କେଡ଼େ ଶୁଭ ଦିନ ଆଜି। ପଚିଶବର୍ଷ କାଲିପରି ଲାଗୁଛି।
(ବେହେରା ବାବୁଙ୍କ ବାସଭବନ, ବେହେରା ବାବୁ ଓ ଶ୍ରୀମତୀ ବେହେରା ଅତିଥି ମାନଙ୍କୁ ସ୍ବାଗତ ମୁଦ୍ରାରେ। ଅତିଥି ମାନେ ପ୍ୟାକେଟ୍, ଫୁଲତୋଡ଼ା ଧରି ପ୍ରବେଶ କରିବାର ଦୂଶ୍ୟ। ସାହାନାଇ ଧୁନ୍।)
ରଥ ବାବୁ ଓ ମିସେସ୍ ରଥ – ହାପି ଆନିଭର୍ସାରି ବେହେରା ବାବୁ, ମିସେସ୍ ବେହେରା। (ନମସ୍କାର କରି ପ୍ୟାକେଟ୍ ବଢ଼ାଇଲେ)
ବେହେରା ଦମ୍ପତି – ଏଗୁଡ଼ା କଣ ଆଜ୍ଞା। ଆପଣ ଆସିଲେ ସେଇ ଯଥେଷ୍ଟ।
ମିସେସ୍ ରଥ – ଏ କଥା କହିଲେ ହେବ? କେଡ଼େ ଶୁଭ ଦିନ ଆଜି। ପଚିଶବର୍ଷ କାଲିପରି ଲାଗୁଛି।
ବେହେରା – (ଅଳ୍ପ ହସି) ସେକଥା କଣ କହିହୁଏ? ଆସନ୍ତୁ ଭିତରକୁ। ପ୍ଲିଜ୍ ହେଲ୍ପ୍ ୟୋର ସେଲ୍ଫ୍।
ମହାନ୍ତି ବାବୁ – ନମସ୍କାର କଙ୍ଗ୍ରାଚୁଲେସନ୍।
ମିସେସ୍ ବେହେରା – ଆପଣ ଏକା? ମିସେସ୍ ମହାନ୍ତି?
ମହାନ୍ତି ବାବୁ – ତାଙ୍କ ଆଖି ଧରିଛି ତ !
ବେହେରା ବାବୁ – ଆସନ୍ତୁ ଭିତରକୁ। (ପୁଡିଆଟି ଧରିସାରି)
ସତ୍ୟ – ନମସ୍କାର ଆଜ୍ଞା। ଆପଣ ଦୁହିଁଙ୍କୁ ଅଭିନନ୍ଦନ। (ଲଫାପା ଦେଇ)
ମିସେସ୍ ବେହେରା – ମନି କାହିଁକି ଆସିନି?
ସତ୍ୟ – ( କିଛି ନ କହି) ହେଁ ହେଁ !
ବେହେରା ବାବୁ – (ଲଫାପା ମିସେସ୍ ଙ୍କୁ ଦେଇ ) ଆସନ୍ତୁ, କିଛି ଲାଜ ନ କରି ନିଜ ଘର ଭାବି ଟେକ୍ କେୟାର୍।
ଲତିକା – ( ଫୁଲତୋଡ଼ା ବଢ଼ାଇ) ନମସ୍କାର ଅପା, ଭାଇ। ଶୁଭକାମନା।
ମିସେସ୍ ବେହେରା – ବନ କାହିଁ ଆସିଲେନି?
ଲତିକା – ଯେତେ କହିଲେ ସେ କଣ ଶୁଣିବେ ? କଣ ନା, ତାଙ୍କର ଇନ୍ସପେକ୍ସନ ଅଛି। କହିଲେ ମୋ ପାଇଁ କହିଦେବୁ।
ବେହେରା ବାବୁ – ହଉ ,ଭିତରକୁ ଯା।
(ପାର୍ଟି ଦୃଶ୍ୟ: କେକ୍ , କ୍ୟାଣ୍ଡେଲ୍, ଫଟୋ ସହ ତାଳି, ‘ହାପି ସିଲ୍ଭର୍ ଆନିଭର୍ସାରି’।)
ବେହେରା ବାବୁ – ଆଜ୍ଞା ସୁପ୍, ଷ୍ଟାର୍ଟର୍, ହେଲ୍ପ ୟୋରସେଲ୍ଫ୍।
ଦ୍ବିତୀୟ ଦୃଶ୍ୟ
(ବେହେରାଙ୍କ ପିଲା ଦୁହେଁ, ବାର ପନ୍ଦର ବର୍ଷର, ପୁଅ ଝିଅ ମନୁ ଓ ତନୁ)
ମନୁ – ତନୁ ପ୍ୟାକେଟ୍ ସବୁ ଖୋଲିବା ଚାଲ୍।
ତନୁ – ହଁ। ମୁଁ ଆଣୁଛି।
ମନୁ – ( ପ୍ୟାକେଟ୍ ଖୋଲି) ଇହି !
ତନୁ – କଣ ? ନାକ ଟେକୁଛୁ କାହିଁକି?
ମନୁ – ଚାଇନିଜ୍ ମାଲ୍। ବୁଦ୍ଧ, ଗଣେଷ, ପାରା, ଫଟୋ ମଧୁୱାଲା।
ମିସେସ୍ ବେହେରା – ଦେଖିଲ, କି ସୁନ୍ଦର ଥିଲା ସିଏ?
ବେହେରା ବାବୁ – ରଖିଦେ ସବୁ।
ତନୁ – ଏ ସବୁ ଫୁଟପାଥ୍ ଇଣ୍ଡିଆ ଲିମିଟେଡ ମାଲ୍ ରଖି କି ଲାଭ? ଫୋପାଡି ଦିଅ।
ମିସେସ୍ ବେହେରା – ଉଁ ହୁଁ ! ଏମିତି କହନ୍ତି? ଜଣେ ଶ୍ରଦ୍ଧାରେ ଦେଇଛନ୍ତି!
ବେହେରା ବାବୁ – ସବୁ ରଖିଦିଅ। ରିଟର୍ନ ଗିଫ୍ଟ୍ କାମ ଆସିବ।
ତନୁ – ଯିଏ ଦେଇଛି ତାଙ୍କ ଭାଗରେ ଯଦି ପଡ଼ିଲା?
ମନୁ – କିଏ ପଚାରୁଛି? ସେଥିପାଇଁ ବୋଧେ କେହି ନାଁ ଲେଖିନାହାନ୍ତି!
ବେହେରା ବାବୁ – ସେ ରାପିଙ୍ଗ୍ ପେପର ଗୁଡ଼ା ବି ସମ୍ଭାଳି ରଖ! କାମରେ ଆସିବ। ଇଏ ଗୋଟାଏ ସମାନ୍ତରାଳ ଅର୍ଥନୀତି ଜାଣିଥାଅ। ଏପରି ଗିଫ୍ଟ ସବୁ ରିଟର୍ନ ଗିଫ୍ଟ ରୂପେ ବଜାରରେ ବୁଲୁଥାଆନ୍ତି। ଫର୍ ଇଣ୍ଟରନାଲ୍ ସର୍କ୍ୟୁଲେସନ୍ ଓନ୍ଲି।
(ମଞ୍ଚ ଅନ୍ଧାର। )
ଡା. ଦାଶଙ୍କ ଲେଖାରେ ଶାଣିତ ବ୍ୟଙ୍ଗ ଯାହା ସାମ୍ପ୍ରତିକ ସମୟକୁ ପୁରପୁରି ଶତପ୍ରତିଶତ ଦର୍ଶାଉଛି। କିନ୍ତୁ ତାଙ୍କ ଲେଖାରେ ଅନେକ ଇଂରାଜୀ ଶବ୍ଦ ରହିଥିବାରୁ ଲେଖାଟି ପଢ଼ିଲାବେଳେ ଖାପଛଡ଼ା ଲାଗୁଛି, ଏହା ଉପରେ ଧ୍ୟାନ ଦିଆଗଲେ ଭଲ ହୁଅନ୍ତା ବୋଲି ମୋର ମତ ।