ବାପୁ

  ଅନୀଲ କୁମାର ପାଢୀ

ବରପ୍ରାପ୍ତି ହୋଇଗଲା। ଯେ, ମୁଁ ମୃତ୍ୟୁଲୋକ ପର୍ଯ୍ୟନ୍ତ ଯାତ୍ରା କରିପାରିବି ଏବଂ ମୃତାତ୍ମାମାନଙ୍କୁ ସ୍ଥୁଳ ଶରୀରରେ ଦେଖି ବି ପାରିବି।
ହେଲେ, ଈଶ୍ବର ଏକ ସର୍ତ୍ତ ରଖିଲେ। କହିଲେ, ସନ୍ଦିପନୀଙ୍କ ପୁତ୍ରକୁ ମୁଁ ମୃତ୍ୟୁଲୋକରୁ ଫେରେଇଆଣିଥିଲି। ସୁଭଦ୍ରାଙ୍କ ଗର୍ଭରେ ମୃତ ପୁତ୍ରକୁ ଜୀବନ୍ୟାସ ଦେଇଥିଲି। ମୁଁ ଏ ସଂସାରର ନିୟମ ଉଲଂଘନ କରିଛି। ଏହାର ପ୍ରାୟଶ୍ଚିତ ସେବେ ହେବ, ଯେବେ ତମେ ଜଣେ ମାନବକୁ ମୃତ୍ୟୁଲୋକରୁ ଫେରେଇଆଣିବ! ନହେଲେ, ତମେ ତମର ସମସ୍ତ ଅଭିଜ୍ଞତା ପାଶୋରିପକାଇବ!


ମୋତେ ଏ ସର୍ତ୍ତରେ ବିଦ୍ରୁପ କରି ହସିବାକୁ ଇଚ୍ଛାହେଲା। ଯଦି ମୃତାତ୍ମାମାନଙ୍କୁ ଧରାକୁ ଫେରେଇଆଣିବାର ପ୍ରସ୍ତାବ ମୁଁ ରଖେ, ପ୍ରତିଟି ଆତ୍ମା ତ ଖୁସିରେ ପାଗଳ ହୋଇଯିବେ! ମୁଁ ହଁ ମାରିଲି।
ଶୂନ୍ୟପଥରେ ବହୁ ଆଲୋକବର୍ଷ ନିମିଷକେ ଅତିକ୍ରାନ୍ତ ହୋଇଗଲା। ଶେଷରେ ମୁଁ ଏକ ଅଦ୍ଭୁତ ରାଜ୍ୟରେ ପହଞ୍ଚିଲି ଯେଉଁଠି ଅନ୍ଧକାର ନୀଳାଭଥିଲା। ଗୋଟିଏ ତାରାପିଣ୍ଡ ସୂର୍ଯ୍ୟ ପରି ଥିଲା ସତ, ହେଲେ, ତାହାର ଉତ୍ତାପ ନଥିଲା। ସେ ଛାଇପରି ଦିଶୁଥିଲା।
ମୋ ଆଗରେ ପାରଦର୍ଶୀ ଏକ ଅନ୍ତହୀନ ଟନେଲ୍! ଭିତରେ ଅଗଣିତ ମଣିଷ ଚାଲିଛନ୍ତି ଆଗକୁଆଗକୁ। ସେ ଟନେଲ ଭିତରେ ବିଭିନ୍ନ କିସମର ରାସ୍ତା! ଗୋଟିଏ ରାସ୍ତାରେ ଭଙ୍ଗାକାଚ ବିଛେଇହୋଇପଡିଛି, ଆଉଗୋଟିଏରେ ମୂନିଆ କଣ୍ଟା! ଗୋଟିଏ ଆବୁଡାଖାବୁଡା ତ ଆଉଗୋଟେ ନିଆଁରେ ପ୍ରଜ୍ବଳିତ! ସେହି ରାସ୍ତା ଉପରେ ଚାଲିଛନ୍ତି ମଣିଷମାନେ! ଏମିତି ପ୍ରାୟ ତିନିଶ ଦିନ ଚାଲିବାକୁ ହେବ! ଷୋହଳଟି ଷ୍ଟେସନ ପାର୍ ହେଲେ ପଡିବ ଶମନାଳୟ!


ମୁଁ ସେହି ଭିଡଭିତରେ ଯନ୍ତ୍ରଣାରେ ସବୁଠାରୁ ଅଧିକ ଚିତ୍କାରକରୁଥିବା ଆତ୍ମାଟିକୁ ପାଖକୁ ଡାକିଲି।
କଷ୍ଟ ହେଉଛି! ମୁଁ ପଚାରିଲି।
ହଉଛି! ସେ କହିଲା।
ମୋ ସାଙ୍ଗରେ ପୃଥିବୀକୁ ଫେରିବାକୁ ଚାହୁଁଛ! ଏ କଷ୍ଟରୁ ମୁକ୍ତିପାଇବ! ମୁଁ ପ୍ରସ୍ତାବଦେଲି!
ନା! କହିଲା ଆତ୍ମା! ଯେବେହେଲେ ତ ଏ କଷ୍ଟ ଭୋଗିବାକୁ ହେବ ପରମାର୍ଥ ପୂର୍ବରୁ! ତେବେ, ଏବେ କାହିଁକି ନୁହଁ!
ପଚାରିଲି, ହେ ଆତ୍ମନ୍! ଧରାବକ୍ଷରେ ବି ତ କଷ୍ଟ ଭୋଗିପାରିଥାନ୍ତ! କଷ୍ଟରୁ ରକ୍ଷା ପାଇବା ପାଇଁ ବା କଷ୍ଟ ଭୟରେ ଯାବତୀୟ ପାପାଚାର ଧରାପୃଷ୍ଠରେ କରୁଥିଲ କାହିଁକି!
ଜଣଜଣ କରି ସଭିଙ୍କୁ ପଚାରିଲି। ଆତ୍ମୀୟସ୍ବଜନ, ଧନୀ ଓ ଗରୀବ ଆତ୍ମା! କେହି ପୃଥିବୀକୁ ଫେରିବାକୁ ଇଚ୍ଛୁକ ନୁହେଁ। ପିଲାଟିକୁ ଜନ୍ମଦେଇ ମରିଯାଇଥିବା ମା, ନବବିବାହିତା, ପୁଅ, କେହିବି! ସତରେ କଣ୍ ସ୍ବର୍ଗ ଏଡେ ଲୋଭନୀୟ!
ଶେଷରେ ଜଣେ ଆଣ୍ଠୁଲୁଚୁନଥିବା ତନ୍ତବୁଣା ଲୁଗା ପିନ୍ଧା, ହାଡୁଆ ଛାତିର ଫକୀର ସାଙ୍ଗରେ ଭେଟହେଲା। କୋଉଠି ଦେଖିଛି ବୋଧେ! ସେ କିଛି ତାବିଜ ତିଆରିକରୁଥିଲେ।
ଆଗରେ ସୁଦୀର୍ଘ ୨୩ ମାଇଲର ନରକପୁର। ଗେଟ୍ ବାହାରେ ଇଏ କରୁଛନ୍ତି କଣ୍! ପଚାରିଲି, ଆତ୍ମନ୍! ନରକପୁରୀରେ ଆତ୍ମାର ବିଚାରମୁତାବକ ସ୍ବର୍ଗ ଓ ନରକ ମିଳେ। ଆପଣ କଣ୍ ଦୁଇଟିଯାକ ସ୍ଥାନରୁ ବଞ୍ଚିତ!
ସେ ହସିଲେ। କହିଲେ, ସ୍ବର୍ଗରୁ ପ୍ରତିଦିନ ଆସୁଚି ଏଠାକୁ। ସେଠି ମନଲାଗୁନି! ସେଠି ବି ସେହି ଶାସକ – ଶାସିତ ଓ ସାମନ୍ତବାଦର ନିୟମ! ପୃଥିବୀ ଠାରୁ ବି ଜଘନ୍ୟ! ସେଠି ବି ଏ ଯନ୍ତ୍ରଣାରୁ ମୁକ୍ତିନାହିଁ, କାରଣ ସେମାନେ ଅମର!
ମୁଁ ଆଚମ୍ବିତ ହେଲି। ହେଲେ, ଏଠି ଆପଣ କରୁଛନ୍ତି କଣ୍!
ସେ ତାଙ୍କ ଛାତିରେ ଥିବା ଦୁଇଟି କ୍ଷତକୁ ଆଉଁସିଆଣି କହିଲେ, ତାବିଜ ଗଢୁଛି! ଧରାର ଦୁଃଖୀ ଅରଖିତମାନଙ୍କ ପାଇଁ! ଧୈର୍ଯ୍ୟର ତାବିଜ! ସହିବାର ତାବିଜ! ମୁଁ ଜାଣେ, ଦିନେ ପୃଥିବୀରୁ କେହି ନା କେହିଜଣେ ମୋତେ ନବା ପାଇଁ ଆସିବ ଓ ମୁଁ ପୃଥିବୀକୁ ଫେରିବି!
ମୁଁ ତାଙ୍କୁ ଚିହ୍ନିସାରିଥିଲି ଓ ମୁଁ ଜାଣିଥିଲି ଯେ ଯଦି ମୁଁ ୟାଙ୍କୁ ନେଇ ପୃଥିବୀକୁ ଯାଏ ସେଠି ଭୟଂକର ଅଘଟଣ ଘଟିଯିବ! ମୁଁ ଆସ୍ତେ ସେଠାରୁ ଖସିଆସିଲି!!

3 thoughts on “  ବାପୁ

Leave a Reply

Your email address will not be published. Required fields are marked *