ପରିଣାମ

ପରକୀୟା ପ୍ରୀତିର ପରିଣାମ କେବେ ବି ଭଲ ନୁହେଁ, ନାରୀ !

ଆରାଧନା ମିଶ୍ର

ପରଦା ଉଠିବା ପରେ ଦେଖାଗଲା, ଏକ ଅଭିଜାତ ପରିବାରର ବୈଠକଖାନା। ବିଜୁଳି ଆଲୋକରେ ବେଶ୍‌ ଆଲୋକିତ ପରିବେଶ। ଏସି ଲାଗିଛି। ଝରକା ସବୁ ବନ୍ଦ। ଜଣେ ସୁସଜ୍ଜିତା ନାରୀ ବହୁତ ସୁନା ଅଳଙ୍କାର ପିନ୍ଧି ସୋଫାରେ ବସିଛନ୍ତି। ବୟସ ପଞ୍ଚାବନ ଉପରେ। ଯଦିଚ ସେ କିଛି ପତ୍ରିକା ପଢ଼ୁଛନ୍ତି, ମନ ଯେ ତାଙ୍କର ସେଥିରେ ନାହିଁ ତାହା ସୁସ୍ପଷ୍ଟ। ବାରମ୍ବାର ମୋବାଇଲ୍‌ ଦେଖୁଛନ୍ତି, ଅନ୍ୟମନସ୍କ ଭାବେ। କାନ୍ଥରେ ଟଙ୍ଗା ହେଇଥିବା ଘଡ଼ିକୁ ଚାହୁଁଛନ୍ତି – କାହାର ଅପେକ୍ଷାରେ ସେ। କଲିଂ ବେଲ୍‌ ବାଜିଲା। ମହିଳା ଜଣକ ସୋଫାରୁ ଉଠି, ଦୌଡ଼ିଯାଇ କବାଟ ଖୋଲିଦେଲେ, ଓ ଆଗନ୍ତୁକଙ୍କୁ ଦେଖି ଏକ ପ୍ରକାରର କୁରୁଳି ଉଠି, ଟିକେ ପଛେଇ ଗଲେ (ବାହାରର ବ୍ୟକ୍ତି ଜଣଙ୍କୁ ଭିତରକୁ ଆସିବାକୁ ବାଟ ଛାଡ଼ିଦେଇ)। ବେଶ୍‌ ଭଲ ପୋଷାକ ପିନ୍ଧା ଜଣେ ପ୍ରୌଢ଼ବ୍ୟକ୍ତି ପଶି ଆସିଲେ ହସି ହସି। ମହିଳା କବାଟ ବନ୍ଦ କଲେ।

ବ୍ୟକ୍ତି – ଆଃ! କି ସୁନ୍ଦର ଦିଶୁଛ ତୁମେ! ମତେ ଲାଗୁଛି ଏ ହୀରା ଖଚିତ ସୁନା ବି ତୁମ ସ୍ପର୍ଶରେ ବେଶି ସୁନ୍ଦର ଦିଶୁଛି। ସତରେ ତୁମ ବାହାଘର ଦିନ ତୁମେ କଣ ନ ଦିଶୁଥିବ! – ରମ୍ଭା. ମେନକା କି ଊର୍ବଶୀ!
ମହିଳା– ଆପଣ … ସତେ! ମୁଁ ଏତେ ତ ସୁନ୍ଦରୀ ନୁହେଁ, ଆପଣ ଯେମିତି ବର୍ଣ୍ଣନା କରୁଛନ୍ତି! ଆପଣ କହିଥିଲେ ବୋଲି କାଲି ଲକର୍‌ରୁ ସବୁ ଆଣି ଆଜି ପିନ୍ଧିଛି।
ବ୍ୟକ୍ତି – ମୁଁ କେବଳ ଦେଖିବାକୁ ଚାହୁଁଥିଲି ତୁମେ ତୁମ ବାହାଘର ଦିନ ଏ ଗହଣାସବୁରେ କେମିତି ଦିଶୁଥିଲ ବୋଲି। ମତେ ‘ଆପଣ ‘ କୁହନି, କେତେଥର କହିଲିଣି ତୁମକୁ। ‘ଆପଣ’ ଶବ୍ଦଟା ଦୂରତା ବଢ଼ାଏ ଯାହା।
ମହିଳା – ଠିକ୍‌ ଅଛି । ଚେଷ୍ଟା କରିବି। ଏଥର ଗହଣାତକ ଖୋଲିଦେବି?ବ୍ୟସ୍ତ ଲାଗୁଛି ଏତେ ପିନ୍ଧି ରହିଲେ।
ବ୍ୟକ୍ତି – ହଁ, ଖୋଲିଦିଅ। ମୋ ପାଖରେ ବସିକି ହିଁ ଖୋଲ କିନ୍ତୁ। ଏତେ କମ୍‌ ସମୟ ପାଇଁ ତ ଦେଖା। ବହୁତ ମନେପଡ଼ ତୁମେ ସବୁବେଳେ। ମତେ କେମିତି ବାଛିଲ? ମୋର ଏମିତି କଣ ଭଲ ଲାଗିଲା ତୁମକୁ ଯେ ତୁମେ ମତେ ତୁମର ଏତେ ପାଖକୁ ଆସିବାକୁ ଦେଲ? ତୁମ ସ୍ବାମୀ ଜାଣନ୍ତି ମୋ ବିଷୟରେ ?
ମହିଳା – ନା। ମୋ ବିଷୟରେ କିଛି ବି ଜାଣିବାକୁ ସେ ଇଚ୍ଛୁକ ନୁହନ୍ତି। ମୁଁ ଏଇ ଘରେ ଏକା ରୁହେ। ମତେ ମାସକୁ ମାସ ନିଶ୍ଚିତ ଠିକ୍‌ ସମୟରେ, ପଇସା ପଠେଇ ଦିଅନ୍ତି ସତ, କିନ୍ତୁ ଘରକୁ ପ୍ରାୟ ଆସନ୍ତିନି। ସେ ଜଣେ ଇଣ୍ଟରନାସନାଲ୍‌ ପାଇଲଟ୍‌। ବାହାରୁ ଆସି ବିମାନ ବନ୍ଦର ପାଖରେ ଥିବା ହୋଟେଲ୍‌ରେ ରହି ପୁଣି ତାଙ୍କ ଗନ୍ତବ୍ୟ ସ୍ଥାନକୁ ବାହାରି ଯାଆନ୍ତି। ତାଙ୍କର ଅନେକ ବାନ୍ଧବୀ, ସେ ମୋତେ ଖୋଜିବେ ବା କାହିଁ! ମୁଁ କଣ କଲି ନକଲି ,ସେଥିରେ ତାଙ୍କର କିଛି ଯାଏ ଆସେ ନାହିଁ।
(କଥା କହୁକହୁ ମହିଳାଜଣକ ନିଜର ଗହଣାସବୁ ଉତାରି ସାରିଥିଲେ। ଭିତରକୁ ଯାଇ ଗହଣା ବାକ୍ସଟା ଆଣି ଗହଣାତକ ତା’ଭିତରେ ରଖି ଭିତରକୁ ବାକ୍ସଟାକୁ ରଖିବାକୁ ଗଲାବେଳେ -)
ବ୍ୟକ୍ତି – ଏଇଠି ଥାଉ। ପରେ ରଖିଦେବ। ତୁମ ପୁଅଝିଅ?
ମହିଳା – ଦୁହେଁ ବାହାରେ। ସମୟ କରି ଫୋନ୍‌ କରନ୍ତି ସତ, କିନ୍ତୁ ତାଙ୍କ ଜୀବନରେ ବ୍ୟସ୍ତ ଦୁହେଁ ଫଳ କାଟୁଛି – ଖାଆନ୍ତୁ ଆପଣ।
ବ୍ୟକ୍ତି – ପୁଣି ‘ଆପଣ’! ମୁଁ କାଟୁଛି – ରୁହନ୍ତୁ ।
ମହିଳା – ନା ନା! ମୁଁ କାଟି ଦେଉଛି।
(ହାତ ଧୋଇଆସି ଫଳ କାଟିବାରେ ଲାଗିଗଲେ ସେ। ବ୍ୟକ୍ତି ଜଣକ ମହିଳାଙ୍କ ଅନ୍ୟମନସ୍କତାର ସୁଯୋଗ ନେଇ ତୀକ୍ଷ୍ଣ ଦୃଷ୍ଟିରେ ମହିଳାଙ୍କୁ, ଛୁରୀକୁ ଓ ଫଳକୁ ଦେଖୁଥାନ୍ତି। କିଛି ସମୟ ପରେ … )
ବ୍ୟକ୍ତି – ଆମ ଧର୍ମ, ନାରୀର ପର ପୁରୁଷ ସହ ସମ୍ପର୍କ, ବିରୁଦ୍ଧରେ। ତୁମେ କଣ ଭାବ?
ମହିଳା – ଏକୁଟିଆ ମୋ ଜୀବନ ଦୁର୍ବିସହ ହେଇଉଠିଛି। ମୋ ସ୍ବାମୀ, ମୋ ଛୁଆଦୁହେଁ ତାଙ୍କ ଜୀବନରେ ବ୍ୟସ୍ତ। ସହର ଜୀବନରେ ତ ଆପଣ ଜାଣନ୍ତି କେହି କାହା ବିଷୟରେ ଭାବନ୍ତିନି। ପାଖରେ କେହି ସମ୍ପର୍କୀୟ ବି ନାହାନ୍ତି । ତେଣୁ ଡେଟିଂ ଆପ୍‌କୁ ଗଲି। ମୋର ଭାଗ୍ୟ ମୁଁ ଆପଣଙ୍କ ପରି ଜଣଙ୍କୁ ପାଇଛି। ଆପଣଙ୍କୁ ମୁଁ ତୃତୀୟ ଥର ମାତ୍ର ଦେଖୁଛି କିନ୍ତୁ ଲାଗୁଛି ଆପଣ ମୋର କେତେ ନିଜର ! ପୂର୍ବଜନ୍ମର ସମ୍ପର୍କ ନିଶ୍ଚିତ। (ଦୁହେଁ ହସି ଉଠିଲେ ଏକାସାଙ୍ଗରେ) ବସନ୍ତ ଫେରି ଆସିଛି ମୋ ଜୀବନରେ।
ବ୍ୟକ୍ତି– ମୋର ବି ଭାଗ୍ୟ !
(ଫଳ କାଟିସାରି ମହିଳା ଛୁରୀକୁ ଟେବୁଲ୍‌ରେ ରଖିଲା ମାତ୍ରେ ବ୍ୟକ୍ତିଟି ଛୁରୀ ଉଠେଇନେଲେ।)

ବ୍ୟକ୍ତି – ପରକୀୟା ପ୍ରୀତିର ପରିଣାମ କେବେ ବି ଭଲ ନୁହେଁ ନାରୀ।
(ମହିଳା ଜଣକ ଆଶ୍ଚର୍ଯ୍ୟର ଆତିଶଯ୍ୟରେ ଠିଆ ହେଇଗଲେ। ଆଖିରେ ଭୀଷଣ ଭୟ।
ବ୍ୟକ୍ତିଜଣକ ତାଙ୍କ ପେଟରେ ଦୁଇ ତିନିଥର ଛୁରୀ ଭୁଷିଦେଲେ। ମହିଳା କେବଳ ‘ଆଃ’କହି ତଳେ ପଡ଼ିଗଲେ। ଟିକେ ଛାଟିପିଟି ହେଇ ନିସ୍ତେଜ ହେଇଗଲେ।
ବ୍ୟକ୍ତି ଜଣକ ଭିତରକୁ ଯାଇ କିଛି ସମୟପରେ ବାହାରି ଆସିଲେ -ହାତରେ ଆହୁରି କିଛି ଗହଣା ଓ ଟଙ୍କା। ଟେବୁଲ୍‌ରେ ରଖି ଭିତରକୁ ପୁଣିଥରେ ଯାଇ ଛୋଟ ସୁଟ୍‌କେସ୍‌ ଆଣିଲେ। ସବୁ ଗହଣା ଓ ପଇସା ସୁଟ୍‌କେସ୍‌ରେ ରଖି ସେ ରୁମ୍‌ରୁ ବାହାରିଗଲେ। କବାଟଟାକୁ ବନ୍ଦ କଲାବେଳର ଶବ୍ଦରୁ କବାଟ ଲକ୍‌ ହେବା ବୁଝଉଥିଲା।
ପରଦା ନଇଁ ଆସିଲା।)

One thought on “ପରିଣାମ

Leave a Reply

Your email address will not be published. Required fields are marked *