ଗୋଟିଏ ଇମୋଜୀ କାହାଣୀ

ସୌମ୍ୟଶ୍ରୀ ପାଣିଗ୍ରାହୀ

‘ସାହିତ୍ୟ ଚର୍ଚ୍ଚା’ ପୃଷ୍ଠାରେ କେବଳ ଇମୋଜୀ ଚିହ୍ନ ପ୍ରୟୋଗ କରି ଲେଖାଯାଇଥିବା ଏହି ଗଳ୍ପ ଦେଖି ହୁଏତ ପାଠକମାନେ ଆଶ୍ଚର୍ଯ୍ୟ ହୋଇପାରନ୍ତି। ସ୍ପଷ୍ଟ କରିଦେଉ ଯେ, ନୀତିଗତ ଭାବରେ ଆମେ ସାହିତ୍ୟରେ ଇମୋଜୀ ପ୍ରୟୋଗର ବିରୋଧୀ। ତେବେ ଏହି ଇମୋଜୀ ବନ୍ୟା ଏବେ ଆମ ଭାଷା, ବିଶେଷତଃ ସାମାଜିକ ଗଣମାଧ୍ୟମର ଭାଷା, ଭିତରକୁ ଯେମିତି ପ୍ରବଳ ବେଗରେ ପ୍ରବେଶ କରିଛି, ତାହା ଦେଖି ଆମେ ଭାବିଲୁ ଯେ ଦିନେ ଏହାର ସାମନା କରିବାକୁ ହିଁ ପଡ଼ିବ। ଆମେ ସାହିତ୍ୟରେ ଏହାର ପ୍ରୟୋଗ ହେବାର ଜମା ସମର୍ଥନ କରୁନାହୁଁ; କେବଳ ସେପଟକୁ ଟିକିଏ ଉଣ୍ଡି ଜାଣିବାକୁ ଚାହୁଛୁ, ସେହି ବିଚିତ୍ର ଦୁନିଆଁରେ କ’ଣ ସବୁ ଘଟୁଛି।
ଏହି ‘ଗଳ୍ପ’ଟିର ସ୍ରଷ୍ଟା ହେଉଛନ୍ତି ଓଡ଼ିଆ ଭାଷାର ଜଣେ ସୁବିଦିତ ଲେଖକ ଓ ସ୍ତମ୍ଭକାର। ଇମୋଜୀମାନଙ୍କୁ ନେଇ ସେ କିଛି ନୂଆ ପ୍ରୟୋଗ କରିବାକୁ ଚାହିଛନ୍ତି। ଏଭଳି ପ୍ରୟୋଗ ଏବେ ବିଶ୍ବର ଅନେକ ଅଞ୍ଚଳରେ ଚାଲିଛି। ଲେଖକ (ନା, ଇମୋଜୀଶିଳ୍ପୀ?) ଗୋଟିଏ ବି ଶବ୍ଦ ବ୍ୟବହାର ନ କରି, କେବଳ ଇମୋଜୀ ମାଧ୍ୟମରେ ଗଳ୍ପଟିଏ ଗଢ଼ିଛନ୍ତି। ଆପଣମାନେ ସେଥିରେ ଥିବା ଇମୋଜୀମାନଙ୍କୁ ଦେଖି ଅନୁମାନ କରିବାକୁ ଚେଷ୍ଟା କରନ୍ତୁ, ସେହି ଗଳ୍ପରେ କ’ଣ କୁହାଯାଇଛି।

ସମ୍ପାଦକ



ଏବେ ପଢ଼ନ୍ତୁ ଲେଖକ ଏହି ଗଳ୍ପଟିକୁ ଓଡ଼ିଆ ଶବ୍ଦରେ ପ୍ରକାଶ କରିବାକୁ ଯାଇ ଯାହା ଲେଖିଛନ୍ତି :


କାହାଣୀ ଆରମ୍ଭ ହୁଏ ଜଣେ ବ୍ୟକ୍ତି ଠାରୁ। ଯିଏ ଏକ ଚାନ୍ଦିନୀ ରାତିରେ ଗୋଟିଏ ନିକାଞ୍ଚନ ସମୁଦ୍ର କୂଳରେ ପହଞ୍ଚେ। ସେ ସେହି ନଡିଆ ଗଛ ଘେରା ବାଲିରେ ମଉଜ ମଜଲିସ କରିବାକୁ ଚେଷ୍ଟା କରେ।
ପରଦିନ ସକାଳେ ସେ ମାଛ ଧରିବାକୁ ସମୁଦ୍ର ଭିତରକୁ ଗଲା। ମହାନନ୍ଦରେ ସେ ବନସୀକଣ୍ଟା ପକାଇ ମାଛ ଧରୁଥିବା ବେଳେ ଦୂରରୁ ଏକ ବିଶାଳ ମାଛ ତା ଆଡକୁ ମାଡି ଅସୁଥିବାର ଦେଖି ଡରିଗଲା। ମାତ୍ର ଏଥିରେ ସେ ଆଦୌ ବିଚଳିତ ନହୋଇ ପାଣିକୁ ଡେଇଁପଡି ପହଁରିବାକୁ ଲାଗିଲା। ସେ ଓଦା ହୋଇଗଲେ ମଧ୍ୟ କୂଳରେ ପହଞ୍ଚିବା ପରେ ସ୍ଥାନୀୟ ଲୋକେ ତାକୁ ସାହସିକତା ପାଇଁ ପୁରସ୍କାର ଓ ଉପହାର ଦେଇ ସମ୍ମାନିତ କଲେ।
ତା ପରଦିନ ଆହୁଲା ଡଙ୍ଗା ନେଇ ସମୁଦ୍ର ଭିତରରକୁ ବାହାରିଗଲା ଏବଂ ଡଲଫିନ ତଥା ଅନ୍ୟ ମାଛ ମାନଙ୍କୁ ଦେଖି ବହୁତ ଖୁସି ହେଲା। ଅନେକ ବାଟ ଗଲା ପରେ ଏକ ସୁନ୍ଦର ଦ୍ବୀପରେ ପହଞ୍ଚିଲା। ଯେଉଁଠି ସେ ଏକ କୁଡିଆ ତିଆରିକରି ରହିଲା ଏବଂ ଆନନ୍ଦରେ ଦିନ ବିତାଉ ବିତାଉ ସ୍ଥାନୀୟ ଲୋକଙ୍କୁ ବନ୍ଧୁ ବନେଇଲା। ବହି ପଢିବା ଓ ଫଟୋ ଉଠାଇବା ତଥା ସ୍ଥାନୀୟ ଲୋକମାନଙ୍କ ସହ ଖୁସିରେ ରହିବାକୁ ଲାଗିଲା।
ଦିନେ ଭୀଷଣ ଝଡ ଆସି ତା କୁଡ଼ିଆକୁ ଭାଙ୍ଗିଦେଲା। ସେ ଅଧୈର୍ଯ୍ୟ ହୋଇ ନିଜ ଜିନିଷପତ୍ର ସଜାଡି ସଜାଡି ପୁଣି ଡଙ୍ଗାରେ ବସି ଫେରି ଆସିବାକୁ ବାହାରିଲା। ଅନେକ ଝଡଝଞ୍ଜାକୁ ସାମ୍ନା କରି ସେ ପୁଣି ସେହି ସୁନ୍ଦର ସମୁଦ୍ର କୂଳରେ ପହଞ୍ଚିଲା। ପୂର୍ବ ଅନୁଭୂତିକୁ ମନେ ପକାଇ ସେ ଖୁବ ଖୁସି ହେଲା ଏବଂ ନିଜ ଘରକୁ ଫେରି ସେଇ ପୁରୁଣା କଥା ସବୁକୁ ଭାବିଲା। ସେହି ବହି ଫଟୋ ଏବଂ ସ୍ଥାନୀୟ ଲୋକ ମାନଙ୍କର କଥା ତାର ଖୁବ୍ ବେଶି ମନେପଡିଲା। ଏଥର ସେ ସେଇ ସ୍ମୃତିକୁ ମନେ ପକାଇଲା ଓ ପୁଣି ଏକ ନୂଆ ଯାତ୍ରାରେ ବାହାରିବ ବୋଲି ଚିନ୍ତାକଲା।


ଆମ ସାହିତ୍ୟରେ ଏମିତି ଇମୋଜୀ ଗଳ୍ପମାନଙ୍କର ଭବିଷ୍ୟତ କଣ? ଆପଣ ଏହାର ସପକ୍ଷରେ ନ ବିପକ୍ଷରେ? ତଳେ ଥିବା ‘କମେଣ୍ଟ ବକ୍ସ’ରେ ନିଜର ଖୋଲା ମତ ରଖିବା ପାଇଁ ଅନୁରୋଧ।

4 thoughts on “ଗୋଟିଏ ଇମୋଜୀ କାହାଣୀ

  1. ଇମୋଜୀ ଓ ସ୍ମାଇଲୀ ଆଧାରିତ ସାହିତ୍ୟ ରେ ସାହିତ୍ୟ ନାହିଁ। ଏହାର ଭବିଷ୍ୟତ ନାହିଁ।

  2. ବର୍ତ୍ତମାନ ଇମୋଜିର ବ୍ୟବହାର ଏତେ ବଢ଼ିଗଲାଣି ଯେ ପଦୁଟିଏ ମେସେଜରେ କଥା ହେଲେ ଇମୋଜି ବ୍ୟବହାର କରିବାକୁ ପଡୁଛି। ନମସ୍କାର କହିପାରୁନେ ଇମୋଜି ପଠେଇ ଦଉଛେ। ଇମୋଜିର ବ୍ୟବହାର କମେଇ ସାଧାରଣ ଭାଷାରେ ଭାବ ଆଦାନ ପ୍ରଦାନ କରିଲେ ଭଲ ହୁଅନ୍ତା।

  3. ପ୍ରଥମେ ସାହିତ୍ୟ ଚର୍ଚ୍ଚା ପରିବାର ଓ ଏହାର ସମ୍ପାଦକଙ୍କୁ ସାଧୁବାଦ ଜଣାଉଛି ଯେ, ଏହିଭଳି ନୂତନ ପରିକଳ୍ପନାକୁ ସ୍ଥାନିତ କରିବା ପାଇଁ। ଏହାପରେ ଲେଖକ ସୌମ୍ୟଶ୍ରୀଙ୍କୁ ସ୍ୱାଗତ ଓ ଶୁଭେଚ୍ଛା ଏକ ନୂତନ ସ୍ୱାଦର କାହାଣୀ ଲେଖିବା ତାହା ପୁଣି ଇମୋଜି କୁ ନେଇ। ସମ୍ପ୍ରତି ଯେତେବେଳେ ସ୍ମାର୍ଟ ଫୋନ୍‌ର ବହୁଳ ବ୍ୟବହାରକାରୀ ଇମୋଜି ର ବ୍ୟବହାରକୁ ବହୁଳରୁ ବହୁଳତର କରିସାରିଲେଣି ସେଭଳି ସମୟରେ ଇମୋଜି କୁ ନେଇ କାହାଣୀ ଲେଖିବା ନିଶ୍ଚିତ ଭାବେ ଏକ ଚମତ୍କାର ଏବଂ ନିଆରା ଉଦ୍ୟମ। ଏଥିପାଇଁ ମୁଁ ଲେଖକଙ୍କୁ ଧନ୍ୟବାଦ ଜଣାଉଛି। ଆସନ୍ତା ଦିନରେ ବୋଧହୁଏ ସମୟ ଏଭଳି ହୋଇପାରେ – ଲୋକେ କଥାବାର୍ତ୍ତା କମ୍‌ କରି ବା ଶବ୍ଦର ବ୍ୟବହାରକୁ କମ୍‌ କରି ଇମୋଜି ମାଧ୍ୟମରେ ନିଜର ମନକଥା ଜଣାଇବେ। ଏହା ଅସମ୍ଭବ ନହୋଇପାରେ। ସମ୍ପ୍ରତି ସାଇନ୍‌ ଲାଙ୍ଗୁଅଜ୍ ବା ସାଙ୍କେତିକ ଭାଷାରକୁ ନେଇ ଚାଲିଥିବା ବିଭିନ୍ନ କାର୍ଯ୍ୟ ସମୟରେ ଇମୋଜିର ବ୍ୟବହାର ଏକ ନୂତନ ବ୍ୟବସ୍ଥାର ସୂଚନା।

  4. ଯଦିଓ ଏହା ଏକ ନୂତନ ପ୍ରୟାସ ,ଏହାର ଭବିଷ୍ୟତ ଆଲୋକିତ ନୁହେଁ ବୋଲି ମୋର ମନେହୁଏ। ଅଳ୍ପ କିଛି ଚିତ୍ର ଦେଇ କାହାଣୀଟିଏ ଗଢିବାର ପ୍ରକ୍ରିୟା ପିଲାଙ୍କୁ ଶିଖାଯାଇଥାଏ ।କିନ୍ତୁ ଏଥିରୁ ତ କିଛି ବୁଝି ହେଲା ନାହିଁ।

Leave a Reply

Your email address will not be published. Required fields are marked *