କୁକୁଡ଼ାଟି ସେଦିନ ବେକମୋଡି ପଡ଼ିଥିବା ଗଞ୍ଜା ଉପରେ ନିଜର ଡେଣା ଘୋଡ଼େଇ ବର୍ଷା ପାଣିରୁ ତା’କୁ ବଞ୍ଚାଇବାକୁ ଚେଷ୍ଟା କରୁଥିଲା।
ବେଳଅବେଳରେ ଗଞ୍ଜା ଲଢେଇ ଚାଲିଥିଲା। କିଏ ଧଳା ଗଞ୍ଜାକୁ ବାଜିରେ ଜିତିବ କହୁଥିଲା ତ, ତା ମାଲିକ ଖୁସିରେ ପଚାଶଟଙ୍କା ଧରାଇ ଦେଉଥିଲା। ପୁଣି କିଏ ନାଲି ଗଞ୍ଜା ଜିତିବ କହୁଥିଲା ତ ତା ମାଲିକ ଆଜି ତା ଗଞ୍ଜା ଜିତିଲେ ନାଲି ବୋତଲ ଦେବାର ପ୍ରତିଶ୍ରୁତି ଦେଉଥିଲା। ଯୋଉ ଗଞ୍ଜା ଯେତିକି ହାଲିଆ ହେଉଥିଲା ଅପର ପକ୍ଷ ସେତିକି ତାଳି ବଜାଇଚାଲିଥିଲା। ଯୋଉ ଗଞ୍ଜା ଯେତିକି ରକ୍ତାକ୍ତ ହେଉଥିଲା ବିରୋଧୀ ଗୋଷ୍ଠୀର ଉନ୍ମାଦନା ସେତିକି ବଢୁଥିଲା। ଶେଷକୁ ହାର ଜିତରେ ନିଶ୍ଚୟ ଜଣେ ଜିତିବ ଓ ଜଣେ ହାରିବ ନା! ନାଲି ଗଞ୍ଜାଟା ବେକ ମୋଡ଼ି ତଳେ ପଡ଼ିଗଲା ପରେ ପଦନା ସହ ତା ଦଳ ଅପସରି ଯାଇଥିଲେ ଜଣଙ୍କ ପରେ ଜଣେ। ଆଉ ପଦନା ବେକ ମୋଡ଼ି ପଡ଼ିଥିବା ଗଞ୍ଜାଟାକୁ ବାରିପଟେ ପକେଇ ରାତି ସାରା ଦାନ୍ତ ରାଗଡୁଥିଲା ବେଳେ ଭୋର ଭୋର ବର୍ଷାରେ କୁଆଁତାରା ପଡିଲା ବେଳକୁ ବର୍ଷା କଚାଡୁଥିଲା।
ସକାଳୁ ସକାଳୁ ଗଞ୍ଜାଟା କାହିଁ ରଡି ଛାଡ଼ୁନି ବୋଲି ପଦନା ବୋଉ ବାଡ଼ିପଟ ଖୋଲି ଦେଖିଲା ବେଳକୁ ବେକ ମୋଡି ପଡ଼ିଥିବା ଗଞ୍ଜାକୁ ଉଠେଇବା ପାଇଁ କୁକୁଡ଼ାଟି ଚେଷ୍ଟା କରି କରି ବିଫଳ ହେଲା ପରେ ନିଜ ଡେଣା ମେଲେଇ ଛତା ପରି ଟେକି ରଖିଛି ଗଞ୍ଜା ଉପରେ, ତା’କୁ ବର୍ଷା ପାଣିରୁ ରକ୍ଷା କରିବା ପାଇଁ। ବୋଉ ଆଖିରେ ଲୁହ ଦେଖି ପଦନା କହୁଥିଲା, “ଆଲୋ କିଏ ଜନମ ହେଲେ ଯୁଗ-ରାଇଜ ଭୋଗିବ? ଦିନେନା ଦିନେ ମରିବ । କିନ୍ତୁ ଗଞ୍ଜାଟାକୁ ଏତେ ଖୁଦ, ଚାଉଳ, ଗହମ ଦେଇ ପାଳୁଥିଲୁ କଣ ତୋ ପୁଅର ମାନ ସମ୍ମାନ ଏମିତି ପଦାରେ ପକେଇ ହାଟରେ ଗଡ଼େଇ ମାରିବାକୁ ମତେ ଜିଇଁ ଥାଉ ଥାଉ!”
ବୋଉ ସେଦିନ ରୋଷେଇ କରିନଥିଲା କି ତରକାରୀ ଛୁଇଁ ନଥିଲା। ବାପା କହୁଥିଲେ, “କୁଳାଙ୍ଗାରଟା ଏତେଥର ପରୀକ୍ଷା ଦେଇ ମାଟ୍ରିକ୍ ପାସ୍ କରିପାରିଲା ନାହିଁ। ପୁଅଟା ଯଦି ଗୁଣର ନ ହେଲା ଧନ କାହିଁପାଇଁ ସଞ୍ଚିବି, ପୁଅ ଯଦି ବାଳୁଙ୍ଗା ହେଲା ଧନ କାହିଁପାଇଁ ସଞ୍ଚିବି?”
ପଦନା କହୁଥିଲା, ‘ଆଜି ଯାଏଁ ବାଇକ୍ଟେ ଦେଇପାରିଲନି ପୁଅକୁ, ଏଥିରେ ଭାଷଣ ମାରିଲେ କେତେ ନମାରିଲେ କେତେ? କଣ କରିପକେଇଲି କି ମତେ ଏତେ କଥା? ହଉ, ମୁଳୁ ମାଇଲେ ଯିବ ସରି ଦେବଙ୍କ ସଙ୍ଗେ କିମ୍ପା କଳି’, କହି ସେହିଦିନ ସବୁ କୁକୁଡ଼ା, ଗଞ୍ଜା ଉଡେଇଦେଇଥିଲା ପଦନା। ରାତି ଆସିବା ଢ଼େର ଆଗରୁ ଆଉ ବୋଉ ଆଗରେ ଢେର ଥର କାନଧରି ବସ ଉଠ ହୋଇ ବାହାରି ଯାଇଥିଲା ଘରୁ।
ବୋଉଟା ବିଚାରୀ ରଥ ଉପରେ ଜଗନ୍ନାଥଙ୍କୁ ହାତଯୋଡ଼ି ଡାକୁଥିଲା, ‘ମୋ ପୁଅକୁ ଭଲ ବୁଦ୍ଧି ଦିଅ ଠାକୁର।’ ନବଦିନ ବ୍ୟାପୀ ପୁରୀରେ ଠାକୁରଙ୍କ ପାଖେ ଅଧିଆ ପଡି ବୋଉ ଫେରିଲା ବାହୁଡ଼ା ଦିନ ଗାଁକୁ। ଦେଖିଲା ବେଳକୁ ଘରେ ଲାଗିଛି ଠିଆପାଲା। ପୁଅ ପଦନା ଫେରିଛି କିନ୍ତୁ ସ୍କୁଟିରେ ବସାଇ ଘରକୁ ଫେରିଛି ଗୋଟେ ଝିଅ ସହିତ। ବାପା ଗର୍ଜ୍ଜନ କରୁଛନ୍ତି ‘ମୋ ମାନ ସମ୍ମାନ ସବୁ ବୁଡ଼େଇଲୁ। ଗଣଧର୍ଷଣର ଶୀକାର ହୋଇଥିବା ସ୍କୁଟିବାଲି ଝିଅକୁ ନେଇଆସିଛୁ। ମୋ ସାତ ପୁରୁଷି ପାଣି ପାଇବେ ତା ହାତରୁ! ଯୋଉ ବାଟେ ବାଟେ ଆସିଛୁ ସେଇ ବାଟେ ବାଟେ ଫେରିଯା କହୁଛି।’
ବୋଉଟା ନଥ କରି ବସିପଡ଼ିଲା, ‘ଜଗନ୍ନାଥେ ଏ କି ପରୀକ୍ଷା ପ୍ରଭୁ’। ପଦନା କହୁଥିଲା, “କଣ ଭୁଲ ମୋର? ମୁଁ କଣ କାହାର ଇଜ୍ଜତ ନେଇଛି ନା ଅସମ୍ମାନିତ କରିଛି କାହାକୁ? ଡାକ୍ତରୀ ପଢି ଡାକ୍ତରାଣୀ ହୋଇ ଶହ ଶହ ରୋଗୀ ବଞ୍ଚାଉଥିବା ଝିଅଟାକୁ ଗଣଧର୍ଷଣକାରୀଙ୍କଠୁ ଉଦ୍ଧାର କରି ଯଦି ମୁଁ ତୁମ ସାତପୁରୁଷର କଳଙ୍କ ସାଜିଲି, ତେବେ ଯାଉଛି ଝିଅଟା ଯୋଉ କୁଆଖାଇ ନଦୀ ଭିତରକୁ ଡେଇଁବା ପୂର୍ବରୁ ରକ୍ଷା କରିଥିଲି ସେଇ କୁଆଖାଇ ନଦୀରେ ଠେଲି ଦେଇ ଆସିବି। ଏମିତିରେ ତ ଅନେକ ପାପ କରି ମୁଁ ପାପୀ।”
କୋଉଠି ଥିଲା ପଦନା ବୋଉ କହିଲା, “ରହ ପଦନା।” ବୁଲି ଚାହିଁଲା ପଦନା। ବୋଉ ହାତରେ ବନ୍ଦାଣ ଥାଳି। ଥାଳିରେ ଦୀପ, ଫୁଲ, ଚନ୍ଦନ, ସିନ୍ଦୁର, କସ୍ତୁରୀ, ଦୁବ ଓ ବରକୋଳି ପତ୍ର; ଆଉ ବୋଉ ପକାଉଥିଲା ହୁଳହୁଳି। ବୋହୁକୁ ନେଇ ଘରକୁ ଯିବା ପୂର୍ବରୁ ଝିଅର ବାପା ପୋଲିସ ନେଇ ପହଁଚିଲେ। ବନ୍ଦାପନାରୁ ଉଠେଇ ନେଲା ଝିଅକୁ ପୋଲିସ। ପଦନା ବୋଉ ବାହୁନା ପକେଇଥିଲା। ଏଇ ପ୍ରଥମ ଥର ବାପା ବୋଉକୁ ‘ଚୁପ ହୋଇଯାଅ’ ବୋଲି କହୁଥିଲେ। “ସେ ଝିଅ ନାବାଳିକା ନୁହେଁ, ସେ ନିଶ୍ଚୟ ଫେରିବ। ତୁମ ପୁଅର ଯେତେ ରିଷ୍ଟ ଥିଲା କଟିଗଲା ପଦନା ବୋଉ, ପଦନା ଆମର ପାପୀରୁ ତପି ହୋଇଗଲା।” ବାପ-ପୁଅ ଅସ୍ତବ୍ୟସ୍ତ ହୋଇ ବାହାରିଗଲେ ବୋହୂକୁ ଖୋଜିବା ପାଇଁ। ପଦନା ବୋଉ ଘରକୁ ଦାଣ୍ଡ ଦୁଆର ହେଉଥିଲା। ସତରେ ବୋହୂଟା ଫେରିବ ତ? ତା ଆଖିରେ ନାଚୁଥିଲା କୁକୁଡ଼ାଟି ସେଦିନ ବେକମୋଡ଼ି ପଡ଼ିଥିବା ଗଞ୍ଜା ଉପରେ ନିଜର ଡେଣା ଘୋଡେଇ ବର୍ଷା ପାଣିରୁ ତା’କୁ ବଞ୍ଚାଇବାର ଅପଚେଷ୍ଟାକୁ। ଆଜି ତା ପୁଅ ପଦନା ବେକମୋଡି ପଡ଼ିଛି ଠିକ ସେଦିନ ପରି। କିଛି ସମୟ ପରେ ଫେରିଥିଲେ ବାପା ପୁଅ-ବୋହୂଙ୍କ ସହ ଘରକୁ।
ଲିସା ଏବେ ଯେବେ ବି କୋଉ ରୋଗୀର ଅପରସନ ପାଇଁ ପ୍ରସ୍ତୁତ ହେଉଥାଏ, ପଦନା ଜଗନ୍ନାଥଙ୍କ ପାଦତଳେ ପଡିଥାଏ ଅଖିଆ ଅପିଆ। ବୋଉ କହେ, ‘ହେ କାଳିଆ ଠାକୁର, ସବୁ ତୁମରି ଲୀଳା ପ୍ରଭୁ।’ ଫି ବରଷ ଏକା ଏକା ରଥଯାତ୍ରା ଦେଖୁଥିବା ବୋଉ ଏବେ ବାପା, ପୁଅ ଓ ବୋହୂ ସହିତ ରଥ ଦଉଡ଼ି ଭିଡ଼େ ପୁରୀ ବଡଦାଣ୍ଡରେ।
ବହୁତ ଭଲ ଲାଗିଲା ଏହି ଗଳ୍ପଟି।
ଲେଖିକାଙ୍କ ଗଳ୍ପଟି ବେଶ୍ ହୃଦୟସ୍ପର୍ଶୀ ଏବଂ ସାମ୍ପ୍ରତିକ ସମୟ ସହିତ ମେଳ ଖାଉଥିବା ପ୍ରସଙ୍ଗ। କିନ୍ତୁ ମୁଁ ଭାବୁଛି ଜାଣତରେ ବା ଅଜାଣତରେ ଲେଖିକା ବୋଧହୁଏ କିଛି ପ୍ରସଙ୍ଗକୁ ଭୁଲି ଯାଇଛନ୍ତି, ତାହା ରହିଥିଲେ ଗଳ୍ପଟି ଅଧିକ ରସୋତୀର୍ଣ୍ଣ ହେବା ସହ ସମୟ ଉପଯୋଗୀ ହୋଇପାରିଥାନ୍ତା। ସେ ଯାହା ହେଉ କ’ଣ ଲେଖିବେ ଓ କ’ଣ ନ ଲେଖିବେ ତାହା ଲେଖିକାଙ୍କ ନିଜସ୍ୱ ଚିନ୍ତା, ସେଥିରେ କିଛି ଅସୁବିଧା ନାହିଁ। ଜଣେ ପାଠକଭାବେ ମୁଁ ମୋର ମତ ଦେଇଛି।
ଅନ୍ୟ ପକ୍ଷରେ ମାଟ୍ରିକ ଫେଲ୍ ଓ କୁକୁଡ଼ା ଲଢ଼େଇକୁ ସାଙ୍କେତିକଭାବେ ଦେଇ ଗାଳ୍ପିକାଙ୍କ ବର୍ଣ୍ଣନା ବେଶ୍ ଚମତ୍କାର ହୋଇପାରିଛି।