ବର୍ଷୀୟାନ କଥାକାର ଦେବ୍ରାଜ ଲେଙ୍କାଙ୍କ ସହ ଆଳାପ

ସାଧାରଣ ଲୋକଙ୍କ ଭାଷାରେ ଲେଖାଯାଉ। ନିଜକୁ ଗୋଟିଏ ମୂର୍ଖ ମନେକରି ସାହିତ୍ୟ ଲେଖିବା ଭାରି କଷ୍ଟ।

ଦେବ୍ରାଜ ଲେଙ୍କା ଓଡ଼ିଆ କଥାସାହିତ୍ୟରେ ଏକ ସୁପରିଚିତ ନାମ ଏବଂ ଅନେକେ ତାଙ୍କୁ ‘ଶବ୍ଦର ଯାଦୁଗର’ ଭାବରେ ଅଭିହିତ କରନ୍ତି। ୧୯୩୯ ମସିହାରେ ଜନ୍ମିତ ଏହି ସାରସ୍ୱତ ପ୍ରତିଭାଧର କଟକ ସହରରେ ବାସ କରନ୍ତି। ଏ ଯାବତ୍ ତାଙ୍କର ୧୫ଗୋଟି ଉପନ୍ୟାସ ଓ ସାତଗୋଟି ଗଳ୍ପ ସଂଗ୍ରହ ପ୍ରକାଶିତ। ସେ ୧୯୯୪ ମସିହାରେ ‘ଓଡ଼ିଶା ସାହିତ୍ୟ ଏକାଡେମୀ’ ପୁରସ୍କାରରେ ସମ୍ମାନିତ ହୋଇଥିଲେ। ତାଙ୍କର ସାରସ୍ୱତ ଜୀବନ ସଂପର୍କରେ ତାଙ୍କ ସହିତ ବାର୍ତ୍ତାଳାପ କରିଥିଲେ ‘ସାହିତ୍ୟ ଚର୍ଚ୍ଚା’ର ସଂପାଦକ ନିହାର ଶତପଥୀ

ସାହିତ୍ୟ ଚର୍ଚ୍ଚା: ଶୁଣିଛୁ, ଆପଣଙ୍କ ସ୍କଲ୍ ସାର୍ଟିଫିକେଟରେ ଅଛି ସୁନ୍ଦର ନାଆଁଟିଏ – ଦେବରାଜ ଲେଙ୍କା। ଅଥଚ ଆପଣ ନିଜର ଲେଖକୀୟ ଜୀବନରେ ‘ଦେବ୍ରାଜ ଲେଙ୍କା’ ବୋଲି ପରିଚିତ ହେବାକୁ ଅଧିକ ପସନ୍ଦ କଲେ। ଏମିତି କାହିଁକି?
ଦେବ୍ରାଜ ଲେଙ୍କା: ମୁଁ ନାଆଁକୁ ଗୋଟିଏ ‘ଟୁଇଷ୍ଟ’ ଦେବାକୁ ଚାହୁଁଥିଲି; ଯେମିତିକି ସେଇଟା ଉପରକୁ ଉଠିବ। ସ୍କୁଲ୍ ରେ ସାଙ୍ଗମାନେ ମୋତେ ‘ଦେବ୍ରାଜ’ ବୋଲି ଡାକୁଥିଲେ, କେହି ବି ଦେବରାଜ ବୋଲି କହନ୍ତି ନାହିଁ। ବଡ ହେବାପରେ ମୁଁ ସେଇ ‘ଦେବ୍ରାଜ’ ସହିତ ଲାଖିଗଲି। ଏଥିପାଇଁ ବେଳେବେଳେ କିଛି ସମସ୍ୟା ବି ହୋଇଛି।
ସାହିତ୍ୟ ଚର୍ଚ୍ଚା: କି ସମସ୍ୟା?
ଦେବ୍ରାଜ ଲେଙ୍କା: ଜଣେ ସମ୍ପାଦକ ମୋତେ କହିଲେ ଯେ, ଆପଣ ନିଜର ନାଆଁଟିକୁ ବଦଳାନ୍ତୁ, ନହେଲେ ଆପଣଙ୍କ ଗପ ଛପାଯିବ ନାହିଁ।
ସାହିତ୍ୟ ଚର୍ଚ୍ଚା: କିଏ ଥିଲେ ସେ?
ଦେବ୍ରାଜ ଲେଙ୍କା: ‘ନବଜୀବନ’ ପତ୍ରିକାର ସମ୍ପାଦକ, ଚିନ୍ତାମଣି ମିଶ୍ର।
ସାହିତ୍ୟ ଚର୍ଚ୍ଚା: ଆପଣ ତ କବିତା କେବେ ଲେଖିନାହାନ୍ତି। ଏହା କ’ଣ ଏଇଥିପାଇଁ ଯେ ଆପଣଙ୍କ ଲାଗି କବିତାକୁ ପରିପ୍ରକାଶ କରିବାର ମାଧ୍ୟମ ହେଉଛି ଗଳ୍ପ ଓ ଉପନ୍ୟାସ ହିଁ?
ଦେବ୍ରାଜ ଲେଙ୍କା: ହଁ, ତାରି ଭିତରକୁ ମୋ’ର କବିତା ଠେଲି ହୋଇକରି ପଶେ। ଲେଖିବା ବେଳେ ‘ଓଭର-ଇମୋଶନାଲ୍‌’ ହୋଇ କାନ୍ଦିପକାଏ ବେଳେବେଳେ। ସେତିକିବେଳେ କବିତା ମୋ ରଚନା ଭିତରକୁ ଆସି ହାଜର ହୋଇଯାଏ।
ସାହିତ୍ୟ ଚର୍ଚ୍ଚା: ଲେଖିଲାବେଳେ ଆପଣ ସାହିତ୍ୟର ଧରାବନ୍ଧା ବାଡବତା ମାନନ୍ତି ନାହିଁ ବୋଲି ମଧ୍ୟ କୁହାଯାଏ। ଆପଣ ନିଜେ ହିଁ ନିଜର ଶୈଳୀ ଗଢିଦିଅନ୍ତି, ସ୍ୱଚ୍ଛନ୍ଦ ଭାବରେ। ଏହା କ’ଣ ଆପଣଙ୍କ ପ୍ରକୃତିଗତ?

ଦେବ୍ରାଜ ଲେଙ୍କା: ଆପଣ ଯେ କହିଲେ, ଧରାବନ୍ଧା କଟକଣା – ଏହାକୁ କ’ଣ ଦେବତାମାନେ ଆସି ଗଢିଛନ୍ତି? ଆମରି ଭଳି ଲୋକମାନେ ଏହା କରିଛନ୍ତି। ମୂଳକଥା ହେଲା, ସେ ବାଣଭଟ୍ଟ, ରାଜଶେଖର – ଏମାନଙ୍କୁ କାହିଁକି ମୁଁ ଅନୁସରଣ କରିବି? ସେମାନେ ଯାହା ଲେଖିଛନ୍ତି ସେହି ଅନୁସାରେ ଯେ ମୁଁ ଲେଖିବି ବୋଲି କିଛି ମାନେ ନାହିଁ। ମୁଁ ମୋ ନିଜସ୍ୱ ଧାରାରେ ଚାଲିବି।
ସାହିତ୍ୟ ଚର୍ଚ୍ଚା: ତା’ହେଲେ ତ ଆପଣଙ୍କୁ ଅନ୍ୟ କୌଣସି ଲେଖକଙ୍କ ସହିତ ତୁଳନା କରିହେବ ନାହିଁ।
ଦେବ୍ରାଜ ଲେଙ୍କା: ସେ ବ୍ରାଡଲେ କ’ଣ କହିଲେ, ସେ ଥମସନ୍ କ’ଣ କହିଲେ – ମୁୁଁ ସେସବୁ ଜାଣିନାହିଁ। ମୂଳକଥା ହେଲା ମୁଁ ଗୋଟିଏ ‘କ୍ରିଏଟିଭ୍ ରାଇଟର’। ମୋତେ କାହା ଫର୍ମୁଲାରେ ପକାନ୍ତୁ ନାହିଁ। ସେ ବ୍ୟାକରଣଟା ଭୁଲ୍ ହୋଇଯାଇଛି, ବା ଅମୁକଟା, ସେଥିରେ ମୋର ଯାଏ ଆସେ ନାହିଁ। ମୋ’ର ନାଆଁ ଟା ହିଁ ଭୁଲ ନା!
ସାହିତ୍ୟ ଚର୍ଚ୍ଚା: ଆଉ ଗୋଟିଏ କଥା ମଧ୍ୟ ଆପଣଙ୍କ ଅଧିକାଂଶ ରଚନାରେ ଲକ୍ଷ୍ୟ କରାଯାଏ; ତା’ହେଲା ଗାଆଁ ମାଟିର ମୋହ। ଉଦାହରଣ ସ୍ୱରୂପ ଆପଣଙ୍କର ଗଳ୍ପ ‘ଗାଁ ଗାଁ ଆହା ଆହା’।
ଦେବ୍ରାଜ ଲେଙ୍କା: ଏ ଗପଟା ଅଧା ଗାଁ, ଅଧା ସହରୀ। ମୁଁ ସହରୀ କଥା ବି କହେ। ତେବେ ସମସ୍ତେ ମୋତେ କହନ୍ତି ଯେ ‘ଆପଣ ଗାଁ ମାଟିର କଥା ବେଶି କହୁଛନ୍ତି।’
ସାହିତ୍ୟ ଚର୍ଚ୍ଚା: ଆପଣ ମୂଳତଃ କେଉଁ ଚରିତ୍ରମାନଙ୍କୁ ନେଇ ନିଜ ଗଳ୍ପର ସାମ୍ରାଜ୍ୟ ଗଢନ୍ତି?
ଦେବ୍ରାଜ ଲେଙ୍କା: ଭୋଟର ଲିଷ୍ଟରେ ଆପଣ ମୋ ଚରିତ୍ରମାନଙ୍କ ନାଆଁ ସବୁ ପାଇବେ। ସେଥିରେ ଥିବା ସାଧାରଣ ମଣିଷମାନେ ହିଁ ମୋର ଚରିତ୍ର।
ସାହିତ୍ୟ ଚର୍ଚ୍ଚା: ଏମିତି ସାଧାରଣ ଲୋକର ଭାଷାରେ ଲେଖିବା ପାଇଁ ପ୍ରେରଣା କେଉଁଠୁ ପାଇଲେ?
ଦେବ୍ରାଜ ଲେଙ୍କା: ମତେ ଥରେ ପ୍ରଫୁଲ୍ଲ ତ୍ରିପାଠୀ କହିଲେ, ତମେ କାହାପାଇଁ ଲେଖୁଚ? ୮୦ ପ୍ରତିଶତ ଲୋକଙ୍କ ପାଇଁ, ନା ୨୦ ପ୍ରତିଶତଙ୍କ ପାଇଁ? ସେ ମୋତେ ବିଧି ବତେଇଦେଲେ। “ମହାନଦୀରେ ଚନ୍ଦ୍ରମାର ଜ୍ୟୋତ୍ସ୍ନାବିହାର” – ଏଥିରେ ଓଡ଼ିଆ ଶବ୍ଦ କେତୋଟି ଅଛି? କେବଳ ‘ର’ଟି ଓଡ଼ିଆ। ଏସବୁ ହେଉଚି ତତ୍ସମ। ଦିସ୍ ଇଜ୍ ନଟ୍ ପ୍ୟୋର୍ ଓଡ଼ିଆ। ତେଣୁ ସାଧାରଣ ଲୋକଙ୍କ ଭାଷାରେ ଲେଖାଯାଉ। ନିଜକୁ ଗୋଟିଏ ମୂର୍ଖ ମନେକରି ସାହିତ୍ୟ ଲେଖିବା ଭାରି କଷ୍ଟ।
ସାହିତ୍ୟ ଚର୍ଚ୍ଚା: ନିଜକୁ ମୂର୍ଖ ମନେକରି, ଏବଂ ପାଠକଙ୍କୁ ମଧ୍ୟ!
ଦେବ୍ରାଜ ଲେଙ୍କା: ଆପଣ ଯେଉଁ ହାଇଟ୍ କୁ ଯାଇଛନ୍ତି ପାଠପଢି, ସେଥିରୁ ତଳକୁ ଖସିବା ଭାରି କଷ୍ଟ। ମୂର୍ଖ ଏବଂ ଗାଁ, ଏ ଦୁହେଁ ଏକା ଲେଭେଲ୍ ରେ ଅଛନ୍ତି। ମୁଁ ସେଇମାନଙ୍କ ପାଇଁ ଲେଖେ। ଆଚ୍ଛା କହିଲେ, ଗୋପୀ ମହାନ୍ତି ଆଦିବାସୀଙ୍କ ଉପରେ ଲେଖିଲେ, ‘ଅମୃତର ସନ୍ତାନ’। ଏଇଟା କେଉଁ ଓଡ଼ିଆ?
ସାହିତ୍ୟ ଚର୍ଚ୍ଚା: ତେବେ ଆପଣ ମଣିଷର କଥା କହନ୍ତି ମଣିଷର ଭାଷାରେ। ଆପଣଙ୍କ ବହିଗୁଡିକର ନାମକରଣ ମଧ୍ୟ ବେଳେବେଳେ ଅଜବ ଲାଗେ। ଗୋଟିଏ ବହିର ତ ନାମରେ ହିଁ ସମ୍ପୂର୍ଣ୍ଣ କବିତାଟିଏ, ‘ଶୂନ୍ ଶୂନ୍ ଆର୍ଟିଷ୍ଟ/ ଠୋ’ ପଟାସ୍ ଘୋଡ଼ା/ ଗୁମସୁମ୍ କ୍ୟାନଭାସ୍‌/ କାନ୍ଦ ପାଇଁ ଖାସ୍‌/ ଲୁହ ପାଇଁ ଖାସ୍।’ ଏତେ ଲମ୍ବା ନାଆଁ, ଏବଂ ଏକ ଉଦ୍ଭଟ ଆଧୁନିକ କବିତା ଭଳି ମଧ୍ୟ ଲାଗୁଛି। ଏମିତି ନାଆଁ ଆଉ କୌଣସି ବହିର କେବେ କେଉଁଠି ଦିଆଯିବାର ଆପଣ ଶୁଣିଛନ୍ତି?
ଦେବ୍ରାଜ ଲେଙ୍କା: ନାଇଁ, ଶୁଣିନାହିଁ।
ସାହିତ୍ୟ ଚର୍ଚ୍ଚା: ଏମିତି ନାଁ ଟିଏ କେମିତି ଆପଣଙ୍କ ମଗଜକୁ ଢୁକିଲା? ଏବଂ ଏହା ସାହିତ୍ୟିକ ମହଲରେ ସ୍ୱୀକୃତ ହେବ ବୋଲି ବି ଆପଣ କେମିତି ଧରିନେଲେ?
ଦେବ୍ରାଜ ଲେଙ୍କା: ଦେଖନ୍ତୁ, ଆପଣଙ୍କ ପାଖରେ ଯୋଡିଏ ଜିନିଷ ଅଛି, ଫୁଲମାଳ କିମ୍ବା ଜୋତା। ମୋ ଲେଖାଟି ଯଦି ଭଲ ଲାଗିବନି, ତେବେ ସେମାନେ ଜୋତା ମାଳ ଦେବେ। କିଛି ଯାଏ ଆସେ ନାହିଁ।
ସାହିତ୍ୟ ଚର୍ଚ୍ଚା: ମନେହୁଏ ଆପଣ ଅମଡ଼ା ବାଟରେ ଚାଲିବାକୁ ବେଶି ପସନ୍ଦ କରନ୍ତି।
ଦେବ୍ରାଜ ଲେଙ୍କା: ଠିକ୍ କହିଲେ, ମୁଁ ଅମଡ଼ା ବାଟରେ ଚାଲେ। ରାସ୍ତାର ବାଁ ପଟରେ ଆପଣ ଯାଆନ୍ତି। ମୁଁ କିନ୍ତୁ ସେପଟେ ଯାଏନି। ମୁଁ ଯଦି ଅଲଗା ହୋଇଗଲି, ସେଇଟା ମୋ’ର ସାହସିକତା।


ସାହିତ୍ୟ ଚର୍ଚ୍ଚା: ‘ଅନ୍ଧ ମୁହାଁଣି’ ଆପଣଙ୍କର ଗୋଟିଏ ଚର୍ଚ୍ଚିତ ଉପନ୍ୟାସ। ଏବେ ବି ଆପଣ ସର୍ବତ୍ର ‘ଅନ୍ଧ ମୁହାଁଣି’ର ଲେଖକ ଭାବେ ପରିଚିତ ହୁଅନ୍ତି। ଉପନ୍ୟାସଟିର ସଫଳତାର କାରଣ କ’ଣ ଥିଲା?
ଦେବ୍ରାଜ ଲେଙ୍କା: ପାଠକମାନେ କାନ୍ଦିବାକୁ ଭଲ ପାଆନ୍ତି। ପଢ଼ୁଥିବେ, ଟିକିଏ କାନ୍ଦୁଥିବେ, ଲୁହ ପୋଛୁଥିବେ, ଆହୁରି ପଢ଼ୁଥିବେ।
ସାହିତ୍ୟ ଚର୍ଚ୍ଚା: ତେବେ ଏହି ଉପନ୍ୟାସଟିର ଚରିତ୍ର ‘ରାନୁ’ କ’ଣ ଗୋଟିଏ କାନ୍ଦୁରୀ ଝିଅ?
ଦେବ୍ରାଜ ଲେଙ୍କା: କାନ୍ଦିନି କେବେ ଜୀବନରେ। କାମ କରେ ଚୁପଚାପ୍।
ସାହିତ୍ୟ ଚର୍ଚ୍ଚା: କିନ୍ତୁ ସେ ପାଠକକୁ କନ୍ଦାଇ ଦିଏ। ହେଉ, ଏବେ ଆଉଥରେ ଟିକିଏ ଆପଣଙ୍କ ଲେଖାର ଭାଷା ଓ ଭାବବିନ୍ୟାସକୁ ଆସିବା। ଆପଣଙ୍କ ଉପନ୍ୟାସରେ ଏତେ ଆତ୍ମମୁଖୀ ତଲ୍ଲୀନତା ଅଛି ଯେ ମନେହୁଏ ଯେମିତି ପାଠକକୁ ଆଖି ଆଗରେ ରଖି ଲେଖନ୍ତି ନାହିଁ, ବରଂ ନିଜ ପାଇଁ ଲେଖନ୍ତି।
ଦେବ୍ରାଜ ଲେଙ୍କା: ମୁଁ ପ୍ରଥମେ ନିଜ ପାଇଁ ଲେଖେ। ତାପରେ ମୋ’ର ପସନ୍ଦ ହେଲେ ପ୍ରକାଶନ ପାଇଁ ବାହାରକୁ ଛାଡେ।
ସାହିତ୍ୟ ଚର୍ଚ୍ଚା: ଆପଣ ଜଣେ ନିଃସଙ୍କୋଚ ଓ ସାହସୀ ଲେଖକ ବୋଲି କେତେକ ସମାଲୋଚକ କହନ୍ତି, ଯାହାକୁ ଆମେ ଇଂରାଜୀରେ କହୁ ‘ଆଇକୋନୋକ୍ଲାଷ୍ଟ’- ଅର୍ଥାତ୍ ଆପଣ ଯେମିତି ଭାଙ୍ଗିଦେବେ ସବୁକିଛି। ଧାରା ପ୍ରବାହ ବିରୋଧରେ ଆପଣଙ୍କ ମନରେ କୁହୁଳୁଥିବା ଏହା ଏକ ବିଦ୍ରୋହର ପରିପ୍ରକାଶ ନୁହଁ କି?
ଦେବ୍ରାଜ ଲେଙ୍କା: ଏକଦମ୍ ଠିକ୍।
ସାହିତ୍ୟ ଚର୍ଚ୍ଚା: ଏ ବିଦ୍ରୋହ କାହା ବିରୁଦ୍ଧରେ?
ଦେବ୍ରାଜ ଲେଙ୍କା: ପ୍ରଚଳିତ ଧାରା।
ସାହିତ୍ୟ ଚର୍ଚ୍ଚା: ଟିକିଏ ବୁଝାଇ ଦେବେ।
ଦେବ୍ରାଜ ଲେଙ୍କା: ମୁଁ କହିଲି ପା! ‘ଚଳ ଚଞ୍ଚଳ’ ଲେଖିଲାବାଲା ହେଲ ତମେ। ମୁଁ ‘ଚଳ ଚଞ୍ଚଳ’ ଲେଖିବି ନାହିଁ। ‘ଚଳ’ ଯାହା, ‘ଚଞ୍ଚଳ’ ବି ସେଇଆ। ସେମିତି ଆଉ ଗୋଟିଏ ଶବ୍ଦ ହେଲା ‘ଆଶ୍ଚର୍ଯ୍ୟ ଚକିତ’। ମୁଁ ଏସବୁ ଲେଖିଲା ବାଲା ନୁହେଁ।
ସାହିତ୍ୟ ଚର୍ଚ୍ଚା: ଆଉ ଗୋଟିଏ କଥା; ଆପଣ ଲେଖିଲା ବେଳେ ଶ୍ଲୀଳ, ଅଶ୍ଳୀଳ କିଛି ମାନନ୍ତି ନାହିଁ। ଲାଜ ସରମକୁ ଆଡେଇ ଆପଣଙ୍କ କଲମ ମାଡ଼ି ଚାଲିଥାଏ। ଏମିତି କାହିଁକି?
ଦେବ୍ରାଜ ଲେଙ୍କା: ଆପଣ ଅଶ୍ଲୀଳ କାହାକୁ କହୁଛନ୍ତି ମୁଁ ଜାଣିନି। ବର୍ତ୍ତମାନ ରିକ୍ସାବାଲା କି ଶଗଡ଼ିଆ ଯେଉଁ ଭାଷା କହିବ, ସେଇ ଭାଷାରେ ମୁଁ ଲେଖେ। ଏ ଲେଖକଗୁଡା ପରା ‘ବାଳ’ କହିବାକୁ ଡରୁଛନ୍ତି! କହୁଛନ୍ତି କ’ଣ ନା ‘କେଶ’। କିରେ, ‘କେଶ’ କ’ଣ?
ସାହିତ୍ୟ ଚର୍ଚ୍ଚା: ଆପଣଙ୍କୁ କେତେଜଣ, ଇଂରାଜୀ ସାହିତ୍ୟର ଭର୍ଜିନିଆ ଉଲ୍ଫ ଓ ଜେମ୍ସ ଜଏସ୍ ଙ୍କ ସହ ତୁଳନା କରନ୍ତି। ଏହା କ’ଣ ଯଥାର୍ଥ?
ଦେବ୍ରାଜ ଲେଙ୍କା: ହୋଇପାରେ। ବୁଢ଼ା ବୟସରେ ଖୁସୱନ୍ତ ସିଂହ ଲେଖିଥିବା ବହିଟିଏ ମୁଁ ପଢ଼ୁଥିଲି। ସେ ଖୋଲାଖୋଲି ସବୁ ଲେଖିଦେଇଛନ୍ତି। ଶୋଭା ଡେ ବି ଅତି ଅଶ୍ଲୀଳ ଭାଷା ଲେଖନ୍ତି। ମୁଁ ତ ସେମିତି ଲେଖିନି ଆଜିଯାଏ। ତେବେ ମୋ’ର ଇଚ୍ଛା ହେଉଛି ଲେଖିବାକୁ। ମୁଁ ତ ସେମାନଙ୍କଠୁଁ ଆହୁରି ଅଶ୍ଲୀଳ ଲେଖିପାରିବି।
ସାହିତ୍ୟ ଚର୍ଚ୍ଚା: ଆଜି ଆମର ଆଳାପ ଆଲୋଚନାଟି ଅତି ମନୋଜ୍ଞ ଥିଲା। ସେଥିପାଇଁ ଆପଣଙ୍କୁ ଅଶେଷ ଧନ୍ୟବାଦ।

(‘ସାହିତ୍ୟ ଚର୍ଚ୍ଚା ’ ପତ୍ରିକାର ଜୁଲାଇ , ୨୦୨୩ ସଂଖ୍ୟାରେ ପ୍ରକାଶିତ । )

3 thoughts on “ବର୍ଷୀୟାନ କଥାକାର ଦେବ୍ରାଜ ଲେଙ୍କାଙ୍କ ସହ ଆଳାପ

  1. ଯେମିତି ଭାବନ୍ତି, ସେମିତିହିଁ ଲେଖନ୍ତି, ଲେଖିଛନ୍ତି, ଦେବ୍ରାଜ ସାର୍ ।
    ତାଂକୁ ମୋର ପ୍ରଣାମ ।

    ସାକ୍ଷାତକାର ଟି, ଆହୁରି ଦୀର୍ଘ ସମୟର, ଆହୁରି ଅନେକ ଅନେକ ପୃଷ୍ଠାର ହେଇପାରିନଥାନ୍ତା !

    କେବଳ ଶବ୍ଦର ନୁହଁନ୍ତି, ଭାବନାର ସମ୍ରାଟ ସେ ।
    ଦେବ୍ରାଜ, ଦେବ୍ରାଜ ।
    କେବଳ ଗୋଟିଏ ହିଁ ଅର୍ଥ ଅଛି ସେଇ ଗୋଟିଏ ଶବ୍ଦର :
    ଦେବ୍ରାଜ ଅର୍ଥ “ଦେବ୍ରାଜ ଲେଙ୍କା”।

  2. ବଢ଼ିଆ ବାର୍ତ୍ତାଳାପ । ବହୁତ ସୁନ୍ଦର ହୋଇଛି ।

Leave a Reply

Your email address will not be published. Required fields are marked *