ଆମ ଗଣମାଧ୍ୟମରେ ଓଡ଼ିଆ ଭାଷାର ପ୍ରବଳ ବିକୃତୀକରଣ ଆରମ୍ଭ ହେଇଯାଇଥିବା ଲକ୍ଷ୍ୟ କରାଯାଉଛି।
ଭାଷାକୁ ନେଇ ନାନା ବଖାଣ। ନାନା ଅସ୍ମିତା ବଖାଣ। ସବୁଆଡେ ନିଜ ଓଡ଼ିଆ ଭାଷାକୁ ନେଇ ଚର୍ଚ୍ଚା। ସରକାରୀ ଓ ବେସରକାରୀ ସ୍ତରରେ ବହୁ ଆୟୋଜନ ଓ ସମ୍ମେଳନ। ଭାଷା ମରିଯିବା କଥା ବଖାଣରେ କେତେକଙ୍କ ବିଭିନ୍ନ ମଞ୍ଚରେ ଓ ଗଣମାଧ୍ୟମରେ କୁମ୍ଭୀରକାନ୍ଦଣା। ଆଉ ଭାଷାକୁ ନେଇ ଏମିତି ପ୍ରତିବର୍ଷ ବିପୁଳ ଅର୍ଥ ବ୍ୟୟକରି କିଛି ଭାଷାବୁଡ଼ାଳୀଙ୍କୁ ମଞ୍ଚରେ ବସେଇ ଦି’ପଦ ଭାଷଣ ବୋବାଇଲେ ଭାଷା କ’ଣ ବଞ୍ଚିଉଠିବ? ୧୯୩୬ରୁ ଆଜିପର୍ଯ୍ୟନ୍ତ ବହୁ ଚେଷ୍ଟା। ଭାଷାର ବ୍ୟବହାର କ୍ଷେତ୍ର ବ୍ୟାପକ। ସମାଜର ଶିକ୍ଷିତ, ଅର୍ଦ୍ଧଶିକ୍ଷିତ ଓ ଅଶିକ୍ଷିତ କାହିଁକି, ପଢ଼ି ଲେଖି ଜାଣି ନଥିବା ପ୍ରତ୍ୟେକ ମଣିଷ ବିଭିନ୍ନ କାର୍ଯ୍ୟ ଉପଲକ୍ଷେ ଭାଷା ବ୍ୟବହାର କରନ୍ତି। ଭାବ ବିନିମୟର ଏଇ ସହଜ ମାର୍ଗଟି ସମାଜର ସମସ୍ତବର୍ଗର ଲୋକଙ୍କ ଦ୍ୱାରା ପ୍ରଚଳିତ। ଲେଖାପଢ଼ା ଜାଣିଥିବା ଶିକ୍ଷିତ ଓ ଅର୍ଦ୍ଧଶିକ୍ଷିତମାନେ ଖବରକାଗଜ ପଢ଼ି କିଛି ଜାଣିପାରନ୍ତି। ମାତ୍ର ଲେଖାପଢ଼ା ଅଜ୍ଞାତ ଲୋକେ ରେଡ଼ିଓ ଶୁଣି ଓ ଟିଭି ଦେଖି ଅନେକ କଥା ଜାଣନ୍ତି ଓ ବୁଝିବାରେ କ୍ଷମ ହୁଅନ୍ତି। ତେଣୁ ଭାଷା କାରବାରରେ ଛାପା, ଦୃଶ୍ୟଶ୍ରାବ୍ୟ ଓ ସାମାଜିକ ଗଣମାଧ୍ୟମର ଭୂମିକା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ।
ଆମ ତଥାକଥିତ ଗଣମାଧ୍ୟମରେ ଅନେକ ଭାଷାନଭିଜ୍ଞ ବନ୍ଧୁ ଭାଷା ବ୍ୟବହାର କରନ୍ତି। ଚିରୁ ଚିରୁ ଚିରିଦେଲି ନ୍ୟାୟରେ ଏମାନେ କି-ବୋର୍ଡରେ ଅଭ୍ୟାସ କଲା ଭଳି କିଛି ଟାଇପ୍ କରିଦିଅନ୍ତି। ଭାବନ୍ତି ଟିଭି ପରଦାରେ ଯାହା ଦେଖାଉଛୁ ତାହା ଶୁଦ୍ଧ ଓଡ଼ିଆ। କୌଣସିମତେ ବିଭିନ୍ନ ଗଣମାଧ୍ୟମ ଶିକ୍ଷାନୁଷ୍ଠାନରୁ ପ୍ରମାଣପତ୍ର ଖଣ୍ଡେ ଲେଖାଏଁ ହାତେଇ ନିଜକୁ ବୋଲାନ୍ତି ସମ୍ପାଦକ ଓ ସାମ୍ବାଦିକ। ବର୍ଣ୍ଣ, ଶବ୍ଦ, ପ୍ରତିଶବ୍ଦ, ବିପରୀତ ଶବ୍ଦ, ବାକ୍ୟ ଗଠନରେ ବି ସାଧାରଣ ଜ୍ଞାନ ନ ଥିବା ଘଟଣା ସେମାନଙ୍କ କାର୍ଯ୍ୟଶୈଳୀରୁ ହିଁ ତାଙ୍କ ଜ୍ଞାନକୁ ସ୍ପଷ୍ଟ କରିଦିଏ।
ଆମୂଳାନ୍ତ ପ୍ରମାଦ
ଆମେ ଦେଖୁଥିବା ପ୍ରତିଟି ଇଲେକ୍ଟ୍ରନିକ ମାଧ୍ୟମ, ପଢୁଥିବା ପ୍ରାୟ ପ୍ରତିଟି ଛାପା ଗଣମାଧ୍ୟମ ଯଥା- ଟିଭି, ଖବରକାଗଜ ଓ ସାମାଜିକ ଗଣମାଧ୍ୟମରେ ପ୍ରତିଟି ଅନୁଚ୍ଛେଦରେ ଶବ୍ଦଠାରୁ ଆରମ୍ଭ କରି ବାକ୍ୟଗଠନ ଯାଏ କେବଳ ଆମୂଳାନ୍ତ ପ୍ରମାଦ। ବେଳେବେଳେ କିଛି ବୁଦ୍ଧିଜୀବୀ ଏହାର ପ୍ରତିବାଦ ସ୍ୱରୂପ କିଛି ସମ୍ପାଦକୀୟ ପୃଷ୍ଠା ଓ ପ୍ରବନ୍ଧ ଲେଖି ଲୋକଲୋଚନକୁ ଆଣନ୍ତି। କିନ୍ତୁ ଦୁଃଖର ବିଷୟ ଯେ ଏତିକିରେ ସୀମିତ ରହିଲେ ଭାଷା କେବଳ ଭାଷଣରେ ରହିଯିବ ପଛେ, ଆଉ ବିକଶିତ ହେବା ଅସମ୍ଭବ ହେବ। ଗଣଙ୍କ ଅପେକ୍ଷା ଭାଷା ଆନ୍ଦୋଳନରେ ଗଣମାଧ୍ୟମର ଭୂମିକା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ। ସେ ଛାପା ହେଉ କି, ଇଲେକ୍ଟ୍ରନିକ୍ ଅବା ସାମାଜିକ ଗଣମାଧ୍ୟମ ହେଉ, ଏହାଦ୍ୱାରା ଭାଷାର ଉପଯୁକ୍ତ ପ୍ରଚାର, ପ୍ରସାର ମାଧ୍ୟମରେ ଭାଷାର ବ୍ୟାପକତା ବଢିବ, ବ୍ୟବହାର ଯୋଗୁଁ ପରିସର ମଧ୍ୟ ବୃଦ୍ଧି ପାଇବ। ଗଣଙ୍କ ଉଦ୍ଦେଶ୍ୟରେ ଗଣଙ୍କ ପାଇଁ ଗଣବାର୍ତ୍ତା ପହଞ୍ଚାଉଥିବା ମାଧ୍ୟମ ହେଉଛି ଗଣମାଧ୍ୟମ। ଗଣଙ୍କୁ ସୂଚନା ପ୍ରଦାନ କରିବା, ଶିକ୍ଷିତ କରିବା, ସେମାନଙ୍କ ମନୋରଞ୍ଜନ କରାଇବା, ପ୍ରଭାବିତ କରିବା ଏବଂ ଅତି ଗୁରୁତ୍ୱପୂର୍ଣ୍ଣ ସାମାଜିକ ତଥା ସାଂସ୍କୃତିକ ଦାୟିତ୍ୱବୋଧ ତୁଲାଇବା, ଗଣମାଧ୍ୟମର ମୁଖ୍ୟ ଦାୟିତ୍ୱ ଓ କର୍ତ୍ତବ୍ୟ।
ଗଣମାଧ୍ୟମ ହେଉଛି ଗଣଯୋଗାଯୋଗର ପ୍ରକୃଷ୍ଟ ସହାୟକ। ସମୂହ ସ୍ୱାର୍ଥରେ ଏହା ବିନିଯୁକ୍ତ ହୋଇଥାଏ। ସୂଚନା ପ୍ରଦାନ କରିବାର ଏକ ବଳିଷ୍ଠ ମାଧ୍ୟମ ହେଉଛି ଗଣମାଧ୍ୟମ। ଏହା ଗଣଶିକ୍ଷଣ କ୍ଷେତ୍ରରେ ମଧ୍ୟ ଅତ୍ୟନ୍ତ ପ୍ରଭାବଶାଳୀ। ଅପର ପକ୍ଷରେ ଏହା ଗଣ ମନୋରଞ୍ଜନର ଅନ୍ୟତମ ମଧ୍ୟମ। ଏ ଦୃଷ୍ଟିରୁ ଗଣମାଧ୍ୟମ ଏକ ଅସାମାନ୍ୟ ସାମାଜିକ ଦାୟିତ୍ୱ ଓ କର୍ତ୍ତବ୍ୟ ସମ୍ପାଦନ କରିଥାଏ। ଏହା ସାଂସ୍କୃତିକ ସଚେତନତା ସୃଷ୍ଟି କରିବା ସହିତ ସାଂସ୍କୃତିକ ପ୍ରାଣପ୍ରବାହକୁ ମଧ୍ୟ ବିକଶିତ କରେ। ଗଣଜୀବନ ପାଇଁ ଏହା ଏକ ପ୍ରଭାବଶାଳୀ ମାଧ୍ୟମ ଏବଂ ସୂଚନା ଆଧାରରେ ଜନସମାଜକୁ ବହୁ ଭାବରେ ଉପକୃତ କରିଥାଏ। ଜରୁରୀ ପରିସ୍ଥିତିରେ ମଧ୍ୟ ଏହା ବିଶେଷ ସୂଚନା ପ୍ରଦାନ କରି ସମାଜର କଲ୍ୟାଣ ସାଧନ କରିଥାଏ।
ଭାଷାର ବିକୃତୀକରଣ
ଗଣମାଧ୍ୟମର ଦାୟିତ୍ୱ ହିସାବରେ ଗୋଟିଏ ଭାଷାକୁ ବଞ୍ଚାଇବାର ପ୍ରୟାସରେ ବେଳେବେଳେ ଓଡ଼ିଆ ଭାଷାର ବିକୃତୀକରଣ ଆରମ୍ଭ ହେଇଯାଉଥିବା ଲକ୍ଷ୍ୟ କରାଯାଉଛି। ଅଧିକତର ଭାବରେ ବିଷ୍ଲେଷଣ କଲେ ଜଣାପଡେ ଯେ ଗଣମମାଧ୍ୟମରେ ଭାଷାର ବ୍ୟବହାର ମୁଖ୍ୟତଃ ତିନୋଟି ଉଦ୍ଦେଶ୍ୟ ପାଇଁ କରାଯାଇଥାଏ। ଉପଯୁକ୍ତ ଭାଷା ମାଧ୍ୟମରେ ଗଣଙ୍କୁ ସୂଚନା, ଶିକ୍ଷା ଓ ମନୋରଞ୍ଜନ କରିବା ଏହାର ମହତ୍ତର କର୍ତ୍ତବ୍ୟ। ଭାଷାର ପ୍ରାୟତଃ ଏହି ତିନୋଟି ଦିଗ ଛାଡ଼ିଦେଲେ ଅନ୍ୟଗୁଡ଼ିକ ପ୍ରତି ଏତେ ଗୁରୁତ୍ୱପୂର୍ଣ୍ଣ ନୁହେଁ। ତଥାପି ଆଲୋଚିତ ଦିଗଗୁଡିକ ଦ୍ୱାରା ନିଜ ଭାଷଣର ବିକୃତୀକରଣ ବଦଳରେ ଶୁଦ୍ଧ ଭାଷା ପ୍ରୟୋଗ କରି ଭାଷାର ପରିସର ଅଧିକ ବୃଦ୍ଧି କରାଯାଇପାରେ। ବିକୃତୀକରଣର କେତୋଟି କାରଣ ବିଷୟରେ ଚର୍ଚ୍ଚା କରାଯାଇପାରେ। ଯଥା:
୧- ଖବର ପ୍ରକାଶନ ଓ ପ୍ରସାରଣରେ ଉପଯୁକ୍ତ ସମୟ ଅଭାବରୁ ନିଜ ଭାଷା ବଦଳରେ ଅନ୍ୟ ଭାଷାର ବ୍ୟବହାର,
୨- ନିଜର ଅଜ୍ଞତାକୁ ଘୋଡ଼ାଇବା ପାଇଁ ଅନ୍ୟ ଭାଷାରୁ ଶବ୍ଦ ଉଦ୍ଧାର ଆଣିବାର ଅସୁସ୍ଥ ପରମ୍ପରା,
୩- ଅଧିକ ପଠନ ନ କରିବା ଦ୍ୱାରା ନିଜ ଭାଷାର ଶବ୍ଦଭଣ୍ଡାରର ସୀମିତ ବ୍ୟବହାର,
୪- ଅନ୍ୟ ଭାଷାର ଶବ୍ଦକୁ ବାରମ୍ବାର ଶୁଣିବା ଓ ଦେଖିବା ଦ୍ୱାରା ଅନ୍ୟଭାଷା ପ୍ରତି ବିଶେଷ ଆଗ୍ରହ,
୫- ଗୁଗୁଲ୍ ଟ୍ରାନ୍ସଲେଟ୍ ଭଳି ଟୁଲସ୍ର ତ୍ରୁଟିପୂର୍ଣ୍ଣ ବ୍ୟବହାର,
୬- ହିନ୍ଦୀ, ଇଂରାଜୀ ଏବଂ ଓଡ଼ିଆ ଶବ୍ଦର ମିଶ୍ରଣରେ ହିଙ୍ଗ୍ଡିଆ ଶବ୍ଦର ପ୍ରଚଳନ,
୭- ଘରେ ଅବା କାର୍ଯ୍ୟାଳୟରେ ଓଡ଼ିଆ ଶବ୍ଦକୋଷର ସୀମିତ ବ୍ୟବହାର,
୮- ନିଜ ବୁଦ୍ଧି ଅପେକ୍ଷା ଏ.ଆଇ.ର ଅଧିକ ବ୍ୟବହାର,
୯- ଅଧିକ ଦର୍ଶକୀୟ ବା ପାଠକୀୟ ଆଦୃତି ଦାୟରେ ମିଶ୍ରିତ ଶବ୍ଦର ବ୍ୟାପକ ବ୍ୟବହାର,
୧୦-ଶିରୋନାମା ବା ହେଡଲାଇନ୍ସକୁ ଅଧିକ ଆକର୍ଷଣୀୟ କରିବା ଉଦ୍ଦେଶ୍ୟରେ ଇଂରାଜୀ ଓ ହିନ୍ଦୀ ଶବ୍ଦର ବହୁଳ ପ୍ରୟୋଗ।
ଅବଗତି ପାଇଁ, ଏହିଭଳି ବିକୃତିକରଣର କେତୋଟି ନମୁନା ଅବଶ୍ୟ ଏଠାରେ ଦିଆଯାଇପାରେ। ଗୋଟିଏ ୱେବ୍ ମାଧ୍ୟମରେ ପାଠକ ସଂଖ୍ୟା ବୃଦ୍ଧି କରିବା ପାଇଁ କରାଯାଇଥିବା ଭିନ୍ନ ପ୍ରୟାସର ଗୋଟିଏ ଦୃଷ୍ଟାନ୍ତ ହେଉଛି :
ଉପରୋକ୍ତ ଉଦାହରଣରର ପ୍ରଥମ ବାକ୍ୟରେ ଶରଣାପନ୍ନ ବଦଳରେ ସରଣାପନ୍ନ, ଅଭିଷେକ ବଦଳରେ ଅଭିଷେଷ। ପ୍ରଥମ ବାକ୍ୟରେ ଆରମ୍ଭ, ଶେଷ ଓ ବାକ୍ୟ ସଂରଚନା ଦୃଷ୍ଟିରୁ ବିଚାର କଲେ ଦେଖାଯାଉଛି ଏହି ବାକ୍ୟଟି ସରଳ, ଜଟିଳ ବା ଯୌଗିକ ଭଳି କୋଣସି ଶ୍ରେଣୀଭୁକ୍ତ ହେଉନାହିଁ। ଦ୍ୱିତୀୟ ବାକ୍ୟରେ ନ ଆସିବା ବଦଳରେ ନ ଆସିବ, ଧନର ଅଭାବ ହୋଇନଥାଏ ବଦଳରେ ଲକ୍ଷ୍ମୀଙ୍କ କମି ହୋଇନଥାଏ, ଗଙ୍ଗାଜଳ ବଦଳରେ ଗଙ୍ଗାଜାଲା ଇତ୍ୟାଦି ହିନ୍ଦୀ ବାକ୍ୟରୁ ଗୁୁଗୁଲ୍ ଟ୍ରାନ୍ସଲେଟ୍ ହୋଇଥିବା ଅତିି ସ୍ୱଷ୍ଟ।
ଏଇ ଉଦାହରଣରେ ଏହି ବଦଳରେ ଏହିଁ, ଯେଉଁ ବଦଳରେ ଯେଉ, ଶୁଦ୍ଧ ବଦଳରେ ସୁଦ୍ଧ, ମରିବା ବଦଳରେ ମାରିବା, ସନାତନ ବଦଳରେ ଶନାତନ, ଶୁଅନ୍ତୁ ବଦଳରେ ସୁଅନ୍ତୁ। ବାକ୍ୟ ମଝିରେ ତେବେର ବ୍ୟବହାର କରି ବାକ୍ୟକୁ କଦର୍ଯ୍ୟ କରାଯାଇଛି। ଏହି ଉଦହାରଣରେ ତିନୋଟି “ସ, ଶ, ଷ”ର ବ୍ୟବହାର ଅତି ବିକୃତ ଭାବରେ କରାଯାଇଛି। ଧ୍ୱନ୍ୟାତ୍ମକ ଓ ଉଚ୍ଚାରଣ ଦୃଷ୍ଟିରୁ ବିଚାର କଲେ ତିନୋଟି ଶ,ଷ,ସ ର ଉତ୍ପତ୍ତି ସ୍ଥଳ ଭିନ୍ନ ହୋଇଥିବାରୁ ତାହାର ପ୍ରୟୋଗ ମଧ୍ୟ ଭିନ୍ନ। ଏହିପରି ଅନେକ ଉଦାହରଣ ପ୍ରତିଦିନ ଆମେ ଦେଖିବାକୁ ପାଇଥାଉଁ।
ଛାପା, ଇଲେକ୍ଟ୍ରନିକ୍ ଓ ସାମାଜିକ/ନୂତନ ଗଣମାଧ୍ୟମରେ ଏଇ କେତେ ବର୍ଷଧରି ବିଚିତ୍ର ପ୍ରକାରର ଶବ୍ଦବସାଣ ପରିଲକ୍ଷିତ ହେଉଛି। ଯଥା-
ତନାଘନା- ପୋଲିସ୍ ତନାଘନା ଉଦ୍ୟମ ଜାରି ରଖିଛି। ଏଠାରେ ତଦନ୍ତ ସ୍ଥାନରେ ତନାଘନାର ପ୍ରୟୋଗ ଘଟିଛି।
ଛାନ୍ଭିନ୍ – ପୂର୍ବ ଡକେଇତିର ଛାନ୍ଭିନ୍ ଚାଲିଛି। ଏଠି ତଦନ୍ତ ଅର୍ଥରେ ଛାନ୍ଭିନ୍ ଲାଗିଛି।
କାଗଜାତ୍ -କମ୍ପାନୀ ସମସ୍ତ କାଗଜାତ୍ ଦାଖଲ କଲେ ସ୍ଥାନରେ କାଗଜ ଦାଖଲ କଲେ ବୋଲି ଲେଖାଯାଉଛି।
ଦସ୍ତାବିଜ ବଦଳରେ ଦସ୍ତାବିଜ୍, କାଗଜ ବଦଳରେ କାଗଜାତ୍ ବ୍ୟବହାର କରାଯାଉଛି। ସେହିପରି ଅନେକ ମନୋରଞ୍ଜନ ଟିଭି ଚ୍ୟାନେଲ୍ ତାଙ୍କର ଦୈନନ୍ଦିନ କାର୍ଯ୍ୟକ୍ରମରେ “ମହା’ ଶବ୍ଦକୁ ନେଇ ମହାମୁକାବିଲା, ମହାସପ୍ତାହ, ମହାଗୁରୁ, ମହାମିଶ୍ରଣ, ମହାକବିତା ଇତ୍ୟାଦି ବହୁଳ ବ୍ୟବହାର କରୁଛନ୍ତି। ଏପରିକି ରଥଯାତ୍ରାର ପ୍ରସାରଣରେ ଏହି ଯାତ୍ରା ‘ମହାଯାତ୍ରା’ ବୋଲି କେତେକ ଗଣମାଧ୍ୟମ ଘୋଷଣା କରିଛନ୍ତି। ମହାଯାତ୍ରା ମୃତ୍ୟୁର ସଙ୍କେତ ଦିଏ। ଏଇ ଯାତ୍ରା ଅପୂର୍ବ ଯାତ୍ରା। ପୂର୍ବରୁ ଏଇ ଯାତ୍ରା ଅନୁଷ୍ଠିତ ହୋଇ ଆସୁଥିବାବେଳେ ଏହାକୁ ଅପୂର୍ବ ଯାତ୍ରା, ମାହାଯାତ୍ରା ଭାବରେ ଘୋଷଣା କରିବା ଅସମୀଚୀନ। ଏମିତି ବିଚାରି ବସିଲେ, ଅନେକ ଦୃଷ୍ଟାନ୍ତ ଦୃଷ୍ଟିରେ ଆସିବ।
ଭାଷାର ଉଦ୍ଭ୍ରାନ୍ତ ପ୍ରୟୋଗ
ଉପଯୁକ୍ତ ଓଡ଼ିଆ ଶବ୍ଦ ବଦଳରେ ‘ବହୁତ ଇ ସାରା’, ‘ସମସ୍ତ ଲୋକେ’, ‘ବହୁତ କମ୍’, ‘ହେଭିୱେଟ୍ ନେତା’, ‘ଦଳ ସୁପ୍ରିମୋ’, ‘ଦବ୍ଦବା’, ‘ଟେନସନ୍ ବଢିଲା’, ‘ରୋଡ୍ ସୋ’, ‘ଧୂଆଁଧାର ପ୍ରଚାର’, ‘ଡବଲ୍ ଧମାକା’, ‘ହାଇଡ୍ରାମା’, ‘ହାଇଭୋଲଟେଜ୍ ନେତା’, ‘ପରିବର୍ତ୍ତନର ହାୱା’ ଭଳି ଅଯଥା ଅନେକ ଇଂଓଡ଼ିଆ ଉଦ୍ଭ୍ରାନ୍ତ ଶବ୍ଦ ପ୍ରୟୋଗ କରି ଆମ ଭାଷାର କଣ୍ଠରୋଧ କରୁଛନ୍ତି। ସାଧାରଣ ଦର୍ଶକ ଓ ପାଠକଙ୍କୁ ଅନେକାଂଶରେ ବିଭ୍ରାନ୍ତ କରାଯାଉଛି। ନିଜକୁ ଅତି ଯୋଗ୍ୟ ମନେକରୁଥିବା କେତେଜଣ ପ୍ରତିଷ୍ଠିତ ଉପସ୍ଥାପକ ଓ ଘୋଷକ ତାଙ୍କ ଉଚ୍ଚାରଣରେ ଅନେକତ୍ର ହଳନ୍ତ୍ ର ଅଯଥା କୃତ୍ରିମ ବ୍ୟବହାର କରିଥାନ୍ତି। ଏହାଦ୍ୱାରା ଭାଷା ଲୋକାଭିମୁଖୀ ହେଉଛି କି ସେ ନିଜେ ଲୋକପ୍ରିୟ ହେଉଛନ୍ତି ତାହା ବେଳେବେଳେ ସନ୍ଦେହ ଘେରରେ ରହୁଛି। ଆମର ସମୃଦ୍ଧ ଶବ୍ଦଭଣ୍ଡାରରୁ ଶବ୍ଦ ଚୟନ ନ କରି ଇଂରାଜୀ, ଯାବନିକ, ହିନ୍ଦୀ, ସଂସ୍କୃତ, ପାର୍ସି, ଉର୍ଦ୍ଦୁ ଇତ୍ୟାଦିରୁ ଶବ୍ଦ ଆଣି ପ୍ରୟୋଗ କରିବା ଦଳେ ମନୁଆଙ୍କ ନିତିଦିନିଆ ଅଭ୍ୟାସ। କିଏ କିଏ ପୁଲିସ୍ ଲେଖୁଛନ୍ତି ତ ଆଉ କିଏ କିଏ ପୋଲିସ୍, କେତେକ ଜୋରିମାନା ବଦଳରେ ଜରିମାନା ଶବ୍ଦର ବ୍ୟବହାର କରନ୍ତି। ସମୟ ଥିଲା ଦୈନିକ ଓଡ଼ିଆ ଖବରକାଗଜ ‘ସମାଜ’ ଓ ଦୈନିକ ଇଂରାଜୀ ଖବରକାଗଜ ‘ହିନ୍ଦୁ’କୁ ଭାଷା ଶିଖିବାର ଏକ ମାନକ ଭାବରେ ବ୍ୟବହାର କରୁଥିଲେ। କିନ୍ତୁ ବର୍ତ୍ତମାନ ପରିସ୍ଥିତିରେ ଖବରକାଗଜର ସଂଖ୍ୟା ବଢ଼ିଛି ସତ କିନ୍ତୁ ଭାଷାର ମାନ ନିର୍ଣ୍ଣାୟକ ଭାବରେ କୈାଣସି କାଗଜ ନିର୍ଭରଯୋଗ୍ୟ ନୁହେଁ ବୋଲି କହିବା ଅଯୈାକ୍ତିକ ନୁହେଁ।
ଏବେ ଚର୍ଚ୍ଚା କରିବା ରହିଯାଇଥିବା ଆଉ ଦଳେ ମନୁଆଙ୍କ କଥା; ଆଉ ସେମାନେ ହେଲେ ଜନସାଧାରଣ/ ଗଣ/ ସାଧାରଣ ଜନତା। ପାରମ୍ପରିକ ଗଣମାଧ୍ୟମ ବ୍ୟତୀତ ବିଗତ କିଛି ବର୍ଷରେ ଲୋକଙ୍କ ପାଖରେ ଅତି ଲୋକପ୍ରିୟ ହୋଇଛି ସାମାଜିକ ଗଣମାଧ୍ୟମ। ସାମାଜିକ ଗଣମାଧ୍ୟମଗୁଡିକରେ ସକାଳୁ ରାତି ପର୍ଯ୍ୟନ୍ତ ଜଣେ ଯଦି ନିଜର କିଛି ଲେଖା ପଠାନ୍ତି, ତାହା ବଦଳରେ ଆମେ ମନୁଆମାନେ ଦି’ଧାଡି ଲେଖି ପ୍ରଶଂସା/ନିନ୍ଦା/ସମାଲୋଚନା କରିବା ବଦଳରେ ବୁଢ଼ାଆଙ୍ଗୁଠି ଚିହ୍ନ, ନମସ୍କାର ଚିହ୍ନ, ଭାଡ଼ିଏ ଦାନ୍ତ ଚିହ୍ନ ଇତ୍ୟାଦି ଇମୋଜି ପଠେଇ ଆନନ୍ଦିତ ହେଉଛେ। ପ୍ରକୃତପକ୍ଷେ ଭାଷାମାରଣ ଅଭିଯାନରେ ବିଚିତ୍ରଚିତ୍ର ଇମୋଜି ଦେଇ ଆମେ କ’ଣ ଦାୟୀ ନୁହେଁ କି? ମନକୁ ଯାହା ଆସିଲା ଦି’ଧାଡି ହେଉ କି ଗୋଟିଏ ଶବ୍ଦ ଲେଖିଦେଲେ ଆମର ଲେଖା ଅଭ୍ୟାସ ବଢିଯାନ୍ତା କିନ୍ତୁ ସେଥିପ୍ରତି କାହାର ଆଗ୍ରହ, ଆଦର କି ଆନ୍ତରିକତା ହିଁ ନାହିଁ। ପ୍ରସଙ୍ଗତଃ ଆଉ ଗୋଟିଏ କଥା ଅତି ଗୁରୁତ୍ୱପୂର୍ଣ୍ଣ ବୋଲି ମନେକରାଯାଇପାରେ।
ଆମେ ପ୍ରତିଦିନ ବ୍ୟବହାର କରୁଥିବା ଫେସବୁକ୍, ଟୁଇଟର, ହ୍ୱାଟସଆପ୍, ଇନଷ୍ଟାଗ୍ରାମ୍ ଇତ୍ୟାଦିରେ ଇଂରାଜୀକୁ ଛାଡ଼ି ନିଜ ଭାଷା ଓଡ଼ିଆରେ ଲେଖିଲେ କ’ଣ ଆମ ଇଜ୍ଜତ ପଳେଇବ କି? ଉତ୍ତର ଯଦି ନାଁ, ତାହାଲେ କାହିଁକି ଲେଖୁନେ?
ପ୍ରତିଦିନ କିଛି ନା କିଛି ନିଜ ଭାଷା ଓଡ଼ିଆରେ ଲେଖିଲେ ନିଜ ଭାଷାରେ ଆମର ଦକ୍ଷତା ବୃଦ୍ଧି ହେବା ସହିତ ଭାଷାର ମାନ ଓ ମହତ୍ତ୍ୱ ମଧ୍ୟ ବୃଦ୍ଧି ହେବ। ପରପିଢ଼ିଙ୍କୁ ଇଂରାଜୀ ମାଧ୍ୟମ ବିଦ୍ୟାଳୟରେ ପାଠ ପଢ଼ାଇଲେ ମଧ୍ୟ ଘରେ ଦୈନିକ ଓଡ଼ିଆ ଭାଷାରେ କଥା କୁହା ଶିଖାଇଲେ ସେମାନେ ବି ସ୍ପଷ୍ଟ ଭାବରେ ଓଡ଼ିଆ କହିପାରିବେ। ପ୍ରତିଦିନ ଓଡ଼ିଆ ଖବରକାଗଜ ଓ ପତ୍ରପତ୍ରିକା କିଣି ପଢ଼ିବା ଆରମ୍ଭ କରାଯିବା ଦରକାର। କାରଣ ଗୋଟିଏ ଭାଷାର ଗୁରୁତ୍ୱ ସେ ସମୟର ଲେଖାରୁ ଅନୁଭବ କରାଯାଏ। ଏହାଦ୍ୱାରା ପତ୍ରପତ୍ରିକାଗୁଡିକର ପ୍ରଚାର ଓ ପ୍ରସାର ହେଇପାରିବ। ପରବର୍ତ୍ତୀ ସମୟ ବା ଭବିଷ୍ୟତରେ ଅତୀତର ଇତିହାସ କେତେ ସମୃଦ୍ଧ ତାହା ଜାଣିବାର ବାଟ ମିଳିବ।
ଗଣମାଧ୍ୟମରେ ଗଣଧର୍ମୀ ଭାଷା ବ୍ୟବହୃତ ହେବା ସ୍ପୃହଣୀୟ। ମାତ୍ର ସାମ୍ବାଦିକ, ସ୍ତମ୍ଭକାର ଓ ସମ୍ପାଦକଙ୍କ ଅନଭିଜ୍ଞତା ସହଜ ଭାଷା ନାମରେ ବାକ୍ୟଗଠନରେ ଯଥେଷ୍ଟ ଜଟିଳତା ପ୍ରକାଶ କରୁଥିବାରୁ ତାହା ଗଣବୋଧ୍ୟ ହେଉନାହିଁ। ଭାଷା ଭାବକୁ ଅନୁସରଣ କରେ। ଭାବାନୁସାରୀ ଭାଷା ପ୍ରକାଶ କ୍ଷେତ୍ରରେ ଅଧିକାଂଶ ଗଣମାଧ୍ୟମ କର୍ମଚାରୀ ଅନଭିଜ୍ଞ। ଗୋଡ଼ ମାପରେ ଜୋତା ନକିଣି ଜୋତା ମାପରେ ଗୋଡ଼ କାଟିବାର ଗୁରୁତର ସମସ୍ୟା ଭଳି ଭାବାନୁସାରୀ ଭାଷା ବ୍ୟବହୃତ ହେବା ବଦଳରେ ଭାବବ୍ୟକ୍ତ କରିବା ପାଇଁ ନିଜର ସୀମିତ ଶବ୍ଦସମ୍ବଳକୁ ପ୍ରୟୋଗ କରିବା ଦ୍ୱାରା ଭାଷାକୁ କ୍ଷତାକ୍ତ କରି କ୍ଷତି ସାଧନ କରାଯାଉଛି। ବର୍ଣ୍ଣଗତ, ଶବ୍ଦଗତ ଓ ବାକ୍ୟନିର୍ମାଣଗତ ଶୁଦ୍ଧତା ଆଣିବା ପାଇଁ ଯଥେଷ୍ଟ ଶ୍ରମ ଓ ସମୟ ବିନିଯୋଗ କରାନଗଲେ ଆମ ଭାଷା ମାଙ୍କଡ଼ ହାତରେ ଶାଳଗ୍ରାମ ହେବା ଅସମ୍ଭବ ନୁହେଁ।
(‘ସାହିତ୍ୟ ଚର୍ଚ୍ଚା’ ପତ୍ରିକାର ଜୁନ, ୨୦୨୪ ସଂଖ୍ୟାରେ ପ୍ରକାଶିତ।)
ସମୟ ଉପଯୋଗୀ ସୁନ୍ଦର ଉପସ୍ଥାପନା
ନମସ୍କାର । ଠିକ୍ କଥା । କିଏ ଶୁଣୁଛି ? ଣୁଣିଲେ ସିନା