ପଢନ୍ତୁ ବିନୟ ପଟ୍ଟନାୟକଙ୍କ କଲମରୁ ଏକ ମନଛୁଆଁ କବିତା, ଏବଂ ଶୁଣନ୍ତୁ ମଧ୍ୟ ତାଙ୍କ ନିଜ କଣ୍ଠରେ କବିତାଟିର ଆବୃତ୍ତି।
ମାଟିରୁ ତୁ ଆସୁ ଆଉ ମାଟିକୁ ତୁ ଯାଉ,
ସାରା ଜୀବନ ସୁଖରେ ମାଟିରେ ବିତାଉ।
ଘର ତୋଳୁ, ତଳି ରୋଉ, ଖାଉ, ପିଉ, ଶୋଉ,
ଖେଳୁ, ଝୁଲୁ, ନାଚୁ, ବସୁ, ଚାଲୁ, ଧାଉଁ, ଡେଉଁ।
ମାଟି ପରେ ରହି ସବୁ କାମ କରିଥାଉ,
ମାଟିକୁ ଛାଡ଼ିଲେ ତୁହି ଥରହର ହେଉ।
ଜୀବନର ସବୁ ସୁଖ ମାଟିରୁ ତୁ ପାଉ,
ମା’ଟିକୁ ଭଲ ପାଉ ପୂଜା କରିଥାଉ।
ଯେଉଁ ନଜରରେ ତୁହି ମାଟିକୁ ଅନାଉ,
ତାହା ଅନୁସାରେ ସଦା ଫଳ ପାଇଥାଉ।
ମାଟିରୁ ତୁ ଆସୁ ଆଉ ମାଟିକୁ ତୁ ଯାଉ,
ସାରା ଜୀବନ ସୁଖରେ ମାଟିରେ ବିତାଉI (୦)
ମାଆ ରୂପେ ଯେବେ ମାଟି ପୂଜା କରିଥାଉ,
ଭିତରୁ ମାଟିକୁ ଅତି ଭଲ ପାଇଥାଉI
ମାଟି ଦେହ ଭଲ ରଖିବାରେ ଲାଗିଥାଉ,
ମଥାରେ ମାଟି ଲଗାଇ କାମରେ ଲଗାଉ।
ମାଟି ଉରୁବର ରଖି ଜିଆ ପାଳିଥାଉ,
ସଦା ଏ ସୁନା ମାଟିର କି ଯତନ ନେଉ।
ରଜ ପାଳୁ, ସେବା କରୁ, ହଳକୁ ଚଳାଉ,
ଗୋମାତାର ପରସାଦେ ନିଇତି ଗାଧାଉ।
ମାଟି ଖୋସୁ, ଘାସ ବାଛୁ, ସଫା ରଖିଥାଉ,
ଖରା, ପାଣି, ବାଆ ସାଥେ ମାଟିକୁ ଖେଳାଉI
ମାଟିର କୋଳରେ ଯେତେ ପୁଲକ ଜଗାଉ,
ଖୁସି ମାଟିର କୋଳରେ ଯାଦୁ ଦେଖିଥାଉ।
ସୁନା ଫସଲ ଫଳାଉ, ଉତ୍ସବ ମନାଉ,
ନୂଆଁ ଜାମା ନାଉଁ , ଖାଉ, ପିଉ, ନାଚୁ, ଡେଉଁ।
ମାଟିରୁ ତୁ ଆସୁ ଆଉ ମାଟିକୁ ତୁ ଯାଉ,
ସାରା ଜୀବନ ସୁଖରେ ମାଟିରେ ବିତାଉ। (୧)
ମାଟି ମାଆର ଗୁଣକୁ ଯେବେ ଭୁଲିଯାଉ,
ନିଜର ହାତରେ ମହା-ବିଷ ପିଇଥାଉ।
ପୂଜିବା ବଦଳେ ମାଆ ମାଟିଠୁଁ ଦୂରାଉ,
ମାଟି ବିଷୟରେ ଭୁଲ୍ ଧାରଣା ବନାଉ।
ମାଆ ପ୍ରତି ଅତି ବେଖାତିର ହୋଇଥାଉ,
ଫାଇଦା ଉଠାଇନେଇ ତାକୁ ଭୁଲିଯାଉ।
ମାଟି, ପାଣି, ପବନରେ ବିଷ ଭରିଯାଉ,
ବେଶି ଫସଲ ଆଶାରେ ବିଷ ସାର ଦେଉ।
ମାଟିକୁ ବୋକା ମନାଉ, ମନେ ଭାବିଥାଉ,
ମାଆ ପ୍ରତି ନିଜ ଦାୟିତ୍ୱକୁ ଭୁଲିଯାଉ।
ଯେଉଁ ବିଷ ପିଆଇ ମାଟିକୁ ଜାଳିଥାଉ,
ସେଇ ବିଷେ ଜଳି ନିଜେ ଛଟପଟ ହେଉ।
ଭୁଲ୍ ବୁଝି ଯେବେ ପୁଣି ସିନିହେ ଅନାଉ,
ମହାନ ମାଟିର ଛୁଆ ପରିଚୟ ପାଉ।
ମାଟିରୁ ତୁ ଆସୁ ଆଉ ମାଟିକୁ ତୁ ଯାଉ,
ସାରା ଜୀବନ ସୁଖରେ ମାଟିରେ ବିତାଉ। (୨)
ଏବେ କବିଙ୍କ କଣ୍ଠରୁ ଶୁଣନ୍ତୁ ଏହି କବିତାର ଆବୃତ୍ତି >
ମାଟି ଆମ ସ୍ଥିତି ମାଟି ଆମ ଗତି
ସିମେଣ୍ଟରେ ଢଳାଉ ତାକୁ କରୁ ତା ଦୁର୍ଗତି।
ମାଟିକୁ ଆପଣେଇବା ଆମେ