ଶ୍ରୀକ୍ଷେତ୍ରର ଡାହୁକ ଗୀତ

ଡାହୁକ ଗୀତକୁ କେବଳ ଅଶ୍ଳୀଳ ପଦ ସଂଯୋଜନା କହିବା ଆଦୌ ସମୀଚୀନ ନୁହେଁ।

ଡ. ରମେଶଚନ୍ଦ୍ର ମଲ୍ଲିକ

ଶ୍ରୀଜଗନ୍ନାଥ ସଂସ୍କୃତି, ଓଡ଼ିଆ ସାଂସ୍କୃତିକ ଧାରାର ମୂଳ ପିଣ୍ଡ। ଏହା କହିବାର ଯଥାର୍ଥତା ଏହା ଯେ ଶ୍ରୀଜଗନ୍ନାଥ ସଂସ୍କୃତି ଏକ ସମନ୍ୱୟ ସାଂସ୍କୃତିକ ଧାରାର ପରିପ୍ରକାଶଭାବେ ପରିପୁଷ୍ଟ। ଶ୍ରୀଜଗନ୍ନାଥ ସଂସ୍କୃତିରେ ଆର୍ଯ୍ୟ, ଦ୍ରାବିଡ଼ ଓ ଅଷ୍ଟ୍ରିକ୍ ବା ମୁଣ୍ଡା ସାଂସ୍କୃତିକ ଧାରାର ବିଲକ୍ଷଣ ପରିଲକ୍ଷିତ ଓ ପ୍ରତିପାଳିତ ହୋଇଥାଏ। ଓଡ଼ିଆ ଭାଷାରେ ଯେଉଁଭଳି ଭାବେ ଅଷ୍ଟ୍ରିକ୍ ଓ ଦ୍ରାବିଡ଼ ଭାଷାର ଉପସ୍ତର ପରିଦୃଶ୍ୟ ସେହିଭଳି ଚାଲିଚଳଣି, ଖାଦ୍ୟପେୟ, ପର୍ବପର୍ବାଣି, ଦେବାର୍ଚ୍ଚନା ପଦ୍ଧତି, ବିଚାରବିମର୍ଶ ଓ ଅନ୍ୟାନ୍ୟ ପ୍ରସଙ୍ଗରେ ମଧ୍ୟ ଅଷ୍ଟ୍ରିକ୍ ଓ ଦ୍ରାବିଡ଼ ସାଂସ୍କୃତିକ ଧାରା ପ୍ରଦର୍ଶିତ ହୋଇଛି। ଏସବୁ ମଧ୍ୟରେ ଶ୍ରୀଜଗନ୍ନାଥଙ୍କ ପବିତ୍ର ରଥଯାତ୍ରାରେ ବୋଲାଯାଉଥିବା “ଡାହୁକ ଗୀତ” ପ୍ରସଙ୍ଗଟି ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ଓ ଏହି ଆଲୋଚନାଟିର ମୁଖ୍ୟ ଆକର୍ଷଣ।
ଅଶ୍ଳୀଳ ପଦଲାଳିତ୍ୟ
ଓଡ଼ିଆ ସଂସ୍କୃତିରେ ବିଭିନ୍ନ ରଥରେ ଯଥା- ଶ୍ରୀଜଗନ୍ନାଥ, ବଳଭଦ୍ର, ସୁଭଦ୍ରା ଏବଂ ଲିଙ୍ଗରାଜଙ୍କ ରଥରେ ବୋଲା ଯାଉଥିବା ଗୀତକୁ “ଡାହୁକ ଗୀତ” କୁହାଯାଏ। ଶ୍ରୀଜଗନ୍ନାଥଙ୍କ ରଥଯାତ୍ରା ଓ ଶ୍ରୀ ଲିଙ୍ଗରାଜଙ୍କ ରଥଯାତ୍ରାରେ “ଡାହୁକ” ଭକ୍ତମାନଙ୍କୁ ଲକ୍ଷ୍ୟକରି ଅଶ୍ଳୀଳ ଶବ୍ଦ-ପଦଳାଳିତ୍ୟ ବିନ୍ୟାସ ମାଧ୍ୟମରେ ଗୀତ ଗାନ କରିଥାନ୍ତି। ପରିବେଶ, ପରିସ୍ଥିତି ଏବଂ ପ୍ରସଙ୍ଗକ୍ରମେ ‘ଗୀତସମୂହ’ର ଗଢ଼ଣରେ ସମାନତା ଥିଲା ଭଳି ଲାଗେ। ତାତ୍ତ୍ୱିକ ଅଧ୍ୟୟନ ଦୃଷ୍ଟିରୁ ବିଚାର କଲେ ଗୀତର ମର୍ମ ଓ ଗୂଢ଼ ଅର୍ଥ ପରିପ୍ରକାଶରେ ଅଧିକ ସମାନତା ରହିଚି ବୋଲି କୁହାଯିବ। ରଥ ଟାଣିବା ସମୟରେ ଡାହୁକ ଅଶ୍ଳୀଳ ପଦଲାଳିତ୍ୟ ପରିପୂର୍ଣ୍ଣ ଗୀତ ଖୁବ୍ ଜୋରରେ ବୋଲିଥାନ୍ତି। ଅବଶ୍ୟ ୧୯୯୭ ମସିହାରୁ ଶ୍ରୀମନ୍ଦିର ପ୍ରଶାସନ ଡାହୁକ ଗୀତକୁ ଅଶ୍ଳୀଳ କହି ବୋଲା ନ ଯିବା ନିମନ୍ତେ ନିଷେଧାଜ୍ଞା ଜାରି କରିଛନ୍ତି।

ବୌଦ୍ଧ ବ୍ରଜଯାନୀ ପରମ୍ପରାର କବି ହାଡ଼ିପା ଏକ ‘ବଚନିକା’ ଡାହୁକ ବୋଲୁଥିବା କଥା ଭି. ରାଜେନ୍ଦ୍ର ରାଜୁ ଉଲ୍ଲେଖ କରିଛନ୍ତି। ସେଇ ରଚନାର ଏକ ପଦ ହେଲା:
ଭଗତେ ହୋ,
ହାଡୁପା କହିଲେ ବାଇ ଏଠାରେ
(….) ଦରଶନ ସୁଖ ଅପାରେ
(….)ରେ ବାଜିଲେ (….)ର ମୁଣ୍ଡି
ତିନିଧାର ନାଳ ନିଅଇ ତେଣ୍ଡି
ଛ ଗଣ୍ଠି ଭେଦଇ ସେ ନାଳ ଯେବେ
ରମଣ କରିବୁ ଭକତେ ତେବେ।

ଉକ୍ତ ଗୀତରେ ଉଲ୍ଲିଖିତ ‘ଯୋନି’ ଓ ‘ଲିଙ୍ଗ’ ଯଥାକ୍ରମେ ଶକ୍ତି ଓ କାଳ ଅର୍ଥରେ ବ୍ୟବହୃତ। ଯଥା-“ଏ ଦୁହିଙ୍କ ଦୃଢ଼ ସଂଯୋଗରେ ସୃଷ୍ଟି ପ୍ରକାଶ ହେଲା। ଏ ତତ୍ତ୍ୱଟି ଅତି ପ୍ରାଚୀନ ଓ ଶୂନ୍ୟରୁ କାମହେତୁକ ସୃଷ୍ଟିର ଏହା ଇ ଆଦିମ ମୌଳିକ ଧାରଣା। ଶୂନ୍ୟରୁ ବ୍ୟକ୍ତି ବାହାରେ। ତା’ କିପରି? ଲିଙ୍ଗ ଓ ଯୋନିର ସଂଗମରେ ତା ହୁଏ। ଏହାଇ ଶୂନ୍ୟବାଦର ସ୍ୱାଭାବିକ ମୌଳିକ ନିଷ୍ପତ୍ତି। ସାରା ସୃଷ୍ଟିର ପ୍ରକାଶ ମଧ୍ୟ ସେପରି। ତାହୁଏ ଦେଶ ଓ କାଳର ସଂଗମରେ। ଦେଶରେ ପଞ୍ଚଭୂତର ପ୍ରକାଶ ଓ କାଳରେ ତା’ର ବିଚାର ବା ପରିଣାମ ଏଥିପାଇଁ ଦେଶରେ ବ୍ୟକ୍ତି ବା ଜଗତର ଜ୍ଞାନ ହୁଏ ଓ କାଳ ହେଉଚି ସେଇ ଜଗତର ନିତ୍ୟ ମୃତ୍ୟୁର ସଂକେତ” (ଦାସ ୨୦୧୧:୧୨୪)।
ଶ୍ରୀଜଗନ୍ନାଥ ମନ୍ଦିରର ପ୍ରଶାସନ ବ୍ୟବସ୍ଥାରେ ତଥା ଶ୍ରୀ ଶ୍ରୀ ପୁରୁଷୋତ୍ତମ ଜଗନ୍ନାଥ ମନ୍ଦିର ସେବକ ଖଟଣି ନିଯୋଗ ବିବରଣରେ ଡାହୁକମାନଙ୍କ ସମ୍ପର୍କରେ ଉଲ୍ଲେଖ କରାଯାଇଛି ଯେ “ଏଇ ଭୂଇଁଭୋଗୀ, ଏମାନେ ରଥବେଳେ ରଥ ଚଳାଇବେ। ମୋଡ଼ ବୋଲିବେ। ଅକଥା କହି ପରମେଶ୍ୱର ରଥ ରୋକାଇ ଆଗ ଜନମାନଙ୍କ ରୋକି ରଥଗତି ଉଣ୍ଡି ବେତ ଚଳାଇ ମୋଡ଼ କଥା କହିବେ। ସେ ସମସ୍ତ ରଥ ଚାଲିବେ।” (କାନୁନ୍‌ଗୋ ୨୦୨୩:୩୫୫)।
ଡାହୁକ ଗୀତର ଶାସ୍ତ୍ରୀୟତା
ଡାହୁକ ଗୀତର ଶାସ୍ତ୍ରୀୟତା ତଥା ପ୍ରଚଳନର ଭୂମିକା ସଂପର୍କରେ ଡକ୍ଟର ହରିହର କାନୁନ୍‌ଗୋ ପ୍ରଦାନ କରିଥିବା ତଥ୍ୟ ଓ ତାତ୍ତ୍ୱିକ ଆଲୋଚନା ଶ୍ରୀଜଗନ୍ନାଥ ସଂସ୍କୃତି ସହିତ ବୌଦ୍ଧ ସଂସ୍କୃତିର ସମନ୍ୱୟ ଓ ଶୂନ୍ୟବାଦର ଆରୋପଣ ଯଥାର୍ଥ ବୋଲି ବିଚାର କରାଯାଇପାରେ; କିନ୍ତୁ ପଣ୍ଡିତ ନୀଳକଣ୍ଠ ଦାସଙ୍କ ସିଦ୍ଧାନ୍ତ ଶ୍ରୀଜଗନ୍ନାଥ ଯେ ଶୂନ୍ୟବ୍ରହ୍ମ ଏହା ମଧ୍ୟ ଗ୍ରହଣଯୋଗ୍ୟ। ତାଙ୍କ କହିବା ଅନୁସାରେ “ଏହି ସ୍ୱରୂପରେ କର୍ମେନ୍ଦ୍ରିୟର ସୂଚନା ଥିବାରୁ କଳା ଜଗନ୍ନାଥରେ ହାତ ଦିଓଟିର ସଂକେତ। ତାପରେ ରଜୋରୂପିଣୀ ‘ଯୋଗମାୟା’ ପ୍ରଭୃତି।” (ଓ.ସା. କ୍ରମପରିଣାମ ୨୦୧୧:୧୨୯)। ଏସବୁ ସିଦ୍ଧାନ୍ତକୁ ଅନୁଧ୍ୟାନ କଲେ ଡାହୁକ ଗୀତର ପ୍ରାଚୀନତା ସଂପର୍କରେ ସୂଚନା ମିଳେ।

ରଥଯାତ୍ରା ଓଡ଼ିଆ ସଂସ୍କୃତିର ସ୍ୱତନ୍ତ୍ର ପରିଚିତି। ଶ୍ରୀଜଗନ୍ନାଥ, ବଳଭଦ୍ର ଓ ସୁଭଦ୍ରାଙ୍କୁ ଶାସ୍ତ୍ରୀୟ ମର୍ଯ୍ୟାଦାରେ ଶ୍ରୀମନ୍ଦିରରୁ ସମସ୍ତ ଔପଚାରିକ ରୀତିରେ ତିନି ରଥରେ ପ୍ରତିଷ୍ଠା କରାଇ ଅସଂଖ୍ୟ ଜନସମାଗମ ଭିତରେ ଶ୍ରୀଗୁଣ୍ଡିଚା ମନ୍ଦିରକୁ ଅଣାଯାଇଥାନ୍ତି। ଏଭଳି ଏକ ସାଂସ୍କୃତିକ ପୃଷ୍ଠଭୂମିରେ ତିନି ରଥ ଉପରେ ଡାହୁକମାନେ ଅଶ୍ଳୀଳ ପଦଲାଳିତ୍ୟ ପରିବେଷଣ କରିଥାନ୍ତି। ସାଂପ୍ରତିକ କାଳରେ ଡାହୁକ ଗୀତର ଅନାବଶ୍ୟକତାକୁ ଉପଲବ୍‌ଧିକରି ସେଗୁଡ଼ିକର ପରିବେଷଣ ରଦ୍ଦ କରାଯାଇଛି ଏବଂ ପାରମ୍ପରିକ ଗୀତ ବା ବୋଲିଗୁଡ଼ିକ ବର୍ଜନ କରାଯାଇ ନୂଆ ଗୀତ ପରିବେଷଣ କରାଯାଉଛି। ଜନସାଧାରଣଙ୍କ ଧାରଣା- ଡାହୁକ ଗୀତ ପୂର୍ଣ୍ଣମାତ୍ରାରେ ଅଶ୍ଳୀଳ। ଏହା ସୁସ୍ଥ, ସାଂସ୍କୃତିକ ଜୀବନଯାପନ ପାଇଁ ବାଧା ସୃଷ୍ଟି କରିପାରେ। ମାତ୍ର ତାତ୍ତ୍ୱିକ ଦୃଷ୍ଟିରୁ ବିଚାର କଲେ ଯେ ଡାହୁକ ଗୀତର ଆବଶ୍ୟକତା ନିଶ୍ଚିତ ଭାବରେ ରହିଥିଲା ଓ ଏବେ ମଧ୍ୟ ରହିଛି, ଏ ସଂପର୍କରେ ଆଲୋଚନା କରିବା ଉଚିତ୍ ହେବ।
ଶ୍ରୀଜଗନ୍ନାଥ ସଂସ୍କୃତି, ସର୍ବଧର୍ମ ସମନ୍ୱୟର ପୃଷ୍ଠଭୂମିରେ ପ୍ରତିଷ୍ଠିତ। ଏଠାରେ ଆର୍ଯ୍ୟ ସଂସ୍କୃତିର ପ୍ରାଧାନ୍ୟ ଯେଉଁଭଳି ଭାବରେ ପ୍ରତିଷ୍ଠିତ, ସେହିଭଳି ଭାବରେ ଦ୍ରାବିଡ଼ ଓ ମୁଣ୍ଡା ଓ ବୌଦ୍ଧ ସଂସ୍କୃତିର ଦର୍ଶନ ମଧ୍ୟ ପ୍ରଚଳିତ। ରଥଯାତ୍ରା ବୌଦ୍ଧ ସଂସ୍କୃତିର ଅବଦାନ। ଏହାର ପ୍ରାମାଣିକ ସୂତ୍ର ହିସାବରେ “ଡାହୁକଗୀତ” ଏକ ବଳିଷ୍ଠ ମାଧ୍ୟମ। ଡାହୁକ ଗୀତକୁ କେବଳ ଅଶ୍ଳୀଳ ପଦ ସଂଯୋଜନା କହିବା ଆଦୌ ସମୀଚୀନ ନୁହେଁ। କାରଣ ଆମେ ଯେଉଁସବୁ ଓଡ଼ିଆ ଶବ୍ଦଗୁଡ଼ିକୁ ଅଶ୍ଳୀଳ ବୋଲି ଧରି ନେଇଛେ ସେଗୁଡ଼ିକ ଶୂନ୍ୟବାଦରେ ଗୋଟିଏ ଲେଖାଏଁ ପ୍ରତୀକ। ପ୍ରତ୍ୟେକ ପ୍ରତୀକ ଅଭିଧା ଅର୍ଥ ବ୍ୟତୀତ ଲକ୍ଷଣାର୍ଥ ଓ ବ୍ୟଞ୍ଜନାର୍ଥ ପ୍ରତିପାଦନ କରିଥାଏ। ସାଧାରଣ ଲୋକଲୋଚନରେ “ଡାହୁକଗୀତ” ଅଶ୍ଳୀଳତାକୁ ସୂଚାଉଥିଲେ ହେଁ ଦାର୍ଶନିକତା ଦିଗରୁ ସେଗୁଡ଼ିକ ପୂର୍ଣ୍ଣତଃ ଶରୀର ତତ୍ତ୍ୱର ସ୍ପଷ୍ଟୀକରଣ କରାଏ।
ଭଗତେ ହୋ,
ନଈ କୂଳେ ଅଙ୍କରାନ୍ତି
ରାତି ଭରି ମୁହିଁ (….)ଥାନ୍ତି,
କାଲି ହେବ ସଙ୍କରାନ୍ତି।

ଡାହୁକ ବୋଲୁଥିବା ଏହି ପଂକ୍ତିଟିକୁ ବିଶ୍ଳେଷଣ କଲେ, ଏହାର ଅଭିଧା ଅର୍ଥ ଯଦିଓ ଅଶ୍ଳୀଳତାକୁ ସୂଚିତ କରୁଛି ମାତ୍ର ଏହାର ଦାର୍ଶନିକ ଅର୍ଥ ପ୍ରକାଶ କରୁଛି ଯେ ‘ଜୀବନ ନଦୀର ଗତିକୁ ସୁନିୟନ୍ତ୍ରଣ କରା ନ ଯିବାରୁ ଏହା ଅକାଳରେ ଶୁଖିଯାଉଛି।’ ନଈ କୂଳେ ଅଙ୍କରାନ୍ତି ପଦ ମାଧ୍ୟମରେ ଜୀବନର ଏହି ଦୁରବସ୍ଥାକୁ ସୂଚିତ କରାଯାଇଛି।
ହୋ ଭଗତେ
କାଳୀ ଗୋରୀ ଦିହେଁ ଗାଧେଇ ଗଲେ
ଭାଙ୍ଗିଲେ ଗଞ୍ଜେଇ ଡାଳ
କାଳୀ ପଚାରୁଛି ଗୋରୀକୁ
ତୋ (….)ରେ (….)ବାଳ।

ଉକ୍ତ ପଦରେ କାଳୀ ଓ ଗୋରୀ ଗାଧେଇ ଯିବା କଥା ସାଧାରଣ ଭାବରେ କୁହାଯାଇଥିଲେ ହେଁ ପଦ ମଧ୍ୟରେ ଯତିପାତ ଓ ଅକ୍ଷର ମେଳ ସାଙ୍ଗୀତିକତା ସୃଷ୍ଟି କରୁଚି। ଯାହା ଫଳରେ ଅଶ୍ଳୀଳ ଶବ୍ଦ ପଦଲାଳିତ୍ୟ ହେବା ଯୋଗୁଁ ଶ୍ରୁତିମଧୁର ହେବା ସହିତ ଶୂନ୍ୟବାଦର ରହସ୍ୟ ମଧ୍ୟ ପ୍ରତିପାଦିତ ହୋଇପାରିଚି। କାଳୀ ଓ ଗୋରୀ, ଗଞ୍ଜେଇ ଡାଳ, (….) ଓ (….) ଏସବୁ ଶବ୍ଦ ସାଙ୍କେତିକ ଭାବରେ ବ୍ୟବହୃତ ହୋଇଚି। କାଳୀ = ଇଳା, ଗୋରୀ = ପିଙ୍ଗଳା, (….) = ଶକ୍ତି, ବାଳ = ନୈରାଶ୍ୟ ଏବଂ ଗଞ୍ଜେଇ ଡାଳ = ଆସକ୍ତି ଇତ୍ୟାଦି ଅର୍ଥରେ ପ୍ରତିପାଦିତ କରାଯାଇପାରେ। ଅତଏବ ‘ଡାହୁକ ଗୀତ’କୁ ଶୂନ୍ୟବାଦର ସ୍ୱରୂପ ଓ ଦର୍ଶନ ଅଧ୍ୟୟନ କରାଯିବାର ମାର୍ଗ ବୋଲି ବିବେଚନା କରାଯାଇପାରିବ।
ଠିକ୍ ସାଧନା ବଳରେ ଜୀବନ ନଦୀ ଚିର ପୂର୍ଣ୍ଣଗର୍ଭା ଥାନ୍ତା, ଏଣୁ ଜୀବନକୁ ସବୁଦିନ ଉପଭୋଗ କରି ହେଉଥାନ୍ତା। କିନ୍ତୁ ସାଧନା ଅଭାବରୁ ନଦୀର ଅବସ୍ଥା ଏଭଳି ହୋଇଛି। ଜୀବନକୁ ଉପଭୋଗ କରିବା ପାଇଁ ପ୍ରବଳ ଆଗ୍ରହ ଥିଲେ ମଧ୍ୟ ଆଉ ଉପାୟ ନାହିଁ। କାରଣ ଏ ଜୀବନରେ ମାସାନ୍ତ ଉପସ୍ଥିତ ହୋଇଯାଇଛି। ତଥାପି ଏହା ପରେ ସଂକ୍ରାନ୍ତି ଆସିବ – ଏ ସମ୍ଭାବନା ମଣିଷ ମନରେ ଆଶ୍ୱାସନା ଆଣିଦେଉଛି।
ନୃତାତ୍ତ୍ୱିକ ବିଚାରଧାରା
ପ୍ରତ୍ୟେକ ସାହିତ୍ୟର ନୃତାତ୍ତ୍ୱିକ ବିଚାରଧାରା ରହିଛି। ଡାହୁକ ଗୀତ ଏ ଦିଗରୁ ଅତ୍ୟନ୍ତ ସ୍ପଷ୍ଟ ଓ ପ୍ରାଞ୍ଜଳ। ଡାହୁକ ଗୀତର ସବୁଠାରୁ ବଡ଼ ଉପଯୋଗିତା ହେଉଛି ଶ୍ରମ ଲାଘବ କରିବା ଓ ଯୌନ ଶକ୍ତିକୁ ସଚେତନ କରାଇବା। ପ୍ରାଚୀନ କାଳରେ ଉତ୍ତପ୍ତ ବାଲି ଉପରେ ରଥକୁ ଟାଣିବାପାଇଁ ଭକ୍ତମାନଙ୍କର ଏକାଗ୍ରତା ଓ ଶକ୍ତି ପ୍ରଦର୍ଶନପାଇଁ ଡାହୁକମାନେ ରଥରେ ବେତ ହଲେଇ ଗୀତ ବୋଲୁଥିଲେ। ଏହାରି ମାଧ୍ୟମରେ ଭକ୍ତମାନଙ୍କ ମଧ୍ୟରେ ଈଶ୍ୱରଙ୍କ ପାଖରେ ଆତ୍ମ ସମର୍ପଣ ଭାବ ଜାଗ୍ରତ କରାଯାଇଥିଲା। ଓଡ଼ିଶାର ବିଭିନ୍ନ ମୁଣ୍ଡା ଜନଜାତିମାନେ ‘ଦିରିଅର’ (ପଥରଟଣା) ଏବଂ ‘କାଜି ପାଆଳି’ ବା ଡାହୁକ ବୋଲି ଅର୍ଥାତ୍ ଅଶ୍ଳୀଳ ଭାଷାରେ ଗାଳି କରିବା ପରମ୍ପରା ପ୍ରଚଳିତ ରହିଚି (ହୋ ଜନଜାତି)। ଅନ୍ୟତ୍ର ରଥଯାତ୍ରାରେ ଉପସ୍ଥିତ ଅସଂଖ୍ୟ ଜନସାଧାରଣଙ୍କୁ ନିୟନ୍ତ୍ରଣ କରିବାପାଇଁ ଏଭଳି ବ୍ୟବସ୍ଥା ପ୍ରଚଳିତ ଥିଲା। ଯାହାଦ୍ୱାରା ଯୌନ ସମ୍ପର୍କୀୟ ଅଶ୍ଳୀଳ ଶବ୍ଦ ଶୁଣିଲା ପରେ ଭକ୍ତମାନେ ଲଜ୍ଜାରେ ନିଜକୁ ଆୟତ୍ତ କରୁଥିଲେ ଓ ଅନ୍ୟାନ୍ୟ ଅସାମାଜିକ କାର୍ଯ୍ୟଠାରୁ ଦୂରେଇ ରହୁଥିଲେ।
ଡାହୁକ ଗୀତକୁ କେବଳ ଅଶ୍ଳୀଳ ବୋଲି ବିଚାର ନ କରି ଏହାର ଉପଯୋଗିତା ଓ ଦାର୍ଶନିକ ଦିଗକୁ ଉପଲବ୍‌ଧି କରି ଲୋପ ପାଇଯାଉଥିବା ଏଇ ଲୋକ ପରମ୍ପରାକୁ ସଂରକ୍ଷଣ କରିବା ନିତାନ୍ତ ଆବଶ୍ୟକ। ଯୌନଶିକ୍ଷା ଓ ଯୌନ ଚେତନାର ବଳିଷ୍ଠ ମାଧ୍ୟମ ଭାବେ ବିବେଚିତ ହେଉଥିବା ଡାହୁକ ଗୀତ ବା ଡାହୁକ ବୋଲି ଓଡ଼ିଆ ସାଂସ୍କୃତିକ ଧାରାର ଏକ ଅଭିନବ ପରମ୍ପରା ଥିଲା, ଯାହାଦ୍ୱାରା ମଣିଷ ସୁସ୍ଥ ଓ ପ୍ରଗତିଶୀଳ ଜୀବନଯାପନ କରିବାର ଉତ୍ସାହ ଉପଲବ୍ଧି କରିଥାଏ। ଏଥିରେ ଡାହୁକ ଗୀତର ପ୍ରାଚୀନତତ୍ତ୍ୱ ଓ ଶୂନ୍ୟବାଦର ସାଂକେତିକ ଦର୍ଶନ ସହିତ ଶ୍ରୀଜଗନ୍ନାଥ ଓ ଶ୍ରୀଲିଙ୍ଗରାଜଙ୍କ ସଂପର୍କ ପ୍ରତିପାଦିତ ହୋଇଛି।

ସହାୟକ ପୁସ୍ତକ ତାଲିକା :
କାନୁନ୍‌ଗୋ, ହରିହର। ୨୦୨୩। ଶ୍ରୀଜଗନ୍ନାଥ ଓ ରଥଯାତ୍ରା। (ତୃତୀୟ ସଂସ୍କରଣ)।
କଟକ: ସତ୍ୟନାରାୟଣ ବୁକଷ୍ଟୋର।
ଦାସ, ନୀଳକଣ୍ଠ।୨୦୧୧। ଓଡ଼ିଆ ସାହିତ୍ୟର କ୍ରମ ପରିଣାମ। କଟକ: ଗ୍ରନ୍ଥ ମନ୍ଦିର।
ମହାପାତ୍ର, ସିଦ୍ଧେଶ୍ୱର।୧୯୯୭। ପୁରୀବୋଲି। ଭୁବନେଶ୍ୱର: ଓଡ଼ିଶା ସାହିତ୍ୟ ଏକାଡେମୀ।

(‘ସାହିତ୍ୟ ଚର୍ଚ୍ଚା’ ପତ୍ରିକାର ସେପ୍ଟେମ୍ବର, ୨୦୨୪ ସଂଖ୍ୟାରେ ପ୍ରକାଶିତ।)

One thought on “ଶ୍ରୀକ୍ଷେତ୍ରର ଡାହୁକ ଗୀତ

  1. ଡାହୁକ ଗୀତକୁ କେବଳ ଅଶ୍ଳୀଳ ପଦ ସଂଯୋଜନା କହିବା ଆଦୌ ସମୀଚୀନ ନୁହେଁ। ଠିକ୍ କଥା ।

Leave a Reply

Your email address will not be published. Required fields are marked *