ଏବେ ଆମେ କରିବା କଣ ? ରହିବା କୋଉଠି? ଆମକୁ ଅନ୍ଧାରିଆ ଜାଗା ଦରକାର।
ପରିତ୍ୟକ୍ତ ପାର୍କ୍ଟିଏ। କେଉଁ କାଳରୁ କେହି ସେଠାକୁ ଆସନ୍ତିନି। ପାର୍କ୍ର ଦୋଳିଟି ଭଙ୍ଗାହୋଇ ପଡ଼ିଚି। ସିମେଣ୍ଟର ସ୍ଲାଇଡ଼୍ ବି ଭାଙ୍ଗିରୁଜି ଯାଇଚି। ପୁରୁଣା ହାଣ୍ଡି, କାଗଜ, ପ୍ଲାଷ୍ଟିକ୍ ପାର୍କ ସାରା, ଘାସ ଆଣ୍ଠୁଏ ଆଣ୍ଠୁଏ। ଗୋଟିଏ କୋଣରେ ଗୋଟିଏ ବିରାଟ ଘଞ୍ଚ ଆମ୍ବଗଛ, ଦୁଇଟା ତେନ୍ତୁଳି ଗଛ। ଅପରାହ୍ଣ ହେଇଗଲାଣି। ଗୋଟିଏ ଜିପ୍ ଆସି ପାର୍କ୍ ପାଖରେ ରହିବାର ଶବ୍ଦ। ଦି’ମିନିଟ୍ ପରେ ତିନି ଚାରିଜଣ ପାର୍କକୁ ପଶି ଆସିଲେ।
ପ୍ରଥମ ବ୍ୟକ୍ତି – ଏହେ ! କଣ ହେଇଚି ଏ ପାର୍କ୍ଟା!
ଆଉ ଜଣେ ବ୍ୟକ୍ତି – ଏବେ ସନ୍ଧ୍ୟାଟାରେ ଏମିତି ମଇଳା ଭିତରେ ପଶି ମାପିହେବନି। କାଲି ସକାଳୁ ଆସିବା। କୋଉ ଦିଗକୁ ହେବ ଏଇ ଫ୍ଲାଟ୍ କମ୍ପ୍ଲେକ୍ସ୍ର ମୁହଁଟା?
ତୃତୀୟ ବ୍ୟକ୍ତି – ପୂର୍ବକୁ ପରା।
ପ୍ରଥମ ବ୍ୟକ୍ତି – କାଲି ଶୀଘ୍ର ଆସି ମାପିଦେବା। (ଗୋଟିଏ କୋଣରେ ଥିବା ଗଛଙ୍କୁ ଚାହିଁ) ଏ ଗଛସବୁ କଟାହେବେ।
(ଆମ୍ବଗଛ ପଛରୁ ତିନି ଚାରିଟା ମୁହଁ ଦିଶିଲା। ଆସିଥିବା ବ୍ୟକ୍ତିମାନେ ସେମାନଙ୍କ ମଧ୍ୟରୁ କାହାକୁ ବି ଦେଖି ପାରିଲେନି, କାରଣ ସେମାନେ ଥିଲେ ଅଶରୀରୀ।)
ଦ୍ବିତୀୟ ବ୍ୟକ୍ତି – ଚାଲ, ଚାଲ – ଶୀଘ୍ର ପଳେଇବା। ଏଠି ଭୂତ ଫୁତ ରହୁଥାଇ ପାରନ୍ତି। କି ଅବସ୍ଥାରେ ଅଛି ଏ ଜାଗା !
(ସମସ୍ତେ ହଡ଼ବଡ଼ିରେ ବାହାରିଗଲେ। ଜିପ୍ର ଶବ୍ଦ ଦୂରେଇଗଲା। ସନ୍ଧ୍ୟା ନଇଁ ଆସିଲା। ଚାରିପାଞ୍ଚଟା ଅଶରୀରୀ ଆମ୍ବଗଛ ପଛରୁ ବାହାରି ଆସି ଭଙ୍ଗା ବେଞ୍ଚ୍ରେ ବସିଲେ।)
ପ୍ରଥମ ଅଶରୀରୀ – ହାଏ ହାଏ! କି ଭାଗ୍ୟ ! ମଣିଷ ଆମକୁ ଆଉ କଣ ଡରୁଚି? ଏବେ ତ ଆମେ ଏ ମଣିଷକୁ ଡରିମରି ଅଥା। ଇଏ ଆମକୁ କୋଉଠି ବି ରହିବାକୁ ଦେବନି। ମୁଁ ହେଇ ସେଇ ପୋଖରୀ ହୁଡ଼ାର ବରଗଛରେ ରହୁଥିଲି ଯେ ତାକୁ ପୋତି ଫ୍ଲାଟ୍ କମ୍ପ୍ଲେକ୍ସ୍ ବନେଇଦେଲେ। ସେଠୁ ଆସି ଏଠି ରହିଲି ଯେ ଏବେ ଏଠୁ ବି ବାହାରିବାକୁ ପଡ଼ିବ। (କାନ୍ଦି କାନ୍ଦି) ମୁଁ କୁଆଡ଼େ ଯିବି?
ଦ୍ବିତୀୟ ଅଶରୀରୀ – ମୁଁ ତ ସେଇ ପାହାଡ଼ ସେପାରି ଜଙ୍ଗଲରେ ରହୁଥିଲି। କେତେ ଶାନ୍ତି ସୁଖରେ! କେତେ ସାଙ୍ଗସୁଖ ଥିଲେ। କଣ ଗୋଟିଏ କାରଖାନା ବସିବାର ହେଲା ଯେ ଥରକେ ଜଙ୍ଗଲ ପଦା ହେଇଗଲା। ବାପାଲୋ ମା’ଲୋ, କହି ଆମେ କିଏ କୁଆଡ଼େ ଉଡ଼ିଗଲୁ। ମୁଁ ଆସି ଏଠି ଆଶ୍ରୟ ନେଲି ଯେ ଏବେ ଏଇଠୁ ପୁଣି ବାହାରିବାକୁ ହେବ। (କପାଳକୁ ହାତରେ ବାଡ଼େଇ ବାଡ଼େଇ) କଣ କରିବି ଏବେ?
ତୃତୀୟ ଅଶରୀରୀ – ମୁଁ ତ ମୋ ସାଙ୍ଗଙ୍କ ସାଙ୍ଗରେ ଯୋଉ ପାହାଡ଼ରେ ରହୁଥିଲି, ଏ ମଣିଷ ସେ ପାହାଡ଼କୁ ହିଁ ଖାଇ ଖାଇ ଶେଷ କରିଦେଲା ! ଏ ମଣିଷର ଭୋକ କେବେ ଶେଷ ହେବ? ସବୁ ଖାଇଯାଉଛି! ଆମେ ରହିବା କୋଉଠି? ଏ ପୃଥିବୀ କଣ ଖାଲି ମଣିଷ ପାଇଁ ଗଛଲତା, ପାହାଡ଼, ପର୍ବତ, ଜଙ୍ଗଲ, ନଦୀ, ନାଳ କେବଳ ତା’ରି ପାଇଁ? ଆମର କିଛି ନାହିଁ !
ପ୍ରଥମ ଅଶରୀରୀ – ପ୍ରକୃତି ଆମର ମା’। ଆମେ ସମସ୍ତେ ତା’କୋଳରେ ଆଶ୍ରୟ ନେଇଛୁ। ସେ ଆମର ଦେଖ୍ଭାଲ୍ କରୁଛି। କିନ୍ତୁ ଏ ମଣିଷ ତ ତାର ପ୍ରଭୁ ହେବାକୁ ବସିଛି! ପ୍ରକୃତି ସହ ଖେଳ ଖେଳିଲେ ପ୍ରକୃତି କେତେ ସହିବ? ଦିନେ ନା ଦିନେ ତ ମଣିଷକୁ ସାବାଡ଼୍ କରି ରଖିବ !
ତୃତୀୟ ଅଶରୀରୀ – ମଣିଷର ପ୍ରକୃତି ପାଇଁ ଏତେ ବେଖାତିର୍ ତ ଏବେ ତାକୁ ବହୁତ ସମସ୍ୟାରେ ପକଉଚି। ସାରା ପୃଥିବୀରେ ଜଳବାୟୁ ପରିବର୍ତ୍ତନ ହେଉଚି। ଗରମ ବଢ଼ି ବଢ଼ି ଯାଉଚି। ବନ୍ୟା,ବାତ୍ୟା ବଢ଼ିଚାଲିଚି। ସମୁଦ୍ରର ସ୍ତର ବି ବଢ଼ି ଚାଲିଚି।
ଚତୁର୍ଥ ଅଶରୀରୀ -ଆରେ ଭାଇ ! ମଣିଷକୁ ତା’କର୍ମର ଫଳ ମିଳୁ। କିନ୍ତୁ ଏବେ ଆମେ କରିବା କଣ? ରହିବା କୋଉଠି? ଆମକୁ ଅନ୍ଧାରିଆ ଜାଗା ଦରକାର। ପାଇବା କୋଉଠି ସେ ଜାଗା ?
(ସମସ୍ତେ ଚୁପ୍ ହେଇଗଲେ। ଭାବିବାକୁ ଲାଗିଲେ। ଜଣେ, ଦୁଇଜଣ ସେଥିରୁ ବିକଳ ହେଇ କାନ୍ଦିଲେ। ହଠାତ୍ -)
ପ୍ରଥମ ଅଶରୀରୀ – ଆରେ! ଆରେ! ଏତେ ବଢ଼ିଆ ଜାଗା ଆମପାଇଁ ଅଛି! ଆମ କାହାକୁ ଦିଶୁନି!
ବାକି ସମସ୍ତେ (ଏକା ସାଙ୍ଗରେ) – କୋଉଠି?
ପ୍ରଥମ ଅଶରୀରୀ – ମଣିଷ ମନରେ। ମଣିଷର ଲୋଭ, ମୋହ, ସ୍ବାର୍ଥପରତା, ଆତ୍ମକୈନ୍ଦ୍ରିକତା, ଅନ୍ୟ ପ୍ରତି ବେଖାତିର୍ ଭାବ ମଣିଷର ମନକୁ ଏତେ କଳା କରିଦେଇଛି ଯେ ତା’ଠୁ ଅନ୍ଧାରିଆ ଜାଗା ଆଉ କୋଉଠି ମିଳିବ?
ସମସ୍ତେ ଖୁସିରେ ଚିତ୍କାର କରିଉଠିଲେ – ଆରେ ହଁ ତ!
(ସେମାନଙ୍କ ଭିତରୁ କିଏ ଡେଇଁଲା, କିଏ ତାଳି ବଜେଇଲା ତ କିଏ ହ୍ବିସିଲ୍ ମାରିଲା।)
ଦ୍ବିତୀୟ ଅଶରୀରୀ – ଆଉ ଡେରି କାହିଁକି? ଚାଲ ଏବେଠୁ ଯାଇ ଆମ ଜାଗାରେ ବସିପଡ଼ିବା।
“ହଁ”କହି ସମସ୍ତେ ଭିନ୍ନ ଭିନ୍ନ ଦିଗକୁ ଦୌଡ଼ି ପଳେଇଲେ।
ମଞ୍ଚ ଅନ୍ଧାର।
ମଣିଷ ହିଁ ମଣିଷକୁ ମାରୁଛି। ଏ ଏକ ନିରାଟ ସତ୍ୟ।ଲେଖିକାଙ୍କୁ ଧନ୍ୟବାଦ।