ପ୍ରଥମେ ଓଡ଼ିଆ ଅକ୍ଷରମାନେ ବାହାରିଲେ, ଆଉ ତାଙ୍କୁ ଦେଖି ଇଂରାଜୀ ଅକ୍ଷରମାନେ ବି ବାହାରି ଆସିଲେ।
ଖରାଛୁଟି ହେଇଗଲା। ଦେଢ଼ମାସ ଉପରକୁ ଛୁଟି। ଆଜି ଗୋଡ଼ ତଳେ ଲାଗୁନି ବଇଁଶୀର। ସ୍କୁଲ୍ ବନ୍ଦ ହେବା ପୂର୍ବରୁ ସାର୍ କହିଲେ ପ୍ରତ୍ୟେକ ଦିନ ପାଠ କିଛି କିଛି ପଢ଼ିବାକୁ। ବଇଁଶୀ ଭାବିଲା ‘ଦେଖିବା, ସ୍କୁଲ୍ ଥିଲେ ତ ପଢ଼ିବାକୁ ପଡ଼େ ! ଛୁଟିରେ ଖେଳି ସାରିଲା ପରେ ସମୟ ହେଲେ ପଢ଼ିବା। ‘
ବଇଁଶୀର ବସ୍ତାନି ତା ବହିଖାତା ଧରି ସେମିତି ପଡ଼ି ରହିଲା। ବଇଁଶୀକୁ ତା ଖେଳରୁ ନା ଫୁରୁସତ୍ ମିଳିଲା, ନା ସେ ସ୍କୁଲ୍ ବେଗ୍ ଆଉ ଖୋଲା ହେଲା। ଘରର କୋଉ ଅନ୍ଧାରିଆ କୋଣରେ ସ୍କୁଲ ବେଗ୍ଟା ପଡ଼ିଥିଲା । ଦୁଇଦିନ ଗଲା – ଚାରିଦିନ ଗଲା ! ବେଗ୍ଟା ନିଜେ ଅନ୍ଧାରିଆ ଜାଗାରେ ପଡ଼ିଛି। ତା ଭିତରେ ବହିମାନେ ଆହୁରି ଅନ୍ଧାରରେ ଅଛନ୍ତି। ବହି ଭିତରେ ଅକ୍ଷରମାନଙ୍କ କଥା କହିଲେ ନସରେ ! ଦି-ଚାରିଦିନ ପରେ ଯେବେ ବସ୍ତାନି, ବହି, ଅକ୍ଷରମାନେ ନିଶ୍ଚିତ ହେଇଗଲେ କି ଏ ବଇଁଶୀ ଏବେ ଆଉ ପାଖ ପଶିବାର ସମ୍ଭାବନା ନାହିଁ, ଅକ୍ଷରମାନେ ଧୀରେ ଧୀରେ ବହିରୁ ବାହାରି ଆସିଲେ ଓ ବସ୍ତାନିର ଗୋଟିଏ କୋଣରେ ଠୁଳ ହେଲେ। ପ୍ରଥମେ ଓଡ଼ିଆ ଅକ୍ଷରମାନେ ବାହାରିଲେ, ଆଉ ତାଙ୍କୁ ଦେଖି ଇଂରାଜୀ ଅକ୍ଷରମାନେ ବି ବାହାରି ଆସିଲେ। ମୂଳରୁ ଓଡ଼ିଆ ଅକ୍ଷର ଓ ଇଂରାଜୀ ଅକ୍ଷରମାନେ ନିଜ ଭିତରେ ଏତେ ମିଶି ପାରୁନଥିଲେ। କିନ୍ତୁ ଥରେ ଖେଳ ଆରମ୍ଭ ହେଇଗଲା ପରେ ଆଉ କିଏ କାହାର ଅଚିହ୍ନା ରହିଲେନି।
ଖେଳୁ ଖେଳୁ କେତେବେଳେ ଏଭିତରେ ଚାଳିଶ ପଇଁଚାଳିଶ ଦିନ ବିତି ଯାଇଛି ସେମାନଙ୍କୁ ଜଣାନାହିଁ। ବଇଁଶୀର ବିଦ୍ୟାଳୟ ଖୋଲିବାର ସମୟ ଆସିଲାରୁ ତାର ବହି ବସ୍ତାନି କଥା ମନେ ପଡ଼ିଲା। ଧାଇଁଯାଇ ବସ୍ତାନିକୁ ଟାଣି ଆଣିଲା। ପ୍ରଥମେ ତ ଅକ୍ଷରମାନେ ଭାବିଲେ କି ଭୟାନକ ଭୂକମ୍ପ ହେଲା। କିନ୍ତୁ ଯେତେବେଳେ ବଇଁଶୀ ବସ୍ତାନି ଖୋଲିଲା, ବସ୍ତାନି ଭିତରେ ଆଲୁଅ ପଡ଼ିଲା, ଅକ୍ଷରମାନେ ଜାଣିଗଲେ ଏବେ ନିଜ ସ୍ଥାନକୁ ଫେରିବା କଥା।
ଧାଇଁ ଧାଇଁ ଯେ ଯୋଉଠି ପାରିଲା ପଶିଗଲା। ଏତେଦିନ ବାହାରେ ଖେଳିଖେଳି ସେମାନେ ଭୁଲି ବି ଯାଇଥିଲେ କିଏ କୋଉ ବହିରେ ପଶିବା କଥା। ତେଣୁ ବଇଁଶୀ ଯେବେ ଗଣିତ ବହି ଖୋଲିଲା ଗୁଡ଼ାଏ ଇଂରାଜୀ ଅକ୍ଷରଙ୍କୁ ସେଠି ଦେଖି ଆଶ୍ଚର୍ଯ୍ୟ ହେଇଗଲା। ଉପର ମଲାଟରେ ହିଁ ଲେଖାଥିଲା ‘ଗnita Baହି’। ସବୁ ବହିରେ ସେଇ ଅବସ୍ଥା। ସାହିତ୍ୟ ବହିରେ ଲେଖାଥିଲା ‘Mo ସାହିtya’। ଇତିହାସ ବହିରେ ‘Itiହାs’,ବିଜ୍ଞାନ ବହିରେ ‘ଆma Biଜ୍ଞାନ’। ବଇଁଶୀର ମୁଣ୍ଡ ବୁଲେଇଦେଲା। ବହି ଖୋଲିକି ଦେଖିଲା, ଭିତରେ ଆହୁରି ଭୀଷଣ ଅବସ୍ଥା। ସେ ବୁଝି ପାରିଲାନି କଥା କଣ, କି ସେ କରିବ କଣ !
ତା ଆରଦିନ ଯେବେ ସେ ବିଦ୍ୟାଳୟକୁ ଗଲା ଆଉ ତା ଶିକ୍ଷକ ତାକୁ ବହିରୁ ଗୋଟିଏ କବିତା ଆବୃତ୍ତି କରିବାକୁ କହିଲେ। ବଇଁଶୀ ଜମା ପଢ଼ି ପାରିଲାନି। ଶିକ୍ଷକ ‘କଥା କଣ’ ଭାବି ଯେବେ ବହିଟା ବଇଁଶୀଠୁ ଆଣି ଦେଖିଲେ, ଇଂରାଜୀ ଓ ଓଡ଼ିଆ ଅକ୍ଷରମାନଙ୍କ ଏମିତି ମିଳାମିଶା ଦେଖି ଆଶ୍ଚର୍ଯ୍ୟ ହେଇଗଲେ। ସେ ତୁରନ୍ତ ଜାଣିଗଲେ କଥା କଣ। ବଇଁଶୀ କାନ୍ଦୁଣୁମାନ୍ଦୁଣୁ ହେଇ ମାନିଲା, ସେ ଦେଢ଼ମାସ ଯାଏଁ ବସ୍ତାନି ଖୋଲି ନଥିଲା ବୋଲି। ଶିକ୍ଷକ ବଇଁଶୀର ସବୁ ବହିର ସବୁ ଅକ୍ଷରମାନଙ୍କୁ ବାହାରକୁ ଆସିବାକୁ କହିଲେ। ସବୁ ଅକ୍ଷର ଆସି ଟେବୁଲ୍ ଉପରେ ଠିଆହେଲା ପରେ ସେ ଇଂରାଜୀ ଓ ଓଡ଼ିଆ ଅକ୍ଷରମାନଙ୍କୁ ନିଜ ନିଜ ବହିକୁ ଫେରିବାକୁ କହିଲେ – ଫେରିବାରେ ସାହାଯ୍ୟ କଲେ ମଧ୍ୟ।
ସମସ୍ତେ ଜାଣିଲେ ବେଶି ଦିନ ବହି ନଖୋଲିଲେ ଅବସ୍ଥା କଣ ହୁଏ। ବଇଁଶୀ ପ୍ରତିଜ୍ଞା କଲା ପ୍ରତ୍ୟେକ ଦିନ ସେ କିଛି କିଛି ପାଠ ପଢ଼ିବ।
ଭଲ ଲାଗିଲା
ପ୍ରତୀକାତ୍ମକ ଭାବରେ ଲେଖିକା ଅନେକ କଥା ଏହି ଅଣୁ ଲେଖା ମାଧ୍ୟମରେ କହିଛନ୍ତି। ଯଦିଓ ଲେଖିକା ବା ସମ୍ପାଦକ ମହୋଦୟ ଏହାକୁ ଶିଶୁ ସାହିତ୍ୟ ଶ୍ରେଣୀଭୁକ୍ତ କରିଛନ୍ତି , ଏହି ଲେଖାଟି ସମସ୍ତ ବର୍ଗର ପାଠକମାନଙ୍କ ପାଇଁ ଅନେକ ଗୁରୁତ୍ୱ ବହନ କରୁଛି। ବିଶେଷ କରି ନିକଟରେ ସରକାରୀ ପ୍ରୋତ୍ସାହନ ଓ ପୃଷ୍ଠପୋଷକତାରେ ସରିଥିବା ବିଶ୍ୱ ଓଡ଼ିଆ ସମ୍ମିଳନୀ ଓ ତା’ ପରର ଅବସ୍ଥାର ଏକ ପ୍ରତିଛବି ଏହି ଲେଖା ମାଧ୍ୟମରେ ମିଳୁଛି। ସେହିଭଳି ଯଦିଓ ଲେଖିକା ଏକ ଶିଶୁ ବା ଛୋଟ ପିଲାଟିଏ ମାଧ୍ୟମରେ କଥାଗୁଡ଼ିକ କହିଛନ୍ତି, ଲେଖାଗୁଡ଼ିକୁ ବୟସ୍କମାନେ ଗଭୀରତାର ସହ ନେବା ଉଚିତ ବୋଲି ମୋର ମତ। ଲେଖାଟି ଚମତ୍କାର ଓ ଭାବୋଦ୍ଦୀପକ ହୋଇଥିବାରୁ ଲେଖିକାଙ୍କୁ ଧନ୍ୟବାଦ ଜଣାଉଛି। ଏହିଭଳି ଲେଖା ଜାରି ରହୁ।