ଆମ ଭାଷା

କଥିତ ଭାଷାର ବ୍ୟାକରଣିକ ନିୟମସବୁ ଢିଲା ବୋଲି କେତେକ ଲୋକଙ୍କ ଧାରଣା ଠିକ ନୁହେଁ।

ପ୍ରଫେସର ପଞ୍ଚାନନ ମହାନ୍ତି

‘ସାହିତ୍ୟ ଚର୍ଚ୍ଚା’ର ଜାନୁଆରୀ,୨୦୨୫ ସଂଖ୍ୟାରେ ପ୍ରକାଶିତ ସମ୍ପାଦକୀୟ, ‘ଛି ନା ଚି’ ଓ ଏହାର କିଛି ପାଠକୀୟ ପ୍ରତିକ୍ରିୟା ମୋ ଦୃଷ୍ଟିକୁ ଆସିଛି। ଏ ସମ୍ପର୍କରେ କେତୋଟି ଉଲ୍ଲେଖନୀୟ କଥା ଏଠି ଉତ୍ଥାପନ କରିବା ଉଚିତ ମଣୁଚି।
ଭାଷାରେ ପରିବର୍ତ୍ତନ ଅପରିହାର୍ଯ୍ୟ। ମଣିଷ ପ୍ରାୟ ଦୁଇ ଲକ୍ଷ ବର୍ଷ ହେଲା କଥା କହିଆସୁଥିଲେ ହେଁ ଲେଖାଲେଖି ମାତ୍ର ପାଞ୍ଚ ହଜାର ବର୍ଷ ତଳର ଘଟଣା। ଲିଖିତ ଭାଷାର ଆଦର୍ଶ କଥିତ ଭାଷା, ଅନ୍ୟଥା ନୁହେଁ। ଭାଷାରେ ପରିବର୍ତ୍ତନକୁ ଯଦି ଆମ ପୂର୍ବସୂରୀମାନେ ସ୍ୱୀକାର କରିନଥାନ୍ତେ, ତେବେ ଆମେ ଏ ପର୍ଯ୍ୟନ୍ତ ସଂସ୍କୃତ କହିଚାଲିଥାନ୍ତେ।
ବିଶ୍ୱକବି ରବୀନ୍ଦ୍ରନାଥ କବିତା, ଗଳ୍ପ, ପ୍ରବନ୍ଧ, ସବୁଥିରେ କଥିତ ବଙ୍ଗଳାଭାଷାକୁ ପ୍ରାଧାନ୍ୟ ଦବାରୁ ସେଥିରେ ଏକ ଅଭୂତପୂର୍ବ ପରିବର୍ତ୍ତନ ଘଟିଲା। ସେ ‘ସ୍କୁଲ’ ସ୍ଥାନରେ ଚଳିତ ବଙ୍ଗଳାର ‘ଇସ୍କୁଲ’ ବ୍ୟବହାର କରିଥିବାରୁ ମାନକ ବଙ୍ଗଳାରେ ଏବେ ଉଚ୍ଚ ଶିକ୍ଷିତ ବଙ୍ଗାଳୀମାନେ ବି ‘ଇସ୍କୁଲ’ ଲେଖୁଚନ୍ତି। ଓଡ଼ିଆରେ ପଣ୍ଡିତ ନୀଳକଣ୍ଠ ତାଙ୍କ ଲେଖାରେ କଥିତ ଭାଷାକୁ ପ୍ରାଧାନ୍ୟ ଦେଇଚନ୍ତି।
ତାପରେ ଭାଷାରେ ଶୁଦ୍ଧ-ଅଶୁଦ୍ଧ ବା ଭୁଲ-ଠିକ ବିଚାର ଅବାଞ୍ଛନୀୟ। ଯେମିତି କୌଣସି ଏକ ଅଞ୍ଚଳର ବା ସମ୍ପ୍ରଦାୟର ଲୋକଙ୍କୁ ଆମେ ନିକୃଷ୍ଟ ବୋଲି କହିପାରିବାନାହିଁ, ସେମିତି ସେମାନଙ୍କ ଭାଷାକୁ ମଧ୍ୟ ସମ୍ମାନ ନ ଦବା ଏକ ଗର୍ହିତ କାର୍ଯ୍ୟ। ଏପରି କଲେ ଏହାକୁ ‘ଭାଷାଗତ ଅସ୍ପୃଶ୍ୟତା’ ବୋଲି କୁହାଯାଇପାରିବ। ଆମର ଏଇ ଅବୈଜ୍ଞାନିକ ମନୋବୃତ୍ତିପାଇଁ କୋଶଳୀ ଓଡ଼ିଆ ନୁହେଁ ବୋଲି ଦାବି ଉଠୁଚି।

ଏଠି ମୁଁ ସ୍ପଷ୍ଟ କରିଦିଏ ଯେ ମାନକ ଓଡ଼ିଆଠୁ କୋଶଳୀ ଯେତେ ଭିନ୍ନ, ଆମ ଅଞ୍ଚଳର ଅର୍ଥାତ ଉତ୍ତର ଓଡ଼ିଶାର ଭାଷା ‘ତୋଷଳୀ’ରେ ତା’ଠୁ ଆହୁରି ବେଶି ସ୍ୱତନ୍ତ୍ର ଲକ୍ଷଣସବୁ ରହିଚି। କେତୋଟି ଉଦାହରଣ ଦେଲେ କଥାଟି ସ୍ପଷ୍ଟ ହବ।
କ) ଓଡ଼ିଆରେ /ଳ/ ଧ୍ୱନି ରହିଥିବା ବେଳେ କୋଶଳୀରେ ଏହା ନାଇଁ। ଠିକ ସେମିତି ଓଡ଼ିଆରେ ଓ କୋଶଳୀ ଉଭୟରେ /ଓ/ ଧ୍ୱନି ଅଛି; କିନ୍ତୁ ତୋଷଳୀରେ ଏହା ନାଇଁl। ଏଥିପାଇଁ ‘ଗୋଡ଼’ ଓ ‘ଚୋର’ ଉତ୍ତର ଓଡ଼ିଶାରେ ‘ଗୁଡ଼’ ଓ ‘ଚୁର’ ପାଲଟିଯାଏ।
ଖ) କୋଶଳୀରେ କ୍ରିୟାପୂର୍ବରୁ ନାସ୍ତିବାଚକ ରହୁଥିବା ବେଳେ ତୋଷଳୀରେ ଏହା ସବୁଠି କ୍ରିୟାପରେ ଲାଗେ। ଦୃଷ୍ଟାନ୍ତ ସ୍ୱରୂପ, ମୁଁ କାଲି ଘରେ ଖାଇଲିନି/ଶୋଇଲିନି/ଥିଲିନି/ଥିବିନି l ଓଡ଼ିଆରେ ଏହାର ରୂପ ହବ- ମୁଁ କାଲି ଘରେ ଖାଇଲିନି/ଶୋଇଲିନି, କିନ୍ତୁ ନଥିଲି/ନଥିବି।
ଗ) ପୁଣି ଓଡ଼ିଆର “ମୁଁ ଖାଇବାକୁ ଯିବି।” କୋଶଳୀରେ “ମୁଇଁ ଖାଇବାଲାଗି ଯିମି।” ହୁଏ। କିନ୍ତୁ ତୋଷଳୀରେ ଏହାର ରୂପ “ମୁଁ ଖାଇତେ ଯିମି।”
ଘ) ଶବ୍ଦ ସ୍ତରରେ ମଧ୍ୟ ଅନେକ ପାର୍ଥକ୍ୟ ଅଛି। ଯେମିତି, ଓଡ଼ିଆର “ସେ ଖୁବ ଦୁର୍ବଳ ହେଇଗଲାଣିl” ତୋଷଳୀରେ “ସିଏ ଖୁବ ଭାଗିଗଲାଣି।” ହୁଏ।
ତୋଷଳୀର ଏଇ ସ୍ୱାତନ୍ତ୍ର୍ୟସବୁ ଭୁଲ ବା ଅଶୁଦ୍ଧ ନୁହେଁ କି ତୋଷଳୀ ଅଲଗା ଭାଷା ନୁହେଁ। ଏହା ଓଡ଼ିଆ ଭାଷାର ଅନ୍ୟ ଏକ ରୂପ।
କଥିତ ଭାଷାହିଁ ଲିଖିତ ଭାଷାର ମୂଳଦୁଆ। ତେଣୁ ବ୍ୟାକରଣର ଭିତ୍ତି କଥିତ ଭାଷା ହବା ଦରକାର। କଥିତ ଭାଷାର ବ୍ୟାକରଣିକ ନିୟମସବୁ ଢିଲା ବୋଲି କେତେକ ଲୋକଙ୍କ ଧାରଣା ଠିକ ନୁହେଁ। ବ୍ୟାକରଣ ମଣିଷର ମସ୍ତିଷ୍କରେ ଥାଏ। ଫଳରେ ଯେ କୌଣସି ନିରକ୍ଷର ଲୋକ ତା’ ଭାଷା ଠିକ ଭାବେ ବୁଝିପାରେ ଓ କହିପାରେ। ଏଥିପାଇଁ ତା’ର ସ୍କୁଲ ଯିବା ଦରକାର ନାଇଁ କି ବ୍ୟାକରଣ ବହି ପଢିବା ଦରକାର ନାଇଁ।
ଆମର କଥିତ ଓଡ଼ିଆକୁ ଠିକରୂପେ ବୁଝିନଥିବାଯୋଗୁଁ ଅନେକ ଉଚ୍ଚ ଶିକ୍ଷିତ ଲୋକ ଶବ୍ଦ-ଆରମ୍ଭରେ ‘ଡ’ ଜାଗାରେ ‘ଡ଼’ ଲେଖୁଚନ୍ତି। ଉଦାହରଣ ସ୍ୱରୂପ, ‘ଡକ୍ଟର’ ବା ‘ଡାକ୍ତର’ ସ୍ଥାନରେ ‘ଡ଼:’ ଓ ‘ଡ଼ା:’ ଚାରିଆଡ଼େ ଦେଖିବାକୁ ମିଳୁଚି।
ଆମେ ବୁଝିବା ଉଚିତ ଯେ କଥିତ ଭାଷା ବଦଳିଲେ ତଦନୁସାରେ ବ୍ୟାକରଣ ସହିତ ଲିଖିତ ଭାଷାର ପରିବର୍ତ୍ତନ ଆବଶ୍ୟକ। ଏବର ଓଡ଼ିଆମାନେ ତ ବକ୍ତବ୍ୟ ‘ରଖୁଚନ୍ତି’। ଟିକେ ଯତ୍ନର ସହିତ ଶୁଣିଲେ ଆମେ ଦେଖିବା ଯେ କଥିତ ଓଡ଼ିଆରେ ‘ରଖୁଚନ୍ତି’ ହିଁ ଚଳେ। ତେଣୁ ‘ରଖୁଛନ୍ତି’ ବଦଳରେ ‘ରଖୁଚନ୍ତି’ ଲେଖିବା ଅଶୁଦ୍ଧ ବା ଭୁଲ, ଏପରି ବିଚାର ଅସ୍ପୃହଣୀୟ ଓ ଅନାବଶ୍ୟକ।
ଆଉ ଗୋଟିଏ ଗୁରୁତ୍ୱପୂର୍ଣ୍ଣ କଥା। ଭାଷାରେ ଘଟୁଥିବା ପରିବର୍ତ୍ତନସବୁ ପଞ୍ଜୀକୃତ ହେଇ ରହିଲେ ଯାଇ ତା’ର ମତିଗତି ସ୍ଥିର କରାଯାଇପାରିବ ଓ ତା’ର ଇତିହାସ ଲେଖା ମଧ୍ୟ ସମ୍ଭବ ହବ। ଆମ ସଂଗ୍ରହାଳୟଗୁଡିକରେ ମୁଖ୍ୟତଃ ବିଭିନ୍ନ ବିଷୟବସ୍ତୁକୁ ପ୍ରାଧାନ୍ୟ ଦେଇ ପୋଥିଗୁଡିକ ସଂଗ୍ରହ କରି ରଖାଯାଇଚି। ଭାଷାକୁ ବିଚାର କରି କିଛି ପୋଥି ସଂଗ୍ରହ କରିବାଲାଗି ଚାରିଜଣ ବିଶିଷ୍ଟ ପୋଥିସଂଗ୍ରହକାରୀ ପଣ୍ଡିତଙ୍କୁ ମୁଁ ଅନୁରୋଧ କରିବା ସତ୍ତ୍ୱେ ଏହା ସମ୍ଭବ ହେଇନାହିଁ। ଆମ ରାଜ୍ୟରେ ଓ ଅଭିଲେଖ ତୁଳନାରେ ପୋଥିର ବ୍ୟାପକତା ବେଶି। ବିଭିନ୍ନ ଯୁଗର ସାହିତ୍ୟ ଓ ଅଭିଲେଖ ମିଳୁଥିବା ସତ୍ତ୍ୱେ ଏଇ କାରଣରୁ ଓଡ଼ିଆ ଭାଷାର ଏକ ନିର୍ଭରଯୋଗ୍ୟ ଇତିହାସ ଲେଖିବା କଷ୍ଟକର ହେଇପଡ଼ିଚି।
ଆମ ଭାଷାରେ ଘଟୁଥିବା ପରିବର୍ତ୍ତନକୁ ଲିପିବଦ୍ଧ କରିବା ଉଦ୍ଦେଶ୍ୟରେ ବହୁ ବର୍ଷ ଧରି ମୁଁ ‘ଛି’ ସ୍ଥାନରେ ‘ଚି’ ଲେଖିଆସୁଚି।

2 thoughts on “ଆମ ଭାଷା

  1. ପ୍ରଫେସର ମହାନ୍ତି ସାର୍,

    ଆପଣ ଠିକ୍ ହିଁ ‘କହିଚନ୍ତି’ ।

    ମୋ ମତରେ, ଲିପି ଓ ଲେଖାକୁ ଆମେ ଆମ ଅବଚେତନ ମନରେ
    “ଭାଷା” ବୋଲି ସଂଭବତଃ ଭୁଲ୍ ରେ ହିଁ ଗ୍ରହଣ କରି ‘ନେଇଚେ’ ।

    ଏକଥା ବୁଝିକରି ବି ଯେ, ଭାଷାର ମୁଖ୍ଯ କାମ :: କହିବା ଓ ଶୁଣିବା ।
    ଲେଖିବା ଓ ପଢ଼ିବା ନୁହେଁ ।

    ଲେଖିବା ‘ହେଉଚି’ , କହିବାର ଗୋଟେ ପରବର୍ତ୍ତୀ ଏବଂ ପରିମାର୍ଜିତ ଅବା ପରିବର୍ତ୍ତିତ ବ୍ଯାପାର ।

    ଅ, ଆ , କ, ଖ ଆଦି ରୁ ନିଶ୍ଚିତ ଭାବରେ ଭାଷା ଶିଖାଯାଏ ନାହିଁ।
    ବରଂ, ଅନ୍ଯ କାହାର କହିବାରୁ ହିଁ, ଭାଷା ଆମ ମୁଣ୍ଡ ଭିତରକୁ ଆସେ । ଗୋଟେ ଶିଶୁ, ତା’ର ପ୍ରାୟ ଦେଢ଼ ବର୍ଷ ବୟସରୁ କହିବା ଆରମ୍ଭ କରିଦିଏ । ତାହା ସଂଭବ ହୁଏ, କେବଳ ଅନ୍ଯମାନେ କହୁଥିବା କଥାକୁ ଶୁଣି । ଆଶ୍ଚର୍ଯ୍ୟର କଥା, ବ୍ୟାକରଣିକ ନିୟମ ସବୁ ବି ଶିଶୁର ଅବଚେତନ ମନରେ ଘର କରି ନିଅନ୍ତି, ଅଳ୍ପ ଟିକେ ଟିକେ ତାଡ଼ନା ସହ ।

    ଲିପି ସହିତ ତା’ର ପରିଚିତି ଘଟେ, ବୟସ ଯେତେବେଳେ ଚାରି ଅଥବା ପାଂଚ । ଏବଂ ସେ କୌଣସି ଲେଖାକୁ ଲେଖା ଭାବରେ ପଢ଼େ, ଆହୁରି ପରେ ।

    ସାହିତ୍ଯ କୁ ପଢ଼େ ଓ ଭଲପାଏ, ବହୁତ ପରେ ।
    ୟା ଭିତରେ କିନ୍ତୁ, ସାହିତ୍ଯ, ଲିପି ଓ ଭାଷା ଏକା କଥା ବୋଲି ତାର ଅବବୋଧ ଟି କେମିତି କେଜାଣି, ପକ୍କା ହୋଇସାରିଥାଏ ।

    ଲିପି ହେଉଛି, ଭାଷାକୁ ଦୀର୍ଘସ୍ଥାୟୀ କରି ରଖିବାର ଏକ ଉପାୟ ମାତ୍ର । ଲିପି କିନ୍ତୁ ନିଜେ ଭାଷା ନୁହେଁ । ସଂସ୍କୃତ ଭାଷାକୁ ଦେବନାଗରୀ ଲିପିରେ ଆମେ କ’ଣ ପଢ଼ିନେ ?

    ଅକ୍ଷର ଅଥବା ଲିଖିତ ଶବ୍ଦ ହେଉ, ବାକ୍ଯ ହେଉ ବା ବହୁକାଳରୁ ଅନୁସୃତ ବ୍ୟାକରଣ ହେଉ, ଏସବୁ ଭାଷାର ରକ୍ଷଣଶୀଳ ଅବଧାରଣା ଓ ସେସବୁର ସଂରକ୍ଷିତ ଚିତ୍ର ମାତ୍ର ।

    ଭାଷା କିନ୍ତୁ, କେବଳ ଆମେ ଯାହା କହୁ ଓ ଶୁଣୁ ।

    ପ୍ରାୟତଃ ଆମେ, ବର୍ଣ୍ଣ ଅଶୁଦ୍ଧି ଅଥବା ବ୍ୟାକରଣ ବିଭ୍ରାନ୍ତି ନେଇ ଖୁବ୍ ବେଶି ବିଚଳିତ ହେଇପଡ଼ୁ ଏବଂ ଭାଷାର ନୈରାଶ୍ୟଜନକ ପରିସମାପ୍ତି ଏପରିକି ଅସମୟ ମୃତ୍ଯୁ ସଂପର୍କରେ ମଧ୍ଯ, ଉତ୍କଣ୍ଠିତ ଓ ଉତ୍ତେଜିତ ହୋଇପଡ଼ୁ, ଯାହା ମୋ ମତରେ ନିହାତି ଅମୂଳକ ।

    ଥରେ ଥରେ ଭାବେ, ମଧୁ ରାଓ ବର୍ଣ୍ଣବୋଧ ଲେଖିବା ପୂର୍ବରୁ ସେତେବେଳର ଓଡ଼ିଆଏ, ନିଜ ଭାଷାକୁ କେମିତି ଅବା ଶିଖିଥିଲେ ସତରେ !!

    ନିଜେ ମଧୁ ରାଓ, କେଉଁ ବହି ସବୁ ପଢ଼ି ଓଡ଼ିଆ ଭାଷାକୁ ଶିଖିଥିଲେ ??

    ଆଉ ଟିକେ ପଛକୁ ଗଲେ, ଜଗନ୍ନାଥ ଦାସ, ଶାରଳା ଦାସ ଆଦି ଙ୍କ ପାଇଁ, ଓଡ଼ିଆ ଭାଷା ସେମିତି ଶୁଣିବା– କହିବା ପ୍ରକ୍ରିୟାରୁ ଆରମ୍ଭ ହେଇଥିଲା ,
    ନା ପଢ଼ିବା–ଲେଖିବା ନିୟମ ସବୁକୁ ମାନି ??

    ଯେମିତି, ଦୁଇ ପ୍ରକାରର ଇ ବା ଈ ଅଥବା ଉ ବା ଊ ଅଥବା ତିନି ପ୍ରକାରର ସ, ଶ,ଷ ଅଥବା ଦୁଇ ପ୍ରକାରର ଜ ବା ଯ କୁ, ସେତିକି ସେତିକି ପ୍ରକାରେ କହି ନା ସେତିକି ପ୍ରକାରର ପଢ଼ି ??

    ସେମାନେ– ସେଇ ପ୍ରସିଦ୍ଧ ରଚନାକାର ମାନେ — କେଉଁଥିରୁ ଅବା କେଉଁ ବହିରୁ ଶିଖିଥିଲେ ଓଡ଼ିଆ ଭାଷାର ଅ, ଆ
    ଅଥବା ବା ଚି-ଛି ର ନିୟମ ଓ ବ୍ୟାକରଣ ??

    ଆପଣଂକୁ ନମସ୍କାର ‘କରୁଚି’ ।

    ଶ୍ଯାମା ପ୍ରସାଦ ଚୌଧୁରୀ

  2. ଲିଖିତ ସାହିତ୍ୟ ହେଲା ଲିପିବଦ୍ଧ ବା ରେକର୍ଡେଡ୍। ଏହା କହୁଥିବା କଥାଟିକୁ ପ୍ରାଞ୍ଜଳ ଓ ନିର୍ମଳ ଭାବେ ପରିବେଷଣ କରିଥାଏ।
    କଥିତ ଭାଷା ଦେଶକେ ଫାଙ୍କ୍, ନଈକେ ବାଙ୍କ ନୀତି ଅନୁସରଣ କରିଥାଏ।
    ଆମ ଓଡ଼ିଶାରେ ସମାନ ଅର୍ଥବୋଧକ କଥାଟିକୁ ଅଞ୍ଚଳ ଭିତ୍ତିରେ କୋଡ଼ିଏ ପ୍ରକାର ଭାଷାରେ କୁହାଯାଇଥାଏ। କିନ୍ତୁ ଏକ ଉଦ୍ଦେଶ୍ୟ, ଶୁଣିବା ଲୋକ ଠିକ୍ ଅର୍ଥରେ କଥାଟି ଗ୍ରହଣ କରୁ। ଏପରିକି ସ୍ଥଳ ବିଶେଷରେ କଥାଟିକୁ ଆଂଶିକ ଭାବେ କହି , କହୁଥିବା ବ୍ୟକ୍ତି କଥା ବନ୍ଦ କରିଦିଅନ୍ତି। ସମଝଦାରକୋ ଇସାରା କାଫି ନୀତିରେ। ଲିଖିତ ଭାଷା ଏପରି କରିପାରିବ କି ?
    କଥିତ ଭାଷା ପବନରେ ଉଡିଯାଏ । ସେ ତା ଧର୍ମରେ ରହୁ। ଲିଖିତ ଭାଷା କାଳ କାଳକୁ ଦୃଶ୍ୟମାନ, ପଠନୋଦ୍ଦିଷ୍ଟ ହୋଇ ରହେ। ଯାହା ଦୃଶ୍ୟମାନ, ପଠନୋଦ୍ଦିଷ୍ଟ , ତାହା ପ୍ରତି ଯଥେଚ୍ଛାଚାର କରାଯାଇ ପାରିବ କି ?

Leave a Reply

Your email address will not be published. Required fields are marked *