ଷାଠିଏ ମହଣ ଘିଅ ଓ ଆମ ଭାଷା ରାଧିକା

ଆମ ଶିକ୍ଷାବିଭାଗର ବଡ଼ପଣ୍ଡାମାନେ, ଆମ ଶିକ୍ଷାବିତ୍‍, ଭାଷାବିଦ୍‍ମାନେ ଥରୁଟିଏ ପରୀକ୍ଷାକରି ଦେଖନ୍ତୁ ଆମ ଓଡ଼ିଆ ଭାଷାକୁ କୁମ୍ଭୀର ନେଇ କେମିତି ମଝିନଈରେ ହେଲାଣି।

ବୈଷ୍ଣବ ଚରଣ ମହାନ୍ତି

ଭାଷାର ପ୍ରକାଶ ଆଉ ପ୍ରସାର ଘଟେ ଉଚ୍ଚାରଣରେ, ଉଲ୍ଲେଖରେ, ଧ୍ୱନିରେ, ସ୍ୱରରେ, ବାକ୍ୟରେ, ଶବ୍ଦରେ ବା ଅକ୍ଷରରେ। ଧ୍ୱନିକୁ ଧରି ରଖିବାପାଇଁ, ଶ୍ରୁତିକୁ ଦୃଷ୍ଟିକୁ ଆଣିବାପାଇଁ, ଉଚ୍ଚାରଣକୁ ଲିଖନରେ ରୂପାନ୍ତର କରିବାପାଇଁ ମଣିଷ ଅକ୍ଷର ସୃଷ୍ଟି କରିଛି। ଲିପି ସୃଷ୍ଟି ପରେ ଅକ୍ଷର ଧ୍ୱନିକୁ ଧାରଣ କରି ଭାଷାକୁ ଆୟୁଷ୍ମତୀ କରିଛି, ବେଗବତୀ କରିଛି। ଅକ୍ଷର ହେଉଛି ଧ୍ୱନିର ଦୃଶ୍ୟମାନ ରୂୂପ। ଅକ୍ଷରଟିଏ ଭିତରେ ଧ୍ୱନିଟିଏ ଶୋଇ ରହିଥାଏ, ତାକୁ ଉଚ୍ଚାରଣ କରି ଡାକି ଉଠାଇଲେ ସେ ଶ୍ରୁତିକୁ ଆସେ। ଅକ୍ଷରକୁ ଯଦି ଆମେ ଏକ ଧ୍ୱନିବାହୀ ଏକକ କହିବା, ଶବ୍ଦ ଆମପାଇଁ ହେବ ଏକ ଅର୍ଥବାହୀ ଏକକ ଏବଂ ବାକ୍ୟ ହେବ ଏକ ଭାବବାହୀ ଏକକ। ଏଣୁ ଉଚ୍ଚାରଣରେ ହେଉ ବା ଉଲ୍ଲେଖରେ ହେଉ ଅକ୍ଷର ହେଉଛି ଭାଷାର କ୍ଷୁଦ୍ରତମ ଏକକ। ଅକ୍ଷରସବୁ ଏକରୁ ଅନେକ ହୋଇ, ସଂଗଠିତ ହୋଇ, ସମନ୍ୱିତ ହୋଇ, ସଂପୃକ୍ତ ହୋଇ ଅର୍ଥବନ୍ତ ହୁଅନ୍ତି; ଶବ୍ଦ ପାଲଟନ୍ତି; ବସ୍ତୁବାଚକ, ଗୁଣବାଚକ, ନାମବାଚକ, ସଂଖ୍ୟାବାଚକ, ଜାତିବାଚକ, କର୍ମବାଚକ ଆଦି ହୁଅନ୍ତି। ଶବ୍ଦସବୁ ଶୃଙ୍ଖଳିତ, ସମନ୍ୱିତ, ସଜ୍ଜିତ ହୋଇ ବାକ୍ୟ ରୂପରେ ମଣିଷର ମନର ଭାବ ପୂର୍ଣ୍ଣ ରୂପେ ପ୍ରକାଶ କରନ୍ତି। ଶବ୍ଦ ସହ ବିଭକ୍ତି ଯୋଡ଼ି ଆମେ ତାକୁ ପଦ କରୁ, ପଦରୁ ପଦ୍ୟ କରୁ, ଗଦ୍ୟ କରୁୁ, ପ୍ରବନ୍ଧ କରୁ, ଗଳ୍ପ, ଉପନ୍ୟାସ, ନାଟକ କରୁ। ଭାବ ସଞ୍ଚରଣରୁ ମନ ଆଉ ହୃଦୟରେ ଆବେଗର ଆଲୋଡ଼ନ ଘଟେ, ଉଦ୍‍ବେଳନ ଘଟେ। ଆବେଗରେ ଆଉଟି ହୋଇ ଶବ୍ଦସବୁ ରସସିକ୍ତ ହୁଅନ୍ତି, ସୁଆଦିଆ ଲାଗନ୍ତି ଏବଂ ଏଇ ଶବ୍ଦ ସମବାୟକୁ, ଏଇ ଶବ୍ଦ ସମ୍ପୃକ୍ତିକୁ, ବାକ୍ୟ ବିନ୍ୟାସକୁ ନେଇ ଆମେ ‘ସାହିତ୍ୟ’ କରୁ।
ଉତ୍କଳୀୟ ଶିକ୍ଷା ପରମ୍ପରା
ଆମ ଉତ୍କଳୀୟ ଶିକ୍ଷା ପରମ୍ପରାରେ ସାହିତ୍ୟରୁ ହିଁ ଆରମ୍ଭ ହେଉଥିଲା ଅବୋଧ ପିଲାର ଅନୌପଚାରିକ ଶିକ୍ଷା। ମା’ କୋଳରେ ପିଲା ଶୁଣୁଥିଲା ଶିଶୁସମ୍ଭଳା, ପିଲାବୁଝାଣିଆ, ପିଲାଭୁଲାଣିଆ ଗୀତ। ଚାଟଶାଳୀକି ଆସିଲେ ଗୀତରୁ ହିଁ ଅବଧାନେ ପିଲାର ପାଠ ଆରମ୍ଭ କରୁଥିଲେ। ଚାଟଶାଳୀରୁ ଶୁଭୁଥିଲା ଷୋଡ଼ଶା ଓ ଚଉତିଶା ଘୋଷିବାର ପିଲାଙ୍କ ସମୂହ ସ୍ୱର ଲହରୀ।
ଚାଟଶାଳୀର ଅବଧାନମାନେ ବ୍ୟଞ୍ଜନବର୍ଣ୍ଣର ଅକ୍ଷରକ୍ରମକୁ ବ୍ୟବସ୍ଥିତ କରିବା ପାଇଁ ପାଠ୍ୟକ୍ରମରେ ‘କେଶବ କୋଇଲି’, ‘କଳାକଳେବର ଚଉତିଶା’, ‘କମଳଲୋଚନ ଚଉତିଶା’ ଆଦି ଚଉତିଶାମାନ ସ୍ଥାନ ଦେଉଥିଲେ; ଚଉତିଶା ଗାଇବା ଭିତରେ ପିଲା ପଦାଦ୍ୟ ଚଉତିରିଶି ବ୍ୟଞ୍ଜନ ବର୍ଣ୍ଣକୁ ଶିଖିଯାଉଥିଲା :
“କମଳଲୋଚନ ଶ୍ରୀ ହରି, କରେଣ ଶଙ୍ଖ ଚକ୍ର ଧରି।
ଖଗ ଆସନେ ଖଗପତି, ଖଟନ୍ତି ଲକ୍ଷ୍ମୀ ସରସ୍ୱତୀ।
ଗରୁଡ଼ ଆସନେ ମୁରାରି, ଗୋପରେ ରଖିଲେ ବାଛୁରୀ।
ଘନ କଠିନ କଳେବର, ଘଟଣ ଶ୍ରୀମୁଖ ସୁନ୍ଦର।… …”

ଷୋଡ଼ଶା ଓ ଚଉତିଶା ଘୋଷି ଗାଇବା ଭିତରେ ପିଲା ତା’ ଅଜାଣତରେ ଓଡ଼ିଆ ବର୍ଣ୍ଣମାଳାର ‘ଅ’ରୁ ‘କ୍ଷ’ ପର୍ଯ୍ୟନ୍ତ ଅକ୍ଷର କ୍ରମିକତା ଶିଖିଯାଉଥିଲା ଏବଂ ଅବଧାନେ ଆଦ୍ୟ ଅକ୍ଷରର ଖିଅ ଧରି ‘ଅ’ ପରେ ‘ଆ’, ‘କ’ ପରେ ‘ଖ’ ଅକ୍ଷର ମଡ଼ାଇବାକୁ ଦେଇ ପିଲାର ଅକ୍ଷର ପରିଚୟ କରାଉଥିଲେ। ଓଡ଼ିଶାକୁ ମୁଦ୍ରଣଯନ୍ତ୍ର ଆସିବା ପରେ ଊନବିଂଶ ଶତାବ୍ଦୀରେ ଓଡ଼ିଆ ଅକ୍ଷରଶିକ୍ଷା ପାଇଁ ‘ପ୍ରାଥମିକ ଅକ୍ଷରଶିକ୍ଷା ବହି’(ଓଡ଼ିଆ ପ୍ରାଇମର୍‌)ସବୁ ପ୍ରକାଶ ପାଇଲା : ଆମସ୍‍ ସଟନ୍‍ଙ୍କ ‘ଓଡ଼ିଆ ପ୍ରାଇମର୍‍ ବା ବର୍ଣ୍ଣବୋଧକ’, ଗୋବିନ୍ଦ ରଥଙ୍କ ‘ବର୍ଣ୍ଣବୋଧକ’, ମଧୁସୂଦନ ମିଶ୍ରଙ୍କ ‘ବର୍ଣ୍ଣନିର୍ଣ୍ଣୟ’, ଘନଶ୍ୟାମ ମିଶ୍ରଙ୍କ ‘ବର୍ଣ୍ଣପରିଚୟ’, କପିଳେଶ୍ୱର ବିଦ୍ୟାଭୂଷଣଙ୍କ ‘ବର୍ଣ୍ଣଶିକ୍ଷା’, ବୈକୁଣ୍ଠନାଥ ଦେ’ଙ୍କ ‘ପ୍ରଥମ ଶିକ୍ଷା’, ଅଭିନ୍ନ ନାୟକଙ୍କ ‘ବର୍ଣ୍ଣବୋଧକ’, ବଳରାମ ଦାସଙ୍କ ‘ଶିକ୍ଷାମଞ୍ଜରୀ’, କାଳିପ୍ରସାଦ ଦାସଙ୍କ ‘ବର୍ଣ୍ଣବିଜ୍ଞାନ’, ଚତୁର୍ଭୁଜ ପଟ୍ଟନାୟକଙ୍କ ‘ବାଳବୋଧିନୀ’, ଗୋବିନ୍ଦ ଚନ୍ଦ୍ର ପଟ୍ଟନାୟକଙ୍କ ‘ବର୍ଣ୍ଣବିଜ୍ଞାନ’, ଜଗନ୍ନାଥ ରାଓଙ୍କ ‘ପ୍ରଥମପାଠ’ ଏବଂ ମଧୁସୂଦନ ରାଓଙ୍କ ‘ବର୍ଣ୍ଣବୋଧ’ ଇତ୍ୟାଦି। ଏ ସବୁ ଅକ୍ଷରପରିଚୟ ପୁସ୍ତକରେ ‘ଅ’ରୁ ଅକ୍ଷର ଶିକ୍ଷା ଆରମ୍ଭ ହୋଇ ‘କ୍ଷ’ରେ ପାଠ ସରୁଥିଲା। ଅକ୍ଷର କ୍ରମିକତାକୁ ଆହୁରି ବଦ୍ଧମୂଳ କରି ଅକ୍ଷର ପରିଚୟକୁ ଦୋରସ୍ତ କରିବାକୁ ଅବଧାନେ ପିଲାକୁ ଗୀତ ମାଧ୍ୟମରେ ଅନେକ ଅକ୍ଷରଖେଳ ଶିକ୍ଷା ଦେଉଥିଲେ:
“ଅ ଗଲେ ପଡ଼େ ଆ, କୁଆ କରେ କା କା।
ଆ ଗଲେ ପଡ଼େ ଇ, ଭାଲୁ ନାଚେ ଥେଇ ଥେଇ।
ଇ ଗଲେ ପଡ଼େ ଉ, ସାପ ହୁଏ ସୁଉ ସୁଉ।… …”
ଆମ ପାରମ୍ପରିକ ଶିକ୍ଷା ପଦ୍ଧତିରେ ଆମେ ‘ଅ’ରୁ ଅକ୍ଷର ଶିକ୍ଷା ଆରମ୍ଭ କରୁ। ‘ଅ’ ଆମ ବର୍ଣ୍ଣମାଳାର ଆଦ୍ୟ ଅକ୍ଷର। ‘ଅକ୍ଷର’ଶବ୍ଦର ଆଦ୍ୟ ଅକ୍ଷର ମଧ୍ୟ ‘ଅ’। ଶ୍ରୀମଦ୍‍ଭଗବତ୍‍ ଗୀତା(୧୦/୩୩)ରେ କୁହାଯାଇଛି- ‘ଅକ୍ଷରାଣାମକାରୋଽସ୍ମି ଦ୍ୱନ୍ଦ୍ୱ ସାମାସିକସ୍ୟ ଚ।’ ଭଗବାନ୍‍ ଅକ୍ଷରମାନଙ୍କ ମଧ୍ୟରେ ‘ଅ’କାରକୁ ନିଜର ସ୍ୱରୂପ ବୋଲି କହିଛନ୍ତି। ସ୍ୱର ବର୍ଣ୍ଣର ମୂଳ ଅକ୍ଷର ‘ଅ’। ଆମ ଉଚ୍ଚାରଣରେ ଆସୁଥିବା ସବୁ ବ୍ୟଞ୍ଜନ ବର୍ଣ୍ଣ ଭିତରେ ବି ‘ଅ’ ଛପିି କରି ରହିଛି; ସେଇଥିପାଇଁ ଆଗେ ଅବଧାନମାନେ ‘ଅ’କୁ କହୁଥିଲେ ‘ସ୍ୱରେ ଅ’। ‘ଅ’କାର ହିଁ ମୂଳତଃ ଅକ୍ଷରମାନଙ୍କ ମଧ୍ୟରେ ବ୍ୟାପ୍ତ ଅଟେ। ଶ୍ରୁତିରେ ମଧ୍ୟ କୁହାଯାଇଛି- ‘ଅକାରୋ ବୈ ସର୍ବା ବାକ୍‍’ -(ଐତେରେୟ ବ୍ରା.ପୂ.୩/୬); ଅର୍ଥାତ୍‍ ସମସ୍ତ ବାଣୀ ‘ଅ’କାର ଅଟେ। ଗୀତା(୧୦/୨୫)ରେ ପୁଣି କୁହାଯାଇଛି-‘ମହର୍ଷୀଣାଂ ଭୃଗୁରହଂ ଗିରାମସ୍ମ୍ୟେକମକ୍ଷରମ୍‍’; ଅର୍ଥାତ୍‍ ଭଗବାନ୍‍ କହୁଛନ୍ତି- ‘ମୁଁ ମହର୍ଷିମାନଙ୍କ ମଧ୍ୟରେ ଭୃଗୁ, ବାଣୀ(ଶବ୍ଦ)ମାନଙ୍କ ମଧ୍ୟରେ ଏକାକ୍ଷର, ଅର୍ଥାତ୍‍ ପ୍ରଣବ।’ ପ୍ରଣବ, ଅର୍ଥାତ୍‍ ‘ଓଁ’। ‘ଓଁ ’ର ପ୍ରଥମ ଧ୍ୱନି ‘ଅ’(ଅ+ଉ+ମ)। ପ୍ରତ୍ୟେକ ଶୁଭ କାମରେ, ପ୍ରତ୍ୟେକ ମନ୍ତ୍ରର ମୂଳ ଉଚ୍ଚାରଣ ହେଉଛି ‘ଓଁ’; ଅର୍ଥାତ୍‍ ‘ଅ’ହିଁ ଆମର ଆଦ୍ୟ ଉଚ୍ଚାରଣ। ପିଲାର ବିଦ୍ୟାରମ୍ଭରେ ଅବଧାନେ ‘ଓଁ ସିଦ୍ଧିରସ୍ତୁ’ କହି ପିଲାକୁ ତିନିଟି ମୁଣ୍ଡୁଳା ବୁଲାଇବାକୁ ଦେଇ ଲେଖାପଢ଼ାର ଶ୍ରୀଗଣେଶ କରନ୍ତି। ଏଇ ତିନିଟି ମୁଣ୍ଡୁଳା ମଡ଼ାଇ ମଡ଼ାଇ ପିଲାର ହାତ ଲେଖିବାରେ ଟାଣ ହେଲେ, ତାକୁ ‘ଅ’ଲେଖିବା ଓ ଡାକିବାକୁ (ଉଚ୍ଚାରଣ କରିବାକୁ) ଦିଅନ୍ତି। ଉଚ୍ଚାରଣ ଦୃଷ୍ଟିରୁ ବର୍ଣ୍ଣମାଳାର ସବୁ ଅକ୍ଷରଠାରୁ ‘ଅ’ ହେଉଛି ସହଜ ଓ ସରଳ।
‘ହସ ଖେଳ’ ବହି
ଏବେ କିନ୍ତୁ ଗତ କୋଡ଼ିଏ ବର୍ଷଧରି ଆମ ପ୍ରାଥମିକ ବିଦ୍ୟାଳୟରେ ଚଳିଆସୁଥିବା ଅକ୍ଷରଶିକ୍ଷା ‘ହସ ଖେଳ’ ବହିରୁ ପିଲାଏ ଆମର ବର୍ଣ୍ଣମାଳା ମଝିରୁ ‘ଚ’ ଓ ‘ଟ’ବ୍ୟଞ୍ଜନ ବର୍ଣ୍ଣରୁ ଆଗ ଅକ୍ଷର ଶିକ୍ଷା ଆରମ୍ଭ କରୁଛନ୍ତି। ପିଲା ଆଗ ‘ଚ, ଟ, ମ, ର, ଗ, ଝ, କ, ନ, ପ, ଆ’ ଅକ୍ଷରସବୁକୁ ପାଠ-୫ଯାଏ ଶିଖି ସାରିବା ପରେ ଯାଇ ପାଠ-୬ରେ ‘ଅ’ ଅକ୍ଷର ଚିହ୍ନୁଛି। ଆଗ ଭଳି ଆଉ ‘ଅ’ରୁ ‘କ୍ଷ’ କ୍ରମରେ ଅକ୍ଷର ନ ଶିଖି ‘ହସ ଖେଳ’ ବହିରୁ ପିଲାଏ ଆମର ‘ଚ, ଟ, ମ, ର, ଗ, ଝ, କ, ନ, ପ, ଆ, ଠ, ବ, ଳ, ଲ, ଅ, ଖ, ଛ, ଣ, ତ, ଦ, ଜ, ଡ, ଢ, ଧ, ଶ, ଷ, ସ, ହ, ଇ, ଉ, ଘ, ଭ, ଯ, ୟ’ କ୍ରମରେ ଅକ୍ଷର ଶିଖୁଛନ୍ତି। ଚାଟଶାଳୀ ଅବଧାନ ଅମଳରୁ ଆମେ ଆଗ ଅକ୍ଷର ଶିଖୁଥିଲୁ, ଅକ୍ଷରରୁ ଶିଖୁଥିଲୁ ଶବ୍ଦ ଏବଂ ଶବ୍ଦରୁ ବାକ୍ୟ। ଅକ୍ଷର ଶିକ୍ଷାର ଏହା ଆମର ପାରମ୍ପରିକ ପଦ୍ଧତି, ‘ଅକ୍ଷର ପଦ୍ଧତି’(ଲେଟର ମେଥଡ୍ ଅଫ୍ ଟିଚିଙ୍ଗ୍‌) ବା ‘ସଂଶ୍ଳେଷଣ ପଦ୍ଧତି’(ସିନ୍ଥେଟିକ୍ ମେଥଡ୍ ଅଫ୍ ଟିଚିଙ୍ଗ୍‌)। ‘ସଂଶ୍ଳେଷଣ’ ଶବ୍ଦର ଅର୍ଥ ହେଉଛି- ମିଶ୍ରଣ, ସମ୍ପର୍କ, ମିଳନ, ପରସ୍ପର ସହିତ ବାନ୍ଧିହେବା। ଏଣୁ ‘ସଂଶ୍ଳେଷଣ’ ଏମିତି ଏକ ଶବ୍ଦ; ଯାହା ଆମ ଭାରତୀୟ; ବିଶେଷ କରି ଆମ ଉତ୍କଳୀୟ ସଂସ୍କୃତିର ସୂଚକ ଶବ୍ଦ, ଆମ ମାନସିକତାର ମୂର୍ତ୍ତ ରୂପ। ଆମେ ସବୁବେଳେ ସଂହତି ଚାହୁ, ସୌହାର୍ଦ୍ଦ୍ୟ ଚାହୁ, ସମ୍ବନ୍ଧ ଚାହୁ; ସେଇଥିପାଇଁ ସଂଶ୍ଳେଷଣ ପଦ୍ଧତିରେ ଅକ୍ଷର ଶିକ୍ଷା ଦେଇ ଅକ୍ଷରଗୁଡ଼ାକ ବାନ୍ଧିହେଇ ଅର୍ଥପୂର୍ଣ୍ଣ ଶବ୍ଦ ପାଲଟିବା ଭଳି ମାନବିକତାର ଭାବ ବନ୍ଧନରେ ବାନ୍ଧିହେଇ ରହିବା ପାଇଁ ଆମେ ଆମ ପିଲାମାନଙ୍କୁ ମଣ କରୁ। ସ୍ୱର ବିନା ବ୍ୟଞ୍ଜନ ଉଚ୍ଚାରିତ ହୋଇ ପାରେନାହିଁ, ସେଥିପାଇଁ ଆମ ପାମ୍ପରିକ ପଦ୍ଧତିରେ ଆଗ ସବୁ ସ୍ୱର ବର୍ଣ୍ଣ ଶିଖି ସାରିବା ପରେ ଯାଇ ପିଲା ବ୍ୟଞ୍ଜନ ବର୍ଣ୍ଣ ଶିଖିବା ଆରମ୍ଭ କରୁଥିଲା।

ବିଶ୍ଲେଷଣ ପଦ୍ଧତି
ଏଚ. ଡିପ୍‌ସି, ଓଡ଼ିଶାର ପ୍ରଥମ ଡି.ପି.ଆଇ. ‘ମା ଘର’ରୁ ଅକ୍ଷର ପରିଚୟ ଆରମ୍ଭ କରି ଅକ୍ଷର ଶିକ୍ଷାର ଏଇ ‘ବିଶ୍ଳେଷଣ ପଦ୍ଧତି’ ପ୍ରଚଳନ କରିଥିଲେ ୧୯୩୬ରେ। ଅନୁସରଣିଆ ଖୋଇରୁ ହେଉ, ଅଜ୍ଞତାରୁ ହେଉ ଆମ ଶିକ୍ଷାବିତ୍‍ ବାବୁମାନଙ୍କ କୃପାରୁ ଆମ ପିଲାଏ ଯୋଉ ‘ହସ ଖେଳ’ ବହିରୁ ଏବେ ଅକ୍ଷର ଶିଖୁଛନ୍ତି, ତାହା ଏଇ ‘ବିଶ୍ଳେଷଣ ପଦ୍ଧତି’(ଆନାଲିଟିକ୍ ମେଥଡ୍ ଅଫ୍ ଟିଚିଙ୍ଗ୍‌) ବା ‘ଶବ୍ଦ ପଦ୍ଧତି’(ୱାର୍ଡ ମେଥଡ୍ ଅଫ୍ ଟିଚିଙ୍ଗ୍‌)ରେ ଲିଖିତ। ଏଥିରେ ପିଲା ଆଗ ବାକ୍ୟକୁ ଭାଙ୍ଗି ଶବ୍ଦକୁ ଆସିବ, ଶବ୍ଦକୁ ଭାଙ୍ଗି ଅକ୍ଷରକୁ ଆସିବ। ଭାଙ୍ଗିବା ଆମର ନୀତି ନୁହେଁ କି ସଂସ୍କୃତି ନୁହେଁ। ନିରକ୍ଷର ବାପାଟିକୁ ‘ପୁଅ ତମର କୋଉଯାଏ ପଢ଼ିଲାଣି’ ପଚାରିଲେ ସେ ଆଗରୁ କହୁଥିଲା- ‘ପୁଅ ମୋର ଅ,ଆ,ହର୍ସେଇ, ଦୀର୍ଘେଈ ସାରି କ,ଖ,ଗ,ଘ ମଡ଼େଇଲାଣି।’ ପିଲାର ଅକ୍ଷର ଅଭ୍ୟାସ ସାଧାରଣତଃ ସ୍କୁଲ୍‍ଠାରୁ ବେଶି ମାତ୍ରାରେ ଘରେ ହେଇଥାଏ। ପିଲା ପ୍ରଥମେ ‘ଚ’ ଆଉ ‘ଟ’ରୁ ଆରମ୍ଭ କରିବାରୁ ବାପାମା’ ଏ ଅକ୍ଷରଶିକ୍ଷାର ଗଣ୍ଡିମୁଣ୍ଡ ଠଉର କରି ନପାରି ପିଲାକୁ ପଢା଼ଇ ପାରୁନାହାନ୍ତି। ଯୋଉ ଶିକ୍ଷକମାନେ ପିଢ଼ି ପରେ ପିଢ଼ି ପରମ୍ପରାକ୍ରମେ ଅ,ଆ,ଇ,ଈ…କ,ଖ,ଗ,ଘ କ୍ରମରେ ପଢ଼ି ଆସିଛନ୍ତି ଯେତେ ତାଲିମ ଦେଲେ ବି ସେମାନେ ‘ବିଶ୍ଳେଷଣ ପଦ୍ଧତି’ରେ ଠିକ୍‍ ଭାବେ ପଢ଼ାଇ ପାରୁନାହାନ୍ତି।
ଓଡି଼ିଆର ମାନସିକତାକୁ ନେଇ ଓଡି଼ଆ ଅକ୍ଷର, ଯୁକ୍ତାକ୍ଷର, ମାତ୍ରା ଆଉ ଫଳାଗୁଡି଼କର ଉଦ୍ଭବ। ଇଙ୍ଗ୍ରାଜି ଅକ୍ଷରଗୁଡ଼ାକରେ ଏସବୁ ମାତ୍ରା ଫଳା ନାହିଁ କି ଇଙ୍ଗ୍ରାଜିରେ ଯୁକ୍ତାକ୍ଷର ନାହିଁ। ଇଙ୍ଗ୍ରାଜି ଅକ୍ଷର(ରୋମାନ୍‍ ଲିପି)ଗୁଡ଼ାକ ଖେଣ୍ଟା, ଥୁଣ୍ଟା, ସିଲିପଟ ସାଧା। ଓଡ଼ିଆ କୁଳଭୁଆସୁଣୀଟି ଭଳି ଆମ ଓଡି଼ିଆ ଅକ୍ଷରଗୁଡ଼ାକ କେତେ ନାଇଁ କେତେ ଅଳଙ୍କାରରେ ଅଳଙ୍କୃତ, ଆଭୂଷଣରେ ଆଭୂଷିତ- ଏ କଥା କିନ୍ତୁ ଏଚ.ଡିପ୍‌ସିଙ୍କ ମୁଣ୍ଡକୁ ଢୁକି ନଥିଲା। ଓଡି଼ିଆ ଅକ୍ଷରଗୁଡ଼ାକର ଆଗରେ, ପଛରେ, ତଳେ, ଉପରେ କେତେ ନାଇଁ କେତେ ମାତ୍ରା ଆଉ ଫଳାର ଅଳଙ୍କାର; କେତେ ନାଇଁ କେତେ ନୋଥ, ବସଣି, ବାହୁଟି, ବଟଫଳ, ପାହୁଡ଼, ପାଉଞ୍ଜି, ଆଉ ଚନ୍ଦ୍ରଝୁମ୍ପିର ଆଭୂଷଣ। ସହୀ, ସଙ୍ଗାତ, ତୁଳୁସା, ନିର୍ମାଲ୍ୟର ସମ୍ପର୍କ ଯୋଡି଼ି ଭାବବନ୍ଧନରେ ଓଡି଼ିଆ କିଶୋରୀକୁଳ କୋଳାକୋଳି ହେବା ଭଳି ଆମ ଓଡି଼ିଆ ଅକ୍ଷରଗୁଡ଼ାକ ବି କେତେ କୁଣ୍ଢାକୁଣ୍ଢି, କୋଳାକୋଳି ହେଇ ଯୁକ୍ତାକ୍ଷର ପାଲଟନ୍ତି। କେତେବେଳେ ଗୋଟିଏ ଅକ୍ଷର ଆଉ ଗୋଟାକୁ ମୁଣ୍ଡେଇଲାଣି ତ, ଗୋଟାଏ ଅକ୍ଷର ଆଉ ଗୋଟାକୁ କୁଣ୍ଢେଇଲାଣି, କିଏ ଆଉ ଗୋଟାଏ ପିଠିରେ ନାଉ ହେଲାଣି ତ ଆଉ କିଏ କାହା କାନ୍ଧରେ ବସିଲାଣି, କିଏ କାହା ବେକରେ ନଟିକିଲାଣି ତ ଆଉ କିଏ କାହା ପଛରେ ଓହଳିଲାଣି। ଆମ ଆଦିକବି ସାରଳା ଦାସ ମହାଭାରତ ମଧ୍ୟପର୍ବରେ ଲେଖିଯାଇଛନ୍ତି:
“ଚଉତ୍ରିଂଶ ଅକ୍ଷର ପୁଣ ବାରହିଂ ଯେ ମାତ୍ରା, ଦେଖି ଶିଖିଲେ ସ୍ୱାମୀ ଧାର୍ମିକ ବୁଦ୍ଧିମନ୍ତା।
ସିଦ୍ଧି କଂ କ୍ୟ କ୍ର କ୍ଳ କ୍ୱ କ୍ନ କ୍ମ ର୍କ ର୍କ୍ୟ ର୍କ୍ର, ଶିଖିଲୁନି ଗୁରୁ ହେ ଆବର କି ପାଠ କହ।
ର୍କ୍ଳ କ୍ୱର୍ ର୍କ୍ନ ର୍କ୍ମ କୃ ଙ୍କ ସ୍କ ସ୍ତ ସ୍ତ୍ର ଅଂଶ ଯୋଗ, ୟେତେକ ଗୁରୁ ହେ ହୋଇଲାକ ଭୋଗ।
ଚଉତ୍ରିଂଶ ଅକ୍ଷର କୋଡ଼ିଏ ଯେ ଫଳା, ୟେକା ଦିନକେ ଲିହି ପଢ଼ିବା ହୋଇଲା।”
ଆଗେ ଅବଧାନମାନଙ୍କର ଶିକ୍ଷାଗତ ଯୋଗ୍ୟତାର ସାର୍ଟିଫିକେଟ୍‍ ନଥିଲା, ତାଲିମ୍‍ ବୋଲି କ’ଣ ସେମାନେ ଜାଣିନଥିଲେ। ୧୮୯୫ରେ ପ୍ରକାଶିତ ୩୨ ପୃଷ୍ଠାବିଶିଷ୍ଟ ‘ବର୍ଣ୍ଣବୋଧ’ ଥିଲା ମୁଖ୍ୟତଃ ଅକ୍ଷରଶିକ୍ଷା ବହି। ବର୍ତ୍ତମାନ ପ୍ରଥମ ଶ୍ରେଣୀରେ ବିଦ୍ୟା ପ୍ରବେଶ, ବିଦ୍ୟାପ୍ରବେଶ କାର୍ଯ୍ୟପୁସ୍ତିକା, ହସଖେଳ-୧, ହସଖେଳ-୨, ଭାଷା କାର୍ଯ୍ୟପୁସ୍ତିକା, ଏମିତି ହେଇ ସମୁଦାୟ ୬୦୪ ପୃଷ୍ଠାର ବହି। ଦ୍ୱିତୀୟ ଶ୍ରେଣୀରେ ବି ଅକ୍ଷର ଶିକ୍ଷା ଜାରି ରହୁଥିବାରୁ ଦ୍ୱିତୀୟ ଶ୍ରେଣୀରେ ‘ହସଖୁସି’ ଓ ଭାଷା କାର୍ଯ୍ୟପୁସ୍ତିକା ମିଶି ୪୫୦ ପୃଷ୍ଠା। ଯେହେତୁ ଦ୍ୱିତୀୟ ଶ୍ରେଣୀରେ ମଧ୍ୟ ଅକ୍ଷର ଶିକ୍ଷା ଜାରି ରହୁଛି ‘ହସଖୁସି’, କାର୍ଯ୍ୟପୁସ୍ତିକା ଭାଷା, ଦ୍ୱିତୀୟ ଶ୍ରେଣୀ ମିଶି ୪୫୦ ପୃଷ୍ଠା। ଏଣୁ କେବଳ ଅକ୍ଷର ଶିଖାଇବା ପାଇଁ ସମୁଦାୟ ୧୦୫୪ ପୃଷ୍ଠାର ବହି ଆମ ପିଲାଏ ପ୍ରଥମ ଓ ଦ୍ୱିତୀୟରେ ପଢ଼ୁଛନ୍ତି। କେବଳ ଏତିକିରେ କଥା ସରିନି,ପ୍ରଥମ ଶ୍ରେଣୀରେ ୧୦ଖଣ୍ଡ ବଡ଼ ବହି, ୫ଖଣ୍ଡ ସାନ ବହି, ଗଳ୍ପ ଚାର୍ଟ-୧୫, କବିତା ଚାର୍ଟ-୯, ଏଫ୍‍.ଏଲ୍‍.ଏନ୍‍. କିଟ୍‍-୧୦। ଦ୍ୱିତୀୟ ଶ୍ରେଣୀରେ ସେମିତି ୫ଖଣ୍ଡ ବିଗ୍‍ ବୁକ୍‍, ଗଳ୍ପ ଚାର୍ଟ-୧୫, କବିତା ଚାର୍ଟ-୮, ଏଫ୍‍.ଏଲ୍‍.ଏନ୍‍. କିଟ୍‍-୭। ଏହାକୁ ଛାଡ଼ି ପୁଣି ଗଣିତ କାର୍ଯ୍ୟପୁସ୍ତିକା ଅଛି। ଶିକ୍ଷକମାନଙ୍କୁ ପଚାରିଲେ ବି ସେମାନେ ସବୁ ବହିର ନାଆଁ ମନେ ରଖିନାହାନ୍ତି, ସବୁ ସ୍କୁଲକୁ ବି ସବୁ ବହି ଯୋଗାଇ ଦିଅଯାଇ ନାହିଁ। ସବୁ ବହିର ନାଆଁ ଲେଖି ବସିଲେ ପ୍ରବନ୍ଧର ପୃଷ୍ଠା ବୃଦ୍ଧିର ନିଶ୍ଚିତ ସମ୍ଭାବନାକୁ ଏଠି ଜାଣିଜାଣି ଏଡ଼େଇ ଯିବାକୁ ହେଉଛି।
‘ହସ ଖେଳ’ ଓ ‘ହସ ଖୁସି’ ଯେ ଆମ ଶିକ୍ଷା ବ୍ୟବସ୍ଥା ପ୍ରତି ସମସ୍ୟା ଠିଆ କଲାଣି ଏ କଥା ଆମ ଶିକ୍ଷାବିତ୍‍ ଆଉ ଭାଷାବିଦ୍‍ମାନେ ବେଶ୍‍ ବୁଝିପାରିଛନ୍ତି। ଅସର୍‍ (ଏ.ଏସ୍‌.ଇ.ଆର୍‌) ରିପୋର୍ଟ ଓ ମାଟ୍ରିକ୍‍ ପରୀକ୍ଷା ଫଳ ହାଟରେ ତାଙ୍କ ହାଣ୍ଡି ଭାଙ୍ଗି ଦେଉଛି। ସମସ୍ୟା ଦୂର କରିବା ପାଇଁ ସେମାନେ ପ୍ରଥମରୁ ଅଷ୍ଟମ ଶ୍ରେଣୀଯାଏ ସର୍ବସାଧାରଣଙ୍କର କୋଟିକୋଟି ଟଙ୍କା ଖର୍ଚ୍ଚ କରି ମୋଟା ଆର୍ଟ ପେପର୍‌ରେ ‘ସମାଧାନ’ ବହି ଛାପି ଶିକ୍ଷକମାନଙ୍କୁ ବାଣ୍ଟିଲେ। ସେଥିରେ ବିଫଳ ହେବାପରେ ପୁଣି ସର୍ବସାଧାରଣଙ୍କର କୋଟିକୋଟି ଟଙ୍କା ଖଟେଇ ପ୍ରାଥମିକ ଶ୍ରେଣୀରୁ ମାଧ୍ୟମିକ ଶ୍ରେଣୀ ପର୍ଯ୍ୟନ୍ତ ‘ଉଜ୍ଜ୍ୱଳ’, ‘ଉତ୍ଥାନ’ ଏବଂ ‘ଉତ୍କର୍ଷ’ ବହି ଛାପି ପିଲାମାନଙ୍କୁ ବାଣ୍ଟିଲେ। କିନ୍ତୁ ମୂଳରୁ କରିଥିବା ଅକ୍ଷର ଶିକ୍ଷାର ଅନ୍ଧାରକୁ ହାରିକିନ୍‍ ଦେଖେଇ ଉଜ୍ଜ୍ୱଳ କରି ପାରିଲେ କି? ପତିତ ପ୍ରାଥମିକ ଶିକ୍ଷାକୁ ‘ଉତ୍ଥାନ’ରେ ଉତ୍ଥିତ କରି ପାରିଲେ କି ? କରିଥିବା ଅପକର୍ଷକୁ ‘ଉତ୍କର୍ଷ’ କରି ପାରିଲେଣି କି? ଆମ ବୁଦ୍ଧିମାନ୍‍ ବାବୁମାନେ ଭଲଭାବେ ଜାଣନ୍ତି ‘ ପଢ଼ାଇବା’ କାମଟି ଆଉ ସ୍କୁଲରେ ହେଉନାହିଁ; ଶିକ୍ଷକମାନଙ୍କୁ ପାଠଠାରୁ ସରକାରୀ ଶାଠରେ ବେଶି ବ୍ୟସ୍ତ ରଖା ଯାଉଛି, ସେଥିରେ ପୁଣି ପାଞ୍ଚଟା ବା ତିନିଟା ଶ୍ରେଣୀପାଇଁ ଜଣେ ଶିକ୍ଷକ। ଏମାନେ ଜାଣୁଛନ୍ତି ଏମାନେ ଶିକ୍ଷାର ସର୍ବନାଶ କରୁଛନ୍ତି।
ନାଆଁ ଲେଖି ପାରିଲେନି
ଅଷ୍ଟମରେ ପଢ଼ି ପୁଅ ବାପା ନାଆଁ ଲେଖି ପାରିଲାନି। ପାଠ ଘରେ ତ ଶୂନ; ପିଲା ମାଟ୍ରିକ୍‍ ଘାଟିଟା ଟପିବ କେମିତି? ଆମ ନେତା ଓ ଅମଲାଶିକ୍ଷାବିଦ୍‍ମାନଙ୍କ ମୁଣ୍ଡକୁ ଏଥର ପୁଣି ତେନ୍ତୁଳିଆ ବିଛା କାମୁଡ଼ିଲା। ପୁଣି ଉନ୍ନତ ମସ୍ତିଷ୍କରୁ ଉଦ୍ଭାବିତ ହେଲା ଓ.ଏମ୍‍.ଆର୍‍.(ଅବଜେକ୍ଟିଭ୍ ମଲ୍‌ଟିପଲ୍ ରେସ୍‌ପନ୍‌ସ) ଅସ୍ତ୍ର ; ନିଜ ବାପା ନାଆଁ ତ ଦୂରର କଥା, ପିଲାକୁ ନିଜ ନାଆଁ ଲେଖି ନ ଆସୁଥାଉ ପଛେ ସେ ଖାଲି ପଚାଶ ନମ୍ବର ପ୍ରଶ୍ନରେ ଠାସୁକୁମାରି ଗୋଲେଇ ବୁଲେଇ ଦେଲେ ପାସ୍‍ କରିବା ସହଜ ହେଇଗଲା। ପିଲା ପାସ୍‍ ସିନା କଲେ ସରସ୍ୱତୀ ଶିଶୁ ମନ୍ଦିର ପିଲା ସବୁଯାକ ବେଷ୍ଟ ଟେନ୍‍ ଦଖଲ କରିଗଲେ। ବେଷ୍ଟ ଟେନ୍‍ ଉଠାଇ ଦିଆଯାଇ ବେଷ୍ଟ୍‍ ହଣ୍ଡ୍ରେଡ଼୍‍ ଆରମ୍ଭ ହେଲା। ପୁଣି ସେଇ ସରସ୍ୱତୀ ଶିଶୁମନ୍ଦିର ପିଲା ଅଧିକାଂଶ ସଂଖ୍ୟା ମାଡ଼ି ବସିଲେ। ତାକୁ ଉଠାଇ ଦିଆଗଲା। ଏଥର ଦେଖାଗଲା ସି.ବି.ଏସ୍‍.ଇ.ର ପାସ୍‍ ହାର ଆମ ସେକେଣ୍ଡାରି ବୋର୍ଡ଼ଠାରୁ ଅଧିକ ହେଲା। ବି.ଏସ୍‍.ଇ.ର ପାସ୍‍ ହାର କମିଲା, କେହି ପାସ୍‍ କରି ନଥିବା ସ୍କୁଲ୍‍ ସଂଖ୍ୟା ବଢ଼ିଲା, ସମସ୍ତେ ପାସ କରିଥିବା ସ୍କୁଲ୍‍ ସଂଖ୍ୟା କମିଲା। ଆମ ବୁଦ୍ଧିମାନ୍‍ ବାବୁମାନେ ଇଣ୍ଟର୍‍ନାଲ୍‍ ପରୀକ୍ଷା ପ୍ରଚଳନ କଲେ। ମାଟ୍ରିକ୍‌ରେ ଯୋଉ ୧୦୦ ମାର୍କ ପରୀକ୍ଷା ହେଉଛି ପ୍ରକୃତରେ ତାକୁ ଆନୁପାତିକ ଭାବେ ୨୦% କମାଇ ଦିଆଯାଇ ନିଜ ସ୍କୁଲ୍‍ ଦେଇଥିବା ୨୦ ଓ ମାଟ୍ରିକ୍‍ ପରୀକ୍ଷାର ୮୦ ମିଶି ପରୀକ୍ଷା ଫଳ ବାହାରୁଛି। ଏହା ପରେ ମାଟ୍ରିକ୍‍ ପରୀକ୍ଷା ଫଳ ବହୁତ୍‍ ଭଲ ହେଇଛି ବୋଲି କହି ସମସ୍ତେ ଖୁସି ପ୍ରକଟ କଲେ, ମିଠା ବାଣ୍ଟିଲେ। ୨୦୦୮ରେ ମାଟ୍ରିକ୍‍ ପରୀକ୍ଷା ପାସ୍‍ ହାର ୫୩.୧୪% ହେଇଥିବା ସ୍ଥଲେ ୨୦୨୩ରେ ୯୭.୧୯% ହେଲା; କେହି ପାସ୍‍ କରି ନଥିବା ସ୍କୁଲ୍‍ ସଂଖ୍ୟା ୨୦୧୨ରେ ୧୩୯ ଥିବା ସ୍ଥଳେ ୨୦୨୩ରେ ତାହା ୦୦ହେଲା, ଅର୍ଥାତ୍‍ କେହି ପାସ୍‍ କରି ନଥିବା ଗୋଟିଏ ବି ସ୍କୁଲ୍‍ ମିଳିଲେନି; ସମସ୍ତେ ପାସ୍‍ କରଥିବା ସ୍କୁଲ୍‍ ସଂଖ୍ୟା ୨୦୧୨ରେ ୨୪୦ ଥିବା ସ୍ଥଳେ ୨୦୨୩ରେ ତାହା ୩୨୨୨କୁ ବୃଦ୍ଧି ପାଇଲା।
ଗତ ୨୦ବର୍ଷ ଭିତରେ ଓଡ଼ିଆ ଭାଷାପାଇଁ ବହୁତ କିଛି ହେଇଛି; ଓଡ଼ିଆ ଭାଷା ପ୍ରତିଷ୍ଠାନ ହେଇଛି, ଓଡ଼ିଆ ବିଶ୍ୱବିଦ୍ୟାଳୟ ହେଇଛି, ଓଡ଼ିଆଭାଷା ଶାସ୍ତ୍ରୀୟ ମାନ୍ୟତା ପାଇଛି, ଓରିଆ ବଦଳେ ଓଡ଼ିଆ ହେଇଛି, ଓଡ଼ିଆ ବିଶ୍ୱ ଭାଷା ସମ୍ମିଳନୀ ହେଇଛି, ଅକ୍ଷର ଭୂମି ହେଇଛି, ଓଡ଼ିଆ ଭାଷାବିଦ୍‍ମାନଙ୍କୁ ଏହୁଁଏହୁଁ ଼ବଡ଼ ସମ୍ମାନ ଓ ସମ୍ବର୍ଦ୍ଧନା ଦିଆଯାଇଛି। ଷାଠିଏ ମହଣ ଘିଅ ପୋଡ଼ା ହେଉଛି; କିନ୍ତୁ ରାଧା ନାଚି ପାରୁନାହିଁ। ସବୁଠୁ ବଡ଼ ବିରୋଧାଭାସ ଯେ ବିଦ୍ୟାଳୟରେ ସବୁ ଦିଆଯାଉଛି, କେବଳ ବିଦ୍ୟାକୁ ଛାଡ଼ି। ଶିକ୍ଷା ବେଙ୍ଗାମାରି ଯାଇଛି; ଫଳରେ ଦଶମ ଶ୍ରେଣୀ ପାସ୍‍ କରିଥିବା ପିଲା ଧାଡ଼ିଏ ଶୁଦ୍ଧ ଓଡ଼ିଆ ଲେଖିପାରୁନାହାନ୍ତି।
ନିରାଶାଜନକ ପରିଣାମ
ପରୀକ୍ଷା ସ୍ୱରୂପ ଗୋଟାଏ ସ୍କୁଲ୍‍ର ପାଞ୍ଚ ଜଣ ଦଶମଶ୍ରେଣୀ ପିଲାଙ୍କୁ ଏବଂ ‘ହସଖେଳ’ରୁ ଅକ୍ଷର ଶିଖିଥିବା ଦଶଜଣ ଯୁବ ଶିକ୍ଷକ ଓ ଓଡ଼ିଆ ଅଧ୍ୟାପକଙ୍କୁ ଦଶଟି ଓଡ଼ିଆ ବାକ୍ୟ ଶ୍ରୁତଲିଖନ ଡାକି କେତୋଟି ବାକ୍ୟ ଏବଂ ଶବ୍ଦ ସେମାନେ ଠିକ୍‍ କରି ଲେଖିପାରୁଛନ୍ତି ଦେଖାଯାଉ। ଦେଖିବେ ଫଳ ନିଶ୍ଚିତ ନିହାତି ନିରାଶାଜନକ ହେବ। ଏ କଥା ଯଦି ମିଛ, ଯଦି ସତ୍‍ସାହସ ଅଛି ଏହାକୁ ଏକ ଆହ୍ୱାନ ଭାବେ ଗ୍ରହଣକରି ଆମ ଶିକ୍ଷାବିଭାଗର ବଡ଼ପଣ୍ଡାମାନେ, ଆମ ଶିକ୍ଷାବିତ୍‍, ଭାଷାବିଦ୍‍ମାନେ ଥରୁଟିଏ ପରୀକ୍ଷାକରି ଦେଖନ୍ତୁ ଆମ ଓଡ଼ିଆ ଭାଷାକୁ କୁମ୍ଭୀର ନେଇ କେମିତି ମଝିନଈରେ ହେଲାଣି। କୁଷ୍ଠରୋଗକୁ ଲୁଗାତଳେ ଲୁଚେଇଲେ କିଛିଦିନ ପରେ ଗୋଡ଼ହାତର ଆଙ୍ଗୁଠି ଛିଣ୍ଡିବ, ମୁହଁନାକ ବିକୃତ ହେବ, ହାତ ଓ ପାଦରେ କନା ଗୁଡ଼େଇଲେ ବି ଖୋଡ଼ ଫୁଟି ଚାଲି ହେବନି, କୋଢ଼ିଆ ହାତରେ କିଛି ଧରିହେବନି। ସେମିତି ପ୍ରାଥମିକ ଶ୍ରେଣୀରୁ ପରୀକ୍ଷା ଉଠାଇଦେବା, ମାଧ୍ୟମିକ ଶ୍ରେଣୀ ପରୀକ୍ଷାରେ ଓ.ଏମ୍‍.ଆର୍‍. ବା ମଲ୍ଟିପ୍ଲ ଚଏସ୍‍ ପ୍ରଶ୍ନପତ୍ର ପ୍ରଚଳନ କରିବା, ମାଟ୍ରିକ୍‍ ପରୀକ୍ଷା ଫଳ ୯୦%ରୁ ଅଧିକ କରି ଦେଖେଇବା ଆଦି ଯେତେ ଚାଲବାଜି, ଫିକରଫନ୍ଦି କରି ମହାକାଳଫଳକୁ ସୁନ୍ଦର କଲେ ବି ଭିତର କିନ୍ତୁ ପୋଡ଼ା ଅଙ୍ଗାର। ଯୋଉ ଭାଷାକୁ ନେଇ ଆମେ ଓଡ଼ିଶା ବୋଲି ରାଜ୍ୟଟିଏ ଗଢ଼ିଥିଲୁ, ସେ ଭାଷା ଆଜି ବିକୃତ, ବିକଳାଙ୍ଗ, ରୁଗ୍‍ଣ। ଓଡ଼ିଆ ଭାଷାର ଉପର ଡାଳପତ୍ରରେ ଯେତେ ପାଣି ସିଞ୍ଚିଲେ ବି ମୂଳ ଚେର ଶଢ଼ି ଭାଷାର ଗଛ ଝାଉଁଳିଲାଣି।
କେନ୍ଦ୍ର ସରକାର ତ ପଞ୍ଚମ, ଅଷ୍ଟମରେ ପୁଣି ପରୀକ୍ଷା କରିବାକୁ କହିଲେଣି, ଆମ ରାଜ୍ୟ ସରକାର କରିବେ କି? ଓ.ଏମ୍‍.ଆର୍‍. ଏବଂ ଇଣ୍ଟରନାଲ୍‍ ପରୀକ୍ଷା ମାର୍କ ମୂଳ ମାଟ୍ରିକ୍‍ ପରୀକ୍ଷାରେ ଯୋଡ଼ିବାର କାରସାଦି ଉଠାଇ ଦେବେ କି? ଏତକ କଲେ ପରୀକ୍ଷାର ପାରଦ ଶତକଡ଼ା ଏତେ ତଳକୁ ଖସିବ ଯେ ସରକାର ବଦନାମ ହେଇଯିବେ। ଗତ ସରକାର ଯୋଉ ଭାଲୁ ଧରେଇ ଦେଇ ଯାଇଛନ୍ତି ଏ ସରକାର ସେଥିରୁ ମୁକୁଳିବା ମୁସ୍କିଲ୍‍। ହବିଷ୍ୟାଳୀଙ୍କ କାର୍ତ୍ତିକ ବ୍ରତ, ତୀର୍ଥଯାତ୍ରା ଟ୍ରେନ୍‍, ଲକ୍ଷ୍ମୀବସ୍‍, ସୁଭଦ୍ରା ଯୋଜନା ଆଦିରୁ ଏହା ସ୍ପଷ୍ଟ। ଶିକ୍ଷକ ଶିକ୍ଷୟିତ୍ରୀମାନଙ୍କୁ ପାଠ ବ୍ୟତୀତ ଅଯଥା ଅଳିଆ କାମରୁ ମୁକ୍ତ କରାଯିବା ନିହାତି ଜରୁରୀ। ପିଲାଙ୍କୁ ଅଯଥାରେ ଏତେ ବହି ନ ଦେଇ ଖଣ୍ଡେ ବର୍ଣ୍ଣବୋଧରେ ସହଜରେ ଅକ୍ଷର ଶିକ୍ଷା ଦେଇହେବ। ସେଇ ପଇସାରେ ଅଧିକ ଶିକ୍ଷକ ନିଯୁକ୍ତ କରିହେବ। ପୂର୍ବତନ ମୁଖ୍ୟମନ୍ତ୍ରୀ ଓଡ଼ିଆରେ ନିରକ୍ଷର ଥିଲେ, ବର୍ତ୍ତମାନର ମୁଖ୍ୟମନ୍ତ୍ରୀ ଶିକ୍ଷକ ଥିଲେ; ବହି ଓ ପରୀକ୍ଷାର ଢାଞ୍ଚା ବଦଳାଇଦେଲେ ସାଧାରଣଙ୍କର ଆର୍ଥିକ କ୍ଷତି ନ ହୋଇ ବରଂ ବହି, ତାଲିମ୍‍ ଆଦି ପାଇଁ ବରବାଦ ହେଉଥିବା ଅର୍ଥର ଉଚିତ ବିନିଯୋଗ ହେଇ ପାରିବ, ଭାଷା ଅସ୍ମିତା ଭଣ୍ଡୁର ହେବନି, ଶିକ୍ଷାର ଅସଲ ବିକାଶ ଘଟିବ। ଜଣେ ଓଡ଼ିଆ ଏବେ ଭାରତର ଶିକ୍ଷାମନ୍ତ୍ରୀ, ଜଣେ ଶିକ୍ଷକ ଏବେ ଓଡ଼ିଶାର ମୁଖ୍ୟମନ୍ତ୍ରୀ। ଆଗାମୀ ଶିକ୍ଷାବର୍ଷରୁ ଜାତୀୟ ଶିକ୍ଷାନୀତି ଲାଗୁ ହେଉଛି; ଦେଖାଯାଉ କୋଉ ପାଣି କୋଉଠିକି ଯାଉଛି, ଭାଷା ରାଧିକା ନାଚୁଛି ନା ଅଯଥାରେ ଷାଠିଏ ମହଣ ଘିଅ ପୋଡ଼ା ହେଉଛି!!!

(‘ସାହିତ୍ୟ ଚର୍ଚ୍ଚା’ ପତ୍ରିକାର ଫେବ୍ରୁଆରି ୨୦୨୫ ସଂଖ୍ୟାରେ ପ୍ରକାଶିତ।)

9 thoughts on “ଷାଠିଏ ମହଣ ଘିଅ ଓ ଆମ ଭାଷା ରାଧିକା

  1. ଆମ ଭାଷା ବଞ୍ଚିଲେ ଆମେ ବଞ୍ଚିବା। ଭାଷାକୁ ଅଯଥା ବିକୃତ କରାନଯାଉ।

  2. ରାଧା ନାଚିବ ହିଁ ନାଚିବ…. ବଇଁଶୀ ସୁର ହେଉ ବା ସାପୁଆ କେଳାର ଗୀତ ହେଉ….
    ଭାଷା, ସାହିତ୍ୟ ଚାଷ ପ୍ରାୟତଃ ହେଉଛି… ଚଳନ୍ତି ଶିକ୍ଷିତ ସମାଜ ଏପରିକି ଶିକ୍ଷା ବିଭାଗରେ କାର୍ଯ୍ୟରତ ଶିକ୍ଷାଦାତା ଓଡ଼ିଆ ଭାଷାରେ ପୋଖତ ନୁହନ୍ତି… ପ୍ରଥମ କଥା ହେଲା…,ତିନୋଟି ଶ,ଷ, ସ… ର ବ୍ୟବହାର ଠିକ୍‌ରେ ଶିକ୍ଷକଙ୍କୁ ହିଁ ଜଣା ନାହିଁ…
    ଓଡ଼ିଆ ମାଧ୍ୟମରେ ପଢୁଥିବା ପିଲାଙ୍କ ଅବସ୍ଥା, ଇଁରାଜୀ ପଢୁଥିବା ପିଲାଙ୍କ ଅବସ୍ଥା ସମାନ….ମାତୃଭାଷା ଓଡ଼ିଆରେ ଠିକ୍ ଲେଖିବା ଦୂରର କଥା ,ପଢ଼ି ଆସୁ ନାହିଁ..ବା କହି ବି ପାରୁ ନାହାନ୍ତି…
    ରାଧାକୁ ନୁଆ ରୂପରେ ସଜେଇ ନଚେଇବା ଶାସକ,ପ୍ରଶାସକ ଓ ଶିକ୍ଷାବିତ୍ ମାନଙ୍କର ଏକ ବ୍ୟବସାୟ କହିଲେ ଅତ୍ୟୁକ୍ତି ହେବ ନାହିଁ..ନୂଆ ଶଦ୍ଦ ଅସ୍ମିତା …ଅର୍ଥ କଣ ବୁଝିବା ଦୂର କଥା…
    ଅସ୍ମିତା ବ୍ୟବହାର ପ୍ରାୟ ସବୁଠି…..
    ଓଡ଼ିଆ ଘରର ପିଲା ଯଦି ଓଡିଆରେ ଦୁର୍ବଳ….ବୁଝିବାକୁ ହେବ ଆମ ଶିକ୍ଷା ବ୍ୟବସ୍ଥା ସମ୍ପୂର୍ଣ୍ଣ ଦୁର୍ବଳ ଓ କାମ ଚଳା….

    1. ବହୁତ ଭଲ କଥା ଉପସ୍ଥାପନା କରିଛନ୍ତି ସାର୍ 🙏🙏

  3. ଶିକ୍ଷା ପ୍ରଣାଳୀ ରେ ପରିବର୍ତ୍ତନ ଅଶୋଭନୀୟ। ଏହି ଦୁର୍ବଳ ବ୍ୟବସ୍ଥାକୁ ଶିକ୍ଷା ବିଭାଗର ଅଫିସର ମାନେ ଯତ୍ନବାନ ହେଲେ ଓଡ଼ିଆ ଅସ୍ମିତା ରକ୍ଷା ହୋଇ ପାରନ୍ତା।

  4. ବ୍ରିଟିଶ ରାଜତ୍ୱ ସମୟ ରେ ଜୀବିକା ସନ୍ଧାନ ରେ ନିଜ ଗାଁ ଛାଡି ଅନେକ ଓଡ଼ିଆ ସମୁଦ୍ର ପାରି ଦେଶ ସବୁ କୁ ଚାଲିଯାଇଥିଲେ | ଗଂଜାମ ଜିଲ୍ଲା ସୋରଡ଼ା ଅଂଚଳ ରୁ 1905 ମସିହା ରେ ୠଜୁଲା, ଜଳଦୂର୍ଗରେ ଓ ଚିଲିକା ନାମକ ଜାହାଜ ରେ ଅନେକ ଓଡ଼ିଆ ଶ୍ରମିକ ମାଲେସିଆ ରବର ବଗିଚା ରେ କାମ କରିବାକୁ ଯାଇଥିଲେ | ପହଂଚିବା ପରେ ଘଞ୍ଚ ଜଙ୍ଗଲ ରେ ବିପଦଜନକ ପରିବେଶ ରେ କାମ କରିବା ର କଠିନ ପରିସ୍ଥିତି ରେ ହତୋତ୍ସାହିତ ହୋଇ ଅନେକ ପୁଣି ଫେରି ଆସିଲେ | ଯେଉଁମାନେ ତଥାପି ସାହାସ ବାନ୍ଧି ରହିଲେ, ବାଘ ଆକ୍ରମଣ , ସାପ କାମୁଡା ରେ ପ୍ରାଣହାରାଇବା ଭଳି ଦୁର୍ଘଟଣା ପରେ ମଧ୍ୟ ସେଇଠି ରହିଗଲେ ଓ ମାଲେସିଆ ର ମୁଖ୍ୟ ଜୀବନଧାରା ସହ ମିଳିମିଶି ଚଲିଲେ | ଏବେ ଶହେ ରୁ ଅଧିକ ବର୍ଷ ଅତିକ୍ରାନ୍ତ ହୋଇସାରିଛି | ମୂଳ ଦେଶାନ୍ତରୀ ହୋଇ ଯାଇଥିବା ଲୋକଙ୍କ ସପ୍ତମ ବା ଅଷ୍ଟମ ପିଢ଼ି ର ଦାୟାଦ ଦେଶ ର ନାଗରିକ | ଭାରତ ର ଅନ୍ୟ ପ୍ରାନ୍ତର ରୁ ଯାଇଥିବା ଲୋକଙ୍କ ତୁଳନା ରେ ଓଡ଼ିଆ ଙ୍କ ସଂଖ୍ୟା କମ | ତା ସତ୍ୱେ , ସେମାନେ ଆଜି ବି ଓଡ଼ିଆ ସଂସ୍କୃତି, ଚାଲିଚଳନ , ପୂଜା , ପର୍ବ ପର୍ବାଣି, ସଂଗୀତ ପରମ୍ପରା କୁ ବଞ୍ଚାଇ ରଖିଛନ୍ତି | କାହା ପ୍ରେରଣା ରେ ଏସବୁ ହେଉଛି ? ମୂଳ ଭୂଇଁ ଓପଡିଶା ରେ ଓଡ଼ିଆ ଭାଷା କୁ ବଂଚାଇବା ପାଇଁ ଯେତେବେଳେ ନୀତି, ନିୟମ ,ମାର୍ଗଦର୍ଶିକା,ପ୍ରୋତ୍ସାହନ ପ୍ରସ୍ତୁତ କରିବାକୁ ପଡୁଛି , ସେଇ ଦୂର ବିଦେଶ ଭୂଇଁ ରେ କଣ ପାଇଁ କିଛି ମୁଷ୍ଟିମେୟ ଲୋକେ ନିଜ ଭାଷା କୁ ଜାବୋଡି ଧରିଛନ୍ତି ?
    ଚାଲନ୍ତୁ ଶୁଣିବା ସେମାନଙ୍କ ନିଜ କଥା |
    କଳିଙ୍ଗ ଇତିହାସ ଚାନେଲ ଓଡିଶା ବାହାରେ ଥିବା ଓଡ଼ିଆ ମାନଙ୍କୁ ଖୋଜି , ସେମାନଙ୍କ ସହ ଏକାତ୍ମ ହୋଇ ଜାଣିବା ସହ ଓଡ଼ିଆ ଭାଷା ର ପ୍ରଚାର ଓ ପ୍ରସାର ପାଇଁ ଯତ୍ପରୋନାସ୍ତି ଚେଷ୍ଟା କରୁଛି | ଏଥିରେ ଶ୍ରୀମତୀ କମଳା କୁମାରୀ ଦାସ ଙ୍କ ଭଳି ନିଃସ୍ୱାର୍ଥପର ସ୍ବେଛାସେବୀ ଙ୍କ ଅବଦାନ ପାଇଁ ଖାଲି ଆମେ ନୁହେଁ, ଏ ଓଡ଼ିଆ ଜାତି କୃତଜ୍ଞ ରହିବା ଉଚିତ | କଳିଙ୍ଗ ଇତିହାସ ର କାର୍ଯ୍ୟକ୍ରମ ରୁ ମାଲେସିଆ ବାସି ଓଡ଼ିଆ ମାନଙ୍କ ଭାଷା ଲେଖିବା ଓ ପଢିବା ଆଗ୍ରହ ଦେଖି ସେ ସ୍ବେଛାରେ ଆଭାସୀ ମାଧ୍ୟମରେ ଓଡ଼ିଆ ଶିଖାଇବା କାର୍ଯ୍ୟକ୍ରମ ହାତକୁ ନେଇଛନ୍ତି ଓ ତାଙ୍କ ସଫଳତା ଭାବେ ଦୁଇ ଜଣ ବ୍ୟକ୍ତି ଓଡିଆ ରେ ଲେଖିବା କାର୍ଯ୍ୟ ସାରିଲେଣି | ଆହୁରି ଅନେକ ଓଡ଼ିଆ ଲୋକ ଏବେ ଓଡ଼ିଆ ଅକ୍ଷର ପରିଚୟ ସାରିବାକୁ ବସିଛନ୍ତି |
    https://www.youtube.com/watch?v=JRPiX9BSJE8&t=1002s

  5. ମୋ’ର ଓଡ଼ିଆ ସାହିତ୍ୟ ରେ ଜ୍ଞାନ ନାହିଁ କହିଲେ ଚଳେ l କିନ୍ତୁ ମୁଁ ଓଡ଼ିଶାକୁ ଓ ଓଡ଼ିଆ ଭାଷାକୁ ଅତି ଭଲ ପାଏ l ସବୁବେଳେ ଖାଣ୍ଟି ଓଡ଼ିଆରେ କଥା ବାର୍ତ୍ତା କରିବାକୁ ଚେଷ୍ଟା କରେ l ଦୁଃଖ ର କଥା, ଆଜି କାଲି ପ୍ରାୟ ସମସ୍ତେ ଓଡ଼ିଆ ଜାଣି ମଧ୍ଯ ଇଂରାଜୀ କହିବାକୁ ନିଜର ଗାରିମା ବୋଲି ମନେକରନ୍ତି l ଓଡ଼ିଆରେ ଲେଖି ପାରିବେ କି ନା, ସନ୍ଦେହ l ଯାହାହେଉ, ଆପଣଙ୍କ ପରି କିଛି ମହାନ୍ ଓଡ଼ିଆ ଆମ ଭାଷା ର ଉନ୍ନତି ପାଇଁ ଚେଷ୍ଟା ଜାରି ର ରଖିଛନ୍ତି, ସେଥିପାଇଁ ଅଶେଷ ଧନ୍ୟବାଦ l ଇଶ୍ଵର ଆପଣମାନଙ୍କୁ ସହାୟ ହୁଅନ୍ତୁ l ଜୟ ଜଗନ୍ନାଥ

Leave a Reply

Your email address will not be published. Required fields are marked *