ଓଡ଼ିଆ ସାହିତ୍ୟ ପ୍ରେକ୍ଷାପଟରେ ରେଙ୍ଗୁନ୍ ଓଡ଼ିଆଙ୍କ ଜୀବନଚିତ୍ର

ଓଡ଼ିଆ ଶ୍ରମିକମାନଙ୍କର ସଂଘର୍ଷ କାହାଣୀ ସେତେବେଳେ ପ୍ରକାଶ ପାଉଥିବା ବିଭିନ୍ନ ପତ୍ରପତ୍ରିକାରେ ପ୍ରକାଶିତ।

ଡ. ଶରତ କୁମାର ଜେନା

ବ୍ରହ୍ମଦେଶ (ଆଧୁନିକ ମିଆଁମାର) ସହିତ ଓଡ଼ିଶା (କଳିଙ୍ଗ)ର ସମ୍ପର୍କ ବହୁ ପୂର୍ବରୁ ପ୍ରତିଷ୍ଠିତ ହୋଇଥିବାର ଲକ୍ଷ୍ୟ କରାଯାଏ। ବ୍ରହ୍ମଦେଶର ପୂର୍ବନାମ ଥିଲା ବର୍ମା ବା ରେଙ୍ଗୁନ ଦେଶ। ବହୁ ପ୍ରାଚୀନ କାଳରେ ବ୍ରହ୍ମଦେଶକୁ ସୁବର୍ଣ୍ଣଭୂମି ବୋଲି କୁହାଯାଉଥିଲା। ଏହାର ସମୁଦ୍ରତଟଠାରୁ ଓଡ଼ିଶାର ସମୁଦ୍ରତଟର ଦୂରତା ମାତ୍ର ୧୭୮୦ କିଲୋମିଟର। ଉଭୟ ଦେଶର ଭୌଗୋଳିକ ଅବସ୍ଥିତି ଓ ପରିସ୍ଥିତି ହିଁ ସମ୍ପର୍କର ଉନ୍ନତି ପାଇଁ ସହାୟକ ହୋଇଉଠିଥିଲା।
ଐତିହାସିକମାନଙ୍କ ମତରେ ଦୁଇଦେଶ ମଧ୍ୟରେ ସମ୍ପର୍କ ଥିଲା ସୁଦୂରପ୍ରସାରୀ। ସେହି ସମୟରେ ବ୍ରହ୍ମଦେଶର ପେଗୁ ଅଞ୍ଚଳ କଳିଙ୍ଗ ନାମରେ ଏବଂ ତାର ଉତ୍ତର ପଶ୍ଚିମାଞ୍ଚଳ ଉତ୍କଳ ନାମରେ ପରିଚିତ ହୋଇଥିଲା।(୧) ପ୍ରାଚୀନ ବୌଦ୍ଧଗ୍ରନ୍ଥ ‘ମହାଜନ ଜାତକ’ ଓ ‘ସୁପାରକ ଜାତକ’ ପ୍ରଭୃତି ପୁସ୍ତକରେ କଳିଙ୍ଗ ଓ ବ୍ରହ୍ମଦେଶ ମଧ୍ୟରେ ଥିବା ସମ୍ପର୍କର ସୂଚନା ମିଳେ। ‘ମହାକର୍ମ ବିଭଙ୍ଗ’ ନାମକ ପୁସ୍ତକରେ କଳିଙ୍ଗ ଓ କୋଶଳର ସୌଦାଗରମାନେ ତାମ୍ରଲିପ୍ତ ବନ୍ଦରରୁ ବୋଇତ ଚଢ଼ି ସୁବର୍ଣ୍ଣଭୂମିକୁ ଯାତ୍ରା କରୁଥିଲେ ବୋଲି ବିବୃତ ହୋଇଅଛି। ‘ବୌଦ୍ଧଜାତକ’ରେ ଭାରତ ଓ ସୁବର୍ଣ୍ଣଭୂମି ବର୍ମା ମଧ୍ୟରେ ଥିବା ନୌବାଣିଜ୍ୟର ନାନାବିଧ ବର୍ଣ୍ଣନା ଥିବାର ଦେଖାଯାଏ। ‘ମହାଜନ ଜାତକ’ରେ ଅଛି, ଦଳେ ଭାରତୀୟ ବଣିକ ମହାଜନଙ୍କ ନେତୃତ୍ୱରେ ବୋଇତରେ ବହୁ ପଣ୍ୟଦ୍ରବ୍ୟ ନେଇ ସୁବର୍ଣ୍ଣଭୂମିକୁ ବାଣିଜ୍ୟ ଉଦ୍ଦେଶ୍ୟରେ ଯାତ୍ରା କରିଥିଲେ। (୨) ସେମିତି ସୁବର୍ଣ୍ଣଭୂମିର ଦଳେ ବଣିକ ଭାରତର ପଶ୍ଚିମ ଉପକୂଳ ପର୍ଯ୍ୟନ୍ତ ବୋଇତରେ ଆସି ଭୁରୁକୁଚ୍ଛ ବନ୍ଦରରେ ପହଞ୍ଚିଥିଲେ ଏବଂ ସେମାନଙ୍କ ଆମନ୍ତ୍ରଣ କ୍ରମେ ଭାରତୀୟ ବଣିକମାନେ ସୁବର୍ଣ୍ଣଭୂମିକୁ ଯାତ୍ରା କରିଥିଲେ। ‘ମହାକର୍ମ ବିଭଙ୍ଗ’ ନାମକ ଗ୍ରନ୍ଥରୁ କଳିଙ୍ଗ ଓ କୋଶଳର ବଣିକମାନେ ସୁବର୍ଣ୍ଣଭୂମିକୁ ଯିବା ନିମନ୍ତେ ତାମ୍ରଲିପ୍ତ ବନ୍ଦରରୁ ବୋଇତ ଭସାଇ ନେଇଥିଲେ। ରେଙ୍ଗୁନ ନିକଟସ୍ଥ ତୁଞ୍ଚେ ନାମକ ସ୍ଥାନରେ ଯେଉଁ ପ୍ରାଚୀନ ଜାହାଜର ଭଗ୍ନାବଶେଷ ମିଳିଛି, ତାହା କଳିଙ୍ଗ ବଣିକଙ୍କର ବୋଲି ବିଶେଷଜ୍ଞମାନେ ମତପୋଷଣ କରିଛନ୍ତି।

ନିବିଡ଼ ସମ୍ପର୍କ
ଅତଏବ ବର୍ମା ସହିତ ଓଡ଼ିଶାର ଏକ ନିବିଡ଼ ସମ୍ପର୍କ ରହିଥିଲା। ତେଣୁ ପରବର୍ତ୍ତୀ ସମୟରେ ଓଡ଼ିଶାର ଲୋକମାନେ ଅର୍ଥ ରୋଜଗାର ନିମନ୍ତେ ବର୍ମାର ରାଜଧାନୀ ରେଙ୍ଗୁନ ଯାଇ ବିଭିନ୍ନ କାମ କରୁଥିଲେ। ତେବେ ସେଠାରେ ତାଙ୍କର ଜୀବନ ଥିଲା ବେଶ୍‌, ସଂଘର୍ଷଶୀଳ ଓ ସମସ୍ୟା ଜର୍ଜରିତ।
ଊନବିଂଶ ଶତାବ୍ଦୀର ଶେଷଭାଗ ଓ ବିଂଶ ଶତାବ୍ଦୀର ଆଦ୍ୟ ଭାଗରେ ଓଡ଼ିଶାରେ ଯେଉଁ ନବଜାଗରଣ ଦେଖାଦେଇଥିଲା, ସେ ସମୟରେ ଓଡ଼ିଆ ଲୋକମାନଙ୍କ ଭିତରେ ଆତ୍ମସଚେତନତା ସୃଷ୍ଟି ହୋଇଥିଲା। ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତିର ସୁରକ୍ଷା ପାଇଁ ଓଡ଼ିଶା ଭିତରେ ଥିବା ଓଡ଼ିଆ ଲୋକଙ୍କ ଭିତରେ ଯେଭଳି ଜନସଚେତନତା ସୃଷ୍ଟି ହୋଇଥିଲା, ଓଡ଼ିଶା ବାହାରେ ରହୁଥିବା ଲୋକମାନଙ୍କ ଭିତରେ ମଧ୍ୟ ଜାଗରଣ ଦେଖାଦେଇଥିଲା। ବିଂଶ ଶତାବ୍ଦୀର ଆଦ୍ୟ ଭାଗରେ ଓଡ଼ିଶା ଏକ ଗରିବ ରାଜ୍ୟ ଥିଲା। ପ୍ରତ୍ୟେକ ବର୍ଷ ବନ୍ୟା ଓ ମରୁଡ଼ିରେ ଓଡ଼ିଶାର ଲୋକମାନେ ଆହୁରି ବ୍ୟତିବ୍ୟସ୍ତ ହେଉଥିଲେ। ତେଣୁ ଦାଦନ ନିମନ୍ତେ ବିଭିନ୍ନ ରାଜ୍ୟ ଓ ବିଦେଶ ଯାଉଥିଲେ। ୧୯୧୪ ମସିହା ବେଳକୁ ରୋଜଗାର କରିବା ଉଦ୍ଦେଶ୍ୟରେ ଗଞ୍ଜାମ ଜିଲ୍ଲାର ବହୁ ଶ୍ରମିକ ଶ୍ରେଣୀର ଲୋକ ବର୍ମା ଯାଇଥିଲେ। ସେତେବେଳେ ଓଡ଼ିଶାର ଆର୍ଥିକ ସ୍ଥିତି ଅତ୍ୟନ୍ତ ଖରାପ ଥିଲା। ତେଣୁ ଅର୍ଥ ରୋଜଗାର ଆଶାରେ ହଜାର ହଜାର ଓଡ଼ିଆ ଲୋକ ବର୍ମା (ମିଆଁମାର) ଯାଇଥିଲେ।
୧୯୩୦ ଜନଗଣନା ଅନୁସାରେ ବର୍ମାରେ ୪୩,୦୦୦ ଓଡ଼ିଆ ଲୋକ ଥିଲେ। ପରବର୍ତ୍ତୀ ସମୟରେ ଦୁଇଲକ୍ଷରୁ ଅଧିକ ଲୋକ ରେଙ୍ଗୁନ୍ ଯାଇଥିଲେ। ରେଙ୍ଗୁନ୍‌ରେ ଅବସ୍ଥାପିତ ବିଭିନ୍ନ କଳକାରଖାନାରେ କୁଲିଭାବରେ କାମ କରୁଥିଲେ। ଏତେ ଓଡ଼ିଆ କାମ କରୁଥିଲେ ମଧ୍ୟ ସେମାନଙ୍କ ମଧ୍ୟରେ ଏକତା ନ ଥିଲା। ଗୋଟିଏ କାରଖାନା ମଧ୍ୟରେ ଓଡ଼ିଆମାନେ ଏକାଠି ହୋଇପାରୁ ନ ଥିଲେ। ସେମାନେ କାର୍ଯ୍ୟକ୍ଷମ ଓ ପରିଶ୍ରମୀ ଥିଲେ। ତେଣୁ ବର୍ମାର କଳକାରଖାନାରେ ଅନେକ ଓଡ଼ିଆ ଶ୍ରମିକ ଓ ମିସ୍ତ୍ରି କାମ କରୁଥିଲେ। ଏହା ବ୍ୟତୀତ ଚାଷ କରିବା, ଧାନ କାଟିବା ଆଦି କାମ ମଧ୍ୟ କରୁଥିଲେ। ସେମାନେ କୌଣସି ନା କୌଣସି ମିସ୍ତ୍ରି ଅଧୀନରେ କାମ କରୁଥିଲେ। ସେହି ମିସ୍ତ୍ରିମାନେ ହିଁ ଶ୍ରମିକମାନଙ୍କୁ ଶୋଷଣ କରୁଥିଲେ। କାର୍ଯ୍ୟରେ ଯୋଗଦେବା ନିମନ୍ତେ ଯେଉଁ ଅର୍ଥ ପ୍ରଦାନ କରୁଥିଲେ ତା’ର ସୁଧ ଆଦାୟ କରୁଥିଲେ। ସେ ସୁଧ ଏତେ ବଢ଼ିଯାଉଥିଲା ଯେ ଅନେକ ଶ୍ରମିକ ମିସ୍ତ୍ରିର ଅର୍ଥ ଶୁଝି ନ ପାରି ସାରା ଜୀବନ ତା’ର ଅଧୀନରେ ରହୁଥିଲେ। ଓଡ଼ିଆ ଶ୍ରମିକମାନେ ନିଜ ପରିବାର ଛାଡ଼ି ସାରା ଜୀବନ ସେଇଠି ଅତିବାହିତ କରୁଥିଲେ। ସେମାନଙ୍କର ସେଇ ସଂଘର୍ଷ କାହାଣୀ ସେତେବେଳେ ପ୍ରକାଶ ପାଉଥିବା ବିଭିନ୍ନ ପତ୍ରପତ୍ରିକାରେ ପ୍ରକାଶିତ। ବିଂଶ ଶତାବ୍ଦୀର ଆରମ୍ଭରେ ଓଡ଼ିଶାରୁ ପ୍ରକାଶ ପାଉଥିବା ସାପ୍ତାହିକ ପତ୍ର ‘ନବୀନ’, ‘ଆଶା’, ‘ଡଗର’ ଆଦି ପତ୍ରପତ୍ରିକାରେ ରେଙ୍ଗୁନ୍‌ରେ ଅବସ୍ଥାପିତ ଓଡ଼ିଆଙ୍କ ଦୁର୍ଦ୍ଦିନ ଅବସ୍ଥାର ଚିତ୍ର ବର୍ଣ୍ଣିତ।
ଓଡ଼ିଆ ପ୍ରକାଶନ
ଏହା ବ୍ୟତୀତ ରେଙ୍ଗୁନ୍‌ରେ ବାସ କରୁଥିବା ଓଡ଼ିଆ ଲୋକଙ୍କ ସମସ୍ୟାକୁ ନେଇ ସେତେବେଳେ ଦୁଇଟି ପୁସ୍ତକ ପ୍ରକାଶ ପାଇଥିଲା। ପ୍ରଥମ ବହିଟି ହେଉଚି ‘ରେଙ୍ଗୁନ୍ ଗୀତ’, ଏହା ୧୯୨୯ ମସିହାରେ ପ୍ରକାଶିତ ହୋଇଥିଲା। ଏହାର ଲେଖକଥିଲେ ଗଞ୍ଜାମ ଜିଲ୍ଲାର ନିମପଦର ଗ୍ରାମର ଯୋଗୀ ମଲିକ। ପ୍ରକାଶକ ଥିଲେ ଅନନ୍ତ ଦାଶ ଶର୍ମା। ଏହା କଟକର ହରନାଥ ପ୍ରେସ୍‌ରେ ଛପାଯାଇଥିଲା। ଏହି ପୁସ୍ତକରେ ଓଡ଼ିଆ ଲୋକମାନଙ୍କ ରେଙ୍ଗୁନ୍ ଯାତ୍ରା, ଗୋପାଳପୁର ବନ୍ଦରରେ ଅବସ୍ଥାନ, ମିସ୍ତ୍ରିଙ୍କ ଶୋଷଣ, ଡଙ୍ଗାରେ ଦୀର୍ଘକାଳୀନ ଯାତ୍ରାର ଦୁଃଖ, ରେଙ୍ଗୁନ୍‌ରେ ପହଞ୍ôଚବା ପରେ ସେମାନଙ୍କ ସଂଘର୍ଷ, ଦୁଃଖ, ଯନ୍ତ୍ରଣାର ଚିତ୍ର ଗୀତ ଆକାରରେ ବର୍ଣ୍ଣିତ। ରେଙ୍ଗୁନ୍ ଗଲା ପରେ ଘରେ ଥିବା ତା’ର ପତ୍ନୀ ତା’ର ଭଲମନ୍ଦ ବୁଝିବା ପାଇଁ ଚିଠି ଲେଖେ। ରେଙ୍ଗୁନ୍ ଦେଶର ଖବର ଜାଣିଲେ ଅନ୍ତତଃ ସେ ଖୁସିହେବ। କବିତାର ଆରମ୍ଭରେ କାବ୍ୟ ନାୟିକା କବିଙ୍କୁ ପ୍ରଶ୍ନ କରିଛନ୍ତି-
କାନ୍ତ କହ କେମନ୍ତ ରେଙ୍ଗୁନ୍ ଦେଶ
କିନ୍ତୁ ଶୁଣିଲେ ମନ ହେବ ଉଲ୍ଲାସ।(୩)

ରେଙ୍ଗୁନ୍ ସମ୍ପର୍କରେ ଜାଣିବା ନିମନ୍ତେ ଘରର ପତ୍ନୀ ପତି ପାଖକୁ ଚିଠି ଲେଖି ପଠାଏ। ରେଙ୍ଗୁନ୍‌ର ଭାଷା କିଭଳି? ଘର କିଭଳି? କେତେ ଧାର୍ମିକ ଅଛନ୍ତି? କେତେ ପ୍ରକାର ମେସିନ୍ ଅଛି? – ଏଭଳି ପ୍ରଶ୍ନ ପଚାରିଥିବା ପତ୍ନୀ ନିମନ୍ତେ ପତି ତା’ର ପ୍ରତ୍ୟୁତ୍ତର ଦିଏ। ଚିଠିର ଉତ୍ତର ମାଧ୍ୟମରେ ରେଙ୍ଗୁନ୍ ଦେଶର ସାମଗ୍ରିକ ବର୍ଣ୍ଣନା ଓ ତା’ସହିତ ଓଡ଼ିଆ ଲୋକଙ୍କ ବିପର୍ଯ୍ୟୟ ଜୀବନ କଥା ବି ବର୍ଣ୍ଣିତ।
ରେଙ୍ଗୁନ୍ ଯିବା ପୂର୍ବରୁ ଗାଁ ଗାଁ ବୁଲି ମିସ୍ତ୍ରିମାନେ ଲୋକ ସଂଗ୍ରହ କରନ୍ତି। ସେମାନଙ୍କୁ ଅଧିକ ଅର୍ଥ ଆଦାୟ କରିବାର ଲୋଭ ଦେଖାନ୍ତି। ଲୋକମାନେ ଅତ୍ୟନ୍ତ ଗରିବ ହୋଇଥିବା ଯୋଗୁ ସେମାନଙ୍କ ପାଖରେ ଟଙ୍କା ନ ଥାଏ। ତେଣୁ ମିସ୍ତ୍ରିମାନେ ସେମାନଙ୍କୁ ଅଗ୍ରିମ ଟଙ୍କା ଦେଇ ଗୋପାଳପୁର ନିଅନ୍ତି। ତେଣୁ ସେମାନେ ରେଙ୍ଗୁନ୍ ଗଲାବେଳେ ନିଜ ପରିବାର ଭିତରେ କାରୁଣ୍ୟ ପରିବେଶ ସୃଷ୍ଟି ହୋଇଥାଏ। ସ୍ୱାମୀଙ୍କ ବିରହରେ ସ୍ତ୍ରୀମାନେ, ବାପାଙ୍କ ବିରହରେ ପୁଅଝିଅମାନେ ଦୁଃଖରେ ମୁଣ୍ଡପିଟି କାନ୍ଦନ୍ତି। ନିଜ ପୁଅକୁ ସମ୍ବୋଧନ କରି ମାଆ କହେ,
ଆୟକୁ ନିଅଂଟ ହୋଇଛି କିସ
ତୁହିଥିଲେ ବାବୁ ସବୁ ଅଛି ମୋର, ରେଙ୍ଗୁନ ଧନରେ ନାହିଁ ମୋ ଆଶ।(୪)

ସେତେବେଳେ ରେଙ୍ଗୁନ୍ ପ୍ରତି ଲୋକଙ୍କ ବୀତସ୍ପୃହ ଭାବ ଆସିଯାଇଥିଲା। ତେଣୁ ରେଙ୍ଗୁନ୍ ଯିବାକୁ କେହି ଚାହୁଁ ନ ଥିଲେ। କିନ୍ତୁ ଘରର ଆର୍ଥିକ ସ୍ଥିତି ଏତେ ଖରାପ ଯେ, ରେଙ୍ଗୁନ୍ ଯିବାକୁ ବାଧ୍ୟ ହେଉଥିଲେ।

ଶ୍ରମିକ-ଶୋଷଣ
ରେଙ୍ଗୁନ୍ ଯାଇ ସେମାନେ ମିସ୍ତ୍ରି ଅଧୀନରେ କାମ କରୁଥିଲେ। କେତେ ଘଣ୍ଟା କାର୍ଯ୍ୟ କରିବାକୁ ହେବ ତା’ର କିଛି ନିୟମ ନ ଥିଲା। ଠିକାଦାରମାନେ ମାଟି ଖୋଳା କାର୍ଯ୍ୟରେ, ପଥରବୁହା କାର୍ଯ୍ୟରେ ସବୁଥିରେ ଶ୍ରମିକମାନଙ୍କୁ ଠକୁଥିଲେ। କଣ୍ଟ୍ରାକ୍ଟରମାନେ ପଥର ଡବାକୁ ୪୦ ଟଙ୍କାରେ ବିକ୍ରି କରୁଥିଲେ। କିନ୍ତୁ ଶ୍ରମିକମାନେ ସେଥିରୁ ମାତ୍ର ୬ ଟଙ୍କା ପାଉଥିଲେ।
ଶ୍ରମିକମାନଙ୍କ ଖାଇବା ପିଇବା ନିମନ୍ତେ ଠିକାଦାରମାନଙ୍କ ଦୋକାନ ଥିଲା। ମାତ୍ର ଦୋକାନରେ ସବୁ ଜିନିଷ ଚଢ଼ାଦରରେ ବିକ୍ରି ହେଉଥିଲା। ଟଙ୍କା ଅଭାବରୁ ଶ୍ରମିକମାନେ ଅନ୍ୟ ଦୋକାନରୁ କିଣିପାରୁ ନ ଥିଲେ। ଠିକାଦାରମାନେ ଟଙ୍କା ଦେବାରେ ଏତେ ବିଳମ୍ବ କରୁଥିଲେ ଯେ କୁଲିମାନେ ବାଧ୍ୟହୋଇ ସେମାନଙ୍କ ଦୋକାନରୁ ହିଁ ଚଢ଼ାଦରରେ ଖାଉଥିଲେ। ହିସାବ ଶୁଣାଇ ଦେବା ପରେ ବର୍ଷ ବର୍ଷ ଧରି ସେମାନଙ୍କୁ ଟଙ୍କା ମିଳୁ ନ ଥିଲା। ପ୍ରତିଥର ସେମାନେ ମିସ୍ତ୍ରି ଓ ଠିକାଦାରମାନଙ୍କ ଦ୍ୱାରା ଶୋଷିତ ହେଉଥିଲେ। ଏ ମଧ୍ୟରେ ଯଦି କୁଲି ଓ ଠିକାଦାର ମଧ୍ୟରେ ମତଭେଦ ଘଟୁଥିଲା, ତେବେ ସବୁ ଟଙ୍କା ବୁଡ଼ିଯିବାର ବି ସମ୍ଭାବନା ଥିଲା।
କୌଣସି କୁଲି କାର୍ଯ୍ୟ କଲାବେଳେ ଦୁର୍ଘଟଣା ଘଟିଲେ କିମ୍ବା ସେ ମରିଗଲେ, ତା’ର ପରିବାର ଲୋକମାନେ କ୍ଷତିପୂରଣ ପାଇବାର ବିଧି ରେଙ୍ଗୁନ୍‌ରେ ନ ଥିଲା। ୧୯୩୫ ମସିହାରେ ଗଞ୍ଜାମ ଜିଲ୍ଲାର ଜଣେ ବ୍ୟକ୍ତି କୈବଲ୍ୟ ନାୟକ ଡିନାମାଇଟ୍ ବିସ୍ଫୋରଣରେ ମରିଗଲା ପରେ ତାଙ୍କ ଘରଲୋକଙ୍କୁ ଜଣାଗଲା ନାହିଁ। (ଆଶା, ୧୯୩୫) କାରଣ ଛଅ ମାସ ପର୍ଯ୍ୟନ୍ତ ଓଡ଼ିଶାକୁ ଖବର ଦିଅନ୍ତି ନାହିଁ। ଏଭଳି ଅନେକ ଅତ୍ୟାଚାର ଓଡ଼ିଆ ଶ୍ରମିକଙ୍କ ଉପରେ ପ୍ରତିଦିନ ହେଉଥିଲା। ଓଡ଼ିଆ ଶ୍ରମିକମାନଙ୍କର ସେଠାରେ କେହି ନିୟନ୍ତ୍ରଣକାରୀ ନ ଥିବାରୁ ଏପରି ହୋଇପାରୁଥିଲା। ତେଣୁ ୧୯୩୫ରେ ଓଡ଼ିଶାର ଜାତୀୟବାଦୀ କର୍ମୀମାନେ ଓଡ଼ିଆ ସମ୍ବାଦପତ୍ରରେ ପ୍ରକାଶ କରି ଲେଖିଥିଲେ- ଓଡ଼ିଶା ସରକାର ଗଠିତ ହେଲେ ଓଡ଼ିଆ ଶ୍ରମିକଙ୍କ ପାଇଁ ଜଣେ ଅଫିସର ଓ ଗୋଟିଏ ଅଫିସ୍ ବର୍ମାରେ ଖୋଲିବା ଆବଶ୍ୟକ। (ଆଶା,୧୯୩୫)
ଏକଦା ବର୍ମାରେ ଅନେକ ଅଞ୍ଚଳ ବଣ୍ୟଜନ୍ତୁ ପରିପୂର୍ଣ୍ଣ ନିବିଡ଼ ଅରଣ୍ୟ ଥିଲା। ଜଙ୍ଗଲ ଭୂମିକୁ ମନୁଷ୍ୟ ବାସୋପଯୋଗୀ କରିବାକୁ ଅଧିକାଂଶ କୁଲିଙ୍କର ଆବଶ୍ୟକତା ଥିଲା। ଓଡ଼ିଆ ଶ୍ରମିକମାନେ ଖୁବ୍ କମ୍ ଦିନରେ ଅନୁର୍ବର ପାର୍ବତ୍ୟ ଦେଶରେ କଳାକାରଖାନା, ହୋଟେଲ, କମ୍ପାନୀ, ବଜାର ଆଦି ଗଢ଼ିଦେଇ ସୁଶୋଭିତ କରିଦେଲେ। ତଥାପି ଓଡ଼ିଆମାନେ ସେଠାରେ ଚାକିରି ପାଇଲେ ନାହିଁ। କଳକାରଖାନାରେ ବସ୍ତାବୁହା କୁଲି ରୂପେ ଓଡ଼ିଆମାନେ ଅଶାନ୍ତ ଜୀବନଯାପନ କରୁଥିଲେ। ସେତେବେଳେ ସେଠାରେ ଓଡ଼ିଆମାନେ ବର୍ମା ଭାଷା ଶିଖିବା ନିମନ୍ତେ ଓଡ଼ିଶାରେ ‘ବର୍ମା ଭାଷା ଶିକ୍ଷା’ ନାମରେ ଗୋଟିଏ ବହି ବି ପ୍ରକାଶ ପାଇଥିଲା। ବର୍ମା ଭାଷାରେ କଳକୁ ‘ମେରା’ ବୋଲି କୁହାଯାଏ। ଏବେ ବି ‘ମେରା’ ଶବ୍ଦଟି ଗଞ୍ଜାମ ଜିଲ୍ଲାରେ ପ୍ରଚଳିତ ରହିଛି। ବ୍ରହ୍ମପୁର ସହରରେ ଗୋଟିଏ ସାହିର ନାମ ‘ଧାନମେରା’ ସାହି ଅର୍ଥାତ୍ ଧାନକଳ ଥିବା ସାହି।
ଓଡ଼ିଆଙ୍କ ସଂଖ୍ୟା
୧୯୩୪ ମସିହାରେ ବର୍ମା ପ୍ରବାସୀ ଓଡ଼ିଆଙ୍କର ଏକ ଚିତ୍ର ସାପ୍ତାହିକ ‘ନବୀନ’ (ଫେବୃୟାରୀ)ରେ ପ୍ରକାଶିତ। ସେଥିରେ ଲେଖାଯାଇଛି ଯେ – “ଭାରତ ବର୍ଷର ପ୍ରାୟ ସମସ୍ତ ପ୍ରଦେଶରେ କୋଟିଏରୁ ଅଧିକ ଲୋକେ ବର୍ମାରେ ରୋଜଗାର କରନ୍ତି। ଏମାନଙ୍କ ମଧ୍ୟରେ ଓଡ଼ିଆ ସଂଖ୍ୟା ଅନ୍ୟୂନ ୮୦,୦୦୦।”
୧୯୨୯ ମସିହା ମାର୍ଚ୍ଚ ୧୮ ତାରିଖରେ ‘ଆଶା’ ପତ୍ରିକାରେ ଲେଖାଯାଇଛି ଯେ – “ଏତେ କୁଲି ଓଡ଼ିଶାରୁ ବର୍ମାରେ କାମ କରନ୍ତି ସତ, କିନ୍ତୁ ସେମାନଙ୍କ ମଧ୍ୟରେ ଥିବା ନାନା ଅସହକାର୍ଯ୍ୟ ଦୂର ହୋଇପାରନ୍ତା।”
ସେତେବେଳେ ଗୋପାଳପୁରରୁ ରେଙ୍ଗୁନକୁ ଜଳଦୁର୍ଗା ଓ ଚିଲିକା ନାମରେ ଦୁଇଟି ଜାହାଜ ଯାତାୟାତ କରୁଥଲା। ଗୋପାଳପୁରରୁ ବୋଇତରେ ବସି ରେଙ୍ଗୁନ୍ ଗଲାବେଳେ ଲୋକଙ୍କ ଭୟକୁ ଲେଖକ ଅତି ମର୍ମସ୍ପର୍ଶୀ ଭାବେ ବର୍ଣ୍ଣନା କରିଛନ୍ତି। ବୋଇତରେ ବସିବାର ଅଭ୍ୟାସ ସମସ୍ତଙ୍କର ନ ଥାଏ। ସମୁଦ୍ର ଲହଡ଼ି ଦେଖି ସମସ୍ତେ ଭୟ କରିଥାନ୍ତି। ତେଣୁ ହରିବୋଲ ଡାକ ଦେଇଥାନ୍ତି। ବାନ୍ତି କରିବା ଆଶଙ୍କାରେ କେହି କେହି ଲେମ୍ବୁ ଧରି ଶୁଙ୍ଘୁଥାନ୍ତି। ପୁରୁଣା ଲୋକମାନେ ନୂଆଲୋକମାନଙ୍କୁ ଧୈର୍ଯ୍ୟ ଧରିବାକୁ କହୁଥାନ୍ତି। କେହି କେହି ଭୟରେ କାନ୍ଦୁଥାନ୍ତି। ଘରୁ କାହିଁକି ଆସିଲି ବୋଲି ନିଜକୁ ନିଜେ ପ୍ରଶ୍ନ ପଚାରୁଥାନ୍ତି। ବୋଇତରେ ବସି ନିଜ ଘର କଥା, ପରିବାରର କଥା, ଟଙ୍କା ରୋଜଗାରର ସ୍ୱପ୍ନ ଆଦି ବହୁ ଗପ କରିଥାନ୍ତି। ପରସ୍ପର ଭିତରେ କଥାବାର୍ତ୍ତା ହୋଇ କୌଣସି ପ୍ରକାରେ ରେଙ୍ଗୁନ୍‌ରେ ପହଞ୍ଚିଯାନ୍ତ। ରେଙ୍ଗୁନ୍‌ରେ ପହଞ୍ଚିଲା ପରେ ରେଙ୍ଗୁନ୍ ସହରକୁ ଦେଖି ଆଶ୍ଚର୍ଯ୍ୟ ହୁଅନ୍ତି। କବିଙ୍କ ଭାଷାରେ-
ରେଙ୍ଗୁନ୍ ସହର କେହୁ ପାରିବ କଳି
ଭିନ୍ନ ଭିନ୍ନ ପକା ଗୃହ ଭଳିକି ଭଳି।
କାହାର ଏକପୁର କାହାର ଦୁଇପୁର
କାର ପକା ତାଉଆ, କାହାର ଝିକର ନୂଆଁ।
ସ୍ୱର୍ଗପୁର ପରାଏ ଦିଗେ ନୁହଁଇ ବଳି।
ପଚାଶ ଦାଣ୍ଡରେ ଶହେ ଛପନ ଗଳି
ବତି ତେଜକୁ ରାତି, କରୁ ନ ଥାଏ ଭୀତି
ହଜାର ସେ ହଜାର, ବସିଅଛି ବଜାରର
ଶୋଭାକୁ କବି ବର୍ଣ୍ଣି ନୁହଁଇରେ। (ପୃ-୮)

କିଛି ଦିନ ରହିବା ପରେ ସେମାନଙ୍କ ସ୍ୱପ୍ନ ଭଙ୍ଗ ଘଟେ। ମିସ୍ତ୍ରିମାନଙ୍କ ଦ୍ୱାରା ଶୋଷିତ ହୁଅନ୍ତି। ରେଙ୍ଗୁନ୍ ଦେଶର ରାସ୍ତାଘାଟ ବଜାର ଅତୀବ ସୁନ୍ଦର ହେଲେ ମଧ୍ୟ ଓଡ଼ିଆ ଶ୍ରମିକମାନେ ନିର୍ଯାତନା ଭୋଗୁଥିବାରୁ ସେମାନେ ଏ ସୌନ୍ଦର୍ଯ୍ୟ ଉପଭୋଗ କରିପାରନ୍ତି ନାହିଁ। ଦୁଃଖ, ଅବସାଦ, ନିର୍ଯାତିତ ହୋଇ ବିନା ଟଙ୍କାରେ ଘରକୁ ଫେରନ୍ତି। ତାଙ୍କର ଆଶା ଆଶାରେ ହିଁ ରହିଯାଏ। ଓଡ଼ିଆ ଲୋକଙ୍କ ଏହି ଅବସୋସର ଚିତ୍ର ଏହି ପୁସ୍ତକରେ ବର୍ଣ୍ଣିତ।
ରେଙ୍ଗୁନ୍‌ରେ ପ୍ରଥମେ ‘ବର୍ମା ଓଡ଼ିଆ ପତ୍ରିକା’ ନାମରେ ଏକ ସାପ୍ତାହିକ ପତ୍ରିକା ପ୍ରକାଶ ପାଇଥିଲା। ଓଡ଼ିଆ ଶ୍ରମିକମାନଙ୍କର ବିଭିନ୍ନ ସମସ୍ୟା, ବର୍ମାର ରାଜନୀତିକ ପରିସ୍ଥିତି ସହିତ ସେଠାର ଅଧିବାସୀମାନଙ୍କ ସାମାଜିକ, ରାଜନୀତିକ ଓ ଆର୍ଥିକ ଅବସ୍ଥା ବିଷୟରେ ଏଥିରେ ଲେଖା ପ୍ରକାଶ ପାଇଥିଲା। ୧୯୪୦ ମସିହାରେ ‘ଲୋକଶିକ୍ଷା’ ନାମରେ ଅନ୍ୟ ଏକ ଓଡ଼ିଆ ପତ୍ରିକା ପ୍ରକାଶ ପାଇଲା। ୧୯୪୨ ମସିହା ବେଳକୁ ବର୍ମାରୁ ୫୮ ହଜାର ଓଡ଼ିଆ ଓଡ଼ିଶା ଫେରିଆସିଥିଲେ। ଫେରିଆସିଲାବେଳେ ସେମାନଙ୍କ ପାଖରେ ଆଦୌ ଟଙ୍କା ନ ଥିଲା। ତେଣୁ ଅନେକ ଲୋକ ଚାଲିଚାଲି ଦୁଇ ତିନି ମାସରେ ଘରକୁ ଫେରିଥିଲେ। ଅନେକ ଓଡ଼ିଆ ସେଠାରେ ବାସିନ୍ଦା ହୋଇ ରହିଯାଇଥିଲେ।
ବିଶ୍ୱଯୁଦ୍ଧ ପରିସ୍ଥିତି
ଦ୍ୱିତୀୟ ବିଶ୍ୱଯୁଦ୍ଧ ସମୟରେ ଜାପାନ୍ ୧୯୪୧ ଡିସେମ୍ବର ୨୩ ତାରିଖରେ ରେଙ୍ଗୁନରେ ଏବଂ ଡିସେମ୍ବର ୩୦ ତାରିଖରେ ଗୋପାଳପୁରରେ ବୋମା ମାଡ଼ କରିଥିଲା। ଫଳ ସ୍ୱରୂପ ଗୋପାଳପୁର ଓ ରେଙ୍ଗୁନ ମଧ୍ୟରେ ଥିବା ବାଣିଜ୍ୟିକ କାରବାର ବନ୍ଦ ହୋଇଯାଇଥିଲା। ୧୯୪୨ ମସିହାରେ ୫୮,୦୦୦ ଓଡ଼ିଆ ରେଙ୍ଗୁନରୁ ଫେରିଆସିଥିଲେ। ସେମାନେ ବାଂଲାଦେଶ, ଆସାମ ଓ ପଶ୍ଚିମବଙ୍ଗ ଦେଇ ତିନିମାସ ଧରି ନ ଖାଇ ନ ପିଇ ଚାଲି ଚାଲି ଘରକୁ ଫେରିଥିଲେ। କାରଣ ସେତେବେଳେ ସେମାନଙ୍କ ପାଖରେ ଆଦୌ ପଇସା ନ ଥିଲା। ଯେଉଁମାନେ ଆସିବାକୁ ଅକ୍ଷମ ଥିଲେ ସେମାନେ ମିଆଁମାରରେ ପରିବାର ବସେଇ ରହିଗଲେ। ସେ ସମୟରେ ମୋ ସାନଅଜା ରେଙ୍ଗୁନରୁ ଚାଲି ଚାଲି ଘରକୁ ଫେରି ଆସିଥିଲେ, କିନ୍ତୁ ମୋ ଅଜା ନାରାୟଣ ଭୂୟାଁ ଫେରିନପାରି ରେଙ୍ଗୁନରେ ରହିଯାଇଥିଲେ। ବର୍ତ୍ତମାନ ମଧ୍ୟ ମହାନ୍ତି, ପାଇକ, ଆଚାରି, ଦଳବେହେରା, ପାତ୍ର, ପ୍ରଧାନ, ଦାସ, ଭୂୟାଁ ଆଦି ଓଡ଼ିଆ ସଂଜ୍ଞାଧାରୀ ୨୦,୦୦୦ରୁ ଅଧିକ ଲୋକ ରେଙ୍ଗୁନରେ ବାସ କରୁଛନ୍ତି।
୧୯୩୭ ମସିହାରେ ରେଙ୍ଗୁନ୍‌ରେ ଯେଉଁ ପ୍ରଳୟଙ୍କରୀ ବନ୍ୟା ହୋଇଥିଲା ତା’ର ଭୟାବହ ଚିତ୍ର ରହିଛି ଅନ୍ୟ ଏକ ପୁସ୍ତକ ‘ରେଙ୍ଗୁନ୍ ବଢ଼ି ଗୀତ’ରେ। ଏହି ଗୀତ ବହିର ରଚୟିତା ହେଉଛନ୍ତି ଓଡ଼ିଶାର ନୟାଗଡ଼ ଜିଲ୍ଲା ଅନ୍ତର୍ଗତ ବିଦ୍ୟାଧର ସାହୁ। ପୁସ୍ତକଟି ରେଙ୍ଗୁନ୍‌ରେ ବର୍ମା ସମାଚାର ପ୍ରେସ୍‌ରେ ଛପାଯାଇଥିଲା। ଅତଏବ ସେତେବେଳକୁ ବର୍ମାରେ ଓଡ଼ିଆ ପ୍ରେସ୍ ବି ରହିଥିଲା। ଓଡ଼ିଆ ସଙ୍ଗଠନ, ଓଡ଼ିଆ ପତ୍ରପତ୍ରିକା ଓ ପୁସ୍ତକ ମାଧ୍ୟମରେ ଓଡ଼ିଆ ଲୋକଙ୍କ ଭିତରେ ଜାଗରଣ ସୃଷ୍ଟି କରିଥିଲେ। ମାତ୍ର ୫୭ଟି ପଦ ଥିବା ଏହି ଛୋଟିଆ ବହିରେ ରେଙ୍ଗୁନ୍‌ରେ ହୋଇଥିବା ଭୟଙ୍କର ବନ୍ୟା ଯେ, ପରିବାର ଲୋକମାନେ ସମସ୍ତେ ଧରାଧରି ହୋଇ ଭାସିଗଲେ। ଧନଲୋଭରେ ଯେଉଁମାନେ ଘରୁ ବାହାରିଲେ ନାହିଁ, ସେମାନେ ସେଠାରେ ହିଁ ପାଣିରେ ବୁଡ଼ିମଲେ। ଛେଳି, ମେଣ୍ଢାମାନେ ଶୂନ୍ୟ ହୋଇଗଲେ। କୁକୁର ବିଲେଇ କେହି ବି ରକ୍ଷା ପାଇଲେ ନାହିଁ। କବିଙ୍କ ଭାଷାରେ – ‘ତୁଟିଗଲା ସର୍ବଶିରୀ, ଘୋଟିଗଲା ତିନି ଦଶା କିପରି କାନ୍ଦୁଛନ୍ତି ଦଇବ ସୁମରି।’ ଗୋଟିଏ ଘର ଭିତରେ ଥିବା ୧୫ ଜଣ ଏକାଠି ଭାସିଗଲେ ତା’ର କରୁଣ ଦୃଶ୍ୟ ବି ଦେଖିବାକୁ ମିଳେ। ସେଥିରୁ ଜଣେ ଲୋକ ଗୋଟିଏ କାଠଗଣ୍ଡିକୁ ଧରିଲା ବେଳକୁ ସେ କାଠରେ ଗୋଟିଏ ସାପ ବସିଛି। ଅନ୍ୟପଟରେ ଗୋଟିଏ ମାଙ୍କଡ଼ ବସିଛି। ସେତେବେଳେ ଭଗବାନଙ୍କୁ ସ୍ମରଣ କରିବା ବ୍ୟତୀତ ଅନ୍ୟ ଗତି ନାହିଁ। ସେତେବେଳେ କେହି କାହାକୁ ଆକ୍ରମଣ କରନ୍ତି ନାହିଁ। କୂଳରେ ଲାଗିଲା ପରେ ସମସ୍ତେ ନିଜ ନିଜ ରାସ୍ତାରେ ଯାଆନ୍ତି। ଏଭଳି ପରିସ୍ଥିତିରେ ଲୋକମାନେ ଖାଦ୍ୟ ପାଇଲେ ନାହିଁ।
ସେତେବେଳେ ବର୍ମାରେ ରହୁଥିବା ଓଡ଼ିଆମାନେ ବି ବହୁ ସମସ୍ୟାରେ କାଳ କାଟିଥିଲେ। ଓଡ଼ିଆ ଲୋକମାନେ ସେଠାରେ କିଭଳି ଶ୍ରମିକ କାମ କରୁଛନ୍ତି, ବାଲି, ପଥର ବୋହୁଛନ୍ତି, ତା’ର ଚିତ୍ର ମଧ୍ୟ ଲେଖକ ପ୍ରଦାନ କରିଛନ୍ତି।
ଆଲୋଚ୍ୟ ଦୁଇଟିଯାକ ପୁସ୍ତକ ଓଡ଼ିଆରେ ରଚନା ହୋଇଥିଲେ ମଧ୍ୟ ଏଥିରେ ରେଙ୍ଗୁନ୍‌ର ଚିତ୍ର ସହ ଓଡ଼ିଆ ଚରିତ୍ରକୁ ସ୍ଥାନ ଦିଆଯାଇଛି। ପ୍ରବାସରେ ରହୁଥିବା ଓଡ଼ିଆ ଲୋକ ଏହି ପୁସ୍ତକ ମାଧ୍ୟମରେ ନିଜର ଆତ୍ମପରିଚିତି ଅନ୍ୱେଷଣ କରୁଥିଲେ। ରେଙ୍ଗୁନ୍‌ର ଦୁଃଖଦ ଅନୁଭୂତି, ଅପାସୋରା ସ୍ମୃତି ହିଁ ଏହି ଦୁଇଟି ପୁସ୍ତକର ଅନ୍ତଃସ୍ୱର।
ସହାୟକ ସୂଚୀ :
୧. ଓଡ଼ିଶା ଇତିହାସ (୧ମ ଭାଗ), ଯଜ୍ଞ କୁମାର ସାହୁ, ପୃ-୩୨୯
୨. ପ୍ରାଚୀନ ଉତ୍କଳର ନୌବାଣିଜ୍ୟ, ରବୀନ୍ଦ୍ରନାଥ ସାମଲ, ସୁବର୍ଣ୍ଣଶ୍ରୀ ପ୍ରକାଶନୀ, ବାଲେଶ୍ୱର, ୧ମ ସଂ, ୨୦୧୩, ପୃ-୩୯
୩. ରେଙ୍ଗୁନ ଗୀତ, ଯୋଗୀ ମଳିକ, ହରନାଥ ପ୍ରେସ୍‌, କଟକ, ୧୯୨୯, ପୃ-୧
୪. ତତ୍ରୈବ, ପୃ-୪
୫. ତତ୍ରୈବ, ପୃ-୪
୬. ରେଙ୍ଗୁନ ବଢ଼ି ଗୀତ, ବିଦ୍ୟାଧର ସାହୁ, ରେଙ୍ଗୁନ ସମାଚାର ପ୍ରେସ, ୧୯୩୭, ପୃ-୨

(‘ସାହିତ୍ୟ ଚର୍ଚ୍ଚା’ ପତ୍ରିକାର ସେପ୍ଟେମ୍ବର, ୨୦୨୪ ସଂଖ୍ୟାରେ ପ୍ରକାଶିତ।)

3 thoughts on “ଓଡ଼ିଆ ସାହିତ୍ୟ ପ୍ରେକ୍ଷାପଟରେ ରେଙ୍ଗୁନ୍ ଓଡ଼ିଆଙ୍କ ଜୀବନଚିତ୍ର

  1. ଓଡ଼ିଆଙ୍କ ମର୍ମନ୍ତୁଦ କାହାଣୀ। ଓଡ଼ିଆରେ ରେଙ୍ଗୁନ୍‌କୁ ରଙ୍ଗଣି କୁହାଯାଉଥିଲା।

  2. ଚମତ୍କାର ଗବେଷଣାଧର୍ମୀ ଆଲୋଚନା। ବୋଧହୁଏ ବର୍ତ୍ତମାନ ସମୟର ଅନେକ ଓଡ଼ିଆ ଏ ସମ୍ପର୍କରେ ବିଶେଷ କିଛି ଯାଣି ନଥିବେ। କିନ୍ତୁ ଏହା ସତ୍ୟ ଯେ ସେତେବେଳର ବର୍ମା ଏବଂ ଓଡ଼ିଶା ମଧ୍ୟରେ ବିଭିନ୍ନ ପ୍ରକାରର ଭାବର ଆଦାନ ପ୍ରଦାନ ରହିଥିଲା। ଏହା ସହିତ ଓଡ଼ିଆମାନେ ଜୀବନ ଜୀବିକା ଅନ୍ୱେଷଣରେ ସେତେବେଳର ବର୍ମା ଯାଉଥିଲେ। ଏହା ନିଶ୍ଚିତଭାବେ ଚିନ୍ତାଜନକ ଓ ଆଲୋଚନାର ବିଷୟ।

Leave a Reply

Your email address will not be published. Required fields are marked *