ଆତ୍ମବୋଧ ବିନା ଶବ୍ଦ, ବାକ୍ୟ, ସାହିତ୍ୟର ସର୍ଜନା କାହିଁ !
ଭାଗବତରେ ପଢ଼ିଥିଲି ପଦୁଟିଏ; କେତେ ସହିବି ଗର୍ଭ କଷ୍ଟ। ବିଧାତା କଲା ମୋତେ ହଟ।
ପରନ୍ତୁ, ଓଡ଼ିଆ ସାହିତ୍ୟସଂସାରର କିଂକର୍ତ୍ତବ୍ୟବିମୂଢ଼ ଆଢ୍ୟମ୍ଭବିଷ୍ଣୁଗଣ ଅବସ୍ଥାତ୍ରୟରେ ରଟୁଛନ୍ତି; କେତେ ସହିବି ଶବ୍ଦ କଷ୍ଟ। ସାହିତ୍ୟ କଲା ମୋତେ ହଟ।
ଅକ୍ଷର ଶିକ୍ଷା ସରିଲା ପରେ ପ୍ରାୟ ସଭିଏଁ ଏବେ ଲେଖକ। ପୁସ୍ତକ ପଢ଼ିଲା ପରେ ପ୍ରାୟ ସଭିଏଁ ଏବେ ପ୍ରକାଶକ। ଏଠାରେ କହିବା ବାହୁଲ୍ୟ ଯେ ଏବେ ଲେଖକ ଲେଖାଟିଏ ଲେଖିବା ପରେ ନିଜ ଲେଖା ହିଁ ନିଜେ ପଢ଼ୁ ନାହାନ୍ତି। ଏଣେ ଲେଖାଚାଲିଛି ଆଉ ଛପା ଚାଲିଛି ଶହଶହ ପୁସ୍ତକ। ଲେଖକଙ୍କ ଭିଡ଼ରେ ପାଠକ ଏବେ ଅଣନିଃଶ୍ୱାସୀ। ଆଜି ଅଧିକାଂଶ ପାଠକଙ୍କ ପାଇଁ ଓଡ଼ିଆ ସାହିତ୍ୟ ଦୁର୍ବୋଧ୍ୟ।
ହେ ମୋର ସାହିତ୍ୟିକ ଆଢ୍ୟମ୍ଭବିଷ୍ଣୁଗଣ;
ସୁଧୀ ଲେଖକର ଆତ୍ମବୋଧରୁ ପ୍ରେରିତ ଭାବ ହୃଦୟତନ୍ତ୍ରୀକୁ ସ୍ପର୍ଶ କରେ; ହୃଦୟ ରୋମାଞ୍ଚିତ ହୋଇ ଆତ୍ମଧ୍ୱନି ସହ ଗାଇ ଉଠେ ଶବ୍ଦତତ୍ତ୍ୱ ସମ୍ଭୁତ ସାହିତ୍ୟରାଗ। ଏହି ଆତ୍ମବୋଧ ବିନା ଶବ୍ଦ, ବାକ୍ୟ, ସାହିତ୍ୟର ସର୍ଜନା କାହିଁ! ଦଶଶିର ଦୁହିଁ ସେଇ ସୁଧୀ ଲେଖକ, ଭାବବୋଧ ଅଧ୍ୟେତବ୍ୟ ଚତୁର୍ବେଦୀ ପ୍ରଜ୍ଞାନ କଣିକା ପଦପଦ କରି ଲେଖିଥାଏ। ଶବ୍ଦବ୍ରହ୍ମ୍ ବୋଧରେ ତା ରଚନାରେ ଥାଏ ପଞ୍ଚତନ୍ତ୍ର, ଷଡ୍ଦର୍ଶନ, ସପ୍ତତଳମର୍ମର ଭାବ। ସେଥିରୁ ପାଠକ ଆହରଣ କରେ ପ୍ରଜ୍ଞାରୂପୀ କାରଣଜଳରେ ଶବ୍ଦବ୍ରହ୍ମ ସ୍ଥାପନ କରି ସର୍ଜନା ହୋଇଥିବା ସାହିତ୍ୟସୁଧା।
ଆଖିରେ ଆଖିଏ ସପନ ଓ ହୃଦୟରେ ସରାଗ ନେଇ ଏବେ ମଧ୍ୟ ପାଠକ, ରଚକର ଆଖ୍ୟାନ ପଢ଼ିବା ପାଇଁ ପ୍ରତୀକ୍ଷା କରିଛି। ଆଜିର ସାହିତ୍ୟ ପାଳନିଆଁ ପାଇଁ ପାଠକଙ୍କୁ ଉତ୍ତମ ଲେଖକୀୟ ପାଳ ଯୋଗାଇ ଦିଆଯାଉ। ଜଳିବ!
ସାମ୍ପ୍ରତିକ ପରିସ୍ଥିତିରେ, ସାହିତ୍ୟ ସଂସାରରେ ସୁଧୀ ଲେଖକଟିଏ ବିରଳ। ଆଢ୍ୟମ୍ଭବିଷ୍ଣୁଙ୍କ କଣ୍ଠଘଣ୍ଟ ସାହିତ୍ୟହାଟରେ, ରଚନା ପରେ ପ୍ରକାଶନ, ଲୋକାର୍ପଣ, ପ୍ରଦର୍ଶନୀ; ପ୍ରଦର୍ଶନୀରୁ ଉପହାର; ଉପହାରପର୍ବ ଉତ୍ତାରୁ ଏବେ ପୁସ୍ତକ ସମଗ୍ର ରଦି ସାମଗ୍ରୀ ହୋଇଛି। ଏଣୁ ପାଠକ ହେବାକୁ ସଂଶୟ ଏବେ ସାହିତ୍ୟପ୍ରେମୀ ସମଗ୍ରଙ୍କର! ଏଣୁ, ପାଠକକୁଳକୁ ଅନୁରୋଧ କରିବି; ନେଡ଼ିଗୁଡ଼ କହୁଣି ଆଡ଼କୁ ବହିଯିବା ପୂର୍ବରୁ ଲେଖକମାନଙ୍କୁ ସୁଧାରିବାର ବେଳ ଉପନୀତ ଏବେ। ମନେ ପଡ଼େ ଦୁଇଧାଡ଼ି, ସ୍ୱଭାବକବିଙ୍କ ପ୍ରଣୟବଲ୍ଲରୀରୁ;
ଧନ୍ୟ ଧନ୍ୟ ପିତା ଗେହ୍ଲେଈ ସୁତାର କିଛି ନଧଇଲେ ଦୋଷ;
ତ୍ରୁଟି ଚାହିଁ ସ୍ନେହ, ନ ତୁଟି ତାଙ୍କର ଅଧିକ ବଢ଼ିଛି ତୋଷ।
ଅତଃ; ଆଜିକାଲିର ଆଢ୍ୟମ୍ଭବିଷ୍ଣୁଙ୍କ ପ୍ରାଦୁର୍ଭାବରେ ଅତିଷ୍ଠ ହେବା ପୂର୍ବରୁ ପ୍ରକୃତ ସାହିତ୍ୟସାଧକଙ୍କ ପ୍ରତ୍ୟଭିଜ୍ଞା ହିଁ ବିଧେୟ। ଆଢ୍ୟମ୍ଭବିଷ୍ଣୁଙ୍କ ବିସାହିତ୍ୟ ପଢ଼ି ଅଯଥାର୍ଥ ମୁହଁଦେଖା ବାଃ ବାଃ କରି ତାଙ୍କୁ କବିସମ୍ରାଟ, କବିବର, କବିରତ୍ନଙ୍କ ସହ ତୁଳନା କରିବା ବନ୍ଦ କରିବାକୁ ହେବ। ସେମାନଙ୍କ ରଚନାକୁ ସାହିତ୍ୟର ସୁବର୍ଣ୍ଣ ଇତିହାସର ପୃଷ୍ଠାଟିଏର ମାନ୍ୟତା ଦେବା ପୂର୍ବରୁ ଆମ ପୂର୍ବସୂରୀଙ୍କ ରଚନାସମଗ୍ରର ଅଧ୍ୟୟନ କରିବା ଏକାନ୍ତ ଅପରିହାର୍ଯ୍ୟ। ସାହିତ୍ୟ ସଂସାରର ଆଢ୍ୟମ୍ଭବିଷ୍ଣୁଙ୍କ ବୋଧହୀନ ରଚନାକୁ କାଳଜୟୀ ବୋଲି ଅଭିହିତ କରିବାର ଚାଟୁବାଦ ବନ୍ଦ କରିବାକୁ ହେବ। ଆଜିର ମାଟିରେ ଯଦି ସୁସାହିତ୍ୟର ପ୍ରଜ୍ଞାବୀଜବପନ ନହୁଏ ତେବେ ଆସନ୍ତାକାଲିର ବୃକ୍ଷରେ ଅମୃତମୟ ସାହିତ୍ୟଫଳ କାହୁଁ ପାଇବା! ହେଜିବାର ବେଳ ଏବେ; ଆପଣଙ୍କର ଏଇ ଶାରଦୀୟ ଋତୁରେ। ସୁମନାସ, ପାଠକସମଗ୍ରଙ୍କୁ। ଅସ୍ତୁ।
-ପ୍ରଭୂ
* ଆଢ୍ୟମ୍ଭବିଷ୍ଣୁ– ଯେ ପୂର୍ବେ ନଥିଲା କିନ୍ତୁ ହଠାତ୍ ବଡ଼ଲୋକ ହୋଇଅଛି।
(‘ସାହିତ୍ୟ ଚର୍ଚ୍ଚା ’ ପତ୍ରିକାର ଅକ୍ଟୋବର, ୨୦୨୩ ସଂଖ୍ୟାରେ ପ୍ରକାଶିତ ନିୟମିତ ସ୍ତମ୍ଭ । )
ପ୍ରଶାନ୍ତ ଭୂୟାଁଙ୍କ ଶେଷ ପୃଷ୍ଠାରେ ପ୍ରତିଥର ଭଳି ଅକ୍ଟୋବର ସଂଖ୍ୟାର ନୂଆ ଶବ୍ଦ ‘ଆଢ୍ୟମ୍ଭବିଷ୍ଣୁ’ କୁ ଜାଣିବାକୁ ପାଇଲି। ଶବ୍ଦଟି ସମ୍ପର୍କରେ ବିସ୍ତୃତ ଭାବେ ଆଲୋଚନା କରାଯାଇଛି।
Good to read this!
ଭୁଷ୍ ପଣ୍ଡିତ ଶବ୍ଦଟି ମନେ ପଡିଗଲା। ହାଇସ୍କଲ୍ ପଢିବା ସମୟରେ ଶ୍ରେଣୀର କୌଣସି ଛାତ୍ର ପ୍ରଶ୍ନର ଅର୍ଥ ନ ବୁଝି ଉତ୍ତରରେ ଏଣୁତେଣୁ ବକିଲେ ସାରେ କହୁଥିଲେ “ଭୁଷ୍ ପଣ୍ଡିତ”…
ଖୁବ୍ ସୁନ୍ଦର ଉପସ୍ଥାପନା । ସବୁଠାରୁ ଭଲ ଲାଗିଲା ବିଷୟବସ୍ତୁ ର ନାମକରଣ ।
Bhai thank you for writing after a gap. New word never heard before. You always teach us new things. That’s why I wait for your writing.
ବହୁତ ସୁନ୍ଦର ବିଭାଜନ ରେ ବିଭିନ୍ନ ଲେଖାକୁ ଉପସ୍ଥାପନା କରିଛନ୍ତି I ମୁଁ ‘ସାହିତ୍ୟ ଚର୍ଚ୍ଚା’ ୱେବସାଇଟ୍ ର ଉତ୍ତୋରତ୍ତର ଉନ୍ନତି ଲାଗି ମଙ୍ଗଳ କାମନା କରୁଛି I
ଖୁବ୍ ସୁନ୍ଦର ଉପସ୍ଥାପନା, ନୂତନ ଶବ୍ଦର ପ୍ରୟୋଗ, ସାହିତ୍ୟ ଜଗତରେ ହେଉଥିବା ବିଶୃଙ୍ଖଳା ର ଅବତାରଣା, ସୁସାହିତ୍ୟ ତଥା କାଳଜୟୀ ସାହିତ୍ୟ ସାଧନାରେ ବ୍ରତୀ ହେବାପାଇଁ ଲେଖକ ସମାଜ କୁ ଆମନ୍ତ୍ରଣ, ଆଦି ସମୟୋପଯୋଗୀ ସୁନ୍ଦର ଆଲେଖ୍ୟ।
ଖୁବ ସୁନ୍ଦର , ଚମତ୍କାର । ସେହି ମୋହରେ ପ୍ରାୟତଃ ଅଧିଙ୍କାଶ