ଏ ବେଙ୍ଗ ସହ ରାଜନେତାମାନଙ୍କ ଚରିତ୍ର ମିଳୁଥିବା ଅନୁମାନ କରୁ।
ଆମ ଓଡ଼ିଶାର ଗ୍ରାମ୍ଯସଂସ୍କୃତିକୁ ଆଖି ଆଗରେ ରଖି ସ୍ବାମୀ ଅଭୟାନନ୍ଦ ରିସର୍ଚ୍ଚ ଫାଉଣ୍ଡେସନର ଏକ ନୂଆ ପ୍ରୋଜେକ୍ଟ ରୂପ ନେବାକୁ ଯାଉଛି। ଆମେ ଜାଣିଛୁ କୃଷି ସହ ବର୍ଷାର ସମ୍ପର୍କ କଣ। “ଜଳ ବିହୁନେ ପୃଥି ନାଶ, ଜଳ ଗହଳେ ପୃଥି ନାଶ,“ ପ୍ରାଚୀନ ଲୋକକଥା, ଆମେ ଶୁଣି ଆସିଛୁ କାନ ଉଠିଲା ଦିନରୁ। ମେଘ କଣ ଖାଲି କୃଷିକୁ ପ୍ରଭାବିତ କରେ? ସମଗ୍ର ଜୀବଜଗତ ହୁଅନ୍ତି ପ୍ରଭାବିତ। “ନୀଳ ନୀରଦ ମାଳେ ଖେଳେ ଚପଳା, ଖଳ ପୀରତି ପ୍ରାୟ ସଦା ଚପଳା !” ମେଘ ନଥିଲେ କଣ କାଳିଦାସ ‘ମେଘଦୂତମ୍’ କାବ୍ୟର କଳ୍ପନା କରିଥାଆନ୍ତେ? ନା ‘ଋତୁସଂହାରମ୍’ ଲେଖିଥାଆନ୍ତେ ? ନା ତାଙ୍କ ଲେଖନୀରୁ ଝରି ଆସିଥାଆନ୍ତା, ”ଆଷାଢ଼ସ୍ୟ ପ୍ରଥମ ଦିବସେ ମେଘମାସ୍ଳିଷ୍ଟ ସାନୁଃ?” ନା ପରିସ୍ଫୁଟ ହୋଇଥାଆନ୍ତା ନିର୍ବାସିତ ଯକ୍ଷର ବିରହ ବେଦନା? କାହିଁକି ମୟୁର ପକ୍ଷ ମେଲାଇ ନୃତ୍ୟଛଳେ ପ୍ରେମ ନିବେଦନ କରିଥାଆନ୍ତା? କାହିଁକି ଆମ କବି ଲେଖିଥାଆନ୍ତେ, ”ଦର୍ଦୁର ରାବ ଶୁଣି ନୀରବ ପିକ, ମୁକ ସଭାରେ ବକ ଯଥା ଧାର୍ମିକ !”
ଯୁଗେ ଯୁଗେ ବର୍ଷା ଯେପରି ନୂତନ ଆଶାର ସନ୍ଦେଶ ନେଇ ଆସିଥାଏ। ବର୍ଷାଭାବ, ଖାଦ୍ୟାନ୍ନ ଅଭାବ ଓ ଅକାଳର ପୁର୍ବାନୁମାନ କରାଇଥାଏ । ଈଶ୍ୱରଙ୍କ ସୃଷ୍ଟିରେ ଏ ବର୍ଷାର ପରିଚାଳନା ଦାୟିତ୍ୱ ଦେବରାଜ ଈନ୍ଦ୍ରଙ୍କ ଉପରେ ନ୍ୟସ୍ତ ଥିବା ଆମର ଶାସ୍ତ୍ର ପୁରାଣରୁ ଜଣାଯାଏ। ତାଙ୍କୁ ଧରିବା କଣ ସହଜ କଥା? ଗୋଟାଏ ଏମ୍ ଏଲ୍ ଏ କୁ କଥା କହି ହେଉନାହିଁ, ସେ ପୁଣି ଦେବତା ମାନଙ୍କ ରଜା। ତା’ ପାଖରେ କିଏ ପହଞ୍ଚିବ? ତା ପାଖରେ କୁଆଡେ କେତେ କଣ, ହାତୀ ସେ ପୁଣି ଏମିତି ସେମିତି ନୁହେଁ, ମାନେ ଯାହାକୁ କହନ୍ତି ହାତୀ “ଐରାବତ“, କି ଡ଼ିଜାଇନ୍ ! ଘୋଡ଼ା! ”ଉଚ୍ଚୈଶ୍ରବା“! ତା ବଗିଚାରେ ଫୁଲ ଯେ ନକହ ”ପାରିଜାତ“। ନାଁ ଶୁଣିଛ ନା ଦେଖିଛ କେବେ? ଆମ ଏ ଇଣ୍ଡିଆନ୍ କବିଗୁଡାକ ସେ ଫୁଲ ନ ଦେଖି ଗୋଟାଏ ଗୁଲି ଛାଡ଼ିଦେଲେ, ”ମନ୍ଦାର ପାରିଜାତକଂ“! ନ ଦେଖିଛ ଯଦି ଚୁପ୍ ରହ ! ଆମେ ଜାଣିନୁ କହିବା ତାଙ୍କ ଜାତକରେ ନାହିଁ। ମାନ ତଳେ ପଡ଼ିଯିବ ! ଗୋଟାଏ ଛାଡ଼ି ଦେଲେ ମନ୍ଦାର। ଇଂରେଜୀରେ କହିଲେ ହିବିସ୍କସ୍। ଆଜିକାଲି ଚାଇନିଜ୍ ମାଲ୍ ବିଷୟ ତ ଆପଣ ଜାଣନ୍ତି ! ସେମାନେ କହିଲେ “ଚାଇନାରୋଜ୍“! ଗୋଟାଏ ଜବରଦସ୍ତି ବଜାର ମାଡ଼ିବସିବା, ମାର୍କେଟ୍ କ୍ୟାପ୍ଚର୍ କରିବା କଥା। ଆମ ଓଡ଼ିଶା ଲୋକସେବା ଭବନ, ମାନେ ଯେଉଁ ଭବନରୁ ଲୋକଙ୍କ ସେବା ପାଇଁ ଆଦେଶ ନିର୍ଗତ ହୁଏ, ଯାହାକୁ ଆମ ପିଲାଦିନେ ସେକ୍ରେଟେରିଏଟ୍ କହିଵା ଶୁଣିଛୁ। ସେଇ ବଗିଚାରେ ଗୋଟାଏ ପାରିଜାତ ଗଛ ଅଛି ଶୁଣିଛୁ। ତତ୍କାଳୀନ ମୁଖ୍ୟମନ୍ତ୍ରୀ ସେ ଗଛକୁ ଭାରି ଭଲ ପାଉଥିଲେ। ତା ପାଖରେ ଫଟୋ ଉଠାଇ ଚାମୁଚାମାନେ ଭାଇରାଲ୍ କରିବା ଆମେ ଶୁଣିଛୁ। ସନ୍ଦେହ ଆସେ, ସତରେ କଣ ଏଇଟା ପାରିଜାତ? ସ୍ୱର୍ଗ ରାଜ୍ୟରୁ ଇମ୍ପୋର୍ଟ ହେଲା କିପରି? କଣ କହୁଛନ୍ତି ମ? ସେଠି ତାଙ୍କ ସରକାର ,ଏଠି ଆମ ସରକାର। ସିଏ ସେଠି ରାଜା, ଆମେ ଏଠି ରାଜା। ତାଙ୍କର ”ଐରାବତ” ଆମର “ବି ଏମ୍ ଡବ୍ଲିଉ”। ଆଜିକାଲି ଇମ୍ପୋର୍ଟ୍ ଏକ୍ସପୋର୍ଟ୍ ପଲିସି କୋହଳ ହୋଇଯାଇଛି ବୋଧେ। ନୁହେଁ ଆଉ କଣ? ଇନ୍ଦ୍ରଭୁବନ ସେଠି ଅଛି, ଏଠି ଅଛି। ଚାଲୁନା ଦେଖିବ ଦିଲ୍ଲୀ ରାଉସ୍ ଆଭିନ୍ୟୁ। ତାଙ୍କର ହୀରା ନୀଳା ମୋତି ମାଣିକ୍ୟ ବୈଦୁର୍ଯ୍ୟ, ଆଉ କେତେ କଣ ଆମ ପାଟିରେ ପଶୁନି ସେଗୁଡା। ଇନ୍ଦ୍ର ସାର୍ଙ୍କର ଅନ୍ତପୁରେ ରମ୍ଭା, ମେନକା, ଉର୍ବଶୀ ଆଦି ଏ ୱାନ୍ ବିଉଟି ଗଛିତ ଥିବା ଆମେ ଶୁଣିଛୁ। ଏଠି ଆମ ସାର୍ମାନଙ୍କ ପାଖରେ କଣ କମ୍ କି? ଆମେ ଯାହା ଏଇ ଟିଭି ଖବରକାଗଜ ରେ ଫଟୋ ଦେଖିଛୁ ନା !
ସେ ଇନ୍ଦ୍ରଭୁବନରେ ବର୍ଷା ଅଭାବ ହେଲେ ତଳମୁଣ୍ଡକୁ, ମାନେ ଆମ ମର୍ତ୍ତ୍ୟ ମଣ୍ଡଳକୁ ଖବର ଆସେ ଆମ ରୋମିଂ ଆମ୍ବାସେଡର ନାରଦ ମାହାପୁରୁଙ୍କ ହାତରେ, ଏଠୁ ଗଣ୍ଡାକେତେ ବଛା ବଛା ଋଷି ଏକ୍ସପୋର୍ଟ୍ ହୁଅନ୍ତି ଯଜ୍ଞ କରିବାକୁ। ଘିଅ ,କାଠ ,ସାମଗ୍ରୀ ସବୁ ସେଇଠି। ଏଠା ଜିନିଷ ଉପରେ ତାଙ୍କର ବିଶ୍ବାସ ନାହିଁ । ଏ ଖବର ମିଳନ୍ତେ ଏଠି ଡୁପ୍ଲିକେଟ୍ ଋଷି ବିଭିନ୍ନ ବାବା, ବାପୁ , ମହାତ୍ମା, ମହାରାଜ, ଜଗଦ୍ଗୁରୁ, ମହାମଣ୍ଡଳେଶ୍ୱର ଆଦି ଷ୍ଟିକର୍ ଲଗାଇ ପ୍ରସ୍ତୁତ ହୋଇଯାଆନ୍ତି। ହଁ ସେଇ କଥା, ଧରାଧରି ! ଆମର ଏଠି ବର୍ଷା ନହେଲେ ଆମ ଗାଁ ଚାଷୀଙ୍କ ପାଖରେ କେତେ ମାଲ଼ ଅଛି ଯେ, ଯଜ୍ଞ କରିବେ ?
ତାର ଶସ୍ତା ବାଟ ଖୋଜି ବାହାର କରାଯାଇଛି ,ଯେଉଁଟା ଆମ ଗ୍ରାମ୍ୟ ସଂସ୍କୃତିର ଅଭିନ୍ନ ଅଙ୍ଗରୁପେ ମାନ୍ୟତା ପାଇସାରିଛି। ବର୍ଷା ହେଉନାହିଁ, ଗାଁ ରେ ଥିବା ମହାଦେବଙ୍କୁ ପାଣିରେ ବୁଡ଼ାଇ ଏମିତି ଅଣନିଶ୍ବାସ କରିଦିଅ ଯେ, ଯେମିତି ବର୍ଷା ନ କରାଇ ତାଙ୍କୁ ରକ୍ଷା ନାହିଁ। ଲଗାଣବର୍ଷାରୁ ରକ୍ଷା ପାଇବାକୁ ଇଛା, ଗୋବର କଣ୍ଢେଇ କରି ପୂଜା କର। ବର୍ଷା ହେବା ପାଇଁ ଆଉ ଗୋଟିଏ ଲୋକପ୍ରିୟ ଉପାୟ ଅଛି, ବେଙ୍ଗ ବେଙ୍ଗୁଲି ବାହାଘର। ବେଙ୍ଗ ଗୋଷ୍ଠୀରୁ ଦୁଇଟିଙ୍କୁ ଅଳତା ସିନ୍ଦୁର କଜଳ ଲଗାଇ ବାହା କରାଇଵା। ଏ ପ୍ରଥା ଆଜିର ଦିନରେ ବହୁ ଚର୍ଚ୍ଚିତ ବିଷୟ ହୋଇଥିବା ଆମ ରିସର୍ଚ୍ଚ ଟିମ୍ ନଜରକୁ ଆସିଛି। ଓଡିଆମାନଙ୍କ ଧର୍ମ ଭାବର ମର୍ଯ୍ୟାଦା ବହୁତ ଉପରେ ବୋଲି ସେମାନେ ବାଇଦ ବଜାଇବା ଆମର ଶ୍ରୁତିଗୋଚର ହୋଇଛି। ଏହା ଧାର୍ମିକ ଭାବନା କି କୁସଂସ୍କାର, କହିବା ବିପଦଜନକ ମନେକରି, ଆମେ ଚୁପ୍ ରହିବା ଉଚିତ ମନେକରିଛୁ। ସେ ସବୁ ଗଭୀର ଅଧ୍ୟୟନ ପରେ ଆମର ପରବର୍ତ୍ତୀ ସଂସ୍କରଣ ରେ ଲୋକ ଲୋଚନକୁ ଆସିପାରେ। ସେ ଯାହା ହେଉ ଏ ପ୍ରକାରେ ବେଙ୍ଗ ବିବାହ ପ୍ରଥା ଆବହମାନ କାଳରୁ ଚାଲି ଆସିଥିବା ଆମେ ଶୁଣିଆସିଛୁ। କିଏ ବର କିଏ କନିଆଁ କି ବାହାଘର? ଯେଉଁଠି ମଣିଷ ଘରେ ବାହାଘର କେତେଦିନ ଟେକିବ ଠିକଣା ନାହିଁ, ସେଠି ଏ ବେଙ୍ଗମାନଙ୍କର ଦାୟିତ୍ୱବୋଧ ଉପରେ କେଉଁ ବିଶ୍ବାସ?କେତେବେଳେ ଯେ ବେଙ୍ଗୁଲି କୁ ଛାଡ଼ି ନଦେବ ସେଥିରେ କେଉଁ ଭରସା? ଯାହାହେଉ ଚାଲି ଆସିଛି ତ ! ଯେଉଁ ହେତୁବାଦୀମାନେ ଏହାକୁ କୁସଂସ୍କାର କହୁଥିଲେ, ସେମାନେ ବି ଏ ବେଙ୍ଗ ବାହାଘର ଇଭେଣ୍ଟ୍ ମ୍ୟାନେଜମେଣ୍ଟରେ ଭଲ ଦି ପଇସା କଲେ। ଏତେ ପରିମାଣରେ ବେଙ୍ଗ ବାହାଘର ହେଲା ଯେ ବେଙ୍ଗ ଅଭାବ ପଡ଼ିଗଲେ। ବେଙ୍ଗ ରପ୍ତାନୀ ବନ୍ଦ କରିଵାକୁ ନୂଆ ସରକାର ମତ ପୋଷଣ କଲେ। ବିରୋଧୀଙ୍କ ହୋ ହଲ୍ଲା ଦେଖି ସରକାର ସଂସଦ ଭବନରେ ବିବୃତି ଦେଲେ ଯେ ଯେଉଁ ବେଙ୍ଗ ମାନେ ରପ୍ତାନୀ ହେଉଥିଲେ ସେମାନେ ସବର୍ଣ ଅର୍ଥାତ୍ ବ୍ରାହ୍ମଣି ବେଙ୍ଗ ପ୍ରଜାତିର ଓ ସେମାନେ ଆମ ପୂର୍ବବର୍ତ୍ତୀ ସରକାରଙ୍କ ଅମଳରୁ ବିଦେଶକୁ ରପ୍ତାନୀ ହୋଇ ଆସିଛନ୍ତି। ଫଳରେ ଆମର ବିଦେଶୀ ମୁଦ୍ରା ଭଣ୍ଡାର ବଢ଼ିବାରେ ଲାଗିଛି। ମାତ୍ର ଘରୋଇ ବଜାର ବା ଡ଼ୋମେଷ୍ଟିକ୍ ମାର୍କେଟ୍ର ଚାହିଦାକୁ ଦେଖି ଟୁଲିବେଙ୍ଗ, କାଠବେଙ୍ଗମାନଙ୍କ ରପ୍ତାନୀ ଉପରେ ସରକାର ଙ୍କର କଡା ନଜର ରଖାଯାଇଛି। ସ୍ଥାନୀୟ ବିଧାନ ସଭା ଓ ବିଧାନ ପରିଷଦ ଲୋକସଭା, ରାଜ୍ୟସଭାର ଫଳାଫଳ ଦେଖି ବେଙ୍ଗ ମାନଙ୍କ ଉପରେ ସରକାରଙ୍କର ଦୃଷ୍ଟି ଅଟକି ଯିବା ସ୍ବାଭାବିକ। କେତେବେଳେ କିଏ ଡେଇଁପଡ଼ି କୁଆଡେ ଚାଲିଯିବ ଭରସା କରିବା କଠିନ। ମାଙ୍କଡମାନେ ଆମର ପୂର୍ବଜ ଥିବା କଥା ଶୁଣିଛୁ। ମାତ୍ର ଏ ବେଙ୍ଗ ସହ ରାଜନେତାମାନଙ୍କ ଚରିତ୍ର ମିଳୁଥିବା ଅନୁମାନ କରୁ। ସରକାରଙ୍କର ଏତେ ସିକ୍ୟୁରିଟି ବ୍ୟବସ୍ଥା ଥାଇ ବି ସେମାନେ କେମିତି ଖସିଯାଆନ୍ତି ବୁଝିବା କଠିନ। ଏଇ କେତେବର୍ଷ ଭିତରେ ଏତେ ବେଙ୍ଗ ବାହାଘର ହେଲାଣି ଯେ ନ କହ। ସୋସିଆଲ ମେଡିଆ ଟିଭି, ହ୍ବାଟ୍ସଆପ୍ , ଇଣ୍ଟରନେଟିଆ ଟିଭି ସବୁକୁ ମିଶାଇ ଦେଖିଲେ ଲାଗେ ଭୁବନେଶ୍ୱରରେ ପୁସ୍ତକ ଉନ୍ମୋଚନକୁ ଟପିଗଲା କି।
ମାସେ ବର୍ଷା ନହେଲେ ଗୋଟାଏ ବେଙ୍ଗ ବାହାଘର। ସେ ବାହ୍ମୁଣୀ ବେଙ୍ଗ ନୁହେଁ କି କାଠ ବେଙ୍ଗ ନୁହେଁ। ସେଗୁଡା ଜାତିଆଣିଆ କାଷ୍ଟିଷ୍ଟ୍ ଜନ୍ତୁ ସେଗୁଡାଙ୍କୁ ବାଦ ଦେଇ ସମାଜର ଦଳିତ, ପତିତ, ପୀଡ଼ିତ, ନିଷ୍ପେସିତ, ଦୁର୍ବଳ, କମଜୋର, ଆନିମିକ୍, କୁପୋଷିତ, ପ୍ରୋଟିନ୍ ଡ଼େଫିସିଏଣ୍ଟ୍ ଗ୍ରୁପ୍ ଟୁଲିବେଙ୍ଗ ଯେଉଁମାନଙ୍କ ସହ ଆମର ପରିଚୟ ପ୍ରାଣୀ ବିଜ୍ଞାନ ବ଼୍ୟବଛେଦ ଟେବୁଲ୍ ଉପରେ, ଯେଉଁମାନେ ଆମ ଘର ଅଗଣା ବାଡ଼ିଆଡ଼ ପୋଖରୀ କୁଳ ସବୁଠେଇଁ ଦେଖା ଦିଅନ୍ତି ସେଇମାନେ ଆମର ଆଜିର ନାୟକ ନାୟିକା କାମ ତୁଲାନ୍ତି। ବାହାଘର ହୁଏ, ଖୁବ୍ ଖିଆପିଆ ହୁଏ। ତାପରେ ବେଙ୍ଗ କୁଆଡ଼େ ବେଙ୍ଗୁଲି କୁଆଡ଼େ ଗଲା କିଏ ଜାଣେ? ବର୍ଷା ହେଲା କି ନହେଲା, କିଏ ହିସାବ ରଖିଛି? ଯଦି ହେଇଗଲା ଜାଣ ନୋବେଲ୍ ପ୍ରାଇଜ୍ ଓଏଟିଂ ଲିଷ୍ଟ୍ ରେ ନାଁ ଚଢ଼ିଗଲା !
ଏମିତି ଗୁଡାଏ ବେଙ୍ଗ ବାହାଘର ସଂଖ୍ୟା ବଢ଼ିବାରେ ବହୁତ ଷ୍ଟାର୍ଟ ଅପ୍ ଗ୍ରୁପ୍, ସ୍ୱୟଂସହାୟକ ଗୃପ୍ ଏହାକୁ ଏକ ବ୍ୟାବସାୟିକ ରୂପଦେବାରେ ଲାଗିବାରୁ ବେଙ୍ଗ ସଂକଟ ଦେଖା ଦେଲା, ଯେମିତି ଆମ ଓଡ଼ିଶାରେ ଅପମିଶ୍ରଣ ଓ ଅପମିଶ୍ରିତ ଜୀବନ ରକ୍ଷକ ଅଉଷଧ ସମସ୍ୟା। ଅଭୟ ଦାଶର ରିସର୍ଚ୍ଚିଆ ମୁଣ୍ଡ ଟା ସିଆଡ଼କୁ ଯାଇ ଦେଖେତ, ଏ ବର୍ଷା ନ ହେବା କାରଣ କଣ? ଟିକିଏ ଭିତରେ ଦୃଷ୍ଟି ନିକ୍ଷେପ କରି ଦେଖିବାରୁ ଜଣାଗଲା ଏତେ ଡିମାଣ୍ଡ ଯୋଗୁଁ ସେଇ ପୁରୁଣା ଇକୋନୋମିକ୍ସର ଡିମାଣ୍ଡ୍ ଆଉ ସପ୍ଲାଇ ଚେନ୍ କେଉଁଠି ବାଧାପ୍ରାପ୍ତ ହୋଇଛି ଦେଖିବାକୁ ହେବ। ବହୁ ଅନୁସଂଧାନ ପରେ ଜଣାଗଲା ଅଧିକାଂଶ କ୍ଷେତ୍ରରେ ମହିଳା ବେଙ୍ଗଙ୍କ ଅଭାବରେ ତରବରିଆରେ ସମଲୈଙ୍ଗିକ ବିବାହ ସମ୍ପନ୍ନ ହୋଇଯାଇଛି। ମହିଳା ବେଙ୍ଗ ଅଭାବ ବାରମ୍ବାର ସ୍ବାମୀ ଅଭୟାନନ୍ଦ ମୁଣ୍ଡରେ ଆଘାତ ଦେଉଥାଏ, ଫିମେଲ୍ ଫିଟିସାଇଡ୍ ବାଳିକା ଭୃଣହତ୍ୟା କେଶ୍ ନୁହେଁ ତ? ଗଭୀର ରିସର୍ଚ୍ଚ ର ଆବଶ୍ୟକତା ଅନୁଭୁତ ହୁଏ। ବର୍ତ୍ତମାନ ପରିସ୍ଥିତିରେ ଅଭୟାନନ୍ଦ ରିସର୍ଚ୍ଚ ଫାଉଣ୍ଡେସନ ଗୋଟାଏ ନୂଆ ଓଏବ୍ସାଇଟ୍ ଆରମ୍ଭ କରିଛି ଭାରତ ମାଟ୍ରିମୋନି, ଓଡିଆ ମାଟ୍ରିମୋନି, ଶାଦୀ ଡଟ୍ କମ୍ ଢଙ୍ଗରେ। ଦର୍ଦୁର ଘଟକ ଡଟ୍ କମ୍ ନାମରେ। ପ୍ରୋଜେକ୍ଟ ଲଞ୍ଚ୍ ହେବା ପୂର୍ବରୁ ଓଡ଼ିଶାରେ ଥିବା ସମସ୍ତ କଲେକ୍ଟରଙ୍କୁ ସ୍ପେସିମେନ୍ କଲେକ୍ଟର ଯେଉଁମାନେ କଲେଜରେ ଡାଇସେକ୍ସନ ପାଇଁ ବେଙ୍ଗ ସପ୍ଲାଇ କରନ୍ତି, ସେମାନଙ୍କସହ ମିଟିଂ କରାଯାଇ କାର୍ଯ୍ୟ ପନ୍ଥା ଗ୍ରହଣ କରାଯାଇଛି। କିଛି ସର୍ତ୍ତ ରଖାଯାଇଛି ବେଙ୍ଗମାନଙ୍କ ଯୋଗ୍ୟତା ଉପରେ, ଯଥା ସେମାନେ ଓଡିଆରେ ବୋବାଳି ଛାଡ଼ିବା ଜାଣି ଥିବା ଆବଶ୍ୟକ। ମହିଳା ବେଙ୍ଗମାନେ ସିନ୍ଦୁର କଜଳ ଲଗାଇ ବିବାହ ମଣ୍ଡପରେ ମଥାନତ କରି ବସି ରହିବା ଆବଶ୍ୟକ ଯେ ପର୍ଯ୍ୟନ୍ତ ପୂରୋହିତଙ୍କ ସିଗ୍ନାଲ୍ ନ ଆସିଛି ଡେଇଁବା, ବୋବାଳି ଛାଡ଼ିବା ମନା।
ଶହେ ପାଖାପାଖି ଦରଖାସ୍ତ ଆସିଛି ସମସ୍ତ ବିଜ୍ଞାନ କଲେଜର ସ୍ପେସିମେନ୍ କଲେକ୍ଟରଙ୍କଠାରୁ। ଅଭୟ ଦାଶ ଓରଫ ସ୍ବାମୀ ଅଭୟାନନ୍ଦ ଏ ବିଷୟରେ କିଛି ନକହି, ଭବିଷ୍ୟତ ରାଜନୈତିକ ପାଣିପାଗକୁ ଲକ୍ଷ୍ୟ ରଖି ଚୁପ୍ ଥିବା ଜଣାଯାଏ।
ବହୁତ ବଢିଆ
ସ୍ବାମୀ ଅଭୟାନନ୍ଦ ରିସର୍ଚ୍ଚ ଫାଉଣ୍ଡେସନ ଆଗକୁ ମାଡ଼ି ଚାଲୁ…. ବେଙ୍ଗ ରାଜନୀତି ଦେଶକୁ କୁଆଡ଼େ ନେଉଛି ଦେଖିବା ଯାହା ବାକି ରହିଲା…
ଭାଇନା, ବହୁତ ଭଲ ଲାଗିଲା। ୟୁଗୋପଯୋଗୀ ହୋଇଛି। ଆପଣଙ୍କ ରିସର୍ଚ୍ଚରୁ ଆହୁରି ବହୁତ କିଛି ନୂଆର ପ୍ରତୀକ୍ଷା ରଖିଛି।
ନମସ୍କାର
ନମସ୍କାର । ରାଜନେତାମାନଙ୍କର ଚରିତ୍ରର ସଠିକ୍ ବର୍ଣ୍ଣନା , ଟିକିଏ ବି ଏପଟ ସେପଟ ନାହିଁ । ସୁନ୍ଦର
🙏beautiful message