ଏହି ‘ଆଟିଚ୍ୟୁଡ୍’ ପାଇଁ କ’ଣ କିଏ କାମ କରେ? ମୁଁ ତ ପାରେନି। ସେମାନେ ଯେ କାହିଁକି ମୋତେ ଏତେ ଡରନ୍ତି, ମୁଁ ବି ବୁଝିପାରେନି।
ଡ. ହୃଷୀକେଶ ପଣ୍ଡା ଓଡ଼ିଆ ସାହିତ୍ୟ ଜଗତର ପ୍ରବୀଣ କଥାକାର ଭାବରେ ସୁପ୍ରତିଷ୍ଠିତ। ୧୯୫୫ ମସିହାରେ ଜନ୍ମିତ ଶ୍ରୀ ପଣ୍ଡା ଭାରତୀୟ ପ୍ରଶାସନିକ ସେବା ପରୀକ୍ଷାରେ ସର୍ବଭାରତୀୟ ସ୍ତରରେ ପ୍ରଥମ ସ୍ଥାନ ଅଧିକାର କରି ସେଥିରେ ଯୋଗଦିଅନ୍ତି ୧୯୭୯ ମସିହାରେ। ଦୀର୍ଘ ୩୬ ବର୍ଷ କାଳ ରାଜ୍ୟ ଓ କେନ୍ଦ୍ର ସରକାରଙ୍କ ବିଭିନ୍ନ ଗୁରୁତ୍ୱପୂର୍ଣ୍ଣ ପଦବୀରେ ନିଜର ଦାୟିତ୍ୱ ନିର୍ବାହ କରିବାପରେ ସେ ୨୦୧୫ ମସିହାରେ ଅବସର ଗ୍ରହଣ କରିଛନ୍ତି। ଓଡ଼ିଶା ସାହିତ୍ୟ ଏକାଡେମୀ ପୁରସ୍କାର, ଶାରଳା ପୁରସ୍କାର ଓ ଅନ୍ୟାନ୍ୟ ଅନେକ ସାରସ୍ୱତ ସମ୍ମାନରେ ଭୂଷିତ ଶ୍ରୀ ପଣ୍ଡାଙ୍କର ବହୁ ସଂଖ୍ୟକ ଉପନ୍ୟାସ, ଗଳ୍ପ ସଂକଳନ ଓ ନାଟକ ପ୍ରକାଶିତ ହୋଇ ପାଠକାଦୃତ ହୋଇଛି। ତା’ଙ୍କ ସହିତ ବାର୍ତ୍ତାଳାପ କରିଥିଲେ ‘ସାହିତ୍ୟ ଚର୍ଚ୍ଚା’ର ସଂପାଦକ ନିହାର ଶତପଥୀ।
ସାହିତ୍ୟ ଚର୍ଚ୍ଚା: ଆଜିକୁ ପ୍ରାୟ ୪୫ ବର୍ଷ ତଳେ ଯେତେବେଳେ ଆପଣ ‘ଭାରତୀୟ ପ୍ରଶାସନିକ ସେବା’ ପରୀକ୍ଷାରେ ସର୍ବୋଚ୍ଚ ସ୍ଥାନ ହାସଲ କଲେ, ସେତେବେଳେ ସମଗ୍ର ଦେଶରେ ଚହଳ ପଡ଼ିଯାଇଥିଲା। ଆମେ, ସେତେବେଳର ତରୁଣ ଛାତ୍ରମାନେ ଆପଣଙ୍କୁ ମନେମନେ ଆମର ଆଦର୍ଶ ବୋଲି ଧରି ନେଇଥିଲୁ। ସେହି ସମୟରେ କ’ଣ ଆପଣ କଳ୍ପନା କରିଥିଲେ ଯେ ଦିନେ ଆଜିର ସ୍ଥିତିରେ ଆସି ପହଞ୍ଚିବେ?
ହୃଷୀକେଶ ପଣ୍ଡା: କେଉଁ ସ୍ଥିତି ?
ସାହିତ୍ୟ ଚର୍ଚ୍ଚା: ସାଧାରଣରେ ଯାହା ଧାରଣା ଅଛି, ନିଜର ନୀତି ଓ ନିଷ୍ଠାରେ କେବେ ସାଲିସ୍ ନ କରିଥିବା କାରଣରୁ ଆପଣଙ୍କୁ ବୃତ୍ତିଗତ ଜୀବନରେ ବହୁ ବାଧାବିଘ୍ନର ସାମ୍ନା କରିବାକୁ ପଡ଼ିଛି, ଏବଂ ପରିଶେଷରେ ମନେହୋଇଛି ଯେମିତି ଆପଣ ବ୍ୟବସ୍ଥାଠାରୁ ହାରିଯାଇଛନ୍ତି।
ହୃଷୀକେଶ ପଣ୍ଡା: ହାରିନାହିଁ। ଅନେକ ଲୋକଙ୍କ ମନରେ ଥାଏ ଯେ ମୁଖ୍ୟ ଶାସନ ସଚିବ ହେବାଟା ଖୁବ୍ ବଡ଼ କଥା। ସେଇଟା ନ ହୋଇପାରିଲେ ବି, ଶେଷକୁ ଭାରତ ସରକାରଙ୍କର ସଚିବ ଭାବରେ କାର୍ଯ୍ୟ କରିବାର ଅବସର ତ ମୋତେ ମିଳିଛି। ଏଣୁ ମୁଁ କହିବି ଯେ ଚାକିରି ଜୀବନର ପ୍ରାପ୍ୟ ମୁଁ ପାଇଛି।
ସାହିତ୍ୟ ଚର୍ଚ୍ଚା: ତେବେ ଆମେ ପଦବୀଜନିତ ପ୍ରାପ୍ୟର କଥା କହୁନାହୁଁ। ଅନ୍ୟ ଗୋଟିଏ ଦିଗ ହେଲା ଆତ୍ମସନ୍ତୁଷ୍ଟି। ଯେତେବେଳେ ଆପଣ ଭାରତୀୟ ପ୍ରଶାସନିକ ସେବାରେ ଯୋଗଦେଲେ, ସେତେବେଳେ ଦେଶ ବା ସମାଜ ପାଇଁ ଯେଭଳି ନିଜର କର୍ତ୍ତବ୍ୟ ସାଧନ କରିବା ପାଇଁ ସ୍ୱପ୍ନ ଦେଖିଥିଲେ, ତାହା ସାର୍ଥକ ହେଲା କି?
ହୃଷୀକେଶ ପଣ୍ଡା: ହୋଇଛି, ଏବଂ ନ ହୋଇଛି ମଧ୍ୟ। କିନ୍ତୁ ମୁଁ ଯେତେବେଳେ ଯେଉଁ କାମ କରିବାକୁ ଚାହିଁଛି, ବା ଯେଉଁ ଭାବରେ ଲୋକମାନଙ୍କ ପାଇଁ କାମ କରିବାକୁ ଚାହିଁଛି, ବୋଧହୁଏ ମୋତେ ସେହିଭଳି ଦାୟିତ୍ୱ ମିଳିଛି। ବେଳେବେଳେ ମୋତେ କେତେକ ଦଣ୍ଡମୂଳକ ପଦକୁ ମଧ୍ୟ ଠେଲି ଦିଆଯାଇଛି। ପରେ, ଭାରତ ସରକାରଙ୍କ ଅଧୀନରେ ଅବଶ୍ୟ ମୋତେ କିଛି ଗୁରୁତ୍ୱପୂର୍ଣ୍ଣ ଦାୟିତ୍ୱ ମିଳିଥିଲା।
ସାହିତ୍ୟ ଚର୍ଚ୍ଚା: ତଥାପି ଆପଣଙ୍କ ଭଳି ଏକ ବ୍ୟତିକ୍ରମ ପ୍ରତିଭା ପାଇଁ ବୋଧହୁଏ ଆହୁରି ଅଧିକ ସ୍ୱୀକୃତି ଅପେକ୍ଷିତ ଥିଲା। ସରକାରଙ୍କର ଆପଣଙ୍କ ପ୍ରତି ‘ଆଟିଚ୍ୟୁଡ୍’ ଆପଣଙ୍କୁ ବିବ୍ରତ କରିଥିଲା କି?
ହୃଷୀକେଶ ପଣ୍ଡା: ଏହି ‘ଆଟିଚ୍ୟୁଡ୍’ ପାଇଁ କ’ଣ କିଏ କାମ କରେ? ମୁଁ ତ ପାରେନି। ସେମାନେ ଯେ କାହିଁକି ମୋତେ ଏତେ ଡରନ୍ତି, ମୁଁ ବି ବୁଝିପାରେନି।
ସାହିତ୍ୟ ଚର୍ଚ୍ଚା: ଏହି ଡରଟି କ’ଣ ଥିଲା ଆପଣଙ୍କର ସାଲିସହୀନ ନୀତି ଓ କର୍ତ୍ତବ୍ୟନିଷ୍ଠା ଯୋଗୁ?
ହୃଷୀକେଶ ପଣ୍ଡା: ଏକ୍ଜାକ୍ଟଲି। ଅନେକ ଲୋକ ଭାବନ୍ତି ଯେ ମୁଁ ଲୋକଙ୍କ ପଛରେ ପଡ଼ି ସେମାନଙ୍କୁ ଧରେ। ସେମିତି କିଛି କଥା ନ ଥିଲା, ବରଂ ଏହା ଥିଲା ମୋ’ କର୍ତ୍ତବ୍ୟ ନିର୍ବାହର ଏକ ଅଂଶ ମାତ୍ର।
ସାହିତ୍ୟ ଚର୍ଚ୍ଚା: ନିଜ ଅବସର ପରବର୍ତ୍ତୀ କାଳର ଜୀବନ ଆପଣ କାହିଁକି ସହରର ଚାକଚକ୍ୟରୁ ଦୂରରେ ରହି ଗାଆଁରେ ଥିବା ନିଜର ପୈତୃକ ଘରେ ହିଁ ବିତାଇବାକୁ ପସନ୍ଦ କଲେ?
ହୃଷୀକେଶ ପଣ୍ଡା: ଗାଆଁକୁ ତ ପୂର୍ବରୁ ମୁଁ ବରାବର ଯାଉଥିଲି। ଗାଆଁର ପରିବେଶ ସହିତ ସମ୍ପର୍କର ଡୋର ଯୋଡ଼ି ହୋଇ ରହିଥିଲା। ତେଣୁ ଅବସର ପରେ ତାହାକୁ ବାଛିନେଲି।
ସାହିତ୍ୟ ଚର୍ଚ୍ଚା: ଗାଆଁରେ କ’ଣ ଆପଣ ଏକୁଟିଆପଣ ଅନୁଭବ କରନ୍ତି ନାହିଁ?
ହୃଷୀକେଶ ପଣ୍ଡା: ଆପଣ କୁହନ୍ତୁ, ସହରର ଲୋକେ ଏକୁଟିଆ ନୁହନ୍ତି କି !
ସାହିତ୍ୟ ଚର୍ଚ୍ଚା: ଆପଣଙ୍କର ପ୍ରଥମ ଉପନ୍ୟାସଟିର ନାଁ ହେଲା, ‘ଶୂନ ସଙ୍ଗେ ସାମୟିକ ସନ୍ଧି’। ତେବେ ବାସ୍ତବ ଜୀବନର ଚଲାବାଟରେ ଏମିତି ଶୂନମାନଙ୍କ ସହିତ ସନ୍ଧି କରିପାରିଲେନି କାହିଁକି?
ହୃଷୀକେଶ ପଣ୍ଡା: ନା, ନା। ସେଥିରେ ଯେଉଁ ପ୍ରସଙ୍ଗରେ ଏହି ସନ୍ଧିର କଥା କୁହାଯାଇଛି ସେଇଟା ଖୁବ୍ ବଡ଼। ଇଏ ତ ଗୋଟିଏ ଦର୍ଶନ। ଏଥି ସହିତ ମୋ’ ନିଜ ଜୀବନର ଭାତ, ରୁଟି, ଡାଲିର କିଛି ସମ୍ପର୍କ ନାହିଁ।
ସାହିତ୍ୟ ଚର୍ଚ୍ଚା: ଆପଣଙ୍କର ଏହି ଦର୍ଶନ ଅନୁସାରେ ଜୀବନଟା କ’ଣ ତେବେ ଶୂନ୍ୟ, ମୂଲ୍ୟହୀନ?
ହୃଷୀକେଶ ପଣ୍ଡା: ମଣିଷ ଜୀବନଟା ସେଇଆ ନୁହେଁ କି? ଆପଣ ଯେତେସବୁ ଜିନିଷକୁ ଭାବୁଛନ୍ତି ମୂଲ୍ୟବାନ ବୋଲି, ସବୁ ତ ଆପଣମାନେ ହିଁ ସୃଷ୍ଟି କରିଛନ୍ତି। ଏଇଟା ମୂଲ୍ୟହୀନ, ଆଉ ସେଇଟା ହେଉଛି ମୂଲ୍ୟବାନ – ଏସବୁ ଭାବନା ତ ଆମ ନିଜର ସୃଷ୍ଟି।
ସାହିତ୍ୟ ଚର୍ଚ୍ଚା: ପ୍ରଶାସନିକ ସେବାରୁ ଅବସର ନେବାପରେ ମନେହେଉଛି ଯେମିତି ଆପଣ ସାହିତ୍ୟ ଜଗତରୁ ଉଭେଇ ଯାଇଛନ୍ତି। ଏବେ ଆପଣଙ୍କର ନୂଆ ରଚନା ପଢ଼ିବାକୁ ମିଳୁନାହିଁ, କି ସଭାସମିତିମାନଙ୍କରେ ବି ଆପଣଙ୍କୁ ଦେଖିବାକୁ ମିଳୁନାହିଁ। ଏମିତି କାହିଁକି?
ହୃଷୀକେଶ ପଣ୍ଡା: ମୁଁ ଆଗରୁ ବି ସାହିତ୍ୟ ସଭାଗୁଡ଼ିକୁ ବିଶେଷ ଯାଉ ନ ଥିଲି। କାରଣ ସେଥିରେ ବହୁତ ସମୟ ଅକାରଣେ ନଷ୍ଟ ହୁଏ; ମୋ ପାଖରେ ବି ଏତେ ସମୟ ନ ଥାଏ। ବାକି ଆପଣ ଯେଉଁ କହିଲେ ଯେ ସାହିତ୍ୟ ଜଗତରୁ ମୁଁ ଉଭେଇ ଯାଇଛି, ଏ ବିଷୟରେ ଗୋଟିଏ ପଦ କହିବି। ଅବସର ପରେ ଲୋକଙ୍କ ପାଇଁ ମୋର ଗୋଟିଏ, ଦୁଇଟା କାମ ବାକି ରହିଯାଇଥିଲା। ନଦୀବନ୍ଧ ଯୋଗୁ ବିସ୍ଥାପିତ ହୋଇଥିବା ଲୋକମାନଙ୍କୁ ସାହାଯ୍ୟ କରିବା ପାଇଁ ମୋତେ ସମୟ ଦେବାକୁ ପଡ଼ିଲା। ଏଇମିତି ଅସୁବିଧାଗ୍ରସ୍ତ ଓ ଦୁଃଖୀ ଲୋକଙ୍କ ପାଇଁ କିଛିକିଛି କାମ କରୁଥାଏ; ଏଣୁ ମୋର ସାହିତ୍ୟସେବା କିଛି ଧିମେଇଗଲା। ଅବଶ୍ୟ ଏହାରି ଭିତରେ ମୋର ଶେଷ ବହିଟି ବି ପ୍ରକାଶିତ ହୋଇଛି।
ସାହିତ୍ୟ ଚର୍ଚ୍ଚା: କେଉଁ ବହି?
ହୃଷୀକେଶ ପଣ୍ଡା: ମୋର ଉପନ୍ୟାସ, ‘ସମସ୍ତେ ତ ଜାଣିଥିଲେ’। ବହିଟା ତ ବାହାରିଲା; ପାଠକଙ୍କୁ କିନ୍ତୁ କେଜାଣି କାହିଁକି ଜଣାପଡ଼ିଲା ନାହିଁ ଏହା। ତା’ ପୂର୍ବର ଉପନ୍ୟାସ, ‘ଗର୍ବ କରିବାର କଥା’ ବାହାରିଲା ବେଳକୁ ଯେମିତି ଚହଳ ପଡ଼ିଯାଇଥିଲା, ଏଇଟି ବେଳକୁ ସେୟା ହେଲାନାହିଁ।
ସାହିତ୍ୟ ଚର୍ଚ୍ଚା: ଏହାର କାରଣ ହୋଇପାରେ ଯେ ଆଜିକାଲି ସାହିତ୍ୟର ଅନ୍ୟ ବିଭାଗ ଅପେକ୍ଷା ଉପନ୍ୟାସର ପାଠକମାନଙ୍କ ସଂଖ୍ୟା ଢେର କମିଯାଇଛି।
ହୃଷୀକେଶ ପଣ୍ଡା: ଏଥିରେ ମୁଁ ରାଜି ହେବିନାହିଁ। ମୋର ପାଖାପାଖି ୬୦୦ ପୃଷ୍ଠାର ବହି ‘ଗର୍ବ କରିବାର କଥା’ ତ ପୁଣି ବହୁତ ବିକ୍ରି ହୋଇଛି!
ସାହିତ୍ୟ ଚର୍ଚ୍ଚା: ତେବେ ଆପଣଙ୍କ ସଦ୍ୟତମ ଉପନ୍ୟାସ ‘ସମସ୍ତେ ତ ଜାଣିଥିଲେ’ର ପାଠକୀୟ ଗ୍ରହଣୀୟତା ବିଶେଷ ନ ହେବାରୁ ଆପଣ ଟିକିଏ ନିରୁତ୍ସାହିତ ହୋଇପଡ଼ିଛନ୍ତି କି?
ହୃଷୀକେଶ ପଣ୍ଡା: ସେକଥା ନୁହଁ। ଏବେ ମୁଁ ଅଧିକ ଲେଖାଲେଖି ନ କରୁଥିବାରୁ ହୁଏତ ସେମିତି ମନେ ହେଉଥିବ। କିନ୍ତୁ କଥା ହେଲା, ଅନ୍ୟାନ୍ୟ ବିଭିନ୍ନ କାର୍ଯ୍ୟରେ ବ୍ୟସ୍ତ ରହୁଥିବା କାରଣରୁ ମୁଁ ନୂଆ ଲେଖା ବେଶି ଲେଖିପାରୁନାହିଁ।
ସାହିତ୍ୟ ଚର୍ଚ୍ଚା: ଏମିତି ବି ହୋଇପାରେ ଯେ, ଆପଣଙ୍କୁ ଆଉ ଲେଖା ମାଡ଼ୁନାହିଁ !
ହୃଷୀକେଶ ପଣ୍ଡା: ତା’ ନୁହେଁ ! କିଛି ଦିନ ପୂର୍ବେ ନାଟକଟିଏ ଲେଖିବାରେ ମନୋନିବେଶ କରିଥିଲି। ଏହା ଅବଶ୍ୟ ଏବେ ଅର୍ଦ୍ଧଲିଖିତ।
ସାହିତ୍ୟ ଚର୍ଚ୍ଚା: ଆଜିର ଏହି ଅର୍ଦ୍ଧଲିଖିତ ନାଟକଟିର ସ୍ଥିତି ସହିତ ଆପଣଙ୍କ ଲେଖକୀୟ ଜୀବନର ପୂର୍ବତନ ସ୍ଥିତିକୁ ତୁଳନା କଲେ ଆମେ ପାଉ ଯେ ଆପଣ ତ ସେତେବେଳକୁ ରାଶି ରାଶି ଗଳ୍ପ ଲେଖୁଥିଲେ। ସେହି ଗଳ୍ପମନସ୍କତା ଏବେ ଆଉ ନାହିଁ କାହିଁକି?
ହୃଷୀକେଶ ପଣ୍ଡା: କିନ୍ତୁ ମୁଁ ନିଜେ ଅନୁଭବ କରୁନାହିଁ ମୋର ସେହି ରଚନାପ୍ରବଣତା ଏବେ ନାହିଁ ବୋଲି।
ସାହିତ୍ୟ ଚର୍ଚ୍ଚା: ତେବେ ଆଉ ନୂଆ ଗଳ୍ପ କାହିଁକି ଲେଖୁନାହାନ୍ତି?
ହୃଷୀକେଶ ପଣ୍ଡା: ସେମିତି କିଛି ନିର୍ଦ୍ଦିଷ୍ଟ କାରଣ ନାହିଁ। ହୁଏତ ପୂର୍ବରୁ ପତ୍ରପତ୍ରିକାମାନଙ୍କ ପକ୍ଷରୁ ପ୍ରବଳ ଚାପ ପଡ଼ୁଥିଲା ଗଳ୍ପ ପାଇଁ। ସେଥିପାଇଁ ଅନେକ କିଛି ଲେଖି ହୋଇଯାଉଥିଲା।
ସାହିତ୍ୟ ଚର୍ଚ୍ଚା: ଟିକିଏ ଆଗରୁ ଆପଣ ‘ଗର୍ବ କରିବାର କଥା’ ଉପନ୍ୟାସଟି ବିଷୟରେ କହୁଥିଲେ। ଏହା ତ ଓଡ଼ିଆ ଉପନ୍ୟାସ ପ୍ରତି ଆପଣଙ୍କର ଏକ ମୂଲ୍ୟବାନ ଅବଦାନ। ଏହି ଫର୍ମାଟ୍ରେ ଆମ ଭାଷାରେ ଅନ୍ୟ କୌଣସି ଉପନ୍ୟାସ ଲେଖା ହୋଇନାହିଁ। ଆପଣ ଅନନ୍ୟ ଭାବରେ ଷୋଡ଼ଶ ଶତାବ୍ଦୀରୁ ଆରମ୍ଭ କରି ବିଂଶ ଶତାବ୍ଦୀ ପର୍ଯ୍ୟନ୍ତ ଗଡ଼ିଆସିଥିବା ଗୋଟିଏ ପରିବାରର ସବୁତକ ପିଢ଼ିର ଏକ ମନୋରମ ଉପସ୍ଥାପନ କରିଛନ୍ତି ଏଥିରେ। ସେହି କାଳଖଣ୍ଡଗୁଡ଼ିକର ସାମାଜିକ ଓ ଐତିହାସିକ ସ୍ଥିତି ବଡ଼ ଜୀବନ୍ତ ଭାବରେ ପ୍ରତିଫଳିତ ହୋଇଛି।
ହୃଷୀକେଶ ପଣ୍ଡା: ଓ ଅର୍ଥନୈତିକ ସ୍ଥିତି ମଧ୍ୟ।
ସାହିତ୍ୟ ଚର୍ଚ୍ଚା: ହଁ, ଅର୍ଥନୈତିକ ମଧ୍ୟ। ଏ ବହିଟି ପାଇଁ ଆପଣଙ୍କୁ ସ୍ୱୀକୃତି ମଧ୍ୟ ମିଳିଛି। ଏଇଟି ପାଇଁ ଆପଣ ଶାରଳା ପୁରସ୍କାରରେ ସମ୍ମାନିତ ହୋଇଛନ୍ତି। ବହିଟିର ଏଭଳି ସଫଳତା ଆପଣ ପୂର୍ବରୁ ଆଶା କରିଥିଲେ କି ?
ହୃଷୀକେଶ ପଣ୍ଡା: ମୁଁ ଯେତେବେଳେ ବହିଟି ନେଇ ପ୍ରକାଶକଙ୍କ ପାଖକୁ ଯାଇଥିଲି, ତା’ଙ୍କୁ କହିଥିଲି, “ଏମିତି ପୃଥୁଳକାୟ ବହି ୨୦୦ରୁ ୩୦୦ ଖଣ୍ଡେ ବିକ୍ରି ହେବ; ଏଣୁ ଆପଣ ବେଶି ଛାପିବେନି।” ସିଏ କିନ୍ତୁ କହିଲେ,”ସେକଥା ଆମେ ବୁଝିବୁ; ଆପଣ କାହିଁକି ବ୍ୟସ୍ତ ହେଉଛନ୍ତି?” ଦେଖିଲା ବେଳକୁ, ଏବେ ସେହି ବହିର ଏବେ ଛଅଟା ସଂସ୍କରଣ ବାହାରି ସାରିଲାଣି।
ସାହିତ୍ୟ ଚର୍ଚ୍ଚା: ଏଥିରୁ ଜଣାପଡ଼ୁଛି ଯେ ବହିଟି କେବଳ ପୁରସ୍କାରଜନିତ ସ୍ୱୀକୃତି ହିଁ ପାଇନାହିଁ; ପାଠକୀୟ ସ୍ୱୀକୃତି ମଧ୍ୟ।
ହୃଷୀକେଶ ପଣ୍ଡା: ତାହା ବୋଧହୁଏ ବହିଟିଏ ଭାଗ୍ୟ।
ସାହିତ୍ୟ ଚର୍ଚ୍ଚା: ଏଥିରେ ଆଉ ଗୋଟିଏ କଥା ମଧ୍ୟ ଲକ୍ଷ୍ୟ କରିବାର କଥା ଯେ, ଆପଣ ସାଧାରଣ ଭାବରେ ଏକ ଐତିହାସିକ ଉପନ୍ୟାସ ମାତ୍ର ଲେଖିନାହାନ୍ତି, ବରଂ ଏକ ଐତିହାସିକ ପୃଷ୍ଠଭୂମିରେ ସାଧାରଣ ମଣିଷର କଥା ଲେଖିଛନ୍ତି।
ହୃଷୀକେଶ ପଣ୍ଡା: ତାହା ହିଁ ମୋର ଆଭିମୁଖ୍ୟ ଥିଲା। ଇତିହାସର ବିବର୍ତ୍ତନ ଭିତରେ କେତେବେଳେ ଯେ ଓଡ଼ିଶା ଗରିବ ହୋଇଗଲା ଓ କାହିଁକି, ତାହା ମୁଁ ସୂଚାଇବାକୁ ଚେଷ୍ଟା କରିଛି।
ସାହିତ୍ୟ ଚର୍ଚ୍ଚା: ଆପଣ ଚାକିରି ଜୀବନରେ କୋରାପୁଟ ଜିଲ୍ଲାରେ ଅନେକ କାଳ ଧରି ଅବସ୍ଥାପିତ ହୋଇଥିଲେ। ସେହି ହେତୁ ଆପଣଙ୍କର ବହୁତ ରଚନାରେ କୋରାପୁଟର ଅଧିବାସୀମାନଙ୍କର ଜୀବନଚିତ୍ର ପ୍ରତିଫଳିତ। ସ୍ଥାନୀୟ ଜନଜୀବନ ପ୍ରତି ଆପଣଙ୍କର ଏମିତି ଆସକ୍ତି ଆସିବାର ହେତୁ କ’ଣ?
ହୃଷୀକେଶ ପଣ୍ଡା: ଏକଦା ମୁଁ କୋରାପୁଟରେ ବି ରହି ପାଠ ପଢ଼ୁଥିଲି। ପରେ ଯେତେବେଳେ ମୋତେ ସେଠାରେ କେ.ବି.କେ. କମିଶନର ଭାବରେ ଅବସ୍ଥାପିତ କରାଗଲା, ସେତେବେଳେ ମୋର ବିଶେଷ କିଛି ଔପଚାରିକ ଦାୟିତ୍ୱ ନ ଥିଲା। ଏଣୁ ମୁଁ ବିଭିନ୍ନ ଅଞ୍ଚଳ ବୁଲି ସେଠାକାର ଜନଜୀବନକୁ ଅନୁଧ୍ୟାନ କରିବାକୁ ସମୟ ପାଉଥିଲି।
ସାହିତ୍ୟ ଚର୍ଚ୍ଚା: କୋରାପୁଟ ପାଇଁ ତେବେ ଆପଣଙ୍କର ଥିଲା ସ୍ୱତନ୍ତ୍ର ଦୁର୍ବଳତା।
ହୃଷୀକେଶ ପଣ୍ଡା: କେବଳ କୋରାପୁଟ ନୁହେଁ, ମୁଁ ଯେଉଁଠି ଯେତେବେଳେ ରହିଛି, ସେଠିକାର ଜନଜୀବନ ସହିତ ସମ୍ପୃକ୍ତ ହୋଇଯାଇଛି। କୋରାପୁଟର କଥାଟି ଅବଶ୍ୟ ବେଶି ପ୍ରସିଦ୍ଧ ହୋଇଗଲା ମୋର ‘ସୁନାପୁଟର ଲୋକେ’ ଉପନ୍ୟାସ ପାଇଁ।
ସାହିତ୍ୟ ଚର୍ଚ୍ଚା: ସମାଜ-ଚିତ୍ରକୁ ସାହିତ୍ୟରେ ପ୍ରତିଫଳିତ କରିବାରେ ଆପଣ ଅଗ୍ରଣୀ ଭୂମିକା ନେଇଛନ୍ତି ବୋଲି ଆମେ ମନେକରୁ। ପିଏଚ୍.ଡ଼ିରେ ଆପଣଙ୍କର ସନ୍ଦର୍ଭର ବିଷୟ ମଧ୍ୟ ଥିଲା, ‘ସମାଜ ଓ ସାହିତ୍ୟ ମଧ୍ୟରେ ସମ୍ପର୍କର ବିଶ୍ଳେଷଣ’। ମନେହୁଏ ଏହି ସମ୍ପର୍କଟି ଆପଣଙ୍କ ପାଇଁ କେବଳ ଏକ ଗବେଷଣାର ବିଷୟ ହିଁ ନୁହେଁ, ବରଂ ସାହିତ୍ୟରେ ବି ଆପଣ ଏହାର ବାସ୍ତବ ପ୍ରୟୋଗ କରିଛନ୍ତି।
ହୃଷୀକେଶ ପଣ୍ଡା: ସେଇଟା ଆପଣ କହିପାରନ୍ତି ବାସ୍ତବତା ପ୍ରତି ମୋର ପ୍ରତିବଦ୍ଧତା। ମୋ ଲେଖାରେ କଳ୍ପନା ଓ ଭାବପ୍ରବଣତା ତ ନିଜ ସ୍ଥାନରେ ଅଛି, କିନ୍ତୁ ତାହା ବାସ୍ତବତାର ବିନିମୟରେ ନୁହେଁ।
ସାହିତ୍ୟ ଚର୍ଚ୍ଚା: ଆପଣଙ୍କର ରଚନା ଶୈଳୀକୁ ଲକ୍ଷ୍ୟ କଲେ ଜଣାଯାଏ ଯେ, ଆପଣ ଆଧୁନିକତାଠାରୁ ବରଂ ଆଉ କେଇ ପାଦ ଆଗୁଆ; ଅର୍ଥାତ ଆପଣଙ୍କ ଶୈଳୀ ଯେମିତି ‘ସୁପ୍ରା-ମଡର୍ନ’। ଏହା ଆପଣଙ୍କ ଦ୍ୱାରା ସାହିତ୍ୟକୁ ଏକ ନୂଆ ଦିଗ ଦେବାର ପ୍ରୟାସ କି?
ହୃଷୀକେଶ ପଣ୍ଡା: ଏଇଟା ତ ମୁଁ ସଚେତନ ଭାବରେ କରିନାହିଁ। ଏଣୁ ନିର୍ଦ୍ଦିଷ୍ଟ ଭାବରେ କିଛି କହିପାରିବି ନାହିଁ।
ସାହିତ୍ୟ ଚର୍ଚ୍ଚା: ବୃତ୍ତିଗତ ଜୀବନ ହେଉ, ଅବା ବ୍ୟକ୍ତିଗତ ଜୀବନ, ଆପଣ ମିତଭାଷୀ ଭାବରେ ପରିଚିତ। ଏମିତି କି ସଭାସମିତିରେ ଭାଷଣ ଦେବାକୁ ଭଲ ପାଆନ୍ତି ନାହିଁ, ଯେମିତି ଆଜିକାଲି ଅନେକ ସାହିତ୍ୟ ମଞ୍ଚରେ ଦେଖିବାକୁ ମିଳେ। ଏହାର କାରଣ କ’ଣ?
ହୃଷୀକେଶ ପଣ୍ଡା: ମୁଁ ପ୍ରଥମେ ପ୍ରଥମେ ଯେତେବେଳେ ଏମିତି ସଭାମାନଙ୍କୁ ଗଲି, ବହୁତ ସମୟ ନଷ୍ଟ ହେବା ଭଳି ଲାଗିଲା। ଏତେ ଜାଣିଥିବା କଥା ସେଠି ଏତେ ଜୋର୍ରେ କୁହାଗଲା ଯେ ମୁଁ ବ୍ୟତିବ୍ୟସ୍ତ ହୋଇପଡ଼ିଲି।
ସାହିତ୍ୟ ଚର୍ଚ୍ଚା: ଅର୍ଥାତ୍ ସେହି ମଞ୍ଚମାନଙ୍କରେ ଥାଏ କେବଳ ଜଣା କଥାମାନଙ୍କର ପୁନର୍କଥନ?
ହୃଷୀକେଶ ପଣ୍ଡା: ହଁ, ସେଇଆ। ଅତିଥିମାନେ ବହିଟିଏ ଉନ୍ମୋଚନ କରିବାକୁ ଆସିଥିବେ; କିନ୍ତୁ ବହିଟି ପଢ଼ି ନ ଥିବେ। କହିବେ ଯେ, ସମୟ ହେଲା ନାହିଁ ବହିଟି ପଢ଼ିବାକୁ। ଯଦି ସମୟ ହେଲା ନାହିଁ, ବାବୁ, କାହିଁକି ଆସିଛ?
ସାହିତ୍ୟ ଚର୍ଚ୍ଚା: ଆଜିର ଏହି ସାର୍ଥକ ବାର୍ତ୍ତାଳାପଟି ପାଇଁ ଆପଣଙ୍କୁ ଧନ୍ୟବାଦ ଜଣାଉଛୁ।
( ‘ସାହିତ୍ୟ ଚର୍ଚ୍ଚା ’ ପତ୍ରିକାର ଅକ୍ଟୋବର, ୨୦୨୩ ସଂଖ୍ୟାରେ ପ୍ରକାଶିତ । )
“ଆଧୁନିକତା ଠାରୁ ଆଗୁଆ ” । କଥାକାରଙ୍କୁ କୋଟିଏ ନମସ୍କାର ।
ଅନେକ ବର୍ଷ ପରେ ଡ ହୃଷୀକେଶ ପଣ୍ଡାଙ୍କ ସହ ସାକ୍ଷାତକାର ପଢ଼ି ଅନେକ କଥା ଜାଣିବାକୁ ମିଳିଲା ମୁଁ ତାଙ୍କ ଦ୍ବାରା ରଚିତ ଗର୍ବ କରିବାର କଥା ଓ ସୁନାପୁଟର ଲୋକେ ପଢ଼ିଛି ପ୍ରକୃତରେ ଡ ପଣ୍ଡା ତାଙ୍କ ପ୍ରଶାସନିକ ସେବା ଚାକିରୀ କାଳରେ ଭିନ୍ନ ଭିନ୍ନ ପଦକ୍ଷେପ ପାଇଁ ଚର୍ଚ୍ଚିତ ଥିଲେ, ସେ ତାଙ୍କର ନିଆରା ଲେଖା ପାଇଁ ମଧ୍ୟ ଚର୍ଚ୍ଚିତ ରହିବା କଥା କିନ୍ତୁ ଆଜିକାଲି ଯେଉଁ ପ୍ରଚାର ଓ ପ୍ରସାର ବ୍ୟବସ୍ଥା ଚାଳିଛି ସେଥିରେ ସେ ନଥିବାରୁ ବୋଧହୁଏ ତାଙ୍କ ଲେଖା ସମ୍ପର୍କରେ ସେତିକି ଆଲୋଚନା ହେଉନାହିଁ ଏହା ସତ୍ତ୍ବେ ତାଙ୍କର ଲେଖା ବେଶ୍ ଚମତ୍କାର , ଶିକ୍ଷଣୀୟ ଓ ବାସ୍ତବଧର୍ମୀ ଏବଂ ଯୁଗୋପଯୋଗୀ ସେଥିପାଇଁ ତାଙ୍କୁ ନମସ୍କାର ଓ ଶୁଭକାମନା ଜଣାଉଛି ସେ ଆଗକୁ ଆହୁରି ଲେଖନ୍ତୁ ଓ ତାଙ୍କ ଲେଖାସବୁ ପାଠକୀୟ ଆଦୃତି ଲାଭ କରିବ ବୋଲି ଆଶା କରୁଛି ଏହା ସହିତ ସମ୍ପାଦକ ନିହାର ବାବୁଙ୍କୁ ମଧ୍ୟ ଶୁଭେଚ୍ଛା ଓ ଶୁଭକାମନା ଜଣାଉଛି ଏଭଳି ଏକ ଲେଖକ ଓ ବ୍ୟକ୍ତିତ୍ବଙ୍କ ସମ୍ପର୍କରେ ଆଲେଖ୍ୟ ପ୍ରକାଶ କରିଥିବାରୁ