ଗତ ଜୁଲାଇ ମାସ ଦଶ ତାରିଖ ଦିନ ଅନୁଷ୍ଠିତ କ୍ୟାବିନେଟ୍ ବୈଠକରେ ଓଡ଼ିଶାରେ ଏକ ଅନୁବାଦ ଏକାଡେମୀ ପ୍ରତିଷ୍ଠା ପାଇଁ କର୍ପସ୍ ପାଣ୍ଠି ଗଠନକୁ ଅନୁମୋଦନ କରାଯାଇଥିବା ଆନନ୍ଦର କଥା। ତେବେ ଏହି ପ୍ରସ୍ତାବିତ ଏକାଡେମୀ ଯେପରି ଅନୁବାଦ ସାହିତ୍ୟକୁ ଏକ ନୂଆ ଦଶା ଓ ଦିଶା ପ୍ରଦାନ କରି ଉପଯୁକ୍ତ ଭାବରେ ନିଜର କର୍ତ୍ତବ୍ୟ ସମ୍ପାଦନ କରେ ସେଥିପ୍ରତି ଉଚିତ ଦୃଷ୍ଟି ଦିଆଯିବା ଉଚିତ। ଓଡ଼ିଆ ଭାଷା ଓ ସାହିତ୍ୟର ସମୃଦ୍ଧି ଉଦ୍ଦେଶ୍ୟରେ ସରକାରୀ ଉଦ୍ଯୋଗରେ ସ୍ଥାପନ କରାଯାଇଥିବା ଅନୁଷ୍ଠାନମାନଙ୍କର ଓଡ଼ିଶାରେ ଅଭାବ ନାହିଁଁ। ‘ଓଡ଼ିଶା ସାହିତ୍ୟ ଏକାଡେମୀ’ ଓ ‘ଓଡ଼ିଆ ଭାଷା ପ୍ରତିଷ୍ଠାନ’ ଭଳି କେତେକ ସଂସ୍ଥା ଏହି ଦିଗରେ କାର୍ଯ୍ୟ କରୁଛନ୍ତି। କିନ୍ତୁ ଏଗୁଡ଼ିକ ପ୍ରକୃତରେ ଆମ ଭାଷା ଓ ସାହିତ୍ୟର ବିକାଶ ପାଇଁ କି ଯେ ଭୂମିକା ତୁଲାଉଛନ୍ତି ତାହାକୁ ନେଇ ଅନେକ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି। ଦୀର୍ଘ ସାତ ବର୍ଷ ଧରି କୌଣସି ଓଡ଼ିଆ ଲେଖକଙ୍କୁ ଓଡ଼ିଶା ସାହିତ୍ୟ ଏକାଡେମୀ ପୁରସ୍କାର ପ୍ରଦାନ କରାଯାଇନଥିବା ଅନେକ କିଛି ଦର୍ଶାଇଦିଏ। ସରକାରୀ ପୃଷ୍ଠପୋଷକତାରେ ପ୍ରତିଷ୍ଠିତ ହୋଇଥିବା ସାରସ୍ୱତ ଅନୁଷ୍ଠାନଗୁଡ଼ିକର ଏଭଳି ଦୁର୍ଦ୍ଦଶା ଦେଖି ବ୍ୟଥିତ ହେବାକୁ ପଡ଼େ। ଏଣୁ ପ୍ରସ୍ତାବିତ ଅନୁବାଦ ଏକାଡେମୀଟି ଯେପରି ସେହି ପଥ ଅନୁସରଣ କରି ଅନ୍ୟ ଏକ ଧଳାହାତୀ ପୋଷଣକାରୀ ସଂସ୍ଥାରେ ପରିଣତ ହୋଇନଯାଏ ସେଥିପ୍ରତି ମୂଳରୁ ଦୃଷ୍ଟି ଦିଆଯାଉ।
ଆମ ଭାଷାର ଅସ୍ମିତାକୁ ଜାହିର କରିବାରେ ଅନୁବାଦ ସାହିତ୍ୟର ଯେ ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକା ରହିଛି ଏଥିରେ ସନ୍ଦେହ ନାହିଁ। ଆମ ସାହିତ୍ୟରେ ଉପଲବ୍ଧ ଅନୁବାଦ ସମ୍ଭାର ପ୍ରତି ଦୃଷ୍ଟିପାତ କଲେ ଜଣାଯାଏ ଓଡ଼ିଆରୁ ଅନ୍ୟ ଭାରତୀୟ ଭାଷାକୁ ଅନୁବାଦ ବିଶେଷ ମାତ୍ରାରେ ହୋଇନାହିଁ; ଯାହା ବି ହୋଇଛି, ବହୁଳାଂଶରେ ତାହା ଇଂରାଜୀ ଭାଷାକୁ ମାତ୍ର। ଅନୁବାଦ ସାହିତ୍ୟକୁ ପ୍ରୋତ୍ସାହନ ଦେଇ ଗୋଟିଏ ଭାଷା ଓ ସାହିତ୍ୟର ସମୃଦ୍ଧି କିଭଳି ଯେ ସମ୍ଭବ କରାଯାଇପାରେ ତାହାର ପ୍ରକୃଷ୍ଟ ଉଦାହରଣ ଆମେ ତାମିଲନାଡ଼ୁ ରାଜ୍ୟରୁ ପାଇପାରିବା। ୨୦୧୮ ମସିହାରେ ତାମିଲନାଡ଼ୁ ସରକାର ବିପୁଳ ଅର୍ଥ ବରାଦ କରି ଦେଶର ଅଗ୍ରଣୀ ଅନୁବାଦିକା ଡ. ମିନି କୃଷ୍ଣନ୍ଙ୍କ ସହଭାଗିତାରେ ଏକ ପରିଯୋଜନା ଆରମ୍ଭ କରିଥିଲେ। ସେଠାକାର ରାଜ୍ୟ ସରକାରଙ୍କ ଏହି ଯୋଜନା କାର୍ଯ୍ୟକାରୀ କରୁଥିବା ସଂସ୍ଥାର ଉପନିର୍ଦ୍ଦେଶକ (ଅନୁବାଦ)ଙ୍କ ଏକ ରୋଚକ ବିବୃତି ସେତେବେଳେ ସମ୍ବାଦପତ୍ରମାନଙ୍କରେ ସ୍ଥାନ ପାଇଥିଲା। ଏକ ଉଦାହରଣ ଦେଇ ସେ କହିଥିଲେ, “ଆମେ ଯଦି ଓଡ଼ିଆ ଭାଷାର ତିନୋଟି ବହି ତାମିଲ୍ ଭାଷାକୁ ଅନୁବାଦ କରିବା ତେବେ ସେମାନେ (ଓଡ଼ିଶାର ପ୍ରକାଶକମାନେ) ମଧ୍ୟ ତାମିଲ୍ ଭାଷାର ତିନୋଟି ବହି ଓଡ଼ିଆକୁ ଅନୁବାଦ କରିବାକୁ ଆଗଭର ହେବେ।” ସେହି ସଂସ୍ଥାର ଏଭଳି କେତେକ ଦୂରଦୃଷ୍ଟି ସମ୍ପନ୍ନ ନୀତି ଅନୁବାଦ ସାହିତ୍ୟ ଜରିଆରେ ତାମିଲ୍ ସାହିତ୍ୟର ପ୍ରଚାର ଓ ପ୍ରସାର ପାଇଁ ପଥ ସୁଗମ କରିଥିଲା।
ରାଜ୍ୟ ରାଜକୋଷର ବିପୁଳ ପାଣ୍ଠି ବିନିଯୋଗ ପୂର୍ବକ ପ୍ରତିଷ୍ଠିତ ହେବାକୁ ଥିବା ଅନୁବାଦ ଏକାଡେମୀ ଯେପରି ଅନ୍ୟ କେତୋଟି ସରକାରୀ ସଂସ୍ଥାମାନଙ୍କ ଭଳି ସଭା ସମିତି, ସମ୍ବର୍ଦ୍ଧନା ଓ କେତେକ ଲୋକ ଦେଖାଣିଆ କାର୍ଯ୍ୟ ଭିତରେ ନିଜକୁ ସୀମିତ ନ ରଖି ବରଂ ଅନୁବାଦ ସାହିତ୍ୟରେ ଏକ ଅଭିନବ ମାନକ ସ୍ଥାପନ କରିବାକୁ ସମର୍ଥ ହୁଏ, ତାହା ସୁନିଶ୍ଚିତ କରାଯାଉ। ଏଥିପାଇଁ ଯୋଗ୍ୟ ଓ ଦାୟିତ୍ୱ ସମ୍ପନ୍ନ ମାନବ ସମ୍ବଳ ଚୟନ କରି ତାହା ଉପରେ ଏହି ଏକାଡେମୀର ଗୁରୁ ଦାୟିତ୍ୱ ନ୍ୟସ୍ତ କରାଯିବା ଅତ୍ୟନ୍ତ ଜରୁରି।
ନିହାର ଶତପଥୀ
(‘ସାହିତ୍ୟ ଚର୍ଚ୍ଚା’ ପତ୍ରିକାର ଅଗଷ୍ଟ , ୨୦୨୪ ସଂଖ୍ୟାରେ ପ୍ରକାଶିତ। )
ଆମେ ଯଦି ଭାବିବା ଯେ ଆମ ଓଡ଼ିଆ ବହି ଅନ୍ୟ ଭାଷାରେ ଅନୁବାଦ ହେଉ, ତାହେଲେ ପ୍ରଥମେ ଆମେ ଅନ୍ୟ ଭାଷାର ବହିକୁ ଓଡ଼ିଆ ଭାଷାରେ ଅନୁବାଦ କରି ପାଠକଙ୍କ ପାଖରେ ପହଞ୍ଚାଇବାକୁ ପଡ଼ିବ। ତାହେଲେ ଯାଇ ଆମ ଭାବ ଅନ୍ୟ ମାନଙ୍କ ପାଖରେ ପହଞ୍ଚି ପାରିବ।