କଳ୍ପନା, ପ୍ରେରଣା ବା କଳା ନଥିଲେ ଜୀବନ କାଇଁ ନା ସାହିତ୍ୟ କାଇଁ?
ସାହିତ୍ୟ ଯେ ଏକ କଳା ଏ କଥା କେହି ଅସ୍ୱୀକାର କରିବେ ନାହିଁ। କିନ୍ତୁ କଳା କହିଲେ ତାହା କ’ଣ କେବଳ ସାହିତ୍ୟରେ ସୀମିତ? ସାହିତ୍ୟର ପରିସର ଯେମିତି ବ୍ୟାପକ, କଳାର ସୀମା ସରହଦ ସେମିତି ସୁବିସ୍ତୃତ। ଏଠାରେ କାହାର ସୀମା ବଡ଼ ବା କାହାର ସୀମା କମ୍ ସେ କଥା ପଡ଼ିନାହିଁ। ମୌଳିକ ତତ୍ତ୍ୱଟି ହେଲା ଏ ଦୁଇଟି ପରସ୍ପର ସହ ଅଙ୍ଗାଙ୍ଗୀ ଭାବେ ଜଡ଼ିତ। ସାହିତ୍ୟରେ କଳା ଅଛି, କଳାରେ ବି ସାହିତ୍ୟ ଅଛି।
କଳା କ’ଣ? ଇଂରାଜୀରେ ଯେଉଁ କଥାକୁ “ଆର୍ଟ” କୁହାଯାଏ, ତାହାକୁ ପ୍ରାୟ ସମସ୍ତ ଭାରତୀୟ ଭାଷାରେ କୁହାଯାଏ “କଳା”। କଳା କାହିଁକି? ଧଳା ବା ଶୁଭ୍ର କିମ୍ବା ରଙ୍ଗିନ୍ ବୋଲି ଆର୍ଟକୁ କାହିଁକି କୁହାଗଲା ନାହିଁ। ପୁଣି ଆର୍ଟ ବା କଳା କହିଲେ ଆମେ ସେଥିରେ ସାଧାରଣତଃ ଅଙ୍କନ, ଅଭିନୟ, ସଙ୍ଗୀତ ଓ ନୃତ୍ୟକୁ ଯୋଡ଼ିଥାଉ। ବିଶେଷ କରି “ଆର୍ଟ ପ୍ରଦର୍ଶନୀ” କହିଲେ ଆମେ “ଚିତ୍ର ପ୍ରଦର୍ଶନୀ”କୁ ବୁଝୁ। କଳା ବା ଆର୍ଟ କ’ଣ ପ୍ରକୃତରେ କେବଳ ଛବିରେ ସୀମିତ?
“କଳା” କଥାଟିକୁ ପ୍ରଥମେ ବୁଝିବା ଦରକାର। ଧଳା ବା ଆଲୋକରେ ଆମେ ସବୁ ଦେଖିପାରୁ। କେତେକ ପଶୁପକ୍ଷୀଙ୍କର ସୃଷ୍ଟି ହୁଏତ ରଙ୍ଗବାଧିତ, ହେଲେ ମଣିଷ ସବୁ ରଙ୍ଗକୁ ଦେଖିପାରେ। ଯାହା ଆମକୁ ଦୃଶ୍ୟ ହୁଏ, ସେ ସବୁ ବାସ୍ତବ। ମାତ୍ର ଆଖି ବୁଜିଦେଲେ? ଚାରିଆଡ଼ କଳା ବା ଅନ୍ଧାର ହୋଇଗଲେ, କିଛି ଦେଖା ନ ଗଲେ ଆମେ କଳ୍ପନା କରି ବସୁ। ଏ କଥାଟି ଏମିତି କି? ଏ ଯେଉଁ ଶବ୍ଦ ଶୁଭୁଚି ଅଥଚ ଦେଖାଯାଉନାହିଁ ତାହା ଏଇ କାରଣରୁ କି? ଏପରିକି ଆଖି ବୁଜି କେହି ଅଜଣା ଲୋକର ସ୍ୱର ଶୁଣିଲେ ଆମେ ତା’ର ମୁହଁ, ଦେହକୁ କଳ୍ପନା ଚକ୍ଷୁରେ ଦେଖିବାକୁ ଚେଷ୍ଟାକରୁ। ଅତଏବ କଳା ହିଁ କଳ୍ପନାର ମୂଳାଧାର। କଳା ନ ଥିଲେ କଳ୍ପନା ନ ଥାନ୍ତା। ଅନ୍ୟ ଅର୍ଥରେ କହିଲେ କଳା ହିଁ କଳ୍ପନାର କ୍ଷେତ୍ର।
କଳା ଓ କଳ୍ପନା
ଏ କଳ୍ପନା କଥାଟି ପୁଣି କ’ଣ? କିଏ କଳ୍ପନା କରେ? ପଶୁପକ୍ଷୀ ହୁଏତ କଳ୍ପନା କରିପାରୁଥିବେ ମାତ୍ର ସେ କଳ୍ପନା ଆଧାରରେ କିଛି ନୂଆ କଥା ସୃଷ୍ଟି କରିବା ତାଙ୍କ ଦ୍ୱାରା ସମ୍ଭବ ହୁଏ ନାହିଁ। ସେଇଥିପାଇଁ କୁଶଳୀ ଚଢ଼େଇମାନେ ସୁଦ୍ଧା ବଂଶ ପରେ ବଂଶ ସେଇ ଗୋଟିଏ ପ୍ରକାରର ବସା ତିଆରି କରିନ୍ତି। ସେମାନଙ୍କର ଅଧିକାଂଶ କାମ ବା ସୃଜନକଳା ସ୍ୱାଭାବିକ ପ୍ରବୃତ୍ତି-ଆଧାରିତ। କିଛି କିଛି ପକ୍ଷୀ ଯେଉଁ ଭିନ୍ନ ଭିନ୍ନ ସ୍ୱର କରନ୍ତି ତାହା ସେମାନଙ୍କର ପ୍ରବୃତ୍ତିଗତ ଭାଷା। ପଶୁପକ୍ଷୀଙ୍କର କଳ୍ପନା ଶକ୍ତିକୁ ପରଖିବା ପାଇଁ ମନୁଷ୍ୟ ସେମାନଙ୍କୁ ନୂଆ ଅଭ୍ୟାସ ଶିଖାଏ ଓ ମାନସିକ ଭାବେ ନିର୍ଦ୍ଦିଷ୍ଟ କର୍ମ ଲାଗି ଅନୁକୂଳିତ କରେ। ସେମାନେ ସେଇ ଶିଖାଣ ଅନୁସାରେ ହୁଏତ ନୂଆ କୌଶଳ ଦେଖାନ୍ତି, ମାତ୍ର ତାହା କଳା ବା କଳ୍ପନା ନୁହେଁ। ସେଇ ଅଭ୍ୟାସରେ ପଡ଼ିଥିବା ପ୍ରବୃତ୍ତିର ସେ ସବୁ ରୂପରେଖ ମାତ୍ର।
ଅତଏବ ପଶୁପକ୍ଷୀଙ୍କର ଆର୍ଟ ବା କଳା ସହ ସମ୍ପର୍କ ନାହିଁ। ମଣିଷ ସାରା ସଂସାରରେ ଏକମାତ୍ର ପ୍ରାଣୀ ଯେ କଳ୍ପନା ଆଧାରରେ ନୂଆ ନୂଆ ସୃଷ୍ଟି କରେ। ନ ଦେଖିଥିବା, ନ ଅନୁଭବ କରିଥିବା କିମ୍ବା ନ ଶୁଣିଥିବା କଥାକୁ ମଧ୍ୟ ସେ କଳ୍ପନାରେ ସୃଷ୍ଟି କରିପାରେ। ଏ ସମସ୍ତ ତା’ର କଳା-ପ୍ରବଣତା ଆଧାରରେ ରୂପପାଏ। ତେବେ ସବୁ ବିଜ୍ଞାନର କଥା। ତାହା ପଛରେ ଅଛି ଏଇ ପ୍ରଚୋଦନା।
କଳାର ପରିସର ଏତେ ବ୍ୟାପକ ଯେ ଆମେ ତା’କୁ କେବଳ ନୃତ୍ୟଗୀତରେ ସୀମିତ କରି ରଖିପାରିବା ନାହିଁ। ଖାଇବା, ପିଇବା, ଚାଲିବା, ପିନ୍ଧିବା, କଥା କହିବା, ଘର ତୋଳିବା, ଆଙ୍କିବା, ନାଚିବା, ଗାଇବା, ଲେଖିବା ଏପରିକି ନୂଆ ଭାବନା ମନକୁ ଆଣିବା ମଧ୍ୟ କଳା ପରିସରଭୁକ୍ତ ବୋଲି ଆମକୁ ସ୍ୱୀକାର କରିବାକୁ ପଡ଼ିବ।
କଳା-କଳ୍ପନା ମଣିଷ ଜୀବନକୁ ଜନ୍ମରୁ ମୃତ୍ୟୁ ପର୍ଯ୍ୟନ୍ତ ଆଚ୍ଛନ୍ନ କରି ରଖେ। ସମୟରୁ ସମୟାନ୍ତରକୁ ଏବଂ ପିଢ଼ିପରେ ପିଢ଼ିକୁ ଏ ଧାରା ପ୍ରବାହିତ ହୋଇ ଚାଲିଥାଏ। ସେଇଥିରୁ ଜନ୍ମ ନିଏ ସଂସ୍କୃତି। ଗୋଟିଏ ଜନଗୋଷ୍ଠୀ, ଗୋଟିଏ ନିର୍ଦ୍ଦିଷ୍ଟ ସମୟଖଣ୍ଡରେ ଯେମିତି ବଞ୍ଚେ, ଆଚରଣ କରେ ଏବଂ ଯେଉଁସବୁ ଉପାଦାନ ବା ସାମଗ୍ରୀ ଉପଯୋଗ କରି ଜୀବିକା, ଜୀବନ ନିର୍ବାହ କରେ, ଆମେ ସବୁକୁ ମିଶାଇ ତାକୁ ସଂସ୍କୃତି ବୋଲି କହୁ। ଏହି ସଂସ୍କୃତି ଦୀର୍ଘସ୍ଥାୟୀ ହୋଇ ସଭ୍ୟତାର ରୂପ ନିଏ।
ତେଣୁ କଳା ବା କଳ୍ପନା ମଣିଷର ସଂସ୍କୃତି ଗଢ଼େ, ସଭ୍ୟତା ମଧ୍ୟ ନିରୂପିତ କରେ।
ସଂସ୍କୃତି ମହାସାଗର
କଳା ପୃଥିବୀକୁ ଘେରିଥିବା ସମ୍ମିଳିତ-ସପ୍ତସାଗର ହେଲେ, ସଂସ୍କୃତି ମହାସାଗର। ସେଥିରେ କେତେ କଥା ଜନ୍ମ ନିଏ ପୁଣି କେତେ କଥାର ବିଲୟ ଘଟେ। ମହାସାଗର କିନ୍ତୁ ସେମିତି ଥାଏ। ଅଥଚ ତା’ର ଅଭ୍ୟନ୍ତରରେ ପରିବର୍ତ୍ତନର ଧାରା ଚାଲିଥାଏ ଯାହା ବାହାରକୁ ଜଣାପଡ଼େ ନାହିଁ।
ଏଇ ବିଶାଳ ମହାସାଗର ରୂପକ ସଂସ୍କୃତିରେ ସାହିତ୍ୟ ଏକ ଗୁରୁତ୍ୱପୂର୍ଣ୍ଣ ଅଂଶ। ସଂସ୍କୃତି ହିଁ କଳାର ବିସ୍ତାରିତ ସ୍ୱରୂପ। ଏଇ ବିସ୍ତାରିତ ରୂପ ଭିତରେ ଯାହା ଅତି ସୌନ୍ଦର୍ଯ୍ୟମୟୀ ତଥା କାଳଜୟୀ ତାହା ହେଉଛି “ସାହିତ୍ୟ”। ମନେ ରଖିବା ଉଚିତ ଯେ ସାହିତ୍ୟ ଉଭୟ ମୌଖିକ ପୁଣି ଲିଖିତ। ସମାଜର ହିତ ସକାଶେ ଯାହା ଏକ ରସାଳ ଧାରାରେ ଅଭିବ୍ୟକ୍ତ ହୋଇ ମଣିଷ ସହ ଦୀର୍ଘକାଳ ବଞ୍ଚିରହେ ତାହା ସାହିତ୍ୟ। ଦିନ ଥିଲା ଯେତେବେଳେ ଲିଖିତ ବୋଲି କିଛି ନ ଥିଲା। ସେତେବେଳେ ବି ଥିଲା ସାହିତ୍ୟ। ବେଦକୁ ମୂଳତଃ ଜ୍ଞାନଗ୍ରନ୍ଥ କୁହାଗଲେ ମଧ୍ୟ ତାହା ଥିଲା ମୌଖିକ। ଶୁଣି ଶୁଣି ମନେ ରଖାଯାଉଥିବାରୁ “ଶ୍ରୁତି”। ବେଦ ପୁଣି ଐଶୀ-ସଙ୍ଗୀତ। ସେଥିରେ ଅର୍ଥ ସହ ଧ୍ୱନି ନିହିତ। ଅତଏବ ବେଦକୁ ପ୍ରଥମ ଶୃଙ୍ଖଳିତ-ସାହିତ୍ୟ ବୋଲି କୁହାଯାଇପାରେ, ଯାହା ବହୁ ପରେ ଲିଖିତ ରୂପକୁ ଆସିଛି।
ଯୁକ୍ତାକ୍ଷର ବି ଏକ କଳା
ମାତ୍ର ଲିପି ବା ଅକ୍ଷର ଜନ୍ମ ନେବା ପରେ ସାହିତ୍ୟ ସମାଜରେ ଅଧିକ ମର୍ଯ୍ୟାଦାବନ୍ତ ହୋଇଛି। ଧ୍ୱନି ପ୍ରାକୃତିକ, ମାତ୍ର ଭାଷା, ଅକ୍ଷର ସ୍ୱର ଆଦି ସବୁ କଥା ମଣିଷର କଳ୍ପନାରୁ ସୃଷ୍ଟ। ଅତଏବ ଭାଷା ବି ଏକ କଳା। ଅକ୍ଷର ବି କଳା। କେହି କେହି ଯୁକ୍ତାକ୍ଷରଗୁଡିକୁ ବାଦ୍ଦେବା ଲାଗି ସହଜ ଅକ୍ଷର ଲିଖନର କଥା କହନ୍ତି, ହେଲେ ଯୁକ୍ତାକ୍ଷରଗୁଡ଼ିକ ମଧ୍ୟ ଗୋଟିଏ ଭାଷାର କଳା-ପ୍ରତୀକ।
ଅକ୍ଷର ବା ଲିଖିତ ରୂପ ସାହିତ୍ୟକୁ ସ୍ଥାୟୀ ରୂପ ଦେଇଛି। ତେଣୁ ସାହିତ୍ୟର କାଳଜୟୀପଣକୁ ସ୍ୱୀକାର କରି କୁହାଯାଇଛି – “କୀର୍ତ୍ତିଃ ଅକ୍ଷର -ସମ୍ବନ୍ଧା ସ୍ଥିର ଭବତି ଭୂତଳେ”। ଯେତେ କୀର୍ତ୍ତି ସଂସାରରେ ଅଛି ତା’ ଭିତରେ ଅକ୍ଷର କୀର୍ତ୍ତି ବା ସାହିତ୍ୟର ସ୍ଥିରତା ଅଧିକ। କାଳଜୟୀ ସାହିତ୍ୟ ଚିରନ୍ତନ।
ଏଇଠି ବୁଝିବାକୁ ହେବ ଯେ କେବଳ ଅକ୍ଷର, ଭାଷା, ସ୍ୱର, ଉଚ୍ଚାରଣ ଆଦି ମଣିଷ କଳ୍ପନା କରି ସୃଷ୍ଟି କରିନାହିଁ, ସାହିତ୍ୟ ମଧ୍ୟ ସୃଷ୍ଟି କରିଛି। ସଂସ୍କୃତିର ମହାସାଗରରେ ସାହିତ୍ୟ ସାଗର। ସେଥିରେ ପୁଣି ଗଳ୍ପ, ଉପନ୍ୟାସ, ନାଟକ, ପ୍ରବନ୍ଧ ଆଦି କେତେ କେତେ ରୂପ। ତେଣୁ ସଂସ୍କୃତିର ଜନ୍ମ ଯେମିତି କଳାରୁ, ସାହିତ୍ୟ ମଧ୍ୟ ସେଇ କଳାରୁ ଜନ୍ମ ନେଇଛି।
ସମାଜର ଦର୍ପଣ
ସାହିତ୍ୟକୁ ସମାଜର ଦର୍ପଣ ବୋଲି କୁହାଯାଏ। ଦର୍ପଣ ବାସ୍ତବତାର ପ୍ରତିଫଳନ ଦେଖାଏ। ସାହିତ୍ୟ କ’ଣ କେବଳ ବାସ୍ତବତା? ବାସ୍ତବତାରେ କଳ୍ପନା ନ ମିଶିଲେ ତାହା କ’ଣ କେବେ ସାହିତ୍ୟ ହେଲାଣି? ବାସ୍ତବତା ଧଳା ମାତ୍ର କଳ୍ପନା କଳା। ଏ ଦୁଇ କଥାର ସମ୍ମିଶ୍ରଣରେ ସାହିତ୍ୟ ସୃଷ୍ଟି ହୁଏ। ଖାଲି ଭାଷାକୁ ନେଇ ସାହିତ୍ୟ ଗଢ଼ାହୁଏ ବୋଲି କହିଲେ ମଧ୍ୟ ଠିକ୍ ହେବ ନାହିଁ। ଭାଷାର ପଞ୍ଜର ଶବ୍ଦ। ଶବ୍ଦ ପୁଣି ଅନେକ। ପାଣି ପାଇଁ ତ ଜଳ, ସଲିଳ, ପୟ, ବାରି ଏମିତି କେତେ ଶବ୍ଦ ଅଛି? ସାହିତ୍ୟ କିନ୍ତୁ ଠିକଣା ଢଙ୍ଗରେ ଠିକଣା ଶବ୍ଦକୁ ତଉଲି ତା’ର ବ୍ୟବହାର କରେ। ସେମିତି କେତେ ବାସ୍ତବତା ଓ କେତେ କଳ୍ପନା; ତା’ର ଭାଗମାପ ଠିକ୍ ନ ରହିଲେ ଯେ କୌଣସି ଲେଖା ସାହିତ୍ୟ ସ୍ତରକୁ ଉତ୍ତୀର୍ଣ୍ଣ ହୋଇପାରେ ନାହିଁ।
ସାହିତ୍ୟକୁ କର୍ମ ଓ କଳାକୁ ପ୍ରେରଣାର ଆଧାର ଭାବରେ ମଧ୍ୟ ଗ୍ରହଣ କରାଯାଇପାରେ। ସେଥିପାଇଁ କୁହାଯାଉଛି ଯେ ସାହିତ୍ୟରେ ପ୍ରେରଣା ଏକ ପ୍ରତିଶତ, ମାତ୍ର କର୍ମ ଅନେଶତ ଭାଗ। ମାତ୍ର ଏଭଳି ଗାଣିତିକ ହିସାବ ଭ୍ରମାତ୍ମକ। ଇଞ୍ଜିନ ଚାଳିତ ଗୋଟିଏ ଗାଡ଼ିର ମୂଳ କଥା ହେଲା ଇଞ୍ଜିନଟିକୁ ଚାଲୁ ରଖିବା। ସେଇ ଗାଡ଼ି ଥାଇ, ଇଞ୍ଜିନ ଥାଇ ଷ୍ଟାର୍ଟ ନହେଲେ ତା’ର ମୂଲ୍ୟ ଲୁହା ସହ ସମାନ। ଗାଡ଼ିଟି ଚାଲୁଥିବାବେଳେ ମନେ ରଖିବାକୁ ହେବ ଯେ ସେଇ ଷ୍ଟାର୍ଟ ବା ଚାଳନାରମ୍ଭ ତାହାକୁ ଅନୁରୂପ ଭାବେ ଚାଲୁ ରଖିଛି। ନଚେତ୍ ତାହା ନିଶ୍ଚଳ, ଅଗାଡ଼ି।
ସାହିତ୍ୟ ସେଇଭଳି। କଳାତ୍ମକ ପ୍ରେରଣା ତାକୁ ଚାଲୁକରିଦିଏ। ତାପରେ ତାହା ଅକ୍ଷରକର୍ମ ଓ ଭାବକର୍ମରେ ଧାଏଁ। ହେଲେ ଅନୁଭବରେ ରଖିବାକୁ ହେବ ଯେ ସେଇ ପ୍ରେରଣା ଲେଖନ ବା କବିର ଲେଖନୀ ସହ ଅନବରତ ଅଛି ଓ ଚାଲୁଛି। ଏ ପ୍ରଚୋଦନା ଯେଉଁଠି ବନ୍ଦ ହୋଇଯିବ, ସେଇଠି ସରିଯିବ ସାହିତ୍ୟର ପ୍ରବାହିତ ଧାରା। ସ୍ଥାଣୁତ୍ୱ ଆସିଯିବ।
କଳ୍ପନା, ପ୍ରେରଣା ବା କଳା ନଥିଲେ ଜୀବନ କାଇଁ ନା ସାହିତ୍ୟ କାଇଁ? ସାହିତ୍ୟ ପାଦପ ହୋଇ ଚେର ଧରେ, ପତ୍ର ମେଲାଏ, ଫୁଲ ଫୁଟାଏ, ଫଳ ଫୁଲର ରୂପାନ୍ତର ମାତ୍ର। ହେଲେ ଚେର ହିଁ ସମସ୍ତ ପ୍ରାଣସତ୍ତାର ମୂଳାଧାର। ତାହା ମାଟିରେ ପଶିଥିବା ଚେର ହେଉ କି ପବନରେ ଝୁଲୁଥିବା ଚେର ହେଉ, ଗଛଟିଏ ପାଦରେ ପିଇ ଜିଏଁ। ସାହିତ୍ୟ କଳାରୁ ପ୍ରାଣ ଆହରଣ କରି ଆତ୍ମପ୍ରକାଶ କରେ। ବୁଝିବାକୁ ହେବ ଯେ ଯିଏ କଳାପ୍ରାଣ ନୁହେଁ ତା ଭିତରେ ସାହିତ୍ୟର ଫୁଲ ଫୁଟିବା ଅସମ୍ଭବ। ପ୍ରତିଟି ସାହିତ୍ୟିକ କଳାକାର ହେବାକୁ ବାଧ୍ୟ।
(‘ସାହିତ୍ୟ ଚର୍ଚ୍ଚା’ ପତ୍ରିକାର ନଭେମ୍ବର, ୨୦୨୪ ସଂଖ୍ୟାରେ ପ୍ରକାଶିତ। )
ଦାଶ୍ ବେନହୁର ସାର୍ ଙ୍କୁ କୋଟିଏ ନମସ୍କାର ।।
କେତେ ସହଜରେ ସେ ବୁଝେଇଦେଇପାରନ୍ତି
ଜୀବନର ଜଟିଳ ଭାବନା ସବୁକୁ !
ମୋର ମୁଁ, ଆଗରୁ ଭାବିନେଇଥିଲି,
ସାହିତ୍ଯ ମାନେ “କହିବି” ।
କହିବି ମାନେ ଲେଖିବି ।
ନଲେଖି ନକହି, ରହିପାରିବିନି ।
ତେବେ, କାହିଁକି, କେତେବେଳେ, କେମିତି ଓ କାହାକୁ କହିବି, ତାହା ହିଁ କଳା ।
ଏବେ ମୋର ସେଇ ଭାବିବାକୁ ସଜାଡ଼ିବି ।
ସଜେଇବି ।
ସଜାଗ କରିବି ।
🙏
କଳାର ରୂପ, ଭେଦ, ଲାବଣ୍ଯ ଆଦିର ସରସ ସୁନ୍ଦର ଶବ୍ଦବାଖ୍ଯା ପାଇଁ ବେନହୁର ଭାଇନାଙ୍କୁ ଅନେକ ଅଭିନନ୍ଦନ । ମୋଟାମୋଟି ଭାବେ ସୁନ୍ଦର ଉପସ୍ଥାପନା !
ନମସ୍କାର ଭାଇନା ! ଏତେ ସୁନ୍ଦର ଲେଖା।ଅତି ଉପାଦେୟ।ବହୁତ କଥା ଜାଣିହେଲା।
ଲେଖାଟି ଅତ୍ୟନ୍ତ ଉଚ୍ଚକୋଟିର ଓ ଉପାଦେୟ। ସୁନ୍ଦର ଉପସ୍ଥାପନା ପାଇଁ ଲେଖକଙ୍କୁ ଅଜସ୍ର ଧନ୍ୟବାଦ।