ଆଜି ସବୁ ନାମ ଲିଭିଗଲା। ରହିଲା ଖାଲି ଗୋଟିଏ ଶେଷ ନାମ ‘ଶବ’।
ନଟବର ଦାଶଙ୍କ ବୈଠକ ଖାନା। ତଳେ ସ୍ତ୍ରୀ ସରିତା ଦେବୀଙ୍କ ସ୍ଥାଣୁ ଶରୀର ଧଳା ଚାଦରରେ ଘୋଡ଼ା ହୋଇଛି। କିଛି ଲୋକ ଶରୀର ଉପରେ ଫୁଲମାଳ ଦେଉଛନ୍ତି। ଜଣେ ବୟସ୍କା ସ୍ତ୍ରୀ ଶବ ପାଖରେ ବସି ବାହୁନୁଛନ୍ତି।
ଶାନ୍ତି(ବୟସ ୫୦) – ମତେ ଛାଡ଼ି ଦେଇ କୁଆଡ଼େ ଗଲୁ ଲୋ ମୋ ବଉଳ, କାହା ସାଂଗେ ଆଉ ଗପିବି ଲୋ ମୋ ବଉଳ, ଏ ଦୁନିଆ ରେ ମତେ ଏକା କରି ଦେଇ କେଣେ ଗଲୁଲୋ ମୋ ବଉଳ … (ରୁମା, ପୁଷ୍ପା, ମିସେସ୍ ସିଂ, ମନି, ସୁମିତ୍ରା, ମିସେସ୍ ଅଧିକାରୀ, ମିସେସ୍ ସାମଲ, ଅଶୋକ, ସମୀର, ସୁଦର୍ଶନ ବାବୁ ସମସ୍ତେ ଶବ ଚାରି ପାଖେ ଠିଆ ହୋଇଛନ୍ତି। ନଟବର ବାବୁ ସରିତା ଦେବୀଙ୍କ ମୁଣ୍ଡ ପାଖେ ଜଳୁଥିବା ଦୀପକୁ ଏକ ଧ୍ୟାନରେ ଚାହିଁ ରହିଥିବା ଏବଂ ମଝିରେ ମଝିରେ ଆଖି ପୋଛୁଥିବା)
ରୁମା – (ପୁଷ୍ପା କାନ ପାଖେ, ଧୀର ଗଳାରେ) ଜୀବନର କିଛି ଭରସା ନାହିଁ। ତିନି ଦିନ ତଳେ ଏକାଠି ପୁରୀ ଯାଇ ଫେରିଥିଲେ। ଖବରଟା ଶୁଣି ଭାରି ଖରାପ ଲାଗିଲା। … ଏ ପୁଷ୍ପା, ମୋ ଝିଅ ପାଇଁ ଗୋଟେ ପ୍ରସ୍ତାବ ଦେ ନା! ତାକୁ ୨୪ ପୁରି ୨୫ ଚାଲିଲା …
ପୁଷ୍ପା – (ଓଠ ପାଖେ ହାତ ରଖି) ଗୋଟେ ପ୍ରସ୍ତାବ ଦେଇଥିଲି। କ’ଣ ହେଲା?
ରୁମା – ପରିବାରଟା ଟିକେ ବଡ଼। ମୋ ଝିଅଟା ହଇରାଣ ହେଇଯିବ।
ପୁଷ୍ପା – ଏଇଲେ ତ କିଛି ନାହିଁ ହାତରେ। କିଏ କହିଲେ ତତେ ଜଣେଇବି।
ରୁମା – ଆଜି କ୍ଲବ ଯିବୁ? ଆଜି ସେଠି ବହୁତ ହଙ୍ଗାମା ହବ।
ପୁଷ୍ପା – ଜାଣେ, ହେଲେ ଏଠୁ ବାହାରିଲେ ତ?
ରୁମା – ହଁ। ଟିକେ ଓର ଉଣ୍ଡି ଖସିଯିବା। ଆମ ଘରେ ଏ ଧଳା ଶାଢ଼ୀ ବଦଳେଇ ଦେଇ କ୍ଲବ ପଳେଇବା। ଖେଳଟା ଜମିବ ସେଠି। ଆଲୋ ପୁଷ୍ପା, ସେ କୋଣରେ ଯେଉଁ ସ୍ତ୍ରୀ ଜଣକ, ସେ କଣ ନୂଆ ଆସିଛନ୍ତି ଆମ ସୋସାଇଟିକୁ?
ପୁଷ୍ପା – ହଁ ପରା। ଆମ ଘର ସାମନା। ମିସେସ ଶର୍ମା। ଏବେ ମାଡ୍ରାସରୁ ଆସିଛନ୍ତି। କାଲି ରାତିରେ ତାଙ୍କ ଘରେ ଯୋଉ ପାଟି ଆଉ କହନା।
ରୁମା – ପାଟି?
ପୁଷ୍ପା – ହଁ। ପୁଅ ଆଇ ଆଇ ଟିରୁ ଇଞ୍ଜିନିୟରିଙ୍ଗ କରି, ଅହମଦାବାଦରୁ ଏମ ବି ଏ କରି ଓରାକଲ କମ୍ପାନୀରେ ଚାକିରି କରୁଚି। ଦେଖିବାକୁ ରଜାପୁଅ ଭଳି ଚେହେରା। କାଲି ରାତିରେ ପାଟି ଶୁଣି ଉଣ୍ଡିଲା ବେଳକୁ ଗୋଟେ ମୁସଲମାନ ଝିଅକୁ ବାହା ହେଇ ପଳେଇ ଆସିଚି। ମିସେସ ଶର୍ମା ସେ ଝିଅକୁ ଘରେ ପୁରାଇବାକୁ ନାରାଜ। ବହୁତ ପାଟିଗୋଳ ପରେ ପୁଅ ବୋହୂ ଘରକୁ ପଶିଲେ। ହେଲେ ଆଜି ସକାଳୁ ପଳେଇଛନ୍ତି।
ରୁମା – ଆଜିକାଲିର ପିଲାଙ୍କ ଚିନ୍ତାଧାରା ହିଁ ଭିନ୍ନ। ଆମ ଉପର ଫ୍ଲୋର୍ରେ ଆମ ଘରର ମାଲିକ ରହନ୍ତି, ବଡ଼ପୁଅ ବୋହୂଙ୍କ ସାଂଗରେ। ଆମେ ମଝି ଫ୍ଲୋର୍ରେ। ଆମ ତଳ ଫ୍ଲୋର୍ରେ ତାଙ୍କ ସାନପୁଅ ଆଉ ବୋହୂ। ଏବେ ବଡ଼ପୁଅ ଓ ସାନପୁଅଙ୍କ ଭିତରେ ଝଗଡ଼ା ଯେ ବାପା ମାଆଙ୍କୁ କିଏ ରଖିବ। ବଡ଼ପୁଅ ରାଜି ନୁହେଁ ସବୁଦିନ ବାପା ମାଆଙ୍କୁ ରଖିବାକୁ। ତେଣୁ କାଲି ବହୁତ ଯୁକ୍ତିତର୍କ ପରେ ଠିକଣା କଲେ ଯେ ବାପା ବଡ଼ପୁଅ ପାଖେ ଆଉ ମା ସାନପୁଅ ପାଖେ ରହିବେ।
ପୁଷ୍ପା – ଏ ବୁଢ଼ା ଦିନେ ଦି ଜଣ ଅଲଗା ଅଲଗା?
ରୁମା – ସେୟା ପରା …
ମିସେସ ସିଂ– (ମନି ପାଖକୁ ଯାଇ) ଆଜ୍ଞା କେତେବେଳେ ଏଠୁ ଖସିବା ମ୍ୟାଟିନି ଶୋ’ର ଟିକଟ କାଟିଥିଲି। ସେତେବେଳେ ସରିତା ଖବର ଟା ପାଇ ନ ଥିଲି।
ମନି – ଧୀରେ କୁହନ୍ତୁ। ଶବ ନ ଉଠିଲା ଯାଏଁ ବାହାରି ପାରିବାନି। ମୋର ବି ଗୋଟେ ଚାହାପାର୍ଟୀକୁ ଯିବାକୁ ଅଛି। ହେଲେ କାଇଁକି ଏମାନେ ଏତେ ଡେରି କରୁଛନ୍ତି କେଜାଣି।
ମିସେସ ସାମଲ – (ମନି କାନପାଖେ) ବମ୍ବେରୁ ଝିଅ ଜୋଇଁ ପହଞ୍ଚିବେ। ତା ପରେ ଶବ ଉଠିବ।
ମନି – (ସ୍ୱାମୀ ଅଶୋକ ପାଖକୁ ଯାଇ) କେତେବେଳେ ବାହାରିବ? ଗରମରେ ପ୍ରାଣ ବାହାରିଗଲାଣି।
ଅଶୋକ – (ମନି କାନପାଖେ) ଚୁପ ଚୁପ। ନଟବର ବାବୁ ମୋ ବସ୍। ତେଣୁ ଶବ ନ ଉଠିଲେ ଯାଇପାରିବାନି।
ମିସେସ ସିଂ – (ମନିକୁ ଟିକେ ପଛକୁ ଟାଣିନେଇ ତା କାନ ପାଖେ) ମୁହଁରେ କ’ଣ ଲଗାନ୍ତି ଆପଣ? ସ୍କିନ ଖାଲି ଗ୍ଲୋ କରୁଚି।
ମନି – (ଲାଜେଇ ଯାଇ) ଧେତ୍ … କ’ଣ ସବୁ ମିଛଟାରେ କହୁଛନ୍ତି।
ମିସେସ ସିଂ – ନାଇଁ ନାଇଁ। ସତକଥା। ଟିକେ ଟିପ୍ସ ଦିଅନ୍ତୁ ନା…
ମନି – ଏମିତି କ’ଣ ମାଗଣାରେ ଦେଇଦେବି? ଘରକୁ ଆସନ୍ତୁ। ନାଇଁ ମ! ମଜା କରୁଥିଲି। ମୁଁ ନଡ଼ିଆ ତେଲ ଛଡା ଆଉ କିଛି ଲଗାଏନି।
(ହର ପ୍ରସାଦଙ୍କ ପ୍ରବେଶ। ହର ପ୍ରସାଦ ନଟବର ବାବୁଙ୍କ ସମ୍ପର୍କୀୟ ସାନଭାଇ। ବୟସ ୫୦ ପାଖାପାଖି) ବଡ଼ ପାଟିରେ କାନ୍ଦି କାନ୍ଦି, ଛାତିକୁ ପିଟିପିଟି)
ହର ପ୍ରସାଦ – ଭାଇନା ରେ କ’ଣ ସବୁ ଘଟିଗଲା ରେ … ମୁଁ ଆମେରିକା ଗଲା ବେଳକୁ ତ ଭାଉଜ ଠିକ୍ ଥିଲେ। ପୁଅ ଟିକଟ କରି ପଠେଇଦେଲା। ସେଥିପାଇଁ ଯିବାକୁ ପଡ଼ିଲା। ସେଠି ସବୁଆଡେ ପ୍ଲେନ୍ରେ ବୁଲେଇଲା। (ଛାତିରୁ ହାତ କାଢ଼ି) କି ବଢ଼ିଆ ଗାଡ଼ି … ବଡ଼ ବଡ଼। ତା ନିଜର ପୁଣି ଉଡ଼ାଜାହାଜ ଅଛି। ସେଥିରେ ଆମକୁ ବସେଇ ବୁଲେଇଲା ପରା! ପୁରା ତ ସ୍ୱର୍ଗ …(ମଝିରେ ମଝିରେ ଚାରିଆଡ଼େ ଚାହୁଁଥାନ୍ତି, ଦେଖିବାକୁ କି ସମସ୍ତେ ଶୁଣୁଛନ୍ତି କି ନାହିଁ) ଭାଉଜ ତମକୁ ବି ନେଇଯିବ କହୁଥିଲା ପୁଅ। ତା ଭାଗ୍ୟରେ ନାହିଁ … କୁଆଡ଼େ ଚାଲିଗଲ ଭାଉଜ ହେ … (ଫୁଲମାଳଟେ ଶବ ଉପରେ ଦେଇ ମୁଣ୍ଡିଆ ମାରିବା ଓ ନଟବରଙ୍କ ପାଖେ ବସି ପଡ଼ି ଆଖିକୁ ରଗଡ଼ିବା)
ମନି – (ରୁମାକୁ ଚାହିଁ) ଦେଖୁଚୁ ନା ରୁମା। ଏଇ ସମୟ ରେ ନିଜର ଆମେରିକା ଭ୍ରମଣ କେମିତି ବଖାଣୁଛନ୍ତି। ବୁଦ୍ଧି ପାଞ୍ଚ ପଇସାର ନାହିଁ।
(ବାହାରୁ ଜଲଦିଜଲଦି ଚାଲି ଦୁଇହାତରେ ଠିଆ ହେଇଥିବା ଲୋକଙ୍କୁ ଆଡ଼େଇ ମାମଲତକାରି ଢଂଗରେ କରବୀର ପ୍ରବେଶ)
କରବୀ – ରାସ୍ତା ଦିଅନ୍ତୁ, ରାସ୍ତା ଦିଅନ୍ତୁ ସି ଏମ ଡି ମ୍ୟାଡାମ ଆସୁଛନ୍ତି। (ଆଗରେ କରବୀ, ପଛରେ ସି ଏମ ଡି ଅପରାଜିତା, ତାଙ୍କ ପଛରେ କିଛିଲୋକ ଏବଂ ମିଡିଆ।)
ମିସେସ ସିଂ– (ମନି ପାଖୁ ଯାଇ) ମନି, ଏତିକିବେଳେ ଚାଲନ୍ତୁ ଖସିଯିବା।
ମନି – ହଉ ଚାଲନ୍ତୁ, ବାଡ଼ି ଦୁଆର ବାଟେ ପଳେଇବା। (ମନି ଓ ମିସେସ ସିଂ ଶୋଇବା ଘର ଭିତର ଦେଇ ବାଡ଼ିପଟକୁ ଯିବା ବେଳେ ଦେଖିଲେ ଶୋଇବା ଘର ଖଟ ପାଖରେ, ତଳେ ଦୁଇଜଣ ସ୍ତ୍ରୀ ଖଟକୁ ଆଉଜି, ବସିବା ଅବସ୍ଥାରେ ଘୁଂଗୁଡ଼ି ମାରି ଶୋଇଛନ୍ତି)
ମିସେସ ସିଂ – (ମନିକୁ ଚାହିଁ)ଏମାନେ କିଏ? ଏତେ ପାଟିଗୋଳ ଭିତରେ ବି ଶୋଇଛନ୍ତି?
ମନି – ବୟସ୍କା ଜଣକ ସରିତା ନାନୀଙ୍କ ବଉଳ। ଆମେ ପଶିଲା ବେଳେ ଜୋରରେ ଜୋରରେ ବାହୁନୁ ନ ଥିଲେ? ଓ ଆର ଜଣକ ନଟବର ବାବୁଙ୍କ ବଡ଼ ବୋହୂ।
ମିସେସ ସିଂ – ସତରେ? ବଡ଼ବୋହୂ? ସେପଟେ ନ ରହି ଏଠି ଘୁଂଗୁଡ଼ି ମାରି ଶୋଇଚି?
ମନି – ଧୀରେ ଧୀରେ। ତାଙ୍କ ନିଦ ଭାଙ୍ଗିଯିବ। ମୁଁ କଣ କହୁଥିଲି,
… ଆଜ୍ଞା। ମିଡିଆ ବାଲା ଆସିଛନ୍ତି। ଫଟ ଉଠେଇବେ। ଆମେ ପଳେଇଲେ ଆମ ଫଟ ରହିବନି।
ମିସେସ ସିଂ – ଥାଉ ଥାଉ ସେ ଫଟଉଠା। ସିଆଡ଼େ ସିନେମା ଆରମ୍ଭ ହେଇଯିବ। ସେପଟେ ସମସ୍ତେ ସି ଏମ ଡିଙ୍କ ସାଂଗେ ବିଜି ଅଛନ୍ତି। ଗରମରେ ମୋର ହାଲତ ଖରାପ ହେଲାଣି। ସବୁ ମେକଅପ ବି ବୋହିଗଲାଣି। ମୋ ଫଟ ତ ଭଲ ଉଠିବନି। ଚାଲନ୍ତୁ ମ! ସେ ଫଟ ଉଠା ଥାଉ। (ମନିକୁ ଟାଣି ପ୍ରସ୍ଥାନ। ମନିର ଇଚ୍ଛା ନ ଥିଲେ ବି ପଛକୁ ଚାହିଁ ଚାହିଁ ପ୍ରସ୍ଥାନ)
(ଅପରାଜିତାଙ୍କୁ ଦେଖି ନଟବର ବାବୁ ଠିଆ ହେଇ ନମସ୍କାର କରିବା ଏବଂ ଅପରାଜିତାଙ୍କ ପ୍ରତିନମସ୍କାର କରିବା। ବାକି ଜନତା ଶବ ପାଖକୁ ମାଡ଼ିଆସି ଆଖି ପୋଛିବାର ଅଭିନୟ କରିବା।)
ଅପରାଜିତା – ଆପଣଙ୍କର ଏ ଦୁଃଖ ସମୟ … (କରବୀ ମାଇକ ଧରେଇ ଦବା ସମୟରେ) ଜଗନ୍ନାଥ ଆପଣଙ୍କର ସହାୟ ହୁଅନ୍ତୁ। ଆପଣଙ୍କୁ ଓ ଆପଣଙ୍କ ପରିବାରକୁ ଏ କଷ୍ଟ ସହିବାର ଶକ୍ତି ଦିଅନ୍ତୁ।
(ନଟବର ହାତଯୋଡ଼ି ତଳକୁ ଚାହିଁ ରହିଥିବା)
କରବୀ – (ଅପରାଜିତା କାନ ପାଖେ) ମ୍ୟାମ୍, ଦିବଂଗତଙ୍କ ବିଷୟରେ ବି ଦୁଇପଦ କହିଦେଲେ ଟିକେ ଭଲ ହୁଅନ୍ତା। (କରବୀ ଅପରାଜିତାଙ୍କ ହାତରେ ମାଇକ ଧରେଇ ଦବା)
ଅପରାଜିତା – (ମାଇକକୁ ତଳକୁ କରିଦେଇ କରବୀ କାନ ପାଖେ) କଣ କହିବି? ତାଙ୍କ ବିଷୟରେ ମୁଁ ତ କିଛି ଜାଣିନି। ତାଙ୍କ ନାଁ କ’ଣ?
କରବୀ – ତାଙ୍କ ନାଁ ହେଲା ସରିତା। ଯାହା ମନକୁ ଆସୁଚି ଦି ପଦ କହିଦିଅନ୍ତୁ। ମିଡିଆ କଭର କରିବ ତ … ଯାହା ତାହା କରି ଦି ପଦ କହିଦେବେ …
ଅପରାଜିତା – (ମାଇକ ମୁହଁ ପାଖୁ ନେଇ) ମିସେସ ସରିତା ଅତି ମେଳାପି, ଭଦ୍ର, ମିଷ୍ଟଭାଷୀ ମହିଳା ଥିଲେ। ଦରିଦ୍ର ସେବାରେ ନିଜକୁ ଉତ୍ସର୍ଗ କରି ଦେଇଥିଲେ। ପରିବାରର ଯତ୍ନ ନବା ସହିତ ଆମ କ୍ଲବ କାମରେ ବି ବହୁତ ରୁଚି ରଖୁଥିଲେ। ସେ ଭଳିଆ ନାରୀ ସମାଜରେ ବିରଳ। ସେ ଆଜି ନାହାନ୍ତି। ହେଲେ ଆମ ମନ ଭିତରେ ସବୁଦିନ ପାଇଁ ଜୀବିତ ରହିବେ। ଜୟ ଜଗନ୍ନାଥ। (ମାଇକ କରବୀକୁ ଦେଇ ସମସ୍ତଙ୍କୁ ନମସ୍କାର କରି ନଟବରବାବୁଙ୍କୁ ନମସ୍କାର କରି ପ୍ରସ୍ଥାନ କଲା ସମୟ ରେ କିଛି ଜନତା)
ଚାରିଜଣ– ଆଜ୍ଞା ଗୋଟେ ଫଟ।
(ଅପରାଜିତା ଫେରି ଶବ ପାଖେ ଠିଆ ହବା ଏବଂ ତାଙ୍କ ଦୁଇପଟେ ଜନତା ଫଟ ପାଇଁ ଠିଆ ହେଇଯିବା। ଫଟ ଉଠା ପରେ ସି ଏମ୍ ଡିଙ୍କ ପ୍ରସ୍ଥାନ। ତାଙ୍କ ପଛେ ପଛେ ତାଙ୍କ ଗୋଡ଼ାଣିଆମାନଙ୍କର ପ୍ରସ୍ଥାନ। କିଛି ବନ୍ଧୁ ଶବକୁ ଏବଂ ନଟବର ବାବୁଙ୍କୁ ନମସ୍କାର କରି ବାହାରକୁ ଯିବା। ଆଉ କଛି ପରିବାର ଲୋକେ ଭିତରେ ରହି କୋକେଇର ବନ୍ଦୋବସ୍ତ କରିବା।)
(ମିଡିଆରୁ ଜଣେ ବ୍ୟକ୍ତି ହଠାତ୍ ଭିତରକୁ ଆସି ନଟବର ବାବୁଙ୍କୁ) ମୁଁ ମିଡିଆରୁ … ଆଜ୍ଞା ଆପଣ ଆପଣଙ୍କ ଧର୍ମପତ୍ନୀଙ୍କ ବିଷୟରେ କିଛି କହିଲେନି …
ନଟବର – ମୁଁ? … ମୁଁ କଣ କହିବି?
ମିଡିଆ – (ମାଇକଟା ବଢ଼େଇ) ସ୍ୱାମୀ ଆପଣ।ଏତେ ଦିନର ସମ୍ପର୍କ ଆପଣଙ୍କର। ପ୍ଲିଜ୍ ସାର, ଦି ପଦ କୁହନ୍ତୁ। ମୁଁ ଜାଣି ପାରୁଛି, ଆପଣଙ୍କ ଗଳା ରୁଦ୍ଧ ହେଇ ଯାଉଚି। ତଥାପି ସାର୍ …
ନଟବର – (ମାଇକ୍ଟା ନେଇ, ରୁଦ୍ଧଗଳାରେ) କହିବାକୁ ମୋ ପାଖରେ ଭାଷା ନାହିଁ। ୪୫ ବର୍ଷର ଦୁଃଖ ସୁଖର ସଂସାର ଆମର। ଅନେକଗୁଡ଼ିଏ ନାମରେ ସେ ପରିଚିତ ଥିଲେ। ସରିତା, ରୀତା, ବଉଳ, ନାନୀ, ମାଆ, ମାଉସୀ, ଖୁଡ଼ୀ, ପିଉସୀନାନୀ, ମାଇଁ, ଆଈ, ଜେଜେମା। ଆଉ ସବୁ ଚରିତ୍ରରେ ପ୍ରଥମ ସ୍ଥାନରେ ଥିଲେ। ଆଜି ସେ ସବୁ ନାମ ଲିଭିଗଲା। ରହିଲା ଖାଲି ଗୋଟିଏ ଶେଷନାମ ‘ଶବ’। ଜୁଇ ଜଳିଗଲା ପରେ ଶେଷନାମଟି ମଧ୍ୟ ଲିଭିଯିବ। (ଗଳା ରୁଦ୍ଧ ହେଇ ଯିବା)
(ମିଡିଆ ବ୍ୟକ୍ତି ହାତକୁ ମାଇକ ବଢେଇ ଦେଇ ନଟବର ଆଖିରୁ ଲୁହ ପୋଛିବା। ବାହାରୁ ଝିଅଜୋଇଁ ଙ୍କର ପ୍ରବେଶ। ନଟବର ଝିଅଜୋଇଁଙ୍କୁ ଦୁଇହାତରେ ନିଜ ଆଡ଼କୁ ଟାଣିଆଣିବା ମିଡିଆ ବ୍ୟକ୍ତି ତା’ ଆଖିରୁ ଲୁହ ପୋଛିବା।)
(ପର୍ଦା ପତନ।)
(‘ସାହିତ୍ୟ ଚର୍ଚ୍ଚା’ ପତ୍ରିକାର ଜୁନ, ୨୦୨୪ ସଂଖ୍ୟାରେ ପ୍ରକାଶିତ।)
ସତରେ ଏ ପାର୍ଥିବ ଦୁନିଆରେ ଜୀବନ ଥିବା ଯାଏ ସବୁ ସମ୍ପର୍କର ନାଟକ ଚାଲିଥାଏ, ଥରେ ଜୀବନ ଚାଲିଗଲା ପରେ ଧିରେ ଧିରେ ସମସ୍ତେ ଭୁଲିଯାନ୍ତି। ଏହି ଭୁଲିଯିବାଟା ବୋଧହୁଏ ଆରମ୍ଭ ହୁଏ ନିଜର ନିକଟ ସମ୍ପର୍କୀୟଙ୍କଠାରୁ କାରଣ ସେମାନେ ସବୁଠାରୁ ନିକଟରେ ଥିଲେ ବୋଲି। ଯଦି ଆଜିର ମଣିଷ ଏହି ଛୋଟ କଥାଟିକୁ ସବୁବେଳେ ମନରେ ରଖି କାର୍ଯ୍ୟ କରୁଥାନ୍ତା ତେବେ ଅନେକ ସମସ୍ୟାର ସମାଧାନ ଆପେ ଆପେ ହୋଇଯାଆନ୍ତେ,କିନ୍ତୁ ଆମେ ମଣିଷମାନେ ସବୁ ଜାଣି ମଧ୍ୟ ଅଜଣା ଭଳି ସବୁବେଳେ ମୋହ ମାୟା ମଧ୍ୟରେ ରହୁଛୁ ଆଉ ଭାବୁଛୁ ଆମ ପାଇଁ ସବୁକିଛି ଓ ଆମଦ୍ୱାରା ସବୁ ହେଉଛି। ତେଣୁ ପରା କଥାରେ ଅଛି ‘ମିଛ ମାୟା ସଂସାର, ଆସିଥିଲୁ ଲଙ୍ଗଳା ତୁ ଯିବୁ ପୁଣି ଲଙ୍ଗଳା ହୋଇରେ’, ଏହି ଛୋଟ ଏବଂ ମରମ କଥାକୁ ଆମେ ମଣିଷମାନେ ଯେତେ ଶୀଘ୍ର ବୁଝିଯିବା ସେତେ ଶୀଘ୍ର ମଙ୍ଗଳ।