କଲିଜା ଭିତରେ ତ ଥାଏ ହୃଦୟ। ତାକୁ ତ ଦେଖିହୁଏ ନାଇଁ; ଅନୁଭବ କରିହୁଏ।
ମଣିଷ କୁହ ବା ଯେତେ ଇତରଜୀବ ଜନ୍ତୁ ଅଛନ୍ତି; ସମସ୍ତଙ୍କ କଥା କୁହ – ସଭିଙ୍କ ଛାତି ତଳେ ଅଛି କଲିଜା। ସେଇଟା ଥିବା ପର୍ଯ୍ୟନ୍ତ ତମ ଛାତି ଦୁକୁଦୁକୁ ହେଉଥିବ, ତମ ଭିତରେ ପବନ ଯା’ଆସ କରୁଥିବ। ତମେ ବଞ୍ଚିଥିବ। ଚାଲୁଥିବ। କଥା କହୁଥିବ। ବେଳେବେଳେ ରେରେକାର କରୁଥିବ, ହୁଙ୍କାର କରୁଥିବ। ତେଣୁ ସେଇ କଲିଜାଟା ଅସଲ। ସେଇଟା ସିନା ଭାରି ନରମ; ଲାଲ ଫର୍ଫର୍; ହେଲେ ସେଇଟା ଭାରି ଟାଣ। ଯାହାର କଲିଜା ଟାଣ ସିଏ ଜିତିଯାଏ ସବୁ କଥାରେ।
ତମେ ଦେଖିଥିବ ମାଂସକଟା ଦୋକାନମାନଙ୍କରେ। ଛେଳି ବା ମେଣ୍ଢାର ପାଟିରୁ ଲାଳ ବୋହି ପଡିଥିବ। ତୁମେ କହୁଥିବ – ହେ କଂସେଇ ଭାଇ; ସେଇ କଲିଜାକୁ ମୋତେ ଦେ। ସେଇଟା କୁଆଡ଼େ ଭାରି ସୁଆଦିଆ ହେଇଥିବ! ନ ହେଲେ ଆମ ପଞ୍ଚତନ୍ତ୍ରରେ ଗପଟିଏ ନାଇଁ, କୁମ୍ଭୀରଟା ତା’ ସ୍ତ୍ରୀ କଥାରେ ଭଳି ଯାଇ ସମୁଦ୍ରକୂଳରେ ଥିବା ବିରାଟ ଜାମୁଗଛରେ ବସିଥିବା ମାଙ୍କଡ଼କୁ ତା’ କଲିଜା ମାଗିଲା!! କୁମ୍ଭୀରଟା ଖାଲି ନୁହେଁ ମ; ଏଇ ମଣିଷମାନଙ୍କୁ ଦେଖୁନା, ସ୍ତ୍ରୀମାନଙ୍କ ଅଳିକୁ କେତେଜଣ ସ୍ୱାମୀ ପୁଙ୍ଗବ ଟାଳି ଦେଇପାରନ୍ତି; ନାଁ – କେହି ନାଇଁ। ସ୍ତ୍ରୀ ଗୋଟାଏ କ’ଣ ଅପୂର୍ବ ଚିତ୍ରଟିଏ ମାଗିବ, ସ୍ୱାମୀ ହୋଇ ନ ଦେବ କେମିତି? ତା’ର ପୁରୁଷପଣିଆଟା ରହିବ କି? ଏଇ ଦେଖୁନା ଶ୍ରୀରାମଚନ୍ଦ୍ର – ସିଏ ପୁଣି ଭଗବାନ; ହେଲେ- ପତ୍ନୀ ସୀତା ତାଙ୍କୁ କହିଲେ, ହେଇ ଦେଖ ଆଶ୍ରମ ଆଗରେ ସୁନାମିରିଗଟିଏ ବୁଲୁଛି, ତା’କୁ ଧରିଆଣି ତାଙ୍କୁ ଦେବା ପାଇଁ। ଶ୍ରୀରାମ ଜାଣନ୍ତି ଯେ ସୁନା ମିରିଗ ତୁଚ୍ଛା ମିଛ; ହେଲେ ସେ କୋଦଣ୍ଡ ଧରି ଧାଇଁଗଲେ ତାକୁ ଧରିବା ପାଇଁ। କ’ଣ ହେଲା ତା’ର ପରିଣତି? ସିଏ କ’ଣ ସୁନାମିରିଗ ନା ଆଉ କ’ଣ? ରାମଚନ୍ଦ୍ର ତାକୁ ମାରି ଦେଲା ବେଳକୁ ତା’ ଅସଲ ରୂପ ବାହାରି ପଡ଼ିଲା। ସିଏ ଗୋଟାଏ ରାକ୍ଷସ, ଗୋଟାଏ ମାୟା, ଗୋଟାଏ ଛଳନା। ଏଇଟା ସୁନା-ମାୟା, ଅର୍ଥ-ମାୟା-ଧନ-ମାୟା। ତେବେ ସମସ୍ତଙ୍କୁ ଏଇଟା ବାୟା କରେ କାହିଁକି? ଏଇଥିପାଇଁ ସାରା ପୃଥିବୀରେ ଲଢ଼େଇ ଚାଲିନାହିଁ କି?
କଲିଜା ଭିତରେ ହୃଦୟ
ଏଥର ଅସଲ କଥାକୁ ଆସନ୍ତୁ – ଏଇଟା ହେଉଛି କଲିଜା। ତା’ ଭିତରେ ଅଛି ହୃଦୟ। ସେଇଟି କ’ଣ? ତାକୁ କିଏ ଦେଖିଛି କି? ବିଜ୍ଞାନୀମାନେ, ଧନ୍ୱନ୍ତରୀମାନେ ଛାତି ଚିରି ଯେଉଁ ଲାଲ ଫରଫର କଲିଜାକୁ ଦେଖାଇ ଦେଉଛନ୍ତି, ସେଇଟା କ’ଣ ହୃଦୟ? ସିଏ ତ ଅଦୃଶ୍ୟ, ନିରାକାର। ଘଟେ ଘଟେ ସିଏ ରହିଛି। କଲିଜାର ପ୍ରତି ଅଣୁରେ ସିଏ ରହିଛି। ତା’ର କିଛି ଆକାର ପ୍ରକାର ନ ଥାଏ। ଅଥଚ ସିଏ ଥାଏ ବୋଲି ମଣିଷଟା ମଣିଷ ପରି ହୁଏ। ତାକୁ ନେଇ ସ୍ନେହ, ପ୍ରେମ, ମମତା, ଶ୍ରଦ୍ଧା, ପ୍ରେମ, ରାଗ, ରୁଷା, ଯାହା କିଛି କୁହନା କାହିଁକି ସବୁ ପ୍ରକାଶ ପାଏ। ତେବେ ଏସବୁ ମଧ୍ୟ ଗୋଟିଏ ଗୋଟିଏ ଅଶରୀରୀ ଭାବ। ଶରୀରକୁ ଧରି ଏସବୁର ଗତି, ପ୍ରକୃତି, ଦୀପ୍ତି ଓ ଦ୍ୟୁତି। ଏଇଥିପାଇଁ ହୃଦୟ ଉପରେ ଏତେ ଗୁରୁତ୍ୱ। ଏହାରି ପାଇଁ କାବ୍ୟ ପୁରାଣ, ନାଟକ ଆଦି ସାହିତ୍ୟର ଉନ୍ମେଷ ଓ ଉତ୍ତରଣ। ସେଇ ହୃଦୟ ହିଁ ବାନ୍ଧି ଦେଇଛି ସାରା ମଣିଷ ଜାତିକୁ ଗୋଟିଏ ଭାବ-ସୂତ୍ରରେ।
ହେଲେ; ଏବେ କି କାଳ ହୋଇଛି ଯେ ହୃଦୟ ନ ଖୋଜି କଲିଜା ଖୋଜା ଚାଲିଛି। ସେଇଟା ଜିଭର ଲାଲସାଟା; ସ୍ପନ୍ଦନ ଭାବରେ ତାହାକୁ କେହି ଭାବୁ ନାଇଁ। ସେଇ ସ୍ପନ୍ଦନଟି ଯେତେବେଳ ଯାଏ ଅଛି ସେତେବେଳ ଯାଏ ମଣିଷ ନାନା କାର୍ଯ୍ୟ କରୁଥାଏ, ଚିନ୍ତା ପ୍ରକଟ କରୁଥାଏ। ଅଥଚ ଏବେ ଚାରିଆଡ଼େ କଲିଜା ପାଇଁ ଛକା, ପଞ୍ଝା। ସମୁଦ୍ର କୂଳରେ ଥାଏ ଗୋଟାଏ ବଡ଼ ଝଙ୍କାଳିଆ ଜାମୁ ଗଛ। ସେଇ ଗଛରେ ଥାଏ ଗୋଟାଏ ମାଙ୍କଡ଼। ଏ ଡାଳ ସେ ଡାଳ ଡେଇଁ ଖେଳୁଥାଏ। ଗଛ ସାରା କଳା କଳା ଜାମୁକୋଳି ଭର୍ତ୍ତି ହୋଇଥାଏ। କୋଳି ତୋଳି ମୁଠା ମୁଠା ପାଟିରେ ପକେଇ ମଉଜ କରୁଥାଏ। ସେଇଟା ତା’ ରାଇଜ। ସେଠି ସେ ରାଜା। ସମୁଦ୍ରର ଥଣ୍ଡାଳିଆ ପବନ ପରଶରେ ଉଲୁସି ଉଠୁଥାଏ। ଥରେ ଗୋଟାଏ କୁମ୍ଭୀର ସମୁଦ୍ରରେ ପହଁରି ପହଁରି ସେଇ ଗଛ ମୂଳକୁ ଆସିଲା। ଗଛରେ ବସି ମାଙ୍କଡ଼ ମନଖୁସିରେ କୋଳି ଖାଉଥାଏ। କୁମ୍ଭୀର ସେଇ କୋଳି ଚାଖିବା ପାଇଁ ମନ କଲା। ସିଏ ତ ଗଛ ଚଢ଼ି ପାରିବ ନାହିଁ। କ’ଣ କରିବ? ମାଙ୍କଡ଼କୁ କଅଁଳ କଣ୍ଠରେ କହିଲା – ଭାଇ! ତମେ ଆଜିଠାରୁ ମୋର ମିତ୍ର ହୋଇଗଲ। ମୋତେ କିଛି କୋଳି ଦିଅନ୍ତ ନାଇଁ; ମୁଁ ଟିକେ ଚାଖନ୍ତି। ଆମେ ତ ମାଂସାଶୀ। ଜୀଅନ୍ତା ଜୀବମାନଙ୍କୁ ଗୋଟା ପୁଣି ଗିଳି ଦେଉ। ସୁଆଦ କିଛି ପାଉନା। ଖାଲି ପେଟ ପୂରେଇବା କଥା। ମାଙ୍କଡ଼ଟି ତା’ କଥାରେ ଭଳିଗଲା। କୋଳି ତୋଳି ତା’ ପାଖକୁ ପକେଇଲା। କୁମ୍ଭୀର ଖାଇଲା। ତା’କୁ ଖୁବ୍ ଭଲ ଲାଗିଲା। ସେଇଦିନୁ ଦି’ଜଣ ମିତ୍ର ହୋଇଗଲେ। କୁମ୍ଭୀର କିଛି କୋଳି ତା’ ପାଟିରେ ରଖି ସମୁଦ୍ର ଭିତରେ ତା’ ଘରକୁ ଗଲା। ତା’ ସ୍ତ୍ରୀ କୁମ୍ଭୀରୁଣୀକୁ କୋଳି ଦେଲା। କୋଳି ଖାଇ କୁମ୍ଭୀରୁଣୀ ଖୁସ୍ ହୋଇ ତା’ ସ୍ୱାମୀକୁ କହିଲା – ‘ହଇହେ! ଏଇ କୋଳି ତ ଭାରି ମିଠା। ମାଙ୍କଡ଼ଟା ସବୁ ଦିନେ ଖାଉଛି ଏଇ କୋଳି। ତା’ କଲିଜାଟା ତ ଏଇ କୋଳିଠାରୁ ଆହୁରି ମିଠା ହୋଇଥିବ। ତମେ ଥରେ ତମ ମିତ୍ରକୁ ବୁଲେଇ ଏଠିକି ଆଣନ୍ତ ନାଇଁ? ମୁଁ ତା’ କଲିଜାଟା ଖାଆନ୍ତି।’
ଏଥର ବିଚରା ସ୍ୱାମୀ ଆଉ କ’ଣ କରନ୍ତା! ସ୍ତ୍ରୀ କଥା ତ ଏଡ଼ିଦେଇ ହବନି। ତେଣୁ କୁମ୍ଭୀର ସମୁଦ୍ର କୂଳକୁ ଯାଇ ଜାମୁଗଛ ମୂଳେ ବସି କହିଲା ମାଙ୍କଡ଼କୁ – “ମଇତ୍ର! ତମ ସଂଗାତୁଣୀ ଏଇ କୋଳି ଖାଇ ଭାରି ଖୁସି ହୋଇଯାଇଛି। ତମକୁ ଦେଖିବା ପାଇଁ ଉଚ୍ଛନ୍ନ ହେଉଛି। ତମେ ଆମ ଘରକୁ ଥରେ ଯାଆନ୍ତ ନାଇଁ? ସଂଗାତୁଣୀ ତମକୁ ଦେଖି କେତେ ଖୁସି ନ ହୁଅନ୍ତା! କୁମ୍ଭୀର ତା’ ପିଠି ଉପରେ ମଇତ୍ରକୁ ବସାଇ ସମୁଦ୍ର ପାଣିରେ ପହଁରି ପହଁରି ତା’ ଘରେ ପହଞ୍ଚିଲା। ମାଙ୍କଡ଼କୁ ଦେଖି କୁମ୍ଭୀରିଣୀ ପାଟିରୁ ଲାଳ ବହିଲା। କହିଲା – “ସଂଗାତ! ତମେ ଏଇ ଯୁ କୋଳି ଖାଉଛ, ତାହା ଯୋଗେ ତମ କଲିଜାଟା ଭାରି ମିଠା ହୋଇଯାଇଥିବ। ସେଇଟାକୁ ମୁଁ ଖାଇବି। ମୋ କଥା ନ ଭାଙ୍ଗି ତମ ମଇତ୍ର ତମକୁ ମୋ ପାଖକୁ ଭୁଲାଇ ନେଇ ଆସିଛି।” ମାଙ୍କଡ଼ ତ ଭାରି ଚାଲାକ। ତା’ର ବଂଶଧର ତ ତ୍ରେତା ଯୁଗରେ ଶ୍ରୀରାମଚନ୍ଦ୍ରଙ୍କ ସେନାରେ ରହି ଲଙ୍କାପୁରୀକୁ ନାରଖାର କରି ଦେଇଥିଲେ। ମହାବୀର ହନୁମାନ ଓ ଅଙ୍ଗଦଙ୍କର ସିଏ ତ ବଂଶଧର। ସେ ଡରିଯିବ କାହିଁକି? ଚଟ୍ କରି କହିଲା – ‘ସଂଗାତୁଣୀ, ମଇତ୍ରଟା ଭାରି କପଟୀ। ସିଏ ମୋତେ ଏ କଥା ଆଦୌ କହିଲା ନାଇଁ। ସିଏ କହିଥିଲେ ମୁଁ ମୋ କଲିଜାଟାକୁ ଆଣିଥାନ୍ତି। ତମେ ଖାଇଥାନ୍ତ। ମୁଁ କଲିଜାଟାକୁ ବାହାର କରି ଗଛରେ କୋରଡ଼ ଭିତରେ ଲୁଚାଇ ରଖିଥାଏ। ଏବେ କ’ଣ କରିବା! ସଂଗାତୁଣୀ ମୋର ଇଚ୍ଛା କରିଛି କଲିଜା ପାଇବା ପାଇଁ, ତା’ ଇଚ୍ଛା କ’ଣ ପୂରଣ ହେବ ନାଇଁ? ସଂଗାତ ମୋତେ ନେଇଗଲେ ମୁଁ ଗଛ କୋରଡ଼ରୁ କଲିଜା ଧରି ପୁଣି ଏଠିକି ଆସିବି। ମାଙ୍କଡ଼ କଥାରେ କୋରଡ଼ରୁ କଲିଜା ଆଣି ପୁଣି ଏଠିକି ଆସିବି।’ ମାଙ୍କଡ଼ କଥାରେ ଉଭୟ ସ୍ୱାମୀ ସ୍ତ୍ରୀ ଭଳି ଗଲେ। କୁମ୍ଭୀର ପିଠିରେ ବସି ମାଙ୍କଡ଼ ଆସିଲା। ଯେମିତି କୂଳ ପାଖାପାଖି ହେଲା ଗୋଟାଏ ଲମ୍ବା ଡିଆଁରେ ଗଛ ଉପରକୁ ଚଢ଼ିଗଲା। କୁମ୍ଭୀର ତାକୁ ଯେତେ କହିଲେ ବି ମାଙ୍କଡ଼ ତା’ କଥା ନ ଶୁଣି କହିଲା – ‘ଆରେ ବୋକା! କଲିଜା କ’ଣ ବାହାରେ ଥାଏ? ବାହାରେ ଥିଲେ ଜଣେ ବଞ୍ଚିବ କେମିତି? ତୁ ଯା, ତୋ କପଟ ମିତ୍ରତାକୁ ମୁଁ ବୁଝିଗଲି। ତୁ ତ କୁମ୍ଭୀରଟାଏ। ତୋ ଖଳ ସ୍ୱଭାବ କାହାକୁ ଅଜଣା। ତୋ ପରି ଖଳ, ସଇତାନ କାହାର ମିତ୍ର ହୋଇପାରେନା। ତୁ ‘ମିତ୍ର’ ପରି ପବିତ୍ର ଶବ୍ଦକୁ କଳଙ୍କିତ କରିଦେଲୁ।’ କୁମ୍ଭୀର କାନମୁଣ୍ଡ ଆଉଁଶି ଘରକୁ ଫେରିଗଲା।
ହିଂସ୍ର ପ୍ରବୃତ୍ତିର ଦାସ
ସେଦିନ କଲିଜା ଖୋଜିଥିଲା କୁମ୍ଭୀର ଆଉ ତା’ ପତ୍ନୀ। ସେମାନେ ହିଂସ୍ର ପ୍ରବୃତ୍ତିର ଦାସ। ସେମାନେ ମଣିଷ ଓ ଅନ୍ୟାନ୍ୟ ଜୀବଙ୍କୁ ଗୋଟା ପୁଣି ଗିଳି ଦିଅନ୍ତି। କଲିଜା କ’ଣ ଜାଣନ୍ତି ନାଇଁ। କଲିଜା ଭିତରେ ହୃଦୟକୁ ଆଦୌ ବୁଝିପାରନ୍ତି ନାଇଁ। ଏବେ ସେଇ ମାଙ୍କଡ଼ ଆଉ କୁମ୍ଭୀର ନାଟ ଚାଲିଛି ସବୁଠି। ବାହାରକୁ ମିତ୍ର। ଭିତରେ କିନ୍ତୁ କାଳକୂଟ ବିଷ। ସୁଯୋଗ ପାଇବା ମାତ୍ରେ ଚଳେଇ ଦେବେ ଛୁରି। କାହାକୁ ଆଉ ବିଶ୍ୱାସ କରିବ? କାହାକୁ କହିବ ମିତ୍ର? କେହି ନାଇଁ। ଘର, ବାହାରେ, ସାରା ରାଇଜରେ, ଦେଶ, ବିଦେଶରେ ଖାଲି ବୁଲୁଛନ୍ତି କୁମ୍ଭୀର ଆଉ କୁମ୍ଭୀରୁଣୀମାନେ। ସଭିଙ୍କ ହାତ ଉପରକୁ ଉଠୁଛି, ତଳକୁ ପଡୁଛି। ନାଚୁଛି। କୁମ୍ଭୀରର କଣ୍ଟାଳିଆ ଲାଞ୍ଜ ପରି ଛକି ରହୁଛି। କେତେବେଳେ କେଉଁ ଛଟକରେ ଲାଞ୍ଜ ବଢ଼େଇ ଟେକି ନେଇ ତା’ ଅନନ୍ତ ଗର୍ଭକୁ ଗେଫି ଦେବ- କେହି ଜାଣି ପାରିବେ ନାଇଁ। ଆଜି କାଲି ଯୁଗରେ ମିତ୍ରତା ଚୁଲିକୁ ଗଲାଣି। ବାହାରକୁ ଖାଲି ମିତ୍ର, ମିତ୍ର, କୋଳାକୋଳି ଆବୁଲ ଫଜଲ୍ ଓ ଶିବାଜୀଙ୍କ ପରି। ଏଇ ଦେଖୁନା କେତେ ବର୍ଷ ପୂର୍ବେ ଆମ ଭାରତ ଭୂମି ଖାଲି ଦୁଲୁକି ଉଠିଲା ହିନ୍ଦ୍-ଚୀନ୍ ଭାଇ ଭାଇ ନାଦରେ। ପଞ୍ଚଶୀଳ ନୀତି କୁଆଡ଼େ ବିଶ୍ୱଶାନ୍ତି ପାଇଁ ବାଟ ଖୋଲିଦେଲା, କ’ଣ ହେଲା ତାହାର ପରିଣତି? କ’ଣ ଭାରତ ଆଉ ଚୀନ ମିତ୍ର ହୋଇଗଲେ? ସେଇମିତି ଏପଟେ ପାକିସ୍ତାନକୁ ଟିକେ ଦେଖୁନା! ଯେତେ ମିତ୍ରତାର ହାତ ବଢ଼େଇଲେ କ’ଣ ହାତ ସହିତ ହାତ ମିଳିଗଲା ନା ହୃଦୟ ସହିତ ହୃଦୟର ସେତୁ ବନ୍ଧନ ହୋଇଗଲା? ସାରା ପୃଥିବୀରେ ଏଇଆ ଚାଲିଛି। କେଉଁଠି ମିତ୍ରତା ଅଛି? ଯାହା ପାଖରେ ଅକଳନ ପରମାଣୁ ବୋମା ବା ଏଇପରି ଅନ୍ୟାନ୍ୟ ମାରଣାସ୍ତ୍ର ଅଛି ସିଏ କ’ଣ କାହାର ମିତ୍ର ହୋଇପାରେ କି? ଯିଏ କ୍ଷମତା ଆଉ ଅର୍ଥ ପାଇଁ ପାଗଳ, ସିଏ କ’ଣ ମିତ୍ରର ମାଧୁର୍ଯ୍ୟକୁ ଜାଣିପାରେ କି? ଯିଏ କୂଟ, କପଟତା, ଛଳନା, ପ୍ରତାରଣାର ଦାସ ବନିଯାଏ, ସିଏ କେବେ ମିତ୍ର ହୋଇପାରେ କି?
ଏ ଯୁଗର ମିତ୍ରତା
ତେଣୁ ମନେରଖିବାକୁ ହେବ ଯେ କଲିଜା ଖୋଜୁଥିବା କୁମ୍ଭୀରୁଣୀ ପରି ଲୋକେ ହୃଦୟ ଖୋଜନ୍ତି ନାଇଁ। ହୃଦୟଠାରୁ ସେମାନେ ଯୋଜନ ଯୋଜନ ଦୂରରେ ଥାଆନ୍ତି। କିଏ ବୁଝୁଛି ଆଜିର ଯୁଗରେ ମିତ୍ରତାକୁ? ହଁ, ସେଦିନ ରାମଚନ୍ଦ୍ର ବୁଝିଥିଲେ ମିତ୍ରତାର ମହତ୍ତ୍ୱକୁ। ଶବର ଗୁହକ ତାଙ୍କର ମିତ୍ର ହୋଇଗଲା। ସେଇ ମିତ୍ରତା ଏତେ ନିବିଡ଼ ହୋଇଗଲା ଯେ ଶବର ଜାତି ଓ ଆର୍ଯ୍ୟ ଜାତି ଭିତରେ ସ୍ଥାପିତ ହୋଇଗଲା ମିତ୍ରତା। ସୁଗ୍ରୀବ ସହିତ ରାମଚନ୍ଦ୍ର ମିତ୍ର ହୋଇଗଲେ। ମିତ୍ର ପାଇଁ ମିତ୍ର ବିପଦ ଆପଦରେ ଛିଡ଼ା ହୋଇଗଲେ। ବିଭୀଷଣ ବି ରାମଚନ୍ଦ୍ରଙ୍କ ସହିତ ମିତ୍ର ହୋଇଗଲେ। ସେଇ ମିତ୍ରତା ଏବେ ବି ଜନମୁଖରେ ପ୍ରଚଳିତ। କୁଆଡ଼େ ଜଗନ୍ନାଥ ପ୍ରତିଦିନ ରାତିରେ ଯାଆନ୍ତି ଲଙ୍କାକୁ ବିଭୀଷଣଙ୍କୁ ଦେଖିବା ପାଇଁ, ବିଭୀଷଣ ମଧ୍ୟ ଆସନ୍ତି ଶ୍ରୀକ୍ଷେତ୍ରକୁ ଜଗନ୍ନାଥଙ୍କୁ ଦେଖିବା ନିମନ୍ତେ। ଶ୍ରୀକୃଷ୍ଣ ମଧ୍ୟ ମିତ୍ରତାର ହୋଇଯାଇଛନ୍ତି ଉଜ୍ଜ୍ୱଳ ଦୃଷ୍ଟାନ୍ତ। ଦରିଦ୍ର ସୁଦାମା ସହିତ ତାଙ୍କର ମିତ୍ରତା କେତେ ନିବିଡ଼, ନୁହେଁ? ଆଜିକାଲି କ’ଣ କେହି ବଡ଼ ଲୋକ, ବଡ଼ ନେତା, ବଡ଼ ଅଫିସର ଦରିଦ୍ର ମିତ୍ରକୁ ଚିହ୍ନିପାରନ୍ତି? ଅର୍ଜୁନଙ୍କ ସହିତ ତାଙ୍କର ମିତ୍ରତାକୁ କେଉଁ ମାପକାଠିରେ ମାପି ହେବ? ମିତ୍ର ପାଇଁ ସିଏ କ’ଣ ଯୁଦ୍ଧକ୍ଷେତ୍ରରେ ଯୋଗ ଦେଇ ନ ଥିଲେ?
ମିତ୍ରତାରେ ଛଳନା ନ ଥାଏ। କୂଟ କପଟତା ନ ଥାଏ, କଲିଜା ଖୋଜା ନ ଥାଏ; ଥାଏ ହୃଦୟ ଖୋଜା। ଲକ୍ଷ୍ୟ ରହେ ହୃଦୟ ସହିତ ହୃଦୟର ସେତୁ ବନ୍ଧନ। ଏ କ୍ଷେତ୍ରରେ ମିତ୍ର ପାଇଁ ମିତ୍ର ବିପଦ ଆପଦରେ କମରଭିଡି ଛିଡ଼ା ହୋଇଯାଏ। ନୀତିଶାସ୍ତ୍ରରେ କୁହାଯାଇଛି ଯିଏ ବିବାହ, ଉତ୍ସବ, ଯୁଦ୍ଧ କ୍ଷେତ୍ରରେ ହେଉ ବା ରାଜଦରବାର ଓ ମଶାଣି ଭୂଇଁରେ ଛିଡ଼ା ହୁଏ, ସହଯୋଗ ପାଇଁ ହାତ ବଢ଼େଇବ ଯିଏ, ସିଏ ହୁଏ ପ୍ରକୃତ ମିତ୍ର।
ରାଜା ବା ଶାସକ ଯେଉଁଠି ପ୍ରଜାଙ୍କର ମିତ୍ର ହୁଅନ୍ତି, ସେଠି ଶାନ୍ତି ବିରାଜିତ ହୁଏ। ରାଜା ବା ଶାସକ ସହିତ ପ୍ରଜାଙ୍କ ସଂପର୍କ ଯେଉଁଠି ଛଞ୍ଚାଣ କପୋତ ପରି ହୋଇଯାଏ ସେଠି ମିତ୍ରତା ନ ଥାଏ; ଥାଏ ଅନ୍ୟ।ନ୍ୟ ଅନେକଙ୍କୁ ଦଳି ଚକଟି ବଡ଼ ହେବା ପାଇଁ ଲାଳସା। ରାଜା ଯିଏ ତା’ର ପ୍ରଥମ କର୍ତ୍ତବ୍ୟ ପ୍ରଜାଙ୍କ ହିତ। ହିତୋପଦେଶରେ ଗୋଟିଏ କାହାଣୀରେ ଦୁଇଜଣ ରାଜାଙ୍କ ମିତ୍ରତା କଥା କୁହାଯାଇଛି। ଜଣେ କପୋତରାଜ ଚିତ୍ରଗ୍ରୀବ, ଅନ୍ୟ ଜଣେ ମୂଷିକରାଜ-ହିରଣ୍ୟକର୍ଣ୍ଣ। ବ୍ୟାଧ ଜାଲରେ କପୋତମାନେ ଛନ୍ଦି ହୋଇ ଆର୍ତ୍ତଚିତ୍କାର କରୁଥିଲା ବେଳେ କପୋତରାଜ ଚିତ୍ରଗ୍ରୀବ ସେହି ଜାଲରେ ଛନ୍ଦି ହୋଇ ସମସ୍ତଙ୍କୁ ସଜାଗ କରିଛି ବିପଦ ବେଳେ ଧୈର୍ଯ୍ୟ ନ ହରାଇ ସମସ୍ତେ ଶକ୍ତିଖଟାଇ ଜାଲକୁ ଉପାଡ଼ି ଆକାଶ ମାର୍ଗରେ ନେଇଯିବା ପାଇଁ। ଏଥର ସମସ୍ତ କପୋତ ଜାଲକୁ ଉଠାଇ ନେଇ ଉଡିବାକୁ ଲାଗିଲେ। କପୋତରାଜ ସେମାନଙ୍କ ସହିତ ଗୋଟିଏ ପାହାଡ଼ ପାଖରେ ତଳକୁ ଓହ୍ଲାଇଲେ। ସେଇଠି ଥିଲା ମୂଷିକରାଜ ହିରଣ୍ୟକର୍ଣ୍ଣ। ସେ ଦେଖିଲା ତା’ ମିତ୍ର କପୋତରାଜଙ୍କୁ ଓ ସେ ସଂଗେ ସଂଗେ ଧାଇଁ ଆସିଲା ମିତ୍ରକୁ ବନ୍ଧନମୁକ୍ତ କରିବା ପାଇଁ। ମାତ୍ର ଚିତ୍ରଗ୍ରୀବ କହିଲେ – ନା, ମିତ୍ର, ଆମେ ତାଙ୍କ ଆଶ୍ରିତ, ଅର୍ଥାତ୍ ପ୍ରଜାମାନଙ୍କୁ ମୁକ୍ତ କର। ପରେ ତାଙ୍କ କଥା, ତାହା ହିଁ ହେଲା। ଜଣେ ମିତ୍ରର କର୍ତ୍ତବ୍ୟ ମିତ୍ର ପ୍ରତି ତାହା ସଂପାଦିତ ହେଲା। ପ୍ରଜାଙ୍କ ପ୍ରତି ରାଜାଙ୍କ ଦାୟିତ୍ୱ ମଧ୍ୟ ପ୍ରମାଣିତ ହେଲା। ଏଥିରୁ ଏବର ନୂଆ ନୂଆ ରାଜା ଓ ରାଜାଙ୍କ ଅନୁଗତ ବାବୁମାନେ କିଛି ଶିକ୍ଷା କରୁଛନ୍ତି କି? ନା – କେହି – ନାହିଁ।
ମଧୁମୟତାରୁ ମୁକ୍ତି
ବ୍ୟାଧ ଖୋଜିଥିଲା କପୋତମାନଙ୍କର କଲିଜା ଓ ମାଂସ; ହୃଦୟ ନୁହେଁ। ଚିତ୍ରଗ୍ରୀବ ବା ହିରଣ୍ୟକର୍ଣ୍ଣ କାହାର କଲିଜା ଖୋଜି ନାହାନ୍ତି; ଖୋଜିଛନ୍ତି ହୃଦୟ। ପାଇଛନ୍ତି ମଧ୍ୟ। ତେଣୁ ସେମାନଙ୍କ ମିତ୍ରତା ହୋଇଛି ମଧୁମୟ। ସେଇ ମଧୁମୟତାରୁ ମୁକ୍ତି ପାଇଗଲେ ନିରୀହ ପ୍ରଜାମାନେ। ଏବେ କ’ଣ ସେଇ ମିତ୍ରତା ଅଛି କି? ରାଜନୀତିରେ ତ କେହି କାହାର ମିତ୍ର ନୁହେଁ। ଆଜି ଯିଏ ମିତ୍ର, କାଲି ସିଏ ଶତ୍ରୁ। ସେଠି ଗୋଟିଏ କଥା ସତ୍ୟ – କ୍ଷମତା – ସିଂହାସନ ଦଖଲ ଓ ମୁକୁଟ ମଣ୍ଡନ। ଏଇମିତି ସବୁ କ୍ଷେତ୍ରରେ ଚାଲିଛି ପ୍ରତିଯୋଗିତା। ରାଜନୀତିରେ ଯେମିତି କପୋତମାନଙ୍କୁ ଧରିବା ପାଇଁ ତଣ୍ଡୁଳ ଦେବା ଚାଲିଛି ସେଇମିତି ଚାଲିଛି କଳା, ସଂସ୍କୃତି, ସାହିତ୍ୟ, ବଣିଜ, ବ୍ୟବସାୟ ସବୁଠି। ଏସବୁ ମିତ୍ର ଖୋଜା ନୁହେଁ; ସେଇ ଦୟା, କ୍ଷମାର ମହତ୍ତ୍ୱ ଫୁଟି ଉଠନ୍ତା। ଏବେ କିନ୍ତୁ ସବୁଠି ମୁଁ-କାର। କେତେ ରଙ୍ଗର ପତାକା ଉଡୁଛି କପୋତମାନେ ଏଥିରେ ଭୁଲୁଛନ୍ତି, ଭାଗ ଭାଗ ହୋଇଯାଉଛନ୍ତି ଅବନ୍ଧୁ, ଅମିତ୍ରମାନଙ୍କୁ କୋଳରେ ବସାଇ ନାନାବାୟା ଗୀତ ଶୁଣୋଉଛୁ। କହୁଛୁ ଏଇମାନେ ସୁନାପୁଅ। ଅଥଚ ସେଇମାନେ ଯେ କଲିଜାକୁ କାଢ଼ି ଜିଭକୁ ସରସ କରୁଛନ୍ତି ତାହା କେହି ଜାଣିପାରୁ ନାହାନ୍ତି। ଏଇଟା ପଡ଼ି ଯାଇଛି ଗୋଟାଏ ଗତିରେ। କେବେ ତୁଟିବ ଏଇ ଭ୍ରାନ୍ତି? କେବେ ପ୍ରତିଷ୍ଠା ହେବ ପ୍ରକୃତ ମିତ୍ରତା? ମିତ୍ରତାରେ ବଡ଼ ଜାତି, ସାନଜାତି, ବଡ଼ ଜ୍ଞାନୀ, ସାନ ଜ୍ଞାନୀ, ମୂର୍ଖ, ପଣ୍ଡିତ, ରାଜା ପ୍ରଜା, ନେତାନେତ୍ରୀ, ଧର୍ମ ଅଧର୍ମର ଭେଦ ନ ଥାଏ। ଥାଏ କେବଳ ଅଭେଦ, ହୃଦୟର ଅମୃତୟମୟ ଆନନ୍ଦ।
ଆସନ୍ତୁ; ଏଥର ଆମେ ପରସ୍ପର ସହିତ ମିତ୍ର ବସିବା। କୌଣସି ସ୍ୱାର୍ଥ, ଛଦ୍ମତା, ମାୟା, ଛଳନା ନୁହେଁ; ନିର୍ମଳ ହୃଦୟବତ୍ତାରେ ପରସ୍ପର ସହିତ ବନ୍ଧୁ ହୋଇଯିବା। ପାଇଯିବା ପରମ ଶାନ୍ତି। ଏପରି ଅବସ୍ଥାରେ କଲିଜା ଖୋଜି ତାକୁ ଗିଳି ପକେଇବାର ଲାଳସା ରହେ ନାହିଁ। କଲିଜା ଭିତରେ ତ ଥାଏ ହୃଦୟ। ତାକୁ ତ ଦେଖିହୁଏ ନାଇଁ; ଅନୁଭବ କରିହୁଏ। କଲିଜାରୁ ହୃଦୟକୁ ତ ଅଲଗା କରି ହେବ ନାଇଁ, କଲିଜାକୁ ଧରି, ତାକୁ ଟାଣ କରି ହୃଦୟକୁ ଖୋଜିବା। ତାକୁ ଅନୁଭବ କରିପାରିଲେ ଆମେ ସମସ୍ତେ ହୋଇଯିବା ମିତ୍ର। ଥରେ ମିତ୍ର ହୋଇଗଲେ ଆଉ କ’ଣ ହିଂସା, ଈର୍ଷା, ଅସହିଷ୍ଣୁତା, ଅହଂକାର, ଦର୍ପ, ପରିଗ୍ରହ ଇତ୍ୟାଦି ରହିବ କି? ଏସବୁ ହୃଦୟରୁ ନିର୍ବାସିତ ହୋଇଯିବେ। ଆମେ ହେବା ଗୋଟିଏ ପରିବାରର। ଏଥର ଭାବନ୍ତୁ – କ’ଣ ଆମେ କଲିଜା ଖୋଜି ତାକୁ ଗ୍ରାସ କରିବାର ଲାଳସାରେ ମତ୍ତ ହେବା, ନା ତା’ର ସ୍ପନ୍ଦନ ଭିତରେ ହୃଦୟକୁ ଖୋଜି ମିତ୍ର ବନି ଶାନ୍ତିର ସ୍ୱସ୍ତିବାଣୀ ଉଚ୍ଚାରଣ କରିବା – ଠିକ୍ କରିନିଅନ୍ତୁ କ’ଣ କରିବେ।
(‘ସାହିତ୍ୟ ଚର୍ଚ୍ଚା’ ପତ୍ରିକାର ସେପ୍ଟେମ୍ବର, ୨୦୨୪ ସଂଖ୍ୟାରେ ପ୍ରକାଶିତ। )
Wonderful.
ପୂରାଣ ଯୁଗରୁ ନେଇ ପଞ୍ଚତନ୍ତ୍ର ସହିତ ବର୍ତ୍ତମାନ ପର୍ଯ୍ୟନ୍ତ ଦେଶ ଦେଶ ଏବଂ ମଣିଷ ମଣିଷ ମଧ୍ୟରେ ଥିବା ସମ୍ପର୍କକୁ ଅତି ଚମତ୍କାରଭାବରେ ଶବ୍ଦ ଓ ବାକ୍ୟ ମାଧ୍ୟମରେ ପ୍ରତିପାଦନ କରିଛନ୍ତି ଲେଖକ। ଏଥିରେ ଛୋଟ ପିଲାଙ୍କ କାହାଣୀ ସହିତ ରହିଛି ବୟସ୍କଙ୍କ ପାଇଁ ଉପଦେଶ । ଏଥିପାଇଁ ଆଉଥରେ ଲେଖକଙ୍କୁ ଶୁଭେଚ୍ଛା, ଅଭିନନ୍ଦନ ଓ ନମସ୍କାର।
ଏଭଳି ଏକ ଲେଖା ସ୍ଥାନିତ କରିଥିବାରୁ ସମ୍ପାଦକଙ୍କୁ ନମସ୍କାର ଏବଂ ଅଭିନନ୍ଦନ।
ଆସନ୍ତୁ ସମସ୍ତେ ଆମେ ମିତ୍ର ବସିବା କିନ୍ତୁ କଲିଜା ପାଇଁ ନୁହେଁ କେବଳ ହୃଦୟ ପାଇଁ ଯେଉଁଟା ଅଦୃଶ୍ୟ ଅଥଚ ଅମର।
ବହୁତ ସୁନ୍ଦର