ଥରେ ଭୁବନେଶ୍ୱର ଆସିଲେ ଟଙ୍କା ତିନିଶହ ଖର୍ଚ୍ଚ। ଆଉ କେତେ ଦୌଡ଼ିବି?
ସୁଧାକର ବାବୁ ନିରୀହ ଭାବରେ ପଚାରିଲେ- ‘ଆଜ୍ଞା, ଆଜି ହେଇଯିବ?’
ପଞ୍ଚାନନ ବାରିକ ପାଲଟା ପ୍ରଶ୍ନ କଲା- ‘ଆଜ୍ଞା ଆଜି ହେଇଯିବ ବୋଲି ମୁଁ କ’ଣ କହିଥିଲି?’
ସୁଧାକରବାବୁ ଥତମତ ହେଲେ- ‘ନାଇଁ ଯେ, ଏତେ ଥର ଦୌଡ଼ିଲିଣି ତ !’
ପଞ୍ଚାନନ ବାରିକ ଏଥର ଚିଡ଼ିଗଲା। ‘ଆପଣ ଆଜ୍ଞା ଏମିତି ବାରମ୍ବାର ଦୌଡ଼ିଲେ କ’ଣ ହେବ? ମୁଁ କ’ଣ ଆପଣଙ୍କୁ ବାରମ୍ବାର ଆସିବାକୁ କହୁଛି। ଫାଇଲପତ୍ର କାମ। କୋଉ ଟେବୁଲରେ ଅଟକିଯାଉଛି, ମୁଁ କ’ଣ କରିବି କହିଲେ? ଆପଣ ଏମିତି ବାରମ୍ବାର ଆସନ୍ତୁନି।’
ସୁଧାକର ବାବୁ କାନ୍ଦୁଣୁମାନ୍ଦୁଣୁ ହେଲେ, ‘କ’ଣ କରିବି ଆଜ୍ଞା। ତିନି ବର୍ଷ ହେଇଗଲା ରିଟାୟାର୍ଡମେଣ୍ଟକୁ। ସର୍ଭିସ୍ ବୁକରେ କ’ଣ ସମସ୍ୟା ରହିଲା ଯେ, ଏଯାଏ ପେନସନ୍ କାମ ହେଇପାରିଲା ନାହିଁ। ଟଙ୍କା କିଛି ମିଳିଥିଲେ ସାନ ଝିଅର ବାହାଘରଟା ସାରିଦେଇଥାନ୍ତି। ତେଣିକି ଯେତିକି ପେନସନ୍ ମିଳୁ ପଛେ, ବିନା ଦକରେ ଚଳିଯାଇଥା’ନ୍ତି।’
ପଞ୍ଚାନନ ନରମ ଗଳାରେ କହିଲା, ‘ସାରେ, ମୁଁ ସବୁକଥା ବୁଝୁଛି ଯେ। ହେଲେ ଫାଇଲ୍ ଗୋଟେ ଗୋଟେ ଟେବୁଲରେ ଅଟକିଯାଉଛି କ’ଣ କରିବା। ଗତଥର ଚିଠି ଯାଇଥିଲା ହେଲେ ଠିକଣା ଭୁଲ୍। ବୁଲିବୁଲି ଫେରିଆସିଲା ସେଥିରେ ଗଲା ମାସେ। ପୁଣି ଅନୁଗୁଳର ସର୍ଭିସ୍ ଟାଇମ୍ଟା ଠିକ୍ ଭାବେ ମେନ୍ସନ୍ ହେଇନି, ସେଟା ଗୋଟେ ଅଡ଼ୁଆ କରୁଛି। ଯାଆନ୍ତୁ ମାସେ ପନ୍ଦର ଦିନ ଛାଡ଼ି ଆସିବେ ଦେଖିବା କ’ଣ ହଉଛି।’
ସୁଧାକର ବାବୁ, ସେମିତି ଖୁଣ୍ଟ ଭଳିଆ ଠିଆ ହୋଇଥା’ନ୍ତି। କ’ଣ ବା କହିବେ। ସେ ଜାଣିପାରୁଥା’ନ୍ତି ପଞ୍ଚାନନ ବାରିକ ତାଙ୍କ ସହ ଖେଳୁଛି, ମୋଟାଅଙ୍କର ଟଙ୍କା ଚାହୁଁଛି। ହେଲେ ତାଙ୍କ ପାଖରେ ଟଙ୍କା କାହିଁ ଯେ ସେ ଦେବେ !
ପଞ୍ଚାନନ ମୁଣ୍ଡ ଟେକି ମୁହଁକୁ ଚାହିଁଲା, ‘ଆପଣ ଆଉ କାଇଁ ଠିଆ ହେଇଛନ୍ତି, ଯାଆନ୍ତୁ।’
ସୁଧାକର କହିଲେ-‘ଥରେ ଭୁବନେଶ୍ୱର ଆସିଲେ ଟଙ୍କା ତିନିଶହ ଖର୍ଚ୍ଚ। ଆଉ କେତେ ଦୌଡ଼ିବି? ଦି’ ମାସ ପରେ ଝିଅ ବାହାଘର। କ’ଣ କରିବି କହୁ ନାହାନ୍ତି।’
ପଞ୍ଚାନନ ନିଜ ସିଟ୍ ଛାଡ଼ି ଉଠିଗଲା, ‘ମୁଁ ଚେଷ୍ଟା କରୁଛି ଆଜ୍ଞା, ହେଲେ ମୋ କଥା କିଏ ବା ଶୁଣିବ। ଆର ଥରକୁ ସବୁଆଡୁ ଭାବିଚିନ୍ତି ଆସନ୍ତୁ। ଆପଣଙ୍କ ଟଙ୍କା ଅତି ଦରକାର, ହେଲେ ଟେବୁଲ୍ର କିଛି ଦରକାର ଅଛି ନା ନାହିଁ? ସେକଥା ମନରେ ରଖି ଆସନ୍ତୁ, ଦେଖିବା କ’ଣ ଗୋଟେ ଫାଇନାଲ୍ କରିବା।’ ସୁଧାକର ବାବୁ ମୁଣ୍ଡକୁ ତଳକୁ ପୋତି ଚାଲିଗଲେ।
ଟାକରା ଫୁଟାଇ ପଞ୍ଚାନନ ବାରିକ କହିଲା, ‘ଜାଣିଲେ ରାଉତବାବୁ, ଏ ଖଦଡ଼ ପିନ୍ଧାଗୁଡ଼ାକ ଭାରି ଚେମେଡ଼ା। ଦେଖୁନ! ଦୁଇବର୍ଷ ଲାଗିଲା ୟା’କୁ ହଲେଇବାକୁ। ଏବେ ନରମ ପଡ଼ିଛି। ଘରକୁ ଗଲେ ଘରେ ପରିବାର ଲୋକେ ବହେ ଗାଳିଦେବେ। ଠନ୍ ଠନ୍ ଗୋପାଳ ଦେଇ କାମଟା କରିବାକୁ ପରାମର୍ଶ ଦେବେ। ଆର ଥରକୁ ଏ ମନସ୍ଥିର କରି ଆସିବ ନିଶ୍ଚେ, କାମ ଫଇସଲା ହେଇଯିବ। ବୁଢ଼ାକୁ ୫/ ୭ଲକ୍ଷ ମିଳିଯିବ, ଝିଅ ବାହାଘର କରିବ। ମୋ ଝିଅ ବାହାଘର ପାଇଁ ଅତିକମରେ ଡବଲ୍ ଡୋର୍ ଫ୍ରିଜ୍ଟେ ୟା’ଠାରୁ ଆଦାୟ କରିବି କି ନାହିଁ..?’
(‘ସାହିତ୍ୟ ଚର୍ଚ୍ଚା’ ପତ୍ରିକାର ସେପ୍ଟେମ୍ବର,୨୦୨୨ ସଂଖ୍ୟାରେ ପ୍ରକାଶିତ। )
ଖଦଡ଼ପିନ୍ଧାମାନଙ୍କୁ ତ ଆଣ୍ଠେଇ ପକାଉଛନ୍ତି, ଆଉ ବେଖଦଡ଼ ମାନଙ୍କର ଔକାତ କେତେ। ସୁନ୍ଦର ଗଳ୍ପ।
ଗଳ୍ଫଟି ସାମ୍ପ୍ରତିକ ସମୟକୁ ନେଇ ଯଥୋଚିତ ହୋଇଛି। କିନ୍ତୁ ଗଳ୍ଫର ଶୀର୍ଷକ ସହିତ ଗଳ୍ପର ବିଷୟ ଟିକେ ବେଖାପ ଭଳି ଲାଗୁଛି। ସେ ଯାହା ହେଉ ୫ଟି ଯୁଗରେ ଏଭଳି ମଧ୍ୟ ହେଉଛି ଏହା ବୋଧ ହୁଏ ୫ଟି ମୁଖିଆ ବା ତାଙ୍କ ମୁଖିଆ ଜାଣି ନଥିବେ। ନଚେତ୍ ସ୍ଥିତି ବଦଳିବ ବୋଲି ଆଶା କରାଯାଇପାରେ।