ଏହି ଶିରୋନାମା ହୁଏତ ପାଠକଙ୍କୁ ଆଚମ୍ବିତ କରୁଥାଇପାରେ ଏବଂ ସେମାନେ ଭାବୁଥାଇପାରନ୍ତି ଯେ ବହି ବା ସାହିତ୍ୟକୁ ଆମେ ଏବେ କେଉଁ ଏକ ଭିନ୍ନ ଦୁନିଆକୁ ଘେନିଗଲେଣି! ଗୋଟିଏ ଦୃଷ୍ଟିରୁ ଦେଖିଲେ, ଏହି ତତ୍ତ୍ୱଟି ତିନୋଟି ଦିଗର ଏକ ମିଶ୍ରଣ; (୧) ସର୍ଜନ କଳା (ବହି), (୨) ବିଜ୍ଞାନ (କାର୍ବନ୍) ଓ (୩) ହିସାବ ଶାସ୍ତ୍ର (ରେଟିଂ)। ବର୍ତ୍ତମାନ ବହି ଓ ପତ୍ରପତ୍ରିକାମାନଙ୍କ ଜରିଆରେ ପ୍ରକାଶିତ ହେଉଥିବା ଜ୍ଞାନ ଓ ସାହିତ୍ୟର ଭଣ୍ଡାରକୁ ବିବେଚନା କରିବାର ଏକ ନୂଆ ଆଧାର ଭାବରେ ମୁଣ୍ଡ ଟେକିଛି ଏହି କାର୍ବନ୍ ରେଟିଂ ପ୍ରଣାଳୀ। ପାଶ୍ଚାତ୍ୟ ଦେଶଗୁଡ଼ିକରେ ବହିମାନଙ୍କର ବର୍ଗୀକରଣ କରାଯାଉଛି ଏହି ନୂଆ ପଦ୍ଧତିରେ।
ଗୋଟିଏ ତଥ୍ୟ ପ୍ରତି ଲକ୍ଷ୍ୟ କରାଯାଉ। ୩୬୦ ପୃଷ୍ଠାର ବନ୍ଧେଇ ହୋଇଥିବା ଏକ ବହିର ‘କାର୍ବନ୍ ଡାଇଅକ୍ସାଇଡ୍ ଇକୁଇଭାଲେଣ୍ଟ ରେଟିଂ’ (ଯାହାକୁ CO2eରେ ପ୍ରକାଶ କରାଯାଏ) ହେଉଛି ୧.୨ କିଲୋ। ସେହିପରି ବନ୍ଧେଇ ହୋଇନଥିବା ଗୋଟିଏ ପେପରବ୍ୟାକ୍ ବହିର ରେଟିଂ ହେଉଛି ୧.୦ କିଲୋ। ଅର୍ଥାତ୍ ବହିଟି ଯେତିକି କମ୍ ଓଜନର ହେବ ବା ଯେତିକି ଛୋଟ ଆକାରର ହେବ ତାହାର କାର୍ବନ୍ ରେଟିଂ ସେତିକି କମ୍ ହେବ। ସେହି ବହିକୁ ଯଦି ଥରେ ଗୋଟିଏ ଇ-ବୁକ୍ କିମ୍ବା ଡିଜିଟାଲ୍ ବହି ଭାବରେ ପଢ଼ାଯାଏ ତେବେ ତାହାର ରେଟିଂ ଆହୁରି କମ୍ ହେବ। ବହିଟିଏ ଗଢ଼ିବା ପାଇଁ କେତେକ ପରିମାଣରେ ଗଛ କଟାଯିବା ଆବଶ୍ୟକ ହୋଇଥାଏ, ସେଥିପାଇଁ କେତେ ବିଦ୍ୟୁତ୍ ବିନିଯୋଗ ହୋଇଥାଏ, ତାହାର ପରିବହନରେ କେତେ ପରିମାଣର ଡିଜେଲ୍ ବ୍ୟୟ ହୁଏ, ଇତ୍ୟାଦି ସବୁଥିର ହିସାବ କରାଯାଏ ଗୋଟିଏ ବହିର କାର୍ବନ୍ ରେଟିଂ ନିର୍ଣ୍ଣୟ କରିବାବେଳେ। ଅର୍ଥାତ୍ ମୋଟା ଆକାରର ବହିଟିଏ ଛପାଇ ତାହାକୁ ପାଠକଙ୍କ ପର୍ଯ୍ୟନ୍ତ ପହଞ୍ଚାଇବାରେ ଆମେ ପର୍ଯ୍ୟାବରଣର ଯେତିକି କ୍ଷତି କରୁ, ସରୁ ବହିଟିଏ ପାଇଁ ସେତିକି କରୁନା। ଗୋଟିଏ ବହିକୁ ଥରଟିଏ ଡିଜିଟାଲ ବା ଇ-ବୁକ୍ ରୂପରେ ପଢ଼ିଲେ ମଧ୍ୟ କମ୍ କାର୍ବନ ଉତ୍ସର୍ଜନ ହୁଏ। ଇ-ବୁକ୍ ପାଇଁ ବ୍ୟବହୃତ ହେଉଥିବା ବିଜୁଳି ଓ ଏହାକୁ ପଢ଼ିବା ପାଇଁ ଆବଶ୍ୟକ ହେଉଥିବା ଉପକରଣଗୁଡ଼ିକର ନିର୍ମାଣ ବେଳେ ସୃଷ୍ଟି ହେଉଥିବା କାର୍ବନ୍ ଉତ୍ସର୍ଜନ ପ୍ରଭୃତି ବହୁ ଦିଗକୁ ଏଥିପାଇଁ ବିଚାରକୁ ନିଆଯାଏ।
ବିଶ୍ୱର କେତେକ ପ୍ରାନ୍ତରେ ଏବେ ଅଧିକ ପୃଷ୍ଠାର ବହି, ଖବରକାଗଜ ଓ ପତ୍ରିକାମାନଙ୍କ ବିରୁଦ୍ଧରେ ଏକ ଜନମତ ସୃଷ୍ଟି ହେଉଛି। କେବଳ ପର୍ଯ୍ୟାବରଣ ପ୍ରତି ସେମାନେ କରୁଥିବା କ୍ଷତି ଦୃଷ୍ଟିରୁ ନୁହେଁ, ଅନ୍ୟ କେତେକ କାରଣରୁ ମଧ୍ୟ ଛୋଟ ଛୋଟ ବହି ଓ ପତ୍ରପତ୍ରିକାର ଲୋକପ୍ରିୟତା ବଢ଼ିଚାଲିଛି। ବର୍ତ୍ତମାନ ମଣିଷର ଜୀବନଶୈଳୀ ତଥା ବଂଚିବାର ପ୍ରତିଦ୍ୱନ୍ଦ୍ୱିତା ଏତେ ପ୍ରଖର ଓ ଗତିଶୀଳ ହୋଇପଡ଼ିଛି ଯେ ସେ ଆଉ ଚାଲୁନାହଁ, ଦଉଡ଼ୁଛି କେବଳ। ଶାନ୍ତିରେ ଟିକିଏ ନିଃଶ୍ୱାସ ନେବାପାଇଁ ତା’ ପାଖରେ ନା ଅଛି ସମୟ, ନା ଧୈର୍ଯ୍ୟ। ସେ ଆଉ ଓଜନିଆ ବହି ବା ପତ୍ରପତ୍ରିକା ସବୁ ପଢ଼ିବ ବା କେତେବେଳେ? ତେଣୁ ସେ ଖୋଜୁଛି ସଂକ୍ଷିପ୍ତ ସାହିତ୍ୟ। ଉପନ୍ୟାସରୁ ଆସି ଉପନ୍ୟାସିକା, ପୁଣି ଉପନ୍ୟାସିକାରୁ ଆସି କ୍ଷୁଦ୍ରଗଳ୍ପ, ଏବଂ ଶେଷକୁ କ୍ଷୁଦ୍ରଗଳ୍ପରୁ ଆସି ମିନିଗଳ୍ପ ପାଖରେ ସେ ପହଞ୍ଚିଗଲାଣି। ଗୋପୀନାଥ ମହାନ୍ତିଙ୍କ ୧୦୩୬ ପୃଷ୍ଠା ବିଶିଷ୍ଟ ଉପନ୍ୟାସ ‘ମାଟିମଟାଳ’ରୁ ପାଠକ ଆଜି ଆସି ପହଞ୍ଚିଛି ସଦାନନ୍ଦ ତ୍ରିପାଠୀଙ୍କ ମାତ୍ର ତିନୋଟି ଶବ୍ଦର ଗଳ୍ପ, ‘ଆଉ କଣ ଅଛି’ ପାଖରେ।
କିନ୍ତୁ ଲକ୍ଷ୍ୟ କରିବାର କଥା ଯେ ଆଜି ନୂଆ ପିଢ଼ିର ପାଠକ ସଂକ୍ଷିପ୍ତ ସାହିତ୍ୟକୁ ପସନ୍ଦ କରିବାର ଅର୍ଥ ନୁହେଁ ଯେ ସାହିତ୍ୟର ମାନରେ ସେ କୌଣସି ସାଲିସ୍ ଚାହେ। ଏଣୁ ଦିନ ଆସିବ, ଆମ ଭାଷାରେ ପୃଥୁଳକାୟ ବହି ଅପେକ୍ଷା ଉଚ୍ଚମାନ ସମ୍ପନ୍ନ ଚଟିବହିଗୁଡ଼ିକ ଅଧିକ ଆଦୃତ ହେବ। ଏହି ସ୍ରୋତକୁ ଆମେ ଅଟକାଇ ପାରିବା ନାହିଁ।
ନିହାର ଶତପଥୀ
(‘ସାହିତ୍ୟ ଚର୍ଚ୍ଚା’ ପତ୍ରିକାର ନଭେମ୍ବର, ୨୦୨୪ ସଂଖ୍ୟାରେ ପ୍ରକାଶିତ ସମ୍ପାଦକୀୟ। )