ଆଲୋ ନାଚରେ ଅଧିକ ଲୋକ ନ ହେଲେ ନାଚ କ’ଣ ଜମେ? ସେଇମିତି ବଡ଼ନେତା ଉପରୁ ଆସୁଚନ୍ତି, ତାଙ୍କ ସଭାରେ ତ ପୁଣି ବହୁତ ଲୋକ ହବା ଦରକାର।
ମାଗୁ ପୁହାଣକୁ ଉଦ୍ୟୋକ୍ତାମାନେ ପ୍ରଚୁର ଲୋଭାସକ୍ତ କରିଦେଇଥିଲେ। ସେମାନଙ୍କ କଥାରେ ବାଟୁଳି ବାଜୁ ନ ଥିଲା ଏବଂ କଥାରେ କଥାରେ ସେମାନେ ଏପରି ପ୍ରତ୍ୟୟ ସୃଷ୍ଟି କରିପାରୁଥିଲେ ଯେ ଖାଲି ମାଗୁ ପୁହାଣ କାହିଁକି, ଗାଁର ଅନେକ ମଧ୍ୟ ରାଜି ହେଇଯାଉଥିଲେ କଟକ ଯିବା ପାଇଁ।
ମାଗୁ ପୁହାଣ ସେମାନଙ୍କୁ ପଚାରିଲା, ‘କଟକ ଯିବାକୁ ଖର୍ଚ୍ଚା ତ ପୁଣି ଲାଗିବ?’
ଉଦ୍ୟୋକ୍ତା କୁଜିନେତାଏ ବେପରୁଆ ହସ ହସି କହିଲେ, ‘ଆରେ ଖର୍ଚ୍ଚା କ’ଣ? ଆଁଏ? ଗାଡ଼ି ତ ଆମେ ଠିକ୍ କରିଛୁ, ଆରାମରେ ବସିବ, ଯିବ ଆଉ ଆସିବ। ସଭାସ୍ଥଳରେ ମଧ୍ୟ ନେତାଙ୍କ ତରଫରୁ ଖାନାପିନାର ବନ୍ଦୋବସ୍ତ ହେଇଚି।’
ମାଗୁ ପୁହାଣ ସନ୍ତୁଷ୍ଟ ହେଇ କହିଲା, ‘ଆଜ୍ଞା ତା’ ଠିକ୍ ଯେ…. ହେଲେ ଆମେ ସବୁ ହେଲୁ ଦିନମଜୁରିଆ ଲୋକ। ଦିନଟିଏ ମଜୁରି ନ ଗଲେ କୁଟୁମ୍ବ ଖାଡ଼ା ଓପାସ୍….’।
କୁଜି ନେତାଙ୍କ ଓସ୍ତାତ୍ କହିଲେ, ‘ଓହୋ… ଏଇକଥା। ସେଥିପାଇଁ ବି ବ୍ୟବସ୍ଥା ହେଇଚି। ତମେ ଗାଡ଼ିରେ ବସିଲେ ତୁମକୁ କିଛି ଟଙ୍କା ଧରେଇ ଦିଆଯିବ।’
‘ଆଗତୁରା କିଛି ଦେଲେ ହୁଅନ୍ତାନି?’ ବଡ଼ ସଙ୍କୁଚିତ ହେଇ କହି ପକେଇଲା ମାଗୁ ପୁହାଣ।
ହଉ ହଉ କହି ନେତା ଟଙ୍କା ବଣ୍ଡଲଟିଏ ପକେଟ୍ରୁ କାଢ଼ି ଶହେଟଙ୍କାର ନୋଟ୍ ଦି’ଖଣ୍ଡ ମାଗୁ ପୁହାଣ ହାତରେ ଗୁଞ୍ଜିଦେଇ କହିଲେ, ‘ହେଇ ରଖ, ଆଉ କାହାକୁ କହିବନି।’
କୃତକୃତ ମାଗୁ ପୁହାଣ ଝଅଟ କରି ନୋଟ୍ ଦି’ଖଣ୍ଡ ନେଇ ଅଣ୍ଟିରେ ଗୁଞ୍ଜିଦେଲା। ସେ ଏଇଥିପାଇଁ ଏତେ ଖୁସି ହେଉଥିଲା ଯେ ତା’ ଜୀବନରେ ପ୍ରଥମ କରି ଦୁଇଶ ଟଙ୍କା ମାଗଣା ପାଉଥିଲା।
ଘରେ ପହଂଚି ସ୍ତ୍ରୀ ହାତରେ ନୋଟ୍ ଦି’ଖଣ୍ଡ ଧରେଇ ଦେଇ କହିଲା, ‘ୟାକୁ ରଖ୍। ମୁଁ କାଲି ଭୋ’ରୁ କଟକ ଯିବି। ଫେରିଲେ ଯାହା’….
ପାର୍ବତୀ ଏକଥା ଶୁଣି ତାଟକା… ‘କଟକ! ତମେ କଟକ ଯିବ!’
ମାଗୁ ପୁହାଣ ପାଇଁ ପାର୍ବତୀ କଣ୍ଠର ଏ ଅବିଶ୍ୱାସ ମୋଟେ ପ୍ରାସଙ୍ଗିକ ନୁହେଁ। ସେ ବୁଝେଇ ଦେଇ କହିଲା, ‘କାଲି ଜଣେ ବଡ଼ନେତା ଆସୁଚନ୍ତି ଉପରୁ। କଟକରେ ସଭା କରିବେ। ସେଠାକୁ ଆମେ ସବୁ ଯିବୁ। ହଜାର ହଜାର ସଂଖ୍ୟାରେ ଯୋଗଦେବାକୁ ମାଇକି ପ୍ରଚାର କରିଚି, ଶୁଣିନୁ?’
ପାର୍ବତୀ କହିଲା, ‘କଟକରେ କ’ଣ ହଜାରେ ଲୋକ ନାହାନ୍ତି, ଯେ ତମେ ସବୁ ଏତେ ଦୂରରୁ ଯିବ?’
‘ଧୁତ୍ ପାଗଳି, ଇଲୋ ଆମେ ସବୁ କ’ଣ ମାହାଳିଆ ଯାଉଚୁ? ଆମ ପାଇଁ ପା’ ଗାଡ଼ି ଠିକ୍ ହେଇଚି। କିଛି ଟଙ୍କା ବି ଦେବେ। ଏଇ ଦୁଇଶ ଟଙ୍କା ଆଜି ତ ଦେଇଚନ୍ତି।’ ମାଗୁ ପୁହାଣ ବୁଝେଇ ଦେଲା।
ପାର୍ବତୀ କିଛି ବୁଝିପାରୁ ନ ଥିଲା। ନେତା ତ ଆସିବେ, ସଭା କରିବେ। ଲୋକଙ୍କୁ ଖର୍ଚ୍ଚା ଦେଇ ବୁହାଯାଉଚି କାହିଁକି? ଆଁ…..
ମାଗୁ ପୁହାଣ ପୁଣି ବହେ ବୁଝେଇ କହିଲା, ‘ଆଲୋ ନାଚରେ ଅଧିକ ଲୋକ ନ ହେଲେ ନାଚ କ’ଣ ଜମେ। ସେଇମିତି ବଡ଼ନେତା ଉପରୁ ଆସୁଚନ୍ତି, ତାଙ୍କ ସଭାରେ ତ ପୁଣି ବହୁତ ଲୋକ ହବା ଦରକାର, ନ ହେଲେ ତାଙ୍କ ପ୍ରତି ଏତେ ଲୋକ ସମର୍ଥନ ଅଛି ବୋଲି ଜଣାପଡ଼ିବ କିମିତି? ଆଁ….?’
ପାର୍ବତୀ ମୋଟେ ବୁଝୁ ନ ଥିଲା। କହିଲା, ‘ନାଇଁ ନାଇଁ, ଆମର ସେ ନେତା ଫେତାରୁ କ’ଣ ମିଳିବ? କାହିଁ କଟକ କେତେ ଦୂର… ତମେ ଯାଅନି…..’
ମାଗୁ ପୁହାଣ ଟିକେ ତାଉ ଖାଇ କହିଲା, ‘ନାଇଁ…. ନାଇଁ…. ଯିବି ନାଇଁ…. ଖାଲି ଦିନ ରାତି ମୂଲ ଲାଗି ତୋତେ ପୋଷୁଥିବି…. ହ୍ୟାପ…. ଟିକେ ଭଲମନ୍ଦ ନାଇଁ? ଲୋକ କିଏ କେତେ କୁଆଡ଼େ ଯାଉଚନ୍ତି। ମୁଁ ଟିକେ କଟକ ଦେଖି ପାରିଲି ନାଇଁ? ଆଲୋ ସିଏତ ଗାଡ଼ିରେ ନେବେ ପୁଣି ଗାଡ଼ିରେ ଆଣି ଛାଡ଼ିବେ। ପଇସା ଖର୍ଚ୍ଚ କରି ମୋ ଜିନ୍ଦେଗୀରେ କଟକ ଯାଇ ପାରିବି? ତୁ ବୁଝୁନୁ – କଟକ ଦେଖା ହେବ…. ଗାଡ଼ି ଚଢ଼ାହେବ…. ନେତା ଦେଖାହେବ…. ପୁଣି ଖାନାପିନା…. ପଇସା ବି ତ ମିଳୁଛି। ଆଲୋ ଏକା ଟେକାକେ ଦି’ ଦି’ଟା କ’ଣ ଛ’ ଛ’ଟା ଶିକାର…. ବୁଝିଲୁ… ହେଁ ହେଁ….’
ପାର୍ବତୀ ଦବିଗଲା। କହିଲା, ‘ହଉ ଯାଉଚ ତ ଯା’ ଦେଖିଚାଇଁ ଯିବ’….
ତହିଁ ଆରଦିନ ସକାଳୁ ସକାଳୁ ନିର୍ଦ୍ଦିଷ୍ଟ ସ୍ଥାନରେ ମାଗୁ ପୁହାଣ ହାଜର।
ସେଠାରେ ଲୋକ ଥାଟପଟାଳି ଭାଙ୍ଗୁଥିଲେ। ଗାଡ଼ି ଆସି ନାହିଁ। ଆସିବ…. ଆସିବ ନିଶ୍ଚୟ ଆସିବ – ଉଦ୍ୟୋକ୍ତାମାନଙ୍କ ଦୃଢ଼ ଆଶ୍ୱାସନା ବାଣୀ। ମିଟିଂ ସୁଦ୍ଧା ଆମ୍ଭେମାନେ କଟକରେ ନିଶ୍ଚେ ପହଂଚିଯିବା। ଜମା ବ୍ୟସ୍ତ ହୁଅନାଇଁ।
କିଛି ସମୟ ପରେ ଅବଶ୍ୟ ଗାଡ଼ି ଆସି ପହଞ୍ôଚଲା ଧୂଳି ଉଡ଼େଇ। ଲୋକ ହାଉଳି ଖାଇ ଉଠିଲେ। ହେଇ ଆସୁଚି…. ଆସୁଚି ଗାଡ଼ି। କୁଜିନେତାମାନେ କହିଲେ, ‘ବନ୍ଧୁଗଣ… ଗାଡ଼ି ଆସିଗଲା। ମନେରଖ – ଗାଡ଼ି ଚଢ଼ିବା ଠୁଁ ଓହ୍ଲେଇବା ପର୍ଯ୍ୟନ୍ତ ସ୍ଲୋଗାନ୍ ବନ୍ଦ ହେବନି। ମାଇକିରେ ଟେପ୍ ଫିଟ୍ ହେଇଚି। ଜମେଇକି ଆମ ନେତାଙ୍କ ଜୟଗାନ କରିବ।’
ଅବଶ୍ୟ ଥରେ…. ଦି’ଥର ରିହର୍ସାଲ ହେଇଗଲା ସେଇଠି। ଗାଡ଼ି ପହଞ୍ôଚଗଲା। ଦି’ଟା ଟ୍ରକ୍।
ଆଁ ଏ…. ଆମେ କ’ଣ ମାଲ୍ ହେଇଚୁ? କିଏ ଜଣେ ଭିଡ଼ ଭିତରୁ କହିଲା। ଆଉ ଜଣେ ଖେଁ ଖେଁ ହେଇ ଉତ୍ତର ଦେଲା, ‘ନୁହେଁ ଆଉ କ’ଣ? ଆରେ ମାଲ୍ କ’ଣ? ସୁଧୁ ରଦି ମାଲ୍।’
ଗାଡ଼ି ରହୁ ରହୁ ହିଁ ଚଢ଼ିଗଲେ ଲୋକମାନେ ହୁଦସ୍ କରି। ମାଗୁ ପୁହାଣ ସେମାନଙ୍କ ମଧ୍ୟରେ ଛନ୍ଦି ହେଇ ପଡ଼ିଲା। କଛା ଫିଟି ଘୋଷାରି ହେଲା ତଳେ। ଫଡ଼୍ କରି ଚିରିଗଲା ବି କିଛି ଅଂଶ। ତାକୁ ଉପରକୁ ଘୋଷାରି ନିଆଗଲା। ଉପରେ ସୋରିଷ ପକେଇବାକୁ ରାହା ନାଇଁ। ସେ ତ ଚାପି ହେଇଯାଉଚି। ଅଣନିଃଶ୍ୱାସୀ ହେଇଯାଉଛି। ତା’ରି ଭିତରେ ମଣିଷଗୁଡ଼ା ସ୍ଲୋଗାନ୍ ଛାଡ଼ି ଭୁକିଲା ଭଳି ହେଉଛନ୍ତି। ମାଗୁ ପୁହାଣ ଖାଲି ଗଁ ଗଁ ହେଉଛି ତା’ ଭିତରେ….।
ଅନନ୍ତର ସେମାନେ ବୁହାହେଇ ଆସିଲେ କଟକ।
ମାଗୁ ପୁହାଣ ଓହ୍ଲାଇ ପଡ଼ିଲା। ଦେଖିଲା ସଭାସ୍ଥଳ ସ୍ତୁ। କେଯାଏଁ କେତେ ମାଇକ୍ ଫିଟ୍ ହେଇଚି। କାଠ ବାଉଁଶର ବାଡ଼ା ଦିଆଯାଇଚି। ଲୋକ ହାଉଯାଉ। ସିନେମା ଗୀତ ବାଜୁଚି। ବେଳେ ବେଳେ ବନ୍ଦ ହେଇ ଘୋଷଣା କରାଯାଉଚି। ‘ବନ୍ଧୁଗଣ…. ଆମର ନେତା ଆସି ପହଂଚିଯିବା ଉପରେ। ହେଲିକପ୍ଟର ଆଉ ଅଳ୍ପ ସମୟ ପରେ ଓହ୍ଲେଇବ। ଆପଣମାନେ ପ୍ରସ୍ତୁତ ହେଇ ରୁହନ୍ତୁ। ମାଇକିରେ ସ୍ଲୋଗାନ୍ ଦିଆଯିବ। ସମସ୍ତେ ପାଳି ଧରିବ।’
ମାଗୁ ପୁହାଣ ଆକାଶକୁ ଅନେଇଲା। ଖାଁ ଖାଁ ଆକାଶ। ନୀଳ ନୀଳ। କୋଉଁଠୁ ଉଡ଼ି ଆସିବ ହେଲିକପ୍ଟର? ଯାହା ହେଉ ଆଜି ଅତି ପାଖରୁ ଦେଖିବ ତାକୁ। କେତେଥର ବିଲରେ କାମ କଲାବେଳେ ଆକାଶରୁ ଘୁଁ ଘୁଁ ଶବ୍ଦ ଶୁଣି ଅନେଇଚି। ମେଘ ଭିତରେ ଚଢ଼େଇଟେ ଉଡ଼ିଗଲା ପରି ଦିଶେ। ଯାହା ହଉ ଆଜି ତାକୁ ସେ ଠିକ୍ ଠିକ୍ ଦେଖିଯିବ।
ହେଇ ଘୁଁ ଘୁଁ ଶୁଭିଲାଣି। ଲୋକ ସବୁ ତରକି ଚାହିଁଲେଣି ଆକାଶକୁ। କେତେ ବି’ ଧାଇଁଲେଣି ହେଲିପ୍ୟାଡ୍ ଆଡ଼େ। ହଇଚଇ ଖେଳି ଗଲାଣି ସଭାସାରା। ମାଗୁ ପୁହାଣ ଦୌଡ଼ିଲା ସିଆଡ଼େ। ହାୟ…. ଲୋକଗୁଡ଼ା ଘେରି ଗଲେଣି ଚାରିପଟରେ। ତା’ ଭଳି ଖର୍ବକାୟ ଲୋକଟି କିଛି ଦେଖିପାରୁ ନାଇଁ ଆଗକୁ। ହେଇ ତ ଉଡ଼ି ଆସୁଚି ହେଲିକପ୍ଟର। ଜୟଜୟକାରରେ ଫାଟି ପଡୁଚି ସଭାସ୍ଥଳ। ଭିଡ଼ ବାରେଇ ଭିତରକୁ ପଶିଯାଉଥିଲା ମାଗୁ ପୁହାଣ ତ ଧକ୍କାଟିଏ ଖାଇଲା ପଛରୁ। ପଡ଼ି ଯାଉ ଯାଉ ଯାହାକୁ ଆଶ୍ରା କରି ରହିଲା ସେ ବୁଲିପଡ଼ି ପୁନଶ୍ଚ ଏପରି ନିର୍ଘାତ୍ ଧକ୍କାଟିଏ ଦେଲା ଯେ ମାଗୁ ପୁହାଣ ଛିଟିକି ଆସିଲା ବାହାରକୁ।
ସେ ଦେଖିପାରିଲାନି ହେଲିକପ୍ଟର। ଯାହା ଓହ୍ଲେଇଲା ବେଳେ ଟିକେ ଦେଖିଥିଲା। ଠେଲାପେଲା ପୁଣି ଆରମ୍ଭ ହେଇଗଲାଣି। ନେତା ଓହ୍ଲାଉଚନ୍ତି ବୋଧହୁଏ। ଦୌଡ଼ି ପଳାଇ ଆସିଲା ଗୋଟିଏ ପାଖକୁ ସେ।
ଏଠି ବି’ ଧାଡ଼ି ଧାଡ଼ି ଲୋକ ଭିଡ଼। ବିକା ଚାଲିଛି ଦହିବରା, ଆଳୁଦମ୍, ଗୁପ୍ଚୁପ୍, ଚାଟ୍। ମାଗୁ ପୁହାଣ ଅନୁଭବ କଲା ତାକୁ ପ୍ରଚୁର ଭୋକ ହଉଚି। ଏଠି ବି ମୁହଁ ଗଳେଇବାକୁ ରାହା ନାଇଁ। ସମସ୍ତେ ଖାଁ ଖାଁ….। ଖାଦ୍ୟ ପାଖରେ ଖାଦକର ଚେହେରା ବି ବୀଭତ୍ସ! କି ସ୍ୱାର୍ଥପର…. ସ୍ୱାର୍ଥପର!
ତଥାପି ମାଗୁ ପୁହାଣ ହାତ ଲମ୍ବେଇ ଦେଲା। ମତେ ଦିଅ….
ଦୋକାନୀ ଧରେଇ ଦେଲା ପୁଚୁପୁଚୁ ଦହିବରା ଓ ଲାଲ୍ ଟକ୍ଟକ୍ ଆଳୁଦମ୍ର ଠୁଙ୍ଗାଟିଏ। ମାଗୁ ପୁହାଣ ତ ଖାଉ ନ ଥିଲା, ଗିଳି ପକାଉଥିଲା ଖପ୍ଖାପ୍। କାହିଁ କିଛି ତ ହେଲାନି! ପୁଣି ମାଗିଲା। ଦୋକାନୀଟିଏ ମୁର୍କି ହସି ଆଉ ଗୋଟିଏ ଠୁଙ୍ଗା ବଢ଼େଇ ଦେଲା ତା’ ହାତକୁ। ଏଥର ମାଗୁ ପୁହାଣ ଚାପି ଚାପି ଖାଇଲା। ବାରିଲା ତା’ର ସୁଆଦ। କେତେ ଲୋକଙ୍କଠୁ ଶୁଣିଥିଲା କଟକର ଦହିବରା ଆଳୁଦମ୍ କୁଆଡ଼େ ଭାରି ବିଖ୍ୟାତ। ଆଃ…. ଚମତ୍କାର। ସ୍ୱାଦୁ ବାରୁଥିଲା ଆଉ ଆମୋଦିତ ହେଉଥିଲା ସେ। ଖାଇସାରି ପାଣି ଦି’ ଗିଲାସେ ପିଇଦେଇ ଲମ୍ବା ହାକୁଟିଟାଏ ଛାଡ଼ିଲା।
ପଚାରିଲା ‘କେତେ ପଇସା?’
ଚାଳିଶ ଟଙ୍କା।
ଆଇଁ… ଚାଳିଶ ଟଙ୍କା! ମାଗୁ ପୁହାଣ ଆକାଶରୁ ପଡ଼ିଲା। ଅଣ୍ଟି ଅଣ୍ଡାଳିଲା। କାଢ଼ି ପକେଇଲା ବେଳକୁ ତା’ ହାଲକ ଶୁଖିଗଲା। ଦଶଟଙ୍କିଆଟିଏ ଅଛି। ଆଉ ସବୁ କେଉଁଠି ଗଳି ପଡ଼ିଛି। ୟାଡ଼େ ସ୍ୟାଡ଼େ ଅନିଶା କଲା। ତାକୁ ଆଣିଥିବା ନେତାମାନେ କେଉଁଠି ଦେଖାଯାଉ ନାହାନ୍ତି। କେହି ବି ତା’ ହାବୁଡ଼ରେ ପଡ଼ୁ ନାହାନ୍ତି ଚିହ୍ନା ଲୋକ। କାହାରି ମୁହଁ ଦେଖାଯାଉନି, ଦେଖାଯାଉଚି ପଛ। ମୁଣ୍ଡ ଟେକି ସମସ୍ତେ ଚାହିଁଛନ୍ତି ସଭାମଞ୍ଚ ଆଡ଼କୁ।
କ’ଣ କରିବ ଏବେ ମାଗୁ ପୁହାଣ।
‘ଦିଅ ଦିଅ ପଇସା ଦିଅ ଜଲ୍ଦି।’ ଦୋକାନି ଖିଙ୍କାରି ଉଠିଲା।
ମାଗୁ ପୁହାଣ କହିଲା, ‘ପଇସା କୋଉଠି ଗଳି ପଡ଼ିଚି। ଦଶଟଙ୍କିଆଟିଏ ଅଛି ଖୋସଣିରେ। ଆମ ଗାଁ ଲୋକଙ୍କୁ ଖୋଜୁଛି। ପାଇଲେ ଦେଇଦେବି….’
ଦୋକାନି ଗର୍ଜି ଉଠିଲା।, ‘ସେ ପଟିମରା କଥା କହନା। ପଇସା ପକା ଜଲ୍ଦି। ଆରେ… ଚାଲାକି ମାରୁଚି ମୋ ସାଙ୍ଗରେ…।’
ମାଗୁ ପୁହାଣ କାକୁସ୍ଥ ହେଇଗଲା। କ’ଣ କରିବ ଏବେ? ଅନ୍ୟ ଲୋକମାନେ ଖାଉ ଖାଉ ତାକୁ ଅନେଇ ଖେଁ ଖେଁ ହଉଚନ୍ତି।
ମାଗୁ ପୁହାଣର ମୁହଁରେ ଏବେ ବୈକଲ୍ୟ ଛାଇହେଇ ଯାଇଚି। ସେ ନେହୁରା ହେଲାଭଳି କହିଲା… ‘ଏତକ ରଖ ବାବୁ… ମୁଁ ଜାଣି ନ ଥିଲି ଏତେ ପଇସା ବୋଲି….’
ଦୋକାନୀ ତା’ ପାଟିରୁ କଥା ଛଡ଼େଇ ନେଇ ଦୋ’ଅକ୍ଷରି ଆରମ୍ଭ କରିଦେଲା। ଶଳା, ଏଠି ମୋଫତ୍ ପଡ଼ିଥିଲା ଗେଫି ଯାଉଥିଲୁ। ପକା ପଇସା ପକା, ନ ହେଲେ ତତେ ନଙ୍ଗଳା କରି ଛାଡ଼ିବି।
ମାଗୁ ପୁହାଣ କାନ୍ଦୁଣୁ ମାନ୍ଦୁଣୁ ହେଲା। ୟାଡ଼େ ସ୍ୟାଡ଼େ ଅନେଇଲା ବକବକ କରି। ପାଖରେ ଗୁପ୍ଚୁପ୍ ବିକୁଥିବା ଚେଙ୍ଗେଡ଼ା ଟୋକାଟା କହିଲା, ‘ବୁଢ଼ା ପେଖେନା କାଢ଼ୁଛିବେ। ତା’ ପାଖରେ ଠିକ୍ ଅଛି। ଶଃ…. ମାଗଣା କିଏ କଟକ ଆସେ?’
ମାଗୁ ପୁହାଣ ଚଟ୍କରି କହିଲା, ‘ହଁ ହଁ ଆଜ୍ଞା… ମୁଁ ମାଗଣା ଆସିଚି। ମତେ ଏଠି ସଭାକୁ ନେଇ ଆସିଚନ୍ତି ମାଗଣା। ଦେଖୁନା… ଦେଖ ମୋ ପାଖରେ ଗୋଟିଏ ବି ପଇସା ନାଇଁ…’
ଦୋକାନି ଆହୁରି ରାଗିଯାଇ କହିଲା, ‘ଆରେ ଶଳା, ମାଗଣା ଆସୁଥିଲୁ ଯଦି ଖାଉଥିଲୁ କାହିଁକି? ଯୋଉ ଶଳା ତତେ ଆଣିଚି, ଡାକ୍ ତାକୁ ପଇସା ଦେଇଯିବ।’
ମାଗୁ ପୁହାଣ ଡାକିବାକୁ ଝପଟି ଯାଉଥିଲା, ଦୋକାନୀ ତା’ କଛାଟାକୁ ଘୋଷାରି ଧରି କହିଲା, ‘ଆରେ ଶଳା…. ଯାଉଚୁ କୁଆଡ଼େ?’
ମାଗୁ ପୁହାଣ କାକୁତି ହେଇ କହିଲା, ‘ତାଙ୍କୁ ଡାକିବାକୁ।’
‘ଆରେ ଶଳା ଏ’ଟା ବଡ଼ ପୀର ଅଛିରେ… ଯାଉଚି ଡାକିକି ଆଣି ପଇସା ଦେବ। ଥାଉ ଥାଉ ତୋ ଚାଲାକି… ଏଇଠି ଡାକ୍।’ ଚେଙ୍ଗେଡ଼ା ଗୁପ୍ଚୁପ୍ ବିକାଳି ଟୋକାଟା ତା’ ହାତଟାକୁ ମୋଡ଼ି ଧରିଲା।
ମାଗୁ ପୁହାଣ କାହାକୁ ଡାକିବ? ସେ ନେତାଙ୍କ ନାଁ କ’ଣ ଜାଣିଛି? ସେ ଖାଲି ଯନ୍ତ୍ରଣାରେ ଚିତ୍କାରଟିଏ କରି ଉଠିଲା, ହେ ଭଗବାନ….
‘ଭଗବାନ ତୋ ନେତା? ଆରେ ଶଳା’…. ଦୋକାନୀଟି ତା’ ବେକଶଣ୍ଢା ମୂଳକୁ ଦେଲା ପ୍ରଚଣ୍ଡ ଧକ୍କାଟିଏ। ହାମୁଡ଼େଇ ପଡ଼ିଲା ମାଗୁ ପୁହାଣ। କାଢ଼୍ ପଇସା କାଢ଼୍ କହି ଦୋକାନୀ ଦି’ଟା ତାକୁ ଲଙ୍ଗଳା ମୁକୁଳା କରି ପକେଇଲେ। ମାଗୁ ପୁହାଣ ଖାଲି ହେ ଭଗବାନ ହେ ଭଗବାନ କହି ଭେଲୁ ଭଳିଆ ଗଡୁଥାଏ ମାଟି ଉପରେ। ଭଗବାନ୍ ତ ଶୁଣୁ ନ ଥିଲେ। ସେଠାରେ ଜମା ହେଇଥିବା ଅସଂଖ୍ୟ ଲୋକ ବି ତାକୁ ଦେଖି ମୁହଁ ବୁଲେଇ ନେଉଥିଲେ ସଭାମଞ୍ଚ ଆଡ଼େ।
ସଭା ଚାଲିଥାଏ, ନେତା ଭାଷଣ ଦେଉଥାନ୍ତି ଅନର୍ଗଳ।
ଶଳା ଫକଡ଼ କହି ଦୋକାନୀଟିଏ ତା’ ପେଟକୁ ଲଗେଇ ଦେଲା ଯେ ନିର୍ଘାତ୍ ମୁଖିଟିଏ, ମାଗୁ ପୁହାଣ ଭକ୍ଭକ୍ ବାନ୍ତି କରି ପକେଇଲା ଦହିବରା ଆଳୁଦମ୍ର ଖଣ୍ଡିତାଂଶ।
ସଭା ମଞ୍ଚରୁ ନେତାଙ୍କ ଭାଷଣ ଶୁଭୁଥିଲା, ଦେଶରୁ ଗରିବୀ ହଟିବ। ସମସ୍ତଙ୍କୁ ଯୋଗାଇ ଦିଆଯିବ ରୋଟି, କପଡ଼ା, ମକାନ୍। ସମାଜବାଦ୍ ପ୍ରତିଷ୍ଠା ହବ ଦେଶରେ। ସମସ୍ତଙ୍କୁ ସାମାଜିକ ଅଧିକାର ପ୍ରଦାନ କରାଯିବ। ଏ ଦେଶରେ କେହି ଅଭୁକ୍ତ ରହିବେ ନାହିଁ, ରହିବ ନାହିଁ ଶୋଷଣ, ରହିବ ନାହିଁ ଅତ୍ୟାଚାର….
ହୋ… ହୋ… ଘୋଘୋ…. ଘନଘନ କରତାଳି ଜୟଜୟକାର ଜିନ୍ଦାବାଦ୍ ଧ୍ୱନିରେ ମଇଦାନ ଥରି ଉଠୁଥିଲା ଆଉ ସେଇ ଥରଥର ମାଟି ଉପରେ ହାମୁଡ଼େଇ ପଡ଼ିଥିଲା ମାଗୁ ପୁହାଣ। ଲୁହଭର୍ତ୍ତି ଆଖିରେ କିନ୍ତୁ ଜମାଟ ବାନ୍ଧି ଆସୁଥିଲା ମେଞ୍ଚା ମେଞ୍ଚା ଅନ୍ଧାର….
(‘ସାହିତ୍ୟ ଚର୍ଚ୍ଚା’ ପତ୍ରିକାର ମଇ, ୨୦୨୪ ସଂଖ୍ୟାରେ ପ୍ରକାଶିତ।)
ନେତାଏ ଆସିଲେ ବିକାଶ ଆଣି ଆସନ୍ତି ବୋଲି କୁହନ୍ତି, ହେଲେ ନେତାଏ ଯେ ଖାଲି ଜନସମର୍ଥନ ଦେଖି ଲୋକଙ୍କୁ ଭଣ୍ଡେଇବାକୁ ଆସନ୍ତି, ଏକଥା ସମସ୍ତେ ଜାଣନ୍ତି। ମାତ୍ର ସମସ୍ତେ ନିରୁପାୟ। ଆଜିର ସମାଜରେ ମଣିଷ ଖାଲି ମାଗଣା ଖାଇବ, ମାଗଣା ଟଙ୍କା କିଛି ମିଳିଗଲେ ହେଲା। ଉପଯୁକ୍ତ ଚାଷୀ, ଗରିବ, ଛାତ୍ରଛାତ୍ରୀମାନଙ୍କୁ ଯଦି ସର୍ଭେ କରାଯାଇ ଟଙ୍କା ଦିଆ ଯାଆନ୍ତା, ତେବେ ଦେଶରେ ଗରିବୀ ହଟି ଯାଆନ୍ତା। ଆଉ ଏଠି ଆମ ଲୋକେ ମାଗଣାରେ ବୁଲିବେ, ମାଗଣାରେ ଖାଇବେ, ମାଗଣାରେ ନାରା ପକେଇବାକୁ ବେଶୀ ତରତର ହେଉଛନ୍ତି। ପଛେ ଆମେ କ୍ରୀତଦାସ ହେଇଯାଉ। ୧୮୬୬ ମସିହାର ନ’ଅଙ୍କ ଦୁର୍ଭିକ୍ଷରେ ଏଇ ଓଡ଼ିଆ ଜାତିକୁ ଛତରଖିଆ କରିଦେଇଥିଲା ସେତେବେଳର ପ୍ରଶାସନ ଏବଂ ସରକାର। ତା ଭିତରେ ବି କିଛି ଜଣ ସ୍ଵାଭିମାନୀ ଓଡିଆ ଥିଲେ ଯାହାଙ୍କ ମୁଣ୍ଡ ନଇଁ ନଥିଲା। ଭୋକରେ ମରିଗଲେ ସିନା ହାତପାତି ଖାଇନଥିଲେ। ଆଉ ବର୍ତ୍ତମାନର ବିକଳିଆମାନଙ୍କୁ କଣ କୁହାଯିବ ?