ବାହାଘର ପାଇଁ ଯେତେବେଳେ ଝିଅ ଘରୁ ପୁଅଟିଏ ପାଇଁ ପ୍ରସ୍ତାବ ଆସେ, ସେତେବେଳେ ପୁଅଟିକୁ ଲାଗେ ସତେ ଯେପରି ସେ ଏମ୍ଏଲ୍ଏ ଟିକେଟ ପାଇଗଲା।
ଆପଣମାନେ ତ ଜାଣିଛନ୍ତି କଟକ ଭାଇଚାରାର ସହର। ଏଇ ଭାଇଚାରକୁ ମଜଭୁତ କରିବାରେ ମୁଖ୍ୟ ଭୂମିକା ନିର୍ବାହ କରେ ଖଟି ସଂସ୍କୃତି। ଆମର ବି ଗୋଟେ ଖଟି ଅଛି, ଆମ ଖଟିରେ ପଲ୍ଲୀରୁ ନେଇ ପାର୍ଲିଆମେଣ୍ଟ ଯାଏ ଆଲୋଚନା ସମାଲୋଚନା ପର୍ଯ୍ୟାଲୋଚନା ଚାଲେ। ଏମିତି ଥରେ ବିବାହ ଋତୁ ଏବଂ ନିର୍ବାଚନ ଋତୁର ଯୁଗଳବନ୍ଦୀ ସମୟ ଆସିଲା ଅର୍ଥାତ ବିଭାଘର ସମୟରେ ସାଧାରଣ ନିର୍ବାଚନ ଦୁନ୍ଦୁଭି ବାଜିଲା। ଖଟିରେ ମୁଖ୍ୟ ଖଟିଆ (‘ଖଟି’ରେ ଥିବା ସଦସ୍ୟଙ୍କୁ ‘ଖଟିଆ’ ବୋଲି ସମ୍ବୋଧନ କରାଯାଇଛି) ଖତୁଆ କହିଲା, ବାହାଘର ଏବଂ ନିର୍ବାଚନ ଭିତରେ ଅନେକ ସାମଞ୍ଜସ୍ୟ ରହିଛି। ମୁଁ କହିଲି, ତୁ କଥାଟି ଉଠେଇଚୁ ମାନେ ଆଜିର ପ୍ରବଚକ ତୁ।
ଖତୁଆ କହିଲା, ଠିକ୍ ଅଛି ଶୁଣ, ବାହାଘର ପାଇଁ ଯେତେବେଳେ ଝିଅ ଘରୁ ପୁଅଟିଏ ପାଇଁ ପ୍ରସ୍ତାବ ଆସେ, ସେତେବେଳେ ପୁଅଟିକୁ ଲାଗେ ସତେ ଯେପରି ସେ ଏମ୍ଏଲ୍ଏ ଟିକେଟ ପାଇଗଲା। ବରଘର ଦେଖା ଚାହାଁ ନିର୍ବାଚନ ପ୍ରଚାର ଠାରୁ କୌଣସି ଗୁଣରେ କମ ନୁହେଁ, ଆମ ସମୟରେ ଥିବା ନିର୍ବନ୍ଧ ଏବଂ ଆଜିକାଲିର ରିଙ୍ଗ୍-ସେରେମୋନି ଏବଂ ପ୍ରାର୍ଥୀ ପତ୍ର ଦାଖଲ ଭିତରେ କୌଣସି ପାର୍ଥକ୍ୟ ବାରିହେଉନି। ରିଙ୍ଗ୍-ସେରେମୋନି ପରେ ବର ମନରେ ଥିବା ଉତ୍ସୁକତାର ଭାବ ଏବଂ ପ୍ରାର୍ଥୀ ପତ୍ର ଦାଖଲ ପରେ ନିର୍ବାଚନରେ ବିଜୟ ଲାଭ କରିବାର ଆଶା ପ୍ରାୟ ସମାନ। ବରଟି ବରଯାତ୍ରୀ ଧରି କନ୍ୟା ଘରକୁ ଯିବା ସମୟର ପଟୁଆର ପରି ନିର୍ବାଚନରେ ଅବତୀର୍ଣ୍ଣ ପ୍ରାର୍ଥୀ ମଧ୍ୟ ବିରାଟ ରାଲି କରିଥାନ୍ତି। ନିର୍ବାଚନରେ ଯାଉଥିବା ଜିନ୍ଦାବାଦ ପକାଳି ଏବଂ ବର ସାଙ୍ଗରେ ଯାଉଥିବା ବରଯାତ୍ରୀ ଉଭୟଙ୍କ କାର୍ଯ୍ୟକଳାପ ପ୍ରାୟ ସମାନ, ମାହାଳିଆରେ ମଦ ମାଂସ ଭକ୍ଷଣ କରି ତଳେଗଡ଼ି ଧୂଳି ଧୂସର ହୋଇ ନାଗିନ୍ ଡ୍ୟାନ୍ସ କରିଥାନ୍ତି। ବେଳେ ବେଳେ ଉତ୍ପାତିଆ ଗୁଣ ପ୍ରଦର୍ଶନ କରି ଜିନ୍ଦାବାଦିଆ ଦଳ ପରି ବରଯାତ୍ରୀ ଠେଙ୍ଗୁଲି ସମ୍ମାନରେ ସମ୍ମାନିତ ହୋଇଥାନ୍ତି। ନେତା ଜିତିବା ପରେ ଜିନ୍ଦାବାଦ ପକାଳିଙ୍କୁ ଏବଂ ବର ବାହାହେବା ପରେ ବରଯାତ୍ରୀମାନଙ୍କୁ ପ୍ରାୟତଃ ଭୁଲିଯାଇଥାନ୍ତି।
ବର ନୁହେଁ କ୍ୟାବିନେଟ ମନ୍ତ୍ରୀ
ବର ହୋଇ ବେଦୀରେ ବସିବା ସମୟରେ ବରଟିଏ ଭାବୁଥାଏ ସେ ଶାସନ ଭାର ଗ୍ରହଣ କରିବା ନିମନ୍ତେ ତା’ ପାଇଁ ଶପଥ ପାଠ ଉତ୍ସବ ଚାଲିଛି। ବେଦୀରେ ପଣ୍ଡିତମାନେ ମନ୍ତ୍ର ଉଚ୍ଚାରଣ କରି ବରକୁ ସାତ ଜନ୍ମ ପାଇଁ ଶପଥ କରାଇବା ସହ କନ୍ୟାର ଦଶ ଦୋଷ କ୍ଷମା କରିବା ପାଇଁ ଶପଥ କରାଉଥିବା ବିବାହିତ ପୁରୁଷମାନେ ଅଙ୍ଗେ ନିଭେଇଥିବେ; କିନ୍ତୁ ସମୟ ଗଡ଼ିବା ସହିତ ସଂସାରର ଜଞ୍ଜାଳରେ ପଡ଼ି ବର ଏକଥା ଭୁଲିଯାଇଥାଏ। ଠିକ୍ ସେହିପରି ନିର୍ବାଚିତ ଜନପ୍ରତିନିଧି ଲୋଭରେ ପଡ଼ି ଗଣତନ୍ତ୍ର ମନ୍ଦିରରେ ନେଇଥିବା ଶପଥକୁ ଭୁଲି ଯାଇଥାନ୍ତି। ବାହାଘରର ବର୍ଷେ ପର୍ଯ୍ୟନ୍ତ ସେ ବର, ମାନେ ସ୍ୱାମୀ, କ୍ୟାବିନେଟ ମନ୍ତ୍ରୀ ପରି ଅନୁଭବ କରୁଥାଏ। ସେମାନଙ୍କର ପିଲା ହେବା ଦିନଠାରୁ ସେ ସ୍ୱାମୀଟିକୁ ଲାଗେ ସେ ଘୋଟାଲାରେ ସମ୍ପୃକ୍ତି ହେବା କାରଣରୁ ତାକୁ ମନ୍ତ୍ରୀ ପଦରୁ ବହିଷ୍କାର କରାହୋଇଯାଇଛି। ସ୍ୱାମୀ ସ୍ତ୍ରୀ ଦୁହେଁ ଏକାଠି ହେଲେ ବିଧାନସଭାରେ ଶାସକ ଏବଂ ବିରୋଧୀଙ୍କ ପ୍ରଶ୍ନ ଉତ୍ତର କାର୍ଯ୍ୟକ୍ରମ ପରି ଘରଟିର ପରିବେଶରୁ ସ୍ପଷ୍ଟ ବାରି ହୋଇ ପଡୁଥାଏ। ଯେତେବେଳେ ସ୍ୱାମୀଟି ଚାକିରି କ୍ଷେତ୍ରରେ ତା’ ପି.ଏ ସହିତ ମିଳାମିଶାର ଘଟଣା ପ୍ରଘଟିତ ହୋଇଯାଏ ସେତେବେଳେ ତା’ ସ୍ତ୍ରୀଟି ତା’ ସ୍ୱାମୀକୁ ଚିଟଫଣ୍ଡରେ ସମ୍ପୃକ୍ତ ଠକ ଭଳି ବ୍ୟବହାର କରେ। ଏସବୁ ଘଟଣା ସ୍ତ୍ରୀଟି ତା’ ଶାଶୁ ଶ୍ୱଶୁରଙ୍କୁ ଅବଗତ କରାଏ, ସେମାନେ କ୍ରାଇମବ୍ରାଞ୍ଚର ତଦନ୍ତ ଭଳି ତଦନ୍ତ କରିଚାଲନ୍ତି, ହେଲେ ସେ ତଦନ୍ତର ଅନ୍ତ ତାଙ୍କ ଆୟତ୍ତରେ ନ ଥାଏ। ଏସବୁ ପ୍ରବଚନ ଖତୁଆ ଠାରୁ ଶୁଣି ମୁଁ କହିଲି ଖତୁଆ ତୋ ଗବେଷଣାକୁ ମାନିବାକୁ ପଡ଼ିବ, ତୋ ପାଖରେ ଆଜିକାର ପରବଚନକୁ ଉପସ୍ଥାପନା କରୁଥିବା ପ୍ରବଚକମାନେ ଫେଲ ମାରିଯିବେ।
ଚା’ ଗ୍ଲାସ ଥୋଇଦେଇ ଖଣ୍ଡେ ପାନ ପାଟିରେ ପୂରେଇ ଖତୁଆ ପୁଣି କହିଲା, ଏଇ ବାହାଘର ନେଇ ମୋର ଗୋଟେ କଥା ମନେପଡିଗଲା। ମୋ ଭାଇଙ୍କର ନୂଆ ନୂଆ ବାହାଘର ହୋଇଥାଏ। ବାହାଘର ପରେ ମୋ ଭାଉଜ ସବୁଦିନ ସିନ୍ଥିରେ ସିନ୍ଦୂର ଏବଂ ମଥାରେ ନାଲି ବିନ୍ଦି ପିନ୍ଧନ୍ତି। ଏହି ସିନ୍ଦୂର ଏବଂ ବିନ୍ଦି ପିନ୍ଧିବାର ରହସ୍ୟ ଭାଉଜଙ୍କୁ ପଚାରିବି ବୋଲି ଭାବେ ହେଲେ ପଚାରି ପାରେନି। ଏମିତି ଦିନେ ସୁଯୋଗ ଦେଖି ମୁଁ ଭାଉଜଙ୍କୁ ପଚାରିଲି; ଭାଉଜ ସିନ୍ଦୂର ହେଉ କି ନାଲି ବିନ୍ଦି ହେଉ ତମେ ମଥାରେ କାହିଁକି ଲଗାଇଛ ? ଭାଉଜ ଉତ୍ତର ଦେଲେ “ଇଏ ଖାଲି ସିନ୍ଦୂର କି ନାଲି ବିନ୍ଦି ନୁହେଁ, ଇଏ ହେଉଛି ମୋ ସ୍ୱାମୀ ଅର୍ଥାତ ତମ ଭାଇ।” ଭାଉଜଙ୍କର ଏକଥା ମୋ ମୁଣ୍ଡରେ ବହୁଦିନ ଧରି ଖେଳୁଥିଲା ମୁଁ କେବଳ ସୁଯୋଗକୁ ଅପେକ୍ଷା କରିଥିଲି। ଦିନେ ମୋତେ ସୁଯୋଗ ମିଳିଗଲା, ମୁଁ ଗାଧୁଆ ଘରୁ ଦୌଡ଼ି ଆସି କହିଲି, “ଭାଉଜ ତମ ସ୍ୱାମୀ ମାନେ ମୋ ଭାଇ ଏତେ ଅଭଦ୍ର ?” ଭାଉଜ ରାଗିକି କହିଲେ, “ତମ ଭାଇ ଏମିତି କ’ଣ କଲେକି ତାଙ୍କୁ ତମେ ଅଭଦ୍ର କହୁଛ?” ମୁଁ ଭାଉଜଙ୍କୁ ଗାଧୁଆ ଘରକୁ ଟାଣି ଟାଣି ନେଇ ଆଇନାରେ ଲାଗିଥିବା ବିନ୍ଦିକୁ ଦେଖେଇ କହିଲି, “ଦେଖ ବାଥ୍ ରୁମରେ ଯିଏ ଗାଧଉଛି ଅଇନାରେ ବସି ତମ ସ୍ୱାମୀ ଅର୍ଥାତ୍ ମୋ ଭାଇ ତାକୁ ଜୁଳୁ ଜୁଳୁ କରି ଚାହୁଁଛନ୍ତି।” ପୁଣି ଟାଣିନେଇ କମଡ଼ ସାମ୍ନା କାନ୍ଥରେ ଲାଗିଥିବା ବିନ୍ଦିକୁ ଦେଖେଇ ମୁଁ କହିଲି, “ଦେଖ ଯିଏ କମଡ଼ରେ ବସି ଉଦରସ୍ଥ ବର୍ଜ୍ୟ ପଦାର୍ଥ ବାହାର କରୁଛି ତମ ସ୍ୱାମୀ ତାକୁ ବଲ ବଲ କରି ଚାହୁଁଛନ୍ତି।” ଭାଉଜ ଲାଜେଇ ଯାଇ ସେଇଦିନୁ ବାଥରୁମ୍ ହେଉ ଅବା ଅଇନା ହେଉ କିମ୍ୱା କମଡ଼ ସାମ୍ନା କାନ୍ଥରେ କିମ୍ବା ବେସିନ ସାମ୍ନାରେ ଆଉ ବିନ୍ଦିକୁ ଲଗାଉନାହାନ୍ତି। ଖତୁଆ କହିଲା କଥାଟି ସିନା ହାସ୍ୟରସ ସୃଷ୍ଟି କଲା କିନ୍ତୁ ସେଇଦିନ ପରଠାରୁ ଆମ ଗାଧୁଆ ଘର ପରିଷ୍କାର ରହିଲା। ଖତୁଆର ଏହି ପଦ୍ଧତି ପ୍ରୟୋଗ କରି ଆମ ଖଟିରେ ଥିବା ସମସ୍ତ ଖଟିଆଙ୍କ ଗାଧୁଆ ଘର କାନ୍ଥ ଏବଂ ଦର୍ପଣକୁ ଅସନା କରୁଥିବା ବ୍ୟବହୃତ ବିନ୍ଦି ଏବେ ଉଭାନ ହୋଇଯାଇଛି।
ସୌଭାଗ୍ୟବତୀର ସଂକେତ
ଖତୁଆ ପୁଣି କହିଲା ଜଣେ ସୌଭାଗ୍ୟବତୀ ସ୍ତ୍ରୀର ସଂକେତ ତା’ ହାତର ଶଙ୍ଖା ଆଉ ମଥାର ସିନ୍ଦୂର, ଠିକ୍ ଯେପରି ଆଗେ ଖଦଡ଼ ଧୋତି, ଖଦଡ଼ ପଞ୍ଜାବୀ ଓ ଟୋପି ପିନ୍ଧିଥିବା ଲୋକ କୋଷେ ଦୂରରୁ ନେତା ବୋଲି ଜଣାପଡ଼ୁଥିଲେ। ହେଲେ ଏବେ ତ ଯିଏ ଧୋତି ପିନ୍ଧିଲା ସିଏ ଦଳରୁ ବିଦାହେଲା। ତେଣୁ ଏବେ ନେତା ସଂକେତ ତା’ ଦଳୀୟ ଚିହ୍ନ ଏବଂ ଦଳୀୟ ରଙ୍ଗର ଗାମୁଛାରୁ ନେତା ବୋଲି ବାରିବାକୁ ପଡ଼ୁଛି। ପ୍ରାୟତଃ ଏବେ ନେତା ଓ ବର ଭିତରେ କିଛି ଫରକ ଦେଖାଯାଉନାହିଁ। ଯେତେବେଳେ ନେତା ଦଳ ପରିବର୍ତ୍ତନ କରନ୍ତି ସେତେବେଳେ ତାଙ୍କର ଦଳୀୟ ଚିହ୍ନ ବଦଳିଥାଏ। ହେଲେ ସ୍ତ୍ରୀ ଯେତେ ସ୍ୱାମୀ ପରିବର୍ତ୍ତନ କଲେ ବି ଚିହ୍ନ ପରିବର୍ତ୍ତନ ହୋଇ ନ ଥାଏ, ସେଇ ଶଙ୍ଖା ଓ ସିନ୍ଦୂର ସଧବା ସ୍ତ୍ରୀର ଚିହ୍ନ ହୋଇ ରହିଥାଏ। ସ୍ତ୍ରୀଟିଏ ଯେପରି ତା’ ସିନ୍ଦୂରକୁ ନେଇ ଗର୍ବ କରୁଥାଏ ଠିକ ସେହିପରି ନେତାମାନେ ତାଙ୍କ ଦଳୀୟ ଚିହ୍ନକୁ ନେଇ ଗର୍ବ କରିଥାନ୍ତି। ଖତୁଆ କହିଲା, ଏମିତି ଗୋଟିଏ ଅଘଟଣ କଥା କହୁଛି ଶୁଣ।
ମୁଁ କହିଲି, ଆଜି ଆମେ ତୋତେ ବାଚସ୍ପତି ଆସନରେ ବସେଇଛୁ, ତୁ ଯାହା କହିବୁ ଆମେ ଶୁଣିବୁ। ଖତୁଆ ମୃଦୁ ହସି ଆରମ୍ଭ କଲା, କିଛିଦିନ ତଳେ ସାମାଜିକ ଗଣମାଧ୍ୟମରେ ଦେଖିବାକୁ ମିଳିଲା ଯେ- କିଏ ଲେଖିଲା “ହାତ ମୋ ଗର୍ବ ଏବଂ ଆମ ମୁଖିଆଙ୍କ ଯୋଗୁଁ ମୁଁ ଗର୍ବିତ।” କିଏ ଲେଖିଲା, “ଶଙ୍ଖ ମୋ ଗର୍ବ, ଆମ ସୁପ୍ରିମୋଙ୍କ ପାଇଁ ମୁଁ ଗର୍ବିତ।” ପୁଣି କିଏ ଲେଖିଲା, “ପଦ୍ମ ଫୁଲ ମୋ ଗର୍ବ, ପ୍ରିୟ ପ୍ରଧାନମନ୍ତ୍ରୀଙ୍କ ପାଇଁ ମୁଁ ଗର୍ବିତ।” ଏଇ ଗର୍ବ ଓ ଗର୍ବିତ ଲେଖା ପାଇଁ ରତନା ସେଠୀ ତା’ ସ୍ତ୍ରୀକୁ ଛାଡ଼ପତ୍ର ଦେଇଛି। ଦେବନି କେମିତି କହିଲେ? ରତନା ସ୍ତ୍ରୀ ଫେସ୍ବୁକରେ ଲେଖିଛି, ଆମ ସୁପ୍ରିମୋଙ୍କ ପାଇଁ ମୁଁ (ଗର୍ବିତ ଜାଗାରେ) ଗର୍ଭିତ।
ନିର୍ବାଚନ ଚିହ୍ନର କରାମତି
ପଞ୍ଚାୟତ ନିର୍ବାଚନ ସମୟର କଥା, ସରପଞ୍ଚ ପ୍ରାର୍ଥୀ ପଦିଆର ମାଛ ଚିହ୍ନ ହୋଇଥିବାରୁ ପଦିଆ ଏବଂ ତା’ ସମର୍ଥକ ପୂର୍ବ ଦିନ ରାତିରେ ଭୋଟରଙ୍କ ଚାଳରେ ଗୋଟେ ଗୋଟେ ମାଛ ଟାଙ୍ଗିଦେଇ ଆସିଲେ। ଏକଥା ବିପକ୍ଷ ସରପଞ୍ଚ ପ୍ରାର୍ଥୀ ମୋଟାବୁଦ୍ଧିଆ ପରିଆ ଶୁଣିଲା, ତାର ନିର୍ବାଚନ ଚିହ୍ନ ଜଳନ୍ତା ମଶାଲ ହୋଇଥିବାରୁ ପରିଆ ଏବଂ ତା’ ସମର୍ଥକ ନିର୍ବାଚନ ପୂର୍ବ ଦିନ ରାତିରେ ଭୋଟରଙ୍କ ଚାଳରେ ଗୋଟେ ଗୋଟେ ମଶାଲ ଗେଞ୍ଜି ଦେଇଆସିଲେ। ଚାହୁଁ ଚାହୁଁ ଗାଁଟା ସାରା ଜଳିବାକୁ ଲାଗିଲା। ଗାଁ ଲୋକଙ୍କ ଅଭିଯୋଗରେ ପୁଲିସ ପରିଆ ଏବଂ ତା’ ସମର୍ଥକଙ୍କୁ ଗିରଫ କରି କୋର୍ଟ ଚାଲାଣ କଲା।
ସେହି ପଞ୍ଚାୟତ ନିର୍ବାଚନ ସମୟର ଆଉ ଏକ ଘଟଣା ଆମ୍ଭ କର୍ଣ୍ଣରେ ପଡ଼ିଥିଲା, ନାରଣର ଚିହ୍ନ ଥିଲା ଡଙ୍ଗା। ତେଣୁ ନିର୍ବାଚନ ଶୋଭାଯାତ୍ରାରେ ନାରଣ ଗୋଟିଏ ସୁସଜ୍ଜିତ ଗାଡ଼ିରେ ଡଙ୍ଗାରେ ବସି ଶୋଭାଯାତ୍ରା କରିବା କଥା ଶୁଣି ବିପକ୍ଷ ପ୍ରାର୍ଥୀ ମୋଟାବୁଦ୍ଧିଆ ଚଗଲା ସୁସଜ୍ଜିତ ଗାଡ଼ିରେ ତା ନିର୍ବାଚନ ଚିହ୍ନରେ ବସିଚି ତ ଏଭଳି ଅଭାବନୀୟ ଘଟଣା ଘଟିଲା ଯେ ତାକୁ ସାଙ୍ଗେ ସାଙ୍ଗେ ସମର୍ଥକ ମାନେ ୧୦୮ ଆମ୍ବୁଲାନ୍ସରେ ଡାକ୍ତରଖାନା ନେଇଗଲେ। ସେ ଛମାସ ବେଡ଼ରେ ପଡ଼ି ରହିଲା। ବୁଝୁ ବୁଝୁ ଜଣାଗଲା ତା ନିର୍ବାଚନ ଚିହ୍ନ ଥିଲା ଖଣ୍ଡା। ନିର୍ବାଚନ ଚିହ୍ନ ଖଣ୍ଡା ନାଁ ଶୁଣି ଆମେ ସବୁ ହତବାକ୍ ହୋଇ ଖତୁଆ ମୁହଁକୁ ଚାହିଁଥିଲୁ।
ସେଦିନ ଆମ ଖଟିରେ ହାସ୍ୟରୋଳ ସୃଷ୍ଟି କରିଥିବାରୁ ଚା’ ଦୋକାନୀ ଟୁଲୁକୁ ମୋ ତରଫରୁ ଖତୁଆକୁ ଆଉଗୋଟେ ଚା’ ଦେବାପାଇଁ କହିଲି। ମୁଁ ପଚାରିଲି, କହିଲୁ ଖତୁଆ ଯଦି “ଶଙ୍ଖା ସିନ୍ଦୂର” ଜଣେ ବିବାହିତା ମହିଳାଙ୍କ ସଂକେତ ତେବେ ଜଣେ ପୁରୁଷ ବିବାହ କରିଛି ବୋଲି ଆମେ କିପରି ଜାଣିବା? ଖତୁଆ କହିଲା ଏଇ କଥା, ଯେଉଁ ପୁରୁଷକୁ ଦେଖିବ ପରିବା ବଜାରରେ ପରିବା ବ୍ୟାଗ ଧରି ଦୋକାନରୁ ପରିବା ବାଛି ବାଛି ଆଣୁଥିବ ଜାଣିବ ସିଏ ବିବାହିତ ଆଉ ଯିଏ ଗାଡ଼ିରେ ବସି ପରିବାବାଲାକୁ ପରିବା ଦେବା ପାଇଁ କୁହେ ସେ ଅବିବାହିତ। ଯେଉଁ ପୁରୁଷ ଅଫିସରେ ଡେରିରେ ପହଞ୍ଚେ ଆଉ ଅଫିସରୁ ଶୀଘ୍ର ବାହାରି ଘରକୁ ଫେରିଆସୁଥିବ, ମେଳା ମହୋତ୍ସବରେ ଛୁଆକୁ କାଖେଇ ବୁଲୁଥିବ ଜାଣିବ ସେ ବିବାହିତ। ପ୍ରତି କଥାରେ ଯିଏ କୁହେ ମୁଁ ଘରେ ବୁଝିକି କହିବି, ଜାଣିବ ସେ ବି ବିବାହିତ। ଆଉ ମଧ୍ୟ ଯେଉଁ ପୁରୁଷ ମୁହଁ ଶୁଖିଯାଇଥିବ, କାରଣ ନ ଥାଇ ସହକର୍ମୀଙ୍କ ଉପରେ ଚିଡ଼ଚିଡ଼ା ଭାବ ପ୍ରକଟ କରୁଥିବ, ସବୁବେଳେ ଅନ୍ୟମନସ୍କ ରହୁଥିବ, ଅନ୍ୟ ସ୍ତ୍ରୀମାନଙ୍କ ସହିତ ଭଲରେ ମିଳାମିଶା କରୁଥିବ ଜାଣିବ ସିଏ ବିବାହିତ, ବେଳେ ବେଳେ ଏହି ଘଟଣା ପୋଖତ ପ୍ରେମିକମାନଙ୍କ କ୍ଷେତ୍ରରେ ଘଟିଥାଏ। ପୋଖତ ପ୍ରେମିକ ଆଉ ବିବାହିତ ପୁରୁଷଙ୍କ ଲକ୍ଷଣ ପ୍ରାୟତଃ ସମାନ ହୋଇଥାଏ। ମୁଁ କହିଲି, ବୁଝିଲୁ ଖତୁଆ ତୋର ଆଜିର ଏଇ “ଗବେଷଣାତ୍ମକ ପ୍ରବଚନ” ଆଗାମୀ ଭବିଷ୍ୟତ ପାଇଁ କାମରେ ଆସିବ। ଖତୁଆ କହିଲା ଇଏ ଗବେଷଣା ନୁହେଁ “ଫବେଷଣା ପ୍ରବଚନ”। ଖତୁଆର ଏଇ କଥା ଶୁଣି ସମସ୍ତ ଖଟିଆ ଠୋ ଠୋ ହୋଇ ହସିଲେ। ସେଦିନ ଖଟିକୁ ସେଇଠି ସମାପ୍ତ କରି ଘରକୁ ଫେରିଲୁ।
( ‘ସାହିତ୍ୟ ଚର୍ଚ୍ଚା ’ ପତ୍ରିକାର ନଭେମ୍ବର , ୨୦୨୩ ସଂଖ୍ୟାରେ ପ୍ରକାଶିତ । )
ଡ଼. ଧର୍ମଛଡ଼ାଙ୍କ ଫବେଷଣା ଶୀର୍ଷକ ବ୍ୟଙ୍ଗ ରଚନା ଅତ୍ୟନ୍ତ ଆନନ୍ଦ ପ୍ରଦାନ କଲା। ବିଶେଷକରି ବରକୁ କ୍ୟାବିନେଟ୍ ମନ୍ତ୍ରୀ ସହ ତୁଳନା ଆଉ ନିର୍ବାଚନୀ ଚିହ୍ନର କରାମତିରୁ ଆମେ ସାଧାରଣ ଜୀବନରେ ନିଶ୍ଚିନ୍ତ କିଛି ଶିଖିବା କଥା।