ପ୍ରବୀଣ ପ୍ରାବନ୍ଧିକ ବୈଷ୍ଣବ ଚରଣ ମହାନ୍ତିଙ୍କ ସହ ଅନ୍ତରଙ୍ଗ ଆଳାପ

ମହାପାତ୍ର ନୀଳମଣି ସାହୁ କହିଲେ, “ତୁମେ ତା’କୁ ମାରିଦେବା ପାଇଁ ବସିଛ ନା କ’ଣ? ସେ ଯଦି ଅଧ୍ୟାପକ ହୋଇଥାଆନ୍ତା, କେବଳ ଅଧ୍ୟାପକୀୟ ପ୍ରବନ୍ଧ ଲେଖିଥାଆନ୍ତା।”

ଲବ୍‌ଧପ୍ରତିଷ୍ଠ ସାହିତ୍ୟିକ ବୈଷ୍ଣବ ଚରଣ ମହାନ୍ତି ଓଡ଼ିଆ ପ୍ରବନ୍ଧ-ସାହିତ୍ୟର ଜଣେ ଅଗ୍ରଣୀ ସ୍ରଷ୍ଟା ଭାବରେ ସୁପରିଚିତ। ୧୯୫୪ ମସିହାରେ ଜନ୍ମିତ ଶ୍ରୀ ମହାନ୍ତି ଓଡ଼ିଶା ଗଣଶିକ୍ଷା ନିର୍ଦ୍ଦେଶାଳୟର ପ୍ରାକ୍ତନ ସହ ନିର୍ଦ୍ଦେଶକ ଥିଲେ। ନିଜର ପ୍ରବନ୍ଧ ସଂକଳନ ପାଇଁ ସେ ୨୦୦୪ ମସିହାରେ ଓଡ଼ିଶା ସାହିତ୍ୟ ଏକାଡେମୀ ପୁରସ୍କାରରେ ସମ୍ମାନିତ ହୋଇଥିଲେ। ତା’ଙ୍କ ସହିତ ବାର୍ତ୍ତାଳାପ କରିଥିଲେ ‘ସାହିତ୍ୟ ଚର୍ଚ୍ଚା’ର ସମ୍ପାଦକ ନିହାର ଶତପଥୀ

ସାହିତ୍ୟ ଚର୍ଚ୍ଚା: ଆପଣ ଓଡ଼ିଶା ସାହିତ୍ୟ ଏକାଡେମୀ ସମେତ ବିଭିନ୍ନ ଅନୁଷ୍ଠାନ ତରଫରୁ ଯେଉଁ ପୁରସ୍କାରମାନ ପାଇଛନ୍ତି ସେ ସବୁ ପ୍ରବନ୍ଧ ବା ରମ୍ୟ ରଚନା ପାଇଁ। ଏ ଦୃଷ୍ଟିରୁ ଆପଣଙ୍କୁ ଓଡ଼ିଆ ସାହିତ୍ୟର ପ୍ରବନ୍ଧ ପୁରୁଷ ବୋଲି କହିଲେ କିଛି ଭୁଲ ହେବ କି?
ବୈଷ୍ଣବ ମହାନ୍ତି (ହସି): ମୁଁ ସେମିତି କିଛି ନାମ ସହିତ ନିଜକୁ ଯୋଡ଼ିବାକୁ ଚାହୁଁନି। ପ୍ରବନ୍ଧ ଲେଖୁଛି ଚାଳିଶ ବର୍ଷ ଧରି। କିନ୍ତୁ ମୁଁ ପ୍ରଥମେ ଲେଖା ଆରମ୍ଭ କରିଥିଲି କବିତାରୁ। ତା’ପରେ ୧୯୭୦-୭୧ରେ ନାଟକ ଲେଖିଲି ରେଡିଓ ପାଇଁ। ତା’ପରେ ଗଳ୍ପ ବି ଲେଖିଲି।
ସାହିତ୍ୟ ଚର୍ଚ୍ଚା: ତେବେ ପୁଣି ପ୍ରବନ୍ଧକୁ କେମିତି ଆସିଲେ?
ବୈଷ୍ଣବ ମହାନ୍ତି : ମୁଁ ଦେଖିଲି ଯେ ପ୍ରବନ୍ଧ କେହି ଲେଖୁନାହାନ୍ତି। ମାଟ୍ରିକ୍ ପର୍ଯ୍ୟନ୍ତ ଆମ ସମସ୍ତଙ୍କୁ ପ୍ରବନ୍ଧ ଓ ପତ୍ରଲିଖନ ପଢ଼ାଯାଏ, କବିତା ଲିଖନ କି ଗଳ୍ପ, ନାଟକ ଲିଖନ ପଢ଼ାଯାଏ ନାହିଁ। କିନ୍ତୁ ମାଟ୍ରିକ ପରେ କେହି ପ୍ରବନ୍ଧ ଲେଖନ୍ତି ନାହିଁ, କି ପଢ଼ନ୍ତି ନାହିଁ; କାରଣ ତାହାକୁ କେହି ପଢ଼ନ୍ତି ନାହିଁ, ସେଥିରେ ପୁରସ୍କାର ନାହିଁ, କି ପ୍ରଶଂସା ନାହିଁ। ପ୍ରବନ୍ଧକୁ ଏହି ଦୁ୍‌ର୍ଦ୍ଦଶାରୁ ଉଦ୍ଧାର କରିବା ମାନସରେ ଲେଖିଲି।
ସାହିତ୍ୟ ଚର୍ଚ୍ଚା: ଆମ ମତରେ, ଆପଣ ପ୍ରବନ୍ଧ ସାହିତ୍ୟକୁ ଏକ ନୂଆ ପରିଚୟ ଦେଇଛନ୍ତି; ସେହିଭଳି ପ୍ରବନ୍ଧ ସାହିତ୍ୟ ମଧ୍ୟ ଆପଣଙ୍କୁ ଏକ ପରିଚୟ ଦେଇଛି।
ବୈଷ୍ଣବ ମହାନ୍ତି : ସେ ମୋତେ ପରିଚୟ ଦେଇଛି ସତ; କିନ୍ତୁ ମୁଁ ତା’କୁ ପରିଚୟ ଦେଇଛି ବୋଲି କୁହାଯାଇପାରିବ ନାହିଁ।
ସାହିତ୍ୟ ଚର୍ଚ୍ଚା: ସାହିତ୍ୟଧର୍ମୀ ପ୍ରବନ୍ଧ କହିଲେ ଯାହା ବୁଝାଏ, ତାହା ଆମେ ଆପଣଙ୍କ ରଚନାରେ ଦେଖିବାକୁ ପାଉ। ଅର୍ଥାତ୍ ସେହି ‘ଜନ୍‌ର’ଟିକୁ ଆପଣ ଆଗକୁ ବଢ଼ାଇଛନ୍ତି।
ବୈଷ୍ଣବ ମହାନ୍ତି : ମୋ ମତରେ, ସାହିତ୍ୟର ଧର୍ମ ହେଉଛି ସମାଜକୁ ସଜାଡ଼ିବା। ପ୍ରବନ୍ଧସାହିତ୍ୟର ଏଡ଼େ ପ୍ରଚଣ୍ଡ ଶକ୍ତି ଅଛି ଯେ ସେ ଏହା ଯଥାର୍ଥ ଭାବରେ କରିପାରିବ; ଏବଂ ପ୍ରବନ୍ଧ ପାଖରେ ସମସ୍ତେ ମୁଣ୍ଡ ନୁଆଁନ୍ତି, ସେ ଗପ ହେଉ, ନାଟକ ହେଉ, କି କବିତା ହେଉ। ସାହିତ୍ୟର ସମସ୍ତ ବିଭାଗମାନଙ୍କ ମଧ୍ୟରେ ବୁଢ଼ା ମଣିଷଟା ହେଉଛି ପ୍ରବନ୍ଧ।

ସାହିତ୍ୟ ଚର୍ଚ୍ଚା: ଓଡ଼ିଆରେ ପ୍ରବନ୍ଧ ସାହିତ୍ୟକୁ ଯେଉଁ ଅବହେଳା କରାଯାଉଛି, ଆମେ ଆପଣଙ୍କୁ ତାହା ବିରୁଦ୍ଧରେ ସ୍ୱର ଉତ୍ତୋଳନ କରିବାର ମଧ୍ୟ ଦେଖିଛୁ। ଏହାର ଭିତ୍ତି କ’ଣ?
ବୈଷ୍ଣବ ମହାନ୍ତି : ଅସଲ କଥା ହେଉଛି, ପ୍ରବନ୍ଧ କେହି ଲେଖୁନାହାନ୍ତି କି ପଢ଼ୁନାହାନ୍ତି। ମୁଁ ପରା କହିଲି ଯେ ସମସ୍ତେ ମାଟ୍ରିକ ପର୍ଯ୍ୟନ୍ତ ପ୍ରବନ୍ଧ ଲେଖି ଲେଖି ଆସିଲେ; କିନ୍ତୁ ତା’ପରେ କେହି ଲେଖିଲେନି। ବିଶେଷ କରି, ଏହା କହିଲେ ମୋତେ କେହି ଖରାପ ଭାବିପାରନ୍ତି, ଅଧ୍ୟାପକ ବନ୍ଧୁମାନେ ଯେଉଁ ପ୍ରବନ୍ଧ ଲେଖୁଛନ୍ତି ସେଥିରେ ଥାଏ, ‘ଗଙ୍ଗାଧରଙ୍କ ସାହିତ୍ୟରେ ଗାଈ’, ‘ଫକୀରମୋହନ ସାହିତ୍ୟରେ ଷଣ୍ଢ’। ଏହା କ’ଣ ପ୍ରବନ୍ଧ?
ସାହିତ୍ୟ ଚର୍ଚ୍ଚା: ଆପଣଙ୍କର ପ୍ରବନ୍ଧଗୁଡ଼ିକ ଅଧ୍ୟାପକୀୟ ପ୍ରବନ୍ଧଠାରୁ ଭିନ୍ନ।
ବୈଷ୍ଣବ ମହାନ୍ତି : ଥରେ ମହାପାତ୍ର ନୀଳମଣି ସାହୁଙ୍କ ପାଖରେ ମୁଁ ବସିଥିଲି; ଆଉ ଦୁଇ ଚାରି ଜଣ ବି ସେଠି ଥିଲେ। ସେମାନଙ୍କ ମଧ୍ୟରୁ ଜଣେ କହିଲେ ଯେ, ବୈଷ୍ଣବ ବାବୁ ଯଦି ଜଣେ ଅଧ୍ୟାପକ ହୋଇଥାଆନ୍ତେ ତେବେ ଆହୁରି ଭଲ ଲେଖି ଥାଆନ୍ତେ। ମହାପାତ୍ର ନୀଳମଣି ସାହୁ କହିଲେ, “ତୁମେ ତା’କୁ ମାରିଦେବା ପାଇଁ ବସିଛ ନା କ’ଣ? ସେ ଯଦି ଅଧ୍ୟାପକ ହୋଇଥାଆନ୍ତା, କେବଳ ଅଧ୍ୟାପକୀୟ ପ୍ରବନ୍ଧ ଲେଖିଥାଆନ୍ତା। ଏ ପ୍ରବନ୍ଧ ତୁମେ ତା’ଠାରୁ ପାଇ ନ ଥାନ୍ତ।”
ସାହିତ୍ୟ ଚର୍ଚ୍ଚା: ଗତ ବର୍ଷ ସାରଳା ପୁରସ୍କାରର ଚୟନ ପ୍ରକ୍ରିୟା ଚାଲିଥିବା ବେଳେ ଏଥିପାଇଁ ପ୍ରବନ୍ଧ ସାହିତ୍ୟକୁ ବିଚାରକୁ ନିଆଯାଏ ନାହିଁ ବୋଲି ତଥ୍ୟଟି ଯେତେବେଳେ ସାମ୍ନାକୁ ଆସିଲା, ସେତେବେଳେ ଆପଣ ଏହା ବିରୋଧରେ ପ୍ରକାଶ୍ୟରେ ପ୍ରତିବାଦ କରିଥିଲେ।
ବୈଷ୍ଣବ ମହାନ୍ତି : ନିଶ୍ଚୟ।
ସାହିତ୍ୟ ଚର୍ଚ୍ଚା: କିନ୍ତୁ ଏହାର ଫଳ କ’ଣ ହେଲା? ପରବର୍ତ୍ତୀ ବର୍ଷ ମଧ୍ୟ ସେମାନେ ସେହି ପ୍ରବନ୍ଧବିରୋଧୀ ନୀତି ଅନୁସରଣ କରିଥିଲେ।
ବୈଷ୍ଣବ ମହାନ୍ତି : ଗୋଟିଏ ଅପ୍ରିୟ ସତ୍ୟ ହେଲା ଯେ ଆଜିକାଲି ବିଭିନ୍ନ ପୁରସ୍କାରର ଚୟନ ପ୍ରକ୍ରିୟାରେ ଯେଉଁମାନେ ସଂପୃକ୍ତ ରହୁଛନ୍ତି ସେମାନଙ୍କ ମଧ୍ୟରେ କବିଙ୍କର ସଂଖ୍ୟା ଅଧିକ।
ସାହିତ୍ୟ ଚର୍ଚ୍ଚା: ଓଡ଼ିଆ ଲିପିର ସଂସ୍କାର ପାଇଁ ଚାଲିଥିବା ଉଦ୍ୟମ ପ୍ରସଙ୍ଗରେ ଆପଣଙ୍କର ଗୋଟିଏ ନିର୍ଦ୍ଦିଷ୍ଟ ନୀତି ଅଛି, ଯାହାର ଝଲକ ଆମେ ଆପଣଙ୍କର ବିଭିନ୍ନ ପ୍ରବନ୍ଧରେ ପାଉ। ଆପଣ କ’ଣ ଭାବନ୍ତି ଯେ ଓଡ଼ିଆ ଲିପିରେ ସଂସ୍କାରର ଆବଶ୍ୟକତା ନାହିଁ?
ବୈଷ୍ଣବ ମହାନ୍ତି : ନା। ଶୁଣନ୍ତୁ, ମୁଁ ଗୋଟିଏ ପ୍ରବନ୍ଧରେ ମଧ୍ୟ ଏ କଥା କହିଛି। ଆପଣ ଗାଈ ଦୁହିଁ ପାଇଲେ ଖାଣ୍ଟି କ୍ଷୀର; ତାକୁ ବସେଇ ଲହୁଣି ବାହାର କଲେ; ଲହୁଣି ମାରିକରି ଘିଅ ବାହାର କଲେ। ଘିଅ ପରେ ଆଉ କ’ଣ ଅଛି? ବହୁକାଳ ଧରି ଆମର ଭାଷା ପରିଶୁଦ୍ଧ ହୋଇଆସିଛି; ଆଉ କ’ଣ ବଦଳିବାର ଅଛି?
ସାହିତ୍ୟ ଚର୍ଚ୍ଚା: ନୂଆ ପିଢ଼ିର ପିଲାମାନଙ୍କୁ ଆମର ଭାଷା କିମ୍ବା ଲିପି ଆୟତ୍ତ କରିବା ପାଇଁ ଯେପରି ଅସୁବିଧା ନ ହୁଏ, ତାହା ଦେଖିବା ବୋଧହୁଏ ସଂସ୍କାରବାଦୀମାନଙ୍କର ଉଦ୍ଦେଶ୍ୟ।
ବୈଷ୍ଣବ ମହାନ୍ତି : ମୋ’ର ମତ ହେଲା ଯେ ଯେଉଁ ପିଲା ବର୍ଣ୍ଣବୋଧ ପଢ଼ିଛି, ସେ ଡିଟିପି ଭଲ କରିପାରିବ, ମୋବାଇଲ୍‌ରେ ମଧ୍ୟ ଭଲ ଓଡ଼ିଆ ଲେଖିପାରିବ। ବର୍ଣ୍ଣବୋଧକୁ ଲେଖିଥିବା ଭକ୍ତକବି ମଧୁସୂଦନ ରାଓ ଜଣେ ଶିକ୍ଷକ ଥିଲେ; ଜଣେ ଅଧ୍ୟାତ୍ମବାଦୀ ପୁରୁଷ ଥିଲେ; ଚିନ୍ତାଶୀଳ ବ୍ୟକ୍ତି ମଧ୍ୟ ଥିଲେ। ତାଙ୍କର ଭାଷା ପ୍ରୀତି ଥିଲା। ବହୁ ଚିନ୍ତା କରି ସେ ଏହାକୁ ଲେଖିଥିଲେ।
ସାହିତ୍ୟ ଚର୍ଚ୍ଚା: ଆପଣ ଓଡ଼ିଶା ସରକାରଙ୍କ ଗଣଶିକ୍ଷା ବିଭାଗରେ ଥାଇ ପିଲାମାନଙ୍କ ଅକ୍ଷର ଶିକ୍ଷା ପୁସ୍ତକ ପ୍ରଣୟନର ଅଭିଜ୍ଞତା ଅର୍ଜନ କରିଛନ୍ତି। ଅକ୍ଷର ଶିଖାଇବା ପାଇଁ ଯେଉଁ ତିନୋଟି ପଦ୍ଧତି ଅଛି, ସେଥି ମଧ୍ୟରୁ ‘ସିନ୍ଥେଟିକ’ ପଦ୍ଧତିର ଆପଣ ଜଣେ ପକ୍ଷଧର ବୋଲି ଠାଏଁ ଲେଖିଥିଲେ।
ବୈଷ୍ଣବ ମହାନ୍ତି : ସେହି ତିନୋଟି ପଦ୍ଧତି ହେଲା, ‘ସିନ୍ଥେଟିକ୍‌’, ‘ଆନାଲିଟିକ୍‌’ ଓ ‘ଏକ୍‌ଲେକ୍‌ଟିକ୍‌’। ଏ ତିନୋଟି ମଧ୍ୟରୁ ମୁଁ ପାରମ୍ପରିକ ଅର୍ଥାତ୍ ସିନ୍ଥେଟିକ ପଦ୍ଧତିଟିକୁ ଅଧିକ ଉପଯୁକ୍ତ ବୋଲି ବିଚାର କରେ। ଏହାର ଅର୍ଥ ହେଲା ଅ, ଆ ରୁ ଆରମ୍ଭ କରି ସେହି କ୍ରମରେ ହିଁ ପିଲାମାନଙ୍କୁ ଅକ୍ଷର ଶିକ୍ଷା ଦିଆଯିବା ଉଚିତ।
ସାହିତ୍ୟ ଚର୍ଚ୍ଚା: ‘ଲେଖି ନ ଜାଣି ଅକ୍ଷର ଦୋଷ’ ଆପଣଙ୍କର ଗୋଟିଏ ବହୁଚର୍ଚ୍ଚିତ ପୁସ୍ତକ। ଆପଣ ଓଡ଼ିଆ ଭାଷା ପ୍ରସଙ୍ଗରେ ନିଜର ବକ୍ତବ୍ୟକୁ ଏମିତି ରୋକ୍‌ଠୋକ୍ ଭାବରେ ପ୍ରକାଶ କରିବାକୁ କେମିତି ସକ୍ଷମ ହେଲେ?
ବୈଷ୍ଣବ ମହାନ୍ତି : ସତ କଥାଟା ଜଣେ କହିବନି କାହିଁକି? ସତ ହେଉଛି ମାତ୍ର ଗୋଟିଏ, ତାହାର ବିକଳ୍ପ ନାହିଁ। ତେଣୁ ସତ କଥାଟିଏ କହିଲେ ତା’କୁ ବିରୋଧ କରିବାକୁ କେହି ସାହସ କରନ୍ତି ନାହିଁ।
ସାହିତ୍ୟ ଚର୍ଚ୍ଚା: ଏମିତି ବହି ସବୁ ଲେଖିବାକୁ ଆବଶ୍ୟକ ଜ୍ଞାନ ଓ ତଥ୍ୟ ଆହରଣ ପାଇଁ ଆପଣଙ୍କର ମୂଳ ସ୍ରୋତ କ’ଣ?
ବୈଷ୍ଣବ ମହାନ୍ତି : ମୁଁ ଜଣେ ଲେଖକ ବୋଲି କେବେ ନିଜର ପରିଚୟ ଦେଇନି। ମୁଁ ହେଲି ଜଣେ ପାଠକ, ଏବଂ ପ୍ରବଳ ପଢ଼େ। ଦ୍ୱିତୀୟ କଥା ହେଲା, ମୁଁ ଯାହା ବି ସଂଗ୍ରହ କରିଛି ତାହା ଗାଆଁରୁ। ମୁଁ ଖାଣ୍ଟି ଗାଉଁଲି ଲୋକଟା। ଗାଆଁର ସଂସ୍କୃତି ଓ ଚଳଣିରୁ ମଧ୍ୟ ମୁଁ ଜ୍ଞାନ ଆହରଣ କରିଛି। ଏ ବହିଟି ହେଉଛି ମୋ’ର ସେବର କଥା, ଯେବେ କରୋନା ଆସିଲା। ମୁଁ ଚାରିଥର କରୋନାରେ ପଡ଼ିଲି। ସେହି ସମୟରେ ଘରେ ରହି ମୋ ପାଖରେ ଥିବା ବହିସବୁ ପଢ଼ିଲି ଏବଂ ଅନୁଭବ କଲି ଯେ ଭାଷା ପ୍ରସଙ୍ଗକୁ ନେଇ ଏକ ପ୍ରବନ୍ଧ ପୁସ୍ତକ ଲେଖାଯିବାର ଆବଶ୍ୟକତା ଅଛି। ଆଉ ଗୋଟିଏ କଥା, ଆପଣ କେବେ ଭାବିବେନି ଯେ ମୁଁ ଡକ୍ଟରେଟ୍ କରିଛି।
ସାହିତ୍ୟ ଚର୍ଚ୍ଚା: ସେକଥା କିଛି ମାନେ ରଖେ ନାହିଁ। ପିଏଚ୍‌.ଡି ନ କରିଥିଲେ ବି ଜ୍ଞାନ ଓ ଗରିମାରେ ଆପଣ କେଉଁ ଡକ୍ଟର ଉପାଧିଧାରୀଙ୍କଠାରୁ ଊଣା କି ! ସେଦିନ ଶାନ୍ତନୁ ରଥଙ୍କର ଆତ୍ମଜୀବନୀର ଉନ୍ମୋଚନ ସଭାରେ ଆମେ ଦେଖିଲୁ ଯେ ମଞ୍ଚ ଉପରେ ସମସ୍ତେ ଆପଣଙ୍କୁ ଡକ୍ଟର ବୈଷ୍ଣବ ମହାନ୍ତି ବୋଲି ସମ୍ବୋଧନ କରୁଥିଲେ।
ବୈଷ୍ଣବ ମହାନ୍ତି : ମଞ୍ଚ ଉପରେ ବସି ଏହା ଶୁଣିଲା ବେଳକୁ ମୋତେ ବଡ଼ ଅଡ଼ୁଆ ଲାଗୁଥାଏ, କଷ୍ଟ ମଧ୍ୟ। କୁହନ୍ତୁ, ମୋତେ ଯଦି ଜଣେ ଚୋର ବୋଲି କୁହାଯିବ, ତେବେ କଷ୍ଟ ଲାଗିବ ନା ନାହିଁ!
ସାହିତ୍ୟ ଚର୍ଚ୍ଚା: ଡକ୍ଟରେଟ୍ ସହିତ ଚୌର୍ଯ୍ୟବୃତ୍ତିର ବା ସମ୍ପର୍କ କ’ଣ?
ବୈଷ୍ଣବ ମହାନ୍ତି : (ହସି ଉଠିଲେ) ମୋତେ ଯେଉଁଟା କେହି କେବେ ଦେଇନି ତାହାକୁ ଆଣି ମୁଁ ନିଜର ନାଁରେ ବ୍ୟବହାର କରିବି କେମିତି!

ସାହିତ୍ୟ ଚର୍ଚ୍ଚା: ‘ପାନ ଓ ପ୍ରିୟତମା’ ଆପଣଙ୍କର ଏକ ଲୋକାଦୃତ ପୁସ୍ତକ, ଯାହା ପାଇଁ ଆପଣ ଓଡ଼ିଶା ସାହିତ୍ୟ ଏକାଡେମୀ ପୁରସ୍କାରରେ ମଧ୍ୟ ସମ୍ମାନିତ ହୋଇଛନ୍ତି। ପାନ ଭଳି ସାମାନ୍ୟ ବିଷୟକୁ ନେଇ ଏଭଳି ଗୁରୁତ୍ୱପୂର୍ଣ୍ଣ ଗ୍ରନ୍ଥଟିଏ ଲେଖିବାର ପ୍ରେରଣା ଆପଣ କେଉଁଠାରୁ ପାଇଲେ?
ବୈଷ୍ଣବ ମହାନ୍ତି : ମୁଁ ଏ କଥା ମୁଖବନ୍ଧରେ ଲେଖିଛି। ବାପା ମରିଯିବା ପରେ ମୋ ବୋଉ ପାନ ଖାଇବା ଛାଡ଼ିଦେଲା। ପୂର୍ବରୁ ସେ ପ୍ରଚୁର ପାନ ଖାଉଥିଲା। ବୋଉ ସବୁବେଳେ କହୁଥିଲା ଯେ ‘ମୋ ପୁଅ ଚାକିରି କଲେ ମୁଁ ପାନ ଖାଇବି।’ ମୁଁ ଚାକିରି କରିବା ତ ଦୂରର କଥା, ମୋ’ର ମାଟ୍ରିକ ପରେ ପି.ୟୁ. ପରୀକ୍ଷା ଦେବାକୁ ତିନିଦିନ ଅଛି, ବୋଉ ଚାଲିଗଲା। ଦେହାନ୍ତ ପରେ ତା’ର ପାନଡାଲା, ଗୁଆକାତି, ଏସବୁ ନେଇ ମୁଁ ଯେ ଶ୍ମଶାନରେ ଥୋଇ ଆସିଲି; ସେଇଟା ମୋ ଜୀବନର ସବୁଠାରୁ ବଡ଼ ଦୁଃଖ। ମୋ’ର ଅଚେତନ ମନରେ ଥିଲା ଯେ, ମୁଁ ତ ଆଉ ବୋଉକୁ ପାନ ଖୋଇପାରିଲିନି। ଅନ୍ତତଃ ଏ ବିଷୟରେ ବହିଟିଏ ଲେଖି ବୋଉକୁ ଉତ୍ସର୍ଗ କରିବି। ଏହା ହିଁ ‘ପାନ ଓ ପ୍ରିୟତମା’ ବହିଟି ପଛରେ ଥିବା ପ୍ରେରଣା ଓ ପ୍ରଚୋଦନା ବୋଲି କହିଲେ ଠିକ୍ ହେବ।
ସାହିତ୍ୟ ଚର୍ଚ୍ଚା: ଆମେ ଶୁଣିଲୁ ଯେ ଏହାର ପରବର୍ତ୍ତୀ ସଂସ୍କରଣ ପାଇଁ ଆପଣ ଏବେ ପ୍ରସ୍ତୁତ ହେଉଛନ୍ତି। ଏହା କେବେ ବଜାରକୁ ଆସିବ?
ବୈଷ୍ଣବ ମହାନ୍ତି : ବହିଟିର ନୂଆ ସଂସ୍କରଣ ପାଇଁ ପ୍ରସ୍ତୁତି ପ୍ରାୟ ସରିଯାଇଛି ଏବଂ ଏହା ପାଠକଙ୍କ ନିକଟରେ ଶୀଘ୍ର ପହଞ୍ଚିବ।
ସାହିତ୍ୟ ଚର୍ଚ୍ଚା: ଏହି ସଂସ୍କରଣରେ ଆମେ ଅଧିକା କ’ଣ ପାଇବା?
ବୈଷ୍ଣବ ମହାନ୍ତି: ଏହି କୋଡ଼ିଏ ବର୍ଷ ଭିତରେ ବହୁତ ପରିବର୍ତ୍ତନ ହୋଇଯାଇଛି ପାନର। ସେତେବେଳେ ଫଟୋଚିତ୍ର ବିଶେଷ ଦେଇ ହେଉ ନ ଥିଲା। ଏବେ ଅନେକ ନୂଆ ନୂଆ ଫଟୋଚିତ୍ର ଅନ୍ତର୍ଭୁକ୍ତ ହେବ। ପାନର ଅନେକ ନୂଆ ନୂଆ କିସମ ମଧ୍ୟ ବାହାରିଲାଣି, ପାନ ଚାଷର ପଦ୍ଧତିରେ ମଧ୍ୟ ବହୁତ ଉନ୍ନତି ହେଲାଣି, ଏଗୁଡ଼ିକ ପ୍ରତିଫଳିତ ହେବ ନୂଆ ସଂସ୍କରଣରେ।
ସାହିତ୍ୟ ଚର୍ଚ୍ଚା: ବହିଟି ପାନ ବିଷୟରେ ଯେତିକି ନୁହଁ, ଏକ ଚମତ୍କାରୀ ପ୍ରବନ୍ଧ ସାହିତ୍ୟର ଦୃଷ୍ଟାନ୍ତ ଭାବରେ ବରଂ ଅଧିକ ଆଦୃତ।
ବୈଷ୍ଣବ ମହାନ୍ତି : ମୁଁ ପ୍ରବନ୍ଧଟାକୁ ଟିକିଏ ମିଠା କରିବାକୁ ଚାହେଁ। ଆଜିର ପାଠକ ପ୍ରବନ୍ଧରୁ ମୁହଁ ଫେରାଇ ନେଉଛି। କିନ୍ତୁ ପ୍ରବନ୍ଧରୁ ପଢ଼ି ପାଠକ ଯଦି ହସିଲା ଟିକିଏ, ଖୁସି ହେଲା ଟିକିଏ, ସେ କେବେହେଲେ ତାହାକୁ ଛାଡ଼ିବନି।
ସାହିତ୍ୟ ଚର୍ଚ୍ଚା: ଏ ଦୃଷ୍ଟିରୁ ଆମେ ଭାବୁ ଯେ ଆମର ପ୍ରବନ୍ଧ ସାହିତ୍ୟକୁ ଯେଉଁମାନେ ସମୃଦ୍ଧ କରିଛନ୍ତି, ଯଥା ଗୋବିନ୍ଦ ରଥ, ଚିତ୍ତରଞ୍ଜନ ଦାସ, ଶରତ ମହାନ୍ତି – ସେହି ଧାରାରେ ଆଗକୁ ଏକ ପ୍ରମୁଖ ଭୂମିକା ତୁଲାଇଛନ୍ତି ଆପଣ ବି।
ବୈଷ୍ଣବ ମହାନ୍ତି : ମୁଁ ନିମିତ୍ତ ମାତ୍ର ସାଧକଟିଏ ଆଜ୍ଞା, ସେଇ ମହାନ୍ ସ୍ରଷ୍ଟାମାନଙ୍କ ସହିତ ତୁଳନୀୟ ନୁହେଁ।
ସାହିତ୍ୟ ଚର୍ଚ୍ଚା: ଆପଣଙ୍କର ଆଉ ଗୋଟିଏ କ୍ଲାସିକ୍ ବହି ହେଉଛି ‘ବୋଉ ବିଶ୍ୱବିଦ୍ୟାଳୟ’। ଥରେ ବର୍ଷୀୟାନ ଲେଖକ ଅଚ୍ୟୁତାନନ୍ଦ ପତି ଆମକୁ କହିଲେ ଯେ ସେ ଗଭୀର ଅବସାଦଗ୍ରସ୍ତ ଅବସ୍ଥାରେ ଥିବାବେଳେ ଏହି ବହିଟି ପଢ଼ି ମାନସିକ ଉପଶମ ପାଇଥିଲେ; ଏବଂ ଏହା ତାଙ୍କ ପାଇଁ ଏକ ଔଷଧ ଭଳି କାର୍ଯ୍ୟ କରିଥିଲା।
ବୈଷ୍ଣବ ମହାନ୍ତି: ସେ ସେତେବେଳେ ମୋତେ ଫୋନ୍ କରିଥିଲେ। ତା’ଙ୍କ କଥା ଶୁଣି ମୋ ଆଖିରୁ ଲୁହ ଗଡ଼ିଆସିଲା। ସେ କହିଲେ, “ମୋତେ ଆସି ଏତେ ବୟସ ହେଲାଣି; ତମର ବହି ପଢ଼ି ଯେଉଁ ପ୍ରକାର ଶିହରଣ ଆସିଲା, ମୋ ଶ୍ରୀମତୀ ଆମ୍ବୁଲାନ୍‌ସ୍‌ରେ ହସ୍ପିଟାଲ ଚାଲିଯିବା ପରେ ରାତିଯାକ ସେଇଟି ଧରି ବସିଛି। ଏ ବହିଟି ପଢ଼ି ମୁଁ ମୋ ଦୁଃଖ ଭୁଲିଯାଉଛି।”
ସାହିତ୍ୟ ଚର୍ଚ୍ଚା: ଆପଣ ଓଡ଼ିଆ ଭାଷାର ସର୍ବାଧିକ ଆତ୍ମଜୀବନୀ ପୁସ୍ତକ ସଂଗ୍ରହ କରି ସେଗୁଡ଼ିକ ଅଧ୍ୟୟନ କରିଥିବାର ଶ୍ରେୟ ରଖନ୍ତି। ଆପଣଙ୍କ ବ୍ୟକ୍ତିଗତ ଲାଇବ୍ରେରୀରେ ଏ ପର୍ଯ୍ୟନ୍ତ ୪୫୬ଟି ଆତ୍ମଜୀବନୀ ସଂଗୃହୀତ ହୋଇସାରିଲାଣି। ଏମିତି ଏକ ଝୁଙ୍କ ଆପଣଙ୍କୁ କାହିଁକି ଛୁଇଁଲା?
ବୈଷ୍ଣବ ମହାନ୍ତି : ମୁଁ ଏଗୁଡ଼ିକ ସଂଗ୍ରହ କଲି ଏଇଥିପାଇଁ ଯେ ଆତ୍ମଜୀବନୀ ସାହିତ୍ୟ ହେଉଛି ଏକ ସାମାଜିକ ଇତିହାସ। ଆମର ଚଳଣି, ପରମ୍ପରା, ସଂସ୍କୃତି, ଲୋକ ସାହିତ୍ୟ ଆଦି ସବୁ ଆମେ ପାଇଥାଉ ସେଥିରୁ।
ସାହିତ୍ୟ ଚର୍ଚ୍ଚା: ଆପଣ କେବଳ ଜଣେ ଲବ୍ଧପ୍ରତିଷ୍ଠ ଲେଖକ ହିଁ ନୁହନ୍ତି, ଜଣେ ନିଷ୍ଠାପର ସାହିତ୍ୟ ସଂଗଠକ ମଧ୍ୟ। ଆପଣଙ୍କର ମାନସ ସନ୍ତାନ ‘ବନ୍ଧୁଘର ସାହିତ୍ୟ ପିଣ୍ଡା’ ବର୍ତ୍ତମାନ ସାହିତ୍ୟିକ ବିଚାର ବିମର୍ଶର ଏକ ପ୍ରମୁଖ ମଞ୍ଚ। ଭଗ୍ନ ସ୍ୱାସ୍ଥ୍ୟ ଓ ବୟସାଧିକ୍ୟ ସତ୍ତ୍ୱେ ଆପଣଙ୍କ ଦ୍ୱାରା ଏହି ଅନୁଷ୍ଠାନର ମାସିକ ଅଧିବେଶନଗୁଡ଼ିକ ନିୟମିତ ଭାବରେ ଆୟୋଜନ କରିବା ସମ୍ଭବ ହେଉଛି କିପରି?
ବୈଷ୍ଣବ ମହାନ୍ତି : ମୁଁ ଭାବେ ଯେ ଜୀବନଟା ସାରା ମୋ’ର ରୋଗଗ୍ରସ୍ତ ହୋଇ ବିତିଛି; କେତେକ ଦୁର୍ଘଟଣାର ମଧ୍ୟ ସାମ୍ନା କରିଛି। କିନ୍ତୁ ରୋଗ କି ବ୍ୟାଧିରେ ପଡ଼ିଲେ ମୁଁ ଉଠିକରି ବସେ। ମୁଁ ରୋଗ ସହିତ ଏକ ପ୍ରକାରର ପ୍ରତିଯୋଗିତା କରି ଚାଲିଥାଏ। ତାକୁ ପରାହତ କରି, ଯେତେ ଅସୁବିଧା ପଡ଼ୁ ପଛେ, ମୁଁ ସାହିତ୍ୟ ପିଣ୍ଡାରେ ଠିଆ ହୋଇପଡ଼େ। ଏଥିରେ ମୁଁ ସୁସ୍ଥ ମଧ୍ୟ ହୋଇଯାଏ।
ସାହିତ୍ୟ ଚର୍ଚ୍ଚା: ଆଜିର ଏହି ଅନ୍ତରଙ୍ଗ ବାର୍ତ୍ତାଳାପଟି ପାଇଁ ଆପଣଙ୍କୁ ଅଶେଷ ଧନ୍ୟବାଦ।

(‘ସାହିତ୍ୟ ଚର୍ଚ୍ଚା’ ପତ୍ରିକାର ମଇ, ୨୦୨୪ ସଂଖ୍ୟାରେ ପ୍ରକାଶିତ।)

3 thoughts on “ପ୍ରବୀଣ ପ୍ରାବନ୍ଧିକ ବୈଷ୍ଣବ ଚରଣ ମହାନ୍ତିଙ୍କ ସହ ଅନ୍ତରଙ୍ଗ ଆଳାପ

  1. ଖ୍ୟାତନାମା ପ୍ରାବନ୍ଧିକ ବୈଷ୍ଣବ ମହାନ୍ତିଙ୍କ ସହ ଅନ୍ତରଙ୍ଗ ବାର୍ତ୍ତାଳାପ ଅତି ଆକର୍ଷଣୀୟ ଓ ପଠନୀୟ ହୋଇଛି।
    ବୈଷ୍ଣବ ବାବୁ ତାଙ୍କ ସ୍ଵଭାବ ସୁଲଭ ଢଙ୍ଗରେ ତୀକ୍ଷ୍ମ ଉତ୍ତର ଦେଇଛନ୍ତି। ଓଡ଼ିଆ ପ୍ରବନ୍ଧ ସାହିତ୍ୟର ସେ ଜଣେ ଅନନ୍ୟ ସାଧକ! ସମକାଳୀନ ପ୍ରାବନ୍ଧିକ ମାନଙ୍କ ମଧ୍ୟରେ ସେ ଶ୍ରେଷ୍ଠତମ ସୃଜନକାର ବୋଲି ସୁପରିଚିତ। ତାଙ୍କର ସ୍ୱର ଟିକିଏ ଶାଣିତ, ଦାମ୍ଭିକ ଓ ନିରାଟ ସତ୍ୟଧର୍ମୀ ! ତାଙ୍କର ବୋଉ ବିଶ୍ୱବିଦ୍ୟାଳୟ, ପାନ ଓ ପ୍ରିୟତମା, ଲେଖି ନଜାଣି ଅକ୍ଷର ଦୋଷ ପୁସ୍ତକଗୁଡ଼ିକ ସମସାମୟିକ ଓଡ଼ିଆ ସାହିତ୍ୟର ପ୍ରଜ୍ଞାଦୀପ୍ତ ବିଜୟସ୍ତମ୍ଭ ! ଓଡ଼ିଆ ବୌଦ୍ଧିକ ସମ୍ପଦାକୁ ଏହା ତାଙ୍କର ଗୌରବୋଜ୍ଜ୍ଵଳ ଅବଦାନ !

    ଜଗନ୍ନାଥେ ତାଙ୍କୁ ଲକ୍ଷେ ପରମାୟୁ ଦିଅନ୍ତୁ। ତାଙ୍କ ଚେତନା ଚିର ଆଲୋକିତ ଓ ତାଙ୍କ କଲମ ଚିର ବଜ୍ର ହୋଇଥାଉ!

  2. ଖୁବ୍ ଭଲ ଲାଗିଲା। ଏହି ପ୍ରାବନ୍ଧିକ ଙ୍କ ବିଷୟରେ ଆଗରୁ କମ୍ ଜାଣିଥିଲି । ଗତ ୬ବର୍ଷ ହେଲା ଆଗ୍ରହ ରେ ପଢୁଛି।

  3. ବୈଷ୍ଣବ ବାବୁ ଜଣେ ଅତ୍ୟନ୍ତ ରସଗ୍ରାହୀ ମଣିଷ, ସେଥିପାଇଁ ତାଙ୍କର ଲେଖା, ସଂଗଠନ ସବୁ କିଛି ଆଟୋପହୀନ କିନ୍ତୁ ପ୍ରାଣ ଛୁଆଁ

Leave a Reply

Your email address will not be published. Required fields are marked *