ପିଲାଙ୍କୁ ଜୀବନଯାକ ପଢ଼େଇ ପଢ଼େଇ ଆସିଲି ଯେ ମଣିଷର ବକ୍ତବ୍ୟର ସ୍ୱାଧୀନତା ଅଛି। ମୁଁ ନିଜେ କାହିଁକି ଲେଖିପାରିବି ନାହିଁ?
ବିଶିଷ୍ଟ ସାରସ୍ୱତ ପ୍ରତିଭାଧର ଅଧ୍ୟାପକ ବିଶ୍ୱରଞ୍ଜନ ଏକାଧାରରେ ଜଣେ କବି, ଗାଳ୍ପିକ, ଔପନ୍ୟାସିକ, ପ୍ରାବନ୍ଧିକ, ସମାଲୋଚକ, ସ୍ତମ୍ଭକାର, ସମ୍ପାଦକ ତଥା ସର୍ବୋପରି ଜଣେ ବାଗ୍ମୀ ପୁରୁଷ ଭାବରେ ସୁପରିଚିତ। ଓଡ଼ିଶାର ବିଭିନ୍ନ ସରକାରୀ ମହାବିଦ୍ୟାଳୟରେ ରାଜନୀତି ବିଜ୍ଞାନ ବିଭାଗରେ ଅଧ୍ୟାପନା କରି ସେ ୨୦୦୫ ମସିହାରେ ଅବସର ଗ୍ରହଣ କରିଛନ୍ତି। ତା’ଙ୍କ ଦ୍ୱାରା ରଚିତ ଅନେକ ପୁସ୍ତକ ପାଠକୀୟ ଆଦୃତି ପାଇଛି। ଏବେ ୭୭ ବର୍ଷ ବୟସରେ ମଧ୍ୟ ସେ ସକ୍ରିୟ ଭାବରେ ରଚନା-ପ୍ରବଣ। ତାଙ୍କ ସହିତ ବାର୍ତ୍ତାଳାପ କରିଥିଲେ ‘ସାହିତ୍ୟ ଚର୍ଚ୍ଚା’ର ସମ୍ପାଦକ ନିହାର ଶତପଥୀ।
ସାହିତ୍ୟ ଚର୍ଚ୍ଚା: ଆପଣ ନିଜର କୌଳିକ ସାଂଗିଆ ଟିକୁ ପରିତ୍ୟାଗ କରି, ତାହା ପରିବର୍ତ୍ତେ ନିଜ ନାମ ପୂର୍ବରୁ ‘ଅଧ୍ୟାପକ’ ବୋଲି ଯୋଡ଼ିବାକୁ କାହିଁକି ନିଷ୍ପତ୍ତି ନେଲେ?
ଅଧ୍ୟାପକ ବିଶ୍ୱରଂଜନ: ସରନେମ୍ଟା ହେଉଛି ଜାତିସୂଚକ। ଯେଉଁ ସମୟରେ ସମାଜବାଦୀ ଆନ୍ଦୋଳନ ଆରମ୍ଭ ହୋଇଥିଲା ସେତେବେଳେ ମୁଁ ଆଲାହାବାଦ ବିଶ୍ୱବିଦ୍ୟାଳୟରେ ପଢ଼ୁଥିଲି। ଦେଖିଲି ଯେ ସେଠାରେ ଅଧିକାଂଶଙ୍କର ନାମ ସହିତ ସାଂଗିଆ ନଥିଲା, ଯେମିତି କେବଳ ଚନ୍ଦ୍ରଶେଖର ବା ରାଜନାରାୟଣ; ଏପରିକି କେତେକ ପ୍ରଫେସରଙ୍କର ମଧ୍ୟ। ପୁରୀ କଲେଜରେ ମୋର ଯିଏ ଶିକ୍ଷକ ଥିଲେ ପ୍ରଫେସର ରାଧାମୋହନ ପଣ୍ଡା, ସିଏ ହୋଇଗଲେ ରାଧାମୋହନ। ତେଣୁ ମୁଁ ମଧ୍ୟ ବିଶ୍ୱରଞ୍ଜନ ମହାପାତ୍ରରୁ ଅଧ୍ୟାପକ ବିଶ୍ୱରଞ୍ଜନ ହେଲି।
ସାହିତ୍ୟ ଚର୍ଚ୍ଚା: ଏହା କ’ଣ ଜାତିବାଦ ବିରୁଦ୍ଧରେ ଏକ ପ୍ରତିବାଦ ଥିଲା?
ଅଧ୍ୟାପକ ବିଶ୍ୱରଂଜନ: ମହାପାତ୍ର ଓ ଦାସ – ଏମାନଙ୍କୁ କିଏ ଭାବନ୍ତି ବ୍ରାହ୍ମଣ, କିଏ କରଣ। ଏଭଳି ଗୋଟାଏ ଫିଲିଂ ଥାଏ। ତେଣୁ ସେଇଟା ଛାଡ଼ିଦେଲି।
ସାହିତ୍ୟ ଚର୍ଚ୍ଚା: ତେବେ ନିଜର ନାମଟି ପୂର୍ବରୁ ‘ଅଧ୍ୟାପକ’ ବୋଲି ଯୋଡ଼ିବା ଫଳରେ ଆପଣ ଆଉ ଗୋଟିଏ ବୃତ୍ତିଗତ ଜାତିରେ ନିଜକୁ ସାମିଲ କରାଇନେଲେ ନାହଁ କି?
ଅଧ୍ୟାପକ ବିଶ୍ୱରଂଜନ: ମୋ ବୋଉର ସ୍ୱପ୍ନ ଥିଲା, ମୋ ପୁଅଟା ଲେଖକଟେ ହୁଅନ୍ତା, କି ଅଧ୍ୟାପକ ହୁଅନ୍ତା! ସିଏ ଚାଲିଗଲା ଅଳ୍ପ ବୟସରେ। ତା’ର ସେହି ସ୍ୱପ୍ନଟା କିନ୍ତୁ ମୋର ମନେ ରହିଗଲା, ଯେ ମୁଁ ଅଧ୍ୟାପକ ହେବି।
ସାହିତ୍ୟ ଚର୍ଚ୍ଚା: ତେବେ ଜଣେ ଅଧ୍ୟାପକ ଭାବରେ ପରିଚିତ ହୋଇ ଆପଣ ବୋଧହୁଏ ଅଧିକ ଆନନ୍ଦ ପାଆନ୍ତି।
ଅଧ୍ୟାପକ ବିଶ୍ୱରଂଜନ: ଜଣେ ଅଧ୍ୟାପକ କେବଳ ପଢ଼ାଏନି, ପଢ଼ୁଥାଏ ମଧ୍ୟ। ଏଣୁ ଏଥିରେ ମୋ’ର ଆନନ୍ଦ। ମୋ’ର ଅତି ପ୍ରିୟ ହେଲେ ମୋ’ର ଶିକ୍ଷକ ଓ ଛାତ୍ରଛାତ୍ରୀ। ମୁଁ ସେମାନଙ୍କଠାରୁ ଶିଖେ। ଜଣେ ଅଧ୍ୟାପକ ତ ପ୍ରକୃତରେ କେବେ ହିଁ ଅବସର ନିଏନାହିଁ।
ସାହିତ୍ୟ ଚର୍ଚ୍ଚା: କଲେଜ ଚାକିରିରୁ ଅବସର ନେବାପରେ ମଧ୍ୟ ଆପଣ ଅଧ୍ୟୟନ ଓ ଅଧ୍ୟାପନାରୁ ବିରତି ନେଇନାହାନ୍ତି?
ଅଧ୍ୟାପକ ବିଶ୍ୱରଂଜନ: ୨୦୦୫ରେ କଲେଜରୁ ଅବସର ନେବାପରେ କିଛି କାଳ ଏକ ସମ୍ବାଦପତ୍ରର ସମ୍ପାଦନାରେ କଟିଲା। ତା’ପରେ ଅଡ଼ଶପୁର କଲେଜର ସ୍ନାତକୋତ୍ତର ଶ୍ରେଣୀରେ ଜଣେ ଅତିଥି-ଅଧ୍ୟାପକ ଭାବରେ ରାଜନୀତି ବିଜ୍ଞାନ ପଢ଼ାଉଥିଲି। ଏବେ ମଧ୍ୟ ‘ସମ୍ବାଦ ସ୍କୁଲ୍ ଅଫ୍ ସୋସିଆଲ ମିଡ଼ିଆ ଆଣ୍ଡ କଲ୍ଚର୍’ରେ ଗୋଟିଏ ପେପର୍ ପଢ଼ାଉଛି।
ସାହିତ୍ୟ ଚର୍ଚ୍ଚା: ଆପଣଙ୍କ ସାହିତ୍ୟିକ ଜୀବନକୁ ଦେଖିଲେ ଆମକୁ ଲାଗେ ଯେ ସାହିତ୍ୟର କୌଣସି ବିଭାଗକୁ ଆପଣ ନ ଛୁଇଁ ରହିନାହାନ୍ତି। କବିତା ହେଉ, କି ଉପନ୍ୟାସ ହେଉ, ଅବା ପ୍ରବନ୍ଧ ବା ସମାଲୋଚନା, ଏପରିକି ସ୍ତମ୍ଭ ରଚନା ସହିତ ମଧ୍ୟ ଆପଣ ସଂଶ୍ଲିଷ୍ଟ। ତେବେ କେଉଁ ଭାବରେ ଆପଣ ଅଧିକ ପରିଚିତ ହେବାକୁ ଚାହାନ୍ତି?
ଅଧ୍ୟାପକ ବିଶ୍ୱରଂଜନ: ସମସ୍ତଙ୍କର ଜୀବନ କବିତାରୁ ଆରମ୍ଭ ହୁଏ; ମୋ’ର ବି ହେଲା। ‘ମୀନାବଜାର’ ଭଳି କେତେକ ପତ୍ରିକାରେ ସେତେବେଳେ ଗଳ୍ପ ଓ କବିତା ଉଭୟ ଲେଖୁଥିଲି। ୭୪ ମସିହାରେ ମୋ’ର ପ୍ରଥମ ଗଳ୍ପ ବହି ବାହାରିଲା। ସେତେବେଳେ ‘ଝଙ୍କାର’ରେ ମଧ୍ୟ ଲେଖୁଥିଲି। କିନ୍ତୁ ମୁଁ ଯେହେତୁ ରାଜନୀତି ବିଜ୍ଞାନର ଜଣେ ଅଧ୍ୟାପକ, ଲକ୍ଷ୍ୟ କଲି ଯେ ଖବରକାଗଜଗୁଡ଼ିକରେ ସ୍ତମ୍ଭ ବୋଲି କିଛି ନ ଥାଏ, କେବଳ ହରେକୃଷ୍ଣ ମହତାବଙ୍କର ‘ଗାଁ ମଜଲିସ’ଟିକୁ ଛାଡ଼ି। ତେଣୁ ସ୍ତମ୍ଭ ଲେଖିବାରେ ମନୋନିବେଶ କଲି।
ସାହିତ୍ୟ ଚର୍ଚ୍ଚା: ତେଣୁ ଆପଣ ଜଣେ ସ୍ତମ୍ଭକାର ଭାବରେ ଅଧିକ ପରିଚିତ ଥିଲେ ସେତେବେଳେ!
ଅଧ୍ୟାପକ ବିଶ୍ୱରଂଜନ: ହଁ, ମୁଁ ଗଳ୍ପ ଅପେକ୍ଷା ସ୍ତମ୍ଭ ଲେଖିବା ପ୍ରତି ଅଧିକ ଦୃଷ୍ଟି ଦେଲି। କାରଣ ବହି ଅପେକ୍ଷା ସ୍ତମ୍ଭକୁ ବେଶି ଲୋକ ପଢ଼ୁଥିଲେ, ଏବଂ ପ୍ରଶଂସା ମଧ୍ୟ ତୁରନ୍ତ ମିଳୁଥିଲା। ତେଣୁ ଧୀରେ ଧୀରେ ଦେଖିଲି ଯେ ମୁଁ ଗାଳ୍ପିକରୁ ସ୍ତମ୍ଭକାର ହୋଇଗଲିଣି।
ସାହିତ୍ୟ ଚର୍ଚ୍ଚା: ବିଭିନ୍ନ ମଂଚରେ ଜଣେ ସୁବକ୍ତା ଭାବରେ ମଧ୍ୟ ଆପଣଙ୍କର ଅଛି ଆଉ ଏକ ପରିଚୟ।
ଅଧ୍ୟାପକ ବିଶ୍ୱରଂଜନ: ଗୋଟିଏ ସମୟ ଥିଲା, ଯେତେବେଳେ ଗୌରୀ କୁମାର ବ୍ରହ୍ମା, ରାଜକିଶୋର ରାୟ, ଶ୍ରୀରାମଚନ୍ଦ୍ର ଦାଶ, ଓ ତା’ପରେ ହୃଦାନନ୍ଦ ରାୟ, ମହାପାତ୍ର ନୀଳମଣି ସାହୁ – ଏମାନେ ପ୍ରଭାବଶାଳୀ ବକ୍ତା ଭାବରେ ଲୋକମାନଙ୍କ ମଧ୍ୟରେ ଅନେକ ଆଦୃତ ଥିଲେ। ଏବେ ଆମର ଜେନେରେସନ୍ରେ ବୋଧହୁଏ ସେମିତି କେହି ନାହାନ୍ତି, କେବଳ ଦାଶ ବେନହୁର ଓ ମୋତେ ଛାଡ଼ି। ତେଣୁ ଏବେ କହୁଛନ୍ତି, ‘ବାଗ୍ମୀ ବିଶ୍ୱରଞ୍ଜନ’। ମୁଁ ଭାବିଲି, ଏଇଟା କ’ଣ! ଇଏ ତ ଗୋଟିଏ ସ୍ଥାୟୀ ପରିଚୟ ନୁହଁ। ମୋତେ ଘରେ ମଧ୍ୟ କହିଲେ, ତୁମେ ଆଉ ଏତେ ଭାଷଣ ଦେବାପାଇଁ ଯାଅନାହିଁ। ଆରେ, ମୋତେ ଜଣେ ଡାକୁଛନ୍ତି ଯଦି, ଯିବିନାହିଁ କେମିତି?
ସାହିତ୍ୟ ଚର୍ଚ୍ଚା: ଏହା ଫଳରେ ବୋଧହୁଏ ଆପଣଙ୍କ ସାହିତ୍ୟ ରଚନା ଧିମେଇ ଯାଉଛି।
ଅଧ୍ୟାପକ ବିଶ୍ୱରଂଜନ: କବିତା ହେଉଛି ମୋ’ର ଅତି ପ୍ରିୟ। କବିତା ଅନେକ ପଢ଼େ, ଏବଂ ଛପା ହେଉ କି ନ ହେଉ କବିତା ଲେଖେ ମଧ୍ୟ ଅନେକ। ମୋତେ ଏମିତି କେହି କହୁ ବା ନ କହୁ, ମୁଁ କବିତାରେ ଥାଏ।
ସାହିତ୍ୟ ଚର୍ଚ୍ଚା: ଆଉ ଗୋଟିଏ କଥା ଆମର ମନକୁ ଆସେ; ଆପଣ ଜଣେ ବରିଷ୍ଠ ସାହିତ୍ୟିକ ହୋଇଥିବା ସତ୍ତ୍ୱେ ରାଜ୍ୟ ହେଉ ବା କେନ୍ଦ୍ର ସାହିତ୍ୟ ଏକାଡେମୀର ପୁରସ୍କାର ଆପଣଙ୍କ ପାଖରେ ଏ ପର୍ଯ୍ୟନ୍ତ ପହଞ୍ଚି ପାରିନାହିଁ। ଆପଣ ସାହିତ୍ୟ ରଚନାରେ ନିଜକୁ କେନ୍ଦ୍ରିତ ନ କରି ଅନ୍ୟ ବୌଦ୍ଧିକ ଦିଗଗୁଡ଼ିକ ସହିତ ଯେ ନିଜକୁ ଅଧିକ ସଂପୃକ୍ତ କଲେ, ଏହା ତାହାର ଗୋଟିଏ କାରଣ ହୋଇପାରେ କି?
ଅଧ୍ୟାପକ ବିଶ୍ୱରଂଜନ: ଆମେ ପାଠରେ ପଢ଼ିଥିଲୁ ଯେ ମଣିଷ ଏକ ସାମାଜିକ ପ୍ରାଣୀ; କିନ୍ତୁ ଆରିଷ୍ଟୋଟଲ୍ କହିଲେ ଯେ ‘ମ୍ୟାନ୍ ଇଜ୍ ଏ ପଲିଟିକାଲ୍ ଏନିମ୍ୟାଲ୍’। ତେଣୁ ମୁଁ ଲେଖିଲି ବହିଟିଏ, ‘ରାଜନୀତି ଭୋଗିବାର କାହାଣୀ’।
ସାହିତ୍ୟ ଚର୍ଚ୍ଚା: ଏମିତି ରାଜନୀତି ବିଷୟରେ ଲେଖିଲାବେଳେ ଆପଣ ଭାବନ୍ତିନି ଯେ ଏହାର ପରିଣାମ କ’ଣ ହେବ?
ଅଧ୍ୟାପକ ବିଶ୍ୱରଂଜନ: ମୁଁ ଏହାର ପରିଣାମ ଭୋଗିଛି। ‘ସମ୍ବାଦ’ ହେଉଛି ସୌମ୍ୟରଂଜନଙ୍କ ଖବରକାଗଜ। ସେ ହେଉଛନ୍ତି ସେବର ମୁଖ୍ୟମନ୍ତ୍ରୀ ଜାନକୀ ବଲ୍ଲଭ ପଟ୍ଟନାୟକଙ୍କ ଜ୍ୱାଇଁ। ଜାନକୀ ବାବୁ ମୁଖ୍ୟମନ୍ତ୍ରୀ ଥିବାବେଳେ ମୁଁ ‘ସମ୍ବାଦ’ରେ ଗୋଟିଏ ନିୟମିତ ସ୍ତମ୍ଭ ଲେଖୁଥିଲି। ସେଥିପାଇଁ ଯଥାଯୋଗ୍ୟ ପାଉଣା ମଧ୍ୟ ପାଉଥିଲି। ସେଥିରେ ଥରେ ଜାନକୀ ବାବୁଙ୍କୁ ସମାଲୋଚନା କରି କିଛି ଲେଖି ଦେଇଥିଲି। ଫଳରେ ମୋତେ ସରକାରଙ୍କ ‘ପଲିଟିକାଲ୍ ସର୍ଭିସେସ୍’ ବିଭାଗରୁ କୈଫିୟତ ତଲବ ହେଲା ଯେ, ମୁଁ ଗୋଟିଏ ସରକାରୀ ଚାକିରିରେ ଥାଇ ଏପରି କାହିଁକି ଲେଖିଲି?
ସାହିତ୍ୟ ଚର୍ଚ୍ଚା: ଆମେ ରାଜ୍ୟ ସାହିତ୍ୟ ଏକାଡେମୀ ପୁରସ୍କାର ବିଷୟରେ କଥା ହେଉଥିଲେ। ଆମେ ଶୁଣିଛୁ ଯେ ଥରେ ତିନିଜଣ ବିଚାରକଙ୍କ ମଧ୍ୟରୁ ଦୁଇଜଣ ଆପଣଙ୍କୁ ବହୁତ ଅଧିକ ଅଙ୍କ ଦେଇଥିଲେ। ମାତ୍ର ଜଣେ ଆପଣଙ୍କୁ ୨୦ରୁ ମାତ୍ର ୧ ନମ୍ବର ଦେବାରୁ ଆପଣ ସେ ବର୍ଷର ପୁରସ୍କାର ପାଇଲେ ନାହିଁ।
ଅଧ୍ୟାପକ ବିଶ୍ୱରଂଜନ: ଏ କଥାଟି ଅବଶ୍ୟ ମୁଁ ବହୁ ପରେ ଶୁଣିଲି। ଯେଉଁ ବିଚାରକ ମୋତେ ମାତ୍ର ୧ ନମ୍ବର ଦେଇଥିଲେ ସେ ଦିବଂଗତ ହେଲେଣି; ତାଙ୍କର ନାଁ କହିବା ଉଚିତ୍ ହେବନାହିଁ। ସେ ସେତେବେଳେ ରାଜ୍ୟ ସରକାରଙ୍କ ଜଣେ ପଦସ୍ଥ ଅଫିସର ଥିଲେ, ଜଣେ ଲେଖକ ମଧ୍ୟ।
ସାହିତ୍ୟ ଚର୍ଚ୍ଚା: ତାଙ୍କ ସହିତ କିଛି ମନୋମାଳିନ୍ୟ ହୋଇଥିଲା କି ଆପଣଙ୍କର?
ଅଧ୍ୟାପକ ବିଶ୍ୱରଂଜନ: ଥରେ ମଂଚରେ ତାଙ୍କର ଗୋଟିଏ ବକ୍ତବ୍ୟକୁ ସମାଲୋଚନା କରି କିଛି କହିଦେଇଥିଲି। ସେଥିରେ ସେ ଭୀଷଣ କ୍ଷୁବ୍ଧ ହୋଇଥିଲେ।
ସାହିତ୍ୟ ଚର୍ଚ୍ଚା: ଆପଣ ଅନେକ ସମୟରେ ନିଜର ଲେଖା ଓ ଭାଷଣମାନଙ୍କରେ ଆଣ୍ଟି-ଏଷ୍ଟାବ୍ଲିସମେଣ୍ଟ ଭଏସ୍ ରଖୁଥିବା ଆପଣ ସରକାରୀ ପୁରସ୍କାର ନ ପାଇବାର ଏକ କାରଣ ହୋଇପାରେ କି?
ଅଧ୍ୟାପକ ବିଶ୍ୱରଂଜନ: ହଁ, ତାହା ମଧ୍ୟ ଏକ କାରଣ।
ସାହିତ୍ୟ ଚର୍ଚ୍ଚା: ଆପଣଙ୍କ ଅଜସ୍ର ପାଠକ ଓ ପ୍ରଶଂସକଙ୍କର ଗୋଟିଏ ଅବସୋସ ଯେ ଆପଣ କୌଣସି ଆଖିଦୃଶିଆ ପୁରସ୍କାର ପାଇନାହାନ୍ତି।
ଅଧ୍ୟାପକ ବିଶ୍ୱରଂଜନ: ଆଉଥରେ ମଧ୍ୟ ଜଣେ ଗୋଟିଏ ସାକ୍ଷାତକାରରେ ମୋତେ ପଚାରିଥିଲେ, “ଆପଣ କୌଣସି ବଡ଼ ପୁରସ୍କାର ନ ପାଇବାର କାରଣ କ’ଣ?’
ସାହିତ୍ୟ ଚର୍ଚ୍ଚା: କ’ଣ ଥିଲା ଆପଣଙ୍କର ଉତ୍ତର?
ଅଧ୍ୟାପକ ବିଶ୍ୱରଂଜନ: ମୁଁ କହିଥିଲି ଯେ, ବଡ଼ ପୁରସ୍କାରର ମାନେ କ’ଣ? ବେଶି ପଇସା? ଯେଉଁମାନେ ଏସବୁ ପୁରସ୍କାର ପାଉଛନ୍ତି, ସେମାନେ ତ ପୂର୍ବରୁ ଏଥିପାଇଁ ନିଜର ବହି ଦାଖଲ କରୁଛନ୍ତି। ସେମାନେ ଜାଣନ୍ତି ଯେ ସେମାନେ ବିଚାରାଧୀନ, ଏଣୁ ଆଶା, ନିରାଶା ଭିତରେ ଦୋଦୁଲ୍ୟମାନ ହେଉଥାଆନ୍ତି।
ସାହିତ୍ୟ ଚର୍ଚ୍ଚା: ତେବେ ଆପଣଙ୍କର କ’ଣ କହିବାର କଥା ଯେ ପୂର୍ବରୁ ଆଶା କରିନଥିବା ପୁରସ୍କାରଟିଏ ପାଇଲେ ଲେଖକମାନଙ୍କୁ ପରମାନନ୍ଦ ମିଳେ?
ଅଧ୍ୟାପକ ବିଶ୍ୱରଂଜନ: ହଁ, ଏହା ଯେତେବେଳେ ଅପ୍ରତ୍ୟାଶିତ ଭାବରେ ଆସେ, ସେତେବେଳେ ଅନେକ ଖୁସି ମିଳେ। ଆଉ ଗୋଟିଏ କଥା, ପାଠକୀୟ ପ୍ରଶଂସା ହେଉଛି ପ୍ରକୃତ ପୁରସ୍କାର। ଅବଶ୍ୟ ପୂର୍ବେ ଓଡ଼ିଆ ଭାଷାରେ ବହିଟିଏ ପ୍ରକାଶ ପାଇଲେ ତାହାର ଅନ୍ତତଃ ୧୧୦୦ କପି ଛପାହେଉଥିଲା। ଏବେ ତ ୫୦ଟି ଛପା ହେଉଛି କି ନା ସନ୍ଦେହ।
ସାହିତ୍ୟ ଚର୍ଚ୍ଚା: ତେବେ ଏବେ ଜଣେ ଲେଖକ ପାଠକୀୟ ଆଦୃତି ପାଇବାର ଉପଯୁକ୍ତ ମାଧ୍ୟମ କ’ଣ ହୋଇପାରେ?
ଅଧ୍ୟାପକ ବିଶ୍ୱରଂଜନ: ଖବରକାଗଜ ଓ ପତ୍ରିକାମାନଙ୍କରେ ଲେଖା ପ୍ରକାଶ ପାଇଲେ ଲୋକେ ତାହାକୁ ସଙ୍ଗେ ସଙ୍ଗେ ପଢୁଛନ୍ତି, ଏବଂ ତୁରନ୍ତ ତାହାର ପାଠକୀୟ ପ୍ରତିକ୍ରିୟା ମଧ୍ୟ ଆସୁଛି।
ସାହିତ୍ୟ ଚର୍ଚ୍ଚା: ‘ରାଜନୀତି ଭୋଗିବାର କାହାଣୀ’ ନାମରେ ଆପଣଙ୍କର ଗୋଟିଏ ପ୍ରବନ୍ଧ ସଂକଳନ ଅଛି, ଯାହାର ଗୋଟିଏ ସମୀକ୍ଷା କିଛି ଦିନ ତଳେ ଆମର ପତ୍ରିକାରେ ପ୍ରକାଶିତ ହୋଇଥିଲା। ପୁସ୍ତକଟିର ଏମିତି ନାମକରଣ କଲେ କାହିଁକି?
ଅଧ୍ୟାପକ ବିଶ୍ୱରଂଜନ: ସେ ନାଁଟି ଦେଲି, କାହିଁକି ନା ଥରେ ଗୋଟିଏ ପ୍ରତିଷ୍ଠିତ ଖବରକାଗଜକୁ ଯେତେବେଳେ ଲେଖାଟିଏ ପଠାଇଲି ସେମାନେ କହିଲେ, “ସାର୍, ଆପଣ ଆଉ ରାଜନୀତି ବିଷୟରେ ଲେଖନ୍ତୁ ନାହିଁ। ଆପଣ ଜାଣିନାହାନ୍ତି ଆମ ଉପରେ କେତେ ପ୍ରେସର୍। ଆପଣ ଅନ୍ୟାନ୍ୟ ନନ୍-ପଲିଟିକାଲ୍ ବିଷୟରେ ଯାହା ଲେଖୁଚନ୍ତି, ଦିଅନ୍ତୁ।” ସେତେବେଳେ ମୁଁ ଭାବିଲି ଯେ, ମୁଁ ଗୋଟିଏ ରାଜନୈତିକ ପ୍ରାଣୀ, ତେଣୁ ରାଜନୀତି ଭୋଗିବି। ପିଲାଙ୍କୁ ଜୀବନଯାକ ପଢ଼େଇ ପଢ଼େଇ ଆସିଲି ଯେ ମଣିଷର ବକ୍ତବ୍ୟର ସ୍ୱାଧୀନତା ଅଛି। ମୁଁ ନିଜେ କାହିଁକି ଲେଖିପାରିବି ନାହିଁ?
ସାହିତ୍ୟ ଚର୍ଚ୍ଚା: ଆପଣ ରାଜନୀତି ଭଳି ଏକ ନିରସ ବିଷୟ ପରିବେଷଣ କରିବା ବେଳେ ମଧ୍ୟ ତାହା ମଧ୍ୟକୁ ସାହିତ୍ୟର କିଛି ଲକ୍ଷଣ ପ୍ରବେଶ କରିଯାଏ।
ଅଧ୍ୟାପକ ବିଶ୍ୱରଂଜନ: ସେ କଥା ଅନ୍ୟମାନେ ବି କହିଛନ୍ତି। ମୋ’ ସ୍ତମ୍ଭ ଭିତରେ ସାହିତ୍ୟର ସ୍ପର୍ଶ ରହିଥାଏ।
ସାହିତ୍ୟ ଚର୍ଚ୍ଚା: ଆପଣ ପୁରୀରେ ଥିବାବେଳେ ଅନାମ ଆନ୍ଦୋଳନ ସହିତ ସଂପୃକ୍ତ ଥିଲେ। ସେଥିରେ ବିଶେଷ ଭାବରେ ସକ୍ରିୟ ନ ଥିଲେ ମଧ୍ୟ ସେମାନଙ୍କର ସଭାରେ ଆପଣଙ୍କୁ ଦେଖିବାକୁ ମିଳୁଥିଲା। ଅନାମ କବିତାର ନୀତିଗୁଡିକୁ କ’ଣ ସେଥିରେ ଥିବା ସମସ୍ତ ସଦସ୍ୟ ପୂର୍ଣ୍ଣ ରୂପରେ ଗ୍ରହଣ କରିଥିଲେ?
ଅଧ୍ୟାପକ ବିଶ୍ୱରଂଜନ: ଗୋଟିଏ ନୀତି ଥିଲା ଯେ କେହି ସଦସ୍ୟ କୌଣସି ପୁରସ୍କାର ଗ୍ରହଣ କରିବେ ନାହିଁ। କିନ୍ତୁ ଯେଉଁମାନେ ଏଥିରେ ଥିଲେ, ପ୍ରାୟ ସମସ୍ତେ ପୁରସ୍କାର ଗ୍ରହଣ କରିଛନ୍ତି।
ସାହିତ୍ୟ ଚର୍ଚ୍ଚା: ଆପଣଙ୍କର ଗୋଟିଏ ଉପନ୍ୟାସର ପ୍ରସଙ୍ଗକୁ ଟିକିଏ ଆସିବା। ୨୦୦୬ ମସିହାରେ ଆପଣଙ୍କର ‘ଚକ୍ର’ ନାମରେ ଉପନ୍ୟାସଟିଏ ପ୍ରକାଶ ପାଇଥିଲା। ତା’ପୂର୍ବରୁ ଓଡ଼ିଶାର ରାଜନୈତିକ ଘଟଣାବଳୀ ଯେଉଁ ମୋଡ଼ ନେଇଥିଲା, ତାହାର ଏକ ଚିତ୍ର ଆପଣ ଏଥିରେ ଉପସ୍ଥାପନ କରିଛନ୍ତି।
ଅଧ୍ୟାପକ ବିଶ୍ୱରଂଜନ: ହଁ, ଏହା ସେହି ଘଟଣାବଳୀ ଉପରେ ଆଧାରିତ।
ସାହିତ୍ୟ ଚର୍ଚ୍ଚା: ଜେ.ଏନ୍.ୟୁରେ ପାଠପଢ଼ା ସାରି ସଦ୍ୟ ଫେରିଥିବା ସେହି ଉପନ୍ୟାସର ନାୟକ, ଅରବିନ୍ଦ ଲକ୍ଷ୍ୟ କରିଛି ଯେ ସେଇଟା ଓଡ଼ିଶାର ଘଡ଼ିସନ୍ଧି ବେଳ; ଗୋଟିଏ ଦଳର ସରକାର ଯାଇଛି, ଏବଂ ଅନ୍ୟ ଏକ ଦଳର ସରକାର ଆସିଛି। ସେତେବେଳର ପରିସ୍ଥିତିକୁ ଲକ୍ଷ୍ୟ କରି ଆପଣ ଯାହା ସୂଚାଇଛନ୍ତି, ତାହା ଆଜିର ଦିନରେ ମଧ୍ୟ ଓଡ଼ିଶାର ରାଜନୀତି ପାଇଁ ପ୍ରଯୁଜ୍ୟ ନୁହେଁ କି!
ଅଧ୍ୟାପକ ବିଶ୍ୱରଂଜନ: ଏବେ ବି ତାହାର ପ୍ରାସଙ୍ଗିକତା ଅଛି। ୨୦୦୦ ମସିହାରେ ଅବସ୍ଥା ଯାହା ଥିଲା, ୨୦୨୪ରେ ସେଥିରେ ମଧ୍ୟ ବିଶେଷ କିଛି ପରିବର୍ତ୍ତନ ଘଟିନାହିଁ।
ସାହିତ୍ୟ ଚର୍ଚ୍ଚା: ଆପଣ ୨୦୦୮ରୁ ୪ ବର୍ଷ କାଳ ‘ଖବର’ ନାମକ ସମ୍ବାଦପତ୍ରର ସମ୍ପାଦକ ଭାବରେ ମଧ୍ୟ କାର୍ଯ୍ୟ କରିଛନ୍ତି। କ’ଣ ଥିଲା ଆପଣଙ୍କ ଅନୁଭୂତି?
ଅଧ୍ୟାପକ ବିଶ୍ୱରଂଜନ: ସ୍ୱର୍ଗତ ପ୍ୟାରୀମୋହନ ମହାପାତ୍ରଙ୍କ ଦିଗଦର୍ଶନରେ କାର୍ଯ୍ୟ କରିବା ମୋ ପାଇଁ ଥିଲା ଏକ ଅପୂର୍ବ ଅନୁଭବ। ତାଙ୍କର ଶୃଙ୍ଖଳାଜ୍ଞାନ ଓ ସମୟାନୁବର୍ତ୍ତିତାର ତୁଳନା ନାହିଁ। ଅବଶ୍ୟ ଏହି ଖବର କାଗଜର ସମ୍ପାଦକ ଭାବରେ ମୁଁ ଯେମିତି ସ୍ୱାଧୀନତାର ଆଶା କରୁଥିଲି ତାହା ଶେଷ ପର୍ଯ୍ୟନ୍ତ ମୋତେ ମିଳିପାରିନଥିଲା।
ସାହିତ୍ୟ ଚର୍ଚ୍ଚା: ଆଜିର ଏହି ସାର୍ଥକ ବାର୍ତ୍ତାଳାପଟି ପାଇଁ ଆପଣଙ୍କୁ ଅନେକ ଧନ୍ୟବାଦ।
(‘ସାହିତ୍ୟ ଚର୍ଚ୍ଚା’ ପତ୍ରିକାର ଏପ୍ରିଲ, ୨୦୨୪ ସଂଖ୍ୟାରେ ପ୍ରକାଶିତ।)
ଅଧ୍ୟାପକ ବିଶ୍ୱରଂଜନଙ୍କ ଜୀବନ ଏବଂ ସାରସ୍ୱତ ସାଧନା ଉପରେ ବିସ୍ତୃତ ତଥ୍ୟ ମିଳିଲା। ତାଙ୍କ ଜୀବନରେ ଘଟି ଯାଇଥିବା ଅନେକ ଅକୁହା କଥା ଏହି ସାକ୍ଷାତକାର ମାଧ୍ୟମରେ ପ୍ରକାଶ କରିଛନ୍ତି। ସାକ୍ଷାତକାରଟି ଖୁବ୍ ଆକର୍ଷଣୀୟ ହୋଇଛି।
ବିଶିଷ୍ଟ ସ୍ତମ୍ଭକାର ଙ୍କ ସହ ସାରସ୍ୱତ ସାକ୍ଷାତକାରଟି ଶିକ୍ଷଣୀୟ. ବାସ୍ତବିକ ଏହିପରି ପ୍ରଥିତଯଶା ସ୍ରଷ୍ଟାଙ୍କ ପାଇଁ ହିଁ ଓଡ଼ିଆ ଭାଷା ସାହିତ୍ୟ ବଞ୍ଚି ରହିପାରିଛି.
ଅଧ୍ୟାପକ ଶ୍ରୀ ବିଶ୍ବରଂଜନ ଙ୍କ ସହିତ ସାକ୍ଷାତକାର ମାଧ୍ୟମରେ ତାଙ୍କ ଜୀବନର ଆଦର୍ଶ, ଅନୁଭୂତି ତଥା ଅକୁହା କଥାକୁ ପାଠକ ମାନଙ୍କ ପାଖରେ ପରଶି ଦେଇଥିବାରୁ ସାହିତ୍ୟ ଚର୍ଚ୍ଚା ପତ୍ରିକାର ସମ୍ପାଦକ ତଥା କର୍ମକର୍ତ୍ତାଙ୍କୁ ପ୍ରଶଂସା,ପ୍ରେରଣା,ଉତ୍ସାହ ଓ ଶୁଭେଚ୍ଛା ଜଣାଉଛୁ । ଉଦ୍ୟମ ଅବ୍ୟାହତ ରହୁ ଅନୁରୋଧ ସହ ପତ୍ରିକାର ଉନ୍ନତି ଓ ପାଠକପ୍ରିୟ ହେଉ
କାମନା ସହ….
ଜିତେନ୍ଦ୍ର କୁମାର ମହାନ୍ତି
ସ୍ପଷ୍ଟବାଦୀ । ଭଲ ଲାଗିଲା।
ଅଧ୍ୟାପକ ବିଶ୍ୱରଂଜନ ଙ୍କ ସହ ଆଳାପ ବଢ଼ିଆ ହୋଇଛି। ସମ୍ପାଦକ ମହୋଦୟଙ୍କୁ ଧନ୍ୟବାଦ।
ଅଧ୍ୟାପକ ବିଶ୍ବରଞ୍ଜନ ସାରଙ୍କର ସ୍ପଷ୍ଟବାଦୀତା ଖୁବ ଲାଗିଲା।
ସାହିତ୍ଯ ଚର୍ଚ୍ଚା ର ସଂପାଦକ ମହାଶୟଙ୍କର ପ୍ରଶ୍ନ ଉତ୍ତର ମାଧ୍ୟମରେ ତାଙ୍କ ବିଷୟରେ ଅନେକ କିଛି ଜାଣିବାକୁ ମିଳିଲା। ସେଥିପାଇଁ ସଂପାଦକ ମହାଶୟଙ୍କୁ ଅନେକ ଧନ୍ୟବାଦ।