କାନ୍ତକବି ୧୯୫୩ ଯାଏ ବଂଚିଥିବା ଭିତରେ କେତେଥର ଏ ଗୀତର ଶୀର୍ଷକ ବଦଳାଇଛନ୍ତି ଏବଂ ଗୀତ ଭିତରର ଶବ୍ଦକୁ ମଧ୍ୟ ବଦଳାଇଛନ୍ତି।
ଦିନ ଦିନ, ମାସ ମାସ, ବର୍ଷ ବର୍ଷ ଧରି ସାରା ଓଡ଼ିଶାରେ ଯେଉଁ କେତେଗୋଟି ଗୀତ ବା ସଙ୍ଗୀତ ଲକ୍ଷ ଲକ୍ଷ କଣ୍ଠରେ ନିନାଦିତ, ତା’ ଭିତରେ ଅଛି କାନ୍ତକବି ଲକ୍ଷ୍ମୀକାନ୍ତ ମହାପାତ୍ରଙ୍କ ଦ୍ୱାରା ରଚିତ ସଙ୍ଗୀତ, “ବନ୍ଦେ ଉତ୍କଳ ଜନନୀ”। ସୁଖର କଥା ଓଡ଼ିଶାର ଗୋଟିଏ ମାତ୍ର ଗୀତ ଯାହା ସର୍ବାଧିକ କଣ୍ଠରେ ପ୍ରାର୍ଥନା ସଙ୍ଗୀତ ଭାବରେ ଅନୁରଣିତ ହୁଏ, ତାହା ହେଉଛି, ରାମକୃଷ୍ଣ ନନ୍ଦଙ୍କ ଦ୍ୱାରା ଲିଖିତ ପ୍ରାର୍ଥନା, “ଆହେ ଦୟାମୟ ବିଶ୍ୱବିହାରୀ”। ସେହିଭଳି ଓଡ଼ିଶା କାହିଁକି ସାରା ଭାରତ ତଥା ଭାରତ ବାହାରେ ଜନପ୍ରିୟ ହୋଇପାରିଥିବା ଅନନ୍ୟ ସୁଗମ ସଙ୍ଗୀତଟି ହେଉଛି ମିତ୍ରଭାନୁ ଗୌନ୍ତିଆଙ୍କ ଦ୍ୱାରା ସମ୍ବଲପୁରୀ-ଓଡ଼ିଆରେ ଲିଖିତ “ରଙ୍ଗବତୀ” ଗୀତ।
ମାତ୍ର ମାନିବାକୁ ପଡ଼ିବ ଯେ “ବନ୍ଦେ ଉତ୍କଳ ଜନନୀ” ଯେମିତି ଗମ୍ଭୀର ଓ ସମ୍ଭ୍ରାନ୍ତ, ତା’ଠାରୁ ବଳି ଅଧିକ ଅନ୍ତରଙ୍ଗ ତଥା ମର୍ଯ୍ୟାଦାବନ୍ତ। ପ୍ରତିଟି ଓଡ଼ିଆର ପ୍ରାଣସ୍ପନ୍ଦନକୁ ଏ ଗୀତଟି ଅତୁଳନୀୟ ଭାବେ ଉଚ୍ଚାଟିତ କରେ। ସେଥିରେ ଭରି ରହିଛି ଓଡ଼ିଆ ପ୍ରାଣପ୍ରାଚୁର୍ଯ୍ୟ ତଥା ଭାବସମ୍ଭାରର ଅବିସ୍ମରଣୀୟ ଚିତ୍ରପଟ। ଗୀତଟିକୁ ଗାଇ ବସିଲେ ଆପେ ସାଧାରଣ ଓଡ଼ିଆଟିର ଚେତନା ଉତ୍ତରିତ ହୋଇ ଉଠେ, ସ୍ୱର ପାଲଟିଯାଏ ଜଳଦ ଗମ୍ଭୀର। କୋଟି କୋଟି ଓଡ଼ିଆଙ୍କର ମର୍ମସ୍ୱର ପାଲଟି ତାହା ଆଜି ସ୍ୱୀକୃତ ହୋଇଛି ରାଜ୍ୟ-ସଙ୍ଗୀତ ଭାବେ। ଓଡ଼ିଆ ଜାତିର ଜାତୀୟ ବନ୍ଦନା ଏକ କାଳଜୟୀ ସୃଷ୍ଟି।
ଅନ୍ତର୍ଭେଦୀ ଉଚ୍ଚାରଣ
ମାତ୍ର ଛଅ ପଦର ଗୀତ। କି ଶବ୍ଦ-ଗୁମ୍ଫନ! କି ମାଧୁର୍ଯ୍ୟ! ସର୍ବୋପରି କି ଭାବସଞ୍ଚାରିଣୀ! ଓଡ଼ିଶାର ଭୂଚିତ୍ରରୁ ଆରମ୍ଭ କରି, ଓଡ଼ିଶୀ କଳାକୁଶଳତା, ଅତୀତର ଗୌରବରାଜି ଆଦି ସମସ୍ତ ସମାହିତ ହୋଇ ରହିଛି ଗୋଟିକ ପରେ ଗୋଟିଏ ପଦରେ। “ବିଶ୍ୱଭୂମଣ୍ଡଳ-କୃତବର ସ୍ନେହା, ଜନନୀ, ଜନନୀ, ଜନନୀ।” ଅତୀତରେ ୧୯୧୨ ମସିହାରେ “ଉତ୍କଳ ସମ୍ମିଳନୀ” ମଣ୍ଡପରେ ଗାନ କରାଯିବା ପରେ ଆପେ ଯେମିତି ସମଗ୍ର ଗୀତଟି ପାଲଟିଗଲା ପରିଚୟ ସାଉଁଟୁଥିବା ଓଡ଼ିଆ ଜାତିର ତଥା ଓଡ଼ିଶା ମାଟିର ଅନ୍ତର୍ଭେଦୀ ଉଚ୍ଚାରଣ ହୋଇ। କିଏ କହେ ଯୁବକ ଲକ୍ଷ୍ମୀକାନ୍ତଙ୍କ ଏ ଅମୃତବର୍ଷୀ ସୃଷ୍ଟି ସମ୍ଭାରର ଅସଲ ପ୍ରଚୋଦକ ବ୍ୟାସକବି ଫକୀର ମୋହନ ସେନାପତି ତ କିଏ କହେ ଉତ୍କଳ ଗୌରବ ମଧୁସୂଦନ। ୧୯୦୩ରେ ପ୍ରତିଷ୍ଠିତ ଉତ୍କଳ ସମ୍ମିଳନୀ ପାଇଁ ମଧୁସୂଦନଙ୍କ ଅନୁରୋଧରେ ଯେ କବିବର ରାଧାନାଥ ରାୟ ୧୯୦୭ରେ ଉଦ୍ବୋଧନୀ ଭାରତ-ବନ୍ଦନା, “ସର୍ବେସାଂ ନୋ ଜନନୀ, ଭାରତ ଧରଣୀ” ରଚନା କରିଥିଲେ ତାହା ଅନସ୍ୱୀକାର୍ଯ୍ୟ। ୧୯୦୩ ବେଳକୁ ଉତ୍କଳ ଛିନ୍ନମସ୍ତା, ବିଖଣ୍ଡିତଦେହା, ଭୂଲୁଣ୍ଠିତା। ତା’କୁ ସାଉଁଟି, ଗୋଟେଇ ଭୌଗୋଳିକ ତଥା ରାଜନୈତିକ ଭୂମିକା ଦେବାରେ କୁଳବୃଦ୍ଧ ଉତ୍କଳଗୌରବଙ୍କର ଅବଦାନକୁ କିଏ ବା ଅସ୍ୱୀକାର କରିବ? ଅତଏବ ମଧୁସୂଦନ ହିଁ ଥିଲେ ଏ ଉତ୍କଳ ଭାବନାକୁ ସ୍ୱର୍ଣ୍ଣିମ, ସମୁଜ୍ଜ୍ୱଳ କରିବା ପଛର ସର୍ବାଧିକ ଅଗ୍ରଣୀ ବ୍ୟକ୍ତିତ୍ୱ।
ସ୍ୱତନ୍ତ୍ର ଉତ୍କଳ ପ୍ରଦେଶ ହେଲା ୧୯୩୬ରେ। ରାଜନୈତିକ ସଂଗଠନର ପ୍ରାଦେଶିକ ମାନ୍ୟତା ପାଇ ଜାତୀୟ କଂଗ୍ରେସ ଦ୍ୱାରା ଉତ୍କଳ ପ୍ରଦେଶ କଂଗ୍ରେସ ସଂଗଠନ ଗଢ଼ାଗଲା ୧୯୨୧ରେ। ମାତ୍ର ୧୮୮୧ରେ ମଧୁସୂଦନ କଟକ ଫେରୁ ଫେରୁ ଶତାବ୍ଦୀ ପୁରୁଷ ଗୌରୀଶଙ୍କର ରାୟଙ୍କ ସହ ମିଶି ୧୮୮୨ରେ ଆରମ୍ଭ କରିଦେଇଥିଲେ “ଉତ୍କଳ ସଭା”। ସମ୍ରାଟ ପଞ୍ଚମ ଜର୍ଜଙ୍କ ସ୍ୱାଗତ ଲାଗି ରବୀନ୍ଦ୍ରନାଥ ଠାକୁର ୧୯୧୧ରେ ଯେଉଁ ୫ ଅଧ୍ୟାୟ ବିଶିଷ୍ଟ ସ୍ୱାଗତ ସଙ୍ଗୀତଟି ରଚନା କରିଥିଲେ ତା’ର ପ୍ରଥମ ଅଧ୍ୟାୟଟି ଆଜି ସ୍ୱାଧୀନ ଭାରତବର୍ଷର ଜାତୀୟ ସଙ୍ଗୀତ। ସେଥିରେ ଭାରତର ଭୂମିଛବି ସଂକ୍ରାନ୍ତରେ ଉଲ୍ଲେଖ କରିବାକୁ ଯାଇ ସେ ଲେଖିଛନ୍ତି – “ପଞ୍ଜାବ, ସିନ୍ଧୁ, ଗୁଜୁରାଟ, ମରାଠା, ଦ୍ରାବିଡ଼, ଉତ୍କଳ, ବଙ୍ଗ।” ସେଥିରେ ସେତେବେଳକୁ ଭାରତରେ ମୁଣ୍ଡ ଟେକି ସାରିଥିବା କେତେ କେତେ ପ୍ରଦେଶ ସ୍ଥାନ ପାଇ ନାହାନ୍ତି। “ଓଡ଼ିଶା” ଶବ୍ଦ କି “କଳିଙ୍ଗ” ଶବ୍ଦ ସୁଦ୍ଧା କବିଗୁରୁଙ୍କ ମନକୁ ଆସିନାହିଁ, ଆସିଛି “ଉତ୍କଳ”।
କ’ଣ ଏମିତି ଥିଲା ଉତ୍କଳର ବୈଶିଷ୍ଟ୍ୟ? କିଏ ଏ ଅବହେଳିତ, ବିମଥିତ, ବିମର୍ଦ୍ଦିତ ମାଟିର ପରିଚୟ ୧୯୧୦, ୧୧ ବେଳକୁ ଟେକି ଧରିଥିଲା ଯେ ତା’ର ବୈଶିଷ୍ଟ୍ୟ ପ୍ରତି ଏ ମହାଯଶା କବି ସଚେତନ ହୋଇ ଉଠିଥିଲେ। ୧୯୨୦ରେ ନାଗପୁର ଅଧିବେଶନ ଯାଏ କଂଗ୍ରେସ ସୁଦ୍ଧା ଚିହ୍ନି ନ ଥିଲା ଉତ୍କଳକୁ।
ଗୀତ ପଛର କବିଜୀବନ
୧୯୧୨ରେ ଲକ୍ଷ୍ମୀକାନ୍ତଙ୍କ ରଚିତ “ବନ୍ଦେ ଉତ୍କଳ ଜନନୀ”, ଉତ୍କଳ ସମ୍ମିଳନୀ ମଣ୍ଡପରେ ଗାନ କରାଯାଇଥିବା ଇତିହାସ ସମ୍ମତ। ସେ ଲେଖା କାହାର ପ୍ରେରଣାରେ ରୂପ ପାଇଥିଲା ତା’ର ଆଲୋଚନା ନିରର୍ଥକ। ବାଲେଶ୍ୱର “ଉତ୍କଳ ସମ୍ମିଳନୀ” ମଣ୍ଡପରେ ଗାନ କରାଯାଇଥିଲା କି ପୁରୀରେ ତାହା ମଧ୍ୟ ଗୁରୁତ୍ୱହୀନ। ସବୁଠାରୁ ବଡ଼ କଥା ହେଉଛି ଏ ଗୀତ ଲେଖା ପଛର କବି-ଜୀବନ କଥା।
କାନ୍ତକବି ଲକ୍ଷ୍ମୀକାନ୍ତ ମହାପାତ୍ରଙ୍କ ଜନ୍ମ ୧୮୮୮ରେ। ବହୁ ପରେ ବନ୍ଧୁ ଲକ୍ଷ୍ମୀନାରାୟଣ ସାହୁଙ୍କ ମୁହଁକଥାରେ ସେ ସାରା ଓଡ଼ିଶାରେ ଗୃହୀତ ହୋଇଥିଲେ କାନ୍ତକବି ଭାବେ। କେଉଁ ଗଜପତି କି ବିଲାତି ସରକାର ବା ମହତ ସଙ୍ଗଠନ ତାଙ୍କୁ ଏ ଉପାଧି ଦେଇନାହିଁ। ୧୯୧୨ରେ ଗାନ କରାଯାଇଥିବା ଗୀତଟି ୧୯୧୧ରେ ବି ଲେଖାଯାଇ ଥାଇପାରେ। କେମିତି ଜାଣିବା? ୧୯୧୨କୁ ରଚନାର ସମ୍ବତ୍ସର ବୋଲି ଧରିଲେ ଲକ୍ଷ୍ମୀକାନ୍ତ ସେତେବେଳକୁ ୨୪ ବର୍ଷର ଯୁବକ। କାରଣ ୧୮୮୮ରେ ଶେଷ ମାସ ଡିସେମ୍ବର ସେ ଜନ୍ମିତ। ବାଲେଶ୍ୱର ଜିଲ୍ଲା ସ୍କୁଲରୁ ୧୯୦୭ରେ ଆଜିର ମାଟ୍ରିକ ବା ଏଣ୍ଟ୍ରାନ୍ସ ପାସ୍। ୧୯୧୧ରେ ରେଭେନ୍ସା କଲେଜରୁ ଆଇ.ଏ.। ପରେ କଲିକତା ଯାଇ ରିପନ୍ କଲେଜରେ ବି.ଏ. ପଢ଼ିଲେ। ସେଠାରୁ ଚାଲି ଆସି ରେଭେନ୍ସା କଲେଜରେ ପରୀକ୍ଷା ଦେଇ ୧୯୧୩ରେ ବି.ଏ. ପାସ୍ କଲେ।
ଅସଲ ରୂପରେଖ
ଆମ ପାଇଁ ଦୁଇଟି କଥା ଗୁରୁତ୍ୱପୂର୍ଣ୍ଣ। ୧୯୧୨ର ସମୟ ଏବଂ ବନ୍ଦେ ଉତ୍କଳ ଜନନୀ ସଂଗୀତର ଅସଲ ରୂପରେଖ।
୧୯୬୪ରେ ପ୍ରକାଶିତ ‘କାନ୍ତ ସାହିତ୍ୟମାଳା’ ପ୍ରଥମ ଖଣ୍ଡରୁ ଜଣାଯାଏ – “୧୯୧୨ରେ ତତ୍କାଳୀନ ସମ୍ରାଟ୍ ପଞ୍ଚମ ଜର୍ଜଙ୍କର ଅଭିଷେକ ଉତ୍ସବ ଉପଲକ୍ଷେ ଆମୋଦପ୍ରମୋଦ କରିବାକୁ ପ୍ରଚୁର ଅର୍ଥ ମିଳିଥିଲା। ଅନ୍ୟାନ୍ୟ ଆମୋଦପ୍ରମୋଦ ସହ ଓଡ଼ିଆ ନାଟକଟିଏ କରାଇବାକୁ ସ୍ଥିର କରାଯାଇଥିଲା। ଏଥିପୂର୍ବରୁ କଟକରେ ଓଡ଼ିଆ ନାଟକ ସାଧାରଣରେ କେବେ ହେଲେ ମଞ୍ଚସ୍ଥ କରାଯାଇ ନ ଥିଲା। ଓଡ଼ିଆ ଭାଷାରେ ଥିଏଟର କରିବା ସମ୍ଭବପର ନୁହେଁ ବୋଲି ସେତେବେଳେ ଲୋକଙ୍କର ଗୋଟିଏ ଭ୍ରମ ଧାରଣା ରହିଥିଲା। ……. ରାମଶଙ୍କରଙ୍କ କାଞ୍ଚି-କାବେରୀ ନାଟକ ଅଭିନୀତ ହେବାର ସ୍ଥିର କରାଗଲା। ଅଭିନୟ ଓ ସଙ୍ଗୀତ ନିର୍ଦ୍ଦେଶନାର ଭାର ଯଥାକ୍ରମେ ଗୋବିନ୍ଦ ଚନ୍ଦ୍ର ଶୂରଦେଓ ଓ ଲକ୍ଷ୍ମୀକାନ୍ତଙ୍କ ଉପରେ ପଡ଼ିଥିଲା। …. ସଙ୍ଗୀତ ରଚନା ତଥା ସ୍ୱର ସଂଯୋଜନାରେ ଲକ୍ଷ୍ମୀକାନ୍ତ ସିଦ୍ଧ ଥିବାରୁ ତାଙ୍କୁ ଏ ଅଭିନୟରେ କେତେଗୋଟି ଗୀତ ଏକକ ଭୂମିକାରେ ଗାଇବାକୁ ପଡ଼ିଥିଲା।”
ଅତଏବ ଅନୁମାନ ସାପେକ୍ଷ ଯେ କଲିକତାରୁ ୧୯୧୨ ବେଳକୁ ଫେରି ଆସି ଲକ୍ଷ୍ମୀକାନ୍ତ ସାରା ୧୯୧୨ ବର୍ଷଟି କଟକରେ ଥିଲେ ଓ ୧୯୧୩ରେ ବି.ଏ. ପରୀକ୍ଷା ଦେଇ କୃତକାର୍ଯ୍ୟ ହୋଇଥିଲେ। ଏହି ୧୯୧୩ଠାରୁ ସେ କୁଷ୍ଠରୋଗ ଗ୍ରସ୍ତ ହୋଇ ଚିକିତ୍ସା ସକାଶେ ଦେଢ଼ ବର୍ଷ କାଳ କଲିକତାର ବିଶିଷ୍ଟ କୁଷ୍ଠରୋଗ ବିଶେଷଜ୍ଞ ଡ. ରୋଜର୍ଙ୍କ ତତ୍ତ୍ୱାବଧାନରେ ରହିଥିଲେ।
ଲକ୍ଷ୍ମୀକାନ୍ତ ତାଙ୍କ ଜୀବନକାଳରେ ସାହିତ୍ୟର ବିଭିନ୍ନ ବିଭାଗରେ କଲମ ଚାଳନା କରିଛନ୍ତି। ଯଥା : “ରସ ସାହିତ୍ୟ”, “ନାଟ୍ୟ ସାହିତ୍ୟ”, “ପ୍ରବନ୍ଧ ସାହିତ୍ୟ”, କାବ୍ୟ ସାହିତ୍ୟ”, “ବାଳ ସାହିତ୍ୟ”, “କଥା ସାହିତ୍ୟ” ଓ “ସ୍ୱର ସାହିତ୍ୟ”। ସ୍ୱର ସାହିତ୍ୟରେ ଅଛି ଦୁଇଟି ଜଣାଣ ଓ ଦୁଇଟି ସଙ୍ଗୀତ ପୁସ୍ତକ ଯଥା : “ଜୀବନ ସଙ୍ଗୀତ” ସଙ୍କଳନ ଓ “ଜାତୀୟ ସଙ୍ଗୀତ” ସଂକଳନ। ଏହି ଜାତୀୟ ସଙ୍ଗୀତ ସଙ୍କଳନର ପ୍ରଥମ ସଙ୍ଗୀତଟି ହେଉଛି “ବନ୍ଦେ ଉତ୍କଳ ଜନନୀ”। କେହି କେହି ଯୁକ୍ତି କରନ୍ତି ଯେ ପ୍ରଥମେ ଏ ସଙ୍ଗୀତଟିର ଶୀର୍ଷକ ଥିଲା “ଜନନୀ”। ମନେ ରଖିବା ଆବଶ୍ୟକ ଯେ ସ୍ରଷ୍ଟା ୧୯୫୩ ଯାଏ ବଂଚିଥିବା ଭିତରେ କେତେଥର ଏ ଗୀତର ଶୀର୍ଷକ ବଦଳାଇଛନ୍ତି ଏବଂ ଗୀତ ଭିତରର ଶବ୍ଦକୁ ମଧ୍ୟ ବଦଳାଇଛନ୍ତି। ଏପରି ପରିବର୍ତ୍ତନ ଲେଖକ ବା କବିଙ୍କର ନିଜସ୍ୱ ବିଚାରର କଥା। ତେବେ ଆମକୁ ଶେଷତମ କଥାଟିକୁ ଦେଖିବାକୁ ପଡ଼ିବ ଓ ଗ୍ରହଣ କରିବାକୁ ପଡ଼ିବ। ଶେଷ କଥା ହେଲା ଆନୁମାନିକ ୧୯୧୨ରେ ରଚିତ ଏ ସଙ୍ଗୀତର ଶୀର୍ଷକ “ବନ୍ଦେ ଉତ୍କଳ ଜନନୀ”।
ସ୍ୱର ସଂଯୋଜନା
ସଙ୍ଗୀତର ଅସଲ ରୂପରେଖରେ ସ୍ୱର ସଂଯୋଜନାର ଭୂମିକା ତାତ୍ପର୍ଯ୍ୟପୂର୍ଣ୍ଣ। ନିଜେ ଲକ୍ଷ୍ମୀକାନ୍ତ ଏ ସଙ୍ଗୀତଟିର ସ୍ୱର ସାଧିଥିଲେ। ତାହା ୧୯୩୨ରେ ଗୋକୁଳ ମହାନ୍ତିଙ୍କ ଦ୍ୱାରା ପ୍ରଥମେ ରେକର୍ଡ ହୋଇଥିବା ତାଳ, ଲୟ, ପଦ ତଥା ଉଚ୍ଚାରଣରୁ ବୁଝିନେଇ ହେବ। ଆଧୁନିକ ସମୟରେ ସଙ୍ଗୀତ ସୁଧାକର ବାଳକୃଷ୍ଣ ଦାଶ ଏହାର ସ୍ୱର ସଂଯୋଜନା କରିଛନ୍ତି। ଏଇଠି ସ୍ମରଣ ରଖିବା ଆବଶ୍ୟକ ଯେ ସ୍ୱର-ନିର୍ଦ୍ଦେଶକ ଗୀତଟିକୁ ଗାଇବା ଲାଗି ନିର୍ଦ୍ଦେଶ ଦେଲାବେଳେ ଲାଳିତ୍ୟ ଦିଗରୁ ଗୋଟିଏ ଗୋଟିଏ ଶବ୍ଦର ଏକାଧିକବାର ଉଚ୍ଚାରଣ କରିଥାନ୍ତି। ଏହା ନିର୍ଦ୍ଦେଶକଙ୍କ ସ୍ୱାଧୀନ ବିଚାର ପରିସର କଥା। ଧରାଯାଉ ପ୍ରଥମ ପଦର ପ୍ରଥମ ଧାଡ଼ି – “ପୂତ-ପୟୋଧି-ବିଧୌତ-ଶରୀରା”। ଏଥିରେ ଅଛି ୧୧ଟି ଅକ୍ଷର। ସେମିତି ଦ୍ୱିତୀୟ ପଦର ପ୍ରଥମ ଧାଡ଼ିରେ ଅଛି – “ଘନ ବନଭୂମି ରାଜିତ ଅଙ୍ଗେ”। ଏଠାରେ ବି ୧୧ଟି ଅକ୍ଷର। ମାତ୍ର ସଙ୍ଗୀତ ନିର୍ଦ୍ଦେଶକ ଶ୍ରୀ ଦାଶ ଗାନ କରାଇବା ବେଳେ “ଘନ ବନଭୂମି” ସ୍ଥାନରେ ଶବ୍ଦ-ବୋଧର ଲାଳିତ୍ୟ ଲାଗି “ଘନଘନ ବନଭୂମି” କରାଇଛନ୍ତି। ଏଥିରେ ଶବ୍ଦ-ଅସଙ୍ଗତି ଥାଇପାରେ ହେଲେ ସ୍ୱର-ଅସଙ୍ଗତି ନାହିଁ। ତେଣୁ ଗ୍ରହଣୀୟ ହେବାରେ ଅସୁବିଧା ନାହିଁ।
“ବନ୍ଦେ ଉତ୍କଳ ଜନନୀ” ସଙ୍ଗୀତ ପ୍ରତିଟି ଓଡ଼ିଆଙ୍କ ପାଇଁ ପ୍ରାଣର ଗୀତ। ଏହି ଗୀତ ବିଧାନ ଅନୁଯାୟୀ ଗୃହୀତ ହେବା ପୂର୍ବରୁ କୋଟି କଣ୍ଠରେ ଓଡ଼ିଶାର ଜାତୀୟ ସଙ୍ଗୀତ ପାଲଟି ସାରିଥିଲା। ୭.୧୧.୧୯୯୩ରୁ ଓଡ଼ିଶା ବିଧାନସଭାର ବାଚସ୍ପତିଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ତତ୍ସଂକ୍ରାନ୍ତୀୟ ବୈଠକଠାରୁ ଆରମ୍ଭ କରି ବାରମ୍ବାର ବିଧାନସଭା, ମନ୍ତ୍ରୀ, ମୁଖ୍ୟମନ୍ତ୍ରୀ ଆଦି ସ୍ତରରେ ନାନା ଆଲୋଚନା ପରେ ଏହା ଏବେ ଜୁନ୍ ୭, ୨୦୨୦ରୁ ଓଡ଼ିଶା ମନ୍ତ୍ରୀ ପରିଷଦଙ୍କ ଅନୁମୋଦନ ଲାଭ କରି ରାଜ୍ୟ ଆନ୍ଥେମ୍ ବା ସଙ୍ଗୀତ ଭାବରେ ଗୃହୀତ ହୋଇସାରିଛି। ପଣ୍ଡିତ ବାଳକୃଷ୍ଣ ଦାଶଙ୍କ ସ୍ୱର-ନିର୍ଦ୍ଦେଶନାକୁ ଅବିକଳ ଗ୍ରହଣ କରାଯାଇଛି। ଏହାର ସମୟ ଅବଧି ୨ ମିନିଟ୍ ୧୧ ସେକେଣ୍ଡ।
ଥରେ ଆଇନତଃ ଗୃହୀତ ହେବା ପରେ, ମନ୍ଦିରରେ ମୂର୍ତ୍ତି ଜୀବନ୍ୟାସ ପାଇ ପୂଜିତ ହେବା ପରି ଏ ସଙ୍ଗୀତ ପ୍ରତିଟି ଓଡ଼ିଆ ପାଇଁ ପବିତ୍ର ତଥା ପୂଜନୀୟ। ବନ୍ଦେ ଉତ୍କଳ ଜନନୀ।
(‘ସାହିତ୍ୟ ଚର୍ଚ୍ଚା’ ପତ୍ରିକାର ଏପ୍ରିଲ, ୨୦୨୪ ସଂଖ୍ୟାରେ ପ୍ରକାଶିତ।)
ମର୍ମ କଥା କହିଛନ୍ତି ପ୍ରାବନ୍ଧିକ।
ଅନେକ ଦିନ ପରେ ଲେଖକଙ୍କ ଦ୍ୱାରା କାନ୍ତକବି ଓ ତାଙ୍କ ରଚିତ ଓ ବହୁ ଆଲୋଚିତ ଏବଂ ଚର୍ଚ୍ଚିତ ବନ୍ଦେ ଉତ୍କଳ ଜନନୀ ସମ୍ପର୍କୀତ ଏକ ତଥ୍ୟଭିତ୍ତିକ ଓ ପ୍ରାୟ ସଠିକ ଲାଗୁଥିବା ଆଲୋଚନା ପଢ଼ି ବେଶ୍ ଭଲ ଲାଗିଲା। କାରଣ ଏହା ପୂର୍ବରୁ ବନ୍ଦେ ଉତ୍କଳ ଜନନୀ ସମ୍ପର୍କରେ ଅନେକ ସ୍ତମ୍ଭକାର ଲେଖିଛନ୍ତି, କିନ୍ତୁ ଏହିଭଳି ତଥ୍ୟ ଓ ସୂଚନା ସମ୍ବଳିତ ଏବଂ ପ୍ରାୟ ସଠିକ ଲାଗୁଥିବା ଲେଖା ବୋଧହୁଏ ଲେଖାଯାଇ ନଥିଲା। ଏହି ଲେଖା ମାଧ୍ୟମରେ ଓଡ଼ିଆ ଭାଷା ଏବଂ ଓଡ଼ିଶାକୁ ଭଲ ପାଉଥିବା ପ୍ରତିଟି ଓଡ଼ିଆ ନିଶ୍ଚୟ ବନ୍ଦେ ଉତ୍କଳ ଜନନୀ ସଙ୍ଗୀତ ଓ ଏହାର ସ୍ରଷ୍ଙା ପାଇଁ ଗର୍ବ ଓ ଗୌରବ ଅବୁଭବ କରିବ ବୋଲି ମୋର ମତ।
ପ୍ରଥିତ ଯଶା ପଣ୍ଡିତ ବାଳକୃଷ୍ଣ ଦାଶଙ୍କ ପାଦରେ ପ୍ରଣତି ଜଣେଇ ମୋର ୟେ ବିନମ୍ର ମତାମତ । ଘଞ୍ଚ ଅର୍ଥରେ ବ୍ୟବହୃତ ଘନ ବଦଳରେ ଘନଘନ (ବାରମ୍ବାର) ବ୍ୟବହାର କରିବା ବୋଧହୁଏ ଗୀତଟିରେ ଅର୍ଥ ବିସଙ୍ଗତି ସୃଷ୍ଟି କରୁଛି । ଗୀତଟି ଚତୁର୍ମାତ୍ରିକ ଛନ୍ଦ ବିଶିଷ୍ଟ କହରବା ତାଳ ଉପରେ ଆଧାରିତ । ସେଇ ଚତୁର୍ମାତ୍ରିକ ଛନ୍ଦକୁ ଖାପ ଖୁଆଇବାକୁ ପଣ୍ଡିତ ଦାଶ ବୋଧହୁଏ ଆଉ ଗୋଟିଏ ଘନ ଶବ୍ଦ ଯୋଡିଛନ୍ତି । ସଙ୍ଗୀତର ତାଳ ସହିତ ଶବ୍ଦ ବସାଣ କରିବା ପାଇଁ ସ୍ଵର ସଂଯୋଜନା କଲାବେଳେ ଶବ୍ଦ ସହିତ ସ୍ଵରବର୍ଣର ଅବଗ୍ରହ ମଧ୍ୟ ଯୋଡିବାକୁ ପଡେ । ଯେମିତି ଘନ ବଦଳରେ ‘ଘଅନ’ କରା ଯାଇ ପାରି ଥାଆନ୍ତା। ସମ୍ପୂର୍ଣ ଗୀତଟିର ଅନ୍ତରା ପଦ ଗୁଡିକର ଅକ୍ଷର ସଂଖ୍ୟା ମୋଟାମୋଟି ୧୧ ଥିଲେ ବି ସବୁ ଧାଡିର ଅକ୍ଷର ଗୁଡିକ ଏକ ନିର୍ଦିଷ୍ଟ ଛନ୍ଦରେ ଆବଦ୍ଧ ନୁହେଁ । ପ୍ରତ୍ଯେକ ଧାଡିର ଅକ୍ଷର ବସାଣର ଛନ୍ଦ ଅଲଗା ଅଲଗା । ପଣ୍ଡିତ ଦାଶ, ସବୁ ସ୍ଵରକାରଙ୍କ ଭଳି ସେ ଅକ୍ଷର ମାନଙ୍କୁ ଚତୁର୍ମାତ୍ରିକ ତାଳବଦ୍ଧ କରିବାକୁ ସ୍ବରବର୍ଣ ଦେଇ ଖାପ ଖୁଏଇ ଛନ୍ତି । କିନ୍ତୁ, ଏଇ ଶବ୍ଦଟିକୁ କାହିଁକି କଲେ ନାହିଁ ଠିକ ବୁଝି ହେଉ ନାହିଁ। ତାଙ୍କ ଭଳି ବିଦ୍ଵାନ ପଣ୍ଡିତଙ୍କର ନିଶ୍ଚିତ କିଛି ଭାବନା ଥିବ। ବିଶାରଦ ମାନେ ଏ ବିଷୟରେ ଆଲୋଚନା କଋ ପ୍ରତିକାର କଲେ ଆମ ଜାତୀୟ ସଙ୍ଗୀତର ଏକ ବିରାଟ ଅର୍ଥ ବିସଙ୍ଗତି ଦୂର ହୋଇ ପାରନ୍ତା ।
ଏକ ସାରଗର୍ଭକ ଉପସ୍ଥାପନା। ସମସ୍ତଙ୍କ ପାଇଁ ଉପାଦେୟ।
ଏସବୁ ଭବିଷ୍ୟ ପିଢିଙ୍କ ପାଇଁ ଗବେଷଣାର ଦଲିଲ୍ ଭଳି ସହାୟକ ହୋଇପାରିବ।
ଧନ୍ୟବାଦ ଓ ଶୁଭକାମନା।
ଆମେ ଭଦ୍ରିଖିଆମାନେ ସବୁବେଳେ କହୁ ଯେ ଆମ ଜିଲ୍ଲାର ଜଣେ ସଙ୍ଗୀତଜ୍ଞଙ୍କର ସଙ୍ଗୀତ ଜାତୀୟ ସଙ୍ଗୀତ ହୋଇଛି । କିନ୍ତୁ ଗୀତଟିର ପ୍ରତି ଛତ୍ରେ ଛତ୍ରେ ଓଡିଶାର ତାଳତମାଳ ତଟିନୀ, ସାଗରର ବିଚିମାଳା, ଘନ ଘନ ମୁଖରିତ ଚାରୁ ବିହଙ୍ଗ କଥା କୁହାଯାଇଛି । ଏତେ ବିଶାଳତାକୁ କ୍ଷୁଦ୍ର କରିବାର ମାନସିକତା ଆଉ ଆମର ନାହିଁ । ଏ ସଙ୍ଗୀତଟି ଚମତ୍କାର ଭାଷାବିନ୍ୟାସର ଅପରୂପ ଉପସ୍ଥାପନା ।ଏ କଳଜୟୀ କବି ଓଡିଶା ଭୂଖଣ୍ଡର ଏହା ଆମର ଗର୍ବ । ଦାସବେନହୁର ସାରଙ୍କ ତଥ୍ୟମୂଳକ ଲେଖା ଭଲ ଲାଗିଲା । ବହୁବର୍ଷ ପୂର୍ବରୁ ତାଙ୍କର ଜନ୍ମ ଗ୍ରାମ ତାଳପଦାକୁ ଯିବାର ସୁଯୋଗ ମିଳିଥିଲା । କବିଙ୍କ ରହଣିସ୍ଥଳ ମଧ୍ୟ ଦେଖିଥିଲି । ସେ ପରିବେଶ ବହୁତ ସୁନ୍ଦର ଓ ରମଣୀୟ ଥିଲା । ତାଙ୍କୁ ଭକ୍ତିପୂତ ଶ୍ରଦ୍ଧାଞ୍ଜଳି ।
ନମସ୍କାର । ଚମତ୍କାର ଆଲୋଚନା । ଏଥିରୁ ବହୁତ କଥା ଜାଣିବାକୁ ମିଳିଲା । ଧନ୍ୟବାଦ ସାର୍ ।