ବିଶିଷ୍ଟ କବି ତଥା ସମ୍ପାଦକ ସୁନୀଲ କୁମାର ପୃଷ୍ଟି ଗତ ମଇ ୨୨ ତାରିଖ ଦିନ ପରଲୋକ ଗମନ କରିଛନ୍ତି। ତାଙ୍କର ସ୍ମୃତିଚାରଣ କରିଛନ୍ତି ବର୍ଷୀୟାନ ଲେଖକ ଅଚ୍ୟୁତାନନ୍ଦ ପତି।
ରୋମାଣ୍ଟିକ କାବ୍ୟ ଚେତନାର ସ୍ବର, ‘ଦେହ ଦେଉଳ’ର ନାନ୍ଦନିକ କବି ସୁନୀଲ ପୃଷ୍ଟି ଆଉ ନାହାନ୍ତି। ସେ ଜଣେ ସୁଦକ୍ଷ ସମ୍ପାଦକ ମଧ୍ୟ ଥିଲେ। ସେ ‘ସଚିତ୍ର ବିଜୟା’ ଓ ‘ନବଲିପି’ର କିଛି ସମୟ ସମ୍ପାଦନା କରିଥିଲେ। ତା’ପରେ ଦୁଇବର୍ଷ ‘ସାହିତ୍ୟ ପୃଥିବୀ’ର ସମ୍ପାଦକ ଥିଲେ। ସେ ସମୟରେ ସେ ଥରେ ଯାଜପୁରରେ ଥିବା ମୋ ଘରକୁ ‘ସି ସୋର୍’ ସଂସ୍ଥାର ଜଣେ ଉପରିସ୍ଥ ଅଧିକାରୀ ଓ ଜଣେ ଫଟୋଗ୍ରାଫରଙ୍କ ସହିତ ଆସିଥିଲେ। ମନେ ଅଛି, ସେଦିନ ତାଙ୍କୁ ଶେଉଳ ମାଛ ପରଷାଯାଇଥିଲା।
ତା’ପରେ ସେ ଶେଉଳ ମାଛର ଝୋଳରୁ ଆରମ୍ଭ କରି ମୋ କଥା କାରିଗରୀର କୌଶଳ ଉପରେ ‘ସାହିତ୍ୟ ପୃଥିବୀ’ରେ ଏକ ସମ୍ପାଦକୀୟ ଲେଖିଥିଲେ। କଥାସାହିତ୍ୟ ମଧ୍ୟ ଯେ ଶେଉଳ ମାଛ ଭଳି ସୁସ୍ବାଦୁ ହୋଇପାରେ ତାହା ଦର୍ଶାଇବା ଥିଲା ତାଙ୍କର ଉଦ୍ଦେଶ୍ୟ। ସେହି ଲେଖାରେ ସେ ପ୍ରାଚୀନ କାଳର ଗ୍ରୀକ୍ ଦାର୍ଶନିକ ଓ ସଙ୍ଗୀତଜ୍ଞ ପାଇଥାଗୋରସ୍ଙ୍କ ସଂଗୀତ ସର୍ଜନାର ପ୍ରବାହ ସହିତ ମୋ’ର ରଚନାକୁ ଯୋଡ଼ିଥିଲେ। ସେହି ଲେଖା ପ୍ରକାଶିତ ହେବା ପରେ କେତେଜଣ ମୋତେ କହିଲେ ଯେ ଶେଉଳ ମାଛ ଖାଇବା ପାଇଁ ଆମେ ଆପଣଙ୍କ ଘରକୁ ଯିବୁ। ପରିସ୍ଥିତି ଏମିତି ମଧ୍ୟ ହେଲା ଯେ କେତେକ ଲେଖକ ବନ୍ଧୁ ମୋତେ ପାଇଥାଗୋରସ୍ ନାମରେ ଡ଼ାକିବା ଆରମ୍ଭ କଲେ।
ତାହା ପୂର୍ବରୁ ଥରେ କେନ୍ଦ୍ର ସାହିତ୍ୟ ଏକାଡେମୀ ଭୁବନେଶ୍ବରରେ ମୋ’ର ରଚନା ସମଗ୍ର ଉପରେ ଏକ ଆଲୋଚନାଚକ୍ରର ଆୟୋଜନ କରିଥିଲେ। ସେହି ସଭାରେ ସୁନୀଲଙ୍କ ସହିତ ପ୍ରଥମେ ମୋ’ର ପରିଚୟ ହେଲା। ସେଦିନ ମଂଚ ଉପରେ ମୁଁ କୁକୁର ଚରିତ୍ର ଉପରେ ଗୋଟିଏ ଗଳ୍ପ ଲେଖିବାକୁ ମନସ୍ଥ କରିଥିବା କଥା କହିଥିଲି। ସଭା ପରେ ସୁନୀଲ ମୋ ପାଖକୁ ଆସି କହିଲେ ଯେ କୁକୁର ଉପରେ ତ ବହୁତ୍ ଗପ ଅଛି। ମୁଁ ତାଙ୍କୁ ଜଣାଇଲି, ମୋ ଗଳ୍ପରେ ଅଧିକଟା କ’ଣ। ସେ କହିଲେ, ଶୀଘ୍ର ଲେଖନ୍ତୁ। ଗଳ୍ପଟି ଲେଖା ମଧ୍ୟ ହେଲା; ଏବଂ ‘ରାଜା ଓ ଆର୍ଯ୍ୟାବର୍ତ୍ତ’ ଶୀର୍ଷକରେ ତାହା ପ୍ରକାଶିତ ହେଲା। ମୋଟ ଉପରେ ସେଇଠୁଁ ସୁନୀଲଙ୍କ ସହିତ ମୋ’ର ପରିଚୟ।
ସେ ଜଣେ ଭଲ ସମ୍ପାଦକ ଥିଲେ। ତାଙ୍କର ସମ୍ପାଦକୀୟ ଲେଖା ଏକ ସ୍ବତନ୍ତ୍ର ପର୍ଯ୍ୟାୟର ଥିଲା; ସମ୍ପୂର୍ଣ୍ଣ ନୂଆ ରକମର।
ଆଜି ତା’ଙ୍କର ଅବର୍ତ୍ତମାନରେ ସେସବୁ କଥା ମନେପକାଇ ମୋ ଆଖି ଓଦା ହୋଇଯାଉଛି।
ଜଣେ ବିଶିଷ୍ଟ ସାହିତ୍ୟିକ, ସମ୍ପାଦକ ତଥା କବିଙ୍କ ଆକସ୍ମିକ ଦେହାନ୍ତ ଅତ୍ୟନ୍ତ ଦୁଃଖ ପ୍ରଦାନ କରିଛି।