ଥରେ ଗୋଟେ ବ୍ୟାଧ ମୋର ସ୍ୱାଦିଷ୍ଟ ମାଂସ ଖାଇବା ପାଇଁ ଶର ବିଦ୍ଧକରି ମତେ ମାରିଦେଲା।

ମୁଁ ଗୋଟେ ଚଢ଼େଇ ହୋଇ ଖୁବ୍ ଆନନ୍ଦରେ ଉଡ଼ୁଥାଏ। ଥାଏ ଭାରି ଖୁସିରେ। ଥରେ ଗୋଟେ ବ୍ୟାଧ ମୋର ସ୍ୱାଦିଷ୍ଟ ମାଂସ ଖାଇବା ପାଇଁ ଶର ବିଦ୍ଧକରି ମତେ ମାରିଦେଲା।
ଏହାପରେ ମୁଁ ଗଲି ସ୍ୱର୍ଗଲୋକକୁ। କିଛି ବର୍ଷପରେ ବ୍ୟାଧଟି ମଲା ଓ ସେଇଠି ପହଞ୍ଚିଲା। ତା’ ପରେ ଯମ ଚିତ୍ରଗୁପ୍ତକୁ କହିଲେ, ପାଞ୍ଜି ଦେଖିଲ, ଏ ବ୍ୟାଧ କ’ଣ କ’ଣ କରିଛି। ତାକୁ ଦଣ୍ଡ ଦିଆଯିବ ନା ଛାଡ଼ି ଦିଆଯିବ ଦେଖିସାରି କୁହ।
ଚିତ୍ରଗୁପ୍ତ ଦେଖିସାରି କହିଲେ, ଏ ଯେଉଁ ଚଢ଼େଇଟା ନନ୍ଦନକାନନରେ ବୁଲୁଛି ତାକୁ ଇଏ ହତ୍ୟା କରିଥିଲା। ତେଣୁ ବ୍ୟାଧକୁ ଚଢ଼େଇ କରାଯାଉ ଓ ଚଢ଼େଇକୁ ବ୍ୟାଧ ଜନ୍ମ ଦିଆଯାଉ। ସେ ବ୍ୟାଧ ହୋଇ ଚଢ଼େଇକୁ ହତ୍ଯା କରିବ। ନ୍ୟାୟ ଏହାହିଁ କହୁଛି।

ଯମ ସମ୍ମତି ଜଣାଇଲେ।
ନନ୍ଦନକାନନରୁ ମତେ ଡାକିଆଣି ଖବରଟା ଜଣେଇଦିଆଗଲା। ସେଠାରେ ଉପସ୍ଥିତ ଥିବା ସମସ୍ତେ ଚିତ୍ରଗୁପ୍ତ ଓ ଯମଙ୍କ ନ୍ୟାୟରେ ଖୁସି ପ୍ରକଟ କଲେ। କିନ୍ତୁ ମୁଁ ଖୁସି ହୋଇ ପାରିଲିନାହିଁ। ଯମଙ୍କୁ କହିଲି, ଆପଣଙ୍କ ପାଞ୍ଜି ଅନୁଯାୟୀ ମୁଁ ବ୍ୟାଧ ହେବି। ବ୍ୟାଧ ଚଢ଼େଇ ହେବ। ସେ ମୋ ଦ୍ୱାରା ହତ୍ୟା ହେଲାପରେ ଏଠାକୁ ଆସିବ। ତା’ପରେ ମୁଁ ବି ଆସିବି। ସେତେବେଳେ ଆପଣ ଦୁହେଁ ଠିକ୍ ଏଇଭଳି ନ୍ୟାୟ ପ୍ରଦାନ କରିବେ। ଆମେ ବାରମ୍ବାର ଚଢ଼େଇ ଓ ବ୍ୟାଧ ଏବଂ ବ୍ୟାଧ ଓ ଚଢ଼େଇ ହେଉଥିବୁ। ଆଉ କିଛି ନୂଆ କଥା ନାହିଁ?
ପୃଥିବୀରେ କିନ୍ତୁ ଏଭଳି ନ୍ୟାୟ ଭଲ କାମ ଦିଅନ୍ତା। କିନ୍ତୁ ଓକିଲ ନଥିବେ, ଥିବେ କେବଳ ଚିତ୍ରଗୁପ୍ତ।
ଶ୍ରୀ ହରେକୃଷ୍ଣ ସାହୁଙ୍କ ଲିଖିତ କ୍ଷୁଦ୍ରଗଳ୍ପ ‘ଯମଦଣ୍ଡ’ରେ ଅନ୍ତର୍ନିହିତ ମାର୍ମିକ ସନ୍ଦେଶ ଅତି ଗୁରୁତ୍ବପୂର୍ଣ୍ଣ। ମହାଶୟଙ୍କ ଭାବନା, ଶବ୍ଦ ସଂଯୋଜନା ଅତି ସୁନ୍ଦର,ମନକୁ ଛୁଇଁଲା।
ଲେଖକଙ୍କୁ ପ୍ରଶଂସା, ପ୍ରେରଣା ,ଶୁଭେଚ୍ଛା ସହ ସମ୍ମାନ।
ତାଙ୍କର ପରବର୍ତ୍ତୀ ସୃଷ୍ଟି ପାଇଁ ଅପେକ୍ଷାରେ …..
ଖୁବ୍ ସୁନ୍ଦର ଉପାଖ୍ୟାନ।ସରଳ ଭାଷାରେ ସରଳ ଭାବରେ ସେ ଚଢ଼େଇର ମୁହଁରେ ନ୍ୟାୟର ପରିଣାମ କଥା କହିଛନ୍ତି।ସତରେ ଆଜି ମନେହେଉଛି ଏମିତିଆ ନ୍ୟାୟ ତ ପ୍ରାୟ ଦେଖିବାକୁ ମିଳୁଛି।
ନ୍ୟାୟର ଏ ଘୂର୍ଣନମୟ ଅବସ୍ଥା କେବେ ବଦଳିବ କିଏ କହିବ।ଏହା ନ୍ୟାୟାଳୟର କଥା ବା ବ୍ୟବସ୍ଥାର କଥା ନୁହଁ ସବୁ କ୍ଷେତ୍ରରେ ଏହାର ଉଦାହରଣ ଦେଖିବାକୁ ମିଳୁଛି।
ଖୁବ୍ ମାର୍ମିକ କଥା ଲେଖିଛନ୍ତି ଲେଖକ l କେବେ ନ୍ୟାୟ ବ୍ୟବସ୍ଥା ରେ ସୁଧାର ଆସିବ?