ଭଞ୍ଜଙ୍କ ସହିତ ରମାକାନ୍ତ ରଥଙ୍କୁ ଏକସଙ୍ଗରେ ରଖି ତଉଲିବା ଉଚିତ ହେବ ନାହିଁ।
ବିଶିଷ୍ଟ କବି ଡ. ସୌଭାଗ୍ୟ କୁମାର ମିଶ୍ର ଓଡ଼ିଆ କବିତାରେ ଆଧୁନିକ ଯୁଗର ଅନ୍ୟତମ ଅଗ୍ରଦୂତ ଭାବରେ ସୁପରିଚିତ। ୧୯୪୧ ମସିହାରେ ଜନ୍ମିତ ଡ. ମିଶ୍ର ବୃତ୍ତିରେ ଥିଲେ ଜଣେ ଅଧ୍ୟାପକ, ଏବଂ ୨୦୦୧ ମସିହାରେ ବ୍ରହ୍ମପୁର ବିଶ୍ୱବିଦ୍ୟାଳୟର ଇଂରାଜୀ ବିଭାଗର ପ୍ରଫେସର ତଥା ବିଭାଗାଧ୍ୟକ୍ଷ ପଦରେ ଥାଇ ସେବାନିବୃତ୍ତ ହୋଇଥିଲେ। ସେ କେନ୍ଦ୍ର ସାହିତ୍ୟ ଏକାଡେମୀ ପୁରସ୍କାର, ଓଡ଼ିଶା ସାହିତ୍ୟ ଏକାଡ଼େମୀ ପୁରସ୍କାର ତଥା ସମ୍ବଲପୁର ବିଶ୍ୱବିଦ୍ୟାଳୟର ଗଙ୍ଗାଧର ଜାତୀୟ ସମ୍ମାନ ଭଳି ବହୁ ମର୍ଯ୍ୟାଦାଜନକ ସମ୍ମାନରେ ବିଭୂଷିତ ହୋଇଛନ୍ତି। ଏଯାବତ୍ ତାଙ୍କର ପ୍ରାୟ ୧୫ ଗୋଟି କବିତା ସଂକଳନ ପ୍ରକାଶିତ ହୋଇ ପାଠକାଦୃତ ହୋଇଛି। ତାଙ୍କର ବାସଭବନରେ ତାଙ୍କ ସହିତ ସାକ୍ଷାତ କରିଥିଲେ ‘ସାହିତ୍ୟ ଚର୍ଚ୍ଚା’ର ସମ୍ପାଦକ ନିହାର ଶତପଥୀ।
ସାହିତ୍ୟ ଚର୍ଚ୍ଚା: ଶୁଣିଛୁ ଯେ ଆପଣ ପ୍ରାଥମିକ ସ୍କୁଲରେ କେବେ ହେଁ ନ ପଢ଼ି, ସିଧାସଳଖ ହାଇସ୍କୁଲ୍ରେ ନାମ ଲେଖାଇଥିଲେ। ଏହା କିଭଳି ସମ୍ଭବ ହେଲା?
ସୌଭାଗ୍ୟ କୁମାର ମିଶ୍ର: ପ୍ରାଥମିକ ବିଦ୍ୟାଳୟରେ କାହିଁକି ପଢ଼ି ନ ଥିଲି ସେକଥା ଏବେ କହିପାରିବିନି, କାରଣ ସେ ସମୟରେ ସେଇଟା ସେତେ ଗୁରୁତ୍ୱପୂର୍ଣ୍ଣ ନ ଥିଲା। ମୋ’ ବାପା ଶିକ୍ଷା ବିଭାଗରେ ଚାକିରି କରୁଥିଲେ; କିନ୍ତୁ ମୁଁ ଘରେ ରହି ଯାହା ପଢ଼ିବା କଥା ପଢ଼ୁଥିଲି।
ସାହିତ୍ୟ ଚର୍ଚ୍ଚା: ତେବେ ସେଇ ବାଳୁତ କାଳରେ ପାଠପଢ଼ା ଛଡ଼ା କିଛି ଅନ୍ୟ ଆଗ୍ରହରେ ବୋଧହୁଏ ଆପଣ ବ୍ୟାପୃତ ହୋଇଯାଇଥିବେ।
ସୌଭାଗ୍ୟ କୁମାର ମିଶ୍ର: ହଁ, ସେତେବେଳେ ଆମେ ବର୍ଷେ ଖଣ୍ଡେ ଗଞ୍ଜାମର କୁଲାଡ଼ ପାଖରେ ଥିବା ଗୋଟିଏ ବ୍ରାହ୍ମଣ ଶାସନରେ ରହୁଥିଲୁ। ମୋ ବାପା ବହୁତ ସଂଗୀତପ୍ରିୟ ଥିଲେ। ତେଣୁ ମୁଁ ସଂଗୀତ ଚର୍ଚ୍ଚାରେ ଲିପ୍ତ ହୋଇପଡ଼ିଲି।
ସାହିତ୍ୟ ଚର୍ଚ୍ଚା: ତେବେ ସଂଗୀତ କ’ଣ ବିଧିବଦ୍ଧ ଭାବରେ ଶିଖୁଥିଲେ?
ସୌଭାଗ୍ୟ କୁମାର ମିଶ୍ର: ହଁ, ଜଣେ ସଂଗୀତ ଶିକ୍ଷକ ଘରକୁ ଆସି ମୋତେ ଏଥିରେ ତାଲିମ ଦେଉଥିଲେ।
ସାହିତ୍ୟ ଚର୍ଚ୍ଚା: ପୁଣି ହାଇସ୍କୁଲ୍କୁ ଗଲେ କେମିତି?
ସୌଭାଗ୍ୟ କୁମାର ମିଶ୍ର: ଗୋଟିଏ ପ୍ରବେଶିକା ପରୀକ୍ଷା ଦେଇ ମୁଁ ସିଧାସଳଖ ବେଲଗୁଣ୍ଠା ହାଇସ୍କୁଲରେ ନାମ ଲେଖାଇଲି।
ସାହିତ୍ୟ ଚର୍ଚ୍ଚା: ସେତେବେଳେ ବୋଧହୁଏ ହାଇସ୍କୁଲ୍ରେ ନାମ ଲେଖାଇବା ପାଇଁ ସିଧାସଳଖ ଏମିତି ଏକ ପରୀକ୍ଷାର ବ୍ୟବସ୍ଥା ମଧ୍ୟ ଥିଲା!
ସୌଭାଗ୍ୟ କୁମାର ମିଶ୍ର: ହଁ, ସେତେବେଳେ ଏ ବ୍ୟବସ୍ଥା ଥିଲା।
ସାହିତ୍ୟ ଚର୍ଚ୍ଚା: ଆଉ ମଧ୍ୟ ଶୁଣିଛୁ ଯେ ପିଲାଦିନେ ଆପଣ କୁଆଡ଼େ ପାରମ୍ପରିକ ଛାନ୍ଦ, ଚମ୍ପୂ ଓ ଚଉପଦୀ ଆଦିର ଭକ୍ତ ହୋଇସାରିଥିଲେ। ଏଥିପାଇଁ ପ୍ରେରଣା କେଉଁଠୁ ପାଇଲେ?
ସୌଭାଗ୍ୟ କୁମାର ମିଶ୍ର: ସ୍କୁଲରେ ମୋ’ର ଜଣେ ପ୍ରିୟ ସାଙ୍ଗ ଥିଲେ, ଯେ କି ଆମର ଉପର ଶ୍ରେଣୀରେ ପଢ଼ୁଥିଲେ। ସେ ସେହି ବୟସରେ ମଧ୍ୟ ଭଞ୍ଜ ଓ କବିସୂର୍ଯ୍ୟଙ୍କ ସାହିତ୍ୟରେ ଭାରି ଧୂରୀଣ ଥିଲେ। କବିସୂର୍ଯ୍ୟ ଓ ଅନ୍ୟମାନଙ୍କର ଗ୍ରନ୍ଥାବଳୀ ଆମ ଘରେ ଥିଲା। ବାପା ସେଥିରୁ କିଛି କିଛି ଆମକୁ ପଢ଼ାଉଥିଲେ। ଏହି କାରଣରୁ କାବ୍ୟ କବିତାର ପାରମ୍ପରିକ ଛନ୍ଦ ଓ ଆଳଙ୍କାରିକତା ପ୍ରତି ମୋ’ର ଆକର୍ଷଣ ବଢ଼ିଲା।
ସାହିତ୍ୟ ଚର୍ଚ୍ଚା: ପାରମ୍ପରିକ ଛନ୍ଦୋବଦ୍ଧ କବିତାର ଏଭଳି ଏକ ପରିବେଶରେ ବଢ଼ିଥିବା ସତ୍ତ୍ୱେ, ପରବର୍ତ୍ତୀ ସମୟରେ ଯେତେବେଳେ ଆପଣ ଆଧୁନିକ କବିତାର ଦୁନିଆରେ ପାଦ ଦେଲେ, ସେତେବେଳେ ତାହାର ଲଗାମଛଡ଼ା ଶୈଳୀ ସହିତ ପୁଣି ସାଲିସ୍ କଲେ କିପରି?
ସୌଭାଗ୍ୟ କୁମାର ମିଶ୍ର: ପାରମ୍ପରିକ ଛନ୍ଦୋବଦ୍ଧ ଧାରାରେ ହିଁ ମୁଁ ପିଲାଦିନେ କବିତା ଲେଖିବା ଆରମ୍ଭ କରିଥିଲି। ମୁଁ ଚୋଖୀ ଓ ବଙ୍ଗଳାଶ୍ରୀ ରାଗରେ ‘ଖଲ୍ଲିକୋଟ’ ବୋଲି ସେତେବେଳେ ଗୋଟିଏ କାବ୍ୟ ଲେଖିସାରିଥିଲି, ଅବଶ୍ୟ ସେଇଟି ଛପା ହୋଇ ନ ଥିଲା, ଏକ ହାତଲେଖା ଆକାରରେ ଥିଲା। ସେତେବେଳକୁ ଆମ ସ୍କୁଲରେ ବୃନ୍ଦାବନ ପାତ୍ର ମୋ’ର ଶିକ୍ଷକ ଥିଲେ। ସେ ସେହି ଲେଖା ଦେଖି କହିଲେ, ତୁ ଏମିତି କ’ଣ ଲେଖୁଛୁ? ଆଧୁନିକ କବିତା ଲେଖ୍।
ସାହିତ୍ୟ ଚର୍ଚ୍ଚା: ତାଙ୍କର ଏହି କଥା ବୋଧହୁଏ ଆଧୁନିକ କବିତା ପ୍ରତି ଆପଣଙ୍କ ମନରେ ଉତ୍ସୁକତା ଜଗାଇଥିବ।
ସୌଭାଗ୍ୟ କୁମାର ମିଶ୍ର: ହଁ, ସେତେବେଳେ ମୁଁ ତା’ଙ୍କୁ ପଚାରିଥିଲି ଯେ କେମିତି ହେବ ସେଇଟା! ସେ କହିଲେ, “ମୁଁ ତୋତେ କିଛି ପୁରୁଣା ‘ଆସନ୍ତାକାଲି’ ଦେବି। ସେଥିରେ ଥିବା କବିତା ସବୁ ପଢ଼ିଲେ ଜାଣିପାରିବୁ ଆଧୁନିକ କବିତା କେମିତି ଲେଖାଯାଏ।”
ସାହିତ୍ୟ ଚର୍ଚ୍ଚା: ତେବେ ଇଏ ହେଉଛି ଆଧୁନିକ କବିତା ଜଗତରେ ଆପଣଙ୍କର ପାଦ ଥାପିବାର ଗୁମର। କିନ୍ତୁ ମନେହୁଏ ପିଲାଦିନେ ଆପଣଙ୍କ ଜୀବନରେ ପଡ଼ିଥିବା ପାରମ୍ପରିକ ଶୈଳୀର ପ୍ରଭାବକୁ ଆପଣ ମନରୁ ସମ୍ପୂର୍ଣ୍ଣ ପୋଛିଦେଇ ପାରି ନ ଥିବେ।
ସୌଭାଗ୍ୟ କୁମାର ମିଶ୍ର: ତା’ର ବହୁ ବର୍ଷ ପରେ ଯେତେବେଳେ ମୋ’ର କେତୋଟି କବିତା ସଂକଳନ ପ୍ରକାଶ ପାଇଲା ଜୀବନାନନ୍ଦ ପାଣି ମୋ’ କବିତାର ସମୀକ୍ଷା କରିବାକୁ ଯାଇ ଲେଖିଲେ ଯେ କବିସୂର୍ଯ୍ୟଙ୍କ ଭାଷାଚାତୁରୀ ଓ ମୋ ଭାଷାଚାତୁରୀ ମଧ୍ୟରେ ସାମଞ୍ଜସ୍ୟ ଅଛି।
ସାହିତ୍ୟ ଚର୍ଚ୍ଚା: ଆପଣ କ’ଣ ତାଙ୍କର ଏହି ଟିପ୍ପଣୀ ସହ ଏକମତ?
ସୌଭାଗ୍ୟ କୁମାର ମିଶ୍ର: ହଁ, ଏହା ମୁଁ ନିଜେ ବି ଅନୁଭବ କରିପାରିଥିଲି।
ସାହିତ୍ୟ ଚର୍ଚ୍ଚା: ତେବେ ଆପଣ ନିଜ କବିତାର ଏହି ଦୁଇଟି ବିପରୀତମୁଖୀ ଧାରା ମଧ୍ୟରେ ସମନ୍ୱୟ ଆଣିବା ପାଇଁ କିପରି ସମର୍ଥ ହେଲେ?
ସୌଭାଗ୍ୟ କୁମାର ମିଶ୍ର: ଦେଖନ୍ତୁ, କବିତାରେ ଭାଷାର ବ୍ୟବହାର କ’ଣ ହୁଏ, କେମିତି ହୁଏ, ସେସବୁ ତ ମୁଁ ଶିଖିଲି କବିସୂର୍ଯ୍ୟଙ୍କଠାରୁ। ତେଣୁ ସେଇଟି ହେଉଛି ମୂଳଦୁଆ।
ସାହିତ୍ୟ ଚର୍ଚ୍ଚା: ତେବେ ତାହାକୁ ସମକାଳୀନ କବିତାର ଛାଞ୍ଚରେ ପରିସ୍ଫୁଟ କଲେ କେମିତି?
ସୌଭାଗ୍ୟ କୁମାର ମିଶ୍ର: ଓଡ଼ିଆ ଆଧୁନିକ କବିତା ଯେ ଛନ୍ଦରୁ ଏକବାରେ ବିଚ୍ଛିନ୍ନ ସେକଥା ନୁହେଁ। ଏହି କବିତାର ଭାବ ବିନ୍ୟାସରେ ମଧ୍ୟ ଗୋଟିଏ ଅନ୍ତରୀଣ ଛନ୍ଦ ଅଛି। ଏଣୁ ମୁଁ କବିତାର ପାରମ୍ପରିକ ଅବଧାରଣାକୁ ଆଧୁନିକ କବିତାର ଧାରା ସହିତ ତାଳ ଦେଇ ପରିବେଷଣ କରିବାରେ କିଛି ଅସୁବିଧା ଅନୁଭବ କଲି ନାହିଁ।
ସାହିତ୍ୟ ଚର୍ଚ୍ଚା: ଆଜିର ପରିବେଶରେ ଠିଆହୋଇ ଆପଣଙ୍କର କ’ଣ ମନେହୁଏନି ଯେ ଆମର ପାରମ୍ପରିକ କାବ୍ୟ କବିତାର ଆଳଙ୍କାରିକତା ଓ ଗରିମା ସହିତ ତୁଳନା କଲେ ଆଧୁନିକ କବିତାର ସେମିତି କିଛି ମହତ୍ତ୍ୱ ନାହଁ?
ସୌଭାଗ୍ୟ କୁମାର ମିଶ୍ର: ଦେଖନ୍ତୁ, ସେମିତି ତୁଳନା କରାଯାଇପାରିବ ନାହିଁ। ଭଞ୍ଜଙ୍କ ସହିତ ରମାକାନ୍ତ ରଥଙ୍କୁ ଏକସଙ୍ଗରେ ରଖି ତଉଲିବା ଉଚିତ ହେବ ନାହିଁ। ସେବର ସମୟ ଅନୁସାରେ କାବ୍ୟ ପରମ୍ପରା ଯାହା ଥିଲା, ଆଜି ସେକଥା ନାହିଁ। ଏହା ଏକାନ୍ତ ସ୍ୱାଭାବିକ।
ସାହିତ୍ୟ ଚର୍ଚ୍ଚା: ଆପଣଙ୍କ କଲେଜ ସମୟର ଛାତ୍ର ଜୀବନରେ ପ୍ରଖ୍ୟାତ କବି ଗୁରୁ ମହାନ୍ତି ଆପଣଙ୍କୁ ଇଂରାଜୀ କବି ଟି.ଏସ୍.ଏଲିଅଟ୍ଙ୍କ କବିତା ସହିତ ପରିଚିତ କରାଇଥିଲେ ବୋଲି ଆମେ ଠାଏଁ ପଢ଼ିବାକୁ ପାଇଛୁ। ଏହି ଏଲିଅଟୀୟ କାବ୍ୟସ୍ୱରକୁ ଆପଣ ନିଜର କବିତାରେ ମଧ୍ୟ ପ୍ରୟୋଗ କରିବାକୁ ଚେଷ୍ଟା କରିଥିଲେ କି?
ସୌଭାଗ୍ୟ କୁମାର ମିଶ୍ର: ସଚେତନ ଭାବରେ ଅବଶ୍ୟ ମୁଁ ଏହା କରିନାହିଁ। ମୋ’ର ଫାଷ୍ଟ-ଇଅର୍ ବେଳକୁ ଗୁରୁ ମହାନ୍ତି ମୋତେ କହିଲେ ଯେ ତୁମେ ଏଲିୟଟଙ୍କ ‘ୱେଷ୍ଟ ଲ୍ୟାଣ୍ଡ୍’ ପଢ଼। ମୁଁ କିନ୍ତୁ ପ୍ରଥମେ ତାହା ପଢ଼ି କିଛି ବୁଝିପାରିଲି ନାହିଁ। କିନ୍ତୁ ‘ୱେଷ୍ଟ ଲ୍ୟାଣ୍ଡ’ର ରିଦମ୍ ମୋତେ ଅତି ପ୍ରଭାବିତ କଲା। ଏହାଛଡ଼ା ସେଥିରେ ଥିବା କଥିତ ଭାଷାର ଶୈଳୀ ମଧ୍ୟ ମୋତେ ଛୁଇଁଥିଲା। ତାଙ୍କର କବିତାରେ ଥିବା ନୈରାଶ୍ୟବାଦ ମଧ୍ୟ ମୋର ପ୍ରଥମ କିଛି କବିତାକୁ ପ୍ରଭାବିତ କରିଛି।
ସାହିତ୍ୟ ଚର୍ଚ୍ଚା: ନୈରାଶ୍ୟବାଦର କଥା ଆପଣ ଯାହା କହିଲେ ସେହି ଦିଗଟିକୁ ବିଚାର କଲେ, କବିତାରେ ଆପଣ ଯେତେବେଳେ ମାନବୀୟ ଦୁଃଖ ବା ବେଦନାରେ କଥା କହନ୍ତି, ତାହାର ପରିଧି ବାହାରେ ମଧ୍ୟ ସେଥିରେ ଏକ ସକାରାତ୍ମକ ଜୀବନଦୃଷ୍ଟି ଝଲସୁ ଥାଏ। ଆପଣ କ’ଣ ସତରେ ଭାବନ୍ତି ଯେ ଦୁଃଖ ଓ ବେଦନା ମଣିଷ ଜୀବନର ଶେଷ କଥା ନୁହେଁ?
ସୌଭାଗ୍ୟ କୁମାର ମିଶ୍ର: ହଁ, ସେମିତି। କିନ୍ତୁ ମୁଁ ନୈରାଶ୍ୟବାଦୀ କବି ନୁହେଁ। ମୋ’ର ‘ଅଷ୍ଟଜହ୍ନର ଏଲିଜି’ରେ ଏହାର ସ୍ପଷ୍ଟ ଚିତ୍ର ଆପଣ ପାଇପାରିବେ।
ସାହିତ୍ୟ ଚର୍ଚ୍ଚା: ୧୯୭୦ ଦଶକ ବେଳକୁ ଆପଣ ଆଧୁନିକ ଓଡ଼ିଆ କାବ୍ୟ ଜଗତରେ ଏକ ପ୍ରମୁଖ ସ୍ୱର ଭାବରେ ନିଜକୁ ସ୍ଥାପିତ କରିସାରିଥିଲେ। ଅଥଚ ସେତେବେଳର କାବ୍ୟଧାରାରେ ସମ୍ପୂର୍ଣ୍ଣ ଭାବରେ ସାମିଲ୍ ନ ହୋଇ ଆପଣ ଏକ ବ୍ୟତିକ୍ରମୀ ନୀତି ଆପଣାଇବାକୁ ଚେଷ୍ଟା କରିଥିଲେ, ବୋଧହୁଏ।
ସୌଭାଗ୍ୟ କୁମାର ମିଶ୍ର: ମୁଁ ସବୁବେଳେ ନିଜର ଏକ ଶୈଳୀ ତିଆରି କରିବାକୁ ଚେଷ୍ଟା କରିଥିଲି ଏବଂ କଲି ମଧ୍ୟ। ଯେଉଁ ଦୁଇଜଣଙ୍କ ଦ୍ୱାରା ମୁଁ ବେଶି ପ୍ରଭାବିତ ହୋଇଥିଲି, ସେମାନେ ହେଲେ ଗୁରୁ ମହାନ୍ତି ଓ ରମାକାନ୍ତ ରଥ। ମୋ’ର ଦ୍ୱିତୀୟ କବିତା ବହିଟିରେ ଆପଣ ଠଉରାଇପାରିବେ ଯେ ପ୍ରଥମ ବହିଠାରୁ ଏହା ଏକ ଭିନ୍ନ ମୋଡ଼ ନେଇଛି।
ସାହିତ୍ୟ ଚର୍ଚ୍ଚା: ଆପଣ ‘ମଧ୍ୟପଦଲୋପୀ’ କବିତା ସଂକଳନର କଥା କହୁଛନ୍ତି!
ସୌଭାଗ୍ୟ କୁମାର ମିଶ୍ର: ହଁ ଏଥିରେ ମୁଁ ‘ଆତ୍ମନେପଦୀ’ର ଶୈଳୀରୁ ବିଚ୍ୟୁତ ହେବାପାଇଁ ଚେଷ୍ଟା କରିଛି। ମୁଁ ଚାହୁଁଥିଲି, କିଛି ଗୋଟିଏ ନୂଆ କରିବାପାଇଁ।
ସାହିତ୍ୟ ଚର୍ଚ୍ଚା: ଆପଣଙ୍କ ପ୍ରଥମ ପୁସ୍ତକ ‘ଆତ୍ମନେପଦୀ’ରେ ଆମର ଦୃଷ୍ଟିକୁ ଆସେ ପ୍ରକୃତିର ଏକ ସରଳ ଓ ଛନ୍ଦାୟିତ ଉପସ୍ଥାପନା, ଯେମିତି, “ଆକାଶ ଉଡ଼ାଏ ତା’ର ବନାରସୀ ଶାଢ଼ିର ପଣତ”। ଏସବୁ ପଢ଼ିଲେ ମନେହୁଏ ଯେମିତି ଆପଣ ଆଧୁନିକ ଯୁଗରେ ନାହାନ୍ତି, ବରଂ ଅଛନ୍ତି ତାହା ପୂର୍ବର ସବୁଜ ଯୁଗରେ।
ସୌଭାଗ୍ୟ କୁମାର ମିଶ୍ର: ଏହା ସବୁଜ ଯୁଗର ଷ୍ଟାଇଲ୍ ମୋଟେ ନୁହେଁ। ସେ ଯୁଗର ଲିରିସିଜମ୍ ତ ଅଲଗା ପ୍ରକାର।
ସାହିତ୍ୟ ଚର୍ଚ୍ଚା: ତେବେ ଆପଣଙ୍କର ଦ୍ୱିତୀୟ କବିତା ସଂକଳନରେ ଆପଣ କ’ଣ ସମକାଳୀନ ଆଧୁନିକତା ସହିତ ତାଳ ଦେବା ଆରମ୍ଭ କଲେ?
ସୌଭାଗ୍ୟ କୁମାର ମିଶ୍ର: ହଁ, ସେମିତି କୁହାଯାଇପାରେ।
ସାହିତ୍ୟ ଚର୍ଚ୍ଚା: ଆଧୁନିକତା ସହିତ ପରମ୍ପରାର ସଙ୍ଗମ ଆପଣଙ୍କର କବିତାର ଆଉ ଏକ ବିଶେଷତ୍ୱ; ଯେମିତିକି ଆପଣ ‘ଗେଣ୍ଡା’ କବିତାରେ ଓଡ଼ିଆ ଭାଗବତରୁ ମଧ୍ୟ ଚେନାଏ ଉଦ୍ଧାର କରିବାକୁ ପଛାଇନାହାନ୍ତି।
ସୌଭାଗ୍ୟ କୁମାର ମିଶ୍ର: ପାରମ୍ପରିକତାକୁ ଆଧୁନିକ ଢଙ୍ଗରେ ପ୍ରୟୋଗ କରିବା ହେଉଛି ଆଧୁନିକ କବିତାର ଏକ ମହତ୍ତ୍ୱପୂର୍ଣ୍ଣ ଦିଗ। ଆମେ କହିପାରିବାନି ଯେ ଟି.ଏସ୍. ଏଲିଅଟ୍ଙ୍କ କବିତାରେ ଜନ୍ ଡନ୍ଙ୍କର ଶୈଳୀର କିଛି ହିଁ ପ୍ରଭାବ ପଡ଼ି ନ ଥିଲା। ସମକାଳୀନ କାବ୍ୟ ଧାରାରେ ପାରମ୍ପରିକତାର ଛାପ ଯେତେ ପ୍ରଚ୍ଛନ୍ନ ଭାବରେ ହେଲେ ବି, ନିଶ୍ଚିତ ଭାବରେ ରହିବ।
ସାହିତ୍ୟ ଚର୍ଚ୍ଚା: ତା’ର ଅର୍ଥ ଏଲିଅଟ୍ ନିଜର ‘ଟ୍ରାଡିସନ୍ ଏଣ୍ଡ ଇଣ୍ଡିଭିଜୁଆଲ୍ ଟ୍ୟାଲେଣ୍ଟ’ ପ୍ରବନ୍ଧରେ ଯାହା କହିଛନ୍ତି, ତାହା ସହିତ ଆପଣ ଏକମତ !
ସୌଭାଗ୍ୟ କୁମାର ମିଶ୍ର: ହଁ, ନିଶ୍ଚୟ। ତେବେ ଓଡ଼ିଆରେ ପାରମ୍ପରିକତା ବୋଲି କହିଦେଲେ ଆମେ ଭାବୁଛେ ଯେ ତାହା ପୁରୁଣାକାଳିଆ। କିନ୍ତୁ ଇଂରାଜୀରେ ‘ଟ୍ରାଡିସନ’ ଶବ୍ଦକୁ ଏକ ବ୍ୟାପକ ଅର୍ଥରେ ବ୍ୟବହାର କରାଯାଏ।
ସାହିତ୍ୟ ଚର୍ଚ୍ଚା: ଏକ ସମୟରେ ଆପଣ ଦେଶ ତଥା ବିଦେଶର ଅନେକ ମଞ୍ଚରେ ଓଡ଼ିଆ କବିତାର ପ୍ରତିନିଧିତ୍ୱ କରିଛନ୍ତି। ବିଶ୍ୱ ସାହିତ୍ୟର ପ୍ରେକ୍ଷାପଟରେ ସେତେବେଳେ ଓଡ଼ିଆ କବିତାର ଯେଉଁ ଛବି ଥିଲା, ସାମ୍ପ୍ରତିକ କାଳରେ ସେଥିରେ କିଛି ଉନ୍ନତି ହୋଇଛି, ନା ଅବନତି?
ସୌଭାଗ୍ୟ କୁମାର ମିଶ୍ର: ଏବେ ଓଡ଼ିଆ କବିତାର ଉନ୍ନତି ହୋଇଛି ବୋଲି ମୋର ବିଶ୍ୱାସ। କିନ୍ତୁ ଆଜିର ସମୟରେ କବିତାକୁ ଗୋଟିଏ ନଭେଲ୍ ଭଳି ଗୁରୁତ୍ୱ ଦେଇ ପଢ଼ାଯାଉନାହିଁ।
ସାହିତ୍ୟ ଚର୍ଚ୍ଚା: ଆପଣ କ’ଣ ଭାବୁଛନ୍ତି ଯେ ଧୀରେ ଧୀରେ ପ୍ରାଚୀନ ଛନ୍ଦ ଏବେ ଆମ କବିତାକୁ ନୂଆ ରୂପରେ ଫେରିଆସୁଛି?
ସୌଭାଗ୍ୟ କୁମାର ମିଶ୍ର: ସେବର ଛନ୍ଦ ଆଉ ଫେରି ଆସିପାରିବ ନାହିଁ। କାରଣ ଯୁବ କବିମାନଙ୍କର ସେଇଟା ପସନ୍ଦ ନୁହେଁ; ସେମାନେ ତାକୁ ଛାଡ଼ି ସାରିଲେଣି। ଉଦାହରଣ ସ୍ୱରୂପ ଗିରିଜା ବଳିଆର ସିଂହ ଅନୁପ୍ରାସ ଲଗେଇ ଯେମିତି କବିତା ଲେଖିଛନ୍ତି, ସେମିତି ତାଙ୍କୁ ଛାଡ଼ି ଆଉ କିଏ କରିଛନ୍ତି?
ସାହିତ୍ୟ ଚର୍ଚ୍ଚା: କବିତା ବ୍ୟତୀତ ସାହିତ୍ୟର ଅନ୍ୟ ବିଭାଗଗୁଡ଼ିକରେ କଲମ ଚାଳନା ପାଇଁ ଆପଣ ଆଗ୍ରହୀ ହୋଇନାହାନ୍ତି କାହିଁକି? ଅବଶ୍ୟ, ‘କଥା ଚାରିପଦ’ରେ ଥିବା ସେଇ ଚାରୋଟି ମାତ୍ର ଗଳ୍ପକୁ ଛାଡ଼ି।
ସୌଭାଗ୍ୟ କୁମାର ମିଶ୍ର: ନାଟକ ତ ମୁଁ ଲେଖେ ନାହଁ। ତେବେ ଉପନ୍ୟାସ ବା ଗଳ୍ପ ଲେଖିବାକୁ ଚେଷ୍ଟା କରୁଥିଲି; ଗଳ୍ପ ଚାରିଟି ଉତୁରିଲା। ବିଭିନ୍ନ ସମୟରେ ଆଲୋଚନାମୂଳକ ପ୍ରବନ୍ଧ ମଧ୍ୟ କିଛି ଲେଖିଛି।
ସାହିତ୍ୟ ଚର୍ଚ୍ଚା: ଆପଣ ନିଜର ସର୍ବଶେଷ କବିତାଟି ଲେଖିବାର ବହୁ ସମୟ ବିତିଗଲାଣି, ବୋଧହୁଏ।
ସୌଭାଗ୍ୟ କୁମାର ମିଶ୍ର: ବର୍ଷେ ଖଣ୍ଡେ ହେବ କିଛି ଲେଖିନାହିଁ।
ସାହିତ୍ୟ ଚର୍ଚ୍ଚା: ଏମିତି କାହିଁକି?
ସୌଭାଗ୍ୟ କୁମାର ମିଶ୍ର: ବିଭିନ୍ନ ସ୍ଥାନକୁ ଯିବାଆସିବାରେ ବ୍ୟସ୍ତ ରହିଲି; ତା’ପରେ ମୋର ଅସୁସ୍ଥତା ମଧ୍ୟ ଆଉ ଏକ କାରଣ।
ସାହିତ୍ୟ ଚର୍ଚ୍ଚା: କିନ୍ତୁ ଏଇ ସମୟ ମଧ୍ୟରେ କିଛି କିଛି କବି-ଭାବ ତ ମନ ଭିତରେ ନିଶ୍ଚୟ ଖେଳୁଥିବ।
ସୌଭାଗ୍ୟ କୁମାର ମିଶ୍ର: ହଁ ଏ ଭିତରେ ତ କବିତାର ଅନେକ ଭାବର ଲହଡ଼ି ମନରେ ସୃଷ୍ଟି ହୋଇଛି, କିନ୍ତୁ ସେଗୁଡ଼ିକର ଗର୍ଭପାତ ହୋଇଗଲା।
ସାହିତ୍ୟ ଚର୍ଚ୍ଚା: ଆଜିର ଏହି ମନୋଜ୍ଞ ଆଲୋଚନାଟି ପାଇଁ ଆପଣଙ୍କୁ ଅନେକ ଧନ୍ୟବାଦ।
(‘ସାହିତ୍ୟ ଚର୍ଚ୍ଚା’ ପତ୍ରିକାର ଡିସେମ୍ବର, ୨୦୨୩ ସଂଖ୍ୟାରେ ପ୍ରକାଶିତ । )
ଏ ସାକ୍ଷାତକାରଟି ବହୁତ ହୃଦୟସ୍ପର୍ଶୀ ହୋଇଛି ।