ଖାନନଗରରେ ଦିନେ

ଜିଅନ୍ତାରେ ବୁଢ଼ାକୁ ପଚାରୁ ନ ଥିବେ, ମଲାପରେ ପତିଆରା ଯେ ନ କହ।

ଡାକ୍ତର ଅଭୟ ଦାଶ 

(ଖାନନଗର ଶ୍ମଶାନଘାଟ। ବସିଛନ୍ତି ଦୁଇଜଣ। ମଡାଚଣ୍ଡିଆ ଧୋବେଇ, ପରମା ଓ ଧନିପଣ୍ଡାଙ୍କ ପ୍ରବେଶ। ପଛରେ ଜଳୁଥିବା ଜୁଇର ଦୃଶ୍ୟ।)
ଧୋବେଇ – କଣ ପଣ୍ଡିତେ, ଆଜି କାହିଁ ଖାଲି ଖାଲି ଲାଗୁଛ? କେହି ମିଳିନାହାନ୍ତି କି?
ଧନିପଣ୍ଡା – ନାଇଁ ବେ ! କହନା ଶଳା, ସବୁ ତ ସ୍ୱର୍ଗଦ୍ବାର ଧାଇଁଲେ,ଏ ଖାନନଗରକୁ ପଚାରେ କିଏ?
ପରମା – ସତ କହିଲ ଗୋସେଇଁ ! ଏ ଶଳା ଉପୁରି ପଇସା ପରା ବାଉଳା କରିଛି। ନହେଲେ କଟକ ବଡଡାକ୍ତରଖାନାରୁ ଯେତକ ଆସୁଥିଲେ, ସିଏ ସବୁ ଯାଇ ପୁରୀ ସ୍ୱର୍ଗଦ୍ବାରରେ ହାଜର।
ଧନିପଣ୍ଡା – ଆରେ କହନା ସେ ଦୁଃଖ। କିଏ କହି ଦେଇଛି ସେଠି ପୋଡ଼ାହେଲେ ଡ଼ାଇରେକ୍ଟ ସ୍ୱର୍ଗପ୍ରାପ୍ତି, ଧାଇଁଲେ ତ ! ଆମ ଏ କଟକିଆ ବି ସେଇଥିରେ ବାଇଆ।

ଧୋବେଇ – ହେଇଟି ଭାଇନା ମୂଳ ହେଲା ଟଙ୍କା। ଏଇଲେ ସମସ୍ତଙ୍କ ପାଖେ ମାଲ୍ ପ୍ରଚୁର। ଉପରୁ ରୋଜଗାର ଯାହାକୁ ଯେତେ। ଜିଅନ୍ତାରେ ବୁଢ଼ାକୁ ପଚାରୁ ନଥିବେ, ମଲାପରେ ପତିଆରା ଯେ ନ କହ।
ପରମା – ଆରେ କାଲି ଗୋଟାଏ ଲାସ୍ ଆସିଥିଲା, ଆମ ଏଇ କଟକ ମାରୁଆଡ଼ି। ମନ ଖୁସି ହୋଇଗଲା। ଜୀବନଯାକ ଯାହା ଘିଅ ଖାଇଚି, ନିଆଁ ଧରେଇ ଦେଇଛି ତ ଅଧଘଣ୍ଟାରେ ସଫା।
ଧନିପଣ୍ଡା – ହଁ କର୍ମ ସୁଭାଗକୁ ବେଳେ ବେଳେ ସେମିତି ଗୋଟା କେତେ ଜୁଟି ଯାଆନ୍ତି ! ସବୁଦିନେ କଣ ସେ ଯୋଗ ଥାଏ?
ଧୋବେଇ – କହିଲ ଗୋସେଇଁ କିଏ ମଲା କାହାର ଗଲା, ଆମେ ଏଠି ମଲାଘୋଡାର ଟାଙ୍କ ଗଣୁଛୁ? ଧିକ ଆମକୁ।
ପରମା – ଆରେ ଧୋବା ଆମେ ଯେଉଁ କାମ କରୁଛୁ, ଏଇ ପେଟ ଚାଖଣ୍ଡକ ପାଇଁ। କହିଲୁ, ଦିନ ରାତି ଖରା ବର୍ଷା ଏଇଠି ପଡ଼ି ରହିଛୁ କାହିଁକି? ଏଇ ପେଟ ରେ !
ଧନି ପଣ୍ଡା – ଠିକ୍ କହିଲୁ ଭାଇ । ଆମେ ଯେଉଁ କାମ କରୁଛୁ ତାର ମୂଲ୍ୟ କଣ? ଏ ସମାଜ ଏ ସରକାର ଆମକୁ କେବେ ପଦେ ଭଲ କଥା କହିଛି?
ଧୋବେଇ – ହଁ, ହେ ଗୋସେଇଁ ! ଆମର ଏ ସମାଜରେ ସ୍ଥାନ କଣ? କେବେ ନିଜକୁ ପଚାରି ଦେଖିଛ?
ପରମା – ସରକାର ଘରୁ କେବେ ଆମ ପାଇଁ ପଦେ କିଏ କହିଛନ୍ତି? ଆମେ କଣ କିଛି ସମାଜ ସେବା କରୁନୁ? ଦିନେ କାମ ବନ୍ଦ କରିଦେଲେ କଣ ହେବ ଭାବିଲୁ!
ଧନିପଣ୍ଡା – ବନ୍ଦ କରିବା କଥା କହନା ରେ। ଆମର କିଏ ଅଛି ଆମ କଥା ଶୁଣିବ?
ପରମା – ସେମିତି ଗୋଟାଏ କଥାକୁ କହିଦେଲି ନା ! ସତରେ କଣ ବନ୍ଦ କରିବା? ଆରେ ଯିଏ ଚାଲିଗଲା ତାର ଦୋଷ କଣ?
(ସମସ୍ତେ – ଆଗକୁ ଚାହିଁ)
କଣ ଆଜ୍ଞା ମାନେ ! ଆମେ କଣ ଆପଣ ମାନଙ୍କ ଭଳି ମଣିଷ ନୋହୁ? ଆମର କଣ ଭଲରେ ବଞ୍ଚିବା ଅଧିକାର ନାହିଁ? ବିଚାର କରିବେ ବୋଲି ଆଶା।
ମୁଣ୍ଡ ନୁଆଁଇଁ ନମସ୍କାର କଲେ।
ମଞ୍ଚ ଅନ୍ଧାର।
ମ୍ୟୁଜିକ୍:
“ଅତି ନିଦାରୁଣ, ସେହି କାଳଯମ
ନ ଜାଣଇ ଦୁଖ ସୁଖ।
ବାଛିନେବ କଞ୍ଚା, ରଖିବ ପାଚିଲା
ଦେବ କି ଦାରୁଣ ଦୁଃଖ। “

3 thoughts on “ଖାନନଗରରେ ଦିନେ

  1. ଅତ୍ୟନ୍ତ ମର୍ମସ୍ପର୍ଶୀ ହୋଇଛି। ଶ୍ମଶାନ ଉପରେ ନାଟକ ବାସ୍ତବ ନାଟକ। ଅଭୟ ଙ୍କୁ ଅଶେଷ ଶୁଭେଚ୍ଛା ଓ ଶୁଭକାମନା।

Leave a Reply

Your email address will not be published. Required fields are marked *