡ଼ ଦୁଃଖ। ପଛିଆଣି ବଡ଼ ସୁଖ।
ସଜପଖାଳ ଖାଇବା ପରେ ତୋରାଣି ପେଇଦେବାକୁ ମାଆ ବି କି ମଧୁର ପଦଟେ ଜଗା ଠାକୁର ନାଁ ନେଇ ବେଲାକୁ ଓଠରେ ଲଗେଇ ଗାଉଥବ:
ଦେ’ କାଳିଆ ଟାଣିଟୁଣି
ଆଉ ନାଇଁଟି ଦୋଓଡ଼ା ପାଣି
ମଣ୍ଡି ପିଇଲେ ଗଣ୍ଡି ହେବ
ବାଇଶି ପାହାଚରେ ଗଡ଼ଗଡ଼ଉ ଥବ।
ଦୋଓଡ଼ାଭାତର ମଣ୍ଡ ତୋରାଣି ବଡ଼ ପୁଷ୍ଟିକର। ବଦନ ଝଲସିବ। ବାହାମାନ ଚହକିବ। ବଳ ପାଇଲେ ସିନା ବଡ଼ଦେଉଳ ବାଇଶିପାଉଚ ଚଢ଼ିବ। ଉପରୁ ତଳକୁ ଗଡ଼ିବ।
ଏମିତି ତ ଦୀପାବଳି ରାତିରେ କାଉଁରିଆ ଜାଳି ଆମେ ବଡ଼ବଡ଼ିଆଙ୍କୁ ଡାକି ଆରମ୍ଭ କରୁ ଅନ୍ଧାରରୁ: ବଡ଼ବଡ଼ୁଆ ହୋ!
ଅନ୍ଧାରରେ ଆସ। ଆଲୁଅରେ ଯାଅ।
ଗଙ୍ଗା ଯାଅ। ଗୟା ଯାଅ। ଶ୍ରୀ ପୁରସ୍ତମ ଯାଅ। ବାଇଶିପାଉଚରେ ଗଡ଼ ଗଡ଼ଉଥାଅ।
ହାହା।
ସବୁ କାଳିଆ ପାଖରେ
ଆମର ସବୁ କଥା, ସବୁ ସାହିତ୍ୟ, ସବୁ ସଂସ୍କୃତିର ମୁଣ୍ଡି ମରାହେବ କାଳିଆପାଖରେ। କି ଭାବରେ ମାଧବ!
ଉତ୍କଳେ ନେତାର ନାଇଁ ପ୍ରୟୋଜନ
ଉତ୍କଳର ନେତା ସ୍ୱୟଂ ନାରାୟଣ।
ଆଉ କଥାଟେ ଠଉରେଇଚ ନା ସଙ୍ଗାତେ? ବିନା ପ୍ରବାଦରେ ଆମେ ପାଦଟେ ହୁଙ୍କି ପାରିବା ସହଜ ନୁହେଁ। ଆମ ପ୍ରବାଦବୋଳା କଥାଗୁଡ଼ାକ ଆମକୁ ଯେମିତି ଅପ୍ରମାଦ କରିଦିଏ! ଆମ ଅବସାଦ ଦୂରେଇଦିଏ। ଆମ ନିଦକୁ ବହଳ ଗହଳ କରିଦିଏ।
ଆଗେ ସଭାରେ ପଙ୍ଗତ ବସୁଥେଲା। ସମସ୍ତେ ଏକାଠି ବସୁଥେଲେ। ବଢ଼ା ବଢ଼ି ସଇଲା ପରେ ମୁରବି ମୃଦୁ ନିର୍ଦ୍ଦେଶଟିଏ ଥାପୁଥବ: ଏଥର ବସ।
ବସି ତ ସାରିଚେ। ପୁଣି ବସ କ’ଣ?
ଯିଏ ବୁଝିବା ମଣିଷ ବୁଝିବ। ଏଥର ମାଡ଼ିଚାଲ। ଚାଲୁ ମାରାଥନ। ଭୋଜନ। ବ୍ୟାଦାନ।
ଜମିଲା ଉ!
ଆମ ଲକ୍ଷଣା ଶବ୍ଦ ଆହୁରି ବି ମଜାଦାରିଆ। ଦେଖୁ ନାହାନ୍ତି। ଅପରପକ୍ଷ ଗାଳି ଦେଲେ ବି ଆମେ ପାଟି ଖୋଲି ପାରିବା ନାହିଁ। ପଢ଼ିଥିବେ ତ ରାୟ ବାହାଦୁର ରାଧାନାଥ ରାୟଙ୍କୁ। ରାଧାନାଥ ଓ ଭଞ୍ଜକବିଙ୍କୁ ନେଇ ‘ବିଜୁଳି’ ଓ ‘ଇନ୍ଦ୍ରଧନୁ’ ଚଲେଇଥେଲେ ବାଦିପାଲା ଛେ ଛେ। ମନେ ନ ଥବ କିଆଁ। ଆମ ଓଡ଼ିଆ ଯଦି ଜିଇଥାଏ ତାହେଲେ ତିନି ରାଜା ମନ୍ତ୍ରୀ ଓ ସେନାପତିଙ୍କ ଲାଗି। ରାଜା ହେଲେ ରାୟବାହାଦୁର ରାଧାନାଥ ରାୟ। ମନ୍ତ୍ରୀ ହେଲେ ଭକ୍ତକବି ମଧୁସୂଦନ ରାଓ। ସେନାପତି ବ୍ୟାସକବି ଫକୀରମୋହନ। ବିମସ୍ ସାହବଙ୍କ ଜରିଆରେ ଫାଇଲପତ୍ର ତିଆରିଲେ ବୋଲି ଅଡ଼ଷଠି ମସିହାରେ ଠାକିଗଲା ଆମ ଭାଷା। ନ ହେଲେ ବଙ୍ଗାଳୀ ସେମିତି ଗାଲୁ ପେଲିଥାଆନ୍ତେ: ଉଡ଼ୟା ଏକଟା ସ୍ୱତନ୍ତ୍ର ଭାଷା ନୟ। ଆମ ମିଷ୍ଟିଭାଷାର କନିନୀକା (ସାନ ଭଉଣୀ)।
ଆରେ କୁଆଡ଼େ ପଳେଇଲି। ଏବେ ଆସିବା ଜାଗାମୁଣ୍ଡକୁ। ଠାଏ ରାୟ ବାହାଦୁର ଗାରେଇ ଥେଲେ:
ଭଲ କରି ଦେଖିଥାଅ ଭ୍ରାତାଙ୍କ ବଦନ
ଉପକାରୀ ବନ୍ଧୁ ଆହା ଅଟନ୍ତି ଏ ଜନ!
ହାହା!
ସେ ଉପକାରୀ ବନ୍ଧୁଙ୍କର ଚୈତନ୍ୟବିନ୍ଦୁ ଚହଟି ଯାଉଥବ ଏ ପଦକ ଶୁଣି।
ଆମ ଶ୍ଳେଷ ବି କମ କହିନି ଭଞ୍ଜଙ୍କ ବୈଦେହୀଶ ବିଳାସ ଲେଖାରେ:
ବାବୁ ନାକଶିରୀ ଦାନ ଯୋଗ୍ୟ ଯୋଷାକୁ
ବିହର କାନନ କର ଆଲିଙ୍ଗନକୁ।
ଯିଏ ବୁଝିବା କଥା ବୁଝିଲା। ଯିଏ ନାମ ନବା କଥା ନେଲା। ଆମର କିସ ଗଲା।
ରସକଲ୍ଲୋଳ ବତେଇଚି ପା: କବିଏ ସତମିଛ କହନ୍ତି
କବିତ୍ୱ ଚାତୁରୀରେ ମନ ମୋହନ୍ତି।
ଗଲା! କଥା ଛିଡ଼ିଲା। କବିଙ୍କୁ ପାରିହବନା।
ହଁ ଭାରି ପାରିଲା ବାଲା । ସ୍ୟଃ!
ପ୍ରବାଦର ଗରିମା
ଆମ ଭୂଖଣ୍ଡରେ ଆମେ ମରୁନା! ପ୍ରବାଦ ଆମକୁ ଦେହତ୍ୟାଗୀ ବୋଲାଏ। ସ୍ୱର୍ଗବାସ ଦିଏ। ସାଯୁଜ୍ୟମୁକ୍ତି ଦିଏ। ଆମ ବାପମାଆ ବୁଢ଼ା ହେଲେ ଅଦରକାରୀ ବନନ୍ତି ନାହିଁ। ବୃଦ୍ଧାଶ୍ରମକୁ ବିବେକୀପିଲା ମୋଟେ ପଠାଏ ନାହିଁ। ସେ ଦୁହେଁ ଆମର ଧନ ସମ୍ପତ୍ତି। ଥିଲେ ନ ଆସେ ବିପତ୍ତି। ଆମ ସାହିତ୍ୟ ଆମକୁ ମତେଇଚି: ବାପା ଗୋଟିଏ ବରଗଛ। ପିତା ସ୍ୱର୍ଗ ପିତା ଧର୍ମ ପିତା ତପ। ପିତା ପିତା ନୁହେଁ ହିତା।
ନିମପତର ପାଟିକୁ ପିତା, ଦେହକୁ ହିତା।
ମାଆକୁ ବି ସେଇ ରକମ ବନ୍ଦେଇଚି: ମାଆ ତୁମେ କରୁଣାମୟୀ। ମମତାର ସୀମାହୀନ ସାଗର। ମାଆ ବିନା ସାହା ନାହିଁ।
ଆହା! ଆମକୁ ମହିମାମୟ କରି ପାରିଛି ସିନା ଆମ ସାହିତ୍ୟ, ଆମ ସଂଗୀତ, ଆମ ପରମ୍ପରା, ଆମ ପ୍ରବାଦ ଲକ୍ଷଣାର ମାଳମାଳ ଆଦର୍ଶ! କଦଳୀ ଗଛଟେ ଲଗେଇବା ବେଳକୁ ବି କୃଷିବୈଜ୍ଞାନିକ ବନିଛି ଆମ ପ୍ରବାଦ:
ଜ୍ୟେଷ୍ଠେ କଦଳୀ ଆଷାଢ଼େ ପୁଆ
ପୋତ ନ ପୋତ ହୁଅଇ ଠିଆ।
ହାତେ ଚାଖଣ୍ଡେ ଖୋଳିବ ଗାତ
ପତର ଖଣ୍ଡିକେ ନ ଦେବ ହାତ
ଚାଖଣ୍ଡେ ଛାଡ଼ି ଭାଙ୍ଗିବ ଭଣ୍ଡା
ତେବେ ସେ ଦେଖିବ କଦଳୀପେଣ୍ଡା।
ପୁଣି ବରଷା ପାଣିପାଗ ପାଇଁ ବିଶେଷଜ୍ଞ ବନି ବତେଇଚି: ହସି ପଶେ ଉଇଁ ନ ଦିଶେ। ସଜଗୋବରରେ ଅଂଶେଇ ବସେ। ଡାକ ବୋଲେ ପୁତା ନିଶ୍ଚେ ବରଷେ।
ଘରକୁ ସକାଳୁ କୁଣିଆ ଆଇଲେ ଠଉରେଇ ନିଏ: ସକାଳ କୁଣିଆ କୁଣିଆ ନୁହେଁ
ସକଳ ମେଘ ମେଘ ନୁହେଁ।
ଅଲୋଡ଼ା ବନ୍ଧୁଙ୍କ ପାଇଁ ଭଦର ପଦିଏ କହିଚି:
ଅଇଲ ବନ୍ଧୁ ଭଲ କଲ ବସିବାକୁ ନାଇଁ ଠାଆ
ଯେଉଁ ବାଟେବାଟେ ଆଇଥେଲ ବନ୍ଧୁ ସେଇ ବାଟେ ବାଟେ ଯାଆ।
ଆମ ପ୍ରବାଦ ଆମକୁ ତିଆରି ଦିଏ। ସିଆରି ଦିଏ।
କାନେ କାନେ ମତେଇ ଦିଏ – ମହକେଇ ଦିଏ:
ଅଧର୍ମବିତ୍ତ ବଢ଼େ ବହୁତ
ଗଲା ବେଳେ ଯାଏ ମୂଳ ସହିତ।
ଏଠି ଭଗାରୀ ସୁକୁଟ ଦେଖେ। ବେଳ ପଡ଼ିଲେ କୋକେଇ ଟେକେ। ମଇଁଷି ଶିଙ୍ଗ ଫଟା। ଯୁଝିଲା ବେଳକୁ ଗୋଟା। ପ୍ରବାଦ ପ୍ରସିଦ୍ଧ କରାଏ -ନିଷିଦ୍ଧ କରାଏ। ଦୁଃଖରେ ପଡ଼ିଲେ ବି ଆମ ପ୍ରବାଦ ଆମକୁ ବଡ଼ଦାଣ୍ଡକୁ ଯାଆ କହି ମହାବାହୁଙ୍କ ଭରସାରେ ଛାଡ଼ିଦିଏ। ଏଠି ପ୍ରବାଦରେ ଦୁଇ ଦୁଃଖୀଆତ୍ମା ଚଳେଇ ନିଅନ୍ତି ଆପଣା ଆପଣାକୁ:
ଆଲୋ ମୁତୁରୀ ଶୋଇବା
ତୁ ତ ମୁତୁରୀ ମୁଁ ତ ମୁତୁରୀ ହେଁସ କାହିଁ ପାଇଁ ଧୋଇବା।
ଆମ ପୋଖରୀ ସବୁବେଳେ ସୁନା। ଆମେ ନୁହେଁ ଅସନା।
ଲେ ଲବିନା। ଟିକେ ପଛକୁ ଅନା। ପଛରେ ବସିଚି କାଳିଆ ନନା।
ଆଜି ଏତିକି ଥାଉ। ସମୟ ସୁବିଧା ମିଳିଲେ ଆଉ ଦୁଇକଥା କହିବା।
ଜୟ ପ୍ରବାଦ। ଜୟ ଜଗନ୍ନାଥ।
(‘ସାହିତ୍ୟ ଚର୍ଚ୍ଚା’ ପତ୍ରିକାର ଜାନୁଆରୀ, ୨୦୨୫ ସଂଖ୍ୟାରେ ପ୍ରକାଶିତ। )
ସତରେ ଏହି ଲେଖା ଖୁବ୍ ପ୍ରଣିଧାନ ଯୋଗ୍ୟ।ଲେଖକ ମହାଶୟ ଯାହା ଅବତାରଣା କରିଛନ୍ତି ସେଇ ଅତୀତ ହିଁ ଆମର ଗର୍ବ ଗୌରବ,ଓଡ଼ିଆର ଅସ୍ମିତା ଓ ଏଇ ବରପୁତ୍ରମାନେ ହିଁ ଆମ ଓଡ଼ିଆ ଅସ୍ମିତା ବଞ୍ଚାଇ ରଖିବାର ମୂଳପିଣ୍ଡ କହିଲେ ଅତ୍ୟୁକ୍ତି ହେବନାହିଁ।
ବହୁତ ଧନ୍ୟବାଦ ଆଜ୍ଞା
🙏🙏🙏👌👌👌