ନ ଲେଖିଲେ ମୁଁ ବଞ୍ଚିପାରିବିନି। ୭୮ ବର୍ଷ ଏହି ଯେ ବଞ୍ଚିଛି ତା’ କେବଳ ଲେଖା ପାଇଁ।
ଡ. ନିଖିଳାନନ୍ଦ ପାଣିଗ୍ରାହୀ ଓଡ଼ିଆ ଗଦ୍ୟ ସାହିତ୍ୟର ଜଣେ ପ୍ରବୀଣ ସ୍ରଷ୍ଟା। ୭୮ ବର୍ଷ ବୟସ୍କ ଏହି ନିରଳସ ସାରସ୍ବତ ସାଧକ ଅସଂଖ୍ୟ ପ୍ରବନ୍ଧ, ରମ୍ୟରଚନା, ଲୋକପ୍ରିୟ ବିଜ୍ଞାନ-ସାହିତ୍ୟ, ଉପନ୍ୟାସ ଓ ଗଳ୍ପ ଆଦି ରଚନା କରି ବ୍ୟାପକ ପାଠକୀୟ ଆଦୃତି ସାଉଁଟି ପାରିଛନ୍ତି। ସେ ପଦାର୍ଥ ବିଜ୍ଞାନ ବିଭାଗର ଜଣେ ଅଧ୍ୟାପକ ଭାବରେ ଓଡ଼ିଶାର ବିଭିନ୍ନ ପ୍ରତିଷ୍ଠିତ ସରକାରୀ ମହାବିଦ୍ୟାଳୟଗୁଡ଼ିକରେ କାର୍ଯ୍ୟ କରି ଅବସର ଗ୍ରହଣ କରିଛନ୍ତି। ଦକ୍ଷିଣ ଓଡ଼ିଶାର ଆଞ୍ଚଳିକ ଶିକ୍ଷା ନିର୍ଦ୍ଦେଶକ ଭାବରେ ମଧ୍ୟ ସେ ଦାୟିତ୍ବ ତୁଲାଇଛନ୍ତି। ଓଡ଼ିଶା ସାହିତ୍ୟ ଏକାଡ଼େମୀ ପକ୍ଷରୁ ୨୦୧୧ ମସିହାରେ ତା’ଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା। ବ୍ରହ୍ମପୁରଠାରେ ତାଙ୍କ ସହିତ ସାକ୍ଷାତ କରିଥିଲେ ‘ସାହିତ୍ୟ ଚର୍ଚ୍ଚା’ର ସମ୍ପାଦକ ନିହାର ଶତପଥୀ।
ସାହିତ୍ୟ ଚର୍ଚ୍ଚା: ଆପଣଙ୍କ ନାମଟି ହିଁ କେବଳ ‘ନିଖିଳାନନ୍ଦ’ ନୁହଁ, ଆପଣ ନିଖିଳ ପାଠକ ସମାଜକୁ ଆନନ୍ଦ ଦେବାରେ ନିଜକୁ ସମର୍ପି ଦେଇଥିବା ଭଳି ମନେହୁଅନ୍ତି। ଆମେ ଆପଣଙ୍କ ଲେଖାରେ ଥିବା ହ୍ୟୁମର୍ ବା ହାସ୍ୟରସ ବିଷୟରେ କହୁଛୁ।
ନିଖିଳାନନ୍ଦ ପାଣିଗ୍ରାହୀ: ହାସ୍ୟରସ ପାଇଁ ମୁଁ ବହୁତ ଆଗ୍ରହୀ ହେଲି, ଯେତେବେଳେ ମୁଁ ଦେଖିଲି ଯେ ଆମ ଓଡ଼ିଆ ସାହିତ୍ୟରେ ଏହାର ଅତି ଅଭାବ ଅଛି। ଫତୁରାନନ୍ଦ ଯାହା ଲେଖିଛନ୍ତି, ତା ଭିତରେ ତ ଅନେକ ଭଲ ଲେଖା ଅଛି, କିନ୍ତୁ ସେଥି ଭିତରୁ କେତେଗୁଡ଼ିଏ ନିମ୍ନ ରୁଚିର ବୋଲି ମୁଁ ଭାବେ। ମୁଁ ଭାବିଲି ଏହାକୁ ବୌଦ୍ଧିକ ସ୍ତରକୁ ନେଇ ଲେଖିବି।
ସାହିତ୍ୟ ଚର୍ଚ୍ଚା: ଗୋଟିଏ ସାର୍ଥକ ହାସ୍ୟରସାତ୍ମକ ରଚନା ସୃଷ୍ଟି କରିବା ପାଇଁ ମୂଳ ଆବଶ୍ୟକତାଟି କ’ଣ?
ନିଖିଳାନନ୍ଦ ପାଣିଗ୍ରାହୀ: ମୁଁ ଯାହା ଦେଖୁଛି, ଯେଉଁମାନେ ବହୁତ ଦୁଃଖୀ ସେମାନେ ହିଁ ଭଲ ହାସ୍ୟରସାତ୍ମକ ରଚନା ଲେଖିପାରନ୍ତି।
ସାହିତ୍ୟ ଚର୍ଚ୍ଚା: ତେବେ ଆପଣ କହିବାର କଥା, ଯେ ଏଥିପାଇଁ ଦୁଃଖ ଭୋଗିବା ଗୋଟିଏ ମୌଳିକ ଆବଶ୍ୟକତା?
ନିଖିଳାନନ୍ଦ ପାଣିଗ୍ରାହୀ: ହଁ, ମୁଁ ଏହା ଲକ୍ଷ୍ୟ କରିଛି। କାହିଁକି ନା ସେ କାନ୍ତକବି ଲକ୍ଷ୍ମୀକାନ୍ତ ହୁଅନ୍ତୁ, ବା ଫତୁରାନନ୍ଦ, କି ଫକୀର ମୋହନ – ଆଉଜଣେ ମଧ୍ୟ ଥିଲେ ରାୟଗଡାର ଶିବପ୍ରସାଦ ଗନ୍ତାୟତ – ଏମାନେ ଜୀବନରେ ଦୁଃଖ ଭୋଗିଛନ୍ତି ପ୍ରବଳ; ତଥାପି ଲେଖନ୍ତି ହାସ୍ୟରସ।
ସାହିତ୍ୟ ଚର୍ଚ୍ଚା: ଆପଣ ସାହିତ୍ୟ ଜଗତରେ ପାଦ ଦେବା ପରେ ଯେଉଁ ପ୍ରଥମ ଲେଖାଟି ଲେଖିଲେ ତାହା ହାସ୍ୟରସ ଉପରେ ହିଁ ଆଧାରିତ ଥିଲା।
ନିଖିଳାନନ୍ଦ ପାଣିଗ୍ରାହୀ: ପ୍ରକୃତରେ ସେଇଟା ଥିଲା ଗୋଟିଏ ଚୋରି ଲେଖା। ମୋ’ର ଯିଏ ଗୃହଶିକ୍ଷକ, ସିଏ ସ୍କୁଲ ପତ୍ରିକା ପାଇଁ ଲେଖି ଦେଇଥିଲେ। ମୁଁ ତାକୁ ନିଜ ହାତ ଅକ୍ଷରରେ କପି କରି ସେଥିରେ ନିଜ ନାମଟି କେବଳ ବସାଇ ଦେଇଥିଲି।
ସାହିତ୍ୟ ଚର୍ଚ୍ଚା: ଏଥିପାଇଁ ବାହାବା ମଧ୍ୟ ପାଇଥିବେ !
ନିଖିଳାନନ୍ଦ ପାଣିଗ୍ରାହୀ: ହଁ, ବାହାବା ପାଇଲି। ସେତେବେଳେ ଆମ ସ୍କୁଲ୍ର ଶିକ୍ଷକ ଥାଆନ୍ତି କବି କୃଷ୍ଣଚନ୍ଦ୍ର ତ୍ରିପାଠୀ। ସେ ଥିଲେ ଏହି ପତ୍ରିକାର ସମ୍ପାଦକ।
ସାହିତ୍ୟ ଚର୍ଚ୍ଚା: ଆପଣ ପ୍ରକୃତିକବି ଭାବରେ ଖ୍ୟାତ, ଭୀମପୁର ଗାଆଁର କୃଷ୍ଣଚନ୍ଦ୍ର ତ୍ରିପାଠୀଙ୍କ କଥା କହୁଛନ୍ତି କି?
ନିଖିଳାନନ୍ଦ ପାଣିଗ୍ରାହୀ: ହଁ, ସେଇ ହିଁ। ସେ ଯେତେବେଳେ ସମସ୍ତଙ୍କ ଆଗରେ ମୋତେ ଏହି ଲେଖା ପାଇଁ ପ୍ରଶଂସା କରୁଥିଲେ, ମୋତେ ଅସହଜ ଲାଗୁଥିଲା। ଗୋଟିଏ ଚୋରି ମାଲ ପାଇଁ ପ୍ରଶଂସା ପାଉଥିବାରୁ ମୁଁ ଲଜ୍ଜିତ ମନେ କରୁଥିଲି।
ସାହିତ୍ୟ ଚର୍ଚ୍ଚା: ଏହା ତ ଗୋଟିଏ ନିର୍ଦ୍ଦିଷ୍ଟ ଲେଖାର କଥା କହୁଛନ୍ତି ଆପଣ, କିନ୍ତୁ ଆପଣଙ୍କ ପ୍ରଥମ ପ୍ରକାଶିତ ବହିଟି ମଧ୍ୟ ହାସ୍ୟରସ ଉପରେ ଆଧାରିତ ଥିଲା, ବୋଧହୁଏ।
ନିଖିଳାନନ୍ଦ ପାଣିଗ୍ରାହୀ: ମୋ’ର ପ୍ରଥମ ବହିର ଉଦ୍ଦେଶ୍ୟ ଥିଲା ପାଠକମାନଙ୍କୁ ଆନନ୍ଦ ଦେବା। ତେଣୁ ମୁଁ ସେଥିରେ ଆରମ୍ଭରେ ଲେଖିଲି, କେମିତି ଗୋଟିଏ କଦଳୀଚୋପା ଉପରେ ପାଦ ପଡ଼ି ଜଣକର ଗୋଡ଼ ଖସିଗଲେ, ଏମିତି ବି ଲୋକ ଅଛନ୍ତି, ଯେଉଁମାନେ ତାଙ୍କୁ ଉଦ୍ଧାର କରନ୍ତିନି, ବରଂ ତାଳିମାରି ହସନ୍ତି। ଏହି ଘଟଣାରୁ ଆରମ୍ଭ କରି ବହିଟି ଲେଖିଲି।
ସାହିତ୍ୟ ଚର୍ଚ୍ଚା: ଆପଣ ବୋଧହୁଏ ‘କାର୍ଟୁନ୍’ ନାମକ ବହିଟିର କଥା କହୁଛନ୍ତି।
ନିଖିଳାନନ୍ଦ ପାଣିଗ୍ରାହୀ: ହଁ।
ସାହିତ୍ୟ ଚର୍ଚ୍ଚା: ଏହା ତ ହାସ୍ୟରସ ପ୍ରତି ସମର୍ପିତ ଗୋଟିଏ ନିର୍ଦ୍ଦିଷ୍ଟ ବହିର କଥା କହିଲେ ଆପଣ। କିନ୍ତୁ ତାହା ପରେ ପରେ ଆପଣ ଯାହା ବି ଲେଖିଛନ୍ତି, ଏପରିକି ଉପନ୍ୟାସ ମଧ୍ୟ, ସେଥିରେ କୌଣସି ନା କୌଣସି ବାଟରେ ହାସ୍ୟରସ ଓ ବ୍ୟଙ୍ଗର ଉପାଦାନ ପଶିଯାଇଛି। ଏମିତି କାହିଁକି?
ନିଖିଳାନନ୍ଦ ପାଣିଗ୍ରାହୀ: ମୋ ଲେଖାର ମୁଖ୍ୟ ଉପଜୀବ୍ୟ ହେଉଛି ପାଠକମାନଙ୍କୁ ଆନନ୍ଦ ଦେବା; ସେମାନଙ୍କୁ ବାନ୍ଧିରଖିବା। ହାସ୍ୟରସ ଏଥିପାଇଁ ବହୁତ ଖୋରାକ ଯୋଗାଏ। ସେଥିପାଇଁ ମୁଁ ସବୁବେଳେ ଏଥିପ୍ରତି ଦୃଷ୍ଟି ଦିଏ; ଏପରିକି ଯେଉଁ ସ୍ତମ୍ଭଗୁଡ଼ିକ ଖବରକାଗଜରେ ଲେଖେ, ତାହା ମଧ୍ୟରେ ମଧ୍ୟ କିଛି କିଛି ହାସ୍ୟରସ ଥାଏ।
ସାହିତ୍ୟ ଚର୍ଚ୍ଚା: ପ୍ରବନ୍ଧରେ ମଧ୍ୟ; ଆପଣ ଯେତେ ଗମ୍ଭୀର ବିଷୟକୁ ନେଇ ପ୍ରବନ୍ଧଟିଏ ଲେଖିଲେ ବି ତାହା ଭିତରେ ବ୍ୟଙ୍ଗ ଓ କଟାକ୍ଷର ତତ୍ତ୍ବ ପ୍ରଚ୍ଛନ୍ନ ଭାବରେ ଥାଏ। ଏହା ବିନା ଆପଣଙ୍କ ପ୍ରବନ୍ଧ ପୂର୍ଣ୍ଣ ହୁଏ ନାହିଁ; ଏହା ସତ କି?
ନିଖିଳାନନ୍ଦ ପାଣିଗ୍ରାହୀ: ହଁ, ଠିକ୍ କଥା।
ସାହିତ୍ୟ ଚର୍ଚ୍ଚା: ଆପଣ ଗଳ୍ପ, ଉପନ୍ୟାସ ଓ ସ୍ତମ୍ଭ ଭଳି ସାହିତ୍ୟର ବିଭିନ୍ନ ବିଭାଗରେ କଲମ ଚାଳନା କରିଥିଲେ ବି, ଆପଣଙ୍କ ପ୍ରଧାନ ପରିଚୟ ଜଣେ ପ୍ରାବନ୍ଧିକ ଭାବରେ। ଆପଣ କ’ଣ ଏଥିରେ ଏକମତ?
ନିଖିଳାନନ୍ଦ ପାଣିଗ୍ରାହୀ: ନିଶ୍ଚିତ ଭାବରେ। କିନ୍ତୁ ମୁଁ ସେଥିରେ ଧିମେଇଗଲି, ଯେତେବେଳେ ଦେଖିଲି ଯେ ତାହାର ପ୍ରକାଶନ ପାଇଁ ସୁଯୋଗ ନାହିଁ। ତେଣୁ ମୁଁ ଅନ୍ୟ ଦିଗରେ କଲମ ଚାଳନା ଆରମ୍ଭ କଲି। ସାହିତ୍ୟ ଆଧାରିତ ପ୍ରବନ୍ଧ ଲେଖିବା ପାଇଁ ମୁଁ ବହୁତଗୁଡ଼ିଏ ପଢ଼ାପଢ଼ି କରେ; ଓ ତା’କୁ ଆଧାର କରି ଲେଖିବାକୁ ଚାହେ। କିନ୍ତୁ ଯେହେତୁ ପ୍ରକାଶନ ପାଇଁ ସୁଯୋଗ ନ ଥିଲା; ସେଥିପାଇଁ ମୁଁ ଓହରିଗଲି। ‘ସାହିତ୍ୟ ଚର୍ଚ୍ଚା’ ଆସିବା ପରେ ମୋ’ର ସେହି ଲେଖିବାର ଧାରା ପୁନର୍ଜୀବିତ ହେଲା।
ସାହିତ୍ୟ ଚର୍ଚ୍ଚା: : କିନ୍ତୁ ତା’ପୂର୍ବରୁ ବି ଆପଣଙ୍କର କେତୋଟି ପ୍ରବନ୍ଧ ସଂକଳନ ପ୍ରକାଶିତ ହୋଇ ଆଦୃତ ହୋଇଛି।
ନିଖିଳାନନ୍ଦ ପାଣିଗ୍ରାହୀ: ସେଗୁଡ଼ିକ ସ୍ତମ୍ଭ ଆଧାରିତ ରଚନା ଥିଲା; କାରଣ ଖବରକାଗଜମାନଙ୍କରେ ସେଭଳି ଲେଖା ସହଜରେ ବାହାରେ।
ସାହିତ୍ୟ ଚର୍ଚ୍ଚା: ଆପଣ ଖବରକାଗଜ ପାଇଁ ଯାହା ଲେଖନ୍ତି ତାହା ଟିକିଏ ସଂକ୍ଷିପ୍ତ, କିନ୍ତୁ ପତ୍ରିକା ପାଇଁ ଅପେକ୍ଷାକୃତ ଦୀର୍ଘ ପ୍ରବନ୍ଧ ଲେଖନ୍ତି।
ନିଖିଳାନନ୍ଦ ପାଣିଗ୍ରାହୀ: ହଁ, ଠିକ୍।
ସାହିତ୍ୟ ଚର୍ଚ୍ଚା: ଓଡ଼ିଆ ପ୍ରବନ୍ଧ ସାହିତ୍ୟର ସାମ୍ପ୍ରତିକ ସ୍ଥିତିକୁ ନେଇ ଆପଣ କ’ଣ କହିବେ?
ନିଖିଳାନନ୍ଦ ପାଣିଗ୍ରାହୀ: ମୋ’ ମତରେ ଏହା ନୈରାଶ୍ୟଜନକ। ଏବେ ଯାହା ଲେଖାଯାଉଛି ତାହା ହେଲା, ଆଗରୁ ଯେଉଁ କଥାସବୁ ଗଡ଼ି ଗଡ଼ି ଆସିଛି, ତାହାର ହିଁ ପୁନରାବୃତ୍ତି। ସେଥିର ପ୍ରସଙ୍ଗଗୁଡ଼ିକରେ କୌଣସି ନୂତନ ଦୃଷ୍ଟିଭଙ୍ଗୀ ନାହିଁ। ଏବେ ସେ ପୁରୁଣାକାଳିଆ ଚର୍ଚ୍ଚା ବିଶେଷ ଉପଯୋଗୀ ହୋଇପାରୁନି।
ସାହିତ୍ୟ ଚର୍ଚ୍ଚା: ଅର୍ଥାତ, ଆପଣ କହିବାର କଥା ଯେ ଏବେ ପ୍ରବନ୍ଧ ସାହିତ୍ୟରେ ପୁନର୍ଲିଖନ ଚାଲିଛି!
ନିଖିଳାନନ୍ଦ ପାଣିଗ୍ରାହୀ: ମୁଁ ଏହା ହିଁ କହିବାକୁ ଚାହୁଛି। ପ୍ରବନ୍ଧରେ ନୂଆ ଜିନିଷ ଦେଖିବାକୁ ମିଳୁନି। ମୁଁ ଯେତେବେଳେ ପ୍ରବନ୍ଧ ଲେଖିବା ଆରମ୍ଭ କଲି ମୋତେ ମଧ୍ୟ କେତେଜଣ ହତୋତ୍ସାହିତ କଲେ। କହିଲେ ଯେ, ଏହାକୁ କେହି ପଢ଼ନ୍ତିନି।
ସାହିତ୍ୟ ଚର୍ଚ୍ଚା: ଆମର ମନେଅଛି, ଥରେ ସାରଳା ପୁରସ୍କାରର ଆୟୋଜକଙ୍କ ପକ୍ଷରୁ ଯେତେବେଳେ ସମ୍ଭାବ୍ୟ ପୁରସ୍କାର ବିଜେତାଙ୍କ ନାମ ପ୍ରସ୍ତାବ କରିବା ପାଇଁ କିଛି ସାହିତ୍ୟିକଙ୍କୁ ଅନୁରୋଧ କରାଯାଇଥିଲା, ସେତେବେଳେ ସେମାନଙ୍କୁ କୁହାଯାଇଥିଲା ଯେ କୌଣସି ପ୍ରବନ୍ଧ ସାହିତ୍ୟକୁ ଏଥିଲାଗି ସୁପାରିସ କରିବେ ନାହିଁ। ପ୍ରାବନ୍ଧିକ ବୈଷ୍ଣବ ଚରଣ ମହାନ୍ତି ଏହାର ଦୃଢ଼ ପ୍ରତିବାଦ କରିଥିଲେ, ଏବଂ ଏ ବିଷୟରେ ଆମ ପତ୍ରିକାରେ ଗୋଟିଏ ପ୍ରବନ୍ଧ ଲେଖି ଆପଣ ମଧ୍ୟ ତାଙ୍କର ମତକୁ ସମର୍ଥନ କରିଥିଲେ।
ନିଖିଳାନନ୍ଦ ପାଣିଗ୍ରାହୀ: ପ୍ରବନ୍ଧ ସାହିତ୍ୟକୁ କୌଣସି ପୁରସ୍କାର ପାଇଁ ବିବେଚନାରୁ ବାଦ୍ ଦିଆଯିବା ଉଚିତ ନୁହେଁ। କିନ୍ତୁ ଏବେ ସେଇଆ ଚାଲିଛି।
ସାହିତ୍ୟ ଚର୍ଚ୍ଚା: ଆପଣ ଜାଣି ବହୁତ ଖୁସି ହୋଇଥିବେ ଯେ ଏ ବର୍ଷ ପ୍ରଫେସର ବୈଷ୍ଣବ ଚରଣ ସାମଲଙ୍କର ଗୋଟିଏ ପ୍ରବନ୍ଧ ସଂକଳନକୁ କେନ୍ଦ୍ର ସାହିତ୍ୟ ଏକାଡେମୀ ପୁରସ୍କାର ମିଳିଛି।
ନିଖିଳାନନ୍ଦ ପାଣିଗ୍ରାହୀ: ସେ ତ କେନ୍ଦ୍ରର କଥା। ମୁଁ ଓଡ଼ିଶାର କଥା କହୁଛି। ପ୍ରଫେସର ସାମଲ ପ୍ରବନ୍ଧ ପାଇଁ କେନ୍ଦ୍ର ସାହିତ୍ୟ ପୁରସ୍କାର ପାଇବା ଅବଶ୍ୟ ଗୋଟିଏ ଶୁଭ ଲକ୍ଷଣ।
ସାହିତ୍ୟ ଚର୍ଚ୍ଚା: ଗୋଟିଏ ସାହିତ୍ୟଧର୍ମୀ ଓ ଅଣସାହିତ୍ଯିକ ପ୍ରବନ୍ଧ ମଧ୍ୟରେ ଫରକ ଆମେ କିପରି ଜାଣିବା? ମନେକରନ୍ତୁ ଗୋବିନ୍ଦ ତ୍ରିପାଠୀ, ଚିତ୍ତରଞ୍ଜନ ଦାସ ଓ ଶରତ ମହାନ୍ତି ଯେଉଁ ଧାରାର ପ୍ରବନ୍ଧ ଲେଖୁଥିଲେ ତାହା ତ ଆମ ସାହିତ୍ୟର ସମ୍ପଦ; କିନ୍ତୁ ଅନ୍ୟମାନେ ପ୍ରବନ୍ଧ ନାମରେ ଯାହି ତାହି ଗଦ୍ୟରଚନାଟିଏ ଲେଖିଦେଲେ ତା’କୁ କ’ଣ ପ୍ରବନ୍ଧ କୁହାଯିବ?
ନିଖିଳାନନ୍ଦ ପାଣିଗ୍ରାହୀ: ସେହିଭଳି ବିଜ୍ଞାନ ବିଷୟରେ ଲୋକପ୍ରିୟ ବିଜ୍ଞାନ ସାହିତ୍ୟ ବୋଲି ଯାହାସବୁ ଲେଖା ହେଉଛି, ସେଥିରେ ଶ୍ରେଣୀଗୃହରେ ପଢ଼ାହେବା ଯୋଗ୍ୟ ଲେଖାକୁ ଅନ୍ତର୍ଭୁକ୍ତ କରିଦିଆଯାଉଛି। ଏହାକୁ ପ୍ରବନ୍ଧ ବୋଲି କହିବା ଠିକ୍ ନୁହେଁ।
ସାହିତ୍ୟ ଚର୍ଚ୍ଚା: ଆପଣଙ୍କ ରଚିତ ପ୍ରବନ୍ଧଗୁଡ଼ିକରେ ଗୋଟିଏ କଥା ଆମେ ଲକ୍ଷ୍ୟ କରିଛୁ ଯେ ସେଥିମଧ୍ୟକୁ ବଲିଉଡ୍ର ନାୟକ,ନାୟିକା କିମ୍ବା ସେମାନଙ୍କ ଚଳଚ୍ଚିତ୍ରର ଚର୍ଚ୍ଚା ମଧ୍ୟ ପଶିଆସେ। ଏପରି କାହିଁକି? ଆପଣ ବଲିଉଡ୍ ଦ୍ବାରା କାହିଁକି ସ୍ବପ୍ନାବିଷ୍ଟ?
ନିଖିଳାନନ୍ଦ ପାଣିଗ୍ରାହୀ: ମୁଁ ଯେତେବେଳେ ସ୍କୁଲରେ ପଢ଼ୁଥିଲି, ଆମର ଘର ଆଗରେ ଗୋଟିଏ ଛୋଟ ହୋଟେଲ୍ ଥିଲା। ଆମେ ସକାଳୁ ଉଠିଲା ବେଳକୁ ଦେଖୁ ଯେ ସେ ହୋଟେଲ୍ରେ ହିନ୍ଦୀ ସିନେମା ଗୀତ ବାଜେ। ଏହା କରାହେଉଥିଲା ଗରାଖଙ୍କୁ ଆକୃଷ୍ଟ କରିବାପାଇଁ। ମୁଁ ଏହା ଶୁଣି ଶୁଣି ପିଲା ଦିନରୁ ହିଁ ସେଥିପ୍ରତି ଆକୃଷ୍ଟ ହୋଇଗଲି, ବିଶେଷତଃ ଲତା ମଙ୍ଗେସକରଙ୍କ ଗୀତ ପ୍ରତି। କ୍ରମେ କ୍ରମେ ଏହା ହିନ୍ଦୀ ସିନେମା ଦେଖିବାର ଅଭ୍ୟାସ ଆଡ଼କୁ ଗଲା। ପରେ ଆମ ମାଟ୍ରିକ୍ ପରୀକ୍ଷାରେ ଗୋଟିଏ ପ୍ରଶ୍ନ ପଡ଼ିଥିଲା ଯେ, ଯେଉଁ ସିନେମା ଦେଖିଛ ତାହା ଉପରେ ଏକ ପ୍ରବନ୍ଧ ଲେଖ। ସିନେମା ଦେଖିବା ଅଭ୍ୟାସଟି ସେହି ପରୀକ୍ଷାରେ ଭଲ ନମ୍ବର ପାଇବାରେ ମୋତେ ସାହାଯ୍ୟ କଲା।
ସାହିତ୍ୟ ଚର୍ଚ୍ଚା: ମନେହୁଏ, ସିନେମା ପ୍ରତି ସେହି ଆକର୍ଷଣ ଏବେ ମଧ୍ୟ ପ୍ରବନ୍ଧ ସାହିତ୍ୟ ସର୍ଜନାରେ ଆପଣଙ୍କୁ ସାହାଯ୍ୟ କରୁଛି। ସେଦିନ ଦୋକାନୀ ନିଜର ଗରାଖଙ୍କୁ ଆକୃଷ୍ଟ କରିବା ପାଇଁ ଏହାର ଆଶ୍ରୟ ନେଉଥିଲା, ଆଉ ଏବେ ଆପଣ ଏହାକୁ ପ୍ରୟୋଗ କରୁଛନ୍ତି ନିଜର ପାଠକଙ୍କୁ ଆକୃଷ୍ଟ କରିବା ପାଇଁ।
ନିଖିଳାନନ୍ଦ ପାଣିଗ୍ରାହୀ: ସତକଥା, ପାଠକଙ୍କୁ ମୋ’ର ପ୍ରବନ୍ଧ ପ୍ରତି ଆକର୍ଷିତ କରିବାପାଇଁ ସେଗୁଡ଼ିକର ଆରମ୍ଭରେ ମୁଁ କେବେ କେବେ ବଲିଉଡ୍ର କିଛି ପ୍ରସଙ୍ଗ ଲେଖିଥାଏ।
ସାହିତ୍ୟ ଚର୍ଚ୍ଚା: ଆପଣ ଜୀବନରେ ଜଣେ ଅଧ୍ୟାପକ ହୋଇ ନ ଥିଲେ ଆଜି କେନ୍ଦ୍ର ସରକାରଙ୍କ ଅଧୀନରେ ଆଲାଏଡ୍ ସେବାର ଜଣେ ଅଧିକାରୀ ହୋଇଥାଆନ୍ତେ। କାହିଁକି ସେହି ଚାକିରି ଆପଣଙ୍କୁ ଭଲ ଲାଗିଲା ନାହିଁ?
ନିଖିଳାନନ୍ଦ ପାଣିଗ୍ରାହୀ: ସିଭିଲ୍ ସର୍ଭିସ୍ ପାଇଁ ମୋତେ ଯେତେବେଳେ ଦିଲ୍ଲୀରେ ଇଣ୍ଟରଭିଉ କରାଗଲା, ସେତେବେଳେ ବୋର୍ଡର ଜଣେ ସଦସ୍ୟ ମୋତେ ପଚାରିଲେ, “ଆପଣ ତ ଜଣେ ଅଧ୍ୟାପକ ଅଛନ୍ତି; ତା’କୁ ଛାଡ଼ି କାହିଁକି ଏହି ଆଇ.ଏ.ଏସ୍ ଚାକିରୀ କରିବେ?” କିନ୍ତୁ ଯାହା ପ୍ରକୃତରେ ମୋ ମନରେ ଥିଲା, କିନ୍ତୁ ମୁଁ କହିନଥିଲି ତା’ହେଲା, ମୁଁ ଆଇ.ଏ.ଏସ୍ ପାଇବା ପରେ ତାହାକୁ ଗ୍ରହଣ କରିବିନି। କିନ୍ତୁ ସେହି ସୁଯୋଗ ମୋତେ ମିଳିଲାନି, କାରଣ ସେମାନେ ମୋତେ ଏଲାଏଡ୍ ସେବା ପାଇଁ ମନୋନୀତ କଲେ। ମୁଁ ଆଇ.ଏ.ଏସ୍ ପାଇଥିଲେ, ଜେ.ପି.ଦାସଙ୍କ ଭଳି ସେଥିରୁ ଇସ୍ତଫା ଦେଇଥାଆନ୍ତି ପରବର୍ତ୍ତୀ କାଳରେ। ସେଇଟା ହିଁ ଥିଲା ମୋ’ର ଉଦ୍ଦେଶ୍ୟ; ଯାହା ସଫଳ ନ ହୋଇପାରିବାରୁ ମୁଁ ଦୁଃଖିତ।
ସାହିତ୍ୟ ଚର୍ଚ୍ଚା: ଓଡ଼ିଆ ଭାଷାରେ ଲୋକପ୍ରିୟ ବିଜ୍ଞାନ ସାହିତ୍ୟକୁ ଆପଣ ଏକ ନୂଆ ପରିଚୟ ଦେଇଛନ୍ତି। ଏହି ବିଭାଗର ସାହିତ୍ୟକୁ ନିଜର ଅବଦାନକୁ ନେଇ ଆପଣ ସନ୍ତୁଷ୍ଟ କି?
ନିଖିଳାନନ୍ଦ ପାଣିଗ୍ରାହୀ: କେବଳ ବିଜ୍ଞାନ ଭିତରେ ମୁଁ ନିଜକୁ ସୀମିତ କରିବାକୁ ଚାହୁଁନାହିଁ; ବିଜ୍ଞାନ ସହିତ ସାହିତ୍ୟକୁ ମିଶାଉଛି। କିଛିଦିନ ମଧ୍ୟରେ ‘ଅଙ୍କୁର’ ନାମରେ ମୋ’ର ଯେଉଁ ବହିଟି ବାହାରିବ, ସେଥିରେ ଆପଣ ଦେଖିପାରିବେ ଯେ ବିଜ୍ଞାନ ଓ ସାହିତ୍ୟର କିପରି ଫ୍ୟୁଜନ୍ ହୋଇଛି। ସେ ପ୍ରକାରର ଲେଖା ମୁଁ ଲେଖିବାକୁ ଚାହେ।
ସାହିତ୍ୟ ଚର୍ଚ୍ଚା: କିଛିଦିନ ତଳେ ପ୍ରକାଶ ପାଇଥିବା ଆପଣଙ୍କ ‘ଯାତନା’ ଉପନ୍ୟାସଟି ପଢ଼ିଲେ ମନେହୁଏ ଯେ ଏଥିରେ ଆପଣଙ୍କର ଆତ୍ମଜୀବନୀ ମୂଳକ ତତ୍ତ୍ବ ଅଛି। ଏହା ସତ କି?
ନିଖିଳାନନ୍ଦ ପାଣିଗ୍ରାହୀ: ଠିକ୍ କଥା। ମୁଁ ଅବଶ୍ୟ ସେଥିରେ କିଛି କାଳ୍ପନିକ କଥା ମିଶାଇଛି, କିନ୍ତୁ ଏହାର ମୂଳ ଉପାଦାନ ହେଉଛି ମୋ ଜୀବନର ଅନୁଭୂତି।
ସାହିତ୍ୟ ଚର୍ଚ୍ଚା: ସେଥିରେ ସମୁଦ୍ରର ବର୍ଣ୍ଣନାକୁ ମଧ୍ୟ ଆପଣ ପ୍ରାଧାନ୍ୟ ଦେଇଛନ୍ତି। ବାସ୍ତବ ଜୀବନରେ ମଧ୍ୟ ସମୁଦ୍ର ଆପଣଙ୍କୁ ଭାବାଚ୍ଛନ୍ନ କରିଥାଏ କି?
ନିଖିଳାନନ୍ଦ ପାଣିଗ୍ରାହୀ: ସମୁଦ୍ର ପ୍ରତି ଆକର୍ଷଣ ମୋର ଅନ୍ୟ କେତୋଟି ରଚନାରେ ମଧ୍ୟ ଦେଖିବାକୁ ମିଳେ। ସମୁଦ୍ରକୁ ମୁଁ ଏକ ଅତି ରହସ୍ୟଜନକ ବସ୍ତୁ ବୋଲି ଭାବେ।
ସାହିତ୍ୟ ଚର୍ଚ୍ଚା: ବର୍ତ୍ତମାନ ବୟସ ଆପଣଙ୍କୁ ୭୮, ତଥାପି ଏବେବି ଅନବରତ ଭାବରେ ଆପଣ ଲେଖି ଚାଲିଛନ୍ତି। ଲାଗୁଛି, ଲେଖିବାର ସେହି ଯୁବସୁଲଭ ଉଦ୍ଦାମତା ଆପଣଙ୍କର ଏବେ ବି ଅଛି। ଏହାର ରହସ୍ୟ କ’ଣ?
ନିଖିଳାନନ୍ଦ ପାଣିଗ୍ରାହୀ: ନ ଲେଖିଲେ ମୁଁ ବଞ୍ଚିପାରିବିନି। ୭୮ ବର୍ଷ ଏହି ଯେ ବଞ୍ଚିଛି ତା’ କେବଳ ଲେଖା ପାଇଁ। ଔଷଧ ତ ଖାଉଛି; କିନ୍ତୁ ଔଷଧରେ କେବଳ ଶରୀର ଭଲ ହୁଏ; ଲେଖିବାଟା କିନ୍ତୁ ମୋ ମନ ପାଇଁ ମହୌଷଧି।
ସାହିତ୍ୟ ଚର୍ଚ୍ଚା: ଆଜିର ଏହି ସାର୍ଥକ ଆଲୋଚନା ପାଇଁ ଆପଣଙ୍କୁ ଅଶେଷ ଧନ୍ୟବାଦ।
(‘ସାହିତ୍ୟ ଚର୍ଚ୍ଚା’ ପତ୍ରିକାର ଫେବ୍ରୁଆରି, ୨୦୨୫ ସଂଖ୍ୟାରେ ପ୍ରକାଶିତ। )
The credit must go to the editor, who has brilliantly conducted the interview. My replies are exactly reflected.
ନିଖିଳାନନ୍ଦ ସାରଙ୍କ ସମ୍ପର୍କରେ ସାକ୍ଷାତକାରଟି ଭଲ ଲାଗିଲା। ଅନେକ ତଥ୍ଯ ଜାଣିବାକୁ ପାଇଲି।