ଅନେକ ରୋଚକ ଅନୁଭୂତିରେ ଭରପୂର ଥିଲା ୧୯୫୫ ରୁ ୧୯୬୨ ପର୍ଯ୍ୟନ୍ତ କଲିକତାରେ ମୋ’ର ରହଣି।
ବୟସାଧିକ୍ୟ ଯୋଗୁ ଏହି ଲେଖକ ଅନେକ ବର୍ଷ ହେଲା ବିଶେଷ କିଛି ଲେଖାଲେଖି କରିପାରିନାହିଁ। ଏ ମଧ୍ୟରେ ‘ସାହିତ୍ୟ ଚର୍ଚ୍ଚା’ର ସମ୍ପାଦକ ମହୋଦୟଙ୍କଠାରୁ ଏକ ଅନୁରୋଧ ଆସିଲା, କଲିକତାର ପ୍ରବାସୀ ଓଡ଼ିଆଙ୍କ ସହିତ ମୋର ଅତୀତ ଜୀବନର ଅନୁଭୂତି ସମ୍ପର୍କରେ କିଛି ଲେଖିବା ପାଇଁ। ଏଣୁ ଦୁଇପଦ ଲେଖିବାକୁ କଲମ ଧରିଛି।
ଏ ଲେଖକ କଲିକତାରେ ପହଞ୍ଚିଥିଲା ଅଗଷ୍ଟ ୧୯୫୫ରେ, ଏବଂ ‘ନ୍ୟାଶନାଲ ଲାଇବ୍ରେରୀ’ରେ କାର୍ଯ୍ୟକ୍ଷେତ୍ରରେ ଯୋଗଦେଲା। ମୋତେ ପାଇ ବେଶି ଖୁସି ହୋଇଥିଲେ କଲିକତାରେ ବସବାସ କରୁଥିବା ଓଡ଼ିଆଭାଷୀ। ଏହାର ବହୁ ପୂର୍ବରୁ ଓଡ଼ିଆମାନେ କଲିକତା ଆସିଛନ୍ତି।
ଅଷ୍ଟାଦଶ ଓ ଊନବିଂଶ ଶତାବ୍ଦୀରେ ଓଡ଼ିଆଙ୍କ ପରିଚୟ ହେଲା ପାଲିଙ୍କି-ବାହକ ଭାବରେ। ୧୭୭୬ରେ ଏକ ପରିସଂଖ୍ୟାନରୁ ଜଣାଯାଏ ପ୍ରତିବର୍ଷ ସେମାନେ ତାଙ୍କ ରୋଜଗାର ଦ୍ୱାରା ତିନି ଲକ୍ଷ ଟଙ୍କା ଓଡ଼ିଶାକୁ ପଠାଉଥିଲେ। ସେ ସମୟରେ ତିନିଲକ୍ଷ ଟଙ୍କାର ମୂଲ୍ୟ କେତେ ଥିଲା ସହଜରେ ଅନୁମାନ କରାଯାଇପାରେ। ଅନ୍ୟ ଅର୍ଥରେ, ଓଡ଼ିଆଙ୍କ ସଂଜ୍ଞା ହେଲା, ଯେ ବାହାରେ ରହି ଘରକୁ ପଇସା ପଠାଇପାରିବ ସେ ହେବ ଓଡ଼ିଆ।
ମୁଁ କଲିକତାରେ ପହଞ୍ଚିବା କିଛି ନୂଆ କଥା ନ ଥିଲା। ସାକ୍ଷାତ ହେଲା କଲିକତାର ପ୍ରବାସୀମାନଙ୍କ ମଧ୍ୟରେ ଅଗ୍ରଣୀ ଆକୁଳି ମିଶ୍ରଙ୍କ ସହିତ। ସେ ସବୁବେଳେ ନିଜକୁ ପରିଚୟ ଦେଲାବେଳେ କହିଥାଆନ୍ତି, “ମୁଁ ଆକୁଳି ମିଶ୍ର, ବି.ଏ.।” ସେ ବହୁବଜାରରେ ‘ଆଂଗ୍ଲୋ ଓଡ଼ିଆ ପ୍ରେସ୍’ର ପ୍ରତିଷ୍ଠାତା। ମାସିକ ପତ୍ରିକା ‘ଯୁଗ ଭାରତୀ’ (୧୯୫୨-୧୯୫୭)ର ସଂପାଦକ ଥିଲେ। ତାଙ୍କ ଘରଟି ନେତା ଓ ସାହିତ୍ୟକାରମାନଙ୍କର ମିଳନସ୍ଥଳ ଥିଲା।
ହରେକୃଷ୍ଣ ମହତାବଙ୍କୁ ସେଠାରେ ଭେଟିଛି। ଡକ୍ଟର ହରେକୃଷ୍ଣ ମହତାବଙ୍କ ମହାନୁଭବତା ସମ୍ବଦ୍ଧରେ ମୁଁ ଏକ ବିଷୟ ଉଲ୍ଲେଖ କରିବାକୁ ଉଚିତ ମନେ କରିଛି। ଏଇଟା ହେଉଛି, ସେ ଯାହାକୁ ଥରେ ଦେଖନ୍ତି ଜୀବନ ସାରା ମନେ ରଖିଥାନ୍ତି। ୧୯୫୬ ରେ ସେ ଥାଆନ୍ତି ଅବିଭକ୍ତ ବମ୍ୱେ ପ୍ରଦେଶର ଗଭର୍ଣ୍ଣର। ସେଦିନ ଥାଏ ଦୋଳ ପୂର୍ଣ୍ଣିମା। ଆମେ ଖବରକାଗଜରୁ ପଢ଼ିଲୁ ଯେ ସେ କଲିକତା ରାଜଭବନକୁ ଆସୁଛନ୍ତି ଅତିଥି ହୋଇ। ତାଙ୍କୁ ଦେଖିବାକୁ ଇଚ୍ଛା ହେଲା। ମୁଁ ଓ ଆମ ଗାଁର ଗୌରକିଶୋର ଦାସ ନଅଟା ପୂର୍ବରୁ ଗଭର୍ଣ୍ଣର ହାଉସର ଗେଟ୍ ପାଖରେ ଠିଆ ହୋଇଥିଲୁ। ସେ ଆସିଲେ, ଗେଟ୍ ପାଖରେ ଆମକୁ ଦେଖି ହାତଠାରି କହିଲେ, ଅପେକ୍ଷା କର। ଠିକ୍ ପାଞ୍ଚ ମିନିଟ ପରେ ଜଣେ ସନ୍ତ୍ରୀ ଆସି ଆମକୁ ଭିତରକୁ ଡାକିନେଲା। ଦେଖୁ ଦେଖୁ ପଚାରିଲେ, ନଗେନ୍ଦ୍ର ତମେ ବର୍ତ୍ତମାନ କ’ଣ କରୁଛ? ଉତ୍ତର ଦେଲି, ଏଠି ନାସନାଲ ଲାଇବ୍ରେରୀରେ କାମ ପାଇଛି। ଖୁସି ହେଲେ। କହିଲେ, ଭଲ ହେଲା, ମନଦେଇ କାମ କର, ଉନ୍ନତି ହେବ। ସେ ମତେ ଆଗରୁ ଜାଣିଥିଲେ, ୧୯୪୯ ରୁ କଟକରେ ଇତିହାସ କଂଗ୍ରେସର ଅଧିବେଶନ ସମୟରୁ।
ଦାନବୀର ବିଜୁବାବୁ
ସେଠାରେ ସାକ୍ଷାତ୍ ହୋଇଛି ଦାନବୀର ବିଜୁ ପଟ୍ଟନାୟକଙ୍କ ସହିତ। ସେ ଗାଡ଼ିରୁ ଓହ୍ଲାଇଲା ବେଳେ ଗୋଟିଏ ଲୋକ ଆସି ଛତା ଧରେ, ତାହାକୁ ସଙ୍ଗେ ସଙ୍ଗେ ଦଶଟଙ୍କା ବଢ଼ାଇ ଦିଅନ୍ତି। ଦକ୍ଷିଣ କଲିକତାର ରୋଷେଇଆମାନଙ୍କର ବିଦ୍ୟାଳୟଟି ଗୋଟିଏ ଭଡ଼ାଘର ଉପର ମହଲା ଛାତରେ ଥାଏ। ସେଇଟି ଭାଙ୍ଗି ପଡିବା ଅବସ୍ଥାରେ ଥିବାରୁ ତାଙ୍କୁ ଏ ବିଷୟରେ ଆଲୋଚନା ପାଇଁ ଏକ ସଭାକୁ ନିମନ୍ତ୍ରଣ କରାଯାଇଥିଲା। ସେ କହିଲେ “ମୁଁ ଇତିହାସରେ ବିଶ୍ୱାସ କରେ ନାହିଁ।” ନଗଦ ଦଶ ହଜାର ଟଙ୍କା ଦେଲେ ଛାତ ମରାମତି କରିବା ପାଇଁ। ପୁତ୍ର ନବୀନ ପଟ୍ଟନାୟକ ଓ କନ୍ୟା ଗୀତା ପଟ୍ଟନାୟକଙ୍କୁ ସେଠାରେ ଦେଖିଥିଲି। ଉଭୟ ହସଖୁସି ମିଜାଜର ଥିଲେ।
କଲିକତାରେ ମୋ ଘରେ ଅତିଥି ହୋଇଥିଲେ ଶାନ୍ତିନିକେତନର କୁଞ୍ଜବିହାରୀ ଦାଶ ଓ ପଦ୍ମଶ୍ରୀ ଲକ୍ଷ୍ମୀନାରାୟଣ ସାହୁ ପ୍ରମୁଖ। ମୋର ଅନ୍ତରଙ୍ଗ ହୋଇଥିଲେ କେନ୍ଦ୍ରାପଡ଼ା ଜିଲ୍ଲାର ପଟ୍ଟାମୁଣ୍ଡାଇ ଥାନା ଖଡ଼ିଅଣ୍ଟା ଗାଁର କଣ୍ଡୁରି ଚରଣ ଦାସ (୧୯୩୦-୨୦୧୬)। ସେ କଲିକତା ନୁରମହମ୍ମଦ ଲେନ୍ରେ ରହୁଥିଲେ। ଆସନ୍ତାକାଲି, ସମାବେଶ, ତରଙ୍ଗ ଓ କବିତା ପ୍ରଭୃତିର ସମ୍ପାଦନା ସହ ସମ୍ପୃକ୍ତ ଥିଲେ। ରହସ୍ୟ ଉପନ୍ୟାସ ତାଙ୍କର ବୈଶିଷ୍ଟ୍ୟ, ପ୍ରାୟ ୧୦୦ ଖଣ୍ଡ ପାଖାପାଖି ଲେଖିଛନ୍ତି।
ତାଙ୍କ ସହିତ ଥିଲେ ଦିଗମ୍ବର ଦାସ (୧୯୨୪-୧୯୯୮) ଔପନ୍ୟାସିକ ଓ ନାଟ୍ୟଶିଳ୍ପୀ। ଘର ପଟ୍ଟାମୁଣ୍ଡାଇର ଖଡ଼ଅଣ୍ଟା ଗ୍ରାମ। କଲିକତାରେ ଗୋଟିଏ କମ୍ପାନୀରେ ଚାକିରି କରିଥିଲେ। ବିଶ୍ୱସ୍ତତା ରକ୍ଷା କରି ସେ ସର୍ବୋଚ୍ଚ ନିର୍ଦ୍ଦେଶକଙ୍କ ପ୍ରିୟଭାଜନ ହୋଇଥିଲେ। ସେ ଅଫିସ ଘରେ ରହୁଥିଲେ। ଛୁଟିଦିନମାନଙ୍କରେ ତାଙ୍କ ଘର ଓଡ଼ିଆମାନଙ୍କର ମିଳନସ୍ଥଳ ହେଉଥିଲା। ଯଦିଓ ସେ କଲିକତାର ବ୍ରଜବନ୍ଧୁ ନୈଶବିଦ୍ୟାଳୟରେ ପଢ଼ୁଥିଲେ; କିନ୍ତୁ ଡ. କୁଞ୍ଜ ବିହାରୀ ଦାଶଙ୍କ ପାଖରେ ରହି ଓଡ଼ିଆ ପଢ଼ି ଲେଖି ଶିଖିଥିଲେ। ହିନ୍ଦୀ ପଢ଼ିଲେ, ଲୋକପ୍ରିୟ ହିନ୍ଦୀ ଉପନ୍ୟାସ ଅବଲମ୍ବନରେ ଓଡ଼ିଆ ଉପନ୍ୟାସ ଲେଖିଲେ। ସେ ୧୯୫୦/୬୦ ଦଶକରେ କଲିକତାରେ ବଙ୍ଗାଳୀ ବାରାଙ୍ଗନାଙ୍କୁ ଓଡ଼ିଆ ଶିଖାଇ ଓଡ଼ିଆ ନାଟକ ସବୁ ମଞ୍ଚସ୍ଥ କରାଇଥିଲେ। ବିଶିଷ୍ଟ ଲେଖକ ଓ କଳାକାରମାନଙ୍କ ସହିତ ତାଙ୍କର ସମ୍ପର୍କ ବଢ଼ିଲା। ଦିନେ ଏକ ସାହିତ୍ୟ ସଭାରେ ଡ. କୁଞ୍ଜବିହାରୀ ଦାଶ ପଦଟିଏ କହିଦେଲେ “ଘରେ ନ ରହନ୍ତି ଗଉଡ଼େ ବଡ଼….।” ତତ୍କ୍ଷଣାତ୍ ଦୈତାରୀ ପ୍ରସାଦ ତାଙ୍କୁ ମାରିବାକୁ ଆସିଲେ। ଆମକୁ ଗଉଡ କ’ଣ କହୁଛ! ଆମେ ହେଉଛୁ ‘ଗୋପାଳ’। ତାଙ୍କୁ ମୁଁ ମଞ୍ଚରୁ ପଛପଟେ ଆଣି ଆମ ଘରେ ଲୁଚାଇ ରଖିଥିଲି। ଏମିତି ଥିଲା ସେ ସମୟରେ କଲିକତା ଅବସ୍ଥା।
କଲିକତାରେ ଓଡ଼ିଆ ଶ୍ରମିକମାନେ ଟିଣ ଟିଣ ପିଇବାପାଣି ବୋହି ଘରମାନଙ୍କୁ ଯୋଗାଇଥାଆନ୍ତି, ମାତ୍ର ଘରମାଲିକ ସେମାନଙ୍କୁ ପଇସା ଦିଅନ୍ତି ନାହିଁ। ଆମେ ମେୟର ବିଜୟ ମଜୁମ୍ଦାରଙ୍କୁ କହିବାରୁ ସେ ସେହି ପ୍ରଥା ବନ୍ଦ କରାଇଲେ ଏବଂ ତାଙ୍କୁ ଉଚିତ ପଇସା ମିଳିଥିଲା।
ସେ ସମୟରେ ଦକ୍ଷିଣ କଲିକତାରେ ବିଶିଷ୍ଟ ଓଡ଼ିଆ କର୍ମକର୍ତ୍ତାମାନଙ୍କ ମଧ୍ୟରେ ଥିଲେ ମୋ ସହକର୍ମୀ, ଜାତୀୟ ଗ୍ରନ୍ଥସୂଚୀର ସମ୍ପାଦକ ଅବକାଶ ଜେନା। ସେ ଓଡ଼ିଆରେ ଏମ୍.ଏ. ପାସ୍ କରିଥିଲେ, ଅବସର ସମୟରେ ଖିଦିରପୁର ଓଡ଼ିଆ ହାଇସ୍କୁଲରେ ପିଲାଙ୍କୁ ପଢ଼ାଉଥିଲେ। ଆଉ ଥିଲେ ସମାଜସେବୀ ପଦ୍ମଚରଣ ନାୟକ, ଷଢ଼େଇକଳା ରାଜା ଭୂପେନ୍ଦ୍ର ନାରାୟଣ ସିଂହଦେବ, ସମାଜସେବୀ ପ୍ରତିପତ୍ତିଶାଳୀ ଶ୍ୟାମସୁନ୍ଦର ଖୁଣ୍ଟିଆ, କୃଷ୍ଣଚନ୍ଦ୍ର ସାହୁ ଆଦି। ପରାମର୍ଶ ଦେଉଥିଲେ ଦର୍ଶନ ଅଧ୍ୟାପକ ଜିତେନ୍ଦ୍ର ନାଥ ମହାନ୍ତି ପ୍ରମୁଖ ଅନେକ ବ୍ୟକ୍ତି।
ଓଡ଼ିଆଙ୍କ ବିଦ୍ରୋହ
ଏକ ବିଶିଷ୍ଟ କାରଣ ଯୋଗୁ ଓଡ଼ିଆମାନଙ୍କ ମଧ୍ୟରେ ବିଦ୍ରୋହ ଜାତ ହୋଇଥିଲା ତାହା ହେଉଛି କଲିକତାର ‘ଓଡ଼ିଶା ଭବନ’। ୧୯୪୩ ହିନ୍ଦୁ-ମୁସଲମାନ ହଣାକଟା ବେଳେ ଏକ ବସ୍ତିର ଅନେକ ଓଡ଼ିଆ ପ୍ରାଣ ହରାଇଥିଲେ। ବ୍ରିଟିଶ ସରକାର ସେମାନଙ୍କୁ କ୍ଷତିପୂରଣ ଭାବେ ଅନେକ ଟଙ୍କା (ଟ.୫୦,୦୦୦) ଦେଇଥିଲେ। ଡ. ହରେକୃଷ୍ଣ ମହତାବ ତାକୁ ନେଇ ପ୍ରଜାତନ୍ତ୍ର ପ୍ରେସରେ ଲଗାଇଦେଲେ। ଆଉ ଓଡ଼ିଶା ଭବନ ହୋଇପାରିଲା ନାହିଁ, ଶ୍ରମିକମାନଙ୍କ ବିଦ୍ରୋହର କାରଣ ଥିଲା ତାହା। ଓଡ଼ିଶା ସରକାର ଗୋଟିଏ ଘର ମରାମତି କରି ତାକୁ ‘ଓଡ଼ିଶା ଭବନ’ ନାଁ ଦେଲେ। ମାତ୍ର ତାହା କେବଳ ସରକାରୀ କର୍ମଚାରୀଙ୍କ ପାଇଁ। ସେଥିପାଇଁ ଶ୍ରମିକ ଉତ୍ତେଜନାରେ ଏ ସଭା ସମିତି ସବୁ ଡକାଯାଉଥିଲା। ଦକ୍ଷିଣ କଲିକତା ‘ଉତ୍କଳ ସମିତି’ ପ୍ରତିଷ୍ଠିତ ହେଲା ୧୯୫୫ରେ। ଆମକୁ ଉତ୍ସାହିତ ଓ କଲ୍ୟାଣ କରନ୍ତି କାଳୀମନ୍ଦିରରେ ଥିବା ଓଡ଼ିଆ ବ୍ରାହ୍ମଣମାନେ।
କଲିକତାରେ ଅଧିକାଂଶ ରୋଷେୟା ଥିଲେ ଓଡ଼ିଆ ବ୍ରାହ୍ମଣ। ରୋଷେଇ ପରେ ସେମାନେ ତାସ୍, ପଶା ଇତ୍ୟାଦି ଖେଳି ସମୟ କଟାଉଥିଲେ। ସେମାନଙ୍କ ଜୀବନର ମାନ ବଢ଼ାଇବା ପାଇଁ ଗୋପବନ୍ଧୁ ଦାସ, ବ୍ରଜବନ୍ଧୁ ଦାସ ପ୍ରମୁଖ ଅନେକ ଚେଷ୍ଟା କରିଛନ୍ତି। ନୈଶ ବିଦ୍ୟାଳୟମାନ ସ୍ଥାପନା କରି ସେମାନଙ୍କୁ ଶିକ୍ଷାଦାନର ବ୍ୟବସ୍ଥା କରିଛନ୍ତି ସେମାନେ। ତେଣୁ ଓଡ଼ିଆ ନେତାମାନଙ୍କର ଉପସ୍ଥିତି ଜରୁରି ହୋଇପଡିଥିଲା। କଲିକତାର ଜନଜୀବନରେ ଓଡ଼ିଆମାନଙ୍କୁ ବାଦ ଦିଆଯାଇପାରିବ ନାହିଁ।
କଲିକତାର ମାଟିଆବୁରୁଜ ବସ୍ତିରେ ଅନେକ ଓଡ଼ିଆ ଶ୍ରମିକ ରହୁଥିଲେ। ସେମାନଙ୍କ ମଧ୍ୟରୁ ଯେତେବେଳେ କେହି ନିଜ ଗାଁକୁ ଆସନ୍ତି ଆଖପାଖ ଗାଁରେ ରହୁଥିବା ଲୋକମାନେ ଖବର ପାଇ ତାଙ୍କ ଘରେ ପୂର୍ବ ସଂଧ୍ୟାରେ ପହଞ୍ଚନ୍ତି, ନିଜ ଘରକୁ କିଛି ଟଙ୍କା ଓ ଜିନିଷ ପଠାଇବା ପାଇଁ। ଟଙ୍କା ସବୁ ଗୋଟିଏ ଗାଞ୍ଜିଆ ମୁଣିରେ ଭର୍ତ୍ତି ହୁଏ। ଗାଞ୍ଜିଆଟି ଭର୍ତ୍ତି ହୋଇ ଅଣ୍ଟାରେ ବନ୍ଧା ହୁଏ। ପ୍ରତ୍ୟେକଙ୍କ ସାର୍ଟ୍ର ଭିତର ପଟେ ଗୋଟିଏ ଚୋରା ପକେଟ ଥାଏ। ତହିଁରେ ନୋଟମାନ ରଖାହୁଏ। ସାର୍ଟ୍ ଉପରେ ଗୋଟିଏ ଗେଞ୍ଜି ପିନ୍ଧନ୍ତି। ଗେଞ୍ଜି ଉପରେ କୋଟ୍ ପିନ୍ଧନ୍ତି। ମେଲ୍ଗାଡି ଭିତରେ ବହୁତ ପକେଟମାର ହୁଏ। ସେଥିପାଇଁ ଏ ଶକ୍ତ ବ୍ୟବସ୍ଥା। ଗୋଟିଏ ବଡ଼ ବାଲ୍ଟି ଆସେ। ସେଥିରେ ଜିନିଷପତ୍ର ସବୁ ଭରାଯାଏ। ତା’ ଉପରେ ଗୋଟିଏ ଲୁହା କଡ଼େଇ ଉଗୁଡ଼େଇ ଦିଆଯାଏ ମୁହଁକୁ ଖାପ ଖାଇଲା ଭଳି। ଶେଷରେ ଗୋଟିଏ ଝୋଟ କେର୍ପାଲ୍ ଆଣି ତଳଓପର ସବୁ ଗୁଡିଆ ହୋଇ ଡାମ୍ଫଣରେ ସିଲାଇ କରାଯାଏ ଓ ଦୃଢ଼ ଭାବରେ ବନ୍ଧାଯାଏ। ଓଡ଼ିଶାରେ ବାଲଟି କଡାଇ କାରଖାନା ନ ଥିଲା, କଲିକତାରୁ ସେସବୁ ଆସେ। ଶସ୍ତାରେ କିଣି ସେଠାରୁ ଏହାକୁ ଘରକୁ ଆଣନ୍ତି। ପୁଡ଼ିଆକୁ ମୁଣ୍ଡାଇ ହାଉଡ଼ା ଷ୍ଟେସନକୁ ଆସନ୍ତି। ସାଙ୍ଗରେ ଥାଆନ୍ତି ମଜଭୁତିଆ ୪/୫ ଜଣ ଟୋକା।
ଷ୍ଟେସନରେ କୁଲିଙ୍କ ଦୌରାତ୍ମ୍ୟ ବେଶି। ବିନା କୁଲି ସାହାଯ୍ୟରେ କେହି ତାହା ଭିତରେ ପଶିପାରନ୍ତି ନାହିଁ। ପଇସା ବଞ୍ଚାଇବାକୁ ସେଇ ଟୋକାମାନେ ମଣିଷ ଓ ପୁଟୁଳି ଉଭୟଙ୍କୁ ଭିତରେ ଓ ବାହାରକୁ ଝରକାବାଟେ ଠେଲି ଦିଅନ୍ତି। ଗାଡିଭଡା ପଡିବ ବୋଲି ସେମାନେ ମେଲ୍ ବା ଏକ୍ସପ୍ରେସ ଗାଡିରେ ଆସନ୍ତି ନାହିଁ। ଆସନ୍ତି ପାସେଞ୍ଜର ଗାଡିରେ। ଡବା ଭିତରେ ବେଞ୍ଚରେ ବସିବାକୁ ଜାଗା ନ ଥାଏ ତଳେ ପୁଡ଼ିଆକୁ ଥୋଇ ତା’ ଉପରେ ବସନ୍ତି। ସେସବୁକୁ କୁହାଯାଏ ‘କଡ଼ାବନ୍ଧା’।
ଏହିଭଳି ଅନେକ ରୋଚକ ଅନୁଭୂତିରେ ଭରପୂର ଥିଲା କଲିକତାରେ ମୋ’ର ସାତ ବର୍ଷର ରହଣି। ଆଜି ବି କ୍ଷୀଣ ସ୍ମୃତିରେ ଭାସି ଉଠେ ଏ ସବୁ।
(‘ସାହିତ୍ୟ ଚର୍ଚ୍ଚା’ ପତ୍ରିକାର ଜୁଲାଇ, ୨୦୨୩ ସଂଖ୍ୟାରେ ପ୍ରକାଶିତ।)
One of the finest piece of recollections I have read in the pages of Sahitya Charcha. My only grievance is that it’s too short.
ଶ୍ରୀଯୁକ୍ତ ନଗେନ୍ଦ୍ର ମହାନ୍ତି ମୋର ଅତି ଆପଣାର । ତାଙ୍କ ଘର ଆମ ବୋଧପୁର। ବୟସ ତେୟାନବେ । ରାଣିହାଟ ହାଇସ୍କୁଲର ଗଣିତ ଶିକ୍ଷକରୁ ଆରମ୍ଭ ହୋଇ ଲାଇବ୍ରେରୀ ସାଇନ୍ସ ରେ ଡକ୍ଟରେଟ୍ । ନଗେନ୍ଦ୍ର ବାବୁଙ୍କ ଓଡିଆ ଚରିତ କୋଷ ଚାରିଖଣ୍ଡ । ବାରହଜାର ଓଡିଆଙ୍କ ଜନ୍ମ ବୃତ୍ତାନ୍ତ ଲେଖା ଅଛି । ତାଙ୍କ ଦ୍ବାରା ରଚିତ ଓଡିଆ ପତ୍ର ପତ୍ରିକା ସମ୍ବନ୍ଧୀୟ ପୁସ୍ତକ, ଓଡିଆ ଲିପି ସମ୍ବନ୍ଧୀୟ ପୁସ୍ତକ ଓ ତାଙ୍କ ଗାଁ ବୋଧପୁର ବିଷୟରେ ପୁସ୍ତକ ସହ ମୁଁ ପରିଚିତ ।
ସେ ରହୁଛନ୍ତି ଦିଲ୍ଲୀରେ । ସାହିତ୍ୟିକା ଡକ୍ଟର ପ୍ରତିଭା ରାୟଙ୍କ ଭିଣେଇ ନାଗୁଭାଇ । ତାଙ୍କର ଦୀର୍ଘ ନିରାମୟ ଜୀବନ କାମନା କରୁଛି ।
ଅଭୟ ଦାଶ
Dr. Narendra Mohanty nka ananya parichay jaani bahut khusi heli. E khabar paain aapananku anek dhanyavad.
Ati sundar laagila lekha ti, evam pura anubhuti. Dr Mohanty nka Sahita sampadak mahodaya nku madhya.
ଓଡ଼ିଆ ସାହିତ୍ୟକୁ ନଗେନ ବାବୁଙ୍କ ଅବଦାନ ଅକଳ୍ପନୀୟ l ଓଡ଼ିଆ ଚରିତ କୋଷ ଏକ ଅମରକୃତି l
ମୋର ଅନୁରୋଧ ସେ ଏଥରକ ତାଙ୍କ ଆତ୍ମ ଜୀବନୀ ଲେଖନ୍ତୁ l
ଜଗନ୍ନାଥ ପ୍ରସାଦ ଦାସ
ଓଡ଼ିଆ ଚରିତ କୋଷ ର ପ୍ରକାଶକ କିଏ ଏବଂ ତାହା କେଉଁଠି ମିଳି ପାରିବ ଦୟା କରି ଲେଖିବେ କି ?
ନଗେନ୍ ମହାନ୍ତିଙ୍କ ‘ଓଡିଆ ଚରିତ କୋଷ’ ଏ କେ ମିଶ୍ର ପବ୍ଲିକେସନ, ବାଦାମବାଡି, କଟକ, ରେ ମିଳିପାରେ।
ରୋଚକ ତଥ୍ୟଭରା ଆପଣଙ୍କ କଲିକତା ଅନୁଭୂତି l ବହୁତ ଭଲ ଲାଗିଲା l
ସାହିତ୍ୟ ଚର୍ଚ୍ଚା ର ସମ୍ପାଦକଙ୍କଏଇ ସବୁ ଅଭିନବ ଉଦ୍ୟମ ଓଡ଼ିଆ ପତ୍ରିକା କ୍ଷେତ୍ରରେ ନୂଆ ଦରଜା ସବୁ ଖୋଲିବାରେ ଲାଗିଛି । ତାଙ୍କୁ ବଧେଇ ।
ନିୟମିତ ପ୍ରକାଶ କରନ୍ତୁ…..