ପୁସ୍ତକ ପ୍ରକାଶନ ଓ ସଂପାଦନାର କେତେକ ଦିଗ

ମୂଳ ଲେଖାଟି ଲେଖିଲାବେଳେ ଲେଖକଟି ଯାହା ମନକୁ ଆସେ ଲେଖିଯାଏ। ଲେଖା ସହ ସମତାଳରେ ସଂଶୋଧନ କରିହୁଏ ନାହିଁ।

ମାନସ ରଂଜନ ମହାପାତ୍ର

ସଂପାଦନା ଏକ ବିଧି ବା କୌଶଳ। ଅନେକ ଏକଥା ଜାଣନ୍ତି ନାହିଁ ଯେ ଖବରକାଗଜ, ପତ୍ରପତ୍ରିକା, ପ୍ରଚାର ପତ୍ରିକାଠାରୁ ପୁସ୍ତକ ସଂପାଦନା ଏକ ଅଲଗା କାମ। ୧୯୮୫ ମସିହାରେ ମୋ ଉପନ୍ୟାସିକାର ପାଣ୍ଡୁଲିପି ସଂପାଦନା କଲାବେଳେ ଏହା ଅନୁଭବ କରିଛି। ୧୯୯୦ ରୁ ୨୦୨୦ ମସିହା ପର୍ଯ୍ୟନ୍ତ ନ୍ୟାସନାଲ ବୁକ୍ ଟ୍ରଷ୍ଟରେ ସଂପାଦକ ଭାବେ କାମ କଲାବେଳେ ମତେ ପ୍ରାୟ ଏକ ହଜାର ପାଣ୍ଡୁଲିପି ସଂପାଦନା କରିବାର ସୁଯୋଗ ମିଳିଲା। ତା’ ବି କେବଳ ଓଡ଼ିଆରେ ନୁହେଁ, ହିନ୍ଦୀ ଓ ଇଂରାଜୀ ଭାଷାରେ ମଧ୍ୟ।
ଓଡ଼ିଆ ଭାଷାରେ ପୁସ୍ତକ ସଂପାଦନା ବିଷୟକ ପୁସ୍ତକ ବିରଳ। ମୋର ଗୁରୁତୁଲ୍ୟ ପ୍ରଫୁଲ୍ଲ କୁମାର ତ୍ରିପାଠୀ ଏ ଦିଗରେ ପ୍ରାରମ୍ଭିକ ଉଦ୍ୟମ ଆଜିଠୁ ଅର୍ଦ୍ଧ ଶତାବ୍ଦୀ ତଳେ କରିଥିଲେ।
କଳା ନା ବିଜ୍ଞାନ?
ପୁସ୍ତକ ସମ୍ପାଦନା ଏକ କଳା ବା ବିଜ୍ଞାନ? ଦିଲ୍ଲୀ ବିଶ୍ୱବିଦ୍ୟାଳୟରେ ପୁସ୍ତକ ପ୍ରକାଶନ ପଢ଼ାଇବା ବେଳେ ମୁଁ ଏଇ ପ୍ରଶ୍ନର ସମ୍ମୁଖୀନ ବାରମ୍ବାର ହୋଇଛି। ମୋ ଛାତ୍ର ସକୁର କୁନ୍ଦ୍ରା ଓ ଛାତ୍ରୀ ସ୍ୱାତୀ ମତେ ଏ ପ୍ରଶ୍ନ ପଚାରିବା ବେଳେ ପ୍ରଥମେ ମୁଁ ନିରବ ରହିଥିଲି। ପରେ ନିଜକୁ ବାରମ୍ବାର ପଚାରିଲି, ଯାହା ନିଷ୍କର୍ଷରେ ପହଞ୍ଚିଲି, ତାହା ହେଉଛି, ପୁସ୍ତକର ସଜ୍ଜିତ ରଙ୍ଗ, ପାଣ୍ଡୁଲିପିର ଲିଖନ ଏକ କଳା; ମୁଦ୍ରଣ ଓ ସଂଶୋଧନ ଏକ ବିଜ୍ଞାନ।
ମୋ ନନା (ବାପା) ଜଣେ ସାମ୍ବାଦିକ ଥିଲେ। ଆଜିଠୁ ପଞ୍ଚାବନ ବର୍ଷ ଆଗେ ସେ ପୁରୀରୁ ‘ଜନମତ’ ନାମକ ସାପ୍ତାହିକର ସମ୍ପାଦନା କରୁଥିଲେ। ମତେ ସେତେବେଳକୁ ସାତବର୍ଷ ବୟସ। ନନା ନାଲି କଲମରେ ଲେଖା ସଂଶୋଧନ କରୁଥାନ୍ତି। ବେଳେବେଳେ ପୃଷ୍ଠା ପୃଷ୍ଠା କାଟିଦେବା ମୁଁ ଦେଖିଛି। ହେଲେ, ଲେଖା ସହ କିଛି ଯୋଡ଼ିବା ବା ପାରାଗ୍ରାଫ୍ ଉପର ତଳ କରିବା ମୁଁ ଦେଖିନାହିଁ।
ପୂର୍ବରୁ କହିଛି, ଖବରକାଗଜ ସଂପାଦନା ଓ ପୁସ୍ତକ ସଂପାଦନା ଏକ କଥା ନୁହଁ। ସଂକଳନ କରିବା କାମକୁ ଅନେକ ସଂପାଦନା ବୋଲି ଭାବିଥାନ୍ତି। ବହୁ ସଂକଳନ ଦେଖିଛି, କିଛି ଲେଖା ଏକାଠି କରି ଟୀକା ବା ଭୂମିକା ଲେଖି ଅନେକ ସଂପାଦକ ହୋଇଥାନ୍ତି। ଗଲା ପଚାଶ ବର୍ଷ ଭିତରେ କେତେଜଣ ହାତଗଣତି ଲୋକଙ୍କୁ ଛାଡ଼ିଦେଲେ ଭାରତରେ ମୁଁ ପୁସ୍ତକ ସଂପାଦକ ଦେଖିନାହିଁ। ଶୁଣିଛି, ମୁନ୍‌ସୀ ପ୍ରେମଚନ୍ଦ ପୁସ୍ତକ ସଂପାଦନା କଲାବେଳେ କେବେ କେବେ ଲେଖାଟିର ପୁନର୍ଲିଖନ କରିଦେଉଥିଲେ। ପ୍ରଫେସର ଚିତ୍ତରଞ୍ଜନ ଦାସଙ୍କୁ ଏ ପ୍ରକାର କାମ କରିବାର ମୁଁ ଦେଖିଛି। ଅଭିରାମ ମହାପାତ୍ରଙ୍କ ପରି ପ୍ରକାଶକମାନେ ମଧ୍ୟ ଭଲ ପୁସ୍ତକ ସଂପାଦକ ଥିଲେ। ମୋ ଜୀବଦ୍ଦଶାରେ କ୍ୱଚିତ୍ ବୃତ୍ତିଗତ ପୁସ୍ତକ ସଂପାଦକ ମୁଁ ଓଡ଼ିଶାରେ ଦେଖିଛି। ବଂଗଳାରେ ନରେନ୍ଦ୍ରନାଥ ଚକ୍ରବର୍ତ୍ତୀ ବା ଇଂରାଜୀରେ ରବି ଦୟାଲ୍ ବା ସାମୁଏଲ୍ ଇଜ୍ରାଏଲ୍‌ଙ୍କ ପରି ପୁସ୍ତକ ସଂପାଦକମାନଙ୍କୁ ମୁଁ ଭେଟିଛି ଏବଂ ସେମାନଙ୍କଠାରୁ ଅନେକ କଥା ଶିଖିଛି।

ଲେଖକ ବା ଶିଳ୍ପୀମାନେ ସର୍ଜନଶୀଳ ପ୍ରାଣୀ। ତାଙ୍କ ସୃଷ୍ଟି ଦେଖିଲେ କିଭଳି ଦିଶିବ, ତାହାର ଏକ ମୂଳରୂପ ବା ପ୍ରରୂପ ସେମାନେ ତିଆରି କରିଥାନ୍ତି; ଯାହାକୁ ପ୍ରକାଶିତ ବା ମୁଦ୍ରିତ କରି ଲୋକଲୋଚନକୁ ଅଣାଯାଇପାରିବ। ‘ସକ୍‌ସେସ୍ ଅଫ୍ କ୍ରିଏଟିଭିଟି ଲାଇଜ୍ ଇନ୍ ରିପ୍ରଡକ୍‌ସନ’ ବୋଲି ବହୁ ମନୀଷୀ କହିଛନ୍ତି। ଇଂରାଜୀରେ ‘ପାଣ୍ଡୁଲିପି’ ପାଇଁ ଦୁଇଟି ଶବ୍ଦ ଅଛି – ‘ମାନୁସ୍କ୍ରିପ୍ଟ’ ଏବଂ ‘କପି’। କପିର ଆକ୍ଷରିକ ଅର୍ଥ ହେଉଛି ନକଲ। ଯେଉଁ ପାଣ୍ଡୁଲିପିଟି ପ୍ରକାଶ ପାଇଁ ଯାଏ ତାହା ହିଁ ହେଉଛି ମୂଳ ଲେଖାର ନକଲ ବା ପ୍ରତିରୂପ।
ଭାବ ହିଁ ଭିତ୍ତି
ଆଇଡିଆ ବା ଭାବ ବା ଆଧାର ହେଉଛି ସବୁ ସୃଜନକର୍ମର ମୂଳଭିତ୍ତି। ତାହାର ପ୍ରକାଶନ ଶୈଳୀ ଉପରେ ନିର୍ଭର କରେ ସ୍ରଷ୍ଟାର ସଫଳତା। ପର୍ବତ ଗୁମ୍ଫାରେ ବା ପଥରରେ ଖୋଦେଇ କରି ଏକଦା ସାହିତ୍ୟ ବା ଚିତ୍ର ସୃଷ୍ଟି କରାଯାଉଥିଲା। କାଗଜର ଓ ମୁଦ୍ରଣଯନ୍ତ୍ରର ଉଦ୍ଭାବନ ପୂର୍ବରୁ ମଧ୍ୟ ପାଣ୍ଡୁଲିପି ତିଆରି ହେଉଥିଲା। ଭୁର୍ଜ ପତ୍ରରେ ଲେଖନୀ ସାହାଯ୍ୟରେ ପ୍ରଥମେ ପାଣ୍ଡୁଲିପି ମୌଖିକ ପରମ୍ପରାରୁ ମୁଦ୍ରିତ ରୂପକୁ ରୂପାନ୍ତରିତ ହେଲା। କାଗଜର ଉଦ୍ଭାବନ ଏବଂ ଗୁଟେନ୍‌ବର୍ଗଙ୍କ ଦ୍ୱାରା ମୁଦ୍ରଣ ଯନ୍ତ୍ରର ଉଦ୍ଭାବନ ପରେ ମୁଦ୍ରିତ ପୁସ୍ତକ ପ୍ରସ୍ତୁତ ହେବା ଆରମ୍ଭ ହେଲା। ମୁଦ୍ରଣ କଳାର ଇତିହାସ ପଢ଼ିଲେ ଏ ବିଷୟରେ ଅନେକ କଥା ଜଣାପଡ଼େ।
ମୋ ପିଲାଦିନେ ଯେଉଁ ମୁଦ୍ରଣ ଯନ୍ତ୍ରରେ ପୁସ୍ତକ ଛପା ଯାଉଥିଲା, ତାହାକୁ ଲେଟର ପ୍ରେସ୍ କୁହାଯାଉଥିଲା। ସୀସା ଅକ୍ଷର ସବୁ ବର୍ଣ୍ଣମାଳା ଅନୁସାରେ କାଠ ଖୋପରେ ରଖାଯାଉଥିଲା ଏବଂ କମ୍ପୋଜିଟରମାନେ ତାକୁ ସଜାଡ଼ି କାଠଫ୍ରେମ୍‌ରେ ବାନ୍ଧି ପୃଷ୍ଠା ତିଆରି କରୁଥିଲେ। ପୃଷ୍ଠାଟି ଗୋଟିଏ ଯନ୍ତ୍ର ମାଧ୍ୟମରେ ପାଦ ଦ୍ୱାରା ଚାଳିତ ପ୍ୟାଡଲ ସାହାଯ୍ୟରେ ଚକ ବୁଲାଇ କାଗଜରେ ଛପାଯାଉଥିଲା। ପରେ ପରେ ଏହି ମୁଦ୍ରଣ ଯନ୍ତ୍ରଟି ମୋଟର ମାଧ୍ୟମରେ ଚାଲିବା ଆରମ୍ଭ ହେଲା। ମୁଦ୍ରଣର ଏହି ବିକାଶ ପଥରେ ଚାଲୁଚାଲୁ ଆମେ ଫଟୋ ଟାଇପ୍‌ସେଟିଂ ଓ ଡିଟିପି ଯୁଗରେ ପହଂଚିଗଲୁ। ମୁଦ୍ରଣର ପରମ୍ପରା ମଧ୍ୟ ଲେଟର ପ୍ରେସ୍‌ଠାରୁ ସିଟିପି ବା କ୍ୟାମେରା ଟୁ ପ୍ରିଣ୍ଟରେ ପହଂଚିଗଲା।
ପାଣ୍ଡୁଲିପି ତିଆରିର ପରମ୍ପରା ମଧ୍ୟ ବାଇଣ୍ଡିଂ କରା କାଗଜଠାରୁ ଡିଜିଟାଲ ସ୍ତରରେ ପହଂଚିଲା। ତେବେ ପାଣ୍ଡୁଲିପି ତିଆରିର ଧାରା ବଦଳି ନାହିଁ। ଯେଉଁ ଧାରାଟି ସର୍ବକାଳୀନ ସେ ବିଷୟରେ ଏଠାରେ ଆଲୋଚନା କରିବା :
ଫାଷ୍ଟ ଡ୍ରାଫ୍ଟ ବା ଲେଖାର ସର୍ବପ୍ରଥମ ରୂପ- ଅନେକ ଏହାକୁ ରଫ୍ ଡ୍ରାଫ୍ଟ ବୋଲି ମଧ୍ୟ କହନ୍ତି। ମୂଳ ଲେଖାଟି ଲେଖିଲାବେଳେ ଲେଖକଟି ଯାହା ମନକୁ ଆସେ ଲେଖିଯାଏ। ଲେଖା ସହ ସମତାଳରେ ସଂଶୋଧନ କରିହୁଏ ନାହିଁ। ସଂଶୋଧନ କଲେ ନିରବଚ୍ଛିନ୍ନ ଭାବେ ଲେଖି ହୁଏ ନାହିଁ। କବିତା, ଗଳ୍ପ, ପ୍ରବନ୍ଧ, ରମ୍ୟରଚନା, ଭ୍ରମଣ କାହାଣୀ ଆଦି ଖଣ୍ଡ ଖଣ୍ଡ କରି ଲେଖିହୁଏ। ମାତ୍ର ନାଟକ ବା ଉପନ୍ୟାସ ଗୋଟିଏ କ୍ରମରେ ହିଁ ଲେଖିବାକୁ ପଡ଼େ। ଏସବୁ ଲେଖାଗଲେ ବହୁପୃଷ୍ଠା ଏକାଠି ହୁଏ। କାମଟି ସମ୍ପୂର୍ଣ୍ଣ ହୋଇଗଲେ ଲେଖକ ତାକୁ ଥରେ ପଢ଼େ। ସେତେବେଳେ ଲେଖିବା ସମୟରେ ହୋଇଥିବା ବର୍ଣ୍ଣାଶୁଦ୍ଧି, ବର୍ଣ୍ଣନା ବିଭ୍ରାଟ, କ୍ରମ ଭଙ୍ଗ ଆଦି ଅନେକ ଭୁଲ୍ ନଜରରେ ଆସେ। ସଂଶୋଧନ ପରେ ପୁଣିଥରେ ପାଣ୍ଡୁଲିପିଟି ତିଆରି କରାଯାଏ। ଏହାକୁ ସଂଶୋଧିତ ପାଣ୍ଡୁଲିପି ବା ସେକେଣ୍ଡ ଡ୍ରାଫ୍ଟ କୁହାଯାଏ। ଆଗରୁ ଏହା କଲମରେ କରାଯାଉଥିଲା। ଏବେ ଲାପ୍‌ଟପ୍ ବା କମ୍ପ୍ୟୁଟରରେ ଟାଇପ୍ କଲା ପରେ କରାଯାଉଛି।


‘ଫିଡ଼ବ୍ୟାକ୍‌’ର ମହତ୍ତ୍ୱ
ସିଙ୍ଗାପୁରରେ କେତେକ ଲେଖକ ପ୍ରଥମ ଡ୍ରାଫ୍ଟଟି ସଂଶୋଧନ କଲା ପରେ କତିପୟ ନିର୍ବାଚିତ ପାଠକଙ୍କୁ ମତାମତ ବା ଫିଡ୍‌ବ୍ୟାକ୍ ଦେବାକୁ କହିବାର ମୁଁ ଦେଖିଛି। ଭାରତରେ ମଧ୍ୟ ଇଂରାଜୀ ଲେଖକ ରସ୍କିନ ବଣ୍ଡ ନିଜ ପାଣ୍ଡୁଲିପିର ସେକେଣ୍ଡ ଡ୍ରାଫ୍ଟ ନେଇ ସ୍କୁଲ ପିଲାମାନଙ୍କୁ ଶୁଣାନ୍ତି ବୋଲି ମୁଁ ଶୁଣିଛି। ଫିଡ୍‌ବ୍ୟାକ୍ ବା ମତାମତ ପାଇଲେ ଲେଖକ ନିଜର ତ୍ରୁଟି ବିଚ୍ୟୁତି ଜାଣିବା ସହଜ ହୁଏ। କିନ୍ତୁ ଓଡ଼ିଶାର ଲେଖକମାନେ ମତାମତ ଆଧାରରେ ନିଜ ରଚନାକୁ ସଂଶୋଧନ କରିବାର ପରମ୍ପରା ପ୍ରାୟ ନାହିଁ କହିଲେ ଚଳେ।
ତେବେ ମତାମତ ଆଧାରରେ ସଂଶୋଧନ ପରେ ଯେଉଁ ପାଣ୍ଡୁଲିପିଟି ତିଆରି ହୁଏ, ତାହାକୁ ଥାର୍ଡ ଡ୍ରାଫ୍ଟ କୁହାଯାଏ। ଏହି ସମୟରେ ପୁସ୍ତକରେ ଥିବା ସୂଚନା ବା ଡାଟା, ଗଣନା, ବର୍ଣ୍ଣନା ଓ ନାମ ସବୁକୁ ପୁଣି ଥରେ ପରଖି ନିଆଯାଏ। ଯଦି ବହିଟି ସୂଚନାଧର୍ମୀ ପୁସ୍ତକ ହୋଇଥାଏ, ତେବେ ତହିଁରେ ଥିବା ସୂଚନାକୁ ସଦ୍ୟତମ ସୂଚନା ସହ ମିଳାଇ ଦେଖିବାକୁ ପଡ଼େ। ପିଲାଙ୍କ ପାଇଁ ପ୍ରକାଶିତ ଚିତ୍ରିତ ପୁସ୍ତକ ବା ଇଲଷ୍ଟ୍ରେଟେଡ୍ ବୁକ୍ / ପ୍ରାକ୍ଟିସ୍ ବୁକ୍‌ରେ ଚିତ୍ର ପାଠ ଅନୁରୂପ ହୋଇଛି କି ନାହିଁ; ତାହା ସଂପାଦନା ବିଧିର ଅନ୍ତର୍ଗତ। ଗୋଟିଏ ପାଣ୍ଡୁଲିପିର ସଂଶୋଧନ ବା ଡ୍ରାଫ୍ଟ ତିଆରି କରିବା ପ୍ରକ୍ରିୟାର ସୀମା ବିଷୟରେ କୌଣସି ନିର୍ଦ୍ଦିଷ୍ଟ ନିୟମ ନାହିଁ। ‘ଫ୍ରିଡମ୍ ଆଟ୍ ମିଡ୍‌ନାଇଟ୍‌’ ପୁସ୍ତକର ଲେଖକ ଡୋମିନିକ୍ ଲାପିଏର୍ ଚଉଦଟି ଡ୍ରାଫ୍ଟ ତିଆରି କରିବା କଥା ମୋତେ ସାକ୍ଷାତକାର ବେଳେ ୧୯୮୧ ମସିହାରେ କହିଥିଲେ।
ଅଭିଧାନ ମଧ୍ୟ ପରିବର୍ତ୍ତନଶୀଳ। ନୂଆ ନୂଆ ଶବ୍ଦ ବନାନର ନିୟମ ଅନୁସାରେ ପାଣ୍ଡୁଲିପିକୁ ସଂଶୋଧନ କରିବାକୁ ପଡ଼େ। ଏକଦା ‘ନ ଥାଏ’ ଦୁଇଟି ଶବ୍ଦ ଭାବରେ ରହୁଥିଲା। ଏବେ ତାହା ଅନେକ ପୁସ୍ତକରେ ‘ନଥାଏ’ ଗୋଟିଏ ଶବ୍ଦ ଭାବରେ ରହୁଛି। ଭାଷାବିତ୍ ଡକ୍ଟର ବିଜୟ ପ୍ରସାଦ ମହାପାତ୍ରଙ୍କ ମତରେ ବ୍ୟାକରଣ ଧ୍ୱନି ବା ସାମ୍ପ୍ରତିକ୍ ଉଚ୍ଚାରଣ ଉପରେ ନିର୍ଭରଶୀଳ ହେବା ଉଚିତ୍।
ଏକଦା ପାଣ୍ଡୁଲିପିର ନକଲ ରଖିବା ପାଇଁ କାର୍ବନ ବ୍ୟବହାର କରାଯାଉଥିଲା। ପ୍ରକାଶକମାନେ ମୂଳ କପିଟି ପ୍ରକାଶନ ପାଇଁ ନେଉଥିଲେ। କାର୍ବନ କପିଟି ରେକର୍ଡ ପାଇଁ ରହୁଥିଲା। ନ୍ୟାସନାଲ ବୁକ୍ ଟ୍ରଷ୍ଟରେ ମୁଁ ଯୋଗ ଦେଲାବେଳକୁ ଆମେ ଲେଖକ ବା ଅନୁବାଦକଙ୍କଠାରୁ ମୂଳ କପି ବା କାର୍ବନ କପି ଦୁଇଟି ଯାକ ନେଉଥିଲୁ। ସେ କ୍ଷେତ୍ରରେ ଲେଖକ ଓ ଅନୁବାଦକ ଆଉ ଏକ କାର୍ବନ କପି କରି ନିଜ ପାଇଁ ରଖୁଥିଲେ।
ପୁସ୍ତକ ପ୍ରକାଶନ, ବିଶେଷତଃ ପାଣ୍ଡୁଲିପି ସଂପାଦନା ମୂଳତଃ ଏକ କଳା। କିନ୍ତୁ ବିଦେଶରେ, ବିଶେଷ କରି ଇଂଲଣ୍ଡରେ ଏହାକୁ ଏକ ବିଜ୍ଞାନ ବା ପ୍ରଦ୍ୟୋଗିକୀର ମର୍ଯ୍ୟାଦା ମଧ୍ୟ ମିଳିଛି। ସିଂଗାପୁରରେ ଏହା ଏକ ମ୍ୟାନେଜମେଣ୍ଟ ଭାବରେ ଗୃହୀତ ହୋଇଥିବା ଆମ ଦୃଷ୍ଟିକୁ ଆସେ।

(‘ସାହିତ୍ୟ ଚର୍ଚ୍ଚା ’ ପତ୍ରିକାର ସେପ୍ଟେମ୍ବର , ୨୦୨୩ ସଂଖ୍ୟାରେ ପ୍ରକାଶିତ । )

4 thoughts on “ପୁସ୍ତକ ପ୍ରକାଶନ ଓ ସଂପାଦନାର କେତେକ ଦିଗ

  1. ଚମତ୍କାର । ସତରେ ଚମତ୍କାର ।।

  2. ଲେଖାଟି ଖୁବ ଭଲ ଲାଗିଲା। ମୁଁ ଯଦିଓ କୌଣସି ପତ୍ରିକାର ସଂପାଦକ ନୁହେଁ କି କେବେ ନ ଥିଲି।ତଥାପି ୮୭-୯୫ ମଧ୍ଯରେ ଦୁଇଟି କମ ପ୍ରଚାରି,ପ୍ରସାରିତ ପତ୍ରିକାର ସଂପାଦନ ପ୍ରକ୍ରିୟା ସହ ଜଡ଼ିତ ଥିଲି।ମାନସ ସାରଙ୍କ ଏଇ ଲେଖା ସେ ସମୟ ସ୍ମରଣ କରାଇ ଦେଲା।
    ଆପଣଙ୍କ ଲେଖାଟି ପଢ଼ି ମୋର ଦୁଇ ଜଣ ଗୁରୁଙ୍କ କଥା ମନେ ପଡ଼ିଗଲା।ସ୍ବର୍ଗତ ଗୁରୁଦେବ ହଟକିଶୋର ପାଣିଗ୍ରାହୀ ତଥା ବାର୍ଦ୍ଧକ୍ୟ ହେତୁ ଶଯ୍ଯାଶାୟୀ ଗୁରୁଦେବ ଶ୍ରୀଯୁକ୍ତ କୁବେର ପୁରୋହିତ।
    ପାଣିଗ୍ରାହୀ ଆଜ୍ଞାଙ୍କଠୁ ସଂପାଦନା ବିଷୟକ ଏ ପ୍ରକାର ଆଲୋଚନା ଶୁଣିଛି। ଆଉ ପୁରୋହିତ ସାର ତାଙ୍କ ସଂପାଦନାରେ ପ୍ରକାଶିତ ଆଧ୍ଯାତ୍ମ ପତ୍ରିକା ‘ମାତୃଶକ୍ତି’ ଓ ସଂସ୍କାର ଧର୍ମୀ ‘ମନୁଷ୍ଯ’ପାଇଁ ଆସୁଥିବା ଲେଖା ସବୁର ପ୍ରକାଶନ ପୂର୍ବରୁ କରୁ ଥିବା ସଂପାଦନ ପ୍ରକ୍ରିୟା ଦେଖିଛି।ଅନେକ ସମୟରେ ଲେଖା ଗୁଡ଼ିକର ଆଙ୍ଗିକ କାୟା ସଂପୂଣ୍ଣ ରୂପେ ବଦଳି ଯାଉଥିଲା ଯଦିଓ ଲେଖାର ଆତ୍ମିକ ଆବେଦନ ଅତୁଟ ରହୁ ଥିଲା।
    ମାତ୍ର ଆଜିକାଲିର ଓଡ଼ିଆ ପତ୍ରିକାରେ ଏ ଧାରା ପ୍ରଚଳିତ ଥିବା ମନେହୁଏ ନାହିଁ।କାରଣ ନିଜେ ଶବ୍ବର ବନାନ ଭୁଲ କରୁ ଥିବା ଲୋକ ବି ପତ୍ରିକା ସଂପାଦକ ଥିବାର ନଜିର ଅନେକ ଦେଖିବାକୁ ମିଳୁଛି।
    ଲେଖା କେତୋଟି ସଂଗ୍ରହ କରି ସଂକଳନ ହିଁ କରୁଛନ୍ତି। ସଂପାଦକ ଲେଖାଟିକୁ ନିଜେ ଥରେ ପଢ଼ିବାର ଆବଶ୍ଯକତା ବି ଅନୁଭବ କରୁ ନାହାନ୍ତି ପରି ମନେ ହୁଏ।

  3. A beneficial and informative topic for all writers and readers.

    Thanks and regards.

    Banshidhar Mohapatra
    Sahitya Niwas
    Bhubaneswar -751029
    M-9090949145

  4. ମାନସ ମହାପାତ୍ରଙ୍କ ସମ୍ପର୍କରେ ଅନେକ ଦିନ ପରେ ପଢ଼ି ଭଲ ଲାଗିଲା। କାରଣ ଏ ହେଉଛନ୍ତି ସେହି ମାନସ ମହାପାତ୍ର, ଯାହାଙ୍କୁ ମୁଁ ଭୁବନେଶ୍ୱର ପୁସ୍ତକମେଳାରେ ଭେଟିଥିଲି ଅନେକ ବର୍ଷ ପୁର୍ବେ। ସେହି ସମୟରେ ମୁଁ ତାଙ୍କୁ ଏକ ପ୍ରଶ୍ନ କରିଥିଲି। ପ୍ରସଙ୍ଗଟି ଏହିଭଳି – ସେହିବର୍ଷ ଭୁବନେଶ୍ୱର ପୁସ୍ତକ ମେଳା ଆୟୋଜନର ଅନ୍ୟତମ ସହଯୋଗୀ ଥାଏ National Book Trust, ଏବଂ NBT ର ଜଣେ ପ୍ରତିନିଧି ଓ ଅଧିକାରୀଭାବେ ମାନସ ମହାପାତ୍ର ମେଳା ସ୍ଥଳରେ ଉପସ୍ଥିତ ଥିଲେ। ଏହି ସମୟରେ ବର୍ତ୍ତମାନର ବରିଷ୍ଠ କବି (ସେତେବେଳର ମଧ୍ୟ) ରାଜେନ୍ଦ୍ର କିଶୋର ପଣ୍ଡା ମଧ୍ୟ ସେଠାରେ ଉପସ୍ଥିତ ଥିଲେ। ମାନସ ବାବୁ ମୋତେ ତାଙ୍କ ସହିତ ଚିହ୍ନା କରେଇଥିଲେ। ମୁଁ ସେତେବେଳେ ମାନସ ବାବୁଙ୍କୁ ପଚାରିଥିଲି ଓଡ଼ିଶାରେ National Book Trust, ପକ୍ଷରୁ କରାଯାଉଥିବା ବା ସହଯୋଗୀଭାବେ ହେଉଥିବା ମେଳା ସ୍ଥାନରେ National Book Trust, ଇଂରାଜୀରେ ନ ଲେଖି ସେହି ସ୍ଥାନରେ ‘ଜାତୀୟ ପୁସ୍ତକ ନ୍ୟାସ’ ଲେଖା ନହେଲା କିପରି ? ଏହାର ଉତ୍ତରରେ ମାନସ ବାବୁ ଚମତ୍କାର କଥା କହିଥିଲେ। ସେ ଯହା କହିଥିଲେ ତାହା ହେଉଛି , National Book Trust ହେଉଛି ଏକ Brand , ତେଣୁ ଏକ Brand ର ନାମକୁ ଅଲଗା ଅଲଗା ଭଷାରେ ଭାଷାନ୍ତରଣ ବା ଅନୁବାଦ ବା ଆକ୍ଷରିକ ଅନୁବାଦ କଲେ ନାମ ପରିବର୍ତ୍ତନ ହୋଇଯିବ ଓ ଏହା ପାଠକ କିମ୍ବା ଦର୍ଶକଙ୍କୁ ଦ୍ୱନ୍ଦ୍ୱରେ ପକାଇବ। ତେଣୁ ଭାରତର ଯେଉଁ ରାଜ୍ୟ ବା ଯେଉଁ ସ୍ଥାନରେ ହେଉ ପଛେ ଇଂରାଜୀରେ National Book Trust ଲେଖାଯିବାର ନିୟମ କରାଯାଇଛି। ମାନସ ବାବୁଙ୍କ ଏହି ଉତ୍ତର ମୋତେ ବେଶ୍‌ ଯୁକ୍ତିଯୁକ୍ତ ମନେ ହୋଇଥିଲା। ଏହି ଘଟଣା ପ୍ରାୟ ୧୫ବର୍ଷରୁ ଅଧିକ ଦିନର ହେବ ବୋଲି ମୁଁ ଭାବୁଛି। ଏତେ ଦିନର ବ୍ୟବଧାନ ପରେ ମାନସ ସାର୍‌ଙ୍କ ପୁସ୍ତକ ସମ୍ପାଦନା ସମ୍ପର୍କୀତ ଲେଖାଟି ପଢ଼ି ଖୁସି ହେଲି ଏବଂ ତାଙ୍କ କଥା ଆଉଥରେ ମନେ ପକାଇଲି।

    ଯଦି ଏହି ଲେଖାକୁ ମାନସ ସାର୍‌ ପଢ଼ିବେ ତେବେ ସେ ନିଶ୍ଚୟ ମୋ କଥାକୁ ମନେ ପକାଇବେ ବୋଲି ଆଶା କରୁଛି। ଏହା ସହିତ ଏହି ଲେଖାର ପାଠକମାନେ ମଧ୍ୟ ଲେଖାଟିକୁ ପଢ଼ି ଆମୋଦିତ ହେବେ ବୋଲି ମୋର ଆଶା ରହିଛି। ମତାମତ ସ୍ଥାନରେ ଇଂରାଜୀ ଏବଂ ଓଡ଼ିଆର ମିଶ୍ରିତ ବ୍ୟବହାର ଘଟଣାକୁ ଭଲଭାବେ ବୁଝିବା ପାଇଁ କରିଛି।

Leave a Reply

Your email address will not be published. Required fields are marked *