ଅନୂଦ୍ୟ*

ଅନୁବାଦ ହେଉଛି ସମଗ୍ର ମାନବଜାତିର ସାହିତ୍ୟ। ଏହା ବିଶ୍ୱବାସୀଙ୍କ ପାଇଁ ଇତିହାସ, ସଂସ୍କୃତି ଓ ଐତିହ୍ୟର ଏକ ପ୍ରଜ୍ଞାଦର୍ପଣ।

ପ୍ରଶାନ୍ତ ଭୂୟାଁ

“ତତ୍ତ୍ୱ ଭାଗବତ ଭକ୍ତ ହିତକା, ଦ୍ୱାଦଶ ସ୍କନ୍ଧରୁ କଲି ମୁଁ ଟୀକା।”
‘ପ୍ରାଚୀ ପରଚେ ଗୀତା’ରେ ଏଇ ପଦ ଲେଖା ଅଛି। ପାଠକଙ୍କ ସୁମଙ୍ଗଳ ସକାଶେ ଟୀକା ଲେଖିବାକୁ ପ୍ରାଧାନ୍ୟ ଦେବା ପ୍ରସଙ୍ଗ ଇଏ। କାରଣ, ପ୍ରତି ଲେଖାର ମରମ ଯେ ସଭିଏଁ ବୁଝିଯିବେ ତାହା ଅସମ୍ଭବ। ଭାଷା, ଅନୁବାଦ, ସାହିତ୍ୟ: ଏସବୁର ଏକ ତାତ୍ତ୍ୱିକ ମର୍ମ ଅଛି। ପଢ଼ି ବୁଝିଲା ବେଳେ, ଏଥିରେ ଅନେକ କଥା ଉହ୍ୟ ରହିଯାଏ। ଗୋଟିଏ କବିତାର ସରଳାର୍ଥ ପଣ୍ଡିତେ ଅନେକାର୍ଥରେ ବୁଝାଇ ପାରିବେ, ହେଲେ ପ୍ରକୃଷ୍ଟ ଅର୍ଥ କେବଳ ରଚୟିତାକୁ ହିଁ ଜଣା, ଆଉ ସବୁ ସାରାଂଶ ଅନ୍ୟର କଳ୍ପନାର ବୁଝାମଣା। ଏଣୁ ସାହିତ୍ୟ ସଂସାରରେ ଏଇ କଳ୍ପନା ଆଉ ବାସ୍ତବତା ଭିତରର ଅସମଞ୍ଜସ ହିଁ ଟୀକା ଓ ଅନୁବାଦ ସାହିତ୍ୟକୁ ଜନ୍ମ ଦେଇଛି।
ପିଲାଦିନେ ବୀରବରଙ୍କର ଅନେକ ରଚନା ପଢ଼ିବାକୁ ଅଣ୍ଟା ଭିଡ଼ିଥିଲି। ହେଲେ ସଟୀକ କାବ୍ୟ ବିନା ଆମ୍ଭଙ୍କୁ ତାହା କେଭେହେଁ ହୃଦ୍‌ବୋଧ ହୋଇନଥାନ୍ତା। ଏଣୁ ଟୀକାର ଆବଶ୍ୟକ ପିଲାଟି ଦିନରୁ ହିଁ ହୃଦୟଙ୍ଗମ କରିଥିଲା ଏଇ ଲେଖକ।
ଆଉ ପାଦେ ଆଗକୁ ଆସି ଏବେ କହିବି ଅନୁବାଦର କଥା। ଆମ କାବ୍ୟ ଅଳଙ୍କାର ସବୁ ତ ଟୀକା ସହ ପଢ଼ି ବୁଝି ହେଉଥିଲା। ହେଲେ ଆମ ସାହିତ୍ୟର ଅମରକୃତି ବା ଅନ୍ୟ ଭାଷା ସାହିତ୍ୟର ଅମରକୃତି ସବୁକୁ ବିନା ଅନୁବାଦରେ ପଢ଼ି ବୁଝିବା ଅଣଭାଷାଭାଷୀଙ୍କ ପକ୍ଷରେ ଦୁରୂହ। ପୃଥିବୀର ସମସ୍ତ ଭାଷା ଓ ସାହିତ୍ୟରେ ଯୁଗସ୍ରଷ୍ଟାମାନଙ୍କର ଅମରକୃତି ରହିଛି ଯାହା ସମସ୍ତ ସାହିତ୍ୟପ୍ରେମୀଙ୍କୁ ପଢ଼ି-ବୁଝି-ଜାଣିବାକୁ ହେବ। ଖାଲି ଆପଣା ଢୋଲ ପିଟି ବାହାବା ନେବାରେ କିଛି ଗୌରବ ନାହିଁ। କିଛି ଆତ୍ମଘୋଷିତ ସାହିତ୍ୟିକ ଓ ପୁରସ୍କାରବାଇ ଲେଖକଙ୍କୁ ନେଇ ଆଜିର ଓଡ଼ିଆ ଅନୁବାଦ ସଂସାର ବିବ୍ରତ।
ଉତ୍ତର ପୂର୍ବ ଇଟାଲିର ପାଦ୍ରୀ ସେଣ୍ଟ ଜେରୋମ୍‌; ବାଇବେଲ୍‌ରୁ ଲାଟିନ୍ ଭାଷାରେ ପ୍ରଥମେ ଅନୁବାଦ କରିଥିଲେ ବୋଲି ତାଙ୍କୁ ଅନୁବାଦର ଜନକ ବୋଲି କୁହାଯାଏ। ମିଳିତ ଜାତିସଂଘର ଘୋଷଣା ଅନୁଯାୟୀ ୨୦୧୭ ଠାରୁ ତାଙ୍କ ମୃତ୍ୟୁ ଦିବସ ୩୦ ସେପ୍ଟେମ୍ବରକୁ ଅନ୍ତର୍ଜାତୀୟ ଅନୁବାଦ ଦିବସ ରୂପେ ଘୋଷଣା ହୋଇଛି। ଏହି ବର୍ଷ ବିଶ୍ୱ ଅନୁବାଦ ଦିବସର ବିଷୟାଧାର ହେଉଛି “ଟ୍ରାନ୍ସଲେସନ୍‌, ଏନ୍ ଆର୍ଟ୍ ୱର୍ଥ୍ ପ୍ରୋଟେକ୍ଟିଙ୍ଗ”
ଅନୁବାଦ ହେଉଛି ସମଗ୍ର ମାନବଜାତିର ସାହିତ୍ୟ, ଇତିହାସ, ସଂସ୍କୃତି, ଐତିହ୍ୟର ବିଶ୍ୱବାସୀଙ୍କ ପାଇଁ ଏକ ପ୍ରଜ୍ଞାଦର୍ପଣ। ଓଡ଼ିଆ ସାହିତ୍ୟକୁ ବିଶ୍ୱ ଦରବାରରେ ପ୍ରଶସ୍ତି ଓ ପରିଚିତି ଦେବାକୁ ହେଲେ ଆମର ଅନୂଦ୍ୟ ଓଡ଼ିଆ ଅମରକୃତି ସବୁକୁ ବିଶ୍ୱର ବିଭିନ୍ନ ଭାଷାରେ ଅନୁବାଦ କରିବାକୁ ହେବ। ଏଣୁ ପାଠକେ; ଗଣିବା ହୁଅନ୍ତୁ ଅନ୍ୟ ଭାଷାରୁ ଓଡ଼ିଆ ଭାଷାକୁ କେତେ ବହି ଅନୁବାଦ ହୋଇଛି ଆଉ ଓଡ଼ିଆ ଭାଷାରୁ ଅନ୍ୟ ଭାଷାକୁ କେତେ ବହି! ସେଥିରୁ ଜଣା ପଡ଼ିବ ଆମର ପ୍ରୟାସ ଏହି ପ୍ରସଙ୍ଗରେ।
ସୁଧୀ ପାଠକେ, ସମାଜରେ ସାହିତ୍ୟର ସସମ୍ମାନ ପ୍ରୟୋଗ ହିଁ ବୁଦ୍ଧିଶୀଳ ବ୍ୟକ୍ତିଙ୍କୁ ପ୍ରସ୍ତୁତ କରିବ; ଯେଉଁମାନେ କି କେବଳ ସାହିତ୍ୟ ନୁହଁ ସଂସାରର ଉନ୍ନତି କଳ୍ପେ ନିଜକୁ ନିୟୋଜିତ କରିବେ। ଏଣୁ ବହୁଭାଷୀ ଅନୁବାଦକଙ୍କୁ ପ୍ରୋତ୍ସାହନ ଦିଅନ୍ତୁ। ଓଡ଼ିଆ ଭାଷାର ଅମରକୃତିକୁ ଅନ୍ୟ ଭାଷାରେ ଅନୁବାଦ କରାଇବାକୁ ସହଯୋଗ କରନ୍ତୁ। ଏହା ହିଁ ବିଶ୍ୱ ଅନୁବାଦ ଦିବସର ଆହ୍ୱାନ।

-ପ୍ରଭୂ

* ଅନୂଦ୍ୟ – ଯାହା ଅନୁବାଦଯୋଗ୍ୟ

( ‘ସାହିତ୍ୟ ଚର୍ଚ୍ଚା’ ପତ୍ରିକାର ସେପ୍ଟେମ୍ବର, ୨୦୨୪ ସଂଖ୍ୟାରେ ପ୍ରକାଶିତ ନିୟମିତ ସ୍ତମ୍ଭ। )

One thought on “ଅନୂଦ୍ୟ*

  1. ଭାଇ ବହୁତ ସୁନ୍ଦର ଭାବେ ବୁଝାଇ ଲେଖିଛନ୍ତି। ଓଡ଼ିଆର ଅନୁବାଦ ଯୋଗ୍ୟ ସାହିତ୍ୟକୁ ପୃଥିବୀର ଯେତେ ବେଶୀ ଭାଷାରେ ଅନୁବାଦ ହୋଇ ପାରିବ ସେତେ ବେଶୀ ଓଡ଼ିଆ ଲେଖକ ମାନଙ୍କ ପରିଚୟ ବିସ୍ତାର ହେବ। ବିଶେଷ କରି ଓଡ଼ିଆ ଭାଷାର ଅସ୍ମିତା ବିଶ୍ଵ ସାହିତ୍ୟ ଜଗତରେ ସ୍ଥାନ ପାଇବ।

Leave a Reply

Your email address will not be published. Required fields are marked *