ଭାଷାକୁ କ’ଣ କିଏ ଭୟ କରେ? ନୂଆ ଅକ୍ଷର ଶିଖାଳି ଚାଟଶାଳୀର ପିଲାଏ ହୁଏତ ଭୟ କରୁଥାଇପାରନ୍ତି କିଛି ମାତ୍ରାରେ; କିନ୍ତୁ ଆମ ବୟସ୍କ ବିଚାରବନ୍ତମାନେ ମଧ୍ୟ ବିଚରା ଓଡ଼ିଆ ଭାଷାଟିକୁ ଏତେ ଭୟ କରିବାର କାରଣ କ’ଣ?
ଭୟ ନ ଥିଲେ, ଆଜି ଏକ ଭାଷାଭିତ୍ତିକ ରାଜ୍ୟ ଭାବରେ ଓଡ଼ିଶା ପ୍ରଦେଶ ଗଠିତ ହେବାର ୮୮ ବର୍ଷ ପରେ ମଧ୍ୟ ଓଡ଼ିଆ ଭାଷାକୁ ସରକାରୀ ଭାଷା ଭାବରେ ଲାଗୁ ହେବା ପାଇଁ ଏତେ ପ୍ରତିବନ୍ଧକ ଦିଶି ନ ଥାଆନ୍ତା। ଭୟ ନ ଥିଲେ, ଜଣେ ପ୍ରାକ୍ତନ ମୁଖ୍ୟମନ୍ତ୍ରୀ ଦୀର୍ଘ ଚବିଶ ବର୍ଷ କାଳ ଆମ ରାଜ୍ୟର ଶାସନ ଡୋର ସମ୍ଭାଳିଥିଲେ ହେଁ ଓଡ଼ିଆ ଭାଷା ନ ଶିଖି ରହିପାରି ନ ଥାଆନ୍ତେ। ଭୟ ନ ଥିଲେ, ସୁଭାଷ ପଟ୍ଟନାୟକଙ୍କ ଭଳି ଜଣେ ବର୍ଷୀୟାନ ଭାଷା-ଯୋଦ୍ଧାଙ୍କ ନେତୃତ୍ୱରେ ଚାଲିଥିବା ଓଡ଼ିଆ ଭାଷା ଆନ୍ଦୋଳନକୁ ଭାଙ୍ଗିଦେବାକୁ ପୂର୍ବ ସରକାରର କିଛି ନ୍ୟସ୍ତସ୍ୱାର୍ଥ ଅଧିକାରୀ ସରକାରୀ ରାଜକୋଷରୁ ବିପୁଳ ଅର୍ଥଶ୍ରାଦ୍ଧ କରି ସେହି ଆନ୍ଦୋଳନର କିଛି ସକ୍ରିୟ କର୍ମୀଙ୍କୁ ହାତବାରିସୀ କରି ନ ଥାଆନ୍ତେ। ଭୟ ଥିଲା, କାଳେ ସେହି ଆନ୍ଦୋଳନ ଏକ ବିଶାଳ ରୂପ ନେଇ ରାଜ୍ୟର ସରକାରୀ ତନ୍ତ୍ରରେ ଓଡ଼ିଆ ଭାଷା ଲାଗୁ କରିବାକୁ ସରକାରଙ୍କୁ ବାଧ୍ୟ କରିବ। ସୁଭାଷ ଚନ୍ଦ୍ର ପଟ୍ଟନାୟକଙ୍କ ଦ୍ୱାରା ପ୍ରଣୀତ ‘ଦାନାର ତୋବଡ଼ା’ ପୁସ୍ତକରୁ ଏମିତି ଏକ ଅପଚେଷ୍ଟାର ବୃତ୍ତାନ୍ତ ମିଳେ।
ଆମ ରାଜ୍ୟର ଇତିହାସକୁ ଦେଖିଲେ ମଧ୍ୟ ଜଣାଯାଏ ଯେ ୧୯୫୨ରେ ଯେତେବେଳେ ନବକୃଷ୍ଣ ଚୌଧୁରୀ ମୁଖ୍ୟମନ୍ତ୍ରୀ ଭାବରେ ଦାୟିତ୍ୱ ନେଲେ ସେ ଗୋଟିଏ ଭାଷା ଆଇନର ଚିଠା ପ୍ରଣୟନ ପାଇଁ ତତ୍କାଳୀନ ମୁଖ୍ୟ ସଚିବଙ୍କୁ ନିର୍ଦ୍ଦେଶ ଦେବା ସତ୍ତ୍ୱେ ସେ ମହାଶୟ ଏହା ପ୍ରସ୍ତୁତ କଲେ ନାହିଁ। କାରଣ ସେତେବେଳେ ଅମଲାତନ୍ତ୍ରର ଉଚ୍ଚ ଅଧିକାରୀମାନେ ଭୟ କରୁଥିଲେ ଯେ ସେମାନେ ଓଡ଼ିଆ ଭାଷାରେ କାମ କରିପାରିବେ ନାହିଁ। ଏମାନଙ୍କ ଦାଉରେ ତଥା ଅନ୍ୟାନ୍ୟ କେତେକ କାରଣରୁ ଅତିଷ୍ଠ ହୋଇ ନବକୃଷ୍ଣ ଚୌଧୁରୀ ୧୯୫୪ ମସିହାରେ ଇସ୍ତଫା ଦେଇଦେଲେ; କିନ୍ତୁ ତାହା ପୂର୍ବରୁ କୌଣସିମତେ ଭାଷା ଆଇନଟିଏ ଅନୁମୋଦିତ କରାଇନେଲେ। ଅଥଚ ପରବର୍ତ୍ତୀ ସମୟରେ ବିଜୁ ପଟ୍ଟନାୟକ ଯେତେବେଳେ ଓଡ଼ିଶାର ମୁଖ୍ୟମନ୍ତ୍ରୀ ହେଲେ, ସେ ୧୯୬୩ ମସିହାରେ ଭାଷା ଆଇନରେ ଏକ ସଂଶୋଧନ ଆଣି ଏହାକୁ ଏଭଳି ହାଲୁକା କରିଦେଲେ ଯେ ଇଂରାଜୀ ଭାଷାରେ ରାଜକାର୍ଯ୍ୟ ଚାଲିବାର ବାଟ ସୁଗମ ହୋଇଗଲା। ସେହିପରି ଗତ ରାଜ୍ୟ ସରକାରଙ୍କ ଅମଳରେ ଜାରି କରାଯାଇଥିବା ଓଡ଼ିଆ ସରକାରୀ ଭାଷା (ସଂଶୋଧନ) ବିଧେୟକ, ୨୦୧୮ରେ ଚତୁରତାପୂର୍ବକ ଓଡ଼ିଆ ଭାଷା ବ୍ୟବହାର କରୁ ନ ଥିବା ଅଧିକାରୀମାନଙ୍କ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନର ପ୍ରାବଧାନକୁ ଟାଳି ଦିଆଗଲା।
ଆଶ୍ୱାସନାର କଥା, ଚଳିତ ବର୍ଷ ଏକ ନୂଆ ସରକାର ରାଜ୍ୟର ଶାସନ ଡୋର ସମ୍ଭାଳିବା ପରେ ଘୋଷଣା କରିଛନ୍ତି ଯେ ଓଡ଼ିଆ ଭାଷାରେ ସମସ୍ତ ସରକାରୀ କାର୍ଯ୍ୟ କରିବା ପାଇଁ ବିହିତ ପଦକ୍ଷେପ ନିଆଯିବ। ଏହାର ପ୍ରସ୍ତୁତି ସ୍ୱରୂପ ଓଡ଼ିଆ ମାଧ୍ୟମରେ କାର୍ଯ୍ୟ କରିବା ପାଇଁ ସରକାରୀ କର୍ମଚାରୀମାନଙ୍କର ଯେଉଁ ତାଲିମ କାର୍ଯ୍ୟକ୍ରମ ଆରମ୍ଭ ହୋଇଯାଇଛି, ସେଥିରେ ବ୍ୟବହୃତ ହେଉଥିବା ‘ପ୍ରଶାସନ ଶବ୍ଦକୋଷ’ରେ ଇଂରାଜୀ ଶବ୍ଦମାନଙ୍କର ଏଭଳି କିଛି ଓଡ଼ିଆ ପ୍ରତିଶବ୍ଦ ଅଛି, ଯାହା ହୁଏତ ଏହି ଭାଷାରେ କାର୍ଯ୍ୟ କରିବାକୁ କର୍ମଚାରୀମାନଙ୍କୁ ପୁଣି ଭୟଭୀତ କରିବ। ଏଣୁ ପ୍ରଥମ ପର୍ଯ୍ୟାୟରେ ସହଜରେ ଓଡ଼ିଆ ପ୍ରତିଶବ୍ଦ ଉପଲବ୍ଧ ହେଉ ନ ଥିବା କିଛି ଇଂରାଜୀ ଶବ୍ଦମାନଙ୍କୁ ଓଡ଼ିଆ ଲିପିରେ ଯଥାବତ୍ ଲେଖିବା ପାଇଁ କର୍ମଚାରୀମାନଙ୍କୁ ସ୍ୱାଧୀନତା ଦିଆଯାଉ, ଯାହା ଫଳରେ ଏହି ଭୟ କିଛି ମାତ୍ରାରେ ଲାଘବ ହୋଇପାରିବ।
ନିହାର ଶତପଥୀ
(‘ସାହିତ୍ୟ ଚର୍ଚ୍ଚା’ ପତ୍ରିକାର ସେପ୍ଟେମ୍ବର , ୨୦୨୪ ସଂଖ୍ୟାରେ ପ୍ରକାଶିତ। )
ସଂପୂର୍ଣ୍ଣ ସତ କଥା ସମ୍ପାଦକୀୟରେ କୁହାଯାଇଛି।
ସଂପାଦକୀୟଟି ବିଶଦ ଆଲୋଚନାର ଅପେକ୍ଷା ରଖେ।
ଲେଖାଟିରେ ଦିଆଯାଇଥିବା ଘୂର୍ଣ୍ଣନ କଥାରୁ ମନେପଡ଼ିଲା ଅନେକ ବର୍ଷ ପୂର୍ବେ ଜଣେ ଅଣଓଡ଼ିଆ ଅଧିକାରୀଙ୍କ ଦ୍ୱାରା Please Deliver 10 quintals of sugar ର ଓଡ଼ିଆ ଦୟାକରି ୧୦ କୁଇଣ୍ଟାଲ ଚିନି ପ୍ରସବ କରନ୍ତୁ ପ୍ରସଙ୍ଗ। ଏହା ମଧ୍ୟ ଅନେକ ଆଲୋଚନାର ଅପେକ୍ଷା ରଖେ ବୋଲି ମୋର ମତ। ତେଣୁ ବରିଷ୍ଠ ତଥା ବିଶିଷ୍ଟ ଭାଷାବିତ୍ମାନେ ଚିନ୍ତା କରିବା ସହିତ କାର୍ଯ୍ୟ କରିବା ଆବଶ୍ୟକ ଯେ, କିପରି ଓଡ଼ିଆ ଭାଷାର ବ୍ୟବହାରକୁ ଅଧିକ ଲୋକାଭିମୁଖୀ ତଥା ସରଳ କରାଯାଇପାରିବ।
ଏଠାରେ ଆଉ ଏକ ପ୍ରସଙ୍ଗ ଉଲ୍ଲେଖ କରୁଛି। ପ୍ରାୟ ୧୯୯୯ ମସିହାରେ କଥା। ସେହି ସମୟରେ ଏକ ଦଳ ସହିତ ଆମେ ପଞ୍ଚାବର ଅମୃତସରରେ ଥିବା ସ୍ୱର୍ଣ୍ଣମନ୍ଦିର ଯାଇଥାଉ। ସେଠାରେ ଥିବା ଶିଖ୍ ଧର୍ମର ସର୍ବୋଚ୍ଚ ସଂସ୍ଥା SGPC ର କାର୍ଯ୍ୟାଳୟକୁ କିଛି ସମୟ ପାଇଁ ଯାଇଥିଲି। ସେହି ସମୟରେ SGPC ର କାର୍ଯ୍ୟାଳୟରେ ବ୍ୟବହୃତ କର୍ମଚାରୀଙ୍କ ଉପସ୍ଥାନ ଖାତା ଗୁରୁମୁଖୀ ଲିପି ଓ ପଞ୍ଜାବୀ ଭାଷାରେ ରହିଥିଲା। ଇତି ମଧ୍ୟରେ ୨୫ ବର୍ଷ ବିତି ସାରିଛି। ମୋର ଏହି ମତରୁ ସୁଧି ପାଠକେ ଅନେକ କଥା ବୁଝିଯିବେ ବୋଲି ବିଶ୍ୱାସ।