ଆମେମାନେ ମୂଷାମରା ଉକୁଣିମାରିଠାରୁ ଆଗେଇ ଆସି ନିଜେ ମରିବା ଜାଲରେ ଛନ୍ଦି ହୋଇସାରିଲେଣି !

ଦିନ ଥିଲା ଗାଁ ଦାଣ୍ଡରେ ପୁରୁଷ ଓ ସ୍ତ୍ରୀ ଲୋକମାନେ ଅନାଇ ବସୁଥିଲେ କେଉଁଦିନ ମୂଷାମରା ଓ ଉକୁଣିମାରି ବୋଲି ଉଚ୍ଚସ୍ୱରରେ କହିବୁଲୁଥିବା ଲୋକଟି ଆସିବ। ପୁରୁଷମାନଙ୍କର କାମ ହେଲା ଧାନକୁ ନଷ୍ଟ କରୁଥିବା ମୂଷାଙ୍କୁ ମାରିବା ପାଇଁ ବିଷ କିଣିବା ଆଉ ସ୍ତ୍ରୀ ଲୋକଙ୍କ ଲକ୍ଷ୍ୟ ହେଲା ସେମାନଙ୍କର ମୁଣ୍ଡବାଳରେ ବାସକରି ଅହରହ ବିବ୍ରତ କରୁଥିବା ଉକୁଣିକୁ କିପରି ନିପାତ କରିବା।
ଏ ହେଉଛି ଆମ ପିଲାଦିନର କଥା। ଗାଁ ଗହଳରେ ଦିନ ବିତାଇଥିବା ଅନ୍ୟମାନଙ୍କର ଅନୁଭୂତି ଅଳ୍ପବହୁତେ ଥିବ। ସେ ସମୟରେ ବୁଲାବିକାଳି ହରେକ ରକମର ଜିନିଷ ଆଣି ପହଞ୍ଚିଯାଏ। ଗାଁ ମାଇପିମାନେ ତାକୁ ବେଢ଼ି ଯାଆନ୍ତି। ସ୍ନୋ, ପାଉଡର, ସିନ୍ଦୂର, ଅଳତା, କୁଙ୍କୁମ, ରିବନ ଆଦି ଜିନିଷ ଆଣି ଆସିବ, ଯାହାକୁ ଶୁଦ୍ଧ ଭାଷାରେ କହୁଛେ ପ୍ରସାଧାନ ସାମଗ୍ରୀ। ଗାଁକୁ ଆସେ ଶଙ୍ଖାରୀ। ହରେକ କିସମର ଚୂଡ଼ିନେଇ ପହଞ୍ôଚଗଲେ ଗାଁର ଝିଅବୋହୂଙ୍କ ସେ ସମୟରେ ଭିଡ଼ ଜମିଯାଏ। ଅନ୍ୟ ସମୟରେ କିଣିବାକୁ ଇଚ୍ଛା କଲେ ଦୂର ସହରକୁ ଯିବାକୁ ପଡ଼ୁଥିଲା ନଚେତ ଗାଁ ମେଳଣ କିମ୍ବା ଯାତ୍ରାରେ ମିଳୁଥିଲା।
ସେକାଳ ପଖାଳ
ସେକାଳ ପଖାଳ ଆଉ ନାହିଁ। ସେଦିନ ଆମର ଦରକାର ଜିନିଷ ପାଇଁ ଆମେ ଖୋଜି ହେଉଥିଲୁ। ଦିନ ବଦଳିଲା। ପଖାଳରୁ ଆମେ ପିଜା ସଂସ୍କୃତିକୁ ଆସିଗଲୁ। ଆଗ କାଳର କଥା ଥିଲା ‘ଆବଶ୍ୟକତା ଉଦ୍ଭାବନର ଜନନୀ’, ବର୍ତ୍ତମାନ ବଦଳିଗଲା ଫର୍ମୁଲା। ଏବେ ହେଉଛି ‘ଉଦ୍ଭାବନ ଆବଶ୍ୟକତାର ଜନନୀ।’
ଗ୍ରାହକଙ୍କୁ ଆକୃଷ୍ଟ କରିବା ପାଇଁ ଏଭଳି ଲୋଭନୀୟ ବିଜ୍ଞାପନର ଭେଳିକିରେ ଗ୍ରାହକ ଆପେ ଆପେ ଜାଲରେ ପଡ଼ିଯାଉଛି। ଏହି ବିଜ୍ଞାପନର ଭେଳିକିକୁ ଜଣେ ବିଶେଷଜ୍ଞ ଏଭଳି ଭାବେ ବର୍ଣ୍ଣନା କରିଥିଲେ ଯେ ବିଜ୍ଞାପନ ଏଭଳି ଭାବେ ପ୍ରସ୍ତୁତ ହୋଇଥିବ ଯେ ବରଫ ଦେଶର ଜଣେ ଏସ୍କିମୋଙ୍କୁ ରେଫ୍ରିଜେରେଟର କିଣିବା ପାଇଁ ପ୍ରଲୁବ୍ଧ କରିପାରିବ!

ଏବେ ଆସନ୍ତୁ ଦେଖିବା ଗ୍ରାହକଙ୍କୁ ଆକର୍ଷିତ କରିବା ଭଳି ବିଜ୍ଞାପନର ଭେଳିକି। ଆପଣ ତ ସବୁ ମାସରେ ଯେମିତି ହେଲେ ମାସିକିଆ ସଉଦା କିଣୁଥିବେ। ଦେଖିବେ ପ୍ରତି ଦୋକାନରେ ବିଭିନ୍ନ ସାମଗ୍ରୀ ଉପରେ କିଛି ନା କିଛି ରିବେଟ୍ ଲେଖାଥିବ। ମନ ଟାଣିହେବ ରିବେଟ୍ବାଲା ଜିନିଷ କିଣିବାକୁ। କିଛି ଦୋକାନ ଚାଲାକ କରି ଲେଖିଦେବେ ଯେ ମାସର ପ୍ରତ୍ୟେକ ସୋମବାର ଡ଼ାଲି ଚାଉଳ ଉପରେ ପାଞ୍ଚ ପ୍ରତିଶତ ରିବେଟ। ବୁଧବାର ତେଲ, ଘିଅ ଉପରେ ରିବେଟ, ଶୁକ୍ରବାର ପ୍ରସାଧାନ ସାମଗ୍ରୀ ଉପରେ ରିବେଟ ଏହିଭଳି ସ୍କିମ୍ ଅଛି। ସାଧାରଣତଃ ଦୋକାନରେ ରବିବାର ଭିଡ଼ ହୁଏ ମାତ୍ର ଏଭଳି କଲେ ଦୋକାନରେ ଗ୍ରାହକ ପ୍ରାୟ ପ୍ରତିଦିନ ପହଞ୍ଚିଯାନ୍ତି। ଗୋଟିଏ ରିବେଟ୍ ଜିନିଷ କିଣିବା ସହ ଅନ୍ୟ ଜିନିଷ ମଧ୍ୟ କିଣିଦିଅନ୍ତି। ସେହିଭଳି କିଛି ଦୋକାନୀ ଆରମ୍ଭ କରିଛନ୍ତି ଯେଉଁ ଗ୍ରାହକ ବାରମାସ ତାଙ୍କ ଦୋକାନରେ ସଉଦା ନିର୍ଦ୍ଦିଷ୍ଟ ମୂଲ୍ୟର କିଣିବେ ସେ ତେର ମାସରେ ସଉଦା ସେହି ମୂଲ୍ୟର ମାଗଣା ପାଇବେ। ଏହା ଫଳରେ ଦୋକାନୀ ଗ୍ରାହକଙ୍କୁ ବାନ୍ଧି ରଖିବାକୁ ସକ୍ଷମ ହୋଇପାରୁଛି।
ଆପଣ ଯଦି କିଛି ଘରକରଣା ଜିନିଷ ପାଇଁ ଦୋକାନକୁ ଯିବେ ଦୋକାନ ଆଗରେ ଆପଣଙ୍କୁ ସମ୍ଭାଷଣ ଜଣାଇବ ଗୋଟିଏ ବିଜ୍ଞାପନ, ‘ଶୂନ୍ୟ ପ୍ରତିଶତ ସୁଧ’। ତା’ ମାନେ ଆପଣ ଟେଲିଭିଜନ ହେଉ ବା ରେଫ୍ରିଜିରେଟର ହେଉ ସେଇ ପ୍ରକାରର ଜିନିଷ କିଣିବେ ଆଉ କିସ୍ତିରେ ପଇଠ କରିବେ ଆପଣଙ୍କୁ ଆଉ ବ୍ୟାଙ୍କରୁ ଋଣ ଆଣିବାକୁ ଦରକାର ନାହିଁ। ଦୋକାନୀ ପାଖେ ଏଭଳି ଯୋଜନା ଅଛି ବିନା ସୁଧରେ ଆପଣ ଜିନିଷ କିଣି ଘରେ ବ୍ୟବହାର କଲେ ବର୍ଷେ ଦୁଇବର୍ଷ ଭିତରେ ବିନା ସୁଧରେ ଟଙ୍କା ଶୁଝିଲେ। ଯେଉଁ କମ୍ପାନୀର ଜିନିଷ କିଣିବେ ଦୋକାନୀର ସେହି କମ୍ପାନୀ ସହିତ ଗୋପନ ଚୁକ୍ତି ଥିବ ଜିନିଷ ଉପରେ ରିବେଟ୍ ନଦେଇ ସେଇ ପଇସାକୁ ଶୂନ୍ୟ ସୁଧ ଭାବେ ଗ୍ରାହକଙ୍କୁ ଦେଲେ ଗ୍ରାହକ ଆକର୍ଷିତ ହେବ ଓ ବିକ୍ରି ମଧ୍ୟ ବଢ଼ିଚାଲିବ। ଆଉ ଗୋଟିଏ ଭେଳିକି ହେଲା କ୍ଲିୟରାନ୍ସ ସେଲ୍। ବିଜ୍ଞାପନ ବାହାରିବ ମାନ୍ଦା ଅବସ୍ଥା ଆସିଯାଇଛି, କମ୍ପାନୀର ଅବସ୍ଥା ଖରାପ; ତେଣୁ ଶାଗମାଛ ଦରରେ ଜିନିଷ ମିଳିବ। ଅମୁକ ହୋଟେଲର ପରିସରରେ ମାତ୍ର ତିନିଦିନ କିମ୍ବା ପାଞ୍ଚଦିନ ପାଇଁ (ସେ ତିନି ବା ପାଞ୍ଚଦିନ ଭିତରେ ଶନିବାର / ରବିବାର ନିଶ୍ଚିତ ଥିବ)। ତା’ପରେ ଦେଖ ଗ୍ରାହକଙ୍କ ଭିଡ଼। ଯେତେ ଯେତେ ନାମଜାଦା କମ୍ପାନୀ ବ୍ରାଣ୍ଡରେ ବିକ୍ରି ଚାଲିଥିବ। ତିନି କି ପାଞ୍ଚଦିନ ଭିତରେ ବିକ୍ରେତା ଉଭାନ୍। ସୁବିଧା ଅସୁବିଧା ହେଲେ ଶୁଣିବାକୁ କେହି ନାହିଁ।
୯୦ ଭାଗ ରିହାତି
ସେହିଭଳି ଆଉ ଗୋଟିଏ ଥୋପ ହେଲା ବଡ଼ ବଡ଼ ଅକ୍ଷରରେ ଲେଖା ହୋଇଥିବ ଇଂରାଜୀରେ ‘ସେଲ୍’। ତା’ ପାଖେ ଲେଖାଥିବ ବଡ଼ ବଡ଼ ଅକ୍ଷରରେ ୯୦ ଭାଗ ରିହାତି। ଗ୍ରାହକ ଏଭଳି ଭେଳିକିରେ ଦୋକାନ ଭିତରେ ପଶିଗଲାପରେ ଦୁଇପ୍ରକାର ଅବସ୍ଥାର ସମ୍ମୁଖୀନ ହେବ। ଯେଉଁଠି ୯୦ ଭାଗ ଲେଖାଥିବ ଦେଖିବେ ୫୦% + ୪୦%। ହିସାବ କଲେ ୧୦୦ ଟଙ୍କାର ଜିନିଷ ୯୦% ରିହାତିରେ ୧୦ ଟଙ୍କାରେ ମିଳିବ ନାହିଁ। ୧୦୦ ଟଙ୍କାର ଜିନିଷରେ ପ୍ରଥମେ ୫୦% ରିବେଟ ହେଲେ ତାହା ହେବ ୫୦ ଟଙ୍କା। ତା’ପରେ ୫୦ ଟଙ୍କାରେ ୪୦% ରିହାତି ହେଲେ ୨୦ ଟଙ୍କା ତେଣୁ ସମୁଦାୟ ରିବେଟ ହେଲା ୫୦ ଟଙ୍କା ଯୁକ୍ତ ୨୦ ଟଙ୍କା, ଯାହା ହେଲା ମୋଟ ୭୦ ଟଙ୍କା। ତା’ ଅର୍ଥ ଗ୍ରାହକ ଶହେଟଙ୍କା ଲେଖା ହୋଇଥିବା ଜିନିଷକୁ ୩୦ ଟଙ୍କାରେ ପାଇବ, ତା’ ମନରେ ଥିବା ହିସାବରେ ୧୦ ଟଙ୍କା ନୁହେଁ। ଆଉ ଗୋଟିଏ ଭେଳିକି ହେଲା ଯେଉଁଠାରେ ବଡ଼ବଡ଼ ଅକ୍ଷରରେ ୯୦ ଭାଗ ଲେଖାଥିବ ତା ପୂର୍ବରୁ ଇଂରାଜୀରେ ଛୋଟ ଅକ୍ଷରରେ ଲେଖାଥିବ ‘ଅପ୍ଟୁ’ ଯାହାର ମାନେ ୫ ଭାଗରୁ ଆରମ୍ଭ କରି ୯୦ ଭାଗ ପର୍ଯ୍ୟନ୍ତ ରିବେଟ ଅଛି। ଅଧିକାଂଶ ଜିନିଷ ୫%ରୁ ୨୦% ରିହାତି ଥିବା ସ୍ଥଳେ ଗୋଟିଏ ଦୁଇଟି ଜିନିଷରେ ୯୦ ଭାଗ ଥିବ। ଗୋଟିଏ କପଡ଼ା ଦୋକାନରେ ଏଭଳି ରିବେଟ୍ ଭେଳିକିରେ ପଶିବାରୁ ଜଣାପଡ଼ିଲା ଯେ ସବୁଠାରୁ ବଡ଼ ସାଇଜ୍ର ସାର୍ଟ ଯାହାର ଗ୍ରାହକ ଖୁବ୍ କମ୍ ତାଙ୍କୁ ଏଭଳି ରିବେଟ୍ବାଲା ଜାମା ମିଳିପାରିବ, ଅନ୍ୟମାନେ ଅଳ୍ପ ରିବେଟବାଲା ପୋଷାକ ପାଇବେ। ଥରେ ଦୋକାନ ଭିତରକୁ ଯାଇଛନ୍ତି ତ କିଛି କିଣିକରି ଆସିବା ସାର ହେବ।
କପଡ଼ା ଦୋକାନରେ ଆଉ ଗୋଟିଏ ଥୋପ ହେଲା ଦୁଇଟି କିଣିଲେ ତୃତୀୟଟି ଅଧାଦାମରେ ମିଳିବ। ଅନ୍ୟ ଥୋପଟି ତିନୋଟି କିଣିଲେ ଚତୁର୍ଥଟି ମାଗଣା ଉପହାର ମିଳିବ। ଏଠାରେ ରିବେଟ୍କୁ ବୁଲେଇ ବଙ୍କେଇ ଏଭଳି ଇନ୍ଦ୍ରଜାଲ ସୃଷ୍ଟି କରିବେ ଯେ ଗ୍ରାହକ ସେଥିରେ ବାଟବଣା ହୋଇଯିବ।
କମ୍ ଦାମରେ ଜିନିଷ ମିଳିବା ପାଇଁ ଯେଉଁ ଥୋପଟି ବିଗ୍ବଜାରର ମାଲିକ କିଶୋର ଦିୟାନୀ ପକାଇଥିଲେ ତାକୁ ନେଇ ପୁସ୍ତକଟିଏ ରଚନା କରିଛନ୍ତି, ଯାହାର ନାମ ହେଉଛି ‘ଇଟ୍ ହାପେନ୍ଡ ଇନ୍ ଇଣ୍ଡିଆ’। ସେ ନିଜ ମନ ଭିତରେ ବିଚାର କଲେ ଯେ ଗୋଟିଏ ଦିନରେ ଗୋଟିଏ ମଲ୍ରୁ କୋଟିଏ ଟଙ୍କାର ବିକ୍ରି କରିବେ। ଏହି କଥା ମନରେ ରଖି ଘୋଷଣା କଲେ ଯେ ସାଧାରଣତନ୍ତ୍ର ଦିବସ ଦିନ ଆକର୍ଷଣୀୟ ରିହାତି (ଯାହା ଆଗରୁ କେବେ ଦିଆଯାଉନଥିଲା) ଦିଆଯିବ। ସକାଳୁ ରାତି ପର୍ଯ୍ୟନ୍ତ ଦୋକାନ ଖୋଲା ରହିବ। ସେଦିନ ଦୋକାନ ଖୋଲିବା ଆଗରୁ ଏଭଳି ଭିଡ଼ ହେଲା ଯେ ବାଧ୍ୟ ହୋଇ ତାଙ୍କୁ ପୁଲିସର ସହାୟତା ନେବାକୁ ପଡ଼ିଲା। ମଲ୍ ଖୋଲିଲା ବେଳକୁ ଏଭଳି ଗହଳି ହେଲା ଯେ ଲୋକ ଖାଲି ହେବା ପର୍ଯ୍ୟନ୍ତ ବାରମ୍ବାର ବନ୍ଦ ରଖିବାକୁ ପଡ଼ୁଥିଲା। ସେହି ବର୍ଷଠାରୁ ଏହି କମ୍ ଦାମରେ ବିକ୍ରିକୁ ସାଧାରଣତନ୍ତ୍ର ଓ ସ୍ୱାଧୀନତା ଦିବସ ସମୟରେ ଗୋଟିଏ ଦିନ ବଦଳରେ ସାତଦିନ ରଖିବାକୁ ବାଧ୍ୟହେଲେ। ଏ ହେଉଛି ଗ୍ରାହକମାନଙ୍କୁ ଆକର୍ଷିତ କରିବାର ଜ୍ୱଳନ୍ତ ଉଦାହରଣ।
ଅଫ୍ସିଜିନ୍ ଅଫର
ହୋଟେଲମାନଙ୍କରେ ମଧ୍ୟ ଗ୍ରାହକ ଆକର୍ଷଣ ଯୋଜନା ବଡ଼ ବିଚିତ୍ର। ‘ଅଫ୍ସିଜିନ୍ ଅଫର’ ନାମରେ ଯାତ୍ରୀ ଆକର୍ଷଣ କରିବା ପାଇଁ ହୋଟେଲମାନଙ୍କରେ ଯେଉଁ ସମୟରେ ଭିଡ଼ ହେବାର ସମ୍ଭାବନା ନଥାଏ ସେ ସମୟରେ ରୁମ୍ଭଡ଼ାକୁ କମ୍ କରିଦିଆଯାଏ, ଯାହା ଫଳରେ ଗ୍ରାହକ ସେ ସମୟରେ ବୁଲିବା ପାଇଁ ଆଗଭର ହୋଇଯାଏ। ମୁମ୍ବାଇର ଗୋଟିଏ ହୋଟେଲରେ ବିଚିତ୍ର ବିଜ୍ଞାପନଟିଏ ଏ ଲେଖକର ଦୃଷ୍ଟିଗୋଚର ହୋଇଥିଲା। ସପ୍ତାହର ପ୍ରତ୍ୟେକ ବୁଧବାର ମହିଳାମାନଙ୍କୁ ଖାଦ୍ୟରେ ୫୦ ପ୍ରତିଶତ ରିହାତି ମିଳିବ ଯଦି ସେମାନଙ୍କ ସାଙ୍ଗରେ ଜଣେ ପୁରୁଷ ଥିବେ। ପୁରୁଷଙ୍କ ଖାଦ୍ୟ ପୁରା ଦାମ୍ ନିଆଯିବ। ଏହା ଥିଲା ଥାଳି ଭୋଜନର ଭେଳିକି। ଏଥିରେ ରିହାତି ଲୋଭରେ ବେଶ୍ ଲୋକଗହଳି ହେଉଥିଲା।

ସୁନା ଅଳଙ୍କାର ବିକ୍ରି ପାଇଁ ଯେଉଁ ରୀତିମତ ବିଜ୍ଞାପନ ଆରମ୍ଭ ହୁଏ ତାହା ହେଉଛି ଅକ୍ଷୟ ତୃତୀୟା ଓ ଧନତେରାସ। ଦୀପାବଳୀର ପୂର୍ବ ତ୍ରୟୋଦଶୀକୁ ଧନତେରାସ ନାମରେ ନାମିତ କରି କିଛି ଧନ କିଣିବା ବାହାନାରେ ସୁନା କିଣିବା ପାଇଁ ବିଜ୍ଞାପନ ବାହାରିଥାଏ ଓ ଆକର୍ଷଣୀୟ ରିବେଟ୍ରେ ଖବରକାଗଜ ପୃଷ୍ଠା ମଣ୍ଡନ ହୋଇଥାଏ। ପାଞ୍ଜିରେ କିନ୍ତୁ ସେହି ଦିନକୁ ଧନ୍ୱନ୍ତରୀ ଜୟନ୍ତୀ ଭାବେ ପାଳନ କରିବା ପାଇଁ ଲେଖା ହୋଇଥାଏ। ଧନତେରାସ ଦିନ ସୁନା ଦୋକାନର ଭିଡ଼ ଦେଖିଲେ ଜଣାପଡ଼େ ଗ୍ରାହକ କେତେଦୂର ବିଜ୍ଞାପନର ଭେଳିକିରେ ଆକର୍ଷିତ ହୋଇଚାଲିଛି।
ସୁନା ଦୋକାନର ଆଉ ଗୋଟିଏ ଆକର୍ଷଣର ଫର୍ମୁଲା ହେଉଛି ଗଢ଼ା ମଜୁରିରେ ରିହାତି। ଏହି ମଜୁରି ଉପରେ ରିହାତି ହେଉଛି କେରାଣ୍ଡି ଗୁନ୍ଥି ବାଳିଆ ମାରିବା ଯୋଜନା। ଅଳ୍ପ ଟଙ୍କା ଜିନିଷରେ ରିହାତି ଦେଇ ଦାମୀ ସୁନା ଅଳଙ୍କାର ବିକ୍ରି କରାଇବାର ପ୍ରଲୋଭନରେ ଅଧିକାଂଶ ଗ୍ରାହକ ଆକର୍ଷିତ ହୋଇଥାନ୍ତି।
ବିଭିନ୍ନ ପର୍ବପର୍ବାଣି ବାହାନାରେ ମଧ୍ୟ ବେଶ୍ କିଛି ବ୍ୟବସାୟ ଚାଲିଥାଏ ଯେମିତି ଆଗରୁ ନଥିଲା। ଅଳ୍ପବର୍ଷ ହେଲା ଆରମ୍ଭ ହୋଇଛି ଭାଲେଣ୍ଟାଇନ୍ ଡେ। ସେ ସମୟରେ ହୋଟେଲରେ ପ୍ରେମୀଯୁଗଳଙ୍କ ଭିଡ଼, ଗୋଲାପ ଫୁଲର ବିକ୍ରିରେ ବୃଦ୍ଧି, ଭାଲେଣ୍ଟାଇନ୍ ଦିବସର ଗ୍ରିଟିଙ୍ଗ୍ସ କାର୍ଡ଼ର ବିକ୍ରି ତଥା ପରସ୍ପରକୁ ଉପହାର ଦେବାପାଇଁ ଦୋକାନମାନଙ୍କରେ ଭିଡ଼ ପରିଲକ୍ଷିତ ହୁଏ।
ହୋଟେଲମାନଙ୍କରେ ମଧ୍ୟ ଗ୍ରାହକ ଆକର୍ଷଣ ଯୋଜନାରେ ନୂଆନୂଆ ନାମରେ ହୋଟେଲରେ ଖାଇବା ଜିନିଷ ଉପରେ ବିଜ୍ଞାପନ ଦିଆଯାଏ। କଲିକତାରେ ବହୁ ହୋଟେଲରେ ଇଲିଶି ଉତ୍ସବର ବିଜ୍ଞାପନ, ଓଡ଼ିଶାରେ ଛାଡ଼ଖାଇ ସମୟରେ ଛାଡ଼ଖାଇ ଦିବସ ଆରମ୍ଭ ହୋଇଥାଏ। ଖରାଦିନରେ ପଖାଳ ଦିବସ କରି ଲୋକମାନଙ୍କୁ ଆକୃଷ୍ଟ କରିବାର ଯୋଜନା ମଧ୍ୟ ଗୋଟିଏ ନମୁନା। ହୋଟେଲରେ ନବବର୍ଷ ଉପଲକ୍ଷେ କେବଳ ଖାଇବା ନୁହେଁ ଖାଦ୍ୟ ସହ ନୃତ୍ୟ-ଗୀତର ତାଳେ ତାଳେ ରାତି ରଙ୍ଗୀନ ହୋଇଉଠେ ଜିରୋ ଆୱାର ପାଳନ ହୁଏ। ରାତି ବାରଟାରେ ନବବର୍ଷକୁ ସ୍ୱାଗତ କରିବା ପାଇଁ ଏହି ଆୟୋଜନରେ ବହୁ ବ୍ୟକ୍ତି ହୋଟେଲମାନଙ୍କରେ ଆଗରୁ ବୁକିଂ କରିଥାନ୍ତି।
ଆଜିକାଲିର ପିଜା, ବର୍ଗର ସଂସ୍କୃତିରେ ଜଣେ ପିଜା ବର୍ଗର କିଣିଲା ବେଳେ ଗ୍ରାହକର ମୋବାଇଲ୍ ନମ୍ବର ଟିପି ରଖନ୍ତି ବିକ୍ରେତାଗଣ। ତା’ପରେ ସେମାନେ ପଠାଇ ଚାଲନ୍ତି ତାଙ୍କର ମେସେଜ୍। ଅମୁକ ତାରିଖରେ କିଣିଲେ ଆକର୍ଷଣୀୟ ରିହାତି। ଘରେ ଯାଇ ପହଞ୍ଚିଯିବ। ଅର୍ଡ଼ର ଦିଅନ୍ତୁ। ଇଚ୍ଛା ନଥିଲେ ମଧ୍ୟ ରିବେଟ୍ର ଲୋଭରେ ଘରେ ନରାନ୍ଧି ଅର୍ଡର ଦେବା ଆଜିକାଲିର ଗୋଟିଏ ଫେସନ୍ ହୋଇଗଲାଣି।
ଆଜିକାଲି ଜିନିଷମାନଙ୍କରେ ମଧ୍ୟ ଲୋଭ ଦେଖାଇବା ପାଇଁ ବିଜ୍ଞାପନ ଦିଆଯାଇଛି। ଆଗରୁ ଯେଉଁ ଜିନିଷ ଯେତେ ଦାମରେ ପାଉଥିଲେ ଏବେ ସେଇ ଦାମ୍ରେ କିଣନ୍ତୁ ମାତ୍ର ୧୦ ଭାଗ / ୨୦ ଭାଗ ଅଧିକ ଜିନିଷ ନେଇଯାଆନ୍ତୁ। ଗ୍ରାହକଟିଏ ଲୋଭର ବଶବର୍ତ୍ତୀ ହୋଇ ଦରକାର ନଥିଲେ ମଧ୍ୟ କିଣିପକାଏ।
ଆଜିକାଲି ଯୁଗରେ ଘରେଘରେ ହସ୍ତେହସ୍ତେ ଥିବା ବ୍ରହ୍ମାସ୍ତ୍ର ମୋବାଇଲ୍ ବର୍ତ୍ତମାନ ଏହି ଲୋଭର ବଡ଼ ମାଧ୍ୟମ ହୋଇଯାଇଛି। କାରଣ ମୋବାଇଲ୍ର ସ୍ମାର୍ଟ ଫୋନ୍ରେ ଚିତ୍ର ସହ ଆକର୍ଷଣୀୟ ବିଜ୍ଞାପନ ଦେଖି ଜାଲରେ ପଡ଼ିଯିବାର ଦୃଷ୍ଟାନ୍ତ ବହୁତ।
ପୁରୁଣା ବଦଳରେ ନୂଆ
ବର୍ତ୍ତମାନ ସବୁଠାରୁ ବଡ଼ ଜାଲ ହେଉଛି ଏକ୍ସଚେଞ୍ଜ ଅଫର। ଆପଣଙ୍କ ଯେଉଁ ଜିନିଷ ପୁରୁଣା ହୋଇଗଲାଣି ତାକୁ ବଦଳାଇ ନୂଆ ମଡେଲ୍ର କିଣନ୍ତୁ। ପୁରୁଣାକୁ ମଧ୍ୟ ଅଳ୍ପ ଦାମରେ ଦୋକାନୀକୁ ବିକି ନୂଆ ଜିନିଷ ଦେଇ କିସ୍ତିରେ ଜିରୋ ପରସେଣ୍ଟ ସୁଧରେ କିଛି ଗ୍ରାହକ ଜାଲରେ ପଡ଼ୁଛନ୍ତି। ଏହିପରି ବହୁ ଉଦାହରଣ ରହିଛି ଯାହା ବିଜ୍ଞପାଠକ ଗୋଷ୍ଠୀ ନିଜେ ଅନୁଭବ କରିଥିବେ, କରୁଥିବେ ଓ କରିଚାଲିଥିବେ। ଏ ସମ୍ପର୍କରେ ଦୁଇଟି ଛୋଟ କଥା ବୟାନ କରି ପାଠକ ବନାମ ଗ୍ରାହକଙ୍କ ଦୃଷ୍ଟି ଆକର୍ଷଣ କରୁଅଛି।
ବହୁତ ଦିନ ତଳେ ଖବରକାଗଜରେ ସମ୍ପାଦକଙ୍କୁ ଚିଠି ଶିରୋନାମାରେ ଚିଠିଟିଏ ପ୍ରକାଶ ପାଇଥିଲା, ଯାହାର ପ୍ରେରକ ଥିଲେ ଜଣେ ଗୃହସ୍ୱାମୀ। ଘଟଣା ଥିଲା ମୁମ୍ବାଇର। ଗୃହସ୍ୱାମୀ ସକାଳୁ ଉଠି କାମରେ ଯାଇ ଫେରୁ ଫେରୁ ରାତି ହୋଇଯାଏ। ସେ ଯେଉଁ ଆପାର୍ଟମେଣ୍ଟରେ ରହୁଥିଲେ ସେଠାରେ ସ୍ୱାମୀମାନେ ଗଲାପରେ ପତ୍ନୀମାନଙ୍କର ବିଭିନ୍ନ ପ୍ରକାର ବିଜ୍ଞାପନ ଉପରେ ଆଲୋଚନା ହୁଏ ଓ ଲୋଭନୀୟ ବିଜ୍ଞାପନ ଦେଖି ଗୃହିଣୀମାନେ କିଣିଥାଆନ୍ତି। ଗୃହସ୍ୱାମୀ ଆବିଷ୍କାର କଲେ ଏକପ୍ରକାର ଜିନିଷ ଅଧିକ ସଂଖ୍ୟାରେ କିଣା ଯାଇଛି ଯାହାର ଆବଶ୍ୟକତା ସେହି ସମୟରେ ନାହିଁ; ଯେପରି ଦାନ୍ତଘଷା ପେଷ୍ଟ – ଯାହା ଗୋଟିଏ ମାସରେ ଗୋଟିଏ ଲାଗେ ସେଥିରୁ ୬ଟି ଆସିଅଛି। ପ୍ରଶ୍ନ କରି ଜାଣିଲେ ଏକାବେଳେ ୬ଟି କିଣିଲେ ଆକର୍ଷଣୀୟ ରିହାତି ଅଛି। ସେହିଭଳି ବିଭିନ୍ନ ଦ୍ରବ୍ୟ ପତ୍ନୀ କିଣିବାର ଲକ୍ଷ୍ୟ କଲେ। ପୂଜା ସମୟରେ ତାଙ୍କ ଘରକୁ ବହୁ ଅତିଥି ଆସି କିଛିଦିନ କଟାଇବାର ଖବର ମିଳିଲା। ସକାଳୁ ସକାଳୁ ପତ୍ନୀ ପତିଙ୍କୁ ଅନୁରୋଧ କରି କହିଲେ, ଏତେ କୁଣିଆ ଆସିବେ। ଘରେ ଚାଉଳ ନାହିଁ। ଟଙ୍କା କିଛି ଯୋଗାଡ଼ କର। ଗୃହସ୍ୱାମୀ ଆଶ୍ଚର୍ଯ୍ୟ ହୋଇ ଚାହିଁ ରହିବାରୁ ପତ୍ନୀ ଗୁଡ଼ିଏ ଜିନିଷ ଭବିଷ୍ୟତ ପାଇଁ ଦରକାର ହେବ ବୋଲି କମ୍ ଦରରେ ମିଳିଥିବାରୁ କିଣି ଖର୍ଚ୍ଚ କରିଦେଇଛନ୍ତି ବୋଲି ସ୍ୱୀକାର କଲେ। ଗୃହସ୍ୱାମୀ ସେହି ଘଟଣା ଉଲ୍ଲେଖ କରି ସମ୍ପାଦକଙ୍କୁ ପତ୍ରରେ ଲେଖିଥିଲେ ଆମେ ଭବିଷ୍ୟତର ସୁନେଲୀ ସ୍ୱପ୍ନ ପାଇଁ ବର୍ତ୍ତମାନର ଆବଶ୍ୟକତାକୁ ଭୁଲିଯିବାକୁ ବସିଲୁଣି।

ଦ୍ୱିତୀୟ କଥାଟି ଗୋଟିଏ ବିଦେଶୀ କାହାଣୀ। ଏକଦା ଜଙ୍ଗଲରେ ବାସ କରୁଥିବା ହରିଣମାନଙ୍କୁ ଖବର ଆସିଲା ଯେ ଏଣିକି ସମସ୍ତଙ୍କୁ ମୁହଁରେ ଗ୍ୟାସମୁଖା ପିନ୍ଧିବାକୁ ପଡ଼ିବ। ଅନ୍ୟ ଜନ୍ତୁ ପିନ୍ଧନ୍ତୁ ବା ନପିନ୍ଧନ୍ତୁ ହରିଣମାନେ ପିନ୍ଧିବା ଏକାନ୍ତ ଆବଶ୍ୟକ କାରଣ ବର୍ତ୍ତମାନ ଜଙ୍ଗଲ ପାଖକୁ ଲାଗି ଯେଉଁ କାରଖାନା ତିଆରି ହେଉଛି ତା’ ଦେହରୁ ଯେଉଁ ଗ୍ୟାସ ବାହାରିବ ତାହା ହରିଣମାନଙ୍କ ନିମନ୍ତେ କ୍ଷତିକାରକ ହେବ। ହରିଣମାନଙ୍କ ମଧ୍ୟରେ ଭାଳେଣି ପଡ଼ିଲା। ସତକୁ ସତ କାରଖାନାଟିଏ ଜଙ୍ଗଲ ପାଖକୁ ଲାଗି ଆରମ୍ଭ ହୋଇଗଲା ଓ ଗ୍ୟାସ ନିର୍ଗତ ହେବାକୁ ଲାଗିଲା। ହରିଣମାନଙ୍କର ମୁଖ୍ୟ ଆସିଲା ବୁଝିବା ପାଇଁ ମୁଖାର ଆବଶ୍ୟକତା ସମ୍ପର୍କରେ ଓ ବିରାଟ ହରିଣ ଦଳ ପାଇଁ କିଣିଲେ କେତେ ପଡ଼ିବ ତା’ର ମୂଲଚାଲ କରିବା ଉଦ୍ଦେଶ୍ୟରେ। ସେ ବିକ୍ରି କରୁଥିବା ମୁଖା ବ୍ୟବସାୟୀଙ୍କୁ କୌତୁହଳବଶତଃ ପ୍ରଶ୍ନ କଲେ, ଆଜ୍ଞା ମୁଖା ତ ଆମ୍ଭେମାନେ ନେବୁ, ଯେହେତୁ ଏହା ଜରୁରି ଯାହା ଏହି କାରଖାନାର ଧୂଆଁଠାରୁ ଆମକୁ ରକ୍ଷା କରିବ। ହେଲେ ଏ କାରଖାନାରେ କ’ଣ ଉତ୍ପାଦନ ହେଉଛି?
ବ୍ୟବସାୟୀ ଜଣଙ୍କ ଆଖି ନଚାଇ ଉତ୍ତର ଦେଲେ ‘ମୁଖା’।
କିମଧିକମ୍। ଆମେମାନେ ମୂଷାମରା ଉକୁଣିମାରିଠାରୁ ଆଗେଇ ଆସି ନିଜେ ମରିବା ଜାଲରେ ଛନ୍ଦି ହୋଇସାରିଲେଣି!
(‘ସାହିତ୍ୟ ଚର୍ଚ୍ଚା’ ପତ୍ରିକାର ମାର୍ଚ୍ଚ, ୨୦୨୫ ସଂଖ୍ୟାରେ ପ୍ରକାଶିତ। )
ପୀତବାସ ସାରଙ୍କ ଲେଖା ସବୁବେଳେ ଭଲଲାଗେ। ଏହି ରମ୍ୟ ରଚନାଟି ମଧ୍ୟ ବହୁତ୍ ଭଲ ଲାଗିଲା।
ସମୟ ପରିବର୍ତ୍ତନ ଶୀଳ, ଆମକୁ ଏହା ସହିତ ତାଳ ଦେଇ ଚାଲିବାକୁ ହେବ। ଆଜ୍ଞା ଦେଖନ୍ତୁ ପାଶ୍ଚାତ୍ଯର ପ୍ରଭାବରେ ଆମେ ପ୍ରଭାବିତ ହୋଇ ମାଙ୍କ ପାଖରୁ ଆସି ମମିଙ୍କ ନିକଟରେ ପହଁଚି ସାରିଲେଣି । -ଏଣୁ ଲେଖକଙ୍କର ଲେଖାଟି ବହୁତ ପ୍ରଣୀଧାନ ଯୋଗ୍ଯ ।