ଗଳ୍ପରେ କାଳ୍ପନିକତା

ଏଠାରେ ଗଳ୍ପର କଥା ଆଲୋଚନା କରିବା ବେଳେ ଆମେ କେବଳ କ୍ଷୁଦ୍ରଗଳ୍ପର କଥା କହୁନାହୁଁ। ଏଥିରେ ମଧ୍ୟ ସାମିଲ୍ ଅଛି ଅଣୁଗଳ୍ପଠାରୁ ନେଇ ଉପନ୍ୟାସ ପର୍ଯ୍ୟନ୍ତ କଥାସାହିତ୍ୟର ବିଭିନ୍ନ ବିଭାଗ। ଆଉ ପାଦେ ଆଗକୁ ଯାଇ ଆମେ କବିତାକୁ ମଧ୍ୟ ଏହାର ଅନ୍ତର୍ଭୁକ୍ତ କରିପାରୁ। ପାଠକମାନଙ୍କର ମନେଥିବ ଯେ ପ୍ରାୟ ତିନି ବର୍ଷ ତଳେ ସୁପରିଚିତ ସାହିତ୍ୟିକ ଦାଶ ବେନହୁର ଆମ ପତ୍ରିକା ସହିତ ଏକ ସାକ୍ଷାତକାରରେ କହିଥିଲେ, “କବିତା ବି ହେଉଛି ଏକ ଫିକ୍ସନ; ଯେ କୌଣସି ଧରଣର କବିତାର କଥା କହନ୍ତୁ, ତା ଭିତରେ ପ୍ରଚ୍ଛନ୍ନ କାହାଣୀଟିଏ ଅଛି।” ଏହା ତ ଭିନ୍ନ ଏକ ସ୍ତରର କଥା। ତେବେ ଆମେ ଜାଣୁ ଯେ, ସେ ଅଣୁଗଳ୍ପ ହେଉ, କ୍ଷୁଦ୍ରଗଳ୍ପ ହେଉ, ଅବା ଉପନ୍ୟାସ – ଇଂରାଜୀରେ ଏ ସମସ୍ତ ରକମର କଥାସାହିତ୍ୟକୁ ଗୋଟିଏ ବର୍ଗରେ ହିଁ ରଖାଯାଏ; ତାହା ହେଲା ଫିକ୍ସନ୍‌, ଯାହାର ଆଭିଧାନିକ ଅର୍ଥ କଳ୍ପନା।
ତେବେ ଆମେ ଲକ୍ଷ୍ୟ କରୁଛୁ ଯେ ଏବେ ଆମ ଭାଷାରେ ଲେଖାଯାଉଥିବା କେତେକ ନିର୍ଦ୍ଦିଷ୍ଟ ଗଳ୍ପ ବା ଉପନ୍ୟାସରେ ଏହି କଳ୍ପନାର ଉପାଦାନ ଅଦୃଶ୍ୟ ହେବାରେ ଲାଗିଛି। ଏହାର ହେତୁ ହେଲା, ଲେଖକ ଓ ଲେଖିକାମାନେ ନିଜର ଜୀବନରେ ପ୍ରତ୍ୟକ୍ଷ କରୁଥିବା ବାସ୍ତବ ଅନୁଭୂତିଗୁଡ଼ିକୁ ଗଳ୍ପର ନାମ ଦେଇ ଯଥାବତ୍ ଉପସ୍ଥାପିତ କରିଦେଉଛନ୍ତି। ଅର୍ଥାତ୍‌, ବେଳେ ବେଳେ ଗଳ୍ପଟିଏ ପଢ଼ିଲେ ମନେହେଉଛି ଯେମିତି ସେହି ଘଟଣାଟି ଲେଖକଙ୍କ ଜୀବନରେ କିମ୍ବା ସମାଜରେ କେଉଁଠି ବାସ୍ତବରେ ଘଟିଛି। ଏପରିକି କଥାବସ୍ତୁରେ ଏଭଳି ଘଟଣାର ସ୍ଥାନ, କାଳ ଓ ପାତ୍ରରେ ଆବଶ୍ୟକ ପରିବର୍ତ୍ତନ କରି ନିଜ ରଚନାକୁ କାଳ୍ପନିକ ସାହିତ୍ୟର ପର୍ଯ୍ୟାୟକୁ ଆଣିବାକୁ ରଚନାକାରମାନେ ଯତ୍ନବାନ ହେଉନାହାନ୍ତି। ଫଳରେ ଗଳ୍ପଗୁଡ଼ିକରେ ଫିକ୍ସନ୍ ପରିବର୍ତ୍ତେ ଆମେ ପାଉଛୁ ସାମ୍ବାଦିକତା ସୁଲଭ ଏକ ରିପୋର୍ଟିଂ ମାତ୍ର।
କଥାସାହିତ୍ୟରେ ଆତ୍ମଜୀବନୀମୂଳକ ତତ୍ତ୍ୱ କିଛିମାତ୍ରାରେ ରହିବା ତ ସ୍ୱାଭାବିକ କଥା। କିନ୍ତୁ ବିଡ଼ମ୍ବନା ହେଲା ଯେ ଆଜିକାଲି ନୂଆ ପିଢ଼ିର କେତେକ ଲେଖକ ଗଳ୍ପ ନାମରେ ନିଜର ଆତ୍ମଜୀବନୀର କିଛି ଭାଗ ସିଧାସଳଖ ପରିବେଷଣ କରିଦେଉଛନ୍ତି। ପାଶ୍ଚାତ୍ୟ ସାହିତ୍ୟରେ ପାତ୍ର (କାରାକ୍ଟର), କଥାବସ୍ତୁ (ପ୍ଲଟ), ଭାବ (ଥିମ୍‌), ସ୍ଥାନ (ସେଟିଂ) ଓ ଦୃଷ୍ଟିକୋଣ (ପଏଣ୍ଟ ଅଫ୍ ଭ୍ୟୁ)କୁ କାଳ୍ପନିକ ସାହିତ୍ୟର ଜରୁରୀ ଅଙ୍ଗ ଭାବରେ ବିଚାର କରାଯାଏ। ନିଜେ ଅଙ୍ଗେ ନିଭାଇଥିବା ଘଟଣାଟିକୁ ଗଳ୍ପର ରୂପ ଦେବା ବେଳେ ସେଥିରେ ଥିବା ଏହି ପାଞ୍ଚଗୋଟି ଅଙ୍ଗରେ କିଛି କିଛି କଳ୍ପନାର ପୁଟ ଦେଲେ ତାହା ଯେ ଏକ ସାର୍ଥକ କଥାସାହିତ୍ୟରେ ପରିଣତ ହୁଏ, ଏ କଥା ଆମେ ଭୁଲିଯିବା ଉଚିତ ନୁହେଁ। ବାସ୍ତବ ଘଟଣାକୁ ଗଳ୍ପ ଆକାରରେ ପରିବେଷଣ କରିବା ମୋଟେ ଦୋଷାବହ ନୁହେଁ; କିନ୍ତୁ ସେଥିରେ ଉପଯୁକ୍ତ ପରିମାଣର କଳ୍ପନାର ପ୍ରଲେପ ଦେବା କଥାକାରମାନଙ୍କ ଦାୟିତ୍ୱ। ଉଦାହରଣ ସ୍ୱରୂପ, ଜଗଦୀଶ ମହାନ୍ତିଙ୍କର ‘ଦକ୍ଷିଣ ଦୁଆରୀ ଘର’ ଶୀର୍ଷକ ଗଳ୍ପଟିକୁ ନିଆଯାଇପାରେ। ସେ ନିଜେ ରାମପୁର କୋଲିଆରୀରେ ଚାକିରି ପାଇଁ ସାକ୍ଷାତକାର ଦେବାକୁ ଯାଇଥିବା ବେଳର ଘଟଣାଟିଏ ଉପରେ ଲେଖାଟି ଆଧାରିତ। କିନ୍ତୁ ଏହାକୁ ଏକ ଗଳ୍ପ ଭାବରେ ପରିବେଷଣ କରିବା ବେଳେ ଲେଖକ ଏହାକୁ ଯଥାଯଥ ଭାବରେ ଗଳ୍ପଧର୍ମୀ କରିବା ପାଇଁ ଜଣେ ନର୍ସର ଚରିତ୍ର ଏହା ମଧ୍ୟକୁ ଆଣିଛନ୍ତି, ଯିଏ ତାଙ୍କର ବାସ୍ତବ ଜୀବନର ସେହି ଘଟଣାଟିରେ ଉପସ୍ଥିତ ନ ଥିଲା।
ଏଣୁ ଆମକୁ ମନେ ରଖିବାକୁ ହେବ ଯେ କଳ୍ପନା ହେଉଛି କଥାସାହିତ୍ୟର ଏକ ଅପରିହାର୍ଯ୍ୟ ଉପାଦାନ; ଏହାକୁ ଏଡ଼ାଇଗଲେ ଚଳିବ ନାହିଁ।

ନିହାର ଶତପଥୀ

(‘ସାହିତ୍ୟ ଚର୍ଚ୍ଚା’ ପତ୍ରିକାର ଡିସେମ୍ବର, ୨୦୨୪ ସଂଖ୍ୟାରେ ପ୍ରକାଶିତ ସମ୍ପାଦକୀୟ। )

2 thoughts on “ଗଳ୍ପରେ କାଳ୍ପନିକତା

  1. ବିନା କଳ୍ପନାରେ ସବୁ ଅସମ୍ଭବ । ତେଣୁ କିଛି ସର୍ଜନା କରିବା ପୂର୍ରରୁ କଳ୍ପନା କରିବା ନିହାତି ଆବଶ୍ୟକ । ସଂପାଦକୀୟଟି ବହୁତ ସୁନ୍ଦର ଓ ଚମତ୍କାର ।

  2. Wonderful Editorial. Very educative. Being a Doctor as well as a literary person I always include in my Speech “WE ALWAYS REMEMBER THAT SCIENCE IS REAL AND LITERATURE IS IMAGINATION”
    If we comment on something in science without proof it is unethical and sometimes becomes hazardous. Whereas literature is always imagination. Even if we are depicting a real fact it has to be in an imaginary way. If not it may create some barrier.
    I would not feel ashamed to describe my pathetic position how it has created a barrier in my literary journey.
    I started my literary journey at the age of 10 years and within 10 years I became very popular in literature as a young writer.
    At age of 20 years , I wrote a UPANYAS ASAMPURNA ITIHAS. Approached five Publishers but got disappointed. This created a major barrier and I completely stopped publishing till I was 46 years. All these are elaborated in my Experience Books which were published in my 19th book in English ‘EFFORTS DON’T DIE’ and 49th Book in Odia SANGHARSHAR ANYANAMA………( Reason was explained to me by a renowned English writer that as I wrote the Novel directly on a person it was not accepted).
    Accept my Congratulations.
    Thanks.

Leave a Reply

Your email address will not be published. Required fields are marked *