କ୍ରିଷନ ଚନ୍ଦରଙ୍କ ଏହି ଗଳ୍ପଟିକୁ ଅତୀତରେ ବିଭିନ୍ନ ଅନୁବାଦକ ଭିନ୍ନ ଭିନ୍ନ ପ୍ରକାରେ ଅନୂଦିତ କରିଛନ୍ତି। ଏହିଟି ସେହି ଧାରାର ସଦ୍ୟତମ ଅନୁବାଦ।
ଗୋଟିଏ ଭୟାନକ ଝଡ଼ତୋଫାନର ରାତି। ସେଇ ଝଡ଼ରେ ଉପୁଡ଼ି ପଡ଼ିଲା ଦିଲ୍ଲୀର କେନ୍ଦ୍ରୀୟ ସଚିବାଳୟ ଅଗଣାରେ ଥିବା ଜାମୁକୋଳି ଗଛଟି। ଭୋର୍ ସମୟରେ ମାଳୀ ଦେଖିବାକୁ ପାଇଲା ସେଇ ଜାମୁକୋଳି ଗଛତଳେ ଜଣେ ମଣିଷ ଚାପିହୋଇ ପଡ଼ିଛି।
ମାଳୀ ଦୌଡ଼ି ଦୌଡ଼ି ଚପରାସୀ ପାଖକୁ ଗଲା। ଚପରାସୀ ଦୌଡ଼ି ଦୌଡ଼ି କିରାଣି ପାଖକୁ, କିରାଣି ଦୌଡ଼ି ଦୌଡ଼ି ସୁପରିଣ୍ଟେଣ୍ଡେଣ୍ଟ ପାଖକୁ, ସୁପରିଣ୍ଟେଣ୍ଡେଣ୍ଟ ଦୌଡ଼ି ଦୌଡ଼ି ବାହାର ଅଗଣାକୁ ଆସିଲେ। ଦେଖିଲେ ଉପୁଡ଼ି ପଡ଼ିଥିବା ଗଛର ତଳେ ଯେଉଁ ମଣିଷଟି ଚାପିହୋଇ ପଡ଼ିଛି, ତା’ ଚାରିପାଖରେ ବେଶ୍ ଭିଡ଼ ଜମିଗଲାଣି।
ଜଣେ କିରାଣି ଖୁବ୍ ଆବେଗର ସହ କହିଲା – “ଆହା! ଏହି ଜାମୁକୋଳି ଗଛରେ କେତେ ସୁସ୍ୱାଦୁ କୋଳି ଫଳୁ ନ ଥିଲା!” ଦ୍ୱିତୀୟ କିରାଣି କହିଲା – “ପ୍ରତି ବର୍ଷାଋତୁରେ ବ୍ୟାଗ୍ ବ୍ୟାଗ୍ ରସାଳ ଜାମୁକୋଳି ଘରକୁ ନେଉଥିଲି। ପିଲାମାନେ କେତେ ସରାଗରେ ଏହି କୋଳି ଖାଉ ନ ଥିଲେ ସତେ!”
ଗଛତଳେ ଚାପିହୋଇ ପଡ଼ିଥିବା ଲୋକଟିକୁ ଲକ୍ଷ୍ୟ କରି ମାଳୀ କହିଲା – “ଆଉ ଏଇ ମଣିଷଟି?”
– “ହଁ, ବିଚରା ଏଇ ମଣିଷ…!”
ସୁପରିଣ୍ଟେଣ୍ଡେଣ୍ଟ ଖୁବ୍ ଚିନ୍ତାରେ ପଡ଼ିଲେ। ଜଣେ ଚପରାସୀ ପଚାରିଲା – “ଜାଣିପାରୁଛ କି, ଏ ମରିଛି ନା ବଞ୍ଚିଛି?” ଆଉ ଜଣେ ଚପରାସୀ କହିଲା – “ବୋଧହୁଏ ମରିଯାଇଛି। ଏତେ ବଡ଼ ଗଛ ଅଣ୍ଟାରେ ପଡ଼ିଲେ କ’ଣ ମଣିଷ ବଞ୍ଚିପାରେ?” ଗଛତଳେ ଚାପିହୋଇ ପଡ଼ିଥିବା ମଣିଷଟି ବେଶ୍ ରୁକ୍ଷ ସ୍ୱରରେ କହିଲା – “ନା ନା, ମୁଁ ବଞ୍ଚିଛି।” ମାଳୀ ଜଣକ ପ୍ରତ୍ୟେକଙ୍କ ଉଦ୍ଦେଶ୍ୟରେ କହିଲା – “ଗଛଟିକୁ ଉଠାଇ ଯେତେ ଶୀଘ୍ର ଲୋକଟିକୁ ବାହାର କରିବାକୁ ହେବ।”
ଜଣେ ସୁବିଧାବାଦୀ ତଥା ହୃଷ୍ଟପୁଷ୍ଟ ଚପରାସୀ ରହସ୍ୟ କରି କହିଲା – “ମନେହେଉଛି ଘଟଣାଟି ଏତେ ସହଜ ନୁହେଁ। ଗଛଟି ଖୁବ୍ ଓଜନିଆ।” ମାଳୀ ଜଣକ କହିଲା – “ସହଜ ନୁହେଁ କାହିଁକି? ସୁପରିଣ୍ଟେଣ୍ଡେଣ୍ଟ ଯଦି ହୁକୁମ୍ ଦିଅନ୍ତି, ତା’ହେଲେ ଅନ୍ତତଃ ପନ୍ଦର-କୋଡ଼ିଏ ଜଣ ମାଳୀ, ଚପରାସୀ, କିରାଣି ମିଶି ଗଛତଳୁ ଅନାୟାସରେ ମଣିଷଟିକୁ ବାହାର କରିପାରିବା।” ବେଶ୍ କେତେଜଣ କିରାଣି ମାଳୀକୁ ସମର୍ଥନ କରି କହିଉଠିଲେ – “ହଁ ହଁ, ମାଳୀ ଠିକ୍ କହୁଛନ୍ତି। ଆମ୍ଭେମାନେ ପ୍ରସ୍ତୁତ। ସମସ୍ତେ ହାତ ଲଗାଅ।” ସମସ୍ତେ ଗଛଟିକୁ ଉଠାଇବା ପାଇଁ ପ୍ରସ୍ତୁତ ହୋଇଗଲେ। ହଠାତ୍ ସୁପରିଣ୍ଟେଣ୍ଡେଣ୍ଟ ବାଧା ଦେଇ କହିଲେ – “ରୁହ ରୁହ, ମୁଁ ଟିକେ ଅଣ୍ଡର୍ ସେକ୍ରେଟାରୀଙ୍କୁ ପଚାରି ଆସେ।”
ସୁପରିଣ୍ଟେଣ୍ଡେଣ୍ଟ ଅଣ୍ଡର୍ ସେକ୍ରେଟାରୀଙ୍କ ପାଖକୁ ଗଲେ, ଅଣ୍ଡର୍ ସେକ୍ରେଟାରୀ ଡେପୁଟି ସେକ୍ରେଟାରୀଙ୍କ ପାଖକୁ, ଡେପୁଟି ସେକ୍ରେଟାରୀ ଜଏଣ୍ଟ୍ ସେକ୍ରେଟାରୀଙ୍କ ପାଖକୁ, ଜଏଣ୍ଟ୍ ସେକ୍ରେଟାରୀ ଚିଫ୍ ସେକ୍ରେଟାରୀଙ୍କ ପାଖକୁ, ଚିଫ୍ ସେକ୍ରେଟାରୀ ମିନିଷ୍ଟର୍ଙ୍କ ପାଖକୁ ଯାଇ ଘଟଣାଟି ବିସ୍ତୃତଭାବେ ଜଣାଇଦେଲେ। ମିନିଷ୍ଟର୍ ଚିଫ୍ ସେକ୍ରେଟାରୀଙ୍କୁ କିଛି କହିଲେ, ଚିଫ୍ ସେକ୍ରେଟାରୀ ଜଏଣ୍ଟ୍ ସେକ୍ରେଟାରୀଙ୍କୁ କିଛି କହିଲେ, ଜଏଣ୍ଟ୍ ସେକ୍ରେଟାରୀ ଡେପୁଟି ସେକ୍ରେଟାରୀଙ୍କୁ କିଛି କହିଲେ, ଡେପୁଟି ସେକ୍ରେଟାରୀ ଅଣ୍ଡର୍ ସେକ୍ରେଟାରୀଙ୍କୁ କିଛି କହିଲେ…। ଫାଇଲ୍ ଚାଲିବାକୁ ଲାଗିଲା…। ଏହିପରି ଅର୍ଦ୍ଧେକ ଦିନ ଅତିବାହିତ ହୋଇଗଲା।
ମଧ୍ୟାହ୍ନଭୋଜନ ପରେ ସେହି ମଣିଷଟିର ଚତୁଃପାର୍ଶ୍ୱରେ କ୍ରମଶଃ ଭିଡ଼ ଜମିବାକୁ ଆରମ୍ଭ କଲା। ବିଭିନ୍ନ ଲୋକ ଭିନ୍ନଭିନ୍ନ ଧରଣର କଥା କହିବାକୁ ଆରମ୍ଭ କଲେ। କେତେଜଣ ବିଜ୍ଞ କିରାଣି ନିଜ ନିଜ ମଧ୍ୟରେ ସମସ୍ୟା ସମାଧାନ ପାଇଁ ପ୍ରସ୍ତୁତି ନେଲେ। ବିନା ହୁକୁମ୍ରେ ଯେତେବେଳେ ସେମାନେ ଗଛ ଉଠାଇବାର ପରିକଳ୍ପନା କରୁଛନ୍ତି, ଠିକ୍ ସେହି ସମୟରେ ସୁପରିଣ୍ଟେଣ୍ଡେଣ୍ଟ ଫାଇଲ୍ ନେଇ ହାଜିର୍ ହେଲେ ଆଉ କହିଲେ – “ଆମ୍ଭେମାନେ ଗଛଟିକୁ ନିଜ ଇଚ୍ଛା ଅନୁସାରେ ହଟାଇପାରିବା ନାହିଁ। କାରଣ ଆମ୍ଭେମାନେ ବାଣିଜ୍ୟ ବିଭାଗର କର୍ମଚାରୀ। ଆଉ ଏଇ ଗଛ କୃଷି ବିଭାଗର ଅନ୍ତର୍ଭୁକ୍ତ। ମୁଁ ଏହି ଫାଇଲ୍ ଅର୍ଜେଣ୍ଟ୍ ମାର୍କ କରି କୃଷି ବିଭାଗକୁ ପଠାଇଦେଉଛି। ସେଠାରୁ ଉତ୍ତର ଆସିଲେ ଆମ୍ଭେମାନେ ଯାହା କରିବା।”
ଦ୍ୱିତୀୟ ଦିନ କୃଷି ବିଭାଗରୁ ଉତ୍ତର ଆସିଲା – “ଏହି ଗଛ ବାଣିଜ୍ୟ ଦପ୍ତର ଅଗଣାରେ ପଡ଼ିଛି। ସୁତରାଂ ଏହି ଗଛ ଉଠାଇବାର ଦାୟିତ୍ୱ ବାଣିଜ୍ୟ ଦପ୍ତରର।”
ଉତ୍ତର ଶୁଣି ବାଣିଜ୍ୟ ବିଭାଗର ମୁଖ୍ୟ ଭୀଷଣ ରାଗିଗଲେ। ସେ ସଙ୍ଗେସଙ୍ଗେ କଡ଼ା ଜବାବ୍ ଦେଲେ – “ଏ ଗଛ ଉଠାଇବା ନ ଉଠାଇବା ଦାୟିତ୍ୱ ସମ୍ପୂର୍ଣ୍ଣଭାବେ କୃଷି ଦପ୍ତରର। ବାଣିଜ୍ୟ ଦପ୍ତର ସହିତ ଏହି ଗଛର କୌଣସିଦିନ ସମ୍ପର୍କ ନ ଥିଲା କି ଆଜି ମଧ୍ୟ ନାହିଁ।” ତା’ପରଦିନ ପୁଣି ଫାଇଲ୍ ଚାଲିବାକୁ ଆରମ୍ଭ କଲା…। ସନ୍ଧ୍ୟା ସମୟରେ କୃଷି ଦପ୍ତରରୁ ଦୃଢ଼ ଉତ୍ତର ଆସିଲା – “ଆମ ବିଭାଗ ଶାକସବ୍ଜି ଏବଂ କ୍ଷେତବାଡ଼ି ସମ୍ବନ୍ଧୀୟ ସମସ୍ୟାର ସମାଧାନ ନେଇ ଚିନ୍ତା କରିପାରନ୍ତି। ଜାମୁକୋଳି ଗଛରେ କୋଳି ତଥା ଫଳ ଫଳେ। ସୁତରାଂ ଏ ଧରଣର ଗଛ ସମ୍ପୂର୍ଣ୍ଣଭାବେ ହର୍ଟିକଲ୍ଚର୍ ଡିପାର୍ଟମେଣ୍ଟ୍ର ଅନ୍ତର୍ଭୁକ୍ତ। ତେଣୁ ଆଶୁ ତଥା ବିହିତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ପାଇଁ ଆମ୍ଭେ ଫାଇଲ୍ଟି ଉକ୍ତ ବିଭାଗକୁ ପଠାଇଦେଇଛୁ।”
ଇତିମଧ୍ୟରେ ଲୋକଟିର ଚାରିପାଖରେ ପୋଲିସ୍ କଡ଼ା ପ୍ରହରା ଦେଉଛି। ଲୋକଟିକୁ ବଞ୍ଚାଇବାକୁ ଯାଇ ଗଛଟିକୁ ସ୍ଥାନାନ୍ତର କରି କେହି ଯେପରି ଆଇନକୁ ନିଜ ହାତକୁ ନେବାକୁ ଚେଷ୍ଟା ନ କରନ୍ତି, ସେଥିନେଇ ପୋଲିସ୍ ବିଭାଗ ସଜାଗ। ବହୁ କାକୁତିମିନତି ପରେ ପୋଲିସ୍ଠାରୁ ଅନୁମତି ପାଇ ମାଳୀଟି ଚାପା ପଡ଼ି ରହିଥିବା ଲୋକଟିକୁ ରାତିରେ ଭାତ-ଡାଲି ଖାଇବାକୁ ଦେଲା ଏବଂ କହିଲା – “ତୁମ ଫାଇଲ୍ ଚାଲିଛି…। ମନେହେଉଛି କାଲି ଭିତରେ କିଛି ଗୋଟେ ସମାଧାନ ହୋଇଯିବ।” ପୁନଶ୍ଚ ଗଛଟିକୁ ନିରୀକ୍ଷଣ କରି କହିଲା – “ଭାଗ୍ୟବଶତଃ ଗଛଟି ତୁମ ଅଣ୍ଟାର ଗୋଟିଏ ପାଖରେ ପଡ଼ିଛି, ଅଣ୍ଟାର ମଝିରେ ପଡ଼ିଥିଲେ ତୁମ ମେରୁଦଣ୍ଡ ସମ୍ପୂର୍ଣ୍ଣ ଭାଙ୍ଗିଯାଇଥାନ୍ତା।” ସବୁ ଶୁଣି ମୁମୂର୍ଷୁ ଲୋକଟି କେବଳ ନିରୀହ ଦୃଷ୍ଟିରେ ମାଳୀକୁ ଚାହିଁଲା, କୌଣସି ଉତ୍ତର ଦେଲା ନାହିଁ। ମାଳୀ ପୁଣି କହିଲା – “ତୁମର ଯଦି କୌଣସି ସମ୍ପର୍କୀୟ ଥାଆନ୍ତି, ତେବେ ମୋତେ ତାଙ୍କ ଠିକଣା କୁହ, ମୁଁ ତାଙ୍କୁ ଖବର ଦେବାର ବ୍ୟବସ୍ଥା କରିବି।” ଚାପିହୋଇ ପଡ଼ିଥିବା ଲୋକଟି ଅନେକ କଷ୍ଟରେ ମାଳୀକୁ କହିଲା – “ମୁଁ ନିଜେ ହିଁ ମୋର ପରିଚୟ, ମୁଁ ସମ୍ପର୍କହୀନ, ନିଃସଙ୍ଗ।”
ମାଳୀଟି ଦୁଃଖ ପ୍ରକାଶ କରି ଚାଲିଗଲା।
ହର୍ଟିକଲ୍ଚର୍ ଡିପାର୍ଟମେଣ୍ଟ୍ର ସେକ୍ରେଟାରୀ ଜଣେ ଦରଦୀ ସାହିତ୍ୟିକ ଭାବେ ପରିଚିତ ଥିଲେ। ସେ ସାହିତ୍ୟିକ ଭାଷାରେ ଲେଖିଲେ – “ସମ୍ପ୍ରତି ଯେତେବେଳେ ସମଗ୍ର ଦେଶରେ ବୃକ୍ଷରୋପଣ ତଥା ପରିବେଶ ପ୍ରଦୂଷଣ ସମ୍ବନ୍ଧରେ ବ୍ୟାପକ ପ୍ରସ୍ତୁତି ଚାଲିଛି, ସେତେବେଳେ କେଉଁ ଆଇନ ବଳରେ ଏଭଳି ଏକ ଫଳନ୍ତି ଜାମୁକୋଳି ଗଛକୁ କାଟିଦିଆଯିବ?”
ତା’ପରେ ଜଣେ ରସିକ ମଣିଷ ଅବସୋସ କରି କହିଲେ – “ବର୍ତ୍ତମାନ ତା’ହେଲେ କ’ଣ କରାଯିବ? ଯଦି ଗଛ କଟା ନ ଯାଏ, ତା’ହେଲେ ଲୋକଟିକୁ କାଟି ବାହାର କରିବାର ବ୍ୟବସ୍ଥା କରାଯାଉ।” ନିଜର ପ୍ରସ୍ତାବଟିକୁ ଯୁକ୍ତିଯୁକ୍ତ ଏବଂ ସ୍ପଷ୍ଟ କରିବା ପାଇଁ ସେ ଗଛ ପାଖକୁ ଗଲେ ଏବଂ ଚାପିହୋଇ ପଡ଼ିଥିବା ଲୋକଟିର ଶରୀରର ଏକ ନିର୍ଦ୍ଦିଷ୍ଟ ଅଂଶକୁ ଦେଖାଇ କହିଲେ – “ଦେଖନ୍ତୁ, ଯଦି ଲୋକଟିର ଏହିଠାରୁ କଟାଯାଏ, ତେବେ ଅର୍ଦ୍ଧେକ ଶରୀର ଏପଟେ ଏବଂ ଆର ଅର୍ଦ୍ଧେକ ସେପଟେ ବାହାରି ଆସିବ। ଗଛଟିର କୌଣସି କ୍ଷତି ହେବ ନାହିଁ।”
ମୃତ୍ୟୁ ସହ ସଂଘର୍ଷ କରୁଥିବା ଲୋକଟି କ୍ଷୀଣ ସ୍ୱରରେ ପ୍ରତିବାଦ କଲା – “କିନ୍ତୁ ମୁଁ ଯେ ମରିଯିବି!” ଜଣେ କିରାଣି କହିଲେ – “ସତେ ତ, ଲୋକଟି ମରିଯାଇପାରେ!”
ଲୋକଟିକୁ କାଟି ବାହାର କରିବା ପାଇଁ ଯିଏ ଦୃଢ଼ ଯୁକ୍ତି କରିଥିଲେ, ସେ କହିଲେ – “ଆପଣ ବୋଧେ ଜାଣନ୍ତି ନାହିଁ, ଆଜିକାଲି ପ୍ଲାଷ୍ଟିକ୍ ସର୍ଜରୀ ସଫଳତାର ଶୀର୍ଷସ୍ଥାନରେ ପହଞ୍ଚିଛି। ଏ ଲୋକକୁ ଯଦି ଦୁଇଖଣ୍ଡ କରି କାଟି ବାହାର କରିଦିଆଯାଏ, ତେବେ ପ୍ଳାଷ୍ଟିକ୍ ସର୍ଜରୀ କରି ଯୋଡ଼ିଦିଆଯାଇ ପାରିବ।”
ଏହା ପରେ ଫାଇଲ୍ଟି ସ୍ୱାସ୍ଥ୍ୟ ବିଭାଗକୁ ପଠାଇ ଦିଆଗଲା। ସ୍ୱାସ୍ଥ୍ୟ ବିଭାଗର ଉଚ୍ଚ କର୍ତ୍ତୃପକ୍ଷ ଘଟଣାଟିର ଗୁରୁତ୍ୱ ଉପଲବ୍ଧି କରି ତା’ପରଦିନ ମେଡିକାଲ୍ ଡିପାର୍ଟମେଣ୍ଟ୍ର ଯୋଗ୍ୟତମ ପ୍ଲାଷ୍ଟିକ୍ ସର୍ଜନ୍ଙ୍କ ପାଖକୁ ଫାଇଲ୍ଟି ପଠାଇଦେଲେ। ସର୍ଜନ୍ ଚାପିହୋଇ ପଡ଼ିଥିବା ଲୋକଟିର ରକ୍ତଚାପ, ନାଡ଼ିର ଗତି, ହୃଦୟ ଓ ରକ୍ତ ପରୀକ୍ଷା କରାଇ ଏକ ରିପୋର୍ଟ ଲେଖିଲେ – “ହଁ, ଅପରେସନ୍ ସଫଳ ହୋଇପାରେ; କିନ୍ତୁ ଲୋକଟି ମରିଯିବ।” ସୁତରାଂ ଏହି ପ୍ରସ୍ତାବ ଆଉ ଗ୍ରହଣ କରାଗଲା ନାହିଁ।
ରାତିରେ ମାଳୀଟି ଚାପିହୋଇ ପଡ଼ିଥିବା ଲୋକଟିକୁ ଖେଚୁଡ଼ି ଖୁଆଉ ଖୁଆଉ କହିଲା – “ତୁମ ବ୍ୟାପାରଟି ଉପର ସ୍ତରକୁ ଯାଇଛି। ଶୁଣୁଛି ଆସନ୍ତାକାଲି ସଚିବାଳୟର ସମସ୍ତ ସେକ୍ରେଟାରୀଙ୍କର ଏକ ଜରୁରୀ ଅଧିବେଶନ ବସିବ। ଏଥିରେ ତୁମର ଏ ସଂକଟର ସମାଧାନ ସମ୍ପର୍କରେ ବିଚାର ଆଲୋଚନା କରାଯିବ। ମନେହୁଏ ସବୁ ଠିକ୍ଠାକ୍ ହୋଇଯିବ।” ପ୍ରତି ମୁହୂର୍ତ୍ତରେ ମୃତ୍ୟୁର ଶୀତଳ ସ୍ପର୍ଶ ଅନୁଭବ କରୁଥିବା ସେହି ହତଭାଗ୍ୟ ଲୋକଟି କରୁଣ ଦୃଷ୍ଟିରେ ମାଳୀକୁ ଚାହିଁଲା ଏବଂ ଏକ ଗଭୀର ଦୀର୍ଘଶ୍ୱାସ ପକାଇ କହିଲା – “ମାନବିକତାଠାରୁ ଅପହଞ୍ଚ ଦୂରତାରେ ଥିବା କୌଣସି ଆଇନ କ’ଣ ମଣିଷକୁ ବଞ୍ଚିବାରେ ସାହାଯ୍ୟ କରିପାରେ?”
ଏକଥା ଶୁଣି ମାଳୀଟି ହଠାତ୍ ଚମକିପଡ଼ିଲା ଏବଂ ଆଶ୍ଚର୍ଯ୍ୟ ହୋଇ ପଚାରିଲା – “ତୁମେ କ’ଣ ଜଣେ କବି?” ଚାପିହୋଇ ପଡ଼ିଥିବା ଲୋକଟି ମୁଣ୍ଡ ଟୁଙ୍ଗାରିଲା।
ତତ୍କ୍ଷଣାତ୍ ସାରା ସଚିବାଳୟରେ ପ୍ରଚାର ହୋଇଗଲା ଯେ, ଚାପିହୋଇ ପଡ଼ିଥିବା ଲୋକଟି ଜଣେ କବି। ତା’ପରେ ଲୋକଟିର ଚାରିପାଖରେ ବେଶ୍ ଭିଡ଼ ଜମିଗଲା। ସହରର ଗଳିକନ୍ଦିରୁ ଶହଶହ ସଂଖ୍ୟାରେ କବି ଆସି ରୁଣ୍ଡ ହେଲେ। ଯୁଆଡ଼େ ଦେଖିବ କେବଳ କବି ଆଉ କବି…। ମୁହୂର୍ତ୍ତକ ମଧ୍ୟରେ ସେଠାରେ କବି ସମ୍ମିଳନୀର ଏକ ମନୋରମ ପରିବେଶ ସୃଷ୍ଟି ହୋଇଗଲା। ସଚିବାଳୟର କେତେକ ସାହିତ୍ୟାନୁରାଗୀ କର୍ମଚାରୀ ମଧ୍ୟ ଏହି ସମାବେଶରେ ଯୋଗଦେଇ ଅର୍ଦ୍ଧମୃତ ଲୋକଟିକୁ ନିଜ ନିଜ କବିତା ଶୁଣେଇଲେ। କେତେଜଣ ପ୍ରଗତିବାଦୀ ତରୁଣ କବି ଆଉ ପାଦେ ଆଗେଇଯାଇ ନିଜ ନିଜ ସାମଗ୍ରିକ କୃତି ଉପରେ ଏକ ଏକ ଦୀର୍ଘ ଭାଷଣମାନ ଦେଇଚାଲିଲେ।
ଏହି ଖବରଟି ଯେତେବେଳେ ସଚିବାଳୟର ସବ୍-କମିଟିରେ ପହଞ୍ôଚଲା, ସେତେବେଳେ ସେମାନେ ରାୟ ଦେଲେ – “ଯେହେତୁ ଚାପା ପଡ଼ିଥିବା ଲୋକଟି ଜଣେ କବି, ତେଣୁ ଏ ଘଟଣାଟି ସମ୍ପୂର୍ଣ୍ଣଭାବେ ସଂସ୍କୃତି ବିଭାଗର ଅନ୍ତର୍ଭୁକ୍ତ।” ଯେତେ ଶୀଘ୍ର ସମ୍ଭବ ଲୋକଟିକୁ ଗଛତଳୁ ଉଦ୍ଧାର କରିବାକୁ ନିର୍ଦ୍ଦେଶ ଦେଇ, ଫାଇଲ୍ଟି ସଂସ୍କୃତି ବିଭାଗକୁ ପଠାଇଦିଆଗଲା।
ଫାଇଲ୍ଟି ସଂସ୍କୃତି ବିଭାଗର ଗୋଟିଏ ବିଭାଗରୁ ଆଉ ଗୋଟିଏ ବିଭାଗକୁ ବୁଲିବୁଲି ଶେଷରେ କେନ୍ଦ୍ରୀୟ ସାହିତ୍ୟ ଏକାଡେମୀ ସମ୍ପାଦକଙ୍କ ହାତକୁ ଆସିଲା।
ସମ୍ପାଦକ ମହୋଦୟ ତତ୍କ୍ଷଣାତ୍ ସଚିବାଳୟରେ ଆସି ଉପସ୍ଥିତ ହେଲେ ଏବଂ ଚାପିହୋଇ ପଡ଼ିଥିବା ଲୋକଟିର ସାକ୍ଷାତ୍କାର ନେବାକୁ ଆରମ୍ଭ କଲେ।
– “ତୁମେ ଜଣେ କବି?”
– “”ଆଜ୍ଞା ହଁ।” ଚାପି ହୋଇଯାଇଥିବା ଲୋକଟି କଷ୍ଟେମଷ୍ଟେ ଉତ୍ତର ଦେଲା।
– “କେଉଁ ନାମରେ ତୁମେ ପରିଚିତ?”
– “ଶିଶିର।”
– “”ଶିଶିର!” ସମ୍ପାଦକ ବିସ୍ମୟରେ ଚିତ୍କାର କରିଉଠିଲେ। “”ତୁମେ କ’ଣ ସେଇ ଶିଶିର, ଯାହାଙ୍କର “ଶିଶିର କୁସୁମ’ ଶୀର୍ଷକ କବିତା ବହିଟି ନିକଟରେ ପ୍ରକାଶିତ ଓ ବହୁଚର୍ଚ୍ଚିତ?”
ଚାପିହୋଇ ପଡ଼ିଥିବା କବି ଜଣକ ନିରବ ସମ୍ମତି ଜଣାଇଲେ। ସମ୍ପାଦକ ତାଙ୍କୁ ପଚାରିଲେ – “ତୁମେ କ’ଣ ଆମ ସାହିତ୍ୟ ଏକାଡେମୀର ସଭ୍ୟ?”
– “ନା।”
ସମ୍ପାଦକ କହିଲେ – “ଆଶ୍ଚର୍ଯ୍ୟ! ଏତେ ବଡ଼ ଜଣେ କବି ତଥା ସାହିତ୍ୟିକ ତୁମେ, ଅଥଚ ଏକାଡେମୀର ସଭ୍ୟ ନୁହଁ? ଓଃ, କେତେବଡ଼ ଭୁଲ୍ ହୋଇଯାଇଛି ଆମର! ଏଭଳି ଏକ ପ୍ରଚଣ୍ଡ ପ୍ରତିଭାଙ୍କର ନାମ ଅବହେଳାର ଅନ୍ଧକାର ତଳେ ଚାପିହୋଇ ପଡ଼ିଛି!”
– “ଆଜ୍ଞା, ମୋର ନାମ ନୁହେଁ, ମୁଁ ନିଜେ ଏ ଗଛତଳେ ଚାପା ପଡ଼ିଯାଇଛି। ଦୟା କରି ମୋତେ ଶୀଘ୍ର ଏଠାରୁ ମୁକ୍ତ କରନ୍ତୁ।”
“ଏଇ ସଙ୍ଗେସଙ୍ଗେ ମୁଁ ବ୍ୟବସ୍ଥା କରୁଛି” କହି ସମ୍ପାଦକ ମହୋଦୟ ସମସ୍ତ ତଥ୍ୟ ନୋଟ୍ କରି ନେଇ ନିଜ ବିଭାଗକୁ ଜଣାଇଦେଲେ।
ତା’ପରଦିନ ସମ୍ପାଦକ କବିଙ୍କ ପାଖରେ ପହଞ୍ଚି କହିଲେ – “କବି! ତୁମ ପାଇଁ ଏକ ଭଲ ଖବର ଆଣିଛି, ମୋତେ ମିଠା ଖୋଇବଟି? ଆମ ସାହିତ୍ୟ ଏକାଡେମୀ ତୁମକୁ ଜଣେ ସଦସ୍ୟ ଭାବେ ଗ୍ରହଣ କରିଛି। ଏଇ ନିଅ ତୁମର ସଦସ୍ୟ ପରିଚୟପତ୍ର।”
ଯନ୍ତ୍ରଣାରେ ଛଟପଟ ହେଉଥିବା କବିଜଣକ ଅତି କରୁଣ ସ୍ୱରରେ କହିଲେ – “ମୋତେ ପ୍ରଥମେ ଏହି ଗଛତଳୁ ଉଦ୍ଧାର କରନ୍ତୁ।”
ସମ୍ପାଦକ କହିଲେ – “ମୋର ଯାହା କରିବାର ଥିଲା ମୁଁ ତାହା କରିଛି, ଅଧିକ କିଛି କରିବା ମୋ ପକ୍ଷରେ ସମ୍ଭବ ନୁହେଁ। ଯଦି ତୁମେ ମରିଯାଅ, ତୁମ ସ୍ତ୍ରୀର ପେନ୍ସନ୍ ପାଇବାର ସମସ୍ତ ବ୍ୟବସ୍ଥା ଅବଶ୍ୟ ମୁଁ କରିପାରେ।”
– “ମୋତେ ବଞ୍ଚେଇ ରଖନ୍ତୁ।”
ସମ୍ପାଦକ ହାତ ମଳିମଳି କହିଲେ – “ଅସୁବିଧାଟି କ’ଣ ଜାଣ? ଆମ ବିଭାଗ କେବଳ କଳା, ସାହିତ୍ୟ ଓ ସଂସ୍କୃତିର ବିକାଶ ପାଇଁ ଉଦ୍ଦିଷ୍ଟ। ଗଛ କଟାକଟି ଧନ୍ଦା ତ ଆଉ ଦୁଆତ-କଲମରେ ହେବନି; ଏଥିପାଇଁ କୁରାଢ଼ି, କଟୁରି ଓ ଅଭ୍ୟସ୍ତ ହାତର ଆବଶ୍ୟକତା ଅଛି। ତେଣୁ ମୁଁ ତୁମ ଫାଇଲ୍ଟିକୁ ଅର୍ଜେଣ୍ଟ୍ ମାର୍କ କରି ଫରେଷ୍ଟ ଡିପାର୍ଟମେଣ୍ଟ୍କୁ ପଠାଇଦେଉଛି।”
ତା’ପରଦିନ ସମ୍ପାଦକ ମହୋଦୟ ଆସି ଚାପା ପଡ଼ିଥିବା କବିଙ୍କୁ କହିଲେ – “କାଲି ଜଙ୍ଗଲ ବିଭାଗର ଲୋକ ଆସି ଗଛ କାଟିଦେବେ, ଆଉ ତମେ ବଞ୍ôଚଯିବ।”
ସେତେବେଳକୁ କବିଙ୍କ ଶରୀର ଯନ୍ତ୍ରଣାରେ ନିସ୍ତେଜ ଓ ନିଃଶ୍ୱାସ-ପ୍ରଶ୍ୱାସ କ୍ରମଶଃ କ୍ଷୀଣ ହୋଇ ଆସୁଥିଲା। ନିଶ୍ଚିତ ମୃତ୍ୟୁ ପ୍ରତୀକ୍ଷାରେ ଥିବା ମଣିଷଟି ତା’ ଜୀବନର ଶେଷକଥା ପଦକ କହିଲା – “କାଲି ପର୍ଯ୍ୟନ୍ତ…!”
ତା’ପରଦିନ ଫରେଷ୍ଟ୍ ଡିପାର୍ଟମେଣ୍ଟ୍ର ଲୋକମାନେ ଯେତେବେଳେ କୁରାଢ଼ି-କଟୁରି ନେଇ ଗଛ କାଟିବାକୁ ଉପସ୍ଥିତ ହେଲେ, ସେତେବେଳେ ବୈଦେଶିକ ଦପ୍ତରରୁ ନିର୍ଦ୍ଦେଶ ଆସିଲା – “ଗଛ କାଟିବା ବନ୍ଦ କର। କାରଣ ଦଶବର୍ଷ ପୂର୍ବେ ସୋଭିଏତ୍ ଋଷ୍ର ପ୍ରଧାନମନ୍ତ୍ରୀ ସଚିବାଳୟ ଅଗଣାରେ ଏହି ଗଛ ଲଗାଇଥିଲେ। ବର୍ତ୍ତମାନ ଯଦି ଏହି ଗଛ କଟାହୁଏ, ତେବେ ସୋଭିଏତ୍ ସରକାର ସମ୍ଭବତଃ ଅସନ୍ତୁଷ୍ଟ ହୋଇପାରନ୍ତି।”
ଜଣେ କିରାଣି ଚିତ୍କାର କରି କହିଲେ – “କିନ୍ତୁ ଜଣେ ମଣିଷର ଜୀବନର ପ୍ରଶ୍ନ ଏଥିସହ ଜଡ଼ିତ।”
ଅନ୍ୟ ଜଣେ କିରାଣି ଦୃଢ଼ ପ୍ରତିବାଦ କଲେ – “ଏ ଯେ ଦୁଇ ଦେଶର ସମ୍ପର୍କର ପ୍ରଶ୍ନ, ତୁମେ କ’ଣ ଜାଣନା? ସୋଭିଏତ୍ ସରକାର ଆମ ଦେଶକୁ ସବୁ ପ୍ରକାର ସାହାଯ୍ୟ ସହଯୋଗ କରୁଛନ୍ତି। ଆମ୍ଭେମାନେ କ’ଣ ଏହି ଅନାବିଳ ବନ୍ଧୁତ୍ୱ ପାଇଁ ଗୋଟିଏ ସାମାନ୍ୟ ମଣିଷର ଜୀବନକୁ ଉତ୍ସର୍ଗ କରିପାରିବୁ ନାହିଁ? ଚାପା ପଡ଼ିଥିବା ଲୋକଟି ଏମିତି କିଏ କି? ଜଣେ କବି ତ। କବି ମରିଗଲେ ଏମିତି କ’ଣଟା ଭାସିଯିବ ଯେ?”
ଆଉ ଜଣେ ସମର୍ଥନ କରି କହିଲେ– “କବି ମରିଯିବା ଉଚିତ।”
ସମର୍ଥନ ଉପରେ ସମର୍ଥନ– “ନିଶ୍ଚୟ ନିଶ୍ଚୟ।”
ଏତିକିବେଳେ ଅଣ୍ଡର୍ ସେକ୍ରେଟାରୀ ସୁପରିଣ୍ଟେଣ୍ଡେଣ୍ଟ୍ଙ୍କୁ କହିଲେ – “ଆଜି ପ୍ରଧାନମନ୍ତ୍ରୀ ତାଙ୍କର ଗସ୍ତ କାର୍ଯ୍ୟକ୍ରମ ଶେଷ କରି ଫେରିଛନ୍ତି। ଅପରାହ୍ଣ ୪ ଘଟିକା ସମୟରେ ବୈଦେଶିକ ଦପ୍ତର ଏହି ଗଛ ସମ୍ପର୍କୀୟ ଫାଇଲ୍ଟି ତାଙ୍କ ନିକଟରେ ପେସ୍ କରିବେ। ସେ ଯାହା କରିବେ ତାହାହିଁ ଶେଷ ନିଷ୍ପତ୍ତି।”
ଅପରାହ୍ଣ ୫ ଘଟିକାରେ ସେକ୍ରେଟାରୀ ସ୍ୱୟଂ ଫାଇଲ୍ ନେଇ ହାଜର ହେଲେ। ଚାପା ପଡ଼ିଥିବା କବିଙ୍କୁ ଖୁସିରେ ଗଦ୍ଗଦ୍ ହୋଇ କହିଲେ – “ଏଇ ଶୁଣୁଛ! ପ୍ରଧାନମନ୍ତ୍ରୀ ଗଛ କାଟିବା ପାଇଁ ହୁକୁମ୍ ଦେଇଛନ୍ତି। ସମସ୍ତ ଆନ୍ତର୍ଜାତିକ ଦାୟ ଦାୟିତ୍ୱ ସେ ନିଜ କାନ୍ଧକୁ ତୋଳିନେଇଛନ୍ତି। ଆସନ୍ତାକାଲି ଏ ଗଛ କଟାହେବ। ତମେ ଏ ବିପଦରୁ ମୁକ୍ତି ପାଇବ। ଆରେ କ’ଣ ଶୁଣୁଛ ନା ନାହିଁ? ଆଜି ତୁମର ଫାଇଲ୍ କାମ ପୂର୍ଣ୍ଣ ହୋଇଯାଇଛି।”
କିନ୍ତୁ ସେତେବେଳକୁ ଢେର୍ ବିଳମ୍ବ ହୋଇଯାଇଥିଲା। କବିଙ୍କ ଦେହ ଥିଲା ବରଫ ଭଳି ଥଣ୍ଡା। ଆଖିର ତାରା ଥିଲା ସ୍ଥିର। ପିମ୍ପୁଡ଼ିମାନେ ଧାଡ଼ିବାନ୍ଧି ତାଙ୍କ ପାଟି ଭିତରେ ପଶୁଥିଲେ। ପ୍ରଶାସନିକ ନାଲିଫିତା ତଳେ ଜଣେ ସାଧାରଣ ଲୋକର ଜୀବନଦୀପ ଲିଭିଯାଇଥିଲା ସବୁଦିନ ପାଇଁ।
(‘ସାହିତ୍ୟ ଚର୍ଚ୍ଚା’ ପତ୍ରିକାର ଡିସେମ୍ବର, ୨୦୨୪ ସଂଖ୍ୟାରେ ପ୍ରକାଶିତ । )
ଅଦ୍ଭୁତ କାହାଣୀ ବ୍ୟଙ୍ଗ ଆକାରରେ ଆମ ମାନବିକତା ଓ ଆମର ଫାଇଲ ଚାଷର କାହାଣୀରେ ସୁନ୍ଦର ମତାମତ ଭିତର ଦେଇ ଗତିଶୀଳ ହୋଇଛି ଏବଂ ଆମ ଦୁର୍ବଳ ମାନସିକତାର ଏକ ନିଛକ ଉଦାହରଣ ସୃଷ୍ଟି କରି ପାରିଛି।