ବରିଷ୍ଠ କଥାକାର ସତ୍ୟ ମିଶ୍ରଙ୍କ ସହିତ ଅନ୍ତରଙ୍ଗ ଆଳାପ 

ଯେତିକି ଗଳ୍ପର ଭାବ ମୋ ମସ୍ତିଷ୍କକୁ ଆସୁଛି, ସେତିକି ହିଁ ମୁଁ ଲେଖେ। ଭିଡ଼ି ଓଟାରି ଥିମ୍ ଆଣିବାକୁ ଚେଷ୍ଟା କରେନାହିଁ।

କଥାକାର ସତ୍ୟ ମିଶ୍ର ଓଡ଼ିଆ ସାହିତ୍ୟ ଜଗତରେ ଏକ ସୁପରିଚିତ ନାମ। ୧୯୫୨ ମସିହାରେ ଜନ୍ମିତ ଏହି ସାରସ୍ୱତ ପ୍ରତିଭାଧର ନିଜ ଗଳ୍ପ ସମ୍ଭାରର ନିଆରାପଣ ହେତୁ ବିଶେଷ ଭାବରେ ପାଠକାଦୃତ। ତାଙ୍କର କେତେକ ଅନବଦ୍ୟ ସୃଷ୍ଟି କାଳଜୟୀ ହେବାର କ୍ଷମତା ରଖେ। ଇଂରାଜୀ ସାହିତ୍ୟର ଜଣେ ଅଧ୍ୟାପକ ଭାବରେ ନିଜର ବୃତ୍ତିଗତ ଜୀବନ ଆରମ୍ଭ କରିଥିବା ଶ୍ରୀ ମିଶ୍ର ପରବର୍ତ୍ତୀ କାଳରେ ଇଣ୍ଡିଆନ ଓଭରସିଜ୍ ବ୍ୟାଙ୍କରେ ଜଣେ ଅଧିକାରୀ ଭାବରେ ଯୋଗଦେଇ ବହୁବର୍ଷ ସେବା ପ୍ରଦାନ କରିବା ଉପରାନ୍ତେ, ୨୦୧୨ ମସିହାରେ ଜେନେରାଲ ମ୍ୟାନେଜର ପଦରେ ଥାଇ ସେବାନିବୃତ୍ତ ହୋଇଥିଲେ। ଉତ୍ତର ଜୀବନରେ ଏବେ ମଧ୍ୟ ସେ ସକ୍ରିୟ ଭାବରେ ରଚନା ପ୍ରବଣ। ତାଙ୍କ ସହିତ ବାର୍ତ୍ତାଳାପ କରିଥିଲେ ‘ସାହିତ୍ୟ ଚର୍ଚ୍ଚା‘ର ସମ୍ପାଦକ ନିହାର ଶତପଥୀ

ସାହିତ୍ୟ ଚର୍ଚ୍ଚା: ଏଇମାତ୍ର ଆପଣଙ୍କର ସୁପ୍ରସିଦ୍ଧ ଗଳ୍ପ ‘ଯୀଶୁଖ୍ରୀଷ୍ଟ’ଟି ପଢ଼ିବା ପରେ ରକି ନାମକ ମାଙ୍କଡ଼ ଚରିତ୍ରର ଦୁଃଖାନ୍ତକ ଦୁର୍ଦ୍ଦଶାରେ ମ୍ରିୟମାଣ ହୋଇ ମୁଁ ଏଠାକୁ ଆସିଛି। କିନ୍ତୁ ଏ କ’ଣ? ଆପଣ ବାସ୍ତବ ଜୀବନରେ ମଧ୍ୟ ମାଙ୍କଡ଼ଟିଏର ଆକ୍ରମଣରେ ଆହତ ହୋଇ ହାତରେ ପ୍ଲାଷ୍ଟର ବନ୍ଧାଥିବା ଅବସ୍ଥାରେ ବସିଛନ୍ତି ଏଠାରେ !
ସତ୍ୟ ମିଶ୍ର: (ସ୍ମିତ ହସି) ଗତକାଲି ଆମ ଘରର ଛାତ ଉପରେ ଫୁଟିଥିବା ଫୁଲମାନଙ୍କୁ ଲୁଣ୍ଠନକାରୀ ମାଙ୍କଡ଼ମାନଙ୍କ କବଳରୁ ରକ୍ଷା କରିବାପାଇଁ ଆଗେଇ ଯାଇଥିଲି। ଉତ୍ପାତିଆ ମାଙ୍କଡକୁ ‘ଯୀଶୁଖ୍ରୀଷ୍ଟ’ର ଲେଖକଙ୍କ ବିରୁଦ୍ଧରେ ମାଙ୍କଡ଼ ଜାତିର ଆକ୍ରୋଶକୁ ଖଲାସ କରି ପ୍ରତିଶୋଧ ନେବାକୁ ସୁଯୋଗ ମିଳିଲା। ମୁଁ ପଡ଼ିଗଲି ଏବଂ ହାତ ଫ୍ରାକଚର୍ ହୋଇଗଲା।
ସାହିତ୍ୟ ଚର୍ଚ୍ଚା: ଆପଣ କାହିଁକି ମାଙ୍କଡ଼ମାନଙ୍କ ଦ୍ୱାରା ଏତେ ମୋହାବିଷ୍ଟ? ମୁଁ ଆପଣଙ୍କର ‘ଯୀଶୁଖ୍ରୀଷ୍ଟ’ ଗଳ୍ପର କଥା କହୁଛି, ଯେଉଁଥିରେ ପିଟର୍ ଗଳ୍ପର ନାୟକ ହୋଇଥିଲେ ମଧ୍ୟ ଗଳ୍ପର ଥିମ୍‌କୁ ସାକାର କରିଛି ରକି ନାମକ ମାଙ୍କଡଟିଏ।
ସତ୍ୟ ମିଶ୍ର: ମାଙ୍କଡକୁ ଗୋଟିଏ କଉତୁକିଆ ତତ୍ତ୍ୱ ଭାବରେ ମୁଁ ପିଲାଦିନୁ ଧରିନେଇଛି। ସେମାନଙ୍କ ଦ୍ୱାରା ଅପହୃତ ହୋଇଥିବା ଟୋପି ବିଷୟରେ ଗପଟିଏ ସେତେବେଳେ ପଢ଼ିଥିଲି; ଆମେ ସମସ୍ତେ ପଢ଼ିଥିବା, ଆପଣ ମଧ୍ୟ।
ସାହିତ୍ୟ ଚର୍ଚ୍ଚା: ହଁ ପିଲାଦିନେ ପଢ଼ିଛି ସେଇଟି।
ସତ୍ୟ ମିଶ୍ର: ସେଥିରେ ଆମେ ଦେଖିଛେ ଯେ ମାଙ୍କଡ଼ କେତେ ଅନୁକରଣପ୍ରିୟ। ଆଉ ମଧ୍ୟ ଗପଟିଏ ପଢ଼ିଥିବେ ଯେ ବଣରେ କାଠ କାଟୁଥିବା କିଛି ଲୋକ ଯେତେବେଳେ ଭୋଜନ ବିରତି ପାଇଁ ସେ ସ୍ଥାନ ଛାଡ଼ି ଚାଲିଗଲେ, ସେତେବେଳେ ସେଠାରେ ଲୁଚି ରହି ତାଙ୍କର କାର୍ଯ୍ୟକଳାପ ଲକ୍ଷ୍ୟ କରୁଥିବା ମାଙ୍କଡ଼ଟିଏ ସେଠି ପଡ଼ିଥିବା କୁରାଢିଟିକୁ ଧରି କାଠ କାଟିବାକୁ ଲାଗିଲା। ଫଳରେ ତା’ର ଲାଞ୍ଜଟି କଟିଯିବା ହିଁ ଯାହା ସାର ହେଲା।
ସାହିତ୍ୟ ଚର୍ଚ୍ଚା: ଆପଣଙ୍କ ଗଳ୍ପରେ ଥିବା ମାଙ୍କଡ଼ ରକି ମଧ୍ୟ ସେହିଭଳି ନିଜର ମାଲିକଙ୍କୁ ଅନୁକରଣ କରି ତାଙ୍କର ପ୍ରେମିକାକୁ ବଳାତ୍କାର କରିଛି।
ସତ୍ୟ ମିଶ୍ର: ସେଇଟା ମୋ ଗଳ୍ପର ଅନ୍ୟତମ କଥ୍ୟ।
ସାହିତ୍ୟ ଚର୍ଚ୍ଚା: ଆଜି ଆମେ ଭୁବନେଶ୍ୱରର ଏକ କଫି-ସପ୍‌ରେ ବସି ଏହି ଆଲୋଚନା କରୁଛେ। ଇଂରାଜୀ ସାହିତ୍ୟର ଜଣେ ଛାତ୍ର ହିସାବରେ ଆପଣ ଜାଣିଥିବେ ଲେଖକ ଓ କଫିସପ୍ ଭିତରେ ସମ୍ପର୍କର ଇତିହାସ। ଏମିତିକି ଟି.ଏସ୍‌. ଇଲିଅଟ୍ ଥରେ କହିଥିଲେ ଯେ, ‘ଆଇ ହାଭ୍ ମେଜରଡ୍ ଆଉଟ୍ ମାଇ ଲାଇଫ୍ ଉଇଥ୍ କଫି ସ୍ପୁନ୍।’
ସତ୍ୟ ମିଶ୍ର: ହଁ, କଫିହାଉସ୍ ସଂସ୍କୃତିଟା ବହୁକାଳରୁ ଥିଲା। କଲିକତାରେ ମୋର ରହଣି ବେଳେ ଅନେକ କଫିହାଉସକୁ ଯାଇଛି। ସେଇଠି ଏ କଫିହାଉସ୍ କଲଚର୍ ସହିତ ପରିଚିତ ହୋଇପାରିଥିଲି। ସେଠି ବହୁତ୍ ଲେଖକ ଜୁଟନ୍ତି ଯେଉଁମାନେ ସେଠି ବସି ସିଗାରେଟ୍ ଟାଣନ୍ତି, ୟାଡ଼ୁସ୍ୟାଡ଼ୁ ଗୁଲିଖଟି ଗପ କରନ୍ତି, ସାହିତ୍ୟ ଆଲୋଚନା ବି କରନ୍ତି। ଅବଶ୍ୟ ମୁଁ ସେମାନଙ୍କ ସହିତ କେବେ ଯୋଗଦେଇନି। କିନ୍ତୁ ମୁଁ ଲକ୍ଷ୍ୟ କରେ, ସେମାନେ ସେହି ପରିବେଶକୁ କେମିତି ଉପଭୋଗ କରନ୍ତି।

ସାହିତ୍ୟ ଚର୍ଚ୍ଚା: ତେବେ ଆମେ ମଧ୍ୟ ଆଜିର ଏହି ଆଳାପଟିକୁ ଉପଭୋଗ କରିବା। ଆମେ ପାଉ ଯେ, ଆପଣଙ୍କ ଗଳ୍ପ ସଂକଳନଗୁଡ଼ିକର ସଂଖ୍ୟା ହାତଗଣତି। ତଥାପି ଏହି ସୀମିତ ସଂଖ୍ୟକ ଗଳ୍ପ ସମ୍ଭାର ଆପଣଙ୍କୁ ଓଡ଼ିଆ ସାହିତ୍ୟର ଏକ ଉଚ୍ଚ ଆସନରେ ଅଧିଷ୍ଠିତ କରାଇଛି। ଆପଣ ମାପିଚୁପି ଏମିତି ଅଳ୍ପ ଲେଖିବା ପଛର କାରଣ କ’ଣ?
ସତ୍ୟ ମିଶ୍ର: ଅଧିକ ଲେଖିବା ପାଇଁ ମୋ କଲମରେ ବଳ ନାହିଁ, କି ମୁଣ୍ଡରେ ମେଧା ମଧ୍ୟ ନାହିଁ। ତା’ର କାରଣ ଅବଶ୍ୟ ନିର୍ଦ୍ଦିଷ୍ଟ ଭାବରେ କହିହେବ ନାହିଁ। ମୁଁ ଆଗରୁ ବହୁତ ଲେଖୁଥିଲି; କିନ୍ତୁ ଗୋଟିଏ ସମୟ ଆସିଲା, ଲେଖା ପୂରା ଛାଡ଼ିଦେଲି। ସେହି ଟ୍ରାଞ୍ଜିସନଟା କେମିତି ଆସିଲା ସେଇଟା ମୁଖ୍ୟ।
ସାହିତ୍ୟ ଚର୍ଚ୍ଚା: ଆପଣ ବ୍ୟାଙ୍କ୍ ସେବାରେ ଜଣେ ଅଧିକାରୀ ଭାବରେ ଯୋଗଦେବା ପରେ ସେହି ବୃତ୍ତିଟିର ନିରସତା ହୁଏତ ଏହାର କାରଣ ହୋଇଥାଇପାରେ।
ସତ୍ୟ ମିଶ୍ର: ନା, ବ୍ୟାଙ୍କରେ ପଶିବା ଆଗରୁ ହିଁ ମୋର ଲେଖିବା ଟିକିଏ ଧିମେଇ ଯାଇଥିଲା।
ସାହିତ୍ୟ ଚର୍ଚ୍ଚା: ଆପଣଙ୍କ ପ୍ରଥମ ଗଳ୍ପ ସଂକଳନ ପ୍ରକାଶ ପାଇଥିଲା ୧୯୭୩ ମସିହାରେ, ଯେତେବେଳେ କି ଆପଣ ବ୍ୟାଙ୍କରେ ନ ଥିଲେ। ଅଥଚ ପରବର୍ତ୍ତୀ ସଂକଳନ ପ୍ରକାଶିତ ହେଲା ୨୦୧୯ ମସିହାରେ, ଅର୍ଥାତ୍ ୪୬ ବର୍ଷ ପରେ ଯେତେବେଳକୁ ଆପଣ ବ୍ୟାଙ୍କରୁ ଅବସର ନେଇସାରିଥିଲେ। ଅବଶ୍ୟ ଏହା ମଝିରେ କାଁ ଭାଁ କେବେ କେଉଁଠି ପତ୍ରପତ୍ରିକାରେ ଆପଣଙ୍କର କିଛି ରଚନା ପ୍ରକାଶ ପାଇଛି।
ସତ୍ୟ ମିଶ୍ର: କିନ୍ତୁ ମୁଁ କହୁନାହିଁ ଯେ ବ୍ୟାଙ୍କ ଚାକିରିର ପରିବେଶ ଆଉ ସାହିତ୍ୟିକ ସର୍ଜନଶୀଳତା ଭିତରେ ଅହିନକୁଳ ସଂପର୍କ ଅଛି। ସାହିତ୍ୟ ସହିତ ପ୍ରଥମେ ମୋର ସମ୍ପର୍କ ଦୃଢ଼ୀଭୂତ ହେଲା ଯେତେବେଳେ ବ୍ରହ୍ମପୁରରେ ମୋର ସ୍ନାତକ ପଢ଼ା ଶେଷ କରି ମୁଁ ଇଂରାଜୀରେ ଏମ୍‌.ଏ. କରିବାପାଇଁ ସମ୍ବଲପୁର ବିଶ୍ୱବିଦ୍ୟାଳୟକୁ ଗଲି।
ସାହିତ୍ୟ ଚର୍ଚ୍ଚା: ସମ୍ବଲପୁରକୁ କାହିଁକି?
ସତ୍ୟ ମିଶ୍ର: ଆପଣ ଜାଣନ୍ତି ଯେ ଇଂରାଜୀ ସାହିତ୍ୟରେ ପ୍ରଥମ ଶ୍ରେଣୀ ପାଇବା କେତେ କଷ୍ଟକର।
ସାହିତ୍ୟ ଚର୍ଚ୍ଚା: ଇଂରାଜୀ ସାହିତ୍ୟର ଅଧ୍ୟାପକମାନେ ପରୀକ୍ଷାରେ ସହଜରେ ନମ୍ବର ଦିଅନ୍ତି ନାହିଁ, ଏହା ସର୍ବଜଣା।
ସତ୍ୟ ମିଶ୍ର: କିନ୍ତୁ ମୁଁ ଶୁଣିଥିଲି ଯେ କେବଳ ସମ୍ବଲପୁର ବିଶ୍ୱବିଦ୍ୟାଳୟର ଇଂରାଜୀ ବିଭାଗରେ ଦୁଇଟି ଇଚ୍ଛାଧୀନ ବିଷୟ ଅଛି ଯେଉଁଥିରେ ଗଣିତ ଭଳି ଭଲ ମାର୍କ୍ ସାଉଁଟି ହେବ। ଗୋଟିଏ ଥିଲା, ‘ଲିଙ୍ଗୁଇଷ୍ଟିକ୍ସ୍‌’, ଏବଂ ଅନ୍ୟଟି ‘ଟିଚିଂ ଇଂଲିଶ୍ ଆଜ୍ ଏ ସେକେଣ୍ଡ ଲାଙ୍ଗୁଏଜ୍‌’। ତେଣୁ ଖୋଜି ଖୋଜି ସେଠାକୁ ଗଲି। ମାର୍କ ମିଳିଲା ଓ ଗୋଲ୍ଡ ମେଡାଲ ବି ମିଳିଲା। ସେଠାରେ ପ୍ରଫୁଲ୍ଲ ତ୍ରିପାଠୀ ଓ ଶୁଭେନ୍ଦୁ ମୁଣ୍ଡ୍ ଆଦିଙ୍କ ସହିତ ମୋ’ର ପରିଚୟ ହେଲା ଏବଂ ମୋର ଲେଖାଲେଖି ବଢ଼ିଚାଲିଲା। ‘ଯୀଶୁଖ୍ରୀଷ୍ଟ’ ଗଳ୍ପଟି ମୁଁ ସେଇଠି ଥିବାବେଳେ ଲେଖିଥିଲି।
ସାହିତ୍ୟ ଚର୍ଚ୍ଚା: ଏହି ଗଳ୍ପଟିକୁ ତ ଆପଣଙ୍କର ଗୋଟିଏ ସିଗନେଚର୍ ଷ୍ଟୋରୀ ବୋଲି ମଧ୍ୟ କୁହାଯାଇପାରେ, ଯେମିତି ଫକୀରମୋହନଙ୍କ ‘ରେବତୀ’, ସୁରେନ୍ଦ୍ର ମହାନ୍ତିଙ୍କ ‘ସାରିପୁତ୍ତ’, ମନୋଜ ଦାସଙ୍କ ‘ଲକ୍ଷ୍ମୀର ଅଭିସାର’ ଅବା ଅଚ୍ୟୁତାନନ୍ଦ ପତିଙ୍କ ‘ଅଶୁଭ ପୁତ୍ରର କାହାଣୀ’; ସେହିଭଳି ‘ଯୀଶୁଖ୍ରୀଷ୍ଟ’ ମଧ୍ୟ ଆପଣଙ୍କର ଗୋଟିଏ ପ୍ରତିନିଧିସ୍ତରୀୟ ଗଳ୍ପ। ତେବେ ଏହି ଗଳ୍ପ ପଛର ଗଳ୍ପ କିଛି ଅଛି କି?
ସତ୍ୟ ମିଶ୍ର: ଗଳ୍ପ ପଛର ଗଳ୍ପ ହେଲା, ସମ୍ବଲପୁରରେ ମୁଁ ପଢ଼ୁଥିବା ବେଳେ ‘ବୁକ୍ ଅଫ୍ ଜବ୍‌’ ବୋଲି ‘ଓଲ୍‌ଡ ଟେଷ୍ଟାମେଣ୍ଟ’ର ଗୋଟିଏ ଅଂଶ ଆମ ସିଲାବସରେ ଥିଲା। ଏହା ଥିଲା ବାଇବେଲ୍ ସହିତ ମୋ’ର ପ୍ରଥମ ପରିଚୟ। ତା’ପରେ ମଧ୍ୟ ମୁଁ ବାଇବେଲର ବିଷୟରେ ଆହୁରି ବହୁତ କିଛି ପଢ଼ିଲି। ସେଇଠି ଯିଶୁଙ୍କ କ୍ରସ୍ ଗୋଟିଏ ପ୍ରତୀକ ହୋଇ ମୋ ମନରେ ରହିଗଲା। ତା’ପରେ ମାଙ୍କଡ଼ର କଥା। ମୁଁ ଆପଣଙ୍କୁ କହିଛି ଯେ ଜୀବଜନ୍ତୁମାନେ ମୋତେ କେମିତି ଫାସିନେଟ୍ କରନ୍ତି, ବିଶେଷତଃ ମାଙ୍କଡ଼ମାନେ।
ସାହିତ୍ୟ ଚର୍ଚ୍ଚା: ତେଣୁ ଆପଣଙ୍କର ଏହି ଗଳ୍ପରେ ମାଙ୍କଡ଼ଟିଏ କ୍ରୁଶବିଦ୍ଧ ହେବାର ଦର୍ଶାଯାଇଛି। ଆପଣଙ୍କ ଲେଖାର ସମୀକ୍ଷକମାନଙ୍କ ମତ ଯେ ଆପଣ ନିଜ ଗଳ୍ପମାନଙ୍କରେ ଅଳ୍ପ ଶବ୍ଦରେ ବହୁତ କଥା କହିଦିଅନ୍ତି। ଏଇଟି ତା’ର ଏକ ଉଦାହରଣ। ସେଇ କଥାରେ କ’ଣ ନ ଥାଏ! ଜୀବନ-ଦର୍ଶନଠାରୁ ନେଇ ଚରିତ୍ର ଚିତ୍ରଣ ଓ ଗଳ୍ପର କାରିଗରି ପର୍ଯ୍ୟନ୍ତ। କିନ୍ତୁ ମୁଁ ଗୋଟିଏ କଥା ଭାବିପାରୁନାହିଁ ଯେ ଆପଣ ମାଙ୍କଡ଼ଟି ପ୍ରତି ଏତେ ନିର୍ଦ୍ଦୟ କାହିଁକି ହେଲେ? ଶେଷରେ ଆପଣ ତା’କୁ ମରଣମୁଖକୁ ଠେଲିଦେଇଛନ୍ତି। ଚରିତ୍ରମାନେ ଏମିତି ମରଣାନ୍ତକ ଯନ୍ତ୍ରଣା ପାଇଲେ ଆପଣ ନିଜକୁ କ’ଣ କଷ୍ଟ ହୁଏନି!
ସତ୍ୟ ମିଶ୍ର: କେବଳ ରକି ନୁହଁ; ସମାନ୍ତରାଳ ଭାବରେ ଆପଣ ଯିଶୁଖ୍ରୀଷ୍ଟଙ୍କ ଚରିତ୍ରକୁ ମଧ୍ୟ ଦେଖନ୍ତୁ। ତାଙ୍କୁ ମଧ୍ୟ କଷ୍ଟ ଦିଆହୋଇଛି, କିନ୍ତୁ ତଦ୍ଦ୍ୱାରା ସେ ମହିମାବନ୍ତ ହୋଇଛନ୍ତି। ତେଣୁ ମୁଁ କହିବାକୁ ଚେଷ୍ଟା କହିଛି ଯେ, ଯିଏ କଷ୍ଟ ପାଇବ ସେ ତ୍ରାଣକର୍ତ୍ତା ହେବ।
ସାହିତ୍ୟ ଚର୍ଚ୍ଚା: ସାହିତ୍ୟ ଜଗତରେ ଆପଣ ଜଣେ ଲାଜକୁରା ଲେଖକ ଭାବରେ ପରିଚିତ; ଏହି ଅର୍ଥରେ ଯେ, ଆପଣଙ୍କର ପ୍ରଚାରପ୍ରିୟତା ନାହିଁ। ଆପଣ କେବଳ ନିରବରେ ସାଧନା କରିଚାଲିଥାଆନ୍ତି, ହେଲେ ତାହାର ସ୍ୱୀକୃତି ପାଇଁ ଆଶାୟୀ ନ’ଥାନ୍ତି। ଏହାର ପରିଣାମ ଏଇଆ ଯେ ଆପଣ ଆଜି ପର୍ଯ୍ୟନ୍ତ ରାଜ୍ୟ କିମ୍ବା କେନ୍ଦ୍ର ସାହିତ୍ୟ ଏକାଡେମୀ ପୁରସ୍କାରର ସୁନଜରରେ ପଡ଼ିନାହାନ୍ତି!
ସତ୍ୟ ମିଶ୍ର: ମୁଁ ତାହାର ଉତ୍ତର ଦେଇପାରିବି ନାହିଁ। ଏକଥା ସତ ଯେ ମୁଁ ଲାଜକୁରା। ମୁଁ ଏତେ ଆଉଟସ୍ପୋକନ୍ ବା ଏକ୍ସଟ୍ରୋଭର୍ଟ୍ ନୁହଁ।
ସାହିତ୍ୟ ଚର୍ଚ୍ଚା: ତଥାପି ପୁରସ୍କାରମାନଙ୍କଠାରୁ ବଂଚିତ ହେବା ଆପଣଙ୍କୁ ବ୍ୟଥିତ କରିଛି କି!
ସତ୍ୟ ମିଶ୍ର: ମୁଁ ଯେତେବେଳେ ୪୬ ବର୍ଷକାଳ ଲେଖିବାଟା ବନ୍ଦ କରିଦେଲି, ସେତେବେଳେ ମୁଁ କେବେ ଭାବି ନ ଥିଲି ଯେ ମୁଁ ଆଉ ଥରେ କେବେ ଲେଖିବି। ମୁଁ ଭାବିଥିଲି ଯେ ସାହିତ୍ୟିକ ହିସାବରେ ମୋ’ର ମୃତ୍ୟୁ ହୋଇଗଲା। ତା’ପରେ ବି ଆଜି ମୁଁ ଯେ ଲେଖୁଛି ଏବଂ ତା’ପାଇଁ ଯେ ମୋତେ ସ୍ୱୀକୃତି ମଧ୍ୟ ମିଳୁଛି, ଏହାଠାରୁ ବଳି ଅଧିକ ମୋତେ ଆଉ କ’ଣ ଦରକାର? ଆପଣ ଯେ ଆଜି ମୋର ସାକ୍ଷାତ୍‌କାର ନେବାକୁ ଆସିଛନ୍ତି, ଏଇଟା କ’ଣ ମୋତେ ସ୍ୱୀକୃତି ମିଳିବାର ଲକ୍ଷଣ ନୁହେଁ !

ସାହିତ୍ୟ ଚର୍ଚ୍ଚା: ଆପଣଙ୍କ ଗଳ୍ପ ସଂକଳନଗୁଡ଼ିକର ସଂଖ୍ୟା ସୀମିତ ହେଲେ ବି ଗଳ୍ପମାନଙ୍କର ସଂଖ୍ୟା ସେମିତି କିଛି କମ୍ ନୁହେଁ। ଆପଣ ଏବକୁ ୮୦ରୁ ଅଧିକ ସଂଖ୍ୟକ ଗଳ୍ପ ଲେଖିସାରିବେଣି। ତେବେ ଜଣେ ପାଠକ ଭାବରେ ଆମେ ଲକ୍ଷ୍ୟ କରୁ ଯେ ଏଥିମଧ୍ୟରୁ କୌଣସି ଦୁଇଟି ଗଳ୍ପ ମଧ୍ୟରେ ସାମ୍ୟ ନାହିଁ; ଅର୍ଥାତ୍ ପ୍ରତ୍ୟେକଟି ନିଜର ସ୍ୱାତନ୍ତ୍ର‌୍ୟରେ ଗରୀୟାନ୍। ବୋଧହୁଏ ଆପଣ ଅଧିକ ଲେଖିବା ପାଇଁ ସେତେ ବ୍ୟଗ୍ର ନ ହେବା ଏହାର କାରଣ, ଯେତେବେଳ ପର୍ଯ୍ୟନ୍ତ ଗୋଟିଏ ନିଆରାଭାବ ଆପଣଙ୍କୁ ଆକ୍ରାନ୍ତ ନ କରିଛି, ଆପଣ କଲମ ଧରନ୍ତି ନାହିଁ।
ସତ୍ୟ ମିଶ୍ର: ଯେତିକି ଗଳ୍ପର ଭାବ ମୋ ମସ୍ତିଷ୍କକୁ ଆସୁଛି, ଅର୍ଥାତ୍ ଯେତିକି ଥିମ୍ ବା ପ୍ଲଟ୍ ସ୍ୱାଭାବିକ ଭାବରେ ମୋତେ ଜୁଟେ ସେତିକି ହିଁ ମୁଁ ଲେଖେ। ଭିଡ଼ି ଓଟାରି ଥିମ୍ ଆଣିବାକୁ ଚେଷ୍ଟା କରେନାହିଁ।
ସାହିତ୍ୟ ଚର୍ଚ୍ଚା: ଆପଣଙ୍କର ସଦ୍ୟ ପ୍ରକାଶିତ ଗଳ୍ପ ସଂକଳନ ‘ଦୁଷ୍ଟ ଯାଦୁକର’ର ତେରୋଟି ଯାକ ଗଳ୍ପରେ ଆମେ ପାଉ ଏକ ଉପସ୍ଥାପନାଗତ ଚମତ୍କାରିତା। ଏହି ଗଳ୍ପଗୁଡ଼ିକ ଗୋଟିଏ ସମୟରେ ଲେଖାହୋଇଛି, ନା ଭିନ୍ନ ଭିନ୍ନ ସମୟରେ?
ସତ୍ୟ ମିଶ୍ର: ଏଗୁଡ଼ିକ ଗୋଟିଏ ସମୟରେ ଲେଖା ହୋଇନାହିଁ। ଦୁଇ ବା ତିନୋଟିକୁ ଛାଡ଼ିଦେଲେ ଅନ୍ୟ ସବୁ ଦୁଇବର୍ଷ ପୂର୍ବରୁ ଲେଖା ହୋଇଛି।
ସାହିତ୍ୟ ଚର୍ଚ୍ଚା: ଆପଣ ଇଂରାଜୀ ବିଭାଗର ଛାତ୍ର ଥିବା ସହ ଏହି ବିଭାଗରେ ଅଧ୍ୟାପନା ମଧ୍ୟ କରିଛନ୍ତି କିଛି କାଳ। ଏହି କ୍ରମରେ ଇଂରାଜୀ କଥାସାହିତ୍ୟ ସହିତ ଆପଣଙ୍କର ନିବିଡ଼ ପରିଚୟ ଘଟିଥିବ। ପାଶ୍ଚାତ୍ୟ କଥାସାହିତ୍ୟର ସେହି ଶୈଳୀ ବା ରୂପ ଆପଣଙ୍କ ରଚନା ଭିତରକୁ ମଧ୍ୟ କେବେ ପ୍ରଚ୍ଛନ୍ନ ଭାବରେ ଓହ୍ଲାଇ ଆସିଛି କି?
ସତ୍ୟ ମିଶ୍ର: ମୋର ଧାରଣା ଯେ ଆସିନାହିଁ। ମୋ’ର ଶୈଳୀ ସାଧାରଣତଃ ଏସବୁଥିରୁ ମୁକ୍ତ ବୋଲି ମୁଁ ଭାବେ।
ସାହିତ୍ୟ ଚର୍ଚ୍ଚା: ଆପଣଙ୍କର ଜନ୍ମ କୋରାପୁଟ ଜିଲ୍ଲାରେ; ଆଦ୍ୟ ଜୀବନ ମଧ୍ୟ ବିତିଛି ସେଠି। ତଥାପି କୋରାପୁଟର ସମାଜଚିତ୍ର ବା ସ୍ଥାନୀୟ ଭାଷା ଆପଣଙ୍କର ରଚନାରେ କେଉଁଠି ପ୍ରତିଫଳିତ ହେବାର ଆମେ ଦେଖୁନାହୁଁ। ଏମିତି କାହିଁକି?
ସତ୍ୟ ମିଶ୍ର: କୋରାପୁଟର ଦେଶିଆ ଭାଷା ମୁଁ ସ୍ପଷ୍ଟ କହିପାରୁ ନ ଥିଲେ ସୁଦ୍ଧା ପୂରା ବୁଝିପାରେ। ତାହାକୁ ଗଳ୍ପରେ ପ୍ରୟୋଗ କରିବାର ଚେଷ୍ଟା ଅବଶ୍ୟ କେବେ କରିନାହିଁ। ତେବେ ଏହିଭଳି ଗଳ୍ପଟିଏ ଲେଖିବାର ପରିକଳ୍ପନା ଏବେ ମୋ ମନରେ ଅଛି।
ସାହିତ୍ୟ ଚର୍ଚ୍ଚା: ୨୦୧୯ ମସିହା ପରଠାରୁ ଆପଣ ଗୋଟିକ ପରେ ଗୋଟିଏ ଗଳ୍ପ ସଂକଳନ ପ୍ରକାଶ କରି ଚାଲିଛନ୍ତି। ୨୦୨୨ରେ ମଧ୍ୟ ‘ଶ୍ରେଷ୍ଠ ଗଳ୍ପ’ ନାମରେ ଆପଣଙ୍କର ଗୋଟିଏ ସାମଗ୍ରିକ ଗଳ୍ପ ସଂକଳନ ପ୍ରକାଶ ପାଇଛି। ତଥାପି ଅନ୍ୟ ଅଗ୍ରଣୀ କଥାସାହିତ୍ୟିକମାନଙ୍କ ସହିତ ତୁଳନା କଲେ ଆପଣଙ୍କ ସୃଜନ ପ୍ରବଣତାରେ ଏବେ ଟିକିଏ ଭଟ୍ଟା ପଡ଼ିଯାଇଥିବା ଭଳି ମନେହୁଏ।
ସତ୍ୟ ମିଶ୍ର: ଭଟ୍ଟା ତ ପଡ଼ିଛି! ସତକଥା ହେଲା ମୋ’ର ସେତିକି ଉତ୍ପାଦନ କ୍ଷମତା ନାହିଁ।
ସାହିତ୍ୟ ଚର୍ଚ୍ଚା: ଏହି ତଥାକଥିତ ‘ଉତ୍ପାଦନ କ୍ଷମତା’ ସାହିତ୍ୟରେ କୌଣସି ମାନେ ରଖେ କି?
ସତ୍ୟ ମିଶ୍ର: ନା, ମୋଟେ ମାନେ ରଖିବା ଉଚିତ ନୁହଁ।
ସାହିତ୍ୟ ଚର୍ଚ୍ଚା: ବାରିଷ୍ଟର ଗୋବିନ୍ଦ ଦାସଙ୍କର ଗୋଟିଏ ମାତ୍ର ଉପନ୍ୟାସ ‘ଅମାବାସ୍ୟାର ଚନ୍ଦ୍ର’ ପାଇଁ ତାଙ୍କୁ ଆଜି ସମସ୍ତେ ମନେ ରଖିଛନ୍ତି, ସେଭଳି ଖ୍ୟାତି ବୋଧହୁଏ ରାଶି ରାଶି ବହି ଲେଖିଥିବା ସାହିତ୍ୟିକମାନଙ୍କର ମଧ୍ୟ ନାହିଁ।
ସତ୍ୟ ମିଶ୍ର: ମୁଁ ଏତେ ଗଳ୍ପ ଲେଖିଲିଣି, କିନ୍ତୁ ଲୋକେ ମୋତେ ସେହି ‘ଯୀଶୁଖ୍ରୀଷ୍ଟ’ର ଗାଳ୍ପିକ ଭାବରେ ହିଁ ମନେ ରଖିଛନ୍ତି। ମନେହୁଏ ସତ୍ୟ ମିଶ୍ର କହିଲେ ଲୋକେ ‘ଯୀଶୁଖ୍ରୀଷ୍ଟ’ ବୋଲି ହିଁ ବୁଝୁଛନ୍ତି। ମୋତେ ବେଳେବେଳେ ଲାଗେ ଯେ ମୁଁ ଏହାଠାରୁ ଅଧିକ ବଢ଼ିପାରିଲିନି କି!
ସାହିତ୍ୟ ଚର୍ଚ୍ଚା: ଆପଣ ନିଜେ କ’ଣ ଭାବନ୍ତି ଯେ ଆପଣ ନିଜର କୌଣସି ଗଳ୍ପରେ ‘ଯୀଶୁଖ୍ରୀଷ୍ଟ’କୁ ଆଉଟଗ୍ରୋ କରିଛନ୍ତି?
ସତ୍ୟ ମିଶ୍ର: କରିଛି ବୋଲି ମୁଁ ତ ଭାବେ। କିନ୍ତୁ ସେଇଟା ପାଠକଙ୍କ ନଜରକୁ ଆସିନାହିଁ। ଠିକ୍ ଅଛି; ‘ଯୀଶୁଖ୍ରୀଷ୍ଟ’ ଲେଖିବା ଆଗରୁ ମୋତେ କେହି ଜାଣି ନ ଥିଲେ। ଏହା ମୋତେ ଏକ ପରିଚୟ ଦେଇଛି। ଏଥିପାଇଁ ମୁଁ ‘ଝଙ୍କାର’ର ସମ୍ପାଦକ ସରୋଜ ରଂଜନ ମହାନ୍ତିଙ୍କ ପାଖରେ ଚିର କୃତଜ୍ଞ, ଯିଏ ମୋ’ ଭଳି ଗୋଟିଏ ଅଜଣା ଲେଖକର ଗଳ୍ପକୁ ୧୯୭୨ ମସିହାରେ ତାଙ୍କ ପତ୍ରିକାର ବିଷୁବ ସଂଖ୍ୟାରେ ପ୍ରକାଶ କଲେ।
ସାହିତ୍ୟ ଚର୍ଚ୍ଚା: ଆଜିର ଏହି ମନୋଜ୍ଞ ଆଲୋଚନାଟି ପାଇଁ ଆପଣଙ୍କୁ ଅଶେଷ ଧନ୍ୟବାଦ।

(‘ସାହିତ୍ୟ ଚର୍ଚ୍ଚା’ ପତ୍ରିକାର ଜାନୁଆରୀ, ୨୦୨୪  ସଂଖ୍ୟାରେ ପ୍ରକାଶିତ । )

6 thoughts on “ବରିଷ୍ଠ କଥାକାର ସତ୍ୟ ମିଶ୍ରଙ୍କ ସହିତ ଅନ୍ତରଙ୍ଗ ଆଳାପ 

  1. I know my Sir since 1965.I like his simplicity,honesty,sincerity and straight forwardness.He was my Manager, Regional Manager and General Manager,but he has never given me the chance to think that he was my boss.He is not only a different man,but does his work differently.
    God bless him.

  2. SNM Sir’s comments are brief, to the point and thought provoking which elucidate his literary calibre and innovative way of presentation,

Leave a Reply

Your email address will not be published. Required fields are marked *