ଯୋଦ୍ଧା, ଗୁରୁ, କବି

ପ୍ରଥମ ଥର ପାଇଁ ଏହି ପତ୍ରିକାର ପୃଷ୍ଠାରେ ଆମେ ଶୂନ୍ୟ ଦାମ୍ ଯୁକ୍ତ ଗୋଟିଏ କବିତା ସଂକଳନର ସମୀକ୍ଷା ସ୍ଥାନିତ କରୁଛୁ। ଶୂନ୍ୟର ତ ମୂଲ୍ୟ ବୋଲି କିଛି ନାହିଁ; ନା ଅଛି ଓଜନ, ନା ପରିଚୟ। ତଥାପି ଯେ କୌଣସି ଅଙ୍କ ସହିତ ଯୋଡ଼ି ହୋଇ ସେ ତା’କୁ ମହାଅଙ୍କରେ ପରିଣତ କରିଦିଏ ଏବଂ ତାହାର ଗରିମାକୁ କେନ୍ଦ୍ରକରି ଘୂରୁଥାଏ ସାରା ବ୍ରହ୍ମାଣ୍ଡ। ତା’ ନିଜ ବେଳ ଆସିଲେ, ସେ ବ୍ୟାପିଯାଏ ଅଣାକାରରୁ ଅନନ୍ତ ପର୍ଯ୍ୟନ୍ତ। ଚକିତ କରେ ସେ ବ୍ୟାପ୍ତି।
ସେହିଭଳି ଗୋଟିଏ ବ୍ୟାପ୍ତିର କଥା କହିବୁ ଆଜି। ଯିଏ ହୁଏତ କାଲି ପର୍ଯ୍ୟନ୍ତ ଆମ ପାଇଁ ଥିଲେ ଶୂନ୍ୟ ପରି ଅଜ୍ଞାତ; ଆଜି ସେ ମହାଶୂନ୍ୟରେ ମିଳାଇଯିବା ପରେ ନିଜ କବିତାର ଚହଟରେ ସୁରଭିତ କରିଛନ୍ତି ଆମର ସାରସ୍ବତ ଆକାଶ। ଆମେ ଭାରତୀୟ ସେନାବାହିନୀର ଦିବଂଗତ ଲେଫ୍‌ଟନାଣ୍ଟ କର୍ଣ୍ଣେଲ୍ ପ୍ରଥମ ପୁଲକ ତ୍ରିପାଠୀଙ୍କ କଥା କହୁଛୁ, ଯିଏ ମାତ୍ର ମାସକ ତଳେ ମାତ୍ର ୪୮ ବର୍ଷ ବୟସରେ ମହାକାଳରେ ବିଲୀନ ହୋଇଗଲେ। ତାଙ୍କର ମହାପ୍ରୟାଣ ପୂର୍ବରୁ କେହି ଓଡ଼ିଆ ପାଠକ ଏହି ବ୍ୟତିକ୍ରମୀ କବି-ପ୍ରତିଭାଙ୍କ ସମ୍ପର୍କରେ ଜାଣିବାର ଅବକାଶ ଥିଲା ଶୂନ୍ୟ। କାରଣ ତାଙ୍କର ରଚନାବଳି ତାଙ୍କର ବ୍ୟକ୍ତିଗତ ଡାଏରୀ ଓ ଖାତାପତ୍ରରେ ହିଁ ଲୁକ୍କାୟିତ ହୋଇ ପଡ଼ିରହିଥିଲା। ମାତ୍ର ଗତ ଜାନୁଆରୀ ୫ ତାରିଖ ଦିନ ଭୁବନେଶ୍ବରରେ ଅନୁଷ୍ଠିତ ତାଙ୍କର ପବିତ୍ର ସ୍ମୃତି ସଭାରେ ବିତରିତ ହୋଇଛି ‘ଯୋଦ୍ଧା, ଗୁରୁ, କବି’ ଶୀର୍ଷକ ପୁସ୍ତିକାଟି ଯେଉଁଥିରେ ଆମେ ପଢ଼ିବାକୁ ପାଉ କବିଙ୍କର ୧୫ଟି ଭାବସମୃଦ୍ଧ କବିତା।
ତଥାପି ଏବେ ବି ତାଙ୍କର ଅନେକ କବିତା ଅପ୍ରକାଶିତ। ଗତ ଡିସେମ୍ବର ମାସ ୧୫ ତାରିଖ ଦିନ ଲକ୍ଷ୍ନୌଠାରେ ଥିବା କମାଣ୍ଡ ହସପିଟାଲ୍‌ରେ ଡେଙ୍ଗୁ ରୋଗରେ ଆକ୍ରାନ୍ତ ହୋଇ ଶେଷ ନିଃଶ୍ବାସ ତ୍ୟାଗ କରିବାପରେ ସେ ନିଜର ବାସଭବନରେ ଛାଡ଼ି ଯାଇଥିବା ବିଭିନ୍ନ କାଗଜପତ୍ର ଓ ଡାଏରୀ ଭିତରେ ତାଙ୍କର ଆହୁରି ବହୁ ସଂଖ୍ୟକ କବିକୃତି ଥିବାର ଅନୁମାନ କରାଯାଉଛି। ସେନା ବାହିନୀ ପକ୍ଷରୁ ଲେଫ୍‌ଟ୍‌ନାଣ୍ଟ ପ୍ରଥମ ପୁଲକଙ୍କ ପରିବାରକୁ ଆଶ୍ବସ୍ତ କରାଯାଇଛି ଯେ ବିଧିମତେ ସେହି କାଗଜପତ୍ରର ଯାଞ୍ଚ ଓ ତାଲିକାକରଣ ହେବାପରେ ସେଥି ମଧ୍ୟରୁ ଯଦି କିଛି ସାହିତ୍ୟ ସମ୍ଭାର ମିଳେ, ତେବେ ତାହା ସେମାନଙ୍କୁ ହସ୍ତାନ୍ତର କରାଯିବ।
ପ୍ରକାଶିତ କ୍ଷୁଦ୍ର ସଂକଳନଟିର ପ୍ରଥମ କବିତାରେ ରୂପାୟିତ ହୋଇଥିବା ବର୍ଷା ଭାବନାରେ ଦେଶ ପାଇଁ ନିଜକୁ ସମର୍ପିଦେଇଥିବା ଜଣେ ସୈନିକର ମର୍ମଗାଥା ସୁସ୍ପଷ୍ଟ। ପ୍ରଥମ ପଂକ୍ତିର ଅନ୍ତଃସ୍ବରକୁ ଲକ୍ଷ୍ୟ କଲେ ଆମେ ଏହା ଜାଣିପାରିବା: “ସବୁବେଳେ ବର୍ଷା ହେଲେ କଅଣ/ ମନେପଡ଼େ ପୁରୁଣା ଅଭିମାନ?” ବର୍ଷାର ଅବାରିତ ଧାରା କବି କଲମରେ ଯେମିତି ଆଣିଦେଇଛି ତାତି। ସେ କହିଛନ୍ତି: “ଅଛି -ନାହିଁ, ନାହିଁ -ଅଛି ଏପରି ରାତିରେ,/ ମନ ମୋ’ର ଉଦ୍‌ବେଳିତ ଏ ବର୍ଷା ତାତିରେ।”
ମାନବୀୟ ଭାବାବେଗର ବିଭିନ୍ନ ସ୍ତର ଓ ବିବିଧ ଦିଗକୁ ସ୍ପର୍ଶ କରିଛି ତାଙ୍କର ସମସ୍ତ କବିତା। ମନଭିତରର ଅସମାହିତ ପ୍ରଶ୍ନସକଳ ଯେମିତି ଘୋଟି ଆଣିଛି ଅସଂଖ୍ୟ ଜୁଆର। ତଥାପି ଶାନ୍ତ ତାଙ୍କର ଅବବୋଧ।
ସମସ୍ତ କବିତା ଛନ୍ଦୋବଦ୍ଧ ଏବଂ ସେଗୁଡ଼ିକର ଭାଷାବିନ୍ୟାସ ସାବଲୀଳ, ଯାହା ପାଠକର ମନକୁ ଛୁଇଁଯାଏ ସହସା। ଶେଷକୁ ଉଦ୍ଧୃତ କରୁଛୁ ଏଥିରେ ଥିବା କବିଙ୍କର କୋହାଚ୍ଛନ୍ନ ଉଦ୍ବେଳନଟିଏ: “ମରିଗଲେ ମୁହିଁ, ମୋ ଶବ ଉପରେ/ କିଏ ବା ଢ଼ାଳିବ ଲୁହ?/ ଜାଣେ ଏହା ମୁଁ ମୋ’ର ମୂଲ୍ୟ/ କାଣି କଉଡ଼ିର ନୁହଁ।”

ନିହାର ଶତପଥୀ

(‘ସାହିତ୍ୟ ଚର୍ଚ୍ଚା’ ପତ୍ରିକାର ଫେବ୍ରୁଆରି ୨୦୨୫ ସଂଖ୍ୟାରେ ପ୍ରକାଶିତ।)

3 thoughts on “ଯୋଦ୍ଧା, ଗୁରୁ, କବି

  1. ମୁଁ ଢ଼ାଳିବି ।

    ମୁଁ ଢ଼ାଳିବି ଲୁହ ।

    ଏପରି କବିତା ଧାଡ଼ି ସବୁ ପରେ, ଆଉ ପୁଣି ମିଳିବନି ଯଦି ,
    ସମୁଦ୍ରେ ଲୁହ ବି କମ୍ ପଡ଼ିବ ରେ, କବି !!

    ଦେଖ୍, ମୋ ସଂଗେ ଯୁଦ୍ଧ ନକରି ବି, ତୁ ମୋତେ ଜିତି ଯାଉଛୁ ।
    ମୋତେ କେବେ ଥରେ କିଛି ମୁହାଁମୁହିଁ ନକହି ବି
    ମୋର ଗୁରୁ ହେଇ ଯାଉଛୁ ।

    ତୁ ଆଗେ ମର୍ ତ, ଦେଖି !

    ତୁ ମରିପାରିବୁନି, କବି ।
    ତୁ ମରିବୁନି।

    କେବେବି ମରିବୁନି ।

    କବି ମରେନି ରେ, ବାବା ।

    ମରେନି ।

    ଶ୍ଯାମା ପ୍ରସାଦ ଚୌଧୁରୀ

  2. ଦୁଇ ଧାଡି ଶବ୍ଦରେ ଏତେ ଲୁହ ଭରିଦେଲ ଯେ ଏଠି ମୁଁ ଲେଖି ପାରୁନି। ଝାପ୍ସା ହେଉଛି ଆଖି ,ଅକ୍ଷର ।ତମେ ପଚାରୁଛ କବି , କିଏ ସେ ଢାଳିବ ଲୁହ !!?
    କବି ,ଚିରଞ୍ଜୀବି ତମେ ,ଚିରଞ୍ଜୀବି !!
    ଯୋଉଠି ଥାଅ, ଭଲ ଥାଅ !!

  3. ସାହିତ୍ୟ ଚର୍ଚ୍ଚାରେ ଲେଫ୍ଟନାଣ୍ଟ କର୍ନେଲ ପ୍ରଥମ ପୁଲକ ତ୍ରିପାଠୀଙ୍କ କବିତାଗୁଡିକୁ ଖୋଜି ବାହାର କରି, ଖୁବ ସୁନ୍ଦର ସମୀକ୍ଷା, ସମ୍ପାଦକୀୟରେ ପ୍ରସ୍ତୁତି କରିଥିବାରୁ କୃତଜ୍ଞତା ଜ୍ଞାପନ କରୁଛି I ପୁଲକ ମୋର ରକ୍ତ ସମ୍ପର୍କୀୟ ଭାଇ I ତାଙ୍କ ମାତା, ଜ୍ୟୋତ୍ସ୍ନା ମୋର ପିଉସୀ I ଆମ ପିଉସା, ଡକ୍ଟର ପ୍ରଫୁଲ୍ଲ କୁମାର ତ୍ରିପାଠୀ, ଯଦିଓ ଅବସରପ୍ରାପ୍ତ ଇଂରାଜୀ ପ୍ରଫେସର ଅଟନ୍ତି, ଓଡ଼ିଆ ଓ ସମ୍ବଲପୁରୀ ସାହିତ୍ୟରେ ତାଙ୍କର ଅବଦାନ ଅତୁଳନୀୟ I ସେ ଏକାଧାରରେ ଓଡ଼ିଆ ସାହିତ୍ୟ ଲେଖକ, କବି, କ୍ଷୁଦ୍ର ଗଳ୍ପ ରଚୟିତା ଓ ବ୍ୟାକରଣ ତଥା ଜଣେ ଭାଷାବିତ ଅଟନ୍ତି ଏବଂ ସାହିତ୍ୟ ଏକାଡେମୀ ପୁରସ୍କାର ବିଜେତା ଅଟନ୍ତି I

    ସ୍ୱଳ୍ପ ବୟସରୁ ବୀର ପୁଲକଙ୍କ ନିଧନ ଯୋଗୁଁ ପରିବାର ବର୍ଗ ଅତ୍ୟନ୍ତ ଶୋକାକୁଳ I ବିନମ୍ର ଶ୍ରଦ୍ଧାଞ୍ଜଳି 🙏

Leave a Reply

Your email address will not be published. Required fields are marked *