ଲେଖକର ପରିଚୟ ବୋଲି କହିଲେ ଆମେ କ’ଣ ବୁଝୁ? ଲେଖକର ଭାବପ୍ରବଣ ମନ ହିଁ ସାହିତ୍ୟର ସର୍ଜନା କରିଥାଏ। କେହି ପାଠକ ଯେତେବେଳେ ସାରସ୍ୱତ ରଚନାଟିଏ ପଢ଼ି ଅଭିଭୂତ ହୋଇପଡ଼େ, ସେ ନିଜ ମାନସ ଚକ୍ଷୁରେ କଳ୍ପନା କରିନିଏ ସେହି ରଚନା ପଛରେ ଥିବା ସ୍ରଷ୍ଟାମାନସଟିର ପରିଚୟ। ଏହା ହେଉଛି ଲେଖକର ସେହି ଛବି ଯାହା ଜଣେ ପାଠକ ସାମନାରେ ସ୍ୱୟଂ ପ୍ରତିଭାତ ହୁଏ। ସେହି ପରିଚୟଟିକୁ ଛାଡ଼ି ଲେଖକ ବୋଲାଉଥିବା ବାସ୍ତବ ମଣିଷଟିର ଚେହେରା, ପୋଷାକପତ୍ର, ବୃତ୍ତି, ଉପାଧି ଅବା ବାସସ୍ଥାନ ଇତ୍ୟାଦିର ସୂଚନା ନିତାନ୍ତ ନିରର୍ଥକ। କାରଣ ଲେଖକ-ଜୀବନର ଏହି ସବୁ ଦିଗ ଜଣେ ପାଠକ ଦ୍ୱାରା ସାହିତ୍ୟର ରସାସ୍ୱାଦନରେ କୌଣସି ଭୂମିକା ତୁଲାଇ ନ ଥାଏ।
ତଥାପି ଆମ ସାହିତ୍ୟ ଜଗତରେ ଏବେ ଏକ ବିଚିତ୍ର ଧାରା ବ୍ୟାପିଯାଇଛି; ତାହା ହେଲା, କୃତି ନୁହେଁ, ବରଂ ବ୍ୟକ୍ତି ହିଁ ସାଜିଛି ସକଳ ସାହିତ୍ୟିକ ସ୍ୱୀକୃତିର ମୁଖ୍ୟ ଆଧାର। ଆମକୁ ସାହିତ୍ୟ ନାମରେ ଏବେ ଚଉଦିଗରେ ଦିଶିଯାଏ କେବଳ ଫୁଲମାଳ, ସମ୍ବର୍ଦ୍ଧନା, ପୁରସ୍କାର, ମଉଛବ, ଭାଷଣ ଓ ଜୟ-ଜୟକାର ଭଳି ବହୁ ବାହ୍ୟ ଆଡ଼ମ୍ବର, ଯେଉଁଥିରେ ସାହିତ୍ୟର ଦିବ୍ୟ ସୁରଭି ନୁହେଁ, ବରଂ ଲେଖକର ଅହଂ ହିଁ ପ୍ରବଳ ଝଲସୁ କରୁଥାଏ। ଏଭଳି ଏକ ପରିବେଶରେ ଲେଖକଟିଏର ବ୍ୟକ୍ତିଗତ ଜୀବନ ତାହାର ପରିଚୟ ନିର୍ଦ୍ଧାରଣ କରେ, ତାହାର ରଚନାବଳୀ ନୁହେଁ।
ଅଥଚ ଆମ ସାହିତ୍ୟ ଜଗତର ପ୍ରାଚୀନ ଓ ମଧ୍ୟଯୁଗୀୟ ପୂର୍ବସୂରୀଗଣ ନିଜକୁ ନିମିତ୍ତ-ମାତ୍ର ମନେ କରିବାର ଯେଉଁ ମହାନ ଦୃଷ୍ଟାନ୍ତ ଛାଡ଼ି ଯାଇଛନ୍ତି, ତାହାର ପଟାନ୍ତର ନାହିଁ। କବିସମ୍ରାଟ ଉପେନ୍ଦ୍ର ଭଞ୍ଜ ନିଜ କବିତ୍ୱକୁ ତା’ଙ୍କ ନିଜର ବ୍ୟକ୍ତିଗତ ପରାକାଷ୍ଠା ନୁହେଁ, ବରଂ ଏକ ଈଶ୍ୱରୀୟ କୃପା ବୋଲି ସୂଚାଇବାକୁ ଯାଇ କହିଛନ୍ତି, “ତାରକ ମନ୍ତ୍ର ପରସାଦେ, ମୋହର କବିପଣ ଉଦେ।’ ସେହିପରି ସାରଳା ଦାସ ନିଜର କବିତ୍ୱର ଶ୍ରେୟ ମାଆ ଶାରଳାଙ୍କୁ ଓ ଅତିବଡ଼ୀ ଜଗନ୍ନାଥ ଦାସ ଏହି ଶ୍ରେୟ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କୁ ପ୍ରଦାନ କରିଛନ୍ତି। ଏହି ନମସ୍ୟ ମହାମନିଷୀମାନେ ବିଶ୍ୱାସ କରୁଥିଲେ ଯେ ସେମାନଙ୍କର ଲେଖନୀ ସେମାନଙ୍କ ନିଜ ଦ୍ୱାରା ନୁହେଁ, ବରଂ ଏକ ପ୍ରଚ୍ଛନ୍ନ ଅଲୌକିକ ଶକ୍ତି ଦ୍ୱାରା ଚାଳିତ ହୋଇଥାଏ। ହେଲେ ଆମ ଆଧୁନିକ ଯୁଗର ଅନେକ ସାହିତ୍ୟ ସ୍ରଷ୍ଟାଙ୍କ କ୍ଷେତ୍ରରେ ଅହଂଶୂନ୍ୟତାର ସେହି ପରମ ନିଦର୍ଶନ ଦେଖିବାକୁ ବିରଳ।
ଅବସ୍ଥା ଏପରି ହେଲାଣି ଯେ ବହି ବା ପତ୍ରିକାଟିଏ ଖୋଲିଲେ ତାହାର ମଲାଟ ବା ପୃଷ୍ଠାମାନଙ୍କରେ ଲେଖକମାନଙ୍କର ବିଭିନ୍ନ ଭଙ୍ଗୀର ବୃହଦାକାର ଫଟୋଚିତ୍ର ସେମାନଙ୍କ ଲେଖା ଅପେକ୍ଷା ଅଧିକ ପ୍ରାଧାନ୍ୟ ପାଉଛି। ଯେପରି ମନେହୁଏ, ଏବେକାର ଲେଖକମାନେ ପ୍ରଥମେ ହେଉଛନ୍ତି ଜଣେ ଜଣେ ମଡେଲ୍, ତା’ପରେ ହୁଏତ ଲେଖକ। ପତ୍ରପତ୍ରିକାମାନଙ୍କରେ ମଧ୍ୟ କେହି କେହି ଲେଖକଙ୍କର କୃତ୍ରିମ ହସ ସଂପନ୍ନ ପୂର୍ଣ୍ଣାବୟବ ଫଟୋଚିତ୍ର ସହିତ ସେମାନଙ୍କର ଉପାଧି, ପଦପଦବୀ ଓ ବାସସ୍ଥାନର ବର୍ଣ୍ଣନା ଯେପରି ବହୁଳ ଭାବରେ ପ୍ରଦର୍ଶିତ ହେଉଛି, ତାହା ତୁଳନାରେ ସେଥିରେ ପ୍ରକାଶିତ ସେହି ଲେଖକଙ୍କର ଲେଖାଗୁଡ଼ିକ ଅତି ଗୌଣ ମନେହେଉଛି। କେବଳ ସେତିକି ନୁହେଁ, ଆଜିକାଲି ଅନେକ ପୁସ୍ତକର ମୁଖବନ୍ଧ ଓ ସମୀକ୍ଷାରେ ଲେଖକଙ୍କ କୃତି ଅପେକ୍ଷା ସେମାନଙ୍କ ଜୀବନର ବ୍ୟକ୍ତିଗତ ଦିଗ ଅଧିକ ଆଲୋଚିତ ହେଉଥିବାର ଦେଖାଗଲାଣି। ଲେଖକର ଏଭଳି ପରିଚୟ ପାଠକ ପାଇଁ କୌଣସି ପ୍ରାସଙ୍ଗିକତା ରଖେ କି?
ଆମର କହିବାର କଥା, କେବଳ ଲେଖା ହିଁ ହେଉ ଲେଖକର ପରିଚୟ; ଏବଂ ଲେଖା ଭିନ୍ନ ଆଉ କିଛି ନୁହେଁ।
ନିହାର ଶତପଥୀ
(‘ସାହିତ୍ୟ ଚର୍ଚ୍ଚା ’ ପତ୍ରିକାର ନଭେମ୍ବର , ୨୦୨୩ ସଂଖ୍ୟାରେ ପ୍ରକାଶିତ ସମ୍ପାଦକୀୟ। )
Absolutely! The only thing that matters is writing. The rest are just for the show!