“ବିଦେଶରେ ମୋ ପାଇଁ ବହୁତ ସୁଯୋଗ ଥିଲା; କିନ୍ତୁ ମୁଁ ଫେରି ଆସିଲି ଭାରତକୁ ଆମର ଭାଷା, ସାହିତ୍ୟ ଓ ସଂସ୍କୃତି ବିଷୟରେ କିଛି କାମ କରିବାପାଇଁ।“
ଦେଶର ଜଣେ ଲବ୍ଧପ୍ରତିଷ୍ଠ ଭାଷାବିତ୍ ଭାବରେ ଡ.ଦେବୀପ୍ରସନ୍ନ ପଟ୍ଟନାୟକ ସୁପରିଚିତ। ତାଙ୍କର ବୟସ ବର୍ତ୍ତମାନ ୯୩ ବର୍ଷ। ସେ ମହୀଶୁରଠାରେ ଥିବା କେନ୍ଦ୍ରୀୟ ଭାରତୀୟ ଭାଷା ପ୍ରତିଷ୍ଠାନର ପ୍ରତିଷ୍ଠାତା ନିର୍ଦ୍ଦେଶକ। ୨୦୧୪ ମସିହାରେ ଏକ ଶାସ୍ତ୍ରୀୟ ଭାଷା ଭାବରେ ଓଡ଼ିଆ ଭାଷା ସ୍ୱୀକୃତି ପାଇବା ପଛରେ ତାଙ୍କର ବିଶେଷ ଭୂମିକା ରହିଛି। ସେ ୧୯୮୭ ମସିହାରେ ଭାରତ ସରକାରଙ୍କ ଦ୍ୱାରା ପଦ୍ମଶ୍ରୀ ସମ୍ମାନରେ ଭୂଷିତ ହୋଇଥିଲେ। ତାଙ୍କ ସହିତ ବାର୍ତ୍ତାଳାପ କରିଥିଲେ ‘ସାହିତ୍ୟ ଚର୍ଚ୍ଚା’ର ସମ୍ପାଦକ ନିହାର ଶତପଥୀ।
ସାହିତ୍ୟ ଚର୍ଚ୍ଚା: ଆଜି ୯୪ ବର୍ଷ ବୟସରେ ବି ଆପଣ ବେଶ୍ କର୍ମଚଞ୍ଚଳ। ଏହାର ରହସ୍ୟ କ’ଣ?
ଦେବୀପ୍ରସନ୍ନ ପଟ୍ଟନାୟକ: ମୁଁ ପିଲାଦିନୁଁ ଗାନ୍ଧୀ ପରମ୍ପରାରେ ବଢ଼ିଛି। ମୋ ବାପା ଗାନ୍ଧିଜୀଙ୍କର ଅନୁଗତ ଥିଲେ। ମୋର ମନେଅଛି, ଆମ ଘରେ ଦୁଇଟି କଥାକୁ ପ୍ରାଧାନ୍ୟ ଦିଆହେଉଥିଲା। ପ୍ରଥମଟି ହେଲା, “ଈଶ୍ୱର ଆଲ୍ଲା ତେରୋ ନାମ୍, ସବକୋ ସନ୍ମତି ଦେ ଭଗବାନ୍।” ଦ୍ୱିତୀୟଟି ହେଲା, “ବୈଷ୍ଣବ ଜନତୋ ପୀଡ୍ ପରାଇ ଜାନୋରେ।”
ସାହିତ୍ୟ ଚର୍ଚ୍ଚା: ଆପଣ କହିବାର କଥା ଯେ ସକାରାତ୍ମକ ଚିନ୍ତନ ହେଉଛି ଆପଣଙ୍କର ଏହି ସକ୍ରିୟ କର୍ମଶୈଳୀ ପଛର ପ୍ରେରଣା!
ଦେବୀପ୍ରସନ୍ନ ପଟ୍ଟନାୟକ: ଏଇଟା ହିଁ ଏକମାତ୍ର ରହସ୍ୟ।
ସାହିତ୍ୟ ଚର୍ଚ୍ଚା: ସାଧାରଣରେ ଗୋଟିଏ ଧାରଣା ଅଛି ଯେ ଆପଣ ଯଦି ସହରର କୌଣସି ସ୍ଥାନରେ ଭାଷା, ସାହିତ୍ୟ ବା ସଂସ୍କୃତି ବିଷୟରେ ସଭାଟିଏ ହେବାର ଖବର ପାଆନ୍ତି, ତେବେ ଘରେ ସ୍ଥିର ହୋଇ ବସିପାରନ୍ତି ନାହିଁ; ଏବଂ ବିନା ନିମନ୍ତ୍ରଣରେ ମଧ୍ୟ ସେଠାରେ ପହଞ୍ଚି ଦର୍ଶକ ମଣ୍ଡଳୀ ଭିତରେ ବସିଯାଆନ୍ତି। ଏମିତି କାହିଁକି?
ଦେବୀପ୍ରସନ୍ନ ପଟ୍ଟନାୟକ: ମୁଁ ଶୁଣିବାକୁ ଓ ଜାଣିବାକୁ ଚାହେଁ ଯେ ଏବେ ସାହିତ୍ୟ, ସଂସ୍କୃତି ଓ ଭାଷା ବିଷୟରେ କ’ଣ ସବୁ ଚାଲିଛି। କାରଣ ଓଡ଼ିଶାରେ ତ ଏ ବିଷୟରେ ବହୁ ଲୋକ ଭାଷଣ ଦେଉଛନ୍ତି; ଅବଶ୍ୟ କିଛି କାମ ହେଉନାହିଁ।
ସାହିତ୍ୟ ଚର୍ଚ୍ଚା: ତେବେ ସର୍ବସାଧାରଣରେ ଏବେ କ’ଣ ଚର୍ଚ୍ଚା ହେଉଛି ସେ ବିଷୟରେ ଆପଣ ନିଜକୁ ଅପଡେଟେଡ୍ କରି ରଖିବାକୁ ଚାହାନ୍ତି !
ଦେବୀପ୍ରସନ୍ନ ପଟ୍ଟନାୟକ: ହଁ, ସେଇଆ।
ସାହିତ୍ୟ ଚର୍ଚ୍ଚା: ଆପଣ ଭାରତ ବାହାରେ ମଧ୍ୟ ଭାଷାତତ୍ତ୍ୱ ବିଷୟରେ ଉଚ୍ଚତର ଗବେଷଣା କରିଛନ୍ତି। ତେବେ ସେଠାରେ ନିଜର ବୃତ୍ତିଗତ ଜୀବନ କଟାଇବାକୁ ଆପଣ ପସନ୍ଦ କଲେନାହିଁ କାହିଁକି?
ଦେବୀପ୍ରସନ୍ନ ପଟ୍ଟନାୟକ: ଦେଖନ୍ତୁ, ବିଦେଶରେ ମୋ ପାଇଁ ବହୁତ ସୁଯୋଗ ଥିଲା; କିନ୍ତୁ ମୁଁ ଫେରି ଆସିଲି ଭାରତକୁ ଆମର ଭାଷା, ସାହିତ୍ୟ ଓ ସଂସ୍କୃତି ବିଷୟରେ କିଛି କାମ କରିବାପାଇଁ। ସିକାଗୋ ୟୁନିଭର୍ସିଟିରେ ସେମାନେ ମୋ ପାଇଁ ପାଞ୍ଚ ବର୍ଷ ଅପେକ୍ଷା କଲେ, ତଥାପି ଗଲିନାହିଁ। ଜାତିସଂଘରେ ମଧ୍ୟ ନିର୍ଦ୍ଦେଶକ ଭାବରେ ଯୋଗ ଦେବାର ଅବସର ସୃଷ୍ଟି ହୋଇଥିଲା, ତାହାକୁ ଏଡ଼ାଇଗଲି।
ସାହିତ୍ୟ ଚର୍ଚ୍ଚା: ଭାରତରେ କାର୍ଯ୍ୟ କରିବାପାଇଁ ଆପଣଙ୍କର ଏହି ଯେ ନିଷ୍ପତ୍ତି, ତାହା ଫଳରେ ଆପଣଙ୍କୁ କିଛି ହରାଇବାକୁ ମଧ୍ୟ ପଡ଼ିଛି କି? ଅର୍ଥାତ୍, ଏପରି ଏକ ନିଷ୍ପତ୍ତି ପାଇଁ ଆପଣ ଏବେ ପଶ୍ଚାତାପ କରନ୍ତି କି?
ଦେବୀପ୍ରସନ୍ନ ପଟ୍ଟନାୟକ: ନା, ପଶ୍ଚାତାପ କରିନି। କିନ୍ତୁ ଲୋକେ କହନ୍ତି ଯେ, ତୁମେ ହରାଇଛ ବହୁତ।
ସାହିତ୍ୟ ଚର୍ଚ୍ଚା: ଭାଷା ବିଷୟରେ ଗବେଷଣା ଓ ତାତ୍ତ୍ୱିକ ଜ୍ଞାନ ତ ଗୋଟିଏ କଥା; କିନ୍ତୁ ସେହି ଭାଷାଗୁଡ଼ିକୁ ଆୟତ୍ତ କରି ବାସ୍ତବ ଜୀବନରେ ତାହାର ପ୍ରୟୋଗ କରିବା ଏତେ ସହଜ ନୁହେଁ। ଆପଣ ଇଂରାଜୀ ବ୍ୟତୀତ ଦୁଇଟି ବିଦେଶୀ ଭାଷା ଓ ଛଅଟି ଭାରତୀୟ ଭାଷାର ବ୍ୟବହାରରେ ନିଜକୁ ପାରଙ୍ଗମ କଲେ କେମିତି?
ଦେବୀପ୍ରସନ୍ନ ପଟ୍ଟନାୟକ: ମୁଁ ପ୍ରଥମେ ପଶ୍ଚିମବଙ୍ଗରେ ୧୧ ବର୍ଷ ରହିଲି, ଅସାମରେ ମଧ୍ୟ ଗବେଷଣା କରୁଥିଲି, ଫଳରେ ଓଡ଼ିଆ ବ୍ୟତୀତ ବଙ୍ଗଳା, ଅହମିୟା ଓ ହିନ୍ଦୀ ଭାଷା ସହିତ ମୋ’ର ସଂପୃକ୍ତି ହେଲା। ତା’ପରେ ଗଲି ପୁଣେ। ସେଠାରେ ମରାଠୀ ଓ ଗୁଜରାଟୀ ଭାଷା ସହିତ ସଂପର୍କ ହେଲା। ମହୀଶୁର ମଧ୍ୟ ଗଲି ଯେଉଁଠି କନ୍ନଡ଼ ଓ ତେଲୁଗୁ ଆଦି ଭାଷା ଶିଖିବାର ଅବସର ମିଳିଲା।
ସାହିତ୍ୟ ଚର୍ଚ୍ଚା: ଫରାସୀ ଓ ଋଷୀୟ ଭଳି ବିଦେଶୀ ଭାଷାମାନ ମଧ୍ୟ ଶିଖିଲେ କିଭଳି?
ଦେବୀପ୍ରସନ୍ନ ପଟ୍ଟନାୟକ: ପଢ଼ିବା ବେଳେ ମୁଁ ଋଷୀୟ ଭାଷା ଶିଖିନେଇଥିଲି। ପରେ ଫରାସୀ ଭାଷାରେ ଡିପ୍ଲୋମା କଲି।
ସାହିତ୍ୟ ଚର୍ଚ୍ଚା: ଆପଣ ଜଣେ ଲବ୍ଧପ୍ରତିଷ୍ଠ ଭାଷାବିଦ୍ ହୋଇଥିବା ସତ୍ତ୍ୱେ ଆପଣଙ୍କର ପ୍ରକାଶିତ ପୁସ୍ତକର ସଂଖ୍ୟା ଅଧିକ ନୁହେଁ ବୋଲି ସାଧାରଣରେ ଏକ ଧାରଣା ରହିଛି। କିନ୍ତୁ ଏଠାରେ ଆପଣଙ୍କ ଦ୍ୱାରା ରଚିତ ଏତେ ସଂଖ୍ୟକ ବହିକୁ ଦେଖିବା ପରେ ଆମର ସେ ଧାରଣା ଦୂର ହୋଇଗଲା। ଆପଣଙ୍କ ଅଧିକାଂଶ ପୁସ୍ତକ ଲୋକଲୋଚନରୁ ଏମିତି ଦୂରରେ ରହିଛି କାହିଁକି?
ଦେବୀପ୍ରସନ୍ନ ପଟ୍ଟନାୟକ: କହିପାରିବିନି। ମୋର ବହି ପଢ଼ିନଥିବାରୁ କେତେକଙ୍କର ମନରେ ବୋଧହୁଏ ଏମିତି ଧାରଣା ରହିଥାଇପାରେ।
ସାହିତ୍ୟ ଚର୍ଚ୍ଚା: ଆପଣଙ୍କର ଗୋଟିଏ ସମାଲୋଚନା ଧର୍ମୀ ବହି, ‘କବି ଲିପି’ ଆମ ଦୃଷ୍ଟିରେ ପଡ଼ିଛି, ଯେଉଁଥିରେ ଆପଣ ରାଧାନାଥ ରାୟଙ୍କର କେତେକ ବ୍ୟକ୍ତିଗତ ଚିଠି ଲୋକଲୋଚନକୁ ଆଣି ତାହା ବିଷୟରେ ଖୋଲା ଆଲୋଚନା କରିଛନ୍ତି।
ଦେବୀପ୍ରସନ୍ନ ପଟ୍ଟନାୟକ: ଏଇଟି ପ୍ରକାଶିତ ହୋଇଥିଲା ୧୯୫୬ରେ। ସେତେବେଳେ ଏହାର ବିରୋଧ ବହୁତ ହୋଇଥିଲା। କାରଣ ଏଥିରେ ତାଙ୍କର ଜଣେ ପ୍ରେମିକା, ନଗେନ୍ଦ୍ର ମାଳା ସରସ୍ୱତୀଙ୍କ ସହିତ ସମ୍ପର୍କ ବିଷୟ ମୁଁ ପ୍ରଥମ ଥର ପାଇଁ ଲେଖିଥିଲି।
ସାହିତ୍ୟ ଚର୍ଚ୍ଚା: ଅନେକେ ଜାଣନ୍ତି ନାହିଁଁ ଯେ ଆପଣ ଜଣେ କଥାକାର ମଧ୍ୟ। ୧୯୯୮ରେ ଆପଣଙ୍କର ଗୋଟିଏ ବହି ‘ଲଘୁକଥା’ ନାମରେ ପ୍ରକାଶିତ ହୋଇଥିଲା ଯେଉଁଥିରେ ଆପଣ ଲେଖିଛନ୍ତି, “ଏଥିରେ ହାଲୁକା ହସଠାରୁ ଆରମ୍ଭ କରି ମୁଣ୍ଡ ବଥେଇବା ତତ୍ତ୍ୱ ପର୍ଯ୍ୟନ୍ତ ବିଭିନ୍ନ ପ୍ରକାର ସାମଗ୍ରୀ ପରିବେଷିତ ହୋଇଛି।”
ଦେବୀପ୍ରସନ୍ନ ପଟ୍ଟନାୟକ: ସେ ସମୟର ପାଠକୀୟ ରୁଚିକୁ ଦୃଷ୍ଟିରେ ରଖି ଏହା ଲେଖିଥିଲି।
ସାହିତ୍ୟ ଚର୍ଚ୍ଚା: ଏଥିରେ ମଧ୍ୟ ଚମତ୍କାର ହାସ୍ୟରସାତ୍ମକ କଥାଟିଏ ଅଛି?। ଆପଣ ଲେଖିଛନ୍ତି, “ଅସମିୟା ବ୍ରାହ୍ମଣଠାରୁ ଆଶୀର୍ବାଦ ନେବା ଅନୁଚିତ। କାରଣ ‘ଶତାୟୁ ଭବ’ ଜାଗାରେ ସେ ‘ହତାୟୁ ଭବ’ କହେ।”
ଦେବୀପ୍ରସନ୍ନ ପଟ୍ଟନାୟକ: କାରଣ ସେମାନଙ୍କ ଭାଷାରେ ‘ଶ’ଟା ‘ହ’ ହୁଏ।
ସାହିତ୍ୟ ଚର୍ଚ୍ଚା: ଆପଣ ମହୀଶୂରରେ କେନ୍ଦ୍ରୀୟ ଭାଷା ପ୍ରତିଷ୍ଠାନ ପ୍ରତିଷ୍ଠା କରିଥିଲେ ୧୯୬୯ ମସିହାରେ ଏବଂ ଏହାର ନିର୍ଦ୍ଦେଶକ ଭାବରେ ଦାୟିତ୍ୱ ନିର୍ବାହ କରିଥିଲେ ଦୀର୍ଘ ୨୦ ବର୍ଷ କାଳ, ଅର୍ଥାତ୍ ୧୯୮୯ ପର୍ଯ୍ୟନ୍ତ। ଏହି ପ୍ରତିଷ୍ଠାନକୁ ଗଢ଼ିବା ପାଇଁ ଆପଣଙ୍କୁ କିଛି ପ୍ରତିବନ୍ଧକର ସାମନା କରିବାକୁ ହୋଇଥିଲା କି?
ଦେବୀପ୍ରସନ୍ନ ପଟ୍ଟନାୟକ: ପ୍ରତି ପଦରେ ଥିଲା ପ୍ରତିବନ୍ଧକ। ତାହାର କାରଣ ହେଉଛି, ପ୍ରଥମେ ମୁଁ କହିଲି ଯେ ଏହା ଭାରତର ସରକାରଙ୍କ ପ୍ରତିଷ୍ଠାନ ହେଲେ ମଧ୍ୟ ହିନ୍ଦୀ ଅଞ୍ଚଳ ବାହାରେ ଏହାର ମୁଖ୍ୟାଳୟ ରହିବା ଉଚିତ୍। କିନ୍ତୁ ଆପତ୍ତି ହେଲା। ଶେଷକୁ ଏହା ମହୀଶୂରରେ ହେବାର ସ୍ଥିର ହେଲା। ଏହା ଭାରତର ସରକାରଙ୍କ ଭାଷା ବିଭାଗ ଭାବରେ ମଧ୍ୟ କାର୍ଯ୍ୟ କରୁଥିଲା। ତେଣୁ ଦେଶ ଭିତରେ ଭାଷା ଜନିତ ଯେତେକ ସମସ୍ୟା, ଆମକୁ ତାହାର ସମାଧାନ କରିବାକୁ ପଡ଼ୁଥିଲା।
ସାହିତ୍ୟ ଚର୍ଚ୍ଚା: ଏହି ପ୍ରତିଷ୍ଠାନଟି ସେତେବେଳେ ଓଡ଼ିଶାରେ ପ୍ରତିଷ୍ଠା ହେବାର କିଛି ସମ୍ଭାବନା ସୃଷ୍ଟି ହୋଇଥିଲା କି?
ଦେବୀପ୍ରସନ୍ନ ପଟ୍ଟନାୟକ: ନା, ସେମିତି କିଛି ନ ଥିଲା। କିନ୍ତୁ ଓଡ଼ିଶାରେ ପୂର୍ବାଞ୍ଚଳ ଭାଷାକେନ୍ଦ୍ର ପ୍ରତିଷ୍ଠା ହେଲା। ଏଥିପାଇଁ ବିରୋଧ ଥିଲା ବହୁତ। ପଶ୍ଚିମ ବଙ୍ଗର ଶିକ୍ଷା ମନ୍ତ୍ରୀ ଏ ପ୍ରସଙ୍ଗରେ ମୋତେ ସାକ୍ଷାତ କରିବା ପାଇଁ ଭୁବନେଶ୍ୱରରେ ଚାରିଦିନ କାଳ ଅପେକ୍ଷା କରିଥିଲେ। ମୁଁ ଓଡ଼ିଶାର ଶିକ୍ଷା ମନ୍ତ୍ରୀ ବନମାଳି ପଟ୍ଟନାୟକଙ୍କୁ କହିଲି, ତୁରନ୍ତ ଏକ ଚିଠି ଲେଖିବାକୁ ଯେ ଓଡ଼ିଶା ସରକାର ଏଥିପାଇଁ ଜାଗା ଦେବେ। ସେହି ଚିଠିଟି ଦସ୍ତଖତ କରାଇବା ପରେ ସେଇଟି ସାଥିରେ ନେଇ ମୁଁ ପଶ୍ଚିମ ବଙ୍ଗର ଶିକ୍ଷା ମନ୍ତ୍ରୀଙ୍କୁ ଭେଟିଲି, ଏବଂ କହିଲି, ଆପଣ ତ ଡେରିରେ ଆସିଲେ।
ସାହିତ୍ୟ ଚର୍ଚ୍ଚା: ଓଡ଼ିଆ ଭାଷାର ଶାସ୍ତ୍ରୀୟ ସ୍ୱୀକୃତି ହାସଲରେ ଆପଣଙ୍କର ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକା ରହିଛି ବୋଲି କୁହାଯାଏ। ଏ ବିଷୟରେ ଆପଣଙ୍କ ଅନୁଭୂତି ଟିକିଏ କହିବେ କି!
ଦେବୀପ୍ରସନ୍ନ ପଟ୍ଟନାୟକ: ପ୍ରଥମେ ରାମଚନ୍ଦ୍ର ଖୁଣ୍ଟିଆ ଆସି ମୋତେ କହିଲେ ଯେ, ଆପଣ ଏହାର ଦାୟିତ୍ୱ ନିଅନ୍ତୁ। ଯୋଡ଼ିଏ କମିଟି ଗଠନ ହେଲା, ଡକ୍ୟୁମେଣ୍ଟ କମିଟିର ଚେୟାରମ୍ୟାନ ମୁଁ ଥିଲି। ଆଉ ଗୋଟିଏ କମିଟିରେ ମତଲୁବ୍ ଅଲି ଚେୟାରମ୍ୟାନ ଥିଲେ। ରାମଚନ୍ଦ୍ର ଖୁଣ୍ଟିଆ କହିଲେ ଯେ ସୁବ୍ରତ ପୃଷ୍ଟି ମୋତେ ଏ ବାବଦରେ ସାହାଯ୍ୟ କରିବେ, ଅର୍ଥାତ୍ ଯାହା କିଛି ସୂଚନା ବା ଡକୁମେଣ୍ଟ ଆଦି ଆବଶ୍ୟକ ପଡ଼ିବ ସେସବୁ ସେ ସଂଗ୍ରହ କରି ସେ ମୋତେ ଯୋଗାଇବେ।
ସାହିତ୍ୟ ଚର୍ଚ୍ଚା: ତେବେ ସେହି ଦସ୍ତାବେଜଟି ଶେଷକୁ କେମିତି ପ୍ରସ୍ତୁତ ହେଲା?
ଦେବୀପ୍ରସନ୍ନ ପଟ୍ଟନାୟକ: ଯେତେବେଳେ ଆମର ଡକ୍ୟୁମେଣ୍ଟ ପ୍ରାୟ ୭୫ ପ୍ରତିଶତ ଭାଗ ତିଆରି ହୋଇଗଲା, ରାମଚନ୍ଦ୍ର ଖୁଣ୍ଟିଆ ତାହାକୁ ଛପାଇ ସଂସ୍କୃତି ମନ୍ତ୍ରଣାଳୟରେ ଦେଇଦେଲେ।
ସାହିତ୍ୟ ଚର୍ଚ୍ଚା: ଏହା ଆପଣଙ୍କ ଦ୍ୱାରା ପ୍ରସ୍ତୁତ ହୋଇଛି ବୋଲି ସେଥିରେ ଲେଖାଯାଇଥିଲା।
ଦେବୀପ୍ରସନ୍ନ ପଟ୍ଟନାୟକ: ହଁ, ସେଥିରେ ମୋ’ର ନାମ ଥିଲା।
ସାହିତ୍ୟ ଚର୍ଚ୍ଚା: ଆମେ ଦେଖିଛୁ ଯେ ଏହି ମୁଦ୍ରିତ ଡକ୍ୟୁମେଣ୍ଟର ଅନ୍ୟତମ ସଂକଳକ ଭାବରେ ସୁବ୍ରତ କୁମାର ପୃଷ୍ଟିଙ୍କ ନାମ ମଧ୍ୟ ସେଥିରେ ଥିଲା।
ଦେବୀପ୍ରସନ୍ନ ପଟ୍ଟନାୟକ: ତାଙ୍କର ନାମ ମଧ୍ୟ ଥିଲା।
ସାହିତ୍ୟ ଚର୍ଚ୍ଚା: ଏହି ମୁଦ୍ରିତ ଡକ୍ୟୁମେଣ୍ଟଟି ପ୍ରଥମେ ଘରୋଇ ଉଦ୍ୟମରେ ସଂସ୍କୃତି ମନ୍ତ୍ରଣାଳୟରେ ଦାଖଲ ହେଲା। ତା’ପରେ ତ ପୁଣି ଓଡ଼ିଶା ସରକାର ଔପଚାରିକ ଭାବରେ ଆଉ ଏକ ଡକ୍ୟୁମେଣ୍ଟ ଦାଖଲ କରିଥିଲେ।
ଦେବୀପ୍ରସନ୍ନ ପଟ୍ଟନାୟକ: ସେଇଟା ବହୁତ ପରେ ହେଲା।
ସାହିତ୍ୟ ଚର୍ଚ୍ଚା: ସେହି ସରକାରୀ ଡକୁମେଣ୍ଟରେ ମଧ୍ୟ ସଂକଳକ ଭାବରେ ଆପଣଙ୍କର ଓ ସୁବ୍ରତ କୁମାର ପୃଷ୍ଟିଙ୍କର ନାମ ଲେଖା ଯାଇଥିଲା। ଅବଶ୍ୟ ଏହାର ପ୍ରସ୍ତୁତି କମିଟିର ସଦସ୍ୟ ଭାବରେ ଅନ୍ୟମାନେ ମଧ୍ୟ ସଂପୃକ୍ତ ଥିଲେ।
ଦେବୀପ୍ରସନ୍ନ ପଟ୍ଟନାୟକ: ଏହି ଦ୍ୱିତୀୟ ଡକ୍ୟୁମେଣ୍ଟଟି ତ ବହୁତ ପରେ ହେଲା। ଆମର ପ୍ରଥମ ଡକ୍ୟୁମେଣ୍ଟଟି ଯିବାପରେ କେନ୍ଦ୍ର ସରକାର ଓଡ଼ିଶା ସରକାରଙ୍କୁ ଲେଖିଲେ ଯେ ଓଡ଼ିଆ ଭାଷାକୁ ଏକ ଶାସ୍ତ୍ରୀୟ ଭାଷା ଭାବରେ ସ୍ୱୀକୃତି ଦେବା ପାଇଁ ଅନୁରୋଧ କରି ଗୋଟିଏ ଡକୁମେଣ୍ଟ ଆମେ ପାଇଛୁ; ଆପଣଙ୍କର ମତ କ’ଣ? ଓଡ଼ିଶା ସରକାର ମଧ୍ୟ ସେଥିରେ ରାଜି ବୋଲି କହିଦେଇଥିଲେ ହୋଇଥା’ନ୍ତା। ସରକାର କିନ୍ତୁ କହିଲେ ଯେ ଆମେ ଆଉ ଗୋଟିଏ ଡକ୍ୟୁମେଣ୍ଟ ପଠାଇବୁ।
ସାହିତ୍ୟ ଚର୍ଚ୍ଚା: ପରେ ଆପଣ ଏବଂ ସୁବ୍ରତ କୁମାର ପୃଷ୍ଟିଙ୍କ ନାମ ଥାଇ ଓଡ଼ିଶା ସରକାରଙ୍କ ପକ୍ଷରୁ ଯେଉଁ ଦସ୍ତାବେଜ ଦାଖଲ କରାଗଲା ସେଥିରେ କିଛି ନୂତନତ୍ୱ ଥିଲା କି?
ଦେବୀପ୍ରସନ୍ନ ପଟ୍ଟନାୟକ: ପୂର୍ବରୁ ଯାହା ଲେଖାଯାଇଥିଲା, ଏଥିରେ ବି ତାହା ହିଁ ଲେଖାହୋଇଥିଲା। କାରଣ ଉଭୟରେ ମୋ’ର ଭୂମିକା ଥିଲା।
ସାହିତ୍ୟ ଚର୍ଚ୍ଚା: ବିଭିନ୍ନ ଗଣମାଧ୍ୟମରେ ସେ ସମୟରେ ଏ ବିଷୟରେ ସରଗରମ ଆଲୋଚନା ମଧ୍ୟ ଦେଖିବାକୁ ମିଳିଥିଲା।
ଦେବୀପ୍ରସନ୍ନ ପଟ୍ଟନାୟକ: ସେତେବେଳେ ଅସିତ ମହାନ୍ତି ଏ ବିଷୟରେ ପାଞ୍ଚଟା ପ୍ରବନ୍ଧ ଲେଖିଲେ ଏବଂ କହିଲେ ଯେ ଆମ ଡକ୍ୟୁମେଣ୍ଟର କେତେକ ଅଂଶ ଏଠୁଁ ଚୋରି ହୋଇଛି, ସେଠୁଁ ଉଠାହୋଇଛି ଇତ୍ୟାଦି। ଦିନେ ମୁଁ ଯାଉଛି, ବାଟରେ ଅସିତ ମହାନ୍ତି ଦେଖାହେଲେ। ମୁଁ କହିଲି, ଅସିତ୍, ମୁଁ ତୁମକୁ ଧନ୍ୟବାଦ ଦେବାପାଇଁ ଚାହେ। ସେ ଆଶ୍ଚର୍ଯ୍ୟ ହେଲେ, ଇଏ କ’ଣ? ମୁଁ ଆପଣଙ୍କ ବିରୋଧରେ ଲେଖିଛି, ଆଉ ଆପଣ ମୋତେ ଧନ୍ୟବାଦ ଦେବାକୁ ଚାହୁଁଛନ୍ତି? ମୁଁ ଉତ୍ତର ଦେଲି, ତୁମେ ଲେଖିଛ ଯେ ଉଭୟ ଡକ୍ୟୁମେଣ୍ଟ ଭିତରେ ୯୫ ପ୍ରତିଶତ ଅଂଶ ସମାନ ଅଛି, ସେଥିପାଇଁ ମୁଁ ତୁମକୁ ଧନ୍ୟବାଦ ଦେବି। ଏଥିରେ ସବୁ ପ୍ରଶ୍ନର ଉତ୍ତର ଅଛି।
ସାହିତ୍ୟ ଚର୍ଚ୍ଚା: କିନ୍ତୁ କେମିତି?
ଦେବୀପ୍ରସନ୍ନ ପଟ୍ଟନାୟକ: ଉଭୟ ଡକ୍ୟୁମେଣ୍ଟ ମୁଁ ହିଁ ତିଆରି କରିଛି। ସରକାର ଯେତେବେଳେ ଦ୍ୱିତୀୟ ଥର ସେହି ଡକ୍ୟୁମେଣ୍ଟଟି ପଠାଇବାକୁ ସ୍ଥିର କଲେ, ସେମାନେ ଆସିଲେ ମୋ ପାଖକୁ ଏବଂ କହିଲେ ଯେ ଏହା ଆପଣଙ୍କ ଛଡ଼ା ଆଉ କେହି କରିପାରିବେନି। ୯୫ ପ୍ରତିଶତ ସମାନ ହେବାର କାରଣ ଟି ସେଇଆ; କାରଣ ଉଭୟରେ ମୁଁ ଥିଲି।
ସାହିତ୍ୟ ଚର୍ଚ୍ଚା: ତେବେ ଆମେ କ’ଣ ଏମିତି କହିପାରିବା ଯେ, ଆପଣ ନିଜ ଲେଖାରୁ ହିଁ ନିଜେ ଚୋରି କରିଥିଲେ?
ଦେବୀପ୍ରସନ୍ନ ପଟ୍ଟନାୟକ: (ହସି) ଚୋରି କରିବାର ପ୍ରଶ୍ନ ହିଁ କେଉଁଠୁ ଉଠୁଛି!
ସାହିତ୍ୟ ଚର୍ଚ୍ଚା: ଆପଣ କିଛି ମାସ ତଳେ ଓଡ଼ିଶା ସରକାରଙ୍କ ଦ୍ୱାରା ଆୟୋଜିତ ‘ବିଶ୍ୱ ଓଡ଼ିଆ ଭାଷା ସମ୍ମିଳନୀ’ ଉପଲକ୍ଷେ ୨୦ ଲକ୍ଷ ଟଙ୍କା ମୂଲ୍ୟର ପ୍ରଥମ ରାଜ୍ୟ ଭାଷା ସମ୍ମାନ ପାଇଥିବା ଗୌରବର କଥା। ତେବେ ସୋସିଆଲ୍ ମିଡ଼ିଆରେ ଗୋଟିଏ କଥା ଆଲୋଚିତ ହେଉଛି ଯେ ଆପଣ ଏହି ସମ୍ମିଳନୀର ଆୟୋଜନରେ ଜଣେ ପରାମର୍ଶଦାତାର ଭୂମିକା ନିର୍ବାହ କରିଥିବାରୁ ନିଜେ ଏହି ପୁରସ୍କାର ଗ୍ରହଣ କରିବା ଉଚିତ ନ ଥିଲା। ଏ ବିଷୟରେ କ’ଣ କହିବେ?
ଦେବୀପ୍ରସନ୍ନ ପଟ୍ଟନାୟକ: ଏହି ସମ୍ମିଳନୀ ଆୟୋଜିତ ହେବା ପୂର୍ବରୁ ସରକାର ଏହାର ପ୍ରସ୍ତୁତି ବୈଠକକୁ ମୋତେ ଡ଼ାକିଥିଲେ। ମୁଁ ସେଠାକୁ ଯାଇ କିଛି ପରାମର୍ଶ ଦେଇଥିଲି। କିନ୍ତୁ ଭାଷା ପୁରସ୍କାର ବିଷୟରେ ମୋତେ କେହି ପଚାରି ନାହାନ୍ତି, କି ଶେଷ ପର୍ଯ୍ୟନ୍ତ ମୁଁ ଏ ବିଷୟରେ କିଛି ଜାଣିନଥିଲି।
ସାହିତ୍ୟ ଚର୍ଚ୍ଚା: ତେବେ ଆପଣ କେବେ ଜାଣିଲେ ଏ ବିଷୟରେ?
ଦେବୀପ୍ରସନ୍ନ ପଟ୍ଟନାୟକ: ଯେଉଁ ଦିନ ସେହି ପୁରସ୍କାର ଦିଆଯିବାର ଥିଲା, ତାହାର ପୂର୍ବଦିନ ହିଁ ଜାଣିଲି। ଲିଙ୍ଗୁଇଷ୍ଟିକ ସୋସାଇଟି ଅଫ୍ ଇଣ୍ଡିଆର ସଭାପତି ଡ଼. ରାଓ ମୋତେ ଏ କଥା କହିଲେ। ତାଙ୍କଠାରୁ ଜାଣିଲି ଯେ ସେ ନିଜେ ଏହି ପୁରସ୍କାରର ବିଚାରକ ମଣ୍ଡଳୀର ଜଣେ ସଦସ୍ୟ ଥିଲେ।
ସାହିତ୍ୟ ଚର୍ଚ୍ଚା: ତେବେ ଆପଣଙ୍କ ପାଇଁ ଏହି ପୁରସ୍କାରର ରାଶି କିଛି ମାନେ ରଖେ କି?
ଦେବୀପ୍ରସନ୍ନ ପଟ୍ଟନାୟକ: କୋଡ଼ିଏ ଲକ୍ଷ ହେଉ, ପାଞ୍ଚ ଲକ୍ଷ ହେଉ କି ଦୁଇ ଲକ୍ଷ, ସେ ରାଶିରେ କ’ଣ ବା ଅଛି? ପୁରସ୍କାର ରାଶିଟିକୁ ଓଡ଼ିଶାରେ ଭାଷାତାତ୍ତ୍ୱିକ ଅଧ୍ୟୟନକୁ ଉତ୍ସାହିତ କରିବା ଉଦ୍ଦେଶ୍ୟରେ ବିନିଯୋଗ କରିବାକୁ ମୁଁ ଚାହେ।
ସାହିତ୍ୟ ଚର୍ଚ୍ଚା: ଏଥର ବିଶ୍ୱ ଓଡ଼ିଆ ଭାଷା ସମ୍ମିଳନୀରେ ଯେଉଁ ଭଦ୍ରମହିଳା ଜଣକ ମଂଚରେ ଉପସ୍ଥାପନା କରୁଥିଲେ, ସେ କାନ୍ତକବିଙ୍କୁ ‘କଣ୍ଠକବି’ ବୋଲି ଉଚ୍ଚାରଣ କରିବା ଫଳରେ ଆଲୋଡନ ସୃଷ୍ଟି ହୋଇଥିଲା। ଅନେକ କହୁଛନ୍ତି ଯେ ଭାଷାବିତ୍ ଦେବୀ ପ୍ରସନ୍ନ ପଟ୍ଟନାୟକଙ୍କ ଭଳି ବିଦ୍ୱାନମାନେ ସେତେବେଳେ ସେଠାରେ ଉପସ୍ଥିତ ଥାଇ ମଧ୍ୟ ଏହାର ପ୍ରତିବାଦ କାହିଁକି କଲେନାହିଁ!
ଦେବୀପ୍ରସନ୍ନ ପଟ୍ଟନାୟକ: ଏହା ସେତେବେଳେ ମୋତେ ଶୁଭିନଥିଲା। ଅବଶ୍ୟ ମୁଁ କିଛି ଦିନ ପରେ ଜାଣିଲି ଯେ ଏମିତି କିଛି କୁହାଯାଇଛି।
ସାହିତ୍ୟ ଚର୍ଚ୍ଚା: ଏବର୍ଷ ଫେବୃଆରୀ ମାସରେ ଯେଉଁ ବିଶ୍ୱ ଓଡ଼ିଆ ଭାଷା ସମ୍ମିଳନୀ ହୋଇଗଲା, ତାହା ନିଜ ଲକ୍ଷ୍ୟର ପରିପୂରଣ କରିପାରିଛି ବୋଲି ଆପଣ ଭାବନ୍ତି କି?
ଦେବୀପ୍ରସନ୍ନ ପଟ୍ଟନାୟକ: ଉଚ୍ଚାରଣ ଓ ଆଚରଣ – ଏ ଦୁଇଟି ଭିତରେ ପାର୍ଥକ୍ୟ ଅଛି ବୋଲି ବର୍ତ୍ତମାନ ସବୁ ସମସ୍ୟା ସୃଷ୍ଟି ହେଉଛି। ଆମେ ତ କହିଦେଲୁ ଗୋଟିଏ କଥା, କିନ୍ତୁ କହିଦେଲେ ତ ସବୁ କିଛି କାର୍ଯ୍ୟକାରୀ ହୋଇଯାଏ ନାହିଁ। ଓଡ଼ିଶା ସରକାର ଭାଷା ବିଷୟରେ ଯେତେ ଯାହା କହିଛନ୍ତି, କିଛି କାର୍ଯ୍ୟକାରୀ ହୋଇନାହିଁ। ଭାଷା ଆଇନଟା ନବକୃଷ୍ଣ ଚୌଧୁରୀ ୧୯୫୪ ମସିହାରେ ଆଣିଥିଲେ; ଆଜି ପର୍ଯ୍ୟନ୍ତ ତାହା ସପକ୍ଷରେ ରାଜିନାମା ହୋଇନାହିଁ।
ସାହିତ୍ୟ ଚର୍ଚ୍ଚା: ଆଜିର ଏହି ସାର୍ଥକ ବାର୍ତ୍ତାଳାପଟି ପାଇଁ ଆପଣଙ୍କୁ ଅଶେଷ ଧନ୍ୟବାଦ।
(‘ସାହିତ୍ୟ ଚର୍ଚ୍ଚା’ ପତ୍ରିକାର ଜୁନ, ୨୦୨୪ ସଂଖ୍ୟାରେ ପ୍ରକାଶିତ।)
ଆପଣ ଏତେ ସଂଖ୍ଯକ ବହି ଲେଖିଛନ୍ତି ବୋଲି ଲେଖିଲେ ଯେ ଦେଖାଇଲେ ନାହିଁ ସେ ବହିଗୁଡିକ? କନ୍ନଡ ଭାଷା ବିଷୟକ ବହିର ସଂପାଦନା କରିଛନ୍ତି, ଇଂରେଜିରେ କିଛି ସଂପାଦନା ବି, ମାତ୍ର ଓଡିଆ ଭାଷାରେ ଖଂଡିଏ ବହି। ଓଡିଆରେ ବହୁ ଅଭାବ ହେଉଚି, ବହୁ ପ୍ରାଚୀନ ଭାଷା ହେଲେ ମଧ୍ଯ ଏହାର ଇତିହାସ ରଚିତ ହୋଇନାହିଁ। ବିନାୟକ ମିଶ୍ର ଯାହା ଲେଖିଛନ୍ତି ଇତିହାସ ନାମରେ ତାହା ଇତିହାସ ନୁହେଁ। ଓଡିଆଏ ଜାଣନ୍ତି ନାହିଁ କିପରି ଏ ଭାଷାଟି କେଉଁ ସମୟରେ କିପରି ଜନ୍ମ ନେଲା ଓ କେଉଁକେଉଁ ସ୍ତର ଦେଇ ଗତିକରି କିପରି ବିକଶିତ ହେଲା। ଶାସ୍ତ୍ରୀୟ ମାନ୍ଯତା ପାଇଲା, ଲୋକେ କହିଲେ ବଂଗଳା ଓ ହିନ୍ଦୀ ଭାଷା ପାଇଲା ନାହିଁ, ଓଡିଆ ପାଇଗଲା, ଅର୍ଥାତ ସେ ଦୁଇଭାଷା ବୋଧହୁଏ ଓଡିଆ ଠାରୁ ପ୍ରାଚୀନ ଓ ସମୃଦ୍ଧ। ଭାଷାର ଇତିହାସ ଜାଣିଥିଲେ ଲୋକେ ଏପରି କହିନଥାନ୍ତେ ।
ପ୍ରଫେସର ପଟ୍ଟନାୟକଂକ ପରି ବିଦ୍ୱାନ କଣ ଭାଷାର ଇତିହାସ ଲେଖି ପାରନ୍ତେ ନାହିଁ?
ଭାରତୀୟ ଭାଷା ଲୋକ ସର୍ବେକ୍ଷଣ ପକ୍ଷରୁ ଗଣେଶ ଦେବୀଂକ ଉଦ୍ଯମରେ ସଂକଳିତ ୨୨ତମ ଖଂଡର ଭାଗ ତିନିର ସଂପାଦନା କରିଚନ୍ତି ଡକ୍ଟର ପଟ୍ଟନାୟକ। ସେଥିରେ ଓଡିଶାର ଭାଷା ଚର୍ଚା କରିଚନ୍ତି କେତେକ ବିଦ୍ୱାନ । ମାତ୍ର ତାହା ଓଡିଆ ଭାଷାର ଇତିହାସ ନୁହେଁ । ଡକ୍ଟର ପଟ୍ଟନାୟକ ଏବେ ବହୁ ବୟସରେ ଉପଗତ, ସେ ନିଜେ ନେତୃତ୍ୱ ନେଇ ଏହି କରାଇ ପାରିବେକି? ତାଂକୁ ଆପଣ ମନେଇ ପାରିବେକି? ଅପରପକ୍ଷରେ ଶାସ୍ତ୍ରୀୟ ଭାଷା ଦଲିଲ ପ୍ରସ୍ତୁତିରେ ତାଙ୍କ କଥା ସଂଦେହ ପୂର୍ଣ। ଅସିତବାବୁ ବହୁକଥା ଜାଣିଚନ୍ତି, ତାଂକୁ ପଚାରିବେ କି? ସେତେବେଳେ ସେ କିଛି ଲେଖି ପ୍ରଶ୍ନ ଉଠାଇଥିଲେ, ଅସମାଧିତ ବା ଅସଂପୂର୍ଣ ରହିଲା। ସୁଭାଷ ପଟ୍ଟନାୟକ ବହୁକଥା ମନରୁ ଫାନ୍ଦି ଲେଖିଲେ, ସତ ଲୁଚିଗଲା।
ଶାସ୍ତ୍ରୀୟ ମାନ୍ଯତା ପ୍ରସଂଗ ବାର ମସିହାରେ ଭୁବନେଶ୍ୱରର ଏକ ସଭାରେ ମୁଁ ଓ ସୁବ୍ରତ ଉଠାଇଥିଲୁ, ସୁବ୍ରତ ତାପୂର୍ବରୁ ଦିଲ୍ଲୀରେ ଥିବାବେଳେ କନ୍ନଡ ଓ ମାଲୟଲାମୀଂକ ଦାବି ତଥା ଦିଲ୍ଲୀରେ ଆନ୍ଦୋଳନ କଥା ମତେ ଜଣାଇବାପରେ ମୁଁ ସକ୍ରିୟ ହୋଇପଡିଲି।
ସୂଚନା ଯେ, ସୁବ୍ରତ ଥିଲା ମୋର ଏମ୍ଏ ଶ୍ରେଣୀରେ ଛାତ୍ର ଓ ମୋ ଅଧୀନରେ ଗବେଷଣା କରି ପିଏଚ୍ ଡି ଉପାଧି ପ୍ରାପ୍ତ ।
ଶାସ୍ତ୍ରୀୟ ଦଲିଲ ପ୍ରସ୍ତୁତି ନେଇ ଡକ୍ଟର ପଟ୍ଟନାୟକଙ୍କ କଥା ଯଦି ଠିକ ତେବେ ସୁବ୍ରତ ନିଜ ନାମରେ ସେ ବହିଟି କିପରି ପ୍ରକାଶ କରିଲେ ଓ ପଟ୍ଟନାୟକ ନିରବ ରହିଲେ?
ବହୁ କଥା ଅଛି, ଆପଣ ତ ଭିନ୍ନ ପ୍ରସଂଗରେ ତାଙ୍କ ସାକ୍ଷାତକାର ନେଇଚନ୍ତି, ଏଣୁ ଶାସ୍ତ୍ରୀୟତା ପ୍ରସଂଗ ଥାଉ।
ଓଡିଆ ଭାଷାରେ କାମ କରିବା ପାଇଁ ଆମେ ଓଡିଆ ଅଧ୍ଯୟନ ଓ ଗବେଷଣା ସଂସ୍ଥା ଗଢି ଦେବୀ ବାବୁଙ୍କୁ ସଭାପତି କରିଥିଲୁ, କିଛି କାମ ତାଙ୍କ ନେତୃତ୍ୱରେ ହୋଇଚି, ସେ କିଂତୁ ଛାଡିଦେଲେ —
ଏବେ ସେ ସଂସ୍ଥା ବି କାମ କରୁଛି।
This is the basic essence of so called odisha Or odia asmita, we prefer to get entangled in flimsy trivial issues of ego, who did what, deviating from real purpose, objective, n goal n of course v know what’s the casualty, it’s there in all spheres n aspects of our social life, cultural progress, identity. When shud v rise above the mundane n strive to present ourselves in United voice???