ରାଇଜସାରା ଅସ୍ମିତାକୁ ନେଇ ହଇଚଇ, ତୁମ୍ବିତୋଫାନ, କଥା କଟାକଟି, ଯୁକ୍ତି ତରକ।
ଅସ୍ମିତା ମଳୟ ବହିଲା, ଖୋଲେ କେତେ ସେଣ୍ଟର,
ଘଣ୍ଟୁ ଘଟାଇବ ଘଟଣା, ଘାଣ୍ଟିହୁଏ ଅନ୍ତର।
ପରିବାର, ଗାଆଁ, ୱାର୍ଡ, ସାଇ, ବସ୍ତି, ବ୍ଲକ, ତହସିଲ, ଜିଲ୍ଲା ବା ରାଇଜ – ସବୁଆଡ଼େ ଘଣ୍ଟୁର ଛଉକା ନିଘା। ଦି’ ଆଖିରୁ ଏକ୍ସଟ୍ରା ନୟନ ତା’ର, ଦି’ କାନ ତା’ର ଷଡ଼କାନ ପାଲଟିଯାଏ। କିଛି ଘଟଣା, ଅଘଟଣ ଘଟି, ପରଦାକୁ ଆସିବା ବେଳକୁ, ଘଣ୍ଟୁ ତା’ର ଆଡଭାନ୍ସ କାମ ଆରମ୍ଭ କରିନେଇଥାଏ। ଖବରକାଗଜ, ଟି.ଭି., ସ୍ମାର୍ଟଫୋନ୍ – ଯୁଆଡ଼େ ଦେଖିବ ଅସ୍ମିତା ହୁରି। କେତେ କେତେ ବଡ଼ ମୁଣ୍ଡିଆଙ୍କର ଅତି ବଡ଼ ବଡ଼, ମଝଲା ମୁଣ୍ଡିଆଙ୍କର ମଝଲା ସାଇଜ୍ ବଡ଼, ତଳତଳିଆଙ୍କ ସାଧାରଣ ଆଲୋଚନା। ଘରଠୁ ପଦା ଯାଏ – ସବୁଆଡ଼େ ଅସ୍ମିତାକୁ ନେଇ ବାନା ଉଡ଼ାଣ, ଏଇ ଅସ୍ମିତା ଘୋଓକୁ ହେଜିଲା ଘଣ୍ଟୁ। ଭାବୁଥିଲା ଝିଅଟିର ନାଆଁ ଅସ୍ମିତା, ସେ କ’ଣ ଏମିତି କାଣ୍ଡ କାରଖାନା କଲା ଯେ, ତା’ ନାଆଁ ଖାଲି ରାଇଜ ସାରା ଉଠୁଛି ପଡ଼ୁଚି।
ନାଗୁଆ ଶିଷ୍ୟ
ବାଙ୍କା ପଣ୍ଡିତଙ୍କର ଘଣ୍ଟୁ ହେଲା ନାଗୁଆ ଶିଷ୍ୟ। ଶ୍ରେଣୀ ଛାଡ଼ିବା ପରେ କେହି ବି ବାଙ୍କା ପଣ୍ଡିତଙ୍କ ପାଖ ମାଡ଼ନ୍ତି ନାହିଁ, ଭୟରେ ନୁହେଁ, ତାଙ୍କ ହାବୁଡ଼େ ପଡ଼ିଲେ ଅତଳରେ ପଡ଼ିବା ଭଳି ଲାଗେ। ତାଙ୍କ ଦେହସାରା ବ୍ୟାକରଣ ଟାଙ୍କ ମରା ହେଇ ଝଳେଇ ହେଇଛି। ଦିନେ ଚୁଡ଼ାଭଜା ବିକ୍ରି କରୁଥିବା କେଉଟୁଣୀ ତାଙ୍କ ଦାଣ୍ଡରେ ଡାକ ଛାଡ଼ିଲା – “ଚୁଡ଼ା ଭଜା ନବ ଚୁଡ଼ା ଭଜା”- ଭୋକରେ ଥିବା ବାଙ୍କା ପଣ୍ଡିତେ ଚିହିଁକି ଉଠି, ଡାକ ପକାଇଲେ – “ଆହେ କୈବର୍ତ୍ତର ମଣି! ଏତେ ତ୍ରୁଟି ତମର। ଜୀବନରେ ବ୍ୟାକରଣ ପାର୍ଶ୍ଵ ସ୍ପର୍ଶ କରିନାହଁ? ଭଜା ହୋଇଥିବା ଚୁଡ଼ା – ‘ଚୁଡ଼ାଭଜା’ ନୁହେଁ, ‘ଭଜାଚୁଡ଼ା’ ହେବ ବ୍ୟାକରଣ ଅନୁସାରେ।” କେଉଟୁଣୀ ବ୍ୟାକରଣ କ’ଣ ବୁଝିବ, କହିଲା – “ହଇୟେ ବୁଢ଼ା ଭାକୁଡ଼ା! କେତେ ଫନ୍ଦିରେ କଥା କହୁଛ ହେ?” ତତ୍କ୍ଷଣାତ୍ ସେ ଦାଣ୍ଡେ ଦାଣ୍ଡେ ଦାଣ୍ଡିଆ ମାରିଲା; ଭୋକରେ ରହିଲେ ପଣ୍ଡିତେ। ତା’ଙ୍କୁ ଅସ୍ମିତା ଅର୍ଥ ପଚାରିଲା ଘଣ୍ଟୁ। ପଣ୍ଡିତେ ଅତି ପ୍ରେମରେ କହିଲେ – “ବତ୍ସ! ତୁମେ ହିଁ ବିଦ୍ୟାଗ୍ରହୀ। ଶ୍ରେଣୀବିଚ୍ୟୁତ ହେବା ପରେ ବି, ତମେ ନିୟମିତଃ ମଦୀୟ ସାହାଯ୍ୟ ଗ୍ରହଣ କରିଆସୁଚ। ତେବେ ଅସ୍ମିତା – ହେଉଛି – ‘ଅସ୍ମିତ-ତା’ ଅର୍ଥାତ୍ ଅହଂଜ୍ଞାନ।” ଘଣ୍ଟୁ ପୁନଶ୍ଚ ପ୍ରଶ୍ନ କଲା – “ମହାଶୟ! ଆଳୟ ଅର୍ଥ କ’ଣ?” ବାଙ୍କା ପଣ୍ଡିତେ ତ ନିଜେ ଚଳନ୍ତା ଅଭିଧାନ। ସଙ୍ଗେ ସଙ୍ଗେ ଉତ୍ତର ଦେଲେ – “ଆ-ଲୀ-ଅ ଅର୍ଥାତ୍ ବାସସ୍ଥାନ।”
ପଣ୍ଡିତଙ୍କ ପାଖରୁ ଏସବୁ ଜାଣିବା ପରେ ଘଣ୍ଟୁ ମନ ଭିତରେ ଘଣ୍ଟାଚକଟା ଲାଗିଲା। ସନ୍ଦେହ ପାଣିରେ ଘାଣ୍ଟି ହେଲା ସେ। କହିଲା ବଅସ ବଢ଼ିବାରୁ ପଣ୍ଡିତଙ୍କ ହାର୍ଡ଼ଡିସ୍କ ଜାମ ହେଇଗଲାଣି, ଏତେ ଷ୍ଟୋରେଜ୍ କେମିତି ହେବ ଯେ! ଆଳୟ କଥା ମନକୁ ପାଇ ନ ପାଇଲା ଭଳିଆ ହେଲା। ରାଇଜରେ କାର୍ଯ୍ୟାଳୟ, ଭାର୍ଯ୍ୟାଳୟ, ଶୌଚାଳୟ, ସଚିବାଳୟ, ମାତୁଳାଳୟ, ଦେବାଳୟ, ଏମିତି କେତେ କେତେ ଆଳୟ। ସବୁ କ’ଣ ଘର? ଭାର୍ଯ୍ୟାଳୟ ସ୍ତ୍ରୀ ଘର, ଶ୍ୱଶୁରାଳୟ ଶଶୁରଘର, ମାତୁଳାଳୟ, ମାମୁଘର – ଏମିତି ଚଳିବ। ଶୌଚାଳୟ କ’ଣ ରହିବା ଥାନ, ଘର କେମିତି ହେବ? ଠାକୁର ତ ସବୁଠି, ଦେବାଳୟ କେମିତି ତାଙ୍କ ଘର ହେବ। ସଚିବାଳୟରେ କ’ଣ ସଚିବମାନେ ଘର ଭଳି ରହନ୍ତି – ସେଇଟା ସଚିବାଳୟ କେମିତି ହେବ ଯେ?
ଅସ୍ମିତା କଥା କାହା କାହାଠାରୁ ବାରବାର ବୁଝାବୁଝି କରି ଜାଇଁଲା ଯେ, ଏଇଟା ଖାଲି ଅହଂକାର ହେବନି। ଆମେ ଅଛୁ – ଆମେ ଥିଲୁ ଏସବୁ ଆମ ଥାଇତାପଣ, ଆକୁ ଉଖାରି ନିଖାରି ଠିଆ କରାଇବା ତ ଅସ୍ମିତା ହବ ବୋଲି ବି ଶୁଣିଲା। ଆମର ପୂର୍ବ ପୁରୁଷେ ଗଙ୍ଗାରୁ ଗୋଦାବରୀ ଯାଏ ରାଜପଣ କରୁଥିଲେ, ବେପାର ବଣିଜ କରି ସୁନା, ହୀରା, ନୀଳା ବୋହି ଆଣୁଥିଲେ। ତାଙ୍କୁ ବଡ଼ କରି ଦେଖାଇବା ତ ଆମ ଥିଲାପଣ। ରାତିଦିନ ଚିନ୍ତାର ଚବିଶି ପହର କରି, କହିଲା ଦିଇଟା ଶବଦକୁ ଯୋଡି ଦେଲେ ନୂଆଟିଏ ମିଳିବ – ଅସ୍ମିତା+ଆଳୟ = ‘ଅସ୍ମିତାଳୟ’। ଅହଂକାର ଘର, ଅତୀତ ଘଟଣାର ଘର। ଏମିତି କେତେ କ’ଣ ଭାବିନେଲା।
ଅସ୍ମିତାକୁ ନେଇ ହଇଚଇ
ରାଇଜସାରା ଅସ୍ମିତାକୁ ନେଇ ହଇଚଇ, ତୁମ୍ବିତୋଫାନ, କଥା କଟାକଟି, ଯୁକ୍ତି ତରକ। କିନ୍ତୁ ଏସବୁ ଏକାଠି ଘାଣ୍ଟିଘୁଣ୍ଟି ଦେଲେ ଗାଏମୋଟ ଲହୁଣି ହେଲା ଆମ ପୁରୁଣା ଜିନିଷର ଥାଇତାପଣକୁ ଯେମନ୍ତ ପ୍ରକାରେ ହେଲେ ଷ୍ଟାମ୍ପ୍ ମରାଇବା। କେତେକେତେ ଗୋବେଷିକିଆଙ୍କ ଉର୍ବର ମଥାରୁ ବାହାରିଲା କେତେ କେତେ କଥା। କିଏ କିଏ କହିଲେ ଆମର ବୋପା ଅଜା ସାତପୁରୁଷ ଅମଳର ପୁରୁଣା ପୋଥିପତ୍ର ସାଉଁଟା ହେବ, ସେଥିରେ ଅଛି ଅତୀତର ଗଦା ଗଦା ଜ୍ଞାନ, ପେଡ଼ିପେଡ଼ି ନଲେଜ୍, ଟ୍ରକ୍ ଟ୍ରକ୍ ବିଦ୍ୟା। ଏସବୁ ସାଉଁଟି ଆଣି ପହିଲେ ଗୋଟାଏ ବଡ଼ ଘରେ ଗଦେଇ ଦେବାକୁ ହେବ। ଷ୍ଟାମ୍ପ୍ଦିଆ ପାଠୁଆ ପାଠୋଈଙ୍କୁ ବଛାବଛି କରି କମିଟି ଗଢ଼ାହେବ। ଏଇଠାରେ ସେମାନେ ଅତୀତର ପୋଥିପୁରାଣରୁ ଜ୍ଞାନ ରତ୍ନ ଉଦ୍ଧାରିବେ, ଶଙ୍ଖାସୁର ବେଦ ଉଦ୍ଧାର କଲା ଭଳିଆ ଘଟଣା ହେବ। ୟା ସାଙ୍ଗରେ ବି ପୁରୁଣା ବହି ପାଣ୍ଡୁଲିପିମାନ ଦରଣ୍ଡା ଦରଣ୍ଡି କରାଯିବ।
ଘଣ୍ଟୁ ମନକୁ ଘାଇଲା କଲା ଏମନ୍ତ କାମ। ଭାବିଲା ପାଣ୍ଡୁଲିପି ପଛକଥା, ପୁରୁଣା ପୋଥି ଆଉ ପୁରୁଣା ବହିମାନ ଓ ଯୋଗାଡ଼ କରିହେବ। ଘରପୋଡ଼ିର ନିଆଁ ଭଳିଆ, ଚାଏଁକିନା ଘଣ୍ଟୁ ମଗଜରେ ଆଇଡିଆ ନିଆଁ ଚର୍ ଚର୍ ହେଇ ହୁତ୍ହୁତ୍ ହେଲା। କେତେ ଜାଗା ବୁଲି ପୁରୁଣା ପୋଥି ହାତେଇବ, କାହା କାହା ପାଖରେ ପୋଥି ଥିବ – ଏମନ୍ତ କାମ ପାଇଁ ପୋଥି ଦବ କିଏ? ଘରେ ରୋଷେଇବାସ ନ କରି ନିତ୍ୟବଜାର ବୁଲୁଣୀ ମାଇକିନା, ରାସ୍ତାକଡ଼ର ଠେଲାଗାଡ଼ିରୁ ଫାଷ୍ଟଫୁଡ୍କୁ ତଣ୍ଟିଯାଏ ଗିଳିଲା ଭଳିଆ, ଘଣ୍ଟୁ ପୋଥି ଦରଣ୍ଡା ଦରଣ୍ଡି କଥାଟାକୁ ଉଡ଼େଇଦେଲା। ପୁରୁଣା ପୋଥି ସାଉଁଟିବାଠାରୁ ନୂଆପୋଥିକୁ ପୁରୁଣା କରିଦେଲେ ତ ଚଳନ୍ତା। ମତଲବକୁ ଶହେ ଶହେରେ ସଫଳ କରିବାକୁ ଘଣ୍ଟୁ ସହର ଛାଡ଼ି ଗାଆଁ ଆଡେ ମୁହାଁଇଲା। ତାଙ୍କ ବାଡ଼ିରେ ଫାଳରଟାରେ ବଡ଼ ଛୋଟ ବହୁ ତାଳଗଛ। ଲୋକ ଲଗେଇ ତାଳଗଛଗୁଡିକରୁ ବାହୁଙ୍ଗା କଟେଇଲା। ବରଡ଼ା ସଂଗ୍ରହ ହେଲା ପରେ ତାକୁ ବିଡ଼ା ବିଡ଼ା କରି ପଙ୍କରେ ପୋତା କରେଇଲା। ଏକ ମାସ ପରେ ପଙ୍କ ପୋତା ବରଡ଼ାକୁ ଆଣି କଞ୍ଚା ଗୋବରରେ ଉବୁଟୁବୁ କରେଇ ପକ୍ଷେ ଦି’ ପକ୍ଷ ରଖିଲା। ତାକୁ ଉଦ୍ଧାର କରିବା ପରେ ବଢ଼େଇ ପାଖକୁ ଯାଇ ପତଳା ପତଳା ପଟାମାନ କଟେଇଲା। ପୋଥି ପତ୍ର ପ୍ରକାରେ ବରଡ଼ାତକ କଟେଇ, ଦି’ପାଖରେ ସରୁପଟା ଯୋଡ଼ି, କଣା କରି, ଅତି ମାଟିଆ ସୂତାରେ ବନ୍ଧା କରେଇଲା।
ଗାଁ ଭାଗବତ ଘରକୁ କିଲାବ ଟୋକାଏ ଉଜାଡ଼ି ଦେଇ ତାସ୍, କ୍ୟାରମ୍ ମୋବାଇଲ୍ ଗେମ୍ ପାରାୟଣ କଲେଣି। ଗୋଟାଏ କଣରେ ଗୋଟାଏ ଉଇଭୁକ୍ତ ଦଦରା ବିମାନରେ ଦୁଇଚାରି ପୋଥିକୁ ସବୁରି ଅଜଣାରେ ହାତେଇ ନେଲା। ତା’ର ଚର ଅନୁଚର ଲଗେଇ ତାଙ୍କ ଆଖପାଖ ଅଞ୍ଚଳର ମୁରୁକୁଟିଆ, ଦଦରା ଭାଗବତ ଚାଳିଆଗୁଡ଼ିକରୁ କେତେ ପୋଥି ବି ହାତେଇଲା। କିଳାବ ମୁଖିଆଙ୍କୁ ନାଲିପାଣି ଆଉ ଚାଖେଣା ଖର୍ଚ୍ଚା କିଛିଦେଇ, ପୋଥି ହାତେଇବା ପରେ ଗାଡ଼ିରେ ଲଦି ଏକମୁହାଁ ହେଇ ରାଜଧାନୀରେ କ୍ଷୀପ୍ର ପ୍ରବେଶ କଲା। ମାଟି, ଗୋବର ଲଗେଇ ନୂଆ ବରଡ଼ା ପୋଥି ସହ କୀଟଖିଆ ପୁରୁଣା ପୋଥିକୁ ଫେଣ୍ଟାଫେଣ୍ଟି କରି ସାଇତିଲା। ନୂଆକୁ ପୁରୁଣା କରି ଦେଖାଇବାରେ ଘଣ୍ଟୁର ବୈଜ୍ଞାନିକ ବୁଦ୍ଧି କାମ ଦେଲା। ଏକାଠି କରିଥିବା ପୋଥିରୁ ସତପୁରୁଣା ଓ ନୂଆ ଭାବେ ମିଛପୁରୁଣା କରାଯାଇଥିବା ବିଡ଼ାକୁ ଚିହ୍ନଟ କରିବା ହେଲା କାଠିକର ପାଠ।
ବସାଘର ଆଗରେ ଗୋଟାଏ ବ୍ୟାନର୍ ଟଙ୍ଗେଇ ଦେଲା। ଲେଖାଥିଲା – ‘ଅସ୍ମିତାଳୟ’ – ତଳେ ଲେଖାଥିଲା – ସବୁ ପ୍ରକାରର ମୂଲ୍ୟବାନ୍ ପୁରୁଣା ପୋଥି ଓ ଅମୂଲ୍ୟ ଗ୍ରନ୍ଥର ଗନ୍ତାଘର ଓ ଗବେଷଣା କେନ୍ଦ୍ର। ତଳେ ନିଜର କାନଫୁଙ୍କା ନମ୍ବର। ଲୋକଙ୍କ ଆଖି ପଡ଼ିବା ମାତ୍ରେ ଘଣ୍ଟୁଙ୍କ ଗୋବେଷଣା କେନ୍ଦ୍ରର ପ୍ରଚାର ହୁରସ୍ତ ସୁନାମି ଭଳି ମାଡ଼ିଲା। ସ୍ମାର୍ଟଫୋନ୍ରେ ସବୁ ଭାଇରାଲ୍ ହେବା ବା କେତେ ଡେରି? ଇଏ ରାଜଧାନୀ ବା, ଏଠି ସବୁ ପ୍ରକାରର ହଟଚମଟ ଚଳେ, ବ୍ୟାପିଯାଏ ଯୋଜନ ଯୋଜନ, ତୁଣ୍ଡବାଇଦ ତ ସହସ୍ର ସହସ୍ର ଯୋଜନ ବିସ୍ତାରିତ ହେଇଯାଏ। ଏଠି କାଉ ଉଡ଼ିଗଲେ ହେଲିକ୍ୟାପ୍ଟର୍ ଖସିଲା ବୋଲି ପ୍ରଚାର ହେଇଯାଏ। ୟୁଟ୍ୟୁବ୍ ଏଥିକି ଖୋରାକ ଯୋଗାଏ, ଅତିନିଷ୍ଠାରେ। ଦଳେ କୋଢ଼ିଆ କୋଢ଼ିଆଣୀ ହ୍ୱାଟ୍ସଆପ୍ କେଞ୍ଚି କେଞ୍ଚି ଫୋନ୍ ଉଠା ଖବରଗୁଡ଼ିକୁ ପବନେ ପବନେ ଉଡ଼ାନ୍ତି। ‘ଶତାୟୁଙ୍କର ସନ୍ତାନପ୍ରସବ’, ‘ଭୂଇଁରେ ନ ପଡୁଣୁ ନବଜାତକର ବେଦପାଠ’, ‘ଜଳହସ୍ତୀର ଚା’ ପାନ’, ‘ବିରାଡ଼ି ପାଟିରୁ ସିଗାରେଟ ଧୂଆଁ’, ‘ଝିଟିପିଟିର ଝାକାସ୍ ଆର୍କେଷ୍ଟ୍ରା’, ‘ଷଣ୍ଢର ବ୍ୟାଟିଂରେ ଛକା ବର୍ଷା’ – ଏମିତି ନାନା କିସମର କୋଟିଂକାରୀ ଉଡାଣଛୁ ଖବର।
ସିଜିନ୍ ବେପାର
ଘଣ୍ଟୁର ଅସ୍ମିତାଳୟ ଖବର ତ ଏକ ପ୍ରକାରର ସିଜିନ୍ ବେପାର। ଦୋଳବେଳକୁ ଅବିର, ରଙ୍ଗ, ପିଚକାରି ଦୋକାନ, ଗହ୍ମାପୂନେଇଁ ବେଳକୁ ରାଖୀ ବେପାର, ସାବିତ୍ରୀ ଅମେଇସା ବେଳକୁ ଫଳମୂଳ ବେପାର ଭଳିଆ ଘଣ୍ଟୁ ଜଣେ ନାଉଆଁ ସିଜିନ୍ବେପାରୀ। ଦେଖିଲା ଅସ୍ମିତା ଖେଳଟା ଜମିଆସିବ ଏଣିକି। ସରକାରୀ ଘୋଷଣା ପରେ ଏଇଟା ଏକଦମ୍ ତାଉ ଧରିଛି ବେସରକାରୀ ବୁଦ୍ଦୁମାନେ ନାନା ଖବରକାଗଜରେ ଅସ୍ମିତା ବାନ୍ତି କରୁଛନ୍ତି। ପୁରାଣର କୋକୁଆ ଭଳିଆ, କେହି କେହି ଏହାର ଯମକ ବ ବଖାଣୁଛନ୍ତି। କେହି କେହି ସଭା କରି, ଅସ୍ମିତା ଦେଖାଇବେ ବୋଲି ଶ୍ରୋତାଙ୍କୁ ଡକେଇ ଅସ୍ମିତା ବାନ୍ତି କରୁଛନ୍ତି। ଘଣ୍ଟୁର ଏମନ୍ତ ‘ଅସ୍ମିତାଳୟ’- ଖବର ଜାଣି କେତେ ବେସରକାରୀ ଭାଟ, କେତେ ଅର୍ଦ୍ଧସରକାରୀ ଟରଣୀ, କେତେ ଉପସରକାରୀ ବାବୁ, କେତେ ପାଖୁଆ ସରକାରୀ ବାବୁ ବାବୁଆଣୀମାନେ ଘଣ୍ଟୁ ସହିତ ଏ ବିଷୟରେ କାନଫୁଙ୍କାରେ କଥା ହେଇସାରିଲେଣି। ମାଛ ଦେଖାଇ ପୋଖରୀ ନ ଦେଖାଇବା ତରିକା ଛଉକା ଲୋକଙ୍କ କାଣ୍ଡ। ଘଣ୍ଟୁ ସେମାନଙ୍କଠାରୁ ଆଉ ପାଦେ ଆଗରେ। ଦେଖାଇବା କଥା ମିଛ, ମାଛ କଥା ବଖାଣି କରି ଗୋବେଷିକିଆମାନଙ୍କୁ ଖାଳେଇରେ ପୂରାଇବାକୁ କେତେ ଫିକର ଭେଇଲାଣି ଘଣ୍ଟୁ। ଅତି ଉଚ୍ଛନିଆଁ ଗରାଖଙ୍କ ଆକୁଳିଆ ପଣ ଦେଖି, ଦୋକାନୀ ଜିନିଷ ହାଇକ୍ କରି ରେଟ୍ ହାଇ କରିବା ଭଳିଆ ଘଣ୍ଟୁ ଲୋକଙ୍କୁ ବଡ଼ ବଡ଼ ଧାରଣା ଦେଇ ଝାଇଆଁ ଜଉତିଷ, ଧଇଆଁ ଗୁଣିଆ – ନିଜ ନିଜ ତୁଣ୍ଡରେ ନିଜ ବଡ଼ିମା ବଖାଣିବା ଭଳିଆ ବଖାଣିଲା ତା’ ଅସ୍ମିତାଳୟର ବିରାଟ ରତ୍ନଭଣ୍ଡାର କଥା। କେତେ ସଂସ୍କୃତି ଠିକାଦାର ଏ ଭଣ୍ଡାର ମାଲ ସମ୍ପର୍କରେ ମୂଲଚାଲ କଲେ। ଆଉ କେତେ କେତେ ସଂସ୍କୃତି ହୋଲସେଲ୍ର ଘଣ୍ଟୁଙ୍କ ସହ ଯୋଗାଯୋଗରେ ରହିଲେ। କାରଣ ସେମାନେ ଜାଣିଛନ୍ତି, ଏ ପୁରୁଣା ମାଲ ହଉଚି ଆଉ ବଡ଼ିମା। ବଡ଼ିମା କିଣିବାକୁ କେହି କେହି ହାତ ଖୋଲା ଖର୍ଚ୍ଚା ଦେବାକୁ ବି ରାଜି ହେଲେ।
ସେମାନେ ଡାଳରେ ଗଲେ, ଘଣ୍ଟୁ ପତରରେ ଯାଏ, ସେମାନେ ପତରରେ ଗଲେ ଘଣ୍ଟୁ ଶିରାରେ, ସେମାନେ ଶିରାରେ ଗଲେ ଘଣ୍ଟୁ ପ୍ରଶିରାରେ ଯାଆସ କରିବା ଲୋକ। ଗାଁ କୋଠପୋଖରୀ ନିଲାମ ହେବା ଭଳିଆ, ଗୋଟାଏ କାଇଦା ପକେଇଲା। ପୁରୁଣାପୋଥି ଆଉ ପୁରୁଣା ବହିର ସଂଖ୍ୟା ବି ଫୋନ୍ରେ ଜଣାଇଦେଲା। ଖଣ୍ଡେ ଖଣ୍ଡେ ଜମିକୁ ଆଠ ଦଶ ଲୋକଙ୍କୁ କବଲା କରିବା, ରାଜଧାନୀର ଫନ୍ଦି। ଏ ଜାଲ କ୍ଷେପିଲା ଘଣ୍ଟୁ। ହାରାହାରି ଆଠଜଣ ସଂସ୍କୃତିଆ, ଗୋବେଷକିଆଙ୍କୁ ମନାମନି କରି ନଗଦ ଗାନ୍ଧିମୁଣ୍ଡିଆମାନ ସଂଗ୍ରହ କରି, ଥାନା ଆଡେ ମୁହାଁଇଲା। ଠନ୍ ଠନ୍ ଗଣିଥିବାଲୋକେ ଠିକ୍ ସମୟରେ ଘଣ୍ଟୁ ଟଙ୍ଗେଇଥିବା ବ୍ୟାନର୍ ପାଖରେ ହାଉଯାଉ। ଠାଣିରେ ମାଣିରେ ଏକୁ ଆରେକ ବହକା, ମାତ୍ର ବାଣୀରେ ଘଣ୍ଟୁ ସେମାନଙ୍କୁ ପାଣି ତେଣ୍ଡେଇ ଦେଇଛି – ଏକଥା ସେମାନେ ଜାଣିବା ବେଳକୁ ଛୋଟ ଖଣ୍ଡେ ମହାଭାରତ ଆରମ୍ଭ ହେଇଗଲା। କୋଠ ପୋଖରୀରୁ ଯିଏ ଯେଉଁମାଛ ଧରିବା ଭଳିଆ; ଯାହା ହାତରେ ଯାହା ପଡ଼ିଲା ପୋଥି, ପୁରୁଣା ବହିମାନ ଝିଙ୍କାଝିଙ୍କି କରି ନେଇଗଲେ। ଅତି ଝାଗଡ଼ିଆ ବେଳକୁ ଦିଇଟା ତାମ୍ପେଡ଼ା କନିଷ୍ଟବଳ ଘନ ଘନ ହୁଇସିଲ୍ ମାରୁଥିଲେ। ଅସ୍ମିତାଳୟ ଲଙ୍କାପୁର ପାଲଟି ସାରିଥିଲା।
ଅସ୍ମିତା ଖୋଜଣା କାର୍ଯ୍ୟକ୍ରମ
ସରକାରୀ ସ୍ତରରେ ଅସ୍ମିତା ଖୋଜଣା କାର୍ଯ୍ୟକ୍ରମର ବିଜ୍ଞାପନ ବାହାରିବା ଦେଖି, ଅସ୍ମିତାଳୟରୁ ମାଲ ସଂଗ୍ରାହକମାନେ, ପୁରୁଣା ମାଲ ଯୋଗାଇ ଦେବାକୁ ଦରଖାସ୍ତ କଲେ। ସାଉଁଟିଥିବା ପୋଥିର ତାଲିକା କରି ନମ୍ବର ଚଢ଼େଇବା ବେଳକୁ ଜାଣିଲେ, ଅନେକ ପୋଥି ଭିତର ପୃଷ୍ଠା ସବୁ ଶୂନ୍ୟ। ଅକ୍ଷରଗୁଡା ଉଭାନ। ଏଗୁଡିକ ଘଣ୍ଟୁଙ୍କ ନଗଦିଆ ପତରରେ ପୁରୁଣା ପୋଥି ତିଆରି କାରନାମା। ପୁରୁଣା ବହି ବି ଯାହା ଦେଖିଲେ ହାପ୍ରେଟ୍ରେ ରାସ୍ତା କଡ଼ରେ ମିଳୁଥିବା ବହିରୁ କେତେ ଖଣ୍ଡ। ଦାଖଲ କରିବା ଦୂରେ ଥାଉ, ମୁଣ୍ଡ କୋଡ଼ି ହେଇ ସେମାନେ ଅସ୍ମିତା ଦରାଣ୍ଡୁଥିଲେ।
ଅତୀତ ଅସ୍ମିତା ଉଚ୍ଛବରେ କାନ୍ତକବି କଣ୍ଠକୁ ଆଇଥେଲେ, ଆଉ ଦି’ଚାରି ଦିନ ହେଇଥିଲେ, କଣ୍ଠରୁ କାନ୍ଧକୁ, କାନ୍ଧରୁ ଛାତିକୁ- ଏମିତି ହୁଏତ ଖସିଥାନ୍ତେ। ଭଲ ହେଇଛି, ଉଚ୍ଛବ ଆଉ ବଢ଼ିନାଇଁ।
ଲୋକେ ଅସ୍ମିତାମୁହାଁ ହେଲାବେଳକୁ, ଉଚ୍ଛବ ଆରମ୍ଭର ଅନେକ ପୂର୍ବରୁ ଘଣ୍ଟୁ, ଅସ୍ମିତାବିକା ଗାନ୍ଧିମୁଣ୍ଡିଆତକ ଗଣାଗଣି କରି, ଥଇଥାନ କରେଇବାକୁ ବ୍ୟାଙ୍କ୍ ଶାଖାକୁ ଧାଉଁଥିଲା। ତା ଚାମଚା ବେଲଚାମାନେ ଟଙ୍ଗା ହେଇଥିବା ବ୍ୟାନର୍ଟା ଉଲାରି ପକେଇଥିଲେ।
ଆଗାମୀ ବ୍ୟାନର୍ ଟଙ୍ଗେଇବା ପାଇଁ ଘଣ୍ଟୁକୁ ଫୋନ୍ କଲେ ବି ଫୋନ୍ଟା ବିଜି ଥିଲା।
(‘ସାହିତ୍ୟ ଚର୍ଚ୍ଚା’ ପତ୍ରିକାର ସେପ୍ଟେମ୍ବର, ୨୦୨୪ ସଂଖ୍ୟାରେ ପ୍ରକାଶିତ ଧାରାବାହିକ ବ୍ୟଙ୍ଗ, ‘ଘଣ୍ଟୁଆର ଘଣ୍ଟ-ଘଣ୍ଟା’ । )
ଓଡ଼ିଆ ଅସ୍ମିତା ଏବେ ଓଡ଼ିଶାରେ ମୁଖ୍ୟ ପ୍ରସଙ୍ଗ। ଏହା ଉପରେ ଲିଖିତ ଶ୍ରୀଯୁକ୍ତ ମିଶ୍ରଙ୍କ ବ୍ୟଙ୍ଗ ସୁନ୍ଦର ହୋଇଛି।
ଅସ୍ମିତା ଲଢେଇରେ ସାମିଲ ଡ. ଅଜୟ କୁମାର ମିଶ୍ର ।
ବହୁତ ବଡିଆ ।