ରେଳଷ୍ଟେସନ ରିଜର୍ଭେସନ ଅଫିସରେ ଦେଖିଛୁ ସେ କମ୍ପ୍ୟୁଟରମାନଙ୍କ ବିକଳ କ୍ରନ୍ଦନ। କେଁ କେଁ ହୋଇ ଭିଡ଼ି ଓଟାରି ହୋଇ ଟିକେଟଟିଏ ବଢ଼ାଇଦିଅନ୍ତି।
ଅଭୟ ଦାଶ ନିଜର ଆଧାର କାର୍ଡ୍ ଧରି ଓଲଟ ପାଲଟ କରୁଥାଏ। ଏତେ ବଡ଼ ନମ୍ବର ଧାଡିଏ, ତା’ ସାଙ୍ଗକୁ ଜନ୍ମ ତାରିଖ ଆଉ କେତେ କଣ ଲେଖା, ଆଉ ଗୋଟିଏ ଫଟୋ। ଏ ଫଟୋ କାହାର ବୋଲି ବାରମ୍ବାର ପ୍ରଶ୍ନ ଆସୁଥାଏ। ସନ୍ଦେହ ମୋଚନ ପାଇଁ ଆଉ ଗୋଟାଏ କାର୍ଡ୍, ଇନ୍କମଟ୍ୟାକ୍ସ୍ ବିଭାଗର ପାନ୍ କାର୍ଡ୍ ସହ ତୁଳନା କରୁଥାଏ। ଏଇଟା କଣ ମୋ ଫଟୋ? କାଇଁ ଲାଗୁନି ତ? କେଜାଣି, ହୋଇଥିବ। କମ୍ପ୍ୟୁଟରକୁ ପଚାରିଲେ କଣ ସିଏ କହିବ? ତା’କୁ ପଚାରିବ କିଏ? ଏଇ ଅଭୟ ଦାଶ? କମ୍ପ୍ୟୁଟରର ‘କ’ ଅକ୍ଷର ବିବର୍ଜିତ। ଅମୁକ ସମୁକ ଡ଼ଟ୍ କମ୍ ଡବ୍ଲ୍ୟୁ ଡବ୍ଲ୍ୟୁ କଣ ନାହିଁ କଣ ବୋତାମ ଦବାଇ ଦବାଇ ଶେଷକୁ ‘ନୋ ରିପ୍ଲାଇ’, ଉତ୍ତର ନାହିଁ। କଣ କରିବା? ଇଏ କଣ ମଣିଷ ହୋଇଛି ଯେ ‘ହଁ’ କି ‘ନାହିଁ’ କିଛି ଗୋଟାଏ କହିବ? କମ୍ପ୍ୟୁଟର ଯେବେ ନୂଆ ହୋଇ ଆସିଲା, ଆମେ ଦେଖିଛୁ ସେ ଘରକୁ କାଚ ଲଗାଇ, କାନ୍ଥରେ ଶୀତତାପ ନିୟନ୍ତ୍ରଣ ବ୍ୟବସ୍ଥା କରି ତା’କୁ କି ସମ୍ମାନ ସହ ରଖାଯାଇଛି। ସେ ଘରକୁ ଜୋତା ଯିବା ମନା। ଯେଉଁ ବାବୁ, ମା’ମାନେ ଏମାନଙ୍କ ମନ ଜାଣି ଚଳାଇବେ ସେମାନେ ଡାକ୍ତରମାନଙ୍କ ପରି ଧଳାକୋଟ୍ ପିନ୍ଧିବା ବିଧି ଥାଏ। କମ୍ପ୍ୟୁଟର ନୁହଁ ଯେ ଜୋଇଁ ଆସିଗଲେ। କି ଭିଆଇପି ଚର୍ଚ୍ଚା! ତା’ଙ୍କୁ କୁଆଡେ ଭାଇରସ୍ ରୋଗ ହୁଏ। ସେ ରୋଗ ଭଲ ହେବାକୁ ନରମ ଚିକିତ୍ସା ବା ସଫ୍ଟ୍ଓୟାର ଡାଉନଲୋଡ୍ କରିବାକୁ ହୋଇଥାଏ।
ସମୟକ୍ରମେ କମ୍ପ୍ୟୁଟର ଆମ ଜଳବାୟୁ ସହ ଏମିତି ମିଶିଗଲା ଯେ, ସେ ଖରା ଗରମ ସବୁ ସହି ଆମରି ଭଳିଆ ଝାଳପୋଛି ଚାଲିଥାଏ। ଥଣ୍ଡା କାଚଘର, ଧଳାକୋଟ୍ ସବୁ କୁଆଡେ ଗଲା। ନ ଚାଲିଲେ ଏବେ ହାତରେ ପାହାରେ ଦିଅନ୍ତି ତାଙ୍କ ଦାୟିତ୍ୱରେ ଥିବା କର୍ମଚାରୀ ଜଣକ। “ମାଡ଼କୁ ମହାଦେବେ ଡ଼ରନ୍ତି!” ଇଏ ଏମିତି କିଏ କି? ରେଳଷ୍ଟେସନ ରିଜର୍ଭେସନ ଅଫିସରେ ଦେଖିଛୁ ସେ କମ୍ପ୍ୟୁଟରମାନଙ୍କ ବିକଳ କ୍ରନ୍ଦନ। କେଁ କେଁ ହୋଇ ଭିଡ଼ି ଓଟାରି ହୋଇ ଟିକେଟଟିଏ ବଢ଼ାଇଦିଅନ୍ତି। ଆଉ ଗୋଟିଏ ପାହାରରେ ଟିକେଟ୍ ଆପଣଙ୍କ ହାତରେ।
ଆଉ କଣ ସେ ସମୟ ଅଛି, ନା ସେ କମ୍ପ୍ୟୁଟର? ସେ ବପୁ ଏବେ ଝଡ଼ି ଡାଙ୍ଗ। କାମ କରୁଛି ଯେ, ଭୁଲ୍ ହେଲେ କାହିଁକି ହେଲା କାହାକୁ ପଚାରିବା? ସେଇ ଡ଼ଟ୍ କମ୍ ମାନଙ୍କୁ? କିଏ ଶୁଣୁଛି ? ନ ଶୁଣିଲେ, କଣ ନା ସର୍ଭର୍ ଡାଉନ୍। ଏଠି ଆଉ ମାଡ଼ କାମ କରିବ ନାହିଁ। ତୁମେ ମୁଣ୍ଡ ବାଡ଼ଉଥାଅ। ଫୋନ୍ କରିବ? କରୁନା ! ହିନ୍ଦୀ ପାଇଁ ଦୁଇ, ଇଂରେଜି ପାଇଁ ଏକ, ଓଡିଆ ପାଇଁ କେତେ? କ’ଣ ଦରକାର ଏକ, କ’ଣ ଦରକାର ନାହିଁ ଦୁଇ, ଭୁଲ୍ ତିନି, ଠିକ୍ ଚାରି, କିଛି ନାହିଁ ଶୁନ୍ୟ ଦବାନ୍ତୁ। ଉତ୍ତର ଆସେ, ଆମେ ଜଣାଇବୁ ବର୍ତ୍ତମାନ ଆମ ଅଫିସର ବ୍ୟସ୍ତ ଅଛନ୍ତି। ଏତେଗୁଡ଼ାଏ ବୋତାମ ଦବାଇ ଥିବାରୁ ଧନ୍ୟବାଦ। ଧନ୍ୟବାଦ ବା ଥ୍ୟାଙ୍କୟୁ ଶୁଣିବେ ସିନା, କାମ? ମଣିଷ ହୋଇଥିଲେ ଶହେ ଦୁଇଶହ ଧରାଇ ଦେଇଥିଲେ ଅବା ହୋଇ ଥାଆନ୍ତା। ଏଠି ସେମିତି କିଛି ଦାନ ବାକ୍ସ ଭଳିଆ କଣା ତ କାହିଁ ଦେଖାଯାଉନାହିଁ? ଭବିଷ୍ୟତରେ ହୁଏତ ଆସିପାରେ ସେପରି କମ୍ପ୍ୟୁଟର, ଯିଏ ପୁରା ମଣିଷ ପ୍ରକୃତି ନେଇ ଆସିବ। ଆଶା ନେଇ ତ ବଞ୍ଚିବା କଥା! କହନ୍ତି ସ୍ବାମୀ ଅଭୟାନନ୍ଦ।
ଅଭୟ ବାବୁଙ୍କ ଲିଖିତ ଏଇ ଲେଖାଟି ଏକ ସୁନ୍ଦର ସୃଜନୀ। କମ୍ପ୍ୟୁଟର ବିଷୟରେ ଯାହା ଲେଖିଛନ୍ତି ବ୍ୟଙ୍ଗ ମିଶ୍ରିତ ଲେଖା କହିଲେ ବୋଧହୁଏ ଭୁଲ ହେବ ନାହିଁ। ଯୁଗ ବଦଳୁଛି, ଟେକ୍ନୋଲୋଜି ଆଗଉଛି। ସବୁ ସେଇ ଭାବରେ ସବୁ ବଦଳୁଛି। ଖୁବ୍ ସୁନ୍ଦର ଲେଖା।
Badhia