ସତୁରୀ ଦଶକରେ ଯେଉଁ ତିନୋଟି ମାସିକ ସାହିତ୍ୟ ପତ୍ରିକା ଓଡ଼ିଶାରେ ପ୍ରକାଶ ପାଉଥିଲେ, ସେଗୁଡ଼ିକ ହେଲେ ଝଙ୍କାର, ନବରବି ଓ ଆସନ୍ତାକାଲି। ସାମୟିକ ପତ୍ରିକା ଭାବେ ପ୍ରକାଶିତ ହେଉଥାନ୍ତି ‘ବେଳା'(ବାଲୁଗାଁ), ‘ଯୁଗଭେରୀ'(ବାଲେଶ୍ବର) ଏବଂ ‘ଙନଲ’ (ସମ୍ବଲପୁର)। ସେଇ ପତ୍ରିକାମାନଙ୍କରେ ଯେଉଁ କେତେଜଣ ଲେଖକ ନିୟମିତ ଲେଖୁଥାନ୍ତି; ତହିଁରେ ଥା’ନ୍ତି ବାଲେଶ୍ୱରର ଶୁଭେନ୍ଦୁ ମୋହନ ଦାସ, ବ୍ରଜନାଥ ରଥ, ପଞ୍ଚାନନ ଦାଶ। ମୁଁ ଥିଲି ଏହି ପତ୍ରିକାମାନଙ୍କର ନିୟମିତ ପାଠକ।
ଏ ଭିତରେ ଅନେକ ବର୍ଷ ବିତିଗଲା। ମୁଁ ଓଡ଼ିଶା ସ୍କୁଲ ଶିକ୍ଷା ସେବା, ଏନ୍ .ସି. ଇ.ଆର୍ .ଟି ହୋଇ ପହଞ୍ଚିଲି ନ୍ୟାସନାଲ ବୁକ୍ ଟ୍ରଷ୍ଟରେ ଓ ବନ୍ଧୁ ଶ୍ରୀଦେବଙ୍କ ଅନୁରୋଧରେ ବାଲେଶ୍ୱର ଗଲି। ସେଇଠି ଦେଖାହେଲେ ଶୁଭେନ୍ଦୁ ମୋହନ ଦାସ। ସେ ଥିଲେ ଟାଉନ୍ ହାଇସ୍କୁଲରେ ଶିକ୍ଷକ। ସାରା ପୃଥିବୀର ସାହିତ୍ୟ ତା’ଙ୍କ ପାଖେ ଥିଲା। ଓଡ଼ିଆ, ଇଂରାଜୀ, ବଙ୍ଗଳା ଓ ହିନ୍ଦି ସାହିତ୍ୟ ସେ ପଢ଼ିଥିଲେ ଓ ଭାଷା ଜାଣିଥିଲେ। ହେଲେ ସେ କେବେ ପୁରସ୍କାରର ରାଜନୀତିରେ ନଥିଲେ।
ତା’ଙ୍କ ସହିତ ମୋ’ର ସେହି ଥରେ ମାତ୍ର ଦେଖା; ହେଲେ ସେ ଦେଖାର ଶକ୍ତି ଏତେ ଅଧିକ ଯେ ମୁଁ ତା’ଙ୍କୁ ଜୀବନସାରା ଭାଳି ହେଉଛି। ସେ ବିଭିନ୍ନ ଭାଷାରୁ ଅନୁବାଦ କରୁଥିଲେ। ‘ଯୁଗଭେରୀ’ ପତ୍ରିକାର ସମ୍ପାଦକ ତ ଥିଲେ ରାୟଶ୍ରୀ ଉପେନ୍ଦ୍ର ପ୍ରସାଦ ନାୟକ; କିନ୍ତୁ ବସ୍ତୁତଃ ଶୁଭେନ୍ଦୁ ମୋହନ ଦାସ ହିଁ ତାହାର ପରିଚାଳନା ସମ୍ପାଦକ ଭାବରେ ଦାୟିତ୍ବ ତୁଲାଉଥିଲେ। ସେ ମୁଖ୍ୟତଃ ଥିଲେ ଜଣେ କବି। ବେଳେ ବେଳେ ଗପ ମଧ୍ୟ ଲେଖୁଥିଲେ। ତାଙ୍କର କବିତା ଗୁରୁପ୍ରସାଦ ମହାନ୍ତିଙ୍କ ‘ନୂତନ କବିତା’ ଦ୍ବାରା ପ୍ରଭାବିତ ହୋଇଥିଲା।
ଶୁଭେନ୍ଦୁଙ୍କ ପରି ସ୍ଵାଭିମାନୀ କବି ଏବେ ବିରଳ। ସେ ଏବେ ନାହାନ୍ତି; ଗତ ସେପ୍ଟେମ୍ବର ୨୦ ତାରିଖ ଦିନ ୮୯ ବର୍ଷ ବୟସରେ ସେ ପରମାତ୍ମାଙ୍କଠାରେ ବିଲୀନ ହୋଇଗଲେ। ମୁଁ ତାଙ୍କୁ ହୃଦୟରୁ ଶ୍ରଦ୍ଧାଞ୍ଜଳି ଜଣାଉଛି।
ଏମିତି କେତେ ଅମୂଲ୍ୟପ୍ରତିଭା ଜୀବନସାରା ସାହିତ୍ୟକୁ ଅମୂଲ୍ୟ ଦାନ ଦେଇ ମରି ହଜି ଯାଉଛନ୍ତି କିନ୍ତୁ ତାଙ୍କ ଉପରେ କାହାରି ଦୃଷ୍ଟି ପଡିଲା ନାହିଁ । ସେ କାଳର ଲୋକେ ପ୍ରଚାର ଅଭିମୁଖୀ ନ ଥିଲେ । ତେଣୁକରି ।